ପ୍ରବନ୍ଧ

ପାପ ଓ ପୁଣ୍ୟ

Dr Chhayakanta Sarangi's odia prose Paapa O Punya

ପାପ ଓ ପୁଣ୍ୟ ଆପେକ୍ଷିକ ଶବ୍ଦ । ସ୍ଥାନ, କାଳ ଓ ପାତ୍ର ଭେଦରେ ପାପ ପୁଣ୍ୟର ସଂଜ୍ଞା ବଦଳିଯାଏ ।

ପାପ ଓ ପୁଣ୍ୟ

ପୃଥିବୀର ପ୍ରତ୍ୟେକ ଧର୍ମଗ୍ରନ୍ଥରେ ପାପ ଓ ପୁଣ୍ୟର ଧାରଣା ନିର୍ଦ୍ଧାରିତ ହୋଇଛି । ମାତ୍ର ଗୋଟିଏ ଧର୍ମଗ୍ରନ୍ଥରେ ଯେଉଁ କର୍ମକୁ ପାପ ପର୍ଯ୍ୟାୟରେ ଗ୍ରହଣ କରାଯାଇଛି, ହୁଏତ ଅନ୍ୟ ଧର୍ମଗ୍ରନ୍ଥରେ ତାହା ପାପ ଭାବରେ ବିବେଚିତ ହୋଇ ନାହିଁ । କିଛି ସାଧୁସନ୍ଥ ପ୍ରବଚନ ମାଧ୍ୟମରେ ପାପରୁ ଉଦ୍ଧାର ପାଇବା ପାଇଁ ମାର୍ଗଦର୍ଶନ କରୁଛନ୍ତି । ସେମାନେ ନିଜ ନିଜ ଧର୍ମଶାସ୍ତ୍ରରୁ ବାକ୍ୟ ଉଦ୍ଧାର କରି କେଉଁ କର୍ମ ପାପ ଓ କେଉଁ କର୍ମ ପୁଣ୍ୟ ସେ ସମ୍ପର୍କରେ ଧାରଣା ଦେଉଛନ୍ତି । ସଂସାରରେ ଆତଯାତ ହେଉଥିବା ଲୋକମାନଙ୍କ ବିଭିନ୍ନ କର୍ମକୁ ଦେଖି ଆମେ କିଏ ପାପୀ ଓ କିଏ ପୁଣ୍ୟବାନ୍ ସ୍ଥିର କରୁ । ଆମେ କିଛି ପରୋପକାର କରିପକାଇଲେ ନିଜକୁ ପୁଣ୍ୟବାନ୍ ଭାବି ନେଉ ଓ ଅନ୍ୟ କେହି ଯଦି ଆମ ପାଇଁ ଗ୍ରହଣୀୟ ନ ହେଉଥିବା କିଛି କର୍ମ କରେ ବା ସ୍ଥୂଳ ଦୃଷ୍ଟିରେ ସମାଜର ଅମଙ୍ଗଳ କଲା ଭଳି କିଛି କର୍ମ କରେ ତାକୁ ପାପୀ କହୁ । ଆମର ଏହି ପାପପୁଣ୍ୟ ଧାରଣା ସର୍ବଦା ଆମ ଧର୍ମଗ୍ରନ୍ଥ ଆଧାରିତ ହୋଇଥାଏ । ମାତ୍ର ସ୍ଥୂଳ ଦୃଷ୍ଟିରେ ଯାହା ପାପ କିମ୍ୱା ପୁଣ୍ୟ, ସୂକ୍ଷ୍ମ ଦୃଷ୍ଟିରେ ଯେ ତାହା ନ ହୋଇପାରେ, ନିମ୍ନୋକ୍ତ ଲୋକକଥାଟି ତାହା ପ୍ରତିପାଦନ କରେ ।

ଦିନେ ଜଣେ ବିଧବା ବୃଦ୍ଧା ତା’ର ଦଶବର୍ଷର ନାତିକୁ ଧରି ଘରକୁ ଫେରୁଥିବା ବେଳେ ପ୍ରବଳ ଝଡ଼ବର୍ଷାର ସମ୍ମୁଖୀନ ହେଲା । ନିଜକୁ ରକ୍ଷା କରିବା ପାଇଁ ସେ ଗାଁର ଅନତିଦୂରରେ ଥିବା ଏକ ଛୋଟ ପରିତ୍ୟକ୍ତ ଚାଳଘରେ ନାତି ସହ ଆଶ୍ରୟ ନେଲା । ତା’ ପୂର୍ବରୁ ସେଠି ଆଶ୍ରୟ ନେଇ ସାରିଥିଲେ ଗାଁର ଜମିଦାର, ତାଙ୍କ ଦେହରକ୍ଷୀ, ଜଣେ ବ୍ୟବସାୟୀ ଓ ଜଣେ କଂସେଇ । ସେହି ଘର ନିକଟରେ ଥାଏ ଏକ କବର । ଘନ ଘନ ବିଜୁଳି ସାଙ୍ଗକୁ ପ୍ରଚଣ୍ଡ ବଜ୍ରପାତ ହେଉଥାଏ । ସେଠି ଆଶ୍ରିତ ଥିବା ସମସ୍ତେ ଆଶଙ୍କା କରୁଥାନ୍ତି ଯେକୌଣସି ମୁହୂର୍ତ୍ତରେ ବଜ୍ରପାତରେ ଘରଟି ଧ୍ୱଂସ ପାଇପାରେ ଓ ସେମାନେ ମୃତ୍ୟୁମୁଖରେ ପଡ଼ିପାରନ୍ତି । ଠିକ୍ ସେହି ସମୟରେ ଜମିଦାରଙ୍କର ମନେପଡ଼ିଲା ଏକ ବହୁ ପ୍ରସାରିତ ଲୋକବିଶ୍ୱାସ । ସେହି ଘରେ ଯଦି କୌଣସି ପାପୀର ପାଦ ପଡେ଼, ସେତେବେଳେ ସେହିଭଳି ଅଘଟଣ ଘଟେ । ପାପୀ ନିକଟସ୍ଥ କବର ପାଖକୁ ଯାଇ ପାପ ସ୍ୱୀକାର କରିବା ପାଇଁ ତାଙ୍କୁ ବାଧ୍ୟ କଲେ । ବ୍ୟବସାୟୀ ପାପ ସ୍ୱୀକାର କଲେ, ମାତ୍ର ବଜ୍ରପାତ ବନ୍ଦ ହେଲା ନାହିଁ । ପ୍ରତିଦିନ ଜୀବହତ୍ୟା କରୁଥିବା କଂସେଇ ଓ ଜମିଦାରଙ୍କୁ ସୁରକ୍ଷିତ ରଖିବାକୁ ଯାଇ ଶତ୍ରୁ ମାନଙ୍କୁ ହତ୍ୟା କରୁଥିବା ଦେହରକ୍ଷୀ ପାପୀ ଭାବରେ ସର୍ବଜନବିଦିତ ଥିବାରୁ ଜମିଦାର ସେମାନଙ୍କୁ କବର ନିକଟରେ ନିଜ ନିଜର ପାପ ସ୍ୱୀକାର କରିବା ପାଇଁ କହିଲେ । ତଥାପି ବଜ୍ରପାତ ବନ୍ଦ ହେଲା ନାହିଁ । ମାତ୍ର ଜମିଦାର ଲୋକହିତକର କାର୍ଯ୍ୟ କରୁଥିବାରୁ ନିଜକୁ କେବେ ପାପୀ ମଣୁ ନଥିଲେ । ଏଣୁ ସେ ଚିନ୍ତା କଲେ ବୃଦ୍ଧାଜଣକ ନିଶ୍ଚୟ ପାପୀ ହୋଇଥିବ । ତାକୁ ମଧ୍ୟ ପାପ ସ୍ୱୀକାର କରିବା ପାଇଁ କବର ନିକଟକୁ ପଠାଗଲା । ମାତ୍ର ବଜ୍ରପାତ ବନ୍ଦ ହେଲା ନାହିଁ । ଶେଷରେ ଜମିଦାର ଉପସଂହାରରେ ପହଞ୍ଚିଲେ ସେହି ଦଶବର୍ଷର ଶିଶୁଟି ହେଉଛି ପ୍ରକୃତ ପାପୀ । ଦେହରକ୍ଷୀ ଜୋର୍ କରି ସେହି ନିରୀହ ଶିଶୁକୁ ଘରୁ ତଡ଼ିଦେଇ କବରସ୍ଥାନକୁ ପାପ ସ୍ୱୀକାର କରିବା ପାଇଁ ନେଇଗଲା ଓ ନିଜେ ଘରକୁ ଫେରିଆସିଲା । ପ୍ରଚଣ୍ଡ ଝଡ଼ବର୍ଷାରୁ ନାତିକୁ ରକ୍ଷା କରିବା ପାଇଁ ବୃଦ୍ଧାଜଣକ ମଧ୍ୟ ଘରଠୁ ବାହାରି ଆସିଲା । ଠିକ୍ ଏହି ସମୟରେ ହେଲା ଏକ ଭୟଙ୍କର ବଜ୍ରପାତ । ଧ୍ୱଂସ ହେଲା ସେହି ଚାଳଘର ଓ ଟଳି ପଡ଼ିଲେ ନିଜକୁ ପୁଣ୍ୟବାନ୍ ମଣୁଥିବା ଜମିଦାର । ତାଙ୍କ ସହ ମୃତ୍ୟୁ ମୁଖରେ ପଡ଼ିଲେ ଦେହରକ୍ଷୀ, ବ୍ୟବସାୟୀ ଓ କଂସେଇ । ଜମିଦାରଙ୍କ ଦୃଷ୍ଟିରେ ପାପୀ ବିବେଚିତ ସେହି ଶିଶୁ ଓ ବୃଦ୍ଧା ନିଷ୍ପାପ ପ୍ରମାଣିତ ହୋଇ ବଞ୍ଚିଲେ ଓ ନିଷ୍ପାପ ବିବେଚିତ ଅନ୍ୟମାନେ ନିହତ ହେଲେ ।

କିଏ ପାପୀ ଓ କିଏ ପୁଣ୍ୟବାନ୍ ଏ କଥା ବିଚାର କରିବା ମଣିଷର ସାଧ୍ୟାତୀତ । ସ୍ଥୂଳଦୃଷ୍ଟିରେ ଯାହା ପାପ ଭଳି ଜଣାପଡେ଼ ସୂକ୍ଷ୍ମ ଦୃଷ୍ଟିରେ ତାହା ପାପ ନ ହୋଇପାରେ । ପାପ ଓ ପୁଣ୍ୟ ଆପେକ୍ଷିକ ଶବ୍ଦ । ସ୍ଥାନ, କାଳ ଓ ପାତ୍ର ଭେଦରେ ପାପ ପୁଣ୍ୟର ସଂଜ୍ଞା ବଦଳିଯାଏ । ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କ ଯୁକ୍ତି ଥିଲା ଯେ, ସେ ବନ୍ଧୁ, ପରିଜନ, ଭାଇ ଆଦିଙ୍କୁ ହତ୍ୟା କରି ପାପ ଅର୍ଜନ କରିବେ ନାହିଁ । ମାତ୍ର ଶ୍ରୀକୃଷ୍ଣଙ୍କ ଯୁକ୍ତି ଥିଲା ଯେ, କୌରବମାନେ ଥିଲେ ପାପାଚାରୀ । ଅଧର୍ମକୁ ନାଶ କରି ଧର୍ମ ସଂସ୍ଥାପନ କରିବା ନିମନ୍ତେ ଯୁଦ୍ଧ କରିବା କ୍ଷତ୍ରିୟର ପରମ କର୍ତ୍ତବ୍ୟ । ଶ୍ରୀକୃଷ୍ଣ କହିଲେ, “ସହଜଂ କର୍ମ କୌନ୍ତେୟ ସଦୋଷମପି ନ ତ୍ୟଜେତ୍, ସର୍ବାରମ୍ଭାହି ଦୋଷେଣ ଧୂମେନାଗ୍ନିରିବାବୁତା ।” ଅର୍ଥାତ୍ ଦୋଷଯୁକ୍ତ ହେଲେ ମଧ୍ୟ ସହଜାତ କର୍ମ ତ୍ୟାଗ କରିବା ଉଚିତ୍ ନୁହେଁ । କାରଣ ଧୂଆଁରେ ଅଗ୍ନି ଆବୃତ ହୋଇଥିବା ଭଳି ସମସ୍ତ କର୍ମ କୌଣସି ନା କୌଣସି ଦୋଷଯୁକ୍ତ ନୁହେଁ । ଶ୍ରୀକୃଷ୍ଣଙ୍କ ଯୁକ୍ତି ଥିଲା ମହାଭାରତ ଯୁଦ୍ଧ ପାପ ଓ ଅଧର୍ମ ବିରୋଧରେ ଥିବାରୁ ଅର୍ଜୁନଙ୍କ ଯୁଦ୍ଧଜନିତ ହତ୍ୟା ପାପ ପର୍ଯ୍ୟାୟରେ ଯିବ ନାହିଁ । ଏଣୁ ଯୁଦ୍ଧ କରୁ କରୁ ଯଦି ତାଙ୍କର ଦେହାନ୍ତ ହୋଇଯାଏ ତାଙ୍କର ସ୍ୱର୍ଗପ୍ରାପ୍ତି ହେବ ଓ ଯୁଦ୍ଧରେ ଜିତିଲେ ରାଜ୍ୟପ୍ରାପ୍ତି ହେବ । ଶ୍ରୀକୃଷ୍ଣଙ୍କ ଭାଷାରେ- “ହତୋ ବା ପ୍ରାପ୍ସ୍ୟସି ସ୍ୱର୍ଗଂ ଜିତ୍ୱା ବା ଭୋକ୍ଷସେ ମହୀମ୍, ତସ୍ମାତ୍ ଉତ୍ତିଷ୍ଠ କୌନ୍ତେୟ ଯୁଦ୍ଧାୟ କୃତନିଶ୍ଚୟଃ ।” ମୋଟ ଉପରେ ପାପ ପୁଣ୍ୟ ଧାରଣା ଚେତନା ଉପରେ ନିର୍ଭର କରେ । ସତ୍ୟ କହିବା ପୁଣ୍ୟ ଓ ମିଛ କହିବା ପାପ । ଏହା ଏକ ନିଷ୍ପ୍ରାଣ ସୂତ୍ର । ମହାଭାରତରେ ସତ୍ୟବାଦୀ କୌଶିକ ଋଷିଙ୍କୁ ଦଳେ ଡାକୁ ଆସି ପଚାରିଲେ, “ଆପଣଙ୍କ ଆଶ୍ରମରେ ଧନ ଧରିଥିବା କେତେଜଣ ପଥଚାରୀ କେଉଁଠି ଲୁଚିଛନ୍ତି ?” ଋଷି ଜାଣିଥିଲେ ଏକ ନିର୍ଦ୍ଦିଷ୍ଟ ନିଘଞ୍ଚ ବୁଦା ଉହାଡ଼ରେ ସେମାନେ ଆତ୍ମରକ୍ଷା ପାଇଁ ଲୁଚିଥିଲେ । ମିଥ୍ୟା କହିବା ପାପ ଭାବି ସେ ବୁଦା ଆଡ଼କୁ ଅଙ୍ଗୁଳି ଦେଖାଇ ସତ୍ୟ କଥାଟି କହିଦେଲେ । ଡାକୁମାନେ ସମସ୍ତ ପଥଚାରୀଙ୍କୁ ହତ୍ୟା କଲେ ଓ ଧନସମ୍ପଦ ଅପହରଣ କରିନେଲେ । ଋଷି ଭାବୁଥିଲେ ସେ ସତ୍ୟ କହି ପୁଣ୍ୟ ଅର୍ଜନ କରୁଛନ୍ତି । ମାତ୍ର ତାଙ୍କରି ସତ୍ୟକଥନ ଅନେକ ନିରୀହ ଲୋକଙ୍କ ଜୀବନ ନେଲା । ଏଣୁ ଏହା ପୁଣ୍ୟ ନ ହୋଇ ପାପ ବିବେଚିତ ହେଲା ଓ ସେ ନର୍କଗାମୀ ହେଲେ । ଏହି କଥା ଉଲ୍ଲେଖ କରିବାର ତାତ୍ପର୍ଯ୍ୟ ହେଉଛି ସ୍ଥୂଳକର୍ମ ଓ ନିଷ୍ପ୍ରାଣ ସୂତ୍ର ଅବଲମ୍ୱିତ କର୍ମ ପାପ ଓ ପୁଣ୍ୟ ନିର୍ଦ୍ଧାରଣ କରନ୍ତି ନାହିଁ ।

ପ୍ରତ୍ୟେକ କର୍ମ ଅନ୍ତରାଳରେ ନିହିତ ଥିବା ଚେତନା ହିଁ ପାପ ପୁଣ୍ୟର ନିର୍ଦ୍ଧାରକ । ମହାଭାରତର ବନପର୍ବରେ ସତ୍ୟର ସଂଜ୍ଞା ନିର୍ଦ୍ଧାରଣ କରି କୁହାଯାଇଛି- “ସତ୍ୟଂ ଲୋକହିତଂ ପ୍ରୋକ୍ତଂ” ଅର୍ଥାତ୍ ଲୋକହିତ ପାଇଁ ସତ୍ୟ କୁହାଯିବା ଉଚିତ୍ । ମାତ୍ର ଋଷିଙ୍କ ସତ୍ୟ ବଚନ ଅନେକ ଲୋକଙ୍କର ମୃତ୍ୟୁର କାରଣ ହୋଇଥିବାରୁ ତାହା ଅଧର୍ମ ପଦବାଚ୍ୟ ହେଲା । ମନେପଡେ଼ ଏକ ଲୋକକଥା । ଦୁଇଜଣ ବନ୍ଧୁ ବିପରୀତ ଦିଗରୁ ଡଙ୍ଗାରେ ନଦୀ ପାରିହେବା ବେଳେ ମଝିରେ ଭେଟ ହେଲା । ପ୍ରଥମଜଣକ ଦ୍ୱିତୀୟ ଜଣଙ୍କୁ କହିଲା- “ନଈ କୂଳରେ ଥିବା ଜମିଦାର ଘରେ ଜଣେ ବାଈଜୀ ନୃତ୍ୟ ପରିବେଷଣ କରିବେ । ସେ ତାହା ଦେଖିବା ପାଇଁ ଯାଉଛି । ଏହା କହି ସେ ବନ୍ଧୁଙ୍କୁ ମଧ୍ୟ ସେଠାକୁ ଯିବାକୁ ଆମନ୍ତ୍ରଣ କଲା ।” ଦ୍ୱିତୀୟ ବନ୍ଧୁ କହିଲେ, “ନଈ ଆରପାରିରେ ଜଣେ ସନ୍ଥ ପ୍ରବଚନ ଦେଉଛନ୍ତି ଓ ସେ ତାହା ଶୁଣିବା ପାଇଁ ଯାଉଛି । ସେ ମଧ୍ୟ ପ୍ରଥମ ବନ୍ଧୁଜଣକୁ ତା’ ସହ ଆସିବା ପାଇଁ ଆମନ୍ତ୍ରଣ କଲା ।” କେହି କାହାରି ଡାକ ନ ଶୁଣି ନିଜ ନିଜ ପଥରେ ଚାଲିଲେ । ଉଭୟ ବନ୍ଧୁ ନିଜ ନିଜ କର୍ମ ସାରି ଫେରୁଥିବା ବେଳେ ଦୈବାତ୍ ମଝି ନଈରେ ଭୀଷଣ ତୋଫାନ୍ କାରଣରୁ ଦୁଇଜଣଙ୍କ ଡଙ୍ଗା ବୁଡ଼ିଗଲା ଓ ଉଭୟ ବନ୍ଧୁ ପ୍ରାଣତ୍ୟାଗ କଲେ । ଦେବଦୂତ ଆସିଲେ ବାଈଜୀ ନୃତ୍ୟ ଦେଖିସାରି ଫେରିଥିବା ବନ୍ଧୁଙ୍କ ଆତ୍ମାକୁ ନେବା ପାଇଁ ଓ ଯମଦୂତ ଆସିଲେ ପ୍ରବଚନ ଶୁଣି ଫେରିଥିବା ବନ୍ଧୁଙ୍କ ଆତ୍ମାକୁ ନେବା ପାଇଁ । ପ୍ରବଚନ ଶୁଣି ନିଜକୁ ପବିତ୍ର ମଣିଥିବା ବନ୍ଧୁ ଯମାଳୟ ଗମନ ବିରୋଧରେ ପ୍ରତିବାଦ କଲା । ଯମଦୂତ ତାଙ୍କୁ କହିଲେ, “ତୁମେ ପ୍ରବଚନ ଶୁଣୁଥିଲ ସତ, ମାତ୍ର ପ୍ରତି ମୁହୂର୍ତ୍ତରେ ତୁମେ ଭାବୁଥିଲ ତୁମ ବନ୍ଧୁ କିପରି ସୁରାପାନ କରି ବାଈଜୀ ନୃତ୍ୟକୁ ଉପଭୋଗ କରୁଥିବ । ଅପରପକ୍ଷରେ ତୁମ ବନ୍ଧୁ ବାଈଜୀ ନୃତ୍ୟ ଦେଖୁଥିଲା ସତ, ମାତ୍ର ସେ ପ୍ରତି ମୁହୂର୍ତ୍ତରେ ଭାବୁଥିଲା ତୁମେ କିପରି ଅମୃତମୟ ପ୍ରବଚନ ଶୁଣି ନିଜକୁ ଧନ୍ୟ ମଣୁଥିବ ।” ସ୍ଥୂଳ କର୍ମ ନୁହେଁ, ବରଂ ଚେତନା ହିଁ ପାପ ପୁଣ୍ୟ ନିର୍ଦ୍ଧାରଣ କରେ । ଏହା ହିଁ ଏହି କାହାଣୀର କେନ୍ଦ୍ରୀୟ ବକ୍ତବ୍ୟ । ଏଣୁ ମହାଭାରତରେ ଜଣେ ବ୍ୟାଧିକୁ ପୁଣ୍ୟବାନ୍ ପୁରୁଷ ଭାବରେ ଗ୍ରହଣ କରାଯାଇଛି । ଦୈନନ୍ଦିନ ଜୀବନରେ ସେ ହିଂସାଚରଣ କରୁଥିଲେ ମଧ୍ୟ ତା’ର ଚେତନା ଥିଲା ମହତ୍ତର । ଜଣେ ଋଷିଙ୍କୁ ସେ ଯେଉଁ ବ୍ରହ୍ମଜ୍ଞାନ ଦେଇଥିଲା ମହାଭାରତରେ ତା’ର ନାମ ହେଉଛି- “ବ୍ୟାଧଗୀତା” !

ଲୋକପ୍ରିୟ ଲେଖା

To Top