ପାରମାର୍ଥିକ ସୁଖ ଭଗବତ୍ ପ୍ରେମରୁ ମିଳେ । ଭଗବାନ ହେଉଛନ୍ତି ଆନନ୍ଦ କନ୍ଦ, ପୂର୍ଣ୍ଣାନନ୍ଦ, ପରମାନନ୍ଦ, ପ୍ରେମାନନ୍ଦ, ନିତ୍ୟାନନ୍ଦ, ସଦାନନ୍ଦ, ସତ୍ୟାନନ୍ଦ, ବ୍ରହ୍ମାନନ୍ଦ ଓ ସଚ୍ଚିଦାନନ୍ଦ । ତେଣୁ ସେ ହେଉଛନ୍ତି ସମ୍ପୂର୍ଣ୍ଣ ଆନନ୍ଦ ଓ ସୁଖଶାନ୍ତିର ଆଶ୍ରୟସ୍ଥଳ । ଯେ ସର୍ବତୋ ଭାବେ ଭଗବାନଙ୍କ ଶରଣାପନ୍ନ ହୁଏ, ସେ ପୂର୍ଣ୍ଣ ସୁଖ ଶାନ୍ତି ପାଏ ।
ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି :-
ତମେବ ଶରଣଂ ଗଚ୍ଛ ସର୍ବଭାବେନ ଭାରତ ।
ତଦ୍ ପ୍ରସାଦାତ୍ ଶାନ୍ତି ସ୍ଥାମଂ ପ୍ରାପ୍ସ୍ୟସି ଶାଶ୍ୱତମ୍ ।।
ହେ ଅର୍ଜୁନ ! ତୁମେ ସେହି ଭଗବାନଙ୍କର ସର୍ବତୋଭାବେ ଶରଣ ଯାଅ । ତାଙ୍କର କୃପାରୁ ତୁମକୁ ଶାଶ୍ୱତ ଶାନ୍ତି ମିଳିପାରିବ ।
ପ୍ରକୃତ ସୁଖ ସାଂସାରିକ ସୁଖଶାନ୍ତିରୁ ମିଳେନାହିଁ । କେବଳ ତାହା ସୁଖ ଭଳି ପ୍ରତୀୟମାନ ହୁଏ । ତାହା ନାଶବାନ୍ । କିଛି ଦିନ ପରେ ତାହା ଚାଲିଯାଏ । ପୂର୍ଣ୍ଣ ଆନନ୍ଦ କେବଳ ପୂର୍ଣ୍ଣାନନ୍ଦଙ୍କଠାରେ ଅଛି । ତେଣୁ ଭଗବାନ ଗୀତାରେ କହିଛନ୍ତି ।
ସର୍ବ ଧାର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ।
ଅହଂ ତ୍ୱଂ ସର୍ବପାପେଭ୍ୟଃ ମୋକ୍ଷୟିଷ୍ୟାମି ମା ଶୁଚ ।।
ଏଠାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଗୀତାର ଗୁଢ଼ ତଥ୍ୟ ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି, ସମସ୍ତ ଧର୍ମ ଅର୍ଥାତ୍ କର୍ତ୍ତବ୍ୟ କର୍ମ ମୋଠାରେ ତ୍ୟାଗ କର, ମୋର ଏକମାତ୍ର ଶରଣାପନ୍ନ ହୋଇଯାଅ, ମୁଁ ତୁମକୁ ତୁମର ସମସ୍ତ ପାପରୁ ମୁକ୍ତ କରିଦେବି, ତୁମେ ଚିନ୍ତା କରନାହିଁ ।
ଭଗବାନଙ୍କର ଶରଣାପନ୍ନ ହୋଇଯିବା ହିଁ ସମସ୍ତ ସାଧନାର ସାର । ଭଗବାନ୍ କହୁଛନ୍ତି- “ସମସ୍ତ ଧର୍ମର ଆଶ୍ରୟ ଓ ଧର୍ମ ନିର୍ଣ୍ଣୟର ବିଚାର ଛାଡ଼ି କେବଳ ମୋର ଶରଣାପନ୍ନ ହୋଇଯାଅ । ବାକି ଅବଶିଷ୍ଟ କାମ ମୁଁ କରିବି । ତୁମେ ଯେତେ ପାପ କରିଥାଅ ନା କାହିଁକି ମୁଁ ସେଥିରୁ ତୁମକୁ ମୁକ୍ତ କରିଦେବି । କିନ୍ତୁ ତୁମ ପାଇଁ କେବଳ ଗୋଟିଏ କାମ – ନିର୍ଭୟ, ନିଶ୍ଚିନ୍ତ ଓ ନିଃଶୋକ ହୋଇ ମୋର ଶରଣାପନ୍ନ ହୁଅ ।”
ସମ୍ପୂର୍ଣ୍ଣ ସୁଖଶାନ୍ତି କେବଳ ଭଗବାନଙ୍କଠାରେ ଅଛି । ତେଣୁ ନିତ୍ୟସୁଖ ନିତ୍ୟାନନ୍ଦଙ୍କଠାରେ, ପୂର୍ଣ୍ଣ ସୁଖ ପୂର୍ଣ୍ଣାନନ୍ଦଙ୍କଠାରେ ପରମସୁଖ ପରମାନନ୍ଦଙ୍କଠାରେ, ପ୍ରେମସୁଖ ପ୍ରେମାନନ୍ଦଙ୍କଠାରେ, ସଦାସୁଖ ସଦାନନ୍ଦଙ୍କଠାରେ, ସତ୍ୟ ସୁଖ ସତ୍ୟାନନ୍ଦଙ୍କଠାରେ ଓ ସତ୍ ଚିତ୍ ଆନନ୍ଦ ଆନନ୍ଦକନ୍ଦ ସଚ୍ଚିଦାନନ୍ଦଙ୍କଠାରେ ଅଛି । ସଂସାରର ସମସ୍ତ ସୁଖ ମିଶିଲେ ମଧ୍ୟ ସଚ୍ଚିଦାନନ୍ଦ ପ୍ରାପ୍ତ ହୋଇ ପାରିବେ ନାହିଁ ।
ବ୍ରହ୍ମଣୋ ହି ପ୍ରତିଷ୍ଠାହମମୃତ୍ସ୍ୟାବ୍ୟୟସ୍ୟ ଚ ।
ଶାଶ୍ୱତସ୍ୟ ଚ ଧର୍ମସ୍ୟ ସୁଖସ୍ୱୈକାନ୍ତିକସ୍ୟ ।। (ଗୀତା)
କାରଣ ମୁଁ ସେହି ଅବିନାଶୀ ପରବ୍ରହ୍ମଙ୍କର ଓ ଅମୃତର ତଥା ନିତ୍ୟଧର୍ମର ଓ ଐକାନ୍ତିକ ସୁଖର ଆଶ୍ରୟ ଅଟେ ।
ଭଗବାନ ସାକାରରୂପ ଓ ବ୍ରହ୍ମ ନିରାକାର ରୂପ ହୋଇଥିଲେ ମଧ୍ୟ ତତ୍ତ୍ୱତଃ ଭଗବାନ ଓ ବ୍ରହ୍ମ ଏକ । ସେହିପରି ଭଗବାନ କହିଛନ୍ତି ମୁଁ ହିଁ ଅବିନାଶୀ ଅମୃତର ଅଧିଷ୍ଠାନ, ମୁଁ ସନାତନ ଧର୍ମର ଆଧାର ଓ ସନାତନ ଧର୍ମ ମୋର ଆଧାର, ଐକାନ୍ତିକ ସୁଖର ଆଧାର ମୁଁ ଓ ଐକାନ୍ତିକ ସୁଖ ମୋର ଆଧାର ।
ଅନ୍ୟ ଅର୍ଥରେ ଐକାନ୍ତିକ ସୁଖ, ଅକ୍ଷୟ ସୁଖ, ତଥା ଆତ୍ୟନ୍ତିକ ସୁଖର ଆଧାର ହିଁ ଭଗବାନ । ତେଣୁ କେବଳ ଭଗବାନଙ୍କୁ ପ୍ରେମ ଓ ଭକ୍ତି କଲେ ପୂର୍ଣ୍ଣ ସୁଖ ମିଳେ ।
ସାଂସାରିକ ସୁଖ ଭୋଗ କରୁଥିବା ବ୍ୟକ୍ତିକୁ ଯେତେବେଳେ ଭୋଗ ମିଳେ ନାହିଁ, ସେତେବେଳେ ସେ ଦୁଃଖ ପାଏ । କାରଣ ଭୋଗ ହିଁ ଦୁଃଖର କାରଣ । କେବଳ ପ୍ରକୃତ ସୁଖ ଓ ଆନନ୍ଦର ଆଶ୍ରୟସ୍ଥଳ ହେଉଛନ୍ତି ଭଗବାନ । ଭଗବାନଙ୍କର ଶରଣାପନ୍ନ ହେଲେ ତାଙ୍କ କୃପାରୁ ଶାଶ୍ୱତ ସୁଖଶାନ୍ତି ପ୍ରାପ୍ତ ହୁଏ ।
ସୁଖ ବିଷୟରେ ଭଗବାନ ଅର୍ଜୁନଙ୍କୁ ଗୀତାରେ କହିଛନ୍ତି :-
ସୁଖଂ ତ୍ୱିଦାନୀଂ ତ୍ରିବିଧଂ ଶୃଣୁ ମେ ଭରତର୍ଷଭ ।
ଅଭ୍ୟାସାଦ୍ରମତେ ଯତ୍ର ଦୁଃଖାନ୍ତଂ ଚ ନିଗଚ୍ଛତି ।।
ଯତ୍ତଦଗ୍ରେ ବିଷମିବ ପରିଣାମେଽମୃତୋପମମ୍ ।
ତତ୍ ସଖଂ ସାତ୍ତ୍ୱିକଂ ପ୍ରୋକମାତ୍ମବୁଦ୍ଧି ପ୍ରସାଦଜମ୍ ।।
ହେ ଭରତ ଶ୍ରେଷ୍ଠ ଅର୍ଜୁନ ! ଏବେ ମୋଠାରୁ ତିନି ପ୍ରକାରର ସୁଖ ବିଷୟରେ ଶୁଣ । ଅଭ୍ୟାସ ଦ୍ୱାରା ଯେଉଁଥିରେ ରମଣ ହୁଏ ଏବଂ ଯେଉଁଥିରେ ସମସ୍ତ ଦୁଃଖ ଅନ୍ତ ହୋଇଯାଏ । ଏହିପରି ପରମାତ୍ମା ବିଷୟକ ବୁଦ୍ଧିର ପ୍ରସନ୍ନତାରୁ ଉତ୍ପନ୍ନ ଯେଉଁ ସୁଖ ଆରମ୍ଭରେ ବିଷତୁଲ୍ୟ ଓ ପରିଣାମରେ ଅମୃତତୁଲ୍ୟ, ତାହାକୁ ସାତ୍ତ୍ୱିକ ସୁଖ କୁହାଯାଏ ।
ପରମାତ୍ମାତତ୍ତ୍ୱ ଅନୁଭବ କରିବାରେ ସୁଖ ପାଇବାର ଇଚ୍ଛା ହିଁ ମୁଖ୍ୟ ପ୍ରତିବନ୍ଧକ । ବ୍ୟକ୍ତି ଦିନରାତି ରାଜସ ଓ ତାମସ ସୁଖରେ ମଜ୍ଜି ରହନ୍ତି । ତେଣୁ ଆଉ ଏକ ଅକ୍ଷୟ ସାତ୍ତ୍ୱିକ ସୁଖ ଯେ ଥାଇପାରେ ସେମାନେ ତାହା ଜାଣି ପାରନ୍ତି ନାହିଁ । ବିଷୟ ଜନିତ, ଅଭିମାନ ଜନିତ, ପ୍ରଶଂସା ଜନିତ ଓ ନିଦ୍ରା ଜନିତ ସୁଖ ସେମାନଙ୍କୁ ଭଲ ଲାଗେ । ଅଭ୍ୟାସ ସାହାଯ୍ୟରେ ସାତ୍ତ୍ୱିକ ସୁଖ ପ୍ରତି ମମତା ବଢ଼ିଚାଲିଲେ ପ୍ରକୃତ ସୁଖ, ଆନନ୍ଦ ଓ ପ୍ରସନ୍ନତା ବୃଦ୍ଧି ହେବାକୁ ଲାଗେ । ଯେଉଁ ବୁଦ୍ଧିରେ ସାଂସାରିକ ଧନ ସଂଗ୍ରହ, ମାନ ବଡ଼ିମା ଇତ୍ୟାଦିର ମହତ୍ୱ ନ ଥାଏ, ସେହି ବୁଦ୍ଧିର ସ୍ୱଚ୍ଛତାରୁ ସାତ୍ତ୍ୱିକ ସୁଖ ଉତ୍ପନ୍ନ ହୁଏ । ସାତ୍ତ୍ୱିକ ସୁଖ ଆରମ୍ଭରେ ବିଷ ଭଳି ଲାଗେ । କିନ୍ତୁ ସାଧନା ଦ୍ୱାରା ସତ୍ତ୍ୱ ଗୁଣ ବୃଦ୍ଧିପାଇଲେ ଇନ୍ଦ୍ରିୟ ଓ ଅନ୍ତକରଣରେ ସୁଖଶାନ୍ତି ଉପଲବ୍ଧ ହୁଏ । ସତ୍ସଙ୍ଗ, ଜପ, ଧ୍ୟାନ, ଚିନ୍ତନ, ମନନ, ସଂକୀର୍ତ୍ତନ ଇତ୍ୟାଦିରୁ ପ୍ରକୃତ ସୁଖ ପ୍ରାପ୍ତ ହୁଏ ।
ତୃଣାଦପି ସୁନିଚେନ ତରୋରିବ ସହିଷ୍ଣୁନା ।
ଅମାନିତା ମାନ ଦେନା କୀର୍ତ୍ତନୀୟଃ ସଦା ହରିଃ ।।
ସର୍ବ ପଦ ଦଳିତ, ଅତ୍ୟନ୍ତ ଛୋଟ ତୃଣଠାରୁ ମଧ୍ୟ ନିଜକୁ ଦୀନ, ହୀନ, ନୀଚ, ମନେ କରି ବୃକ୍ଷ ପରି ସହନଶୀଳ ହୋଇ ଅନ୍ୟକୁ ଯଥା ଯୋଗ୍ୟମାନ ଦେଇ ସଦା ସର୍ବଦା ଭଗବାନ ଶ୍ରୀହରିଙ୍କ ନାମ ସଂକୀର୍ତ୍ତନ କରିବା ଉଚିତ୍ ।
ଯିଏ ନିଜେ କିଛି ନ ଚାହିଁ ଅନ୍ୟକୁ ନିଜର ସର୍ବସ୍ୱ ଦେଇ ତାକୁ ରକ୍ଷା କଲେ, ଏପରିକି କୃଷ୍ଣପ୍ରେମକୁ ମଧ୍ୟ ପ୍ରଦାନ କରେ- ଯିଏ ଉତ୍ତମ ହୋଇ ମଧ୍ୟ ନିରଭିମାନ ଏବଂ ଜୀବମାତ୍ରକେ କୃଷ୍ଣଙ୍କର ସୃଷ୍ଟି ଭାବି ତାକୁ ଯଥା ଯୋଗ୍ୟ ସମ୍ମାନ ଦିଏ, ସିଏ ଶ୍ରୀକୃଷ୍ଣ ନାମ କୀର୍ତ୍ତନର ଯଥାର୍ଥ ଅଧିକାରୀ ଅଟେ । ଏହି ଶ୍ରୀକୃଷ୍ଣ ନାମର କୀର୍ତ୍ତନକାରୀକୁ ହିଁ କୃଷ୍ଣପ୍ରେମ ଓ ପ୍ରକୃତ ସୁଖଶାନ୍ତି ପ୍ରାପ୍ତ ହୁଏ ।
ପାରମାର୍ଥିକ ସୁଖ ପାଇବାକୁ ହେଲେ ନବଧା ଭକ୍ତିର ଅଧିକାରୀ ହେବା ଆବଶ୍ୟକ । ଏପରିକି ଏଥିମଧ୍ୟରୁ ଯେ କୌଣସି ଗୋଟିଏ ଭକ୍ତ ଜାତ ହେଲେ ପରମାନନ୍ଦ ମିଳିପାରିବ ।
ଶ୍ରବଣଂ କୀର୍ତ୍ତନଂ ବିଷ୍ଣୋ ସ୍ମରଣଂ ପାଦ ସେବନମ୍ ।
ଅର୍ଚ୍ଚନଂ ବନ୍ଦନଂ ଦାସ୍ୟଂ ସଖ୍ୟଂ ଆତ୍ମନିବେଦନମ୍ ।।
ଭଗବାନଙ୍କର ନାମ, ଗୁଣ, ଲୀଳା ଇତ୍ୟାଦିର
୧. ଶ୍ରବଣ
୨. କୀର୍ତ୍ତନ
୩. ଭଗବାନଙ୍କର ନାମର ସ୍ମରଣ
୪. ପାଦ ସେବନ
୫. ପୂଜାର୍ଚ୍ଚନା
୬. ବନ୍ଦନା
୭. ଦାସ୍ୟ ଭାବ
୮. ସଖ୍ୟ ଭାବ
୯. ଆତ୍ମ ନିବେଦନ
କରିବା ନବଧା ଭକ୍ତି ଅଟେ ।
୧- ଶ୍ରବଣଂ
ଭଗବାନଙ୍କର ନାମ, ରୂପ, ଗୁଣ, ଲୀଳା ଇତ୍ୟାଦି ଭକ୍ତିର ସହିତ ଶ୍ରବଣ କରିବା ହିଁ ଶ୍ରବଣ ଭକ୍ତି । ମହରାଜ ପରୀକ୍ଷିତ ଶୁକମୁନିଙ୍କଠାରୁ କୃଷ୍ଣ ଲୀଳା ଓ ଗୁଣ ଶ୍ରବଣ କରି ମୋକ୍ଷ ପ୍ରାପ୍ତି ହୋଇଥିଲେ ।
୨- କୀର୍ତ୍ତନଂ
ଏଥିରେ ଭଗବାନଙ୍କର ନାମ, ଲୀଳା, ଗୁଣ ଇତ୍ୟାଦି କୀର୍ତ୍ତନ କରାଯାଏ । ମହାଜ୍ଞାନୀ, ଶୁକମୁନି ଭଗବାନ କୃଷ୍ଣଙ୍କର ଗୁଣାବଳୀ ଓ ଲୀଳା କୀର୍ତ୍ତନ କରି କରି କୀର୍ତ୍ତନ ଭକ୍ତିର ପରାକାଷ୍ଠା ଦର୍ଶାଇଛନ୍ତି ।
୩- ବିଷ୍ଣୋସ୍ମରଣଂ
ଏଥିରେ ଭଗବାନଙ୍କୁ ସଦାସର୍ବଦା ସ୍ମରଣ କରାଯାଏ । ଭକ୍ତ ପ୍ରହ୍ଲାଦ ବିଷ୍ଣୁଙ୍କର ନାମ ସ୍ମରଣ କରି ପିତାଙ୍କର ସମସ୍ତ ଆକ୍ରୋଶରୁ ରକ୍ଷା ପାଇଥିଲେ ।
୪- ପାଦ ସେବନମ୍
ମା’ ଲକ୍ଷ୍ମୀ ସଦା ସର୍ବଦା ଭଗବାନଙ୍କର ପାଦ ସେବା କରନ୍ତି ।
୫- ଅର୍ଚ୍ଚନମ୍
ଭଗବାନଙ୍କୁ ଭକ୍ତି ସହିତ ପୂଜାର୍ଚ୍ଚନା କରିବ । ମହାରାଜ ପୃଥୁ ଏଥିପାଇଁ ପ୍ରସିଦ୍ଧ ।
୬- ବନ୍ଦନମ୍
ଏଥିରେ ଭକ୍ତିର ସହିତ ସ୍ତୁତି ବନ୍ଦନା କରାଯାଏ । ସ୍ତୁତି ବନ୍ଦନା ଭକ୍ତି ପାଇଁ ଅକ୍ରୁରଙ୍କ ନାମ ଉଲ୍ଲେଖଯୋଗ୍ୟ ।
୭- ଦାସ୍ୟମ୍
ଏହି ଭକ୍ତିରେ ଭକ୍ତ ନିଜକୁ ଭଗବାନଙ୍କର ଦାସ ବୋଲି ମନେ କରେ । ଭକ୍ତ ହନୁମାନ ମହାପ୍ରଭୁ ରାମଚନ୍ଦ୍ରଙ୍କର ଦାସ ଭକ୍ତ ଥିଲେ । ତାଙ୍କ ଭଳି ଦାସ ଭକ୍ତ ପୃଥିବୀରେ ବିରଳ ।
୮- ସଖ୍ୟମ୍
ଏହି ଭକ୍ତିରେ ଭକ୍ତ ଭଗବାନଙ୍କୁ ନିଜ ସଖାରୂପେ ବିଚାର କରେ । ଅର୍ଜୁନ ଓ ଗୋପ ବାଳକଗଣ ଏହି ଭକ୍ତିରେ ଭଗବାନଙ୍କୁ ସଖାରୂପେ ପାଇଥିଲେ ।
୯- ଆତ୍ମନିବେଦନମ୍
ଏହି ଭକ୍ତିରେ ଭକ୍ତ ଭଗବାନଙ୍କଠାରେ ଆତ୍ମ ନିବେଦନ ତଥା ପୂର୍ଣ୍ଣ ଆତ୍ମସମର୍ପଣ କରେ । ଏ ଭକ୍ତି ପାଇଁ ଋକ୍ମିଣୀ ଓ ବଳି ପ୍ରସିଦ୍ଧ ।
ଶ୍ରୀରାମଚନ୍ଦ୍ର ଲକ୍ଷ୍ମଣଙ୍କୁ ଶାନ୍ତି ବିଷୟରେ କହିଛନ୍ତି :-
କ୍ରୋଧଏଷ ମହାନ୍ ଶତ୍ର୍ରସ୍ତୃଷ୍ଣା ବୈତରଣୀ ନଦୀ ।
ସନ୍ତୋଷୋ ନନ୍ଦନବନଂ ଶାନ୍ତିରେବ ହି କାମଧୁକ୍ ।।
ତସ୍ମାତ୍ ଶାନ୍ତି ଭଜସ୍ୱାଦ୍ୟ ଶତୃରେବଂ ଭବେନ୍ନ ତେ ।
କ୍ରୋଧ ହେଉଛି ମହାନ୍ ଶତ୍ରୁ,
ତୃଷ୍ଣା ହେଉଛି ବୈତରଣୀ ନଦୀ ସଦୃଶ ।
ସନ୍ତୋଷ ହେଉଛି ନନ୍ଦନ ବନ,
ଶାନ୍ତି ହେଉଛି କାମଧେନୁ ।
ତେଣୁ ହେ ଲକ୍ଷ୍ମଣ ! ତୁମେ ସୁଖଶାନ୍ତିର ଆଶ୍ରୟ ନିଅ । ଯାହାଫଳରେ ତୁମର କେହି ଶତ୍ରୁ ରହିବେ ନାହିଁ ।
ଭଗବାନ ଶ୍ରୀକୃଷ୍ଣ ସୁଖଶାନ୍ତି ପାଇବାକୁ ହେଲେ ଅର୍ଜୁନଙ୍କୁ କହିଛନ୍ତି :-
ବିହାୟ କାମାନ୍ ଯଃ ସର୍ବାନ ପୁମାଂଶ୍ଚରତି ନିସ୍ପୃହଃ ।
ନିର୍ମମୋ ନିରହଙ୍କାରଃ ସଃ ଶାନ୍ତିମଧିଗଚ୍ଛତି । (ଗୀତା)
ଯେଉଁ ବ୍ୟକ୍ତି ସମସ୍ତ କାମନା, ସ୍ପୃହା, ମମତା ଓ ଅହଂକାର ତ୍ୟାଗ କରି ବିଚରଣ କରନ୍ତି, ସେ ହିଁ ଶାନ୍ତିଲାଭ କରନ୍ତି ।
ଧର୍ମର ଲକ୍ଷଣ
ଧୃତିଃକ୍ଷମା ଦମୋଽସ୍ତେୟଂ ଶୌଚମିନ୍ଦ୍ରିୟ ନିଗ୍ରହଃ ।
ଧୀ ବିଦ୍ୟା ସତ୍ୟମକ୍ରୋଧା ଦଶକଂ ଧର୍ମ ଲକ୍ଷଣମ୍ ।।
ଉପରୋକ୍ତ ୧୦ଟି ଧର୍ମର ଲକ୍ଷଣ । ଯାହାର ଆଚରଣ ଦ୍ୱାରା ସୁଖଶାନ୍ତି ମିଳେ ।
୧. ଧୃତିଃ :-
ବିଭିନ୍ନ ବାଧାବିଘ୍ନ ମଧ୍ୟରେ ଯେଉଁ ବ୍ୟକ୍ତି ନିଜର କାର୍ଯ୍ୟ ପୂର୍ଣ୍ଣ କରିପାରେ କିମ୍ୱା କାର୍ଯ୍ୟ କରିବାକୁ ନିଜର ପରମ କର୍ତ୍ତବ୍ୟ ବୋଲି ଭାବେ, ତାକୁ ଶ୍ରେଷ୍ଠ ପୁରୁଷ କୁହାଯାଏ । ଏହି ପ୍ରକାର ଧୈର୍ଯ୍ୟବାନ୍ ପୁରୁଷ ନିନ୍ଦା ବା ପ୍ରଶଂସାରେ ଧୈର୍ଯ୍ୟହରା ହୁଅନ୍ତି ନାହିଁ ।
ସମ୍ପତ୍ତି ଓ ବିପତ୍ତି ସମୟରେ ସମୁଦ୍ର ଭଳି ଗମ୍ଭୀର ଓ ପର୍ବତ ଭଳି ଅଚଳ ରହିବା ଉଚିତ୍ । ନିଜର କର୍ତ୍ତବ୍ୟ ସମ୍ପାଦନରେ ମୃତ୍ୟୁ ଆସିଲେ ମଧ୍ୟ ଧର୍ମମାର୍ଗରୁ ବିଚ୍ୟୁତ ହେବନାହିଁ ।
୨. କ୍ଷମା :-
ଯେ କ୍ଷମାର ପ୍ରକୃତ ସ୍ୱରୂପକୁ ଜାଣେ, ସେ ସବୁ କିଛି ନିଃସର୍ତ୍ତରେ କ୍ଷମା କରିଦେଇପାରେ ।
“କ୍ଷମାର ଗ୍ରହୀତା କ୍ଷମାଦାତା ଦୁହେଁ
ଏ ଭୁବନେ ଭାଗ୍ୟବନ୍ତ ।”
୩. ଦମଃ :-
ମନକୁ ନିଜର ବଶରେ ରଖିବା ହେଉଛି ଦମ ।
୪. ଅସ୍ତେୟଃ :- ଚୋରୀ ନ କରିବା
ଧର୍ମରେ ଏକ ନିଷ୍ଠ ହୋଇ ଅନ୍ୟର ବସ୍ତୁକୁ ଚୋରୀ ନ କରିବା ହେଉଛି ଅସ୍ତେୟ । ଯେଉଁ ବସ୍ତୁ ନିଜର ନୁହେଁ, ତା’ ଉପରେ ନିଜର ଅଧିକାର ସାବ୍ୟସ୍ତ କରିବା ହେଉଛି ଚୋରୀ । ଧର୍ମ ଓ ନ୍ୟାୟରେ ହେଉଥିବା ରୋଜଗାର ହିଁ ପ୍ରକୃତ ରୋଜଗାର ।
୫. ଶୌଚମ୍ :- (ଭିତର ଓ ବାହାର ଶୁଦ୍ଧି)
ଶୁଦ୍ଧକୁ ଶୌଚ କୁହାଯାଏ ।
ଶୌଚ ୨ ପ୍ରକାର
(ଅ) ବାହ୍ୟ ଶୁଦ୍ଧି :-
ଶରୀର, ବସ୍ତ୍ର, ନିବାସ, ଭୋଜନ ତଥା ବ୍ୟବହାରକୁ ଶୁଦ୍ଧି କରିବା ଉଚିତ୍ ।
(ଆ) ଅନ୍ତଃଶୁଦ୍ଧି :-
ଇନ୍ଦ୍ରିୟ, ମନ ଓ ବୁଦ୍ଧିକୁ ଶୁଦ୍ଧି କରିବା ଉଚିତ୍ । ଅନ୍ତଃ ଶୁଦ୍ଧି ଜ୍ଞାନ, ଅଧ୍ୟୟନ ତଥା ତପସ୍ୟାରୁ ହୁଏ । ଅନ୍ତଃଶୁଦ୍ଧିରେ ଶାନ୍ତି ମିଳେ ।
୬. ଇନ୍ଦ୍ରିୟ ନିଗ୍ରହ :-
ଇନ୍ଦ୍ରିୟମାନଙ୍କୁ ନିଜ ବଶରେ ରଖିବାକୁ ଇନ୍ଦ୍ରିୟ ନିଗ୍ରହ କହନ୍ତି ।
ଇନ୍ଦ୍ରିୟ ୧୦ ଟି ।
(ଅ) ଜ୍ଞାନେନ୍ଦ୍ରିୟ :-
ଆଖି, ନାକ, କାନ, ଜିଭ, ଚର୍ମ ।
(ଆ) କର୍ମେନ୍ଦ୍ରିୟ :-
ମୁଖ, ହାତ, ପାଦ, ମଳଦ୍ୱାର, ଜନନେନ୍ଦ୍ରିୟ ।
୭. ଧୀ :- (ବୁଦ୍ଧି)
କୌଣସି ବିଷୟରେ ବିବେଚନା କରିବା ଶକ୍ତିକୁ ଧୀ କୁହାଯାଏ । ଏହାଦ୍ୱାରା ବ୍ୟକ୍ତି ସତ୍-ଅସତ୍ ପାପପୁଣ୍ୟ, ଭଲ-ମନ୍ଦ, ଯଶ-ଅପଯଶ ମଧ୍ୟରେ ବିବେଚନା କରିପାରେ ।
୮. ବିଦ୍ୟା :-
ସଂସାରରେ ଯେତେ ବସ୍ତୁ ଅଛି, ସେ ସବୁ ବିଦ୍ୟାଦ୍ୱାରା ଜାଣି ହେବ ।
ଭଗବାନ ଆମକୁ ଦୁଇଟି ଆଖି ଦେଇଛନ୍ତି । ଆମର ତୃତୀୟ ଆଖି ହେଉଛି ବିଦ୍ୟା ।
୯. ସତ୍ୟ :-
ସତ୍ୟର ଆଧାର ହେଉଛି ଧର୍ମ । ଧର୍ମର ସଦା ବିଜୟ ହୁଏ ।
୧୦. ଅକ୍ରୋଧ :-
କ୍ରୋଧ ନ କରିବାକୁ ଅକ୍ରୋଧ କହନ୍ତି । ଯେଉଁ ବ୍ୟକ୍ତି ଉପରୋକ୍ତ ଦଶଟି ଗୁଣର ଅଧିକାରୀ, ସେ ସୁଖୀ ହୋଇପାରିବ ।