ପ୍ରବନ୍ଧ

ପାଳ ଭୂତ

Deepak Baral's odia prose Paala Bhoota

ତୁମେ ବି ମୋ ପରି ଗୋଟିଏ ମିଛ ମଣିଷ ନା ? କାରଣ ମିଛ ମଣିଷର ଗୋଟେ ଲକ୍ଷଣ ସେ ସବୁବେଳେ ଅନ୍ୟ ଆଖିରେ ଦେଖିବାକୁ ଚାହେଁ, କି ସେ କେମିତି ଦେଖାଯାଉଛି ?

ପାଳ ଭୂତ

ମଣିଷ ବ୍ୟକ୍ତିତ୍ୱ ନିର୍ଦ୍ଧାରଣର ଆଧାର କ’ଣ ଅନ୍ୟ ଠାରୁ ମିଳୁଥିବା ସ୍ୱୀକୃତି ଉପରେ ନିର୍ଭର କରେ ? ନା ଅନ୍ୟଠାରୁ ମିଳୁଥିବା ପ୍ରଶଂସା କିମ୍ବା ଆଲୋଚନା ଓ ସମାଲୋଚନା ଉପରେ ଆମ କାର୍ଯ୍ୟ ପ୍ରେରିତ ହୁଏ । ନାହିଁ ନା ?

କାରଣ ଏମିତି ଯଦି ହୁଏ ତେବେ ଆମେ ଏପରି ଏକ ବ୍ୟକ୍ତିତ୍ୱର ନିର୍ମାଣ କରିବା ଯାହାକି ଅନ୍ୟର ବିଚାର ଉପରେ ସମ୍ପୂର୍ଣ୍ଣ ରୂପେ ଆଧାରିତ କ୍ଷେତରେ ଛିଡା ହୋଇ ରହିଥିବା ପାଳ ଭୂତଟିଏ ପରି ହେବ ।

ସେହି ପାଳଭୂତ ର କାହାଣୀ –

ବୋଧହୁଏ ମାଟିରେ ସୁନା,ରୂପା ଫଳେ ସମ୍ବୋଧନ କରିବା ଭୁଲ ହେବନି । କାରଣ ଯେପରି କୌଣସି ମୂଲ୍ୟବାନ ଜିନିଷକୁ କଡା ସୁରକ୍ଷାରେ ରଖାଯାଏ, ସେହିପରି ଚାଷୀ ନିଜ ଚାଷ ଜମିକୁ ଚୋର, ଡକାୟତ, ଜୀବଜନ୍ତୁ ଓ ପଶୁପକ୍ଷୀ ମାନଙ୍କ ଦାଉରୁ ଫସଲକୁ ସୁରକ୍ଷା କରିବାକୁ ଯାଇ ନିର୍ମାଣ କରେ ପାଳଭୂତ । ଆରମ୍ଭ ହୋଇଯାଏ କଳା କାରିଗରୀ, ମଣିଷ ପରି ହାତ, ଗୋଡ଼ କରି ପ୍ୟାଣ୍ଟ ଜାମା ପିନ୍ଧାଇ ମାଟିର ହାଣ୍ଡିରେ ମୁଣ୍ଡ ତିଆରି କରେ, ଆଉ ହାଣ୍ଡିର ଗୋଟିଏ ପାଖରେ ମଣିଷ ମୁହଁର ଚିତ୍ର ଆଙ୍କି, କ୍ଷେତର କଡ଼ରେ ଛିଡା କରେଇ କ୍ଷେତକୁ ଜଗିବାପାଇଁ ଛାଡିଦିଏ । ପ୍ରାୟତଃ ସବୁ ଚାଷୀ ଏହି ପନ୍ଥା ଅବଲମ୍ବନ କରନ୍ତି କହିଲେ ଅତୁକ୍ତି ହେବନି । ଜଙ୍ଗଲୀ ଜୀବଜନ୍ତୁ ସେହି ପାଳଭୂତକୁ ଦେଖି ଭୟପାଇ କ୍ଷେତ ମୁଁହା ହେଉନଥିଲେ । ପଶୁପକ୍ଷୀ ମାନେ କ୍ଷେତକୁ ପଶିବା ପାଇଁ ଡରି ଯାଉଥିଲେ ।

ଜଣେ ପାଗଳ ପାଳଭୂତ ଛିଡା ହୋଇଥିବା ବାଟରେ ସବୁବେଳେ ଯିବା ଆସିବା କରେ, କାହିଁକି କେଜାଣି ହଠାତ ଦିନେ ପାଳଭୂତ ପାଖରେ ଅଟକି ଯାଇ ତାକୁ ବଲ ବଲ କରି ଚାହିଁଲା ଏବଂ ପଚାରିବାକୁ ଲାଗିଲା, ବନ୍ଧୁ ! ସବୁବେଳେ ଏମିତି ଛିଡା ହୋଇ ରହୁଚ । ଖରା ଆସୁଛି, ବର୍ଷା ଆସୁଛି, ଶୀତ ଆସୁଛି, ରାତି ଆସି ଅନ୍ଧାର ହେଉଛି ହେଲେ ତୁମକୁ କିଛି ଫରକ ପଡୁନି, ସେମିତି ସ୍ଥିର ହୋଇ ଛିଡା ରହୁଛ । ଡର ଲାଗେନି ? ଅଧୀର ଲାଗେନି ? ବିରକ୍ତି ଲାଗେନି ? ଏମିତ ଗୋଟାଏ ପରେ ଗୋଟେ ପ୍ରଶ୍ନ ପଚାରି ଚାଲିଛି ।

ପାଳଭୂତ ପାଗଳର କଥା ଶୁଣି ଜୋରରେ ଜୋରରେ ହସିବାକୁ ଲାଗିଲା ଏବଂ କିଛି ସମୟ ପରେ ଉତ୍ତର ଦେଲା, ଅଧୀର ! ମୁଁ ହୁଏନି, କି ବିରକ୍ତ ! କେବେ ମୋତେ ଲାଗେନି, ଆଉ ଭୟ ! ଅନ୍ୟକୁ ଡରାଇ ବାରେ ଏତେ ଆନନ୍ଦ ମିଳେ ଯେ ସେଥିରେ ଖରା,ବର୍ଷା, ଶୀତ କିଛି ଜଣା ପଡ଼େନି । ଅନ୍ୟକୁ ପ୍ରଭାବିତ ଏବଂ ଭୟଭୀତ ଦେଖି ମତେ ବହୁତ ଖୁସି ମିଳେ, ସେମାନଙ୍କ ଆଖିରେ ମୁ ସତ ସତୁଆ ମଣିଷ ପରି ଦେଖାଯାଏ । ଏସବୁ ଶୁଣିଲା ପରେ ପାଗଳର ମନ ଭିତର ଟା କେମିତି କେମିତି ହୋଇଗଲା, ସେତିକିରେ କଥା କୁ ରଖିବାକୁ କହି ଦୀର୍ଘ ନିଶ୍ୱାସ ଟିଏ ମାରି ଦୌଡ଼ି ଯାଇ ପାଖରେ ଥିବା ନଳକୂପରୁ ଦୁଇ, ତିନି ଆଞ୍ଜୁଳା ପାଣି ପିଇ ଫେରି ଆସି ପାଳଭୂତ କୁ ପୁଣି ପଚାରିବାକୁ ଲାଗିଲା, ପ୍ରତିଉତ୍ତରରେ ହସି ହସି ପାଳଭୂତ ବି କହିବାକୁ ଲାଗିଲା । ପଶୁପକ୍ଷୀ ମାନେ ଭାବି ଡରନ୍ତି କି, ମୁ ସତ ମଣିଷ ଟିଏ, ଜଙ୍ଗଲୀ ଜୀବଜନ୍ତୁ ବି ଭୟପାନ୍ତି ମୁ କଳେ ସତ ସତୁଆ ମଣିଷ ବୋଲି । ସେମାନଙ୍କ ଆଖିରେ ମୁ ସତ ସତୁଆ ମଣିଷ ବୋଲି ଦେଖି ମତେ ବହୁତ ଖୁସି ଅନୁଭବ ହୁଏ ।

ପାଳଭୂତ କଥା ଶୁଣି ପାଗଳ ଆଶ୍ଚର୍ଯ୍ୟ ହୋଇ ଚାହିଁଲା, କହିଲା ବନ୍ଧୁ ! ତୁମେ ଯେମିତି କହୁଛ ଠିକ ସେମିତି ମୋ ଜୀବନ ର ଗତିପଥ, ମୁଁ ବି ଅନ୍ୟ ମାନଙ୍କ ଆଖିରେ ନିଜକୁ ଦେଖେ କି ମୁଁ କଣ ? ମୁଁ କିଏ ? ଆଉ ସେଥିରେ ଖୁସି ହୋଇ ଆଗକୁ ବଢିଯାଏ । ପାଗଳ କଥାରେ ପାଳଭୂତ ଟିକେ ମୁରୁକି ହସି ହସି ଉତର ଦେଲା ମୋତେ ଏବେ ସବୁ ବୁଝି ଆସିଲା ବନ୍ଧୁ ! ତୁମେ ବି ମୋ ପରି ଗୋଟିଏ ମିଛ ମଣିଷ ନା ? କାରଣ ମିଛ ମଣିଷର ଗୋଟେ ଲକ୍ଷଣ ସେ ସବୁବେଳେ ଅନ୍ୟ ଆଖିରେ ଦେଖିବାକୁ ଚାହେଁ, କି ସେ କେମିତି ଦେଖାଯାଉଛି ? ସେ ନିଜେ କଣ ଜାଣିବାକୁ ସେଥିରେ ତାର ଜମାରୁ ରୁଚି ନଥାଏ । ତାର ସବୁ ଚିନ୍ତା ସବୁ ଚେଷ୍ଟା କେବଳ ଅନ୍ୟ ମାନଙ୍କଆଖିରେ ସେ କେମିତି ଦେଖାଯାଏ ? ତା ଚତୃପାର୍ଶ୍ଵ ରେ ଥିବା ମଣିଷ ମାନେ ତାକୁ ନେଇ କଣ ଚିନ୍ତା କରୁଛନ୍ତି ? କଣ ଭାବୁଛନ୍ତି ? ସେଇ ଥରେ ସବୁ ସମୟ ବିତିଯାଏ ।

ମୋର ପାଠକ, ପାଠିକା ଓ ବନ୍ଧୁ ଏବଂ ସାନ୍ନମାନ ର ଗୁରୁଜନ ମାନଙ୍କ ପାଇଁ ଛୋଟ ପ୍ରଶ୍ନଟିଏ ରଖି ଉତ୍ତର ଆଶାରେ କାହାଣୀକୁ ଆଗକୁ ବଢ଼ାଉଛି ।

ଯେଉଁ ମଣିଷ ସବୁବେଳେ ଚିନ୍ତା କରେ ଅନ୍ୟ ମାନେ କଣ କହିବେ ? ଅନ୍ୟ ମାନେ କଣ କହୁଛନ୍ତି ? ସେ ପରି ବ୍ୟକ୍ତି ମାନେ ସବୁବେଳେ ଅନ୍ୟ ମାନଙ୍କ ଆଖିରେ ରାୟ ଖୋଜୁଥାନ୍ତି ନା ? ସେମାନଙ୍କ ଭିତରୁ ମୁଁ ବି ଜଣେ, ବୋଧ ହୁଏ ଆପଣ ମାନେ ବି ! ଆଉ ଏମିତି ମଣିଷ ମାନେ ଜୀବନ ର ବାସ୍ତବିକ ଅନୁଭବ କୁ ପ୍ରାପ୍ତ କରିବାରୁ ବଂଚିତ ହୋଇଥାନ୍ତି । ସେଥିପାଇଁ ନିଜ ଭିତରେ ନିଜକୁ ଦେଖିବା, ନିଜକୁ ଖୋଜିବା ଆଉ ପଚାରିବା । ମୁଁ କଣ ? ମୁଁ କିଏ ?

ତେବେ ହୁଏତ ଆମକୁ କାହା ସ୍ୱୀକୃତିର ଆବଶ୍ୟକତା ପଡିବ ନାହିଁ କିମ୍ବା ପାଳଭୂତ ପରି ଖରା, ବର୍ଷା, ଶୀତ ଓ ରାତିର ଅନ୍ଧାର ରେ ଖୁଣ୍ଟା ଗଛଟିଏ ପରି ଛିଡା ହେବାକୁ ପଡିବ ନାହିଁ । ଧୀରେ ଧୀରେ ସମୟ ସୁଅରେ ମାଡି ଆସିବ ସତ ମଣିଷ, ସତ ବ୍ୟକ୍ତିତ୍ୱ ସଂକଳ୍ପର ନବନିର୍ମାଣ ।

ମଣିଷ ଖେଳୁଛି ମିଛ ସତ
ନିଜକୁ ସଜେଇ ପାଳଭୂତ
ବାଟୋଇ କୁ ବାଟ ଠକି ଦିଏ
ଚିହ୍ନା ମୁହଁ ଯେବେ ଅଚିହ୍ନା ହୁଏ
ତୋ ଆଗରେ ତୁ ହେଇଚୁ ଠିଆ
ଫେରି ଚାହିଁଲେ ପାଇବୁନି ତୋ ରାହା
କାହା ଭୟେ ଡରି ଧାଉଁଛୁ ତୁ
ତୋ ଭୁଲ ବି ତୁ ତୋ ଠିକ ବି ତୁ
କହକିଏ ରେ ସେ ଠିକଣା ଦବରେ
ଅଦେଖା ସେ ପାରିଜାତ
ମଣିଷ ଖେଳୁଛି ମିଛ ସତ…ନିଜକୁ ସଜେଇ ପାଳ ଭୂତ…

ଲୋକପ୍ରିୟ ଲେଖା

To Top