ପ୍ରବନ୍ଧ

ପଥର ମଣିଷ

Nishikanta Padhi's odia prose Pathara Manisha

ଅଦିନିଆ ବର୍ଷାରେ ଉଜୁଡା ଫସଲ ପାଇଁ ଚାଷୀ ଆତ୍ମହତ୍ୟାର ନିଷ୍ପତି ନେଉଛି । ଗାଁ ସରପଞ୍ଚ ଇନ୍ଦିରାଆବାସ, ରେସନ୍ ସବୁ ହଡପ କରୁଛି ।

ପଥର ମଣିଷ

ପଥର ନିର୍ଜୀବ ଶିଳାଖଣ୍ଡଟିଏ ହେଲେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ କାମରେ ଲାଗିଥାଏ । ପଥର ଖଚିତ ମନ୍ଦିରମାନଙ୍କରେ ଖୋଦିତ କାରୁକାର୍ଯ୍ୟ କାଳଜୟୀ ଅଟେ । ପଥରର ଶାଳଗ୍ରାମ ହିନ୍ଦୁମାନଙ୍କର ଆରାଧ୍ୟ ଠାକୁର । ପଥର ମୂର୍ତ୍ତିର ଗ୍ରାମଦେବତୀଙ୍କ ମଥାରେ ବୋଳାହୁଏ ସିନ୍ଦୁର, ଚୁଆ ଓ ଚନ୍ଦନ । ତୁଠ ପଥର ଉପରେ କେତେ ପାଦ ଘସାହୁଏ, କେତେ ଲୁଗା କଚାହୁଏ, ତଥାପି ପଥରର ପରିଚୟ କେବଳ ସେହି ପଥର । କିନ୍ତୁ ମଣିଷ ହୃଦୟ ଯେତେବେଳେ ପଥର ପାଲଟିଯାଏ ସାରା ସମାଜ ଓ ଦେଶରେ ଅଶାନ୍ତି ଓ ବିଶୃଙ୍ଖଳା ସୃଷ୍ଟି ହୋଇଥାଏ । ସାଂପ୍ରତିକ ସମାଜର ମଣିଷମାନଙ୍କର ହୃଦୟ କେମିତି ଦିନକୁ ଦିନ ପଥର ହୋଇଗଲା ପରି ଲାଗୁଛି । ହେଲେ ଏହି ପଥର ମଣିଷମାନଙ୍କ ପାଖରେ ପଥରର ମହାନଦୀ ଦେଖାଯାଉନାହିଁ । ନିଜର ସ୍ୱାର୍ଥକୁ ଆପଣେଇବା ପାଇଁ ମଣିଷର ଅସମ୍ଭବ ନୀରବତା ତଥା କିଂକର୍ତବ୍ୟ ବିମୂଢତାକୁ ପଥରର ସ୍ଥାଣୁତା ସହ ତୁଳନା କରାଯାଇପାରେ । ମଣିଷ ନିଜର ଜୀବନଶୈଳୀକୁ ସହଜ ଓ ସୁଖମୟ କରିବା ପାଇଁ ସମାଜ ତିଆରି କରିଛି, ଯେଉଁ ସମାଜ ପାଇଁ ତାର କିଛି ନୈତିକ କର୍ତବ୍ୟ ମଧ୍ୟ ରହିଛି । ଆଜି କିନ୍ତୁ ସଭ୍ୟ ସମାଜର ସଭ୍ୟ ଓ ଶିକ୍ଷିତ ମଣିଷମାନେ ସମାଜ ପ୍ରତି ଥିବା ନିଜ ନିଜର କର୍ତବ୍ୟବୋଧକୁ ଭୁଲି ବସିଛନ୍ତି । ଏ ସମାଜରେ ସବୁକିଛି ଚାଲିଛି । ରାସ୍ତାରେ ମଲା କୁକୁରର ଶବ ଦିନ ଦିନ ଧରି ପଡିରହୁଛି, ଅଥଚ କେହିବି ଟିକେ ପ୍ରତିକାରର ବ୍ୟବସ୍ଥା କରୁନାହାନ୍ତି । ସମାଜରେ ଦୁର୍ନିତୀ ଚାଲୁଛି, ନାରୀ ନିର୍ଯ୍ୟାତନା ଚାଲୁଛି, ଠକେଇ ଚାଲିଛି, ଗାଁର ଗଳିକନ୍ଦିରେ ମଦବିକା ହେଉଛି । ପଡିଶା ଘରେ ସ୍ୱାମୀ, ସ୍ତ୍ରୀ କଳିଝଗଡା କରି ଲହୁଲୁହାଣ ହେଉଛନ୍ତି । ଅଦିନିଆ ବର୍ଷାରେ ଉଜୁଡା ଫସଲ ପାଇଁ ଚାଷୀ ଆତ୍ମହତ୍ୟାର ନିଷ୍ପତି ନେଉଛି । ଗାଁ ସରପଞ୍ଚ ଇନ୍ଦିରାଆବାସ, ରେସନ୍ ସବୁ ହଡପ କରୁଛି । ଅଥଚ ମଣିଷମାନେ ପ୍ରତିବାଦ କରି ପାରୁନାହାନ୍ତି । ଯିଏ ଯାହାକରୁ ଆମର ସେଥିରେ କଣ ଅଛି ? ଆପେ ବଞ୍ଚିଲେ ବାପର ନାଁ । କାହିଁକି କଥା ଉଠାଇ ଅପ୍ରିୟ ହେବା । ଆମର ସ୍ୱାର୍ଥରେ କାଳେ ବାଧା ଆସିବ । ଏ ପ୍ରକାର ହୀନ ମାନସିକତାର ଅକ୍ଟୋପାସ୍ ଆଜି ଜାବୁଡି ଧରିଛି ମଣିଷମାନଙ୍କର ମନ ଓ ହୃଦୟକୁ । ଖୋଲା ନିଷ୍ପତି ପୂର୍ବରୁ ମଣିଷ ଶହେଥର ଚିନ୍ତାକରୁଛି ନିଜର ସ୍ୱାର୍ଥ, ସୁରକ୍ଷା ବିଷୟରେ । ଏହି ପଥର ମଣିଷମାନଙ୍କର ମନ ଓ ହୃଦୟ ସ୍ଥାଣୁତା, ପ୍ରଗତି ଓ ସମୃଦ୍ଧିର ଏକ ବିରାଟ ପ୍ରତିବନ୍ଧକ ସାଜିଛି । କଥାରେ ଅଛି – ବିପ୍ଲବ ପରିବର୍ତନ ଆଣେ । ବିପ୍ଲବୀମାନେ କେବେ ସ୍ଥାଣୁତା, କି ନିଷ୍କ୍ରିୟତାକୁ ପ୍ରଶୟ ଦିଅନ୍ତି ନାହିଁ । କିନ୍ତୁ ଆମଦେଶ ଓ ସମାଜରେ ମଣିଷମାନେ ଚିରାଚରିତ ଜୀବନଧାରାକୁ ବଜାୟ ରଖି ବିପ୍ଲବର ପଥରୋଧ କରିଦେଇଛନ୍ତି । ଫଳରେ ସରକାରରେ ପରିବର୍ତନ ଆସୁନି । ଗଣତନ୍ତ୍ରର ଆଭିମୁଖ୍ୟ ବି ଠିକ୍ ରହୁନି । ଶାସନରେ ସଂସ୍କାର ଆସିପାରୁନି । ତୃଣମୂଳ ସ୍ତରରେ ଲୋକମାନେ ସେମିତି ଦୁଃଖ ଓ ଦାରିଦ୍ର୍ୟରେ ନିଷ୍ପେସିତ ହେଉଛନ୍ତି । ଆଜି ସ୍ଥାଣୁତା ଓ ନିଷ୍କି୍ରୟତା ପରିବାର ମଧ୍ୟରୁ ହିଁ ଜନ୍ମ ନେଉଛି । ବାପା ମା’ମାନେ ପିଲାମାନଙ୍କୁ ରୁଚିହୀନ ସ୍ୱାଧୀନତା ଯୋଗାଇ ଦେଇଛନ୍ତି । ପିଲାମାନେ କିଛି ଦୋଷ କରି ବସିଲେ ତାହାକୁ ଗୁରୁତର ଭାବେ ନିଆ ନ ଯାଇ ପିଲାଳିଆମି ବୋଲି ଧରାଯାଉଛି । ସେହି ପିଲାମାନେ ଯେତେବେଳେ ବଡ ହୋଇ ପରିଣତ ତଥା ଯୁବାବସ୍ଥାରେ ଧର୍ତବ୍ୟ ଅପରାଧରେ ସାମିଲ ହେଉଛନ୍ତି, ସେତେବେଳେ ବାପା ମା’ମାନେ ମୁଣ୍ଡରେ ହାତ ଦେଉଛନ୍ତି । ସ୍ନେହ, ଶ୍ରଦ୍ଧା ଅଛି, ବାତ୍ସଲ୍ୟ ମମତା ଅଛି, ଏହାର ଅର୍ଥ ନୁହେଁ ପିଲାମାନଙ୍କୁ ସଂପୂର୍ଣ୍ଣ ସ୍ୱାଧୀନତା ଦେଇ ନିଜେ ପଥର ପାଲଟି ଯିବା । ଦେଶ, ସମାଜ ତଥା ନିଜ ପରିବାରକୁ ଗଢିବା ପାଇଁ ପିଲାମାନଙ୍କର ଗୁରୁ ଦାୟିତ୍ୱ ରହିଛି । ଯଦି ପିତାମାତାମାନେ ନିଜର ପିଲାମାନଙ୍କୁ ଆଦର୍ଶ ଭାବେ ନ ଗଢିବେ, ଉଚିତ ଶିକ୍ଷା ଓ ସଂସ୍କାର ନ ଶିଖାଇବେ ତେବେ ଭବିଷ୍ୟତରେ ସେମାନେ ଅନେକ ଦୁଃଖ ଓ ଯନ୍ତ୍ରଣାକୁ ସାମନା କରିବେ । ଗୁଡିଏ ଅମଣିଷଙ୍କ ଦ୍ୱାରା ଏ ଦେଶ ସମାଜ ମଧ୍ୟ ଗଭୀର ଭାବେ କ୍ଷତିଗ୍ରସ୍ତ ହେବ । ତେଣୁ ପରିବାରବର୍ଗଙ୍କ ମନ ଓ ହୃଦୟରୁ ପଥରର ସ୍ଥାଣୁତା ଓ ନିଷ୍କ୍ରିୟତା ହଟିବା ଖୁବ୍ ଜରୁରୀ ମନେହୁଏ ।

ଏ ତ ଗଲା ପରିବାରବର୍ଗଙ୍କ କଥା । ଏବେ ଆସନ୍ତୁ ସମାଜ ଉପରକୁ, ଯେଉଁଠି ସମାଜର ନୀତି ଓ ଆଦର୍ଶର ମହାସମାଧି ଉପରେ ମଣିଷ ପଶୁମାନଙ୍କର ଜୀବନ ବିତାଉଛି । ସମାଜର କଥା ପ୍ରଥମେ ଆଲୋଚନା କରାଯାଇଥିଲେ ମଧ୍ୟ ଆହୁରି ଅନେକ କିଛି ବାକି ରହିଯାଇଛି, ଯାହାକି ବଖାଣି ବସିଲେ ସରିବ ନାହିଁ । ବନ୍ୟା, ବାତ୍ୟାରେ ରାସ୍ତାଘାଟ ଖରାପ ହୋଇଯିବା, ସ୍କୁଲଘର ଭାଙ୍ଗିପଡିବା, ପୋଖରୀରେ ଦଳ ଭର୍ତି ହୋଇଯିବା, ଗାଁରେ ହଇଜା କି ମହାମାରୀ ବ୍ୟାପିବା । କୌଣସି ଉନ୍ନତିମୂଳକ କାମ ନେଇ ଏକତ୍ରିତ ହେବା ଏସବୁ ଆଜିକାଲି ଦେଖାଯାଉନାହିଁ । ଗାଁର ଯୁବଗୋଷ୍ଠୀ ଶସ୍ତା ରାଜନୀତିକୁ ଆପଣେଇ ରାତିକେ ହାତୀ ଆଣିବାର ଅଭିପ୍ରାୟ ରଖି ନିଜର ଚିନ୍ତାଧାରାକୁ କାର୍ଯ୍ୟରେ ଲଗାଉଛନ୍ତି । ସହର କଥା ନ କହିବା କୋଟିଗୁଣେ ଭଲ । ପଥର ମଣିଷମାନଙ୍କର ସଂଖ୍ୟା ସହରରେ ଅଧିକ, ଗାଁରେ ଭାଇଚାରା ଅଛି, ଓଷା, ବାହା, ପୁନିଅଁ ପର୍ବରେ ସାହିପଡିଶାଙ୍କର ଖୋଜାଲୋଡା ଅଛି, କିନ୍ତୁ ଏସବୁ ସହରରେ ନାହିଁ । ବର୍ଷ ବର୍ଷ ଧରି ପାଖାପାଖି ରହୁଥିଲେ ମଧ୍ୟ ଏ ପ୍ଲଟ୍‌ର ଲୋକ ଜାଣେନା ପାଖ ପ୍ଲଟ୍‌ର ଲୋକ, ଜାଣେନା ପାଖ ପ୍ଲଟ୍‌ର ଲୋକମାନଙ୍କୁ । ସହରରେ କେହି କାହାକୁ ଅପେକ୍ଷା କରେନା, କେହି କାହାକୁ ପଚାରେନା ଭଲ ମନ୍ଦ କଣ । କେହି ବି କାହା ଦୁଃଖ ସୁଖରେ ସମଭାଗୀ ହୋଇପାରେନା । ସହରର ରାସ୍ତା ଉପରେ ଦିବାଲୋକରେ ଅଘଟଣ ଘଟେ । ନାରୀମାନଙ୍କୁ ନିର୍ଯ୍ୟାତନା ଦିଆଯାଏ । ଚୋରି ଓ ଡକାୟତି, ଯାନବାହନ ଦୁର୍ଘଟଣାମାନ ଘଟେ । ଘଟଣାସ୍ଥଳରେ ପୋଲିସ୍ ଥାଆନ୍ତି ସିନା, ପଥର ମଣିଷମାନଙ୍କର ଦେଖା ଦର୍ଶନ ମିଳେନା । ସଭ୍ୟ ଓ ଶିକ୍ଷିତ ମଣିଷମାନଙ୍କର ସ୍ଥାଣୁତା ଓ ନିଷ୍କ୍ରିୟତା ସମାଜର ଅନେକ ସ୍ଥାନରେ ପରିଲକ୍ଷିତ ହେଉଛି । ଅତୀତରେ ଦାନ ମାଝିର କାହାଣୀ ସାରାବିଶ୍ୱରେ ଚହଳ ସୃଷ୍ଟିକରିଥିଲା । ନିଜ ସ୍ତ୍ରୀର ଶବକୁ କାନ୍ଧରେ ବୋହି ଦୀର୍ଘ ଦଶ କିଲୋମିଟର ପଥ ଅତିକ୍ରମ କରିଥିଲେ ମଧ୍ୟ ଦାନ ମାଝି ପ୍ରତି କୌଣସି ଲୋକ ଦୟା ଦେଖାଇ ନ ଥିଲେ । ସେହିପରି କନ୍ୟାଭୃଣ ହତ୍ୟା କଥା ବିଚାରକୁ ନେଇ ଦେଖାଯାଏ, ମଣିଷମାନଙ୍କର ନିଷ୍ଠୁରତା କେତେ ଅକ୍ଷମଣୀୟ । ଗର୍ଭରେ ଭୃଣଟିଏ ପୂର୍ଣ୍ଣ ଅଙ୍ଗଅବୟବ ନେଇ ପୃଥିବୀକୁ ଆସିବାକୁ ଅପେକ୍ଷା କରିଥିବା ବେଳେ ଧାରୁଆ କଟୁରି, ଛୁରୀରେ ତାକୁ ଗର୍ଭ ଭିତରେ ଖଣ୍ଡ ଖଣ୍ଡ କରିଦିଆଯାଏ । କାହିଁକି କନ୍ୟାଭ୍ରୁଣ ପ୍ରତି ଏ ନିଷ୍ଠୁରତା ? ସୃଷ୍ଟିର ଆବାହନ ମନ୍ତ୍ର ଜଣେ ନାରୀ ଫୁଙ୍କୁଥିବା ବେଳେ କାହିଁକି ସେମାନଙ୍କର ଜୀବନ ଦୀବ ସବୁକୁ ଏମିତି ଜବରଦସ୍ତ ନିର୍ବାପିତ କରିଦିଆଯାଏ । କେବଳ ମଣିଷମାନଙ୍କର ପାଷାଣୀ ମନ ଓ ହୃଦୟ ଯୋଗୁଁ । ସେହିପରି ସରଳ ନିଷ୍ପାପ ଶିଶୁମାନେ ଜୀବନ ଆଉ ଜୀବିକା କଣ ନ ଜାଣିବା ପୂର୍ବରୁ ସେମାନଙ୍କୁ ଶ୍ରମିକ ଭାବେ ନିଲାମ କରାଯାଏ । ତତଲା ଲୁହା ରଡର ଚେଙ୍କ ଦେଇ ସେମାନଙ୍କର କର୍ମକୁ ଶୋଷଣ କରାଯାଏ । ସଭ୍ୟ ଶିକ୍ଷିତ ଅଫିସରମାନଙ୍କ ଘରେ ଶିଶୁଟିଏ ଘର ଓଳାଏ, ବାସନ ମାଜେ, ବାବୁଙ୍କର ଜୋତା ପଲିସ୍ କରେ । ରାତିରେ ତେଲ ଗରମକରି ବାବୁ, ବାବୁଆଣୀଙ୍କର ଗୋଡ ମାଲିସ୍ କରେ । ଖାଲି ସେତିକି ନୁହେଁ, ଅପ୍ରାକୃତିକ ଯୌନକ୍ରିୟାରେ ମଧ୍ୟ ଶିଶୁମାନଙ୍କୁ ଅମାନବୀୟ ନିର୍ଯ୍ୟାତନା ଦିଆଯାଏ । କିଛି କରିପାରେନା ଏ ପଥର ମଣିଷ, ଅପରାଧ ପ୍ରତି ଆଖିବୁଜି ଦିଆଯାଏ ଏବଂ ଅପରାଧକୁ ଫୁଲମାଳ ଦେଇ ସ୍ୱାଗତ କରାଯାଏ ।

ଆଜି ଆମ ଭାଷା, ଆମ ସଂସ୍କୃତି, ସାହିତ୍ୟ ପରମ୍ପରା କଳୁଷିତ ହୋଇପଡିଲାଣି । ଓଡିଆ ଭାଷା ସଙ୍କଟ ମଧ୍ୟ ଦେଇ ଗତିକରୁଛି । ଓଡିଆମାନେ ନିଜର ପରିଚୟ ଦେବାକୁ ଲଜ୍ୟା ମନେକରୁଛନ୍ତି । ଦେହ ସିନା ଦେଶୀ, ମନ ସବୁ ବିଦେଶୀ ପାଲଟି ଗଲାଣି । ଆମ ଭାଷା, ସାହିତ୍ୟ, ପୂଜା, ପରମ୍ପରା ତଥା ସଂସ୍କୃତିରେ ନଗ୍ନତା ଓ ଅଶ୍ଳିଳତାର ଛାପ ନେସି ହୋଇଗଲାଣି, ତଥାପି ଆମେ ପଥର ହୋଇ ବସିଛେ । ଆମ ମନରେ ପ୍ରତିବାଦ ନାହିଁ କି ଆମ ହୃଦୟରେ ଗୋଟିଏ ବିପ୍ଲବର ଆଲୋଡନ ସୃଷ୍ଟି ହେଉନାହିଁ । ତଥାପି ଆମେ ଗୌରବ ଅନୁଭବ କରୁଛେ । ସତରେ କେତେ ନିର୍ବୋଧ ଆଉ ହତଭାଗ୍ୟ ଆମେ । ଏବେ ଆସ ଯିବା ରାଜନୀତି ଉପରକୁ । ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତବର୍ଷରେ ଓଡିଶା ହେଉଛି ଗୋଟିଏ ଛୋଟିଆ ଭୂଖଣ୍ଡ । ଏଠାରେ ରାଜନୈତିକ ପରିବର୍ତନ ସବୁ କେମିତି ଜୋର ଜବରଦସ୍ତ ଚାଲେ । ପ୍ରତିବର୍ଷ ଯୋଜନା ଗଢାହୁଏ, ବିକଳ୍ପ ଗୁଡିକର ରୂପରେଖ ପ୍ରସ୍ତୁତ ହୁଏ । ତଥାପି ବଦଳେ ନାହିଁ ଗରିବ ଭୂଖଣ୍ଡର ମାନଚିତ୍ର । ଭୋକର ଭୂଗୋଳ ସେମିତି ଚାହିଁଥାଏ କାହାର ହାତ ଟେକାକୁ । ଏଠାରେ ରାଜଧାନୀର ଛାତିରେ ଶୀତତାପ ନିୟନ୍ତ୍ରିତ ଘରେ ସରକାର ଟେବୁଲ୍ ଉପରେ ହାତ ବାଡେଇ ପ୍ରଗତି ଓ ସମୃଦ୍ଧିର ନାରା ଦେଇ ଚିତ୍କାର କରନ୍ତି । କେହି ପହଞ୍ଚିନି ସେହି ଗାଁରେ, ଯେଉଁଠାକୁ ରାସ୍ତା ଖଣ୍ଡେ ନାହିଁ । ଯେଉଁଠି ଅଦିନିଆ ବର୍ଷାରେ ଚାଷୀର ଫସଲ ମାଡଖାଏ । ଚକଡା ପୋଡାରେ ଫସଲ ନଷ୍ଟହୁଏ । ଜାପାନୀ ଜ୍ୱରରେ ଶିଶୁ ମରନ୍ତି । ଚାଷୀ ଆତ୍ମହତ୍ୟା କରେ । ତଥାପି ପଥର ମଣିଷମାନଙ୍କର ଚିନ୍ତା ଓ ଚେତନାରେ ପରିବର୍ତନ ଘଟେନା । ସେମାନେ ଅର୍ଥ, ସ୍ୱାର୍ଥ ତଥା ଭୟ ଓ ନାଲିଆଖିରେ ଭୋଟ ଦିଅନ୍ତି ସେହି ଅମଣିଷମାନଙ୍କୁ । ଜୋର୍ ଯାର ମୂଲକ ତାର ନୀତିକୁ ନିଷ୍ଠୁର କରିବା ପାଇଁ ଆଜିର ପଥର ମଣିଷମାନେ ସାହସ, ସମ୍ବଳ ତଥା ଏକତା ଯୋଗାଡ କରି ପାରୁନାହାନ୍ତି । ସାଂପ୍ରତିକ ସମାଜରେ ବାବା, ମାତା ତଥା ପ୍ରବଚକମାନଙ୍କର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ପଥର ମଣିଷମାନେ ଏମାନଙ୍କର ଜୀବନ ଇତିହାସ ବିଷୟରେ କେବେ ଅନୁସନ୍ଧାନ କରୁନାହାନ୍ତି । ସତ୍ କର୍ମ, ସତପଥ ଆଉ ସତ୍‌ଚିନ୍ତାର ମାର୍ଗଦର୍ଶକ ଆମେ ନିଜେ । କୌଣସି ବାବା, ମାତା କି ପ୍ରବଚନ ଏସବୁ ଆମକୁ ଦେଇ ପାରିବେ ନାହିଁ । ଏ ପ୍ରକାର ଚିନ୍ତାଧାରାକୁ ଆପଣେଇ ନେଲେ ତଥା ସ୍ଥାଣୁତା ଓ ନିଷ୍କ୍ରିୟତାକୁ ଏ ପଥର ମଣିଷମାନେ ନିଜକୁ ମୁକ୍ତ କରିପାରିଲେ ଏ ଦେଶ ଓ ସମାଜରେ ଅନେକ ପରିବର୍ତନ ଆସିପାରିବ ଏବଂ ଲୋକମାନେ ସୁଖଶାନ୍ତିରେ ବସବାସ କରିବେ । ତେବେ ଆସନ୍ତୁ, ଆମେ ଆଜି ପଥରର ଖୋଳପା ଭିତରୁ ବାହାରି ଏ ସମାଜ, ଦେଶ ଓ ଜାତିକୁ ସମୃଦ୍ଧି ପଥେ ଆଗେଇ ନେବା ।

ଲୋକପ୍ରିୟ ଲେଖା

To Top