ପ୍ରବନ୍ଧ

ପରିବେଶ ଚିନ୍ତା

Ramakanta Mishra's odia prose Paribesha Chintaa

ଏବେ ସାଧାରଣ ବର୍ଜ୍ୟ ବସ୍ତୁ ଅପେକ୍ଷା ଇ – ବର୍ଜ୍ୟବସ୍ତୁ ଏବଂ ପ୍ଲାଷ୍ଟିକ ସମସ୍ୟା ପରିବେଶର ଦ୍ରୁତ ଅବକ୍ଷୟ ପାଇଁ ଦାୟୀ

ପରିବେଶ ଚିନ୍ତା

ପରିବେଶ ଉପରେ ସମସ୍ତେ ଯାଗରୁକ ପରି କଥା ବାର୍ତ୍ତାରେ ପ୍ରକାଶ କରୁଥିଲେ ମଧ୍ୟ ଏଥିପ୍ରତି କାହାରି ଆନ୍ତରିକତା ଥିଲା ଭଳି ମନେ ହେଉ ନାହିଁ । ପଡିଶା ଘରର ଗଛଟିଏ ର ଛାଇ ଟିକିଏ ପଡିଗଲେ ଆମର ନାହୀ ଡେଉଁଛି । କେମିତି ତାକୁ ଆଜି କାଟିବୁ । ଗଛ କେବଳ ଛାଇ ଦେଉ ନାହିଁ, ବଂଚିବା ପାଇଁ ଅମ୍ଳଜାନ ମଧ୍ୟ ଦେଉଛି ଆଉ ଏଥିରେ ସେ ନିଜ ଘର ମାଲିକ ଛଡା ପଡିଶା ଘରକୁ ମଧ୍ୟ ଅକାତରରେ ଅମ୍ଳଜାନ ଦାନ କରୁଛି । କିନ୍ତୁ ଆମେ ଅସହୁଷ୍ଣୁ ହୋଇ ଆଗ ଗଛ ଟିକୁ କାଟିଲା ପରେ ଶାନ୍ତି । ତାପରେ ସୁଯୋଗ ମିଳିଲେ ସେହି ଲୋକ ମାନେ ସଭାସମିତିରେ ପରିବେଶ ସୁରକ୍ଷା ଉପରେ ବଡ଼ ବଡ଼ ଭାଷଣ ଦିଅନ୍ତି ଆଉ ଗଛର ଉପକାରିତା ସମ୍ବନ୍ଧରେ କୁହନ୍ତି । ଏ ପ୍ରକାର ଦୋମୁହାଁ କଥା ଆଉ ବ୍ୟବହାର ଫଳରେ ସମସ୍ତଙ୍କର ହିଁ ହାନୀ ହେଉଛି । ଏ କଥା ଯେପର୍ଯ୍ୟନ୍ତ ସମସ୍ତେ ଅନ୍ତରର ସହିତ ବୁଝି ତାକୁ ପାଳନ କରିବେ ନାହିଁ ପରିବେଶ ଉନ୍ନତି କଥା କେବଳ ପବନରେ ଉଡ଼ିବ ଆଉ ପରେ ସମସ୍ତେ ବଡ଼ ବଡ଼ କାଳବୈଶାଖୀ ଏବଂ ବଜ୍ରାଘାତର ଶିକାର ହେବେ । ତେଣୁ ସାଧୁ ସାବଧାନ ।

ଗଛଟିଏ ଯେ ଲଗାଏ ଆଉ ତାକୁ ଆଦରର ସହିତ ବଢାଏ ତାକୁ ପଚାର ଗଛ କଥା । ଗଛଟିଏ ବଢାଇବା ଯାହା ଗୋଟିଏ ଛୋଟ ଛୁଆ କୁ ମଣିଷ କରିବା ତାହା । ଯେ ଜୀବନରେ ଗୋଟାଏ ଗଛ ଲଗାଇ ନାହିଁ ସେ ଅକାତର ରେ ଗଛକୁ କାଟି ଦେଇ ପାରେ । ତେଣୁ ସମୟ ଆସିଲାଣି ସମସ୍ତଙ୍କୁ ନିଜ ବାଡ଼ିରେ ଗଛ ଲଗାଇବାକୁ ହେବ । ନିଜ ଜୀବନ କାଳ ଭିତରେ ଅତି କମରେ ୫ ଟି ଗଛ ଲଗାଇବା ଏବଂ ତାକୁ ବଢାଇବା ପାଇଁ ସରକାର ଆଇନ କରିବା ଉଚିତ । ଲୋକ ମାନଙ୍କର ବିଚାର ଧାରାରେ ପରିବର୍ତ୍ତନ ଦରକାର । ମୁଁ ଦେଖିଛି ଘର ବାଡ଼ିରେ ବେଳେ ବେଳେ ଆମ୍ବ ଆଉ ପଣସ ପରି ଉପକାରୀ ଫଳ ପ୍ରଦାୟିନୀ ଗଛ ଗୁଡିକ ଆପେ ଆପେ ହୋଇଯାଏ, କିନ୍ତୁ ଲୋକ ମାନେ ତାକୁ ଯତ୍ନର ସହିତ ବଢ଼ାଇବେ କଣ ଆଗ ତାକୁ ମୁଳୁ ଧ୍ୱଂସ କରନ୍ତି । କେବଳ ସେତିକି ନୁହେଁ ପାଖ ପଡ଼ିଶାର ଯଦି କେହି ସେହି ଗଛ ମାନଙ୍କୁ ବଢ଼ାଇଲା ତେବେ ଆଗ ଉପଦେଶ ଛଳରେ ସାବଧାନ କରିଦେବେ – “ଉପାଡି ଦିୟନ୍ତୁ, ଘର ଫଟାଇ ଦେବ” । ଆରେ ଏବେତ ପିଲାର ଉପରେ ଘର ଠିଆ ହୋଇଛି, ତା ତଳେ ଗଭୀର ମୂଳଦୁଆ, ଘର କେମିତି ଫାଟିଯିବ । ଏ ସବୁ ଗଛ ବିଦ୍ରୋହୀ ଅସହିଷ୍ଣୁ ମାନଙ୍କର କଥା । ଫଳ ଫଳିଲା ପରେ ସେହିଲୋକମାନଙ୍କୁ ନେଇ ଦେଲେ ହାତ ଟେକି ନେଇଯିବେ, ମନା କରିବେ ନାହିଁ । ଆମର ଏ ମନୋବୃତ୍ତିରେ ପରିବର୍ତ୍ତନ ହେଲେହିଁ ପରିବେଶ ଉନ୍ନତି ଦ୍ରୁତତର ହେବ ।

ଗଛ ର ଭୂମିକା

ଆମେ ଏହା ଜାଣିବା ଉଚିତ ଯେ ଜଣେ ସୁସ୍ଥ ମନୁଷ୍ୟ ପାଇଁ ପ୍ରତି ଘଂଟାରେ ୫୩ ମି.ଲି.ଅମ୍ଳଜାନ ଆବଶ୍ୟକ ହୋଇଥାଏ । ଏହି ଅନୁପାତରେ ମନୁଷ୍ୟ ଦିନକୁ ୧୨୭୨ ମି.ଲି. ଅମ୍ଳଜାନ ଗ୍ରହଣ କରି ଥଏ । ଗୋଟିଏ ପତ୍ର ପ୍ରତି ଘଂଟାରେ ୫ ମି.ଲି. ଅମ୍ଳଜାନ ହାରରେ ୧୨ ଘଂଟାରେ ୬୦ ମି.ଲି. ଅମ୍ଳଜାନ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ପ୍ରସ୍ତୁତ କରିଥାଏ । ତେଣୁ ଜଣେ ମଣିଷ ପ୍ରତି ଘଂଟାରେ ଆବଶ୍ୟକ କରୁଥିବା ଅମ୍ଳଜାନକୁ ୧୧ ଟି ପତ୍ର ପୁରାଣ କରିଥାଏ । ଗୋଟିଏ ଗଛ ୫୦ ବର୍ଷ ବଂଚିଥିବା ସମୟରେ ୫ ଲକ୍ଷ ୩୦ ହଜାର ଟଙ୍କାର ଅମ୍ଳଜାନ ଦେଇଥାଏ ଓ ୧୦ ଲକ୍ଷ ୫୦ ହଜାର ଟଙ୍କାର ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିଥାଏ ।

 

ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦରକାରୀ ବୃକ୍ଷ

ନିମ୍ବ
ବାଉଁଶ
ସୁନାରୀ
ବର
ଅଶ୍ୱସ୍ଥ
ବଉଳ
ଆମ୍ବ
କରଞ୍ଜ
ରାଧା ଚୁଡା
ଜାମୁ
ବଡ଼ ଚାକୁଣ୍ଡା
ତେନ୍ତୁଳି
ଶାଗୁଆନ
ଅର୍ଜୁନ

 ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦରକାରୀ ବୃକ୍ଷ

ନିମ୍ବ
ସୁନାରୀ
ବର
ଅଶ୍ୱସ୍ଥ
ଡ଼ିମିରି
ଚାକୁଣ୍ଡା
ପାଳଧୁଆ
ଜାକାରଦା
ପାଟଳୀ
ମହୁଲ
ନାଗ ମଲ୍ଲୀ
ଆକାଶ କଇଁଆ
ଅଶୋକ

ବାୟୁ ପ୍ରଦୂଷଣ କମ୍‌ କରିବା ପାଇଁ:

୧. ରାସ୍ତାରେ ନାଲି ବତୀ ଜଳୁଥିବା ସ୍ଥାନ ମାନଙ୍କରେ ଗାଡିର ଷ୍ଟାର୍ଟ ବନ୍ଦ କରିବା ।
୨. ଅଳିଆ ଆବର୍ଜନାକୁ ଜଳାଇବା ନାହିଁ ।
୩. ରୋଷେଇ ପାଇଁ ପ୍ରଦୂଷଣ କରୁ ନ ଥିବା ବା କମ୍‌ ପରିମାଣରେ କରୁଥିବା ଜାଳେଣି ବ୍ୟବହାର କରିବା ।
୪. ଗାଡି ଚଳାଇବା ପାଇଁ ସି.ଏନ.ଜି. ଭଳି ଜାଳେଣି ର ବ୍ୟବହାର କରିବା ।
୫. ଚାଲିବା, ସାଇକଲ ଚଳାଇବା କିମ୍ବା ସାଧାରଣ ପରିବହନ ବ୍ୟବସ୍ତା ବ୍ୟବହାର କରିବା ।

ସବୁଜିକରଣ ସକାଶେ :

୧. ନିଜର ପାକଶାଳା ବଗିଚା କରିବା ଏବଂ ନିଜ ଗଛ ଲାଗି ନିଜେ ଜୈବିକ ଖତ ପ୍ରସ୍ତୁତ କରିବା ।
୨. ଚଢେଇ ମାନଙ୍କ ପାଇଁ ଗାଧୋଇବା ଏବଂ ଖାଇବା ବ୍ୟବସ୍ତା କରିବା ।
୩. ଶୁଖିଲା ପତ୍ର ଗୁଡିକୁ ନ ଜଳାଇ ସେଥିରୁ ସାର ପ୍ରସ୍ତୁତ କରିବା ଏବଂ ନିଜ ଗଛ ଗୁଡିକରେ ବ୍ୟବହାର କରିବା ।
୪. ବିଭିନ୍ନ ସାମାଜିକ କାର୍ଯ୍ୟରେ ଗଛ ଗୁଡିକୁ ପୁରସ୍କାର ଭାବରେ ବିତରଣ କରିବା ।

ରୋଷେଇ କରିବା ପାଇଁ :

୧. ଋତୁ କାଳୀନ ଖାଦ୍ୟ ଖାଇବା ଏବଂ ଘର ପ୍ରସ୍ତୁତ ଖାଦ୍ୟ ଖାଇବା ।
୨. ଜୈବିକ ଖାଦ୍ୟ ଖାଇବା ଏବଂ ବେଶୀ ଆମିଷ ଭକ୍ଷଣ କରିବା ନାହିଁ ।
୩. ଘରେ ପ୍ରସ୍ତୁତ ଏବଂ ସ୍ଥାନୀୟ ଭାବରେ ଉତ୍ପାଦିତ ଖାଦ୍ୟ ଖାଇବା ।
୪. କୃତ୍ରିମ ଭାବରେ ସଂରକ୍ଷିତ ଖାଦ୍ୟ ଖାଇବା ନାହିଁ ।

ଅଧୁନା ବର୍ଜ୍ୟ ବସ୍ତୁ ସଂଚାଳନ ପରିବେଶ ପାଇଁ ଆଉ ଏକ ମହତ୍ୱ ପୂର୍ଣ୍ଣ ସମସ୍ୟା । ଏବେ ସାଧାରଣ ବର୍ଜ୍ୟ ବସ୍ତୁ ଅପେକ୍ଷା ଇ – ବର୍ଜ୍ୟବସ୍ତୁ ଏବଂ ପ୍ଲାଷ୍ଟିକ ସମସ୍ୟା ପରିବେଶର ଦ୍ରୁତ ଅବକ୍ଷୟ ପାଇଁ ଦାୟୀ । ଯେ ପର୍ଯ୍ୟନ୍ତ ଆମେ ନିମ୍ନ ଲିଖିତ ୪ ଟି ମନ୍ତ୍ର କୁ କାମରେ ନ ଲଗାଇବା ସେ ପର୍ଯ୍ୟନ୍ତ ପରିବେଶ ସୁରକ୍ଷା ହୋଇ ପାରିବ ନାହିଁ ।

୧. ପରିତ୍ୟାଗ କରିବା । (REFUSE)
୨.ପରାଭୂତ କରିବା । (REDUCE)
୩.ପୁନର୍ବିନିଯୋଗ କରଣ । (REUSE)
୪. ପ୍ରକ୍ରିୟା କରଣ । (RECYCLING)

ଏଥିପାଇଁ ସରକାରଙ୍କୁ ମ୍ୟୁନିସିପାଲିଟି ଜରିଆରେ ଏହି ୪ ଟି ‘ପ’ କୁ ବିସ୍ତୃତ ଭାବରେ ବ୍ୟବହାର କରିବାକୁ ହେବ ତେବେ ଯାଇଁ ସ୍ୱଚ୍ଛ ଭାରତ ଏବଂ ସ୍ୱଚ୍ଛ ପରିବେଶ ଦିଗରେ ଅଗ୍ରଗତି ହେବ ।

ଲୋକପ୍ରିୟ ଲେଖା

To Top