ପ୍ରବନ୍ଧ

ପୂଜା ସାହିତ୍ୟ ପତ୍ରିକା-କିଛି କଥା କିଛି ବ୍ୟଥା

Biraja Routray's odia prose Pooja Sahitya Patrikaa kichhi kathaa kichhi byatha

ବଜାର ହାଟମାନଙ୍କରେ ଯେପରି ପୂଜା ସମୟର ବର୍ଣ୍ଣାଢ୍ୟତାକୁ ବାରି ହୁଏ ସେହିପରି ରାସ୍ତାକଡ଼ର ମ୍ୟାଗାଜିନ୍ ଷ୍ଟଲମାନଙ୍କରେ ପୂଜା ସାହିତ୍ୟର ଭରପୁର ଉପସ୍ଥିତିକୁ ଛୁଇଁ ହୁଏ ।

ପୂଜା ସାହିତ୍ୟ ପତ୍ରିକା-କିଛି କଥା କିଛି ବ୍ୟଥା

ପ୍ରତିବର୍ଷ ପୂଜା ଆସେ ପୁଣି ଚାଲିଯାଏ । କିନ୍ତୁ ଯାଉ ଯାଉ ଛାଡ଼ି ଯାଇଥାଏ ଶାରଦୀୟ ସାହିତ୍ୟର ବିପୁଳ ସୃଷ୍ଟି ସ୍ୱାକ୍ଷର । କେବଳ ଏହି ପୂଜା ମାସରେ ଓଡ଼ିଆ ପତ୍ର ପତ୍ରିକା ପୃଷ୍ଠାମାନଙ୍କରେ ଯେତିକି ସାହିତ୍ୟ ସୃଷ୍ଟି ହୋଇଥାଏ ସାରା ବର୍ଷରେ ଅନ୍ୟ କୌଣସି ସମୟରେ ଏତେ ବିପୁଳ ପରିମାଣର ସାହିତ୍ୟ ଲେଖାଯାଇ ନଥାଏ । ପାଖାପାଖି ଦଶରୁ କୋଡ଼ିଏ ଖଣ୍ଡ ପର୍ଯ୍ୟନ୍ତ ଉପନ୍ୟାସ, ଶତାଧିକ ଗଳ୍ପ ଓ ହଜାରେରୁ ଊର୍ଦ୍ଧ୍ଵ କବିତା ରଚନା ହେବା ସହିତ ଅନେକ ଆଲୋଚନା ଏବଂ ଫିଚର ଧର୍ମୀ ଫଟୋ ସମ୍ୱଳିତ ଲେଖା ପ୍ରକାଶିତ ହୋଇଥାଏ । ଓଡ଼ିଆ ଭାଷାର ସବୁ କୃତବିଦ୍ୟ, ନାମୀଦାମୀ ଓ ପ୍ରବୀଣ ଲେଖକମାନଙ୍କର ବଛାବଛା ଲେଖାରେ ସମୃଦ୍ଧ ହୋଇ ପୂଜା ପତ୍ରିକାଗୁଡ଼ିକ ଆତ୍ମପ୍ରକାଶ କରିଥାନ୍ତି । ଏହି ସମୟରେ ପ୍ରକାଶିତ ହେଉଥିବା ପତ୍ରପତ୍ରିକାମାନଙ୍କର ଏକ ବିଶେଷ ଚାହିଦା ଥିବାରୁ ଅନୁରୂପ ପାଠକୀୟ ଆଦର ମିଳିଥାଏ । କେବଳ ଓଡ଼ିଆ ପତ୍ରପତ୍ରିକା ପାଇଁ ନୁହେଁ, ଓଡ଼ିଆ ସାହିତ୍ୟ ପାଇଁ ମଧ୍ୟ ସବୁଠାରୁ ସବୁଜିମାମୟ ସମୟଟି ହେଉଛି ଏହି ଶାରଦୀୟ ଅବକାଶ । ବଜାର ହାଟମାନଙ୍କରେ ଯେପରି ପୂଜା ସମୟର ବର୍ଣ୍ଣାଢ୍ୟତାକୁ ବାରି ହୁଏ ସେହିପରି ରାସ୍ତାକଡ଼ର ମ୍ୟାଗାଜିନ୍ ଷ୍ଟଲମାନଙ୍କରେ ପୂଜା ସାହିତ୍ୟର ଭରପୁର ଉପସ୍ଥିତିକୁ ଛୁଇଁ ହୁଏ । ବର୍ଷ ଶେଷରେ ଲିଖିତ ସାହିତ୍ୟର ଏହି ସୁଦୃଶ୍ୟ ମହାସମାବେଶକୁ ମୋଟାମାଟି ଭାବରେ ଓଡ଼ିଆ ସାହିତ୍ୟର ବାର୍ଷିକ ନିର୍ଯ୍ୟାସ ବୋଲି କହିଲେ ଭୁଲ୍ ହେବ ନାହିଁ । ଏତେ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ସାହିତ୍ୟ ଯେ ଲେଖିହୁଏ ପୁଣି ପ୍ରକାଶିତ ହୁଏ, ଏହି ପୂଜା ସାହିତ୍ୟ ପତ୍ରିକାଗୁଡ଼ିକ ତାହାର ଚାକ୍ଷୁଷ ନିଦର୍ଶନ ।

ଦୁଇ ଦଶନ୍ଧି ତଳେ ଓଡ଼ିଆ ସାହିତ୍ୟ ପତ୍ରିକାର ଶାରଦୀୟ ସମ୍ଭର ଆଜିପରି ବିପୁଳ ନଥିଲା । ସାହିତ୍ୟ ପତ୍ରିକା କହିଲେ ସେତେବେଳକୁ ହାତଗଣତି ଚାରିପାଞ୍ଚଖଣ୍ଡ ପର୍ଯ୍ୟନ୍ତ ପତ୍ରିକା ପ୍ରକାଶିତ ହେଉଥିଲା । ତାହା ପୁଣି ପୃଷ୍ଠପୋଷକତା ଓ ବିଜ୍ଞାପନବିହୀନ ମସିଆ କଳାଧଳା ରୂପରେ । ଗଲା କିଛିବର୍ଷ ହେଲା ଶାରଦୀୟ ବିଶେଷାଙ୍କ ଭାବରେ ଓଡ଼ିଆ ପତ୍ରିପତ୍ରିକାର ଏକ ବଳିଷ୍ଠ ପରମ୍ପରା ଦେଖିବାକୁ ମିଳୁଅଛି । ପ୍ରତିବର୍ଷ ଏହି ସମୟରେ ପଛକୁ ପଛ ଛୋଟବଡ଼ ହୋଇ ଅନେକଗୁଡ଼ିଏ ପତ୍ରିକା ବଜାରକୁ ଆସିଥାନ୍ତି । ଆକର୍ଷଣୀୟ ରଙ୍ଗୀନ ରୂପ, ସୁସଜ୍ଜିତ ପରିପାଟୀ ଓ ପରିଚ୍ଛନ୍ନ ମୁଦ୍ରଣରେ ସନ୍ନିବେଶିତ ହୋଇ ପତ୍ରିକାଗୁଡ଼ିକ କିଛି ସମୟ ପାଇଁ କିଣୁଥିବା ପାଠକଟିକୁ ମଧ୍ୟ ଦ୍ୱନ୍ଦରେ ପକାଇ ଦେଇଥାନ୍ତି । ଆଧୁନିକ ମୁଦ୍ରଣ ଶିଳ୍ପକୁ ଅଶେଷ ଧନ୍ୟବାଦ୍ ଯେ ଏତେ ସ୍ୱଳ୍ପ ସମୟ ମଧ୍ୟରେ ଏତେଗୁଡ଼ିଏ ପତ୍ରିକାକୁ ପ୍ରକାଶିତ କରିପାରୁଛି । ଯାହା ପୂର୍ବରୁ କେବେ ସମ୍ଭବ ନଥିଲା । ଏବେ ଉଭୟ ନିୟମିତ ଓ ଅନିୟମିତ ପତ୍ରିକାମାନଙ୍କୁ ମିଶାଇ ସତୁରୀ କି ଅଶୀ ଖଣ୍ଡ ପତ୍ରିକା କେବଳ ପୂଜା ସମୟରେ ଛପାଯାଉଛି । ପରିମାଣ ଦୃଷ୍ଟିରୁ ଏହି ବିପୁଳ ବାର୍ଷିକ ସାରସ୍ୱତ ସମ୍ପଦ ଓଡ଼ିଆ ଭାଷା ସାହିତ୍ୟର ଅଭିବୃଦ୍ଧିରେ ଯଥେଷ୍ଟ ସହାୟକ ହୋଇଛି କହିଲେ ଅପ୍ରାସଙ୍ଗିକ ହେବନାହିଁ ।

ମାତ୍ର ବାହାରକୁ ସବୁ ଠିକ୍ ସବୁ ଭଲ ଜଣାଯାଉଥିବା ପରି ଏହିସବୁ ପୂଜା ପତ୍ରିକାମାନଙ୍କର ମଲାଟ୍ ପଛରେ ଏକ ଏକ ଅଲିଖିତ କାହାଣୀ ରହିଅଛି । ପୂଜା ଆଉ ପାର୍ବଣର ଏହି ଉତ୍ସବମୁଖର ପରିବେଶରେ କୌଣସି ମତେ ପତ୍ରପତ୍ରିକାଗୁଡ଼ିକ ରଙ୍ଗବେରଙ୍ଗ ହୋଇ ଆତ୍ମପ୍ରକାଶ ସିନା କରିଥାନ୍ତି କିନ୍ତୁ ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଆର୍ଥିକ କ୍ଷତିର ବୋଝ ସହିବାକୁ ପଡ଼ିଥାଏ । ପରିଣାମ ଏପରି ହୋଇଥାଏ ଯେ ବର୍ଷେ ଅଧେ ପରେ କିଛି ପତ୍ରିକାମାନଙ୍କର ଏହି ଚିରାଚରିତ ସଙ୍କଟ ହେତୁ ଆତ୍ମବିଲୟ ଘଟିଥାଏ । ସାମୟିକ ଭାବେ ପ୍ରକାଶ ପାଉଥିବା ପୂଜା ପତ୍ରିକାଗୁଡ଼ିକର ଅବସ୍ଥା ଏପରି ଦୟନୀୟ ଯେ ଏହାର ଏକମାତ୍ର ସମ୍ପାଦକଙ୍କୁ ଏକାଧାରରେ ସମ୍ପାଦନା, ବିଜ୍ଞାପନ ଓ ପ୍ରସାର ପରି ବିଭିନ୍ନ ଦାୟିତ୍ୱ ସବୁକୁ ଏକାକୀ ବହନ କରିବାକୁ ପଡ଼ିଥାଏ । ବାର୍ଷିକ ପୂଜା ବିଶେଷାଙ୍କ ପରି ଅୟସସାଧ୍ୟ ଶୋଭନୀୟ ସଙ୍କଳନଟିଏ ପ୍ରସ୍ତୁତ କଲାପରେ ବି ଆମର ଏଠି ସମ୍ପାଦକମାନଙ୍କୁ ନିସ୍ତାର ନଥାଏ । ନିର୍ଦ୍ଦୟ ସାହିତ୍ୟ ସେବା ତାଙ୍କୁ ଚିଠି ଲେଖି, ବାରମ୍ୱାର ଟେଲିଫୋନ୍ କରି ଲେଖକମାନଙ୍କ ପାଖକୁ ଲେଖା ମାଗିବା ଠାରୁ ଆରମ୍ଭ କରି ପତ୍ରିକା ପ୍ରକାଶନର ମାସାଧିକ କାଳ ଗୋଡ଼ ଭାଙ୍ଗି ବିଜ୍ଞାପନ ବାବଦ ପଇସା ବୁଝିନେବା ପାଇଁ ବିଭିନ୍ନ ଦପ୍ତରର ଦରଜାକୁ ଏକାଧିକ ବାର ଆଘାତ କରିବାକୁ ପଡ଼ିଥାଏ । ଏଜେଣ୍ଟ୍‌ମାନଙ୍କ କଥା ନ କହିଲେ ଭଲ । ଏ ପର୍ଯ୍ୟନ୍ତ ସାହିତ୍ୟ ପତ୍ରିକାଗୁଡ଼ିକ ଅଣସଂଗଠିତ ଓ ଅବ୍ୟବସ୍ଥିତ ହୋଇ ରହିଥିବାରୁ ପତ୍ରିକା ବ୍ୟବସାୟ ସମ୍ପୂର୍ଣ୍ଣରୂପେ ସେମାନଙ୍କ ମନମୁଖୀ କାରବାର ଉପରେ ନିର୍ଭର କରିଥାଏ । ଏତେ ସବୁ ପ୍ରତିକୂଳତା ଭିତରେ ଯେଉଁ ପତ୍ରିକା ଧାଁ ଦୌଡ଼ କରି ଚାଲିପାରିଲା, ସେହି ପତ୍ରିକାଟି ବଞ୍ଚିଲା । ନହେଲେ ଅବେଳରେ ମଲା । କିଛି ସମାଲୋଚକ ସେଥିପାଇଁ ଓଡ଼ିଆ ପତ୍ରପତ୍ରିକାମାନଙ୍କର ଅକାଳମୃତ୍ୟୁକୁ ଅପୁଷ୍ଟିକର ଜନିତ ଶିଶୁମୃତ୍ୟୁ ସହିତ ତୁଳନା କରିଥାନ୍ତି ।

ପୁନଶ୍ଚ ପତ୍ରିକାମାନଙ୍କର କଳେବର ଦୃଷ୍ଟିରୁ ପୂଜା ବିଶେଷାଙ୍କଟି ଅନ୍ୟ ସମସ୍ତ ସଂଖ୍ୟାକୁ ଟପିଯାଇଥାଏ । ବାହାରକୁ ଦେଖିଲେ ଜଣାପଡ଼ନ୍ତି ଯେପରି ପତ୍ରିକାଗୁଡ଼ିକ ମଧ୍ୟରେ ଏକପ୍ରକାରର ମୋଟେ ହୋଇ ପ୍ରଦର୍ଶିତ ହେବାର ପ୍ରତିଯୋଗିତା ଚାଲିଛି । ଏହାର ଅର୍ଥ ନୁହେଁ ଯେ ଏହି ବିଶେଷ ସମୟରେ ପାଠକଟିଏ ପତ୍ରିକାମାନଙ୍କଠାରୁ ଅଧିକ କିଛି ପଢ଼ିବାକୁ ଆଶା ରଖିଥାଏ ବୋଲି କୌଣସି ମତେ ଲେଖା ବୋଝେ କରି ପତ୍ରିକାଟିକୁ ପୃଥୁଳାକାୟ କରିବା । ଏକ ସମୟରେ ପୁଣି ଏକା ସାଙ୍ଗରେ ଏତେଗୁଡ଼ିଏ ଲେଖା ପ୍ରକାଶିତ ହେଉଥିବାରୁ ଏହି ଲେଖାଗୁଡ଼ିକର ଗୁଣାତ୍ମକମାନକୁ ନେଇ ପ୍ରଶ୍ନ ଉଠିଥାଏ । ସେଥିପାଇଁ କେତେକ ଏହି ସମୟରେ ରଚିତ ଅଧିକାଂଶ ଲେଖାକୁ ବରାଦୀ ସାହିତ୍ୟ ବୋଲି ଅଭିହିତ କରିଥାନ୍ତି । କାରଣ ସାହିତ୍ୟ କରୁଥିବା ଅଧିକାଂଶ ପରିଚିତ ଲେଖକମାନେ ପୂଜା ବିଶେଷାଙ୍କ ନିମନ୍ତେ ଏକ ପ୍ରକାର ଗଳଦ୍ଘର୍ମ ହୋଇ ପଛକୁ ପଛ ଗୋଟିଏ ପରେ ଗୋଟିଏ ଲେଖା ଲେଖି ବିଭିନ୍ନ ପତ୍ରିକାମାନଙ୍କୁ ପ୍ରେରଣ କରିଥାନ୍ତି । ଏହି ସ୍ୱତନ୍ତ୍ର ସଂଖ୍ୟାମାନଙ୍କରେ ଲେଖକଟିର ପ୍ରକାଶିତ ହେବାର ବ୍ୟାକୁଳତା ଯେତିକି ନ ଥାଏ ତାହାଠାରୁ ଅଧିକ ଲେଖାଟିଏ ପାଇବା ପାଇଁ ସମ୍ପାଦକମାନଙ୍କର ଚାପ ଓ ପ୍ରବର୍ତ୍ତନା ଅଧିକ କାମ କରିଥାଏ । ଯାହାଫଳରେ ଅଧିକାଂ ଶ ଲେଖାର ଗୁଣାତ୍ମକ ଉତ୍କର୍ଷତା ବାଧାପ୍ରାପ୍ତ ହୋଇଥାଏ । ଏହି ସମୟରେ ପ୍ରକାଶିତ ଅଧିକାଂ ଶ ପତ୍ରିକାମାନଙ୍କରେ ପ୍ରାୟ ଗୋଟିଏ ପ୍ରକାରର ବିଷୟବିନ୍ୟାସ ଦେଖିବାକୁ ମିଳିଥାଏ । ଅଧିକାଂଶ ଗପ, କବିତା ଓ ଉପନ୍ୟାସ ପ୍ରଭୃତି ରଚନାଗୁଡ଼ିକ ଗତାନୁଗତିକତା ଓ ସୀମାବଦ୍ଧତାରୁ ମୁକୁଳି ପାରିଥିବା ପରି ହୃଦ୍‌ବୋଧ ହୁଅନ୍ତି ନାହିଁ ।

ଏହାଛଡ଼ା ଶାରଦୀୟ ସାହିତ୍ୟ ପତ୍ରିକାମାନଙ୍କର ଅନ୍ୟ ଏକ ପ୍ରମୁଖ ସମସ୍ୟା ହେଉଛି ପାଠକ । ଏହି ସମୟରେ ପତ୍ରପତ୍ରିକାମାନଙ୍କ ସଂଖ୍ୟାରେ ଏପରି ଆଶାତୀତ ବୃଦ୍ଧି ଘଟିଥାଏ ଯେ ସେହି ଅନୁସାରେ ପାଠକମାନଙ୍କର ବୃଦ୍ଧି ଘଟିନଥାଏ । ଯାହାଫଳରେ କିଛି ପ୍ରତିଷ୍ଠିତ ପତ୍ରିକାମାନଙ୍କୁ ଛାଡ଼ିଦେଲେ ଅନ୍ୟ ପତ୍ରିକାମାନଙ୍କର ବଳକା ପୂଜାସଂଖ୍ୟାଗୁଡ଼ିତ କିଛିଦିନ ପଡ଼ିରହି ବଜାରରୁ ଫେରିଆସେ । ନହେଲେ ରାସ୍ତାକଡ଼ରେ ଅଧା ଦାମ୍‌ରେ ବିକ୍ରି ହେଉଥିବାର ଦେଖିବାକୁ ମିଳିଥାଏ । ପୁଣି ବିଜ୍ଞାପନକୁ ବାଦ୍ ଦେଇ କେବଳ ନିରୋଳା ପାଠକମାନଙ୍କ ଉପରେ ଭରସା କରି ଆମର ଏଠି ପତ୍ରିକାଟିଏ ଛାପିବା ସମ୍ଭବ ନୁହେଁ । ତଥାପି ଏତେଗୁଡ଼ିଏ ପ୍ରତିକୂଳ ପରିସ୍ଥିତି ଭିତରେ ଯେ ଏତେ ସଂଖ୍ୟକ ସାହିତ୍ୟ ପତ୍ରିକା ପ୍ରକାଶିତ ହୋଇପାରୁଛି, ଏହା ସାହିତ୍ୟ ପାଇଁ ଆଶ୍ୱାସନାର ବିଷୟ । ଆଜିର ଇଲେକ୍ଟ୍ରୋନିକ୍ସ ବ୍ୟସ୍ତବହୁଳ ଜୀବନରେ ସାହିତ୍ୟ ପରି ବିଷୟର ଗୋଟିଏ ସୁନ୍ଦର ଅସ୍ତିତ୍ୱ ଥାଇପାରେ, ଏହି ପୂଜା ପତ୍ରିକାଗୁଡ଼ିକ ତାହାର ପ୍ରମାଣ !

ଲୋକପ୍ରିୟ ଲେଖା

To Top