ପ୍ରବନ୍ଧ

ପୋଷାକ

ହିମାଳୟକୁ ପୋଷାକ ପିନ୍ଧାଇବା କିମ୍ୱା ଫୁଙ୍ଗୁଳା କରିବା ଯାହା, ଦେହକୁ ବି ପୋଷାକ ପିନ୍ଧାଇବା ନ ପିନ୍ଧାଇବା ତାହା । ପୋଷାକ ସହିତ ତା’ର ସମ୍ପର୍କ ବା କେତେ ? ତା’ର ସେଥିରେ ଯାଏ ଆସେ ବା କେତେ ?

ପୋଷାକ

ପୋଷାକ ନାମରେ ନାମିତ ଏହି ତିନି ଅକ୍ଷରିଆ ଶବ୍ଦଟିକୁ ଉଚ୍ଚାରଣ କଲେ ମାଟିରୁ ଆକାଶକୁ ଲମ୍ୱିଯାଏ ଦୃଷ୍ଟି । ଚଉତରେଇ ପଡ଼ିଥିବା ଚଉଦିଗକୁ ଅବଲୋକନ କରି ଝଲସି ଉଠଇ ଆଖି । ପୋଷାକମାନେ ପଇଁନ୍ତରା ମାରନ୍ତି ଏଠି ସେଠି, ସବୁଠି । ପୋଷାକର ପସରା, ହାଟ ବଜାର ମେଳଣ ସବୁଠି ଗହଗହ, ଚହଚହ ପୁଣି ମହମହ । ଏକ ପକ୍ଷରେ ଏହି ପୋଷାକ ତା’ର ପରମ ପରାକ୍ରମ ଦେଖାଏ ତ, ଅନ୍ୟ ପକ୍ଷରେ ଅପରିମିତ ପରାଭବ ଦିଏ । ଏହା ସତେ ଯେପରି ବର୍ଷାଭିଜା କାନ୍ଦୁରା ଆକାଶ ଆଖିରେ ଏକ ରଙ୍ଗରଙ୍ଗୀ ଇନ୍ଦ୍ରଧନୁର ମାୟା !

ଯିଏ ଠିକଣାଟି ପାଇଛି ତ ପାଇଛି । ଯିଏ ଦେଖିଛି ତ ଦେଖିଛି । ଯିଏ ସେ ଦୁର୍ଭାଗା ଦେଖିପାରିନି, ତାକୁ ଝିପିଝିପି ବର୍ଷା କାଳର କେଉଁ ଏକ ବିଧିନିର୍ଦ୍ଦିଷ୍ଟ ମାହେନ୍ଦ୍ର ବେଳାକୁ ବିନତି ହେବାକୁ ହେବ । ଧୈର୍ଯ୍ୟ ଧରି ଅପେକ୍ଷା କରିବାକୁ ହେବ । ଏମିତି ଏକ ପ୍ରତୀକ୍ଷାର ପ୍ରତିଜ୍ଞା, ଆଉ ତା’ର ଫଳାଫଳର ଅନ୍ୟ ଏକ ପରିଭାଷା ହେଉଛି ଏହି ପୋଷାକ । ଏପରି ଏକ ପରିଣାମରେ ପ୍ରତିଶ୍ରୁତି ଅଛି, ପ୍ରତାରଣା ବି ଅଛି । ପୋଷାକର ପ୍ରାଚୁର୍ଯ୍ୟରେ ଯେତିକି ଅହମିକା ଅଛି, ତାହାର ଅଭାବବୋଧରେ ସେତିକି ଅବସାଦ ଅଛି ।

ଦେହ ସହିତ ପୋଷାକ ବି ଜନ୍ମ ନେଇଥାଏ । ଏ ଦେହରେ ପୋଷାକ ଖଞ୍ଜା ପ୍ରକ୍ରିୟା ଆମ ଏଇ ଅନ୍ତୁଡ଼ିଶାଳଠାରୁ ବହୁ ପୂର୍ବ, ଆଦ୍ୟ ଅନ୍ତୁଡ଼ିଶାଳରୁ ଆରମ୍ଭ । ଏପରି ଏକ ମହାସତ୍ୟକୁ ଏ ମାଟିର ଆଦ୍ୟତମ ମଣିଷ, ଆଦିବାସୀ ହିଁ ଜାଣିପାରିଥିଲା । ସେଥିପାଇଁ ଆମଭଳି ସେ ସେତେବେଳେ ପୋଷାକ ଖଣ୍ଡେ ପାଇଁ ପାଗଳ ହେଉନଥିଲା । ସତ୍ୟ ସହିତ ସନ୍ତୁଷ୍ଟ ହେବାକୁ ସେ ସଦା ସଜାଗ ଥିଲା । ସତ୍ୟ ସହିତ ସେ ସଙ୍ଗାତ ବସି ନିଜକୁ ସମୃଦ୍ଧ କରୁଥିଲା । ସତ୍ୟ ସହିତ ସଂଘାତ କରି ସେ ସନ୍ଦେହର ବୀଜ ବୁଣୁ ନଥିଲା । ସେଥିପାଇଁ ସେ ଶାନ୍ତ ଶାଳୀନ ଥିଲା, ସ୍ୱୟଂ ସମ୍ପୂର୍ଣ୍ଣ ଥିଲା । ହିମାଚ୍ଛନ୍ନ ହିମାଳୟର ସେପରି ଏକ ପୋଷାକର ଖୋଳପାଟେ ପାଇଁ ହାଉଁ ହାଉଁ ହାହାକାର ନ ଥିଲା ।

ତେବେ ଏ ମର୍ତ୍ତ୍ୟରେ ପୋଷାକର ଅବତାରଣା କିଏ କଲେ ? କାହିଁକି ବା କଲେ ? ସେ ବସ୍ତ୍ର-ବିଜ୍ଞାନୀ ତାଙ୍କର ଏ ଅଦ୍ଭୁତ ଉଦ୍ଭାବନ ପାଇଁ, ସତରେ ସଦା ସ୍ମରଣୀୟ । ଭିନ୍ନ ଭିନ୍ନ ଦେହ ପାଇଁ ମାଗଣାରେ ଈଶ୍ୱର ଦେଇଥିବା ଜନ୍ମଜନିତ ପୋଷାକ ପରିଚ୍ଛଦକୁ, ଏହା ସତେସେମିତି ଏକ ଚମତ୍କାର ଚ୍ୟାଲେଞ୍ଜ ! ପ୍ରଭୁ ପ୍ରଦତ୍ତ ପୋଷାକରେ ଖର୍ଚ୍ଚ ନଥିଲା । ଦେଣନେଣ ନ ଥିଲା । ଈର୍ଷାଦ୍ୱେଷ ନ ଥିଲା । ଉଚ୍ଚନୀଚ୍ଚ ଭେଦଭାବ ନ ଥିଲା । ଶସ୍ତା ମହରଗର ତୁଳନା ନ ଥିଲା, ବରଂ ସତ୍ୟ-ସନ୍ତୁଳନରେ ସାନ୍ଧ୍ରତା ଥିଲା । ଐଶ୍ୱରୀକ ତୂଳୀତନ୍ମୟତାରେ ଐକତାନ, ଐକାନ୍ତିକତା ଥିଲା । ଆଜି କିନ୍ତୁ ପରିସ୍ଥିତି ଭିନ୍ନ । ଧନୀ ନିର୍ଦ୍ଧନର ପୋଷାକ ପରିଧାନର ପ୍ରଶ୍ନ ଅସମାହିତ । ଚିରାଫଟା କରିଆ କନାରୁ ଖଣ୍ଡେ ଦେହରେ ବେଢ଼େଇ ହୋଇ ଚାହାଳିକୁ ଯିବା ପାଇଁ ପିଲାମାନଙ୍କର ବୁଝାଅବୁଝା କାନ୍ଦ । ପୂଜା ପାର୍ବଣ ତିଥିରେ ନୂଆ ଖଣ୍ଡେ ନ ହୋଇପାରିଲେ, ଘରେ ଘରେ ଅଛିଣ୍ଡା ଅଝଟ । ଏମିତି ଅନେକ କିଛି ଅସୁମାରି ମାନସିକ ଯନ୍ତ୍ରଣା । ଅସମାନତାରେ ଭରପୂର ଏହି ଅସହିଷ୍ଣୁ ସମାଜର ଯୁଗ ବ୍ୟାପୀ ଦ୍ୱନ୍ଦ୍ୱ, ବସ୍ତୁତଃ ଆମ ମଣିଷ ସମାଜକୁ ଆଚ୍ଛନ୍ନ କରି ନୟାନ୍ତ କରୁଛି । ଏ ମର୍ତ୍ତ୍ୟର ପୋଷାକ ଆବିଷ୍କାରକ ମହାଶୟ, କିଏ ତୁମେ ସେହି ନିଷ୍ଠୁର ମଣିଷଟି ସତେ !

ଆରମ୍ଭରୁ ନିଜ ବେକରେ ନିଜେ କୁରାଢ଼ି ମାରି ଆସିଛି ଏ ମଣିଷ । ଆପଣାର ସ୍ୱାଧୀନତାକୁ ଆଉ କାହାକୁ ବାଣ୍ଟିବାଣ୍ଟି ଆସିଛି ଏ ମଣିଷ । ଏକଲାପଣରୁ ପରିବାର ଏବଂ ପରିବାରରୁ ସମାଜ ପର୍ଯ୍ୟନ୍ତ ଗତି ପ୍ରଗତି ସହିତ ଅବନତି ମଧ୍ୟ ଏଇ ମଣିଷର । ପ୍ରଥମେ ନିଜେ ନିଜକୁ ଅବଲୋକନ କରି, ଆନନ୍ଦରେ ଅଧୀର ହୋଇ ଉଠିଥିଲା ସେ । ସର୍ବଶେଷରେ ନିଜେ ନିଜକୁ ତନ୍ନତନ୍ନ କରି ନିରେଖି, ଶେଷରେ ନିରିମାଖି ହୋଇ ନିଶ୍ଚିହ୍ନ ହୋଇଯିବା ପାଇଁ ସେ ପୁଣି ପ୍ରସ୍ତୁତ ।

ଏହି ଦୁଇଟି ଦୁରଦୂରନ୍ତ ବ୍ୟବଧାନର ଜୀବନଦୋଳିରେ ଅହରହ ରଜଦୋଳି ଖେଳି ଚାଲିଛି ସେ । ସେହି ଜକଜକ ଜୀବନ ଦୋଳରେ ଆଉ କିଛି ସଜ ସାମଗ୍ରୀ ଅଛି କି ନା, ସେ ସନ୍ଦିହାନ । ଯଦି ବା କିଛି ଅଛି, ସେ ସବୁ ସଜବାଜ ହୋଇ ଥାଟପଟାଳିରେ ନିଜ ସହ ଯିବ କି ନାହିଁ, ସେସବୁ ବିଷୟରେ ଆହୁରି ଘୋର ସନ୍ଦିହାନ ସେ । ଗୋଟିଏ ଅମୋଘ ସତ୍ୟରେ ସେ ଖୁବ୍ ଅଭିଜ୍ଞ ଯେ, ଏ ମନ୍ତ୍ରଫୁଙ୍କା ମାଟି ମହଲରେ ଲୀଳା ଲଙ୍ଗଳାପଣଟି ହିଁ, ତା’ର ନିଜର । ଏ ଶ୍ୟାମଳୀ ଧରିତ୍ରୀର ଫୁଲାଫୁସୁଲା ଫଗୁଣିମାରେ ଫାଙ୍କା ଫୁଙ୍ଗୁଳାପଣଟି ହିଁ, ତା’ ନିଜର । ଆଦ୍ୟରୁ ପ୍ରାନ୍ତଯାଏ, ଏତିକି ହିଁ ତା’ର ସମଗ୍ର ସମ୍ପତ୍ତି । ଏ ସଂସାରରେ କିଣାବିକା ହେଉଥିବା ପୋଷାକ ପରିପାଟ୍ଟୀ ତା’ର କେବେହେଲେ କୌଣସି ସମ୍ପତ୍ତି ତାଲିକାରେ ନା ଥିଲା, ନା ରହିବ ।

ଆଦିମ ମଣିଷ ଏ ସବୁକୁ ଜାଣିଥିବା ସତ୍ତ୍ୱେ, ନିଜ ପାଇଁ ନିଜେ ହିଁ ବ୍ୟତିକ୍ରମ ହେଲା । ତା’ର ବା ଚାରା କ’ଣ ? ତା’ ନିଜ ଏକଲାପଣରୁ ପରିବାର ଯାଏ ଏହି ଫୁଙ୍ଗୁଳାପଣକୁ ଆଦରି ନେଇଥିବାବେଳେ, ପରବର୍ତ୍ତୀ ପର୍ଯ୍ୟାୟରେ, ସମାଜର ସାମୂହିକ ମତବାଦର ଜାଲ ଫାଶରେ ଛନ୍ଦି ହୋଇଯାଇଥିଲା ସେ । ପତ୍ରକୁ ପତ୍ରରେ ଛନ୍ଦି, ପିନ୍ଧିଥିଲା ସେ ପତ୍ରର ପୋଷାକ । ଛେଲିକୁ ଛେଲି ସହିତ, ଛାଲକୁ ଛାଲ ସହିତ ଖଞ୍ଜିଖାଞ୍ଜି, ସେ ହେଲା ବସ୍ତ୍ର ଭଣ୍ଡାରର ଏକ ବ୍ୟସ୍ତ ବୁଣାକାର । ମଣିଷର ଅସମ୍ପୂର୍ଣ୍ଣପଣ ତାକୁ ଅସମ୍ଭବ ଭାବରେ ଆଲୋଡ଼ିତ କଲା । ସମ୍ପୂର୍ଣ୍ଣତାର ମରୀଚିକା ମାତି ଉଠିଲା ତା’ ଆଖି ସାମ୍ନାରେ, ଦୂରରୁ ବହୁ ଦୂରଦୂରନ୍ତ ସୀମାକୁ । ମାୟାର ଅଞ୍ଜନ ଆପେ ଆପେ ମାଖି ହୋଇଗଲା ତା’ ଆଖିରେ । ଏକ ବହୁଚିତ୍ରିତ ପୋଷାକ ପରିହିତି ପୃଥିବୀକୁ ଦେଖି ବସିଲା ତା’ର ଚିର ଅତୃପ୍ତ ଆଖି । ତା’ ଦୃଷ୍ଟିରେ ଆକାଶ ପିନ୍ଧିଥାଏ ନୀଳସୁନୀଳ ପୋଷାକ । କେତେବେଳେ ସେ ସୂର୍ଯ୍ୟଚନ୍ଦ୍ର ପରି ଝଲମଲ ତ, ଆଉ କେତେବେଳେ ଅମାବାସ୍ୟା ରଙ୍ଗ ପରି ଗାଢ଼ ଚିକ୍କଣ କଳା । ସେ ପୁଣି ସଞ୍ଜ ସକାଳ ପରି ହଳଦିଆ ନାଲି ନାଲି ସୁନେଲି ତ, ଇନ୍ଦ୍ରଧନୁର ଚମକ ପରି ବହୁରଙ୍ଗୀ ରତ୍ନଝରା ଶାଢ଼ୀର ଓଢ଼ଣୀ । ବର୍ଷାରାଣୀର ବେହରଣରେ ଡେଣା ମେଲି ଉଡୁଥିବା ମାଳମାଳ ହଂସରାଳୀ ବଗବଗୁଲୀଙ୍କର ଛାପାଛାପା ପ୍ରିଣ୍ଟଶାଢ଼ି, ବେଶ୍ ସୁନ୍ଦର ଦିଶେ ତାକୁ । ନିସ୍ତବ୍ଧ ରାତିରେ ଛୋଟ ଛୋଟ ତାରା ଖଞ୍ଜା କଳାଘୁମୁର ପୋଷାକ, ଆକାଶକୁ ଖୁବ୍ ମାନେ ।

ଡାଳପତ୍ର ଫୁଲଫଳରେ ଝୁଲୁଥାଏ, ପବନରେ ନାଚୁଥାଏ ଗଛର ପୋଷାକ । ବର୍ଷା କାକରେ ଭିଜିଭିଜି ହେମାଳରେ ଥରି ଥରି, ବସନ୍ତରେ ବାସୁଥାଏ ହସୁଥାଏ ଗଛର ପୋଷାକ । ନାନାରଙ୍ଗୀ ପକ୍ଷୀଙ୍କର ସୁରମ୍ୟ ଶୋଭାପଣକୁ ନିଜ ଦେହରେ ମାଖି, ଜୀବନ୍ତ ବାଙ୍ମୟ ହୁଏ ଗଛର ପୋଷାକ । ତଟିନୀର ସୁଦୀର୍ଘ ତନୁରେ, ଅସଜଡ଼ା ଅଙ୍କାବଙ୍କା ଦୁଇ କୂଳର ରଙ୍ଗରଙ୍ଗିଲା ଧଡ଼ି, ଲହଲହ ଫରଫର ପୋଷାକ ପରି ସେ ନଦୀର ପ୍ରବହମାନ ଜଳସ୍ରୋତ । ସେ ସ୍ରୋତ ଉପରେ ପୁଣି ଭାସମାନ କାଠିକୁଟା ପତ୍ରମାନଙ୍କର ନୌଯାତ୍ରାର ଦୃଶ୍ୟ ଖୁବ୍ ସୁନ୍ଦର । ପଶୁପକ୍ଷୀମାନଙ୍କର ଚିତ୍ରଝରା ମୁଲାୟମ ଲୋମଶ ଏବଂ ପରଖଞ୍ଜିତ ପୋଷାକ, ନାନା ଜାତି ସାପ ଆଉ ମାଛଙ୍କର ଚକଚକ ଥାକଥାକ କାତିର ପୋଷାକ, ଆଖିକୁ ଆଚମ୍ୱିତ କରେ । ଅଥଳ ସମୁଦ୍ର ପିନ୍ଧେ ଗୁରୁଗମ୍ଭୀର ନୀଳନିମଗ୍ନ ପୋଷାକ । କୂଳ ଅଥୟପଣର ପୋଷାକରେ ପୁଣି ପ୍ରାଣ ପ୍ରାଚୁର୍ଯ୍ୟପଣର ଚିତ୍ତଚପଳପଣ । ଖରା, ଜ୍ୟୋତ୍ସ୍ନା ଜମକରେ ଚମକିତ ହେଉଥାଏ ଋତୁଋତୁର ଚିତ୍ରମୟତା । ଏସବୁ ଆଖିକୁ ଆମୋଦିତ କରିବା ଛଳରେ ଆକାଂକ୍ଷିତ କରିଦିଏ ।

ପାହାଡ଼ର ପୋଷାକରେ ଝରଣାର ଝର୍ଝର ଝରଣ । ଦେହ ଦେହରେ ସତେଜ ସବୁଜିମା । ମଥାମଥାନରେ ଲତା ଲତିକାର ଜଟାଜୂଟ । ବେଳେବେଳେ ପୁଣି ତା’ ସର୍ବାଙ୍ଗରେ ବରଫର ଧଳାଧଉଳା ବେହରଣ ମନକୁ ମନ୍ତ୍ରମୋହିତ କରେ । ଏହିପରି ଅସଂଖ୍ୟ, ଅସୁମାରି ରୂପରାଜିରେ ରୂପମୟୀ ଏ ଧନାଢ୍ୟା ଧରିତ୍ରୀ ।

ପୋଷାକ ପ୍ରାବଲ୍ୟର ପ୍ରବଣତାରେ ମଣିଷ ଘାରି ହେଉଛି ଚିରକାଳ । ସରିଯାଉଛି ତା’ର ବହୁମୂଲ୍ୟ ସଞ୍ଚିତ ଆୟୁଷ । ଅସମ୍ପୂର୍ଣ୍ଣତା ହିଁ ତା’ର ପ୍ରାଥମିକ ପରିଚୟ । ପୂର୍ଣ୍ଣତାର ପ୍ରାପ୍ତି ପାଇଁ ସେ ହେଉଛି ଅହରହ ଆକୁଳ ଅଶ୍ରୁ ଳ । ଅସରନ୍ତି ତା’ର ଏଇ ଚଲାପଥ । ମାୟାମରୀଚିକାର ପ୍ରତି ସୀମା ସରଦହ, ତା’ର ପ୍ରତିନିୟତ ଉଦ୍ୟମର ଶୁଭାରମ୍ଭ ମାତ୍ର । ଏ ପ୍ରକାଣ୍ଡ ପ୍ରକୃତିର ପ୍ରଲୁବ୍ଧ ପୋଷାକରାଜି ମଣିଷକୁ ପାଗଳ କରୁଛି ସମୟର ପ୍ରତିଟି ପଲକ । କେତେବେଳେ ମଣିଷ ତାକୁ ଅନୁକରଣ କରିବାକୁ ଉଦ୍ୟମ କରୁ କରୁ ହନୁକରଣ ବି କରୁଛି । ପ୍ରକୃତିର ମୂହୁର୍ମୁହୁଃ ପରିବର୍ତ୍ତନଶୀଳ ପୋଷାକ ପରିଚ୍ଛଦର ପ୍ରଥାପ୍ରଣାଳୀକୁ ପ୍ରଣିଧାନ କରି, ଏକ ପ୍ରାରମ୍ଭିକ ପ୍ରତିଯୋଗିତା କରିବାକୁ ସେ ଏବେ ଏକ ଦୁଃସାହସ କରିଛି । ଏପରି ଏକ ମଣିଷର ଅନମନୀୟ ଆସ୍ଥାରେ, ବୋଧହୁଏ ପ୍ରକଟିତ ହେବାକୁ ଚାହାନ୍ତି ସେହି ମହାମହିମଙ୍କର ମାୟାର ମହିମା !

ଏ ମନମତୁଆଲା ମଣିଷ ବୁଝି ବି ବୁଝିପାରେନି ଯେ, ପ୍ରକୃତିର ଏ ସବୁ ହେଉଛି ମାୟାର ପୋଷାକ । ଆଜି ଅଛି ତ କାଲି ନାହିଁ । ଏ ସୌନ୍ଦର୍ଯ୍ୟରେ ମାୟାର ସମ୍ମୋହନ ଅଛି, ସତ୍ୟର ସଂକଳ୍ପ ନାହିଁ । ମୁହୂର୍ତ୍ତର ମମତ୍ୱ ଅଛି, କାଳର କୈବଲ୍ୟ ନାହିଁ । ଆସ୍ଫାଳନର ଆଡ଼ମ୍ୱର ଅଛି, ଅଭ୍ୟନ୍ତରର ନୀରବତା ନାହିଁ । ତାମସିକ ତୃଷା ଅଛି, ସାତ୍ତ୍ୱିକ ସନ୍ତୋଷ ନାହିଁ । ବିଭ୍ରମ ବ୍ୟଗ୍ରତା ଅଛି, ସମ୍ଭ୍ରମ ସ୍ଥିରତା ନାହିଁ । ଅର୍ଦ୍ଧ ଉଲଗ୍ନ ହେବାର ଔଦ୍ଧତ୍ୟ ଅଛି, ଲାବଣ୍ୟବତୀର ଲାଳିତ୍ୟ ନାହିଁ । କାହିଁକି ଯେ ମଣିଷ ତାକୁ ପ୍ରଦତ୍ତ ହୋଇଥିବା କିଛି ଐଶ୍ୱରିକ ଶକ୍ତିର ଅଯଥା ଅପଚୟ କରିଚାଲିଛି, ତାହା ତାକୁ ଏକା ଜଣା !

ସାଜସଜାରେ ଏ ମଣିଷ ତା’ର ସମସ୍ତ ସାମର୍ଥ୍ୟ ସାରିଦେବାକୁ ବି ସାହସ କରେ । ନିଜ ଦେହର ସର୍ବାଙ୍ଗକୁ ସଜାଇବା ସହ ସେ ତା’ ବାସସ୍ଥାନକୁ ସଜାଏ । ସାଜସଜା- ପୋଷାକ ବିଜ୍ଞାନ ପାଇଁ ଅଜସ୍ର ଅତ୍ୟାଧୁନିକ କ୍ୟାଟାଲଗ୍‌ର ପରିକଳ୍ପନା ଏବଂ ଉପସ୍ଥାପନା ବି ଅଛି । ଘରର ବାହାର ଓ ଘର ଭିତରର ପୋଷାକ ଅଲଗା ଅଲଗା । ଡ୍ରଇଁରୁମ୍ର ପୋଷାକ ଭିନ୍ନ । ବେଡ଼ରୁମ୍ର ପୋଷାକ, ରଙ୍ଗ, ପରିପାଟ୍ଟୀ ସବୁକିଛି ଭିନ୍ନ ଭିନ୍ନ । ବଗିଚା, ଅଗଣା, ଗ୍ୟାରେଜ୍, ପାଚେରି, ଗେଟ୍ ସବୁକିଛିର ପିନ୍ଧା ପରିପାଟ୍ଟୀ ପ୍ରତିବର୍ଷ ଥରକୁ ଥର ପରିବର୍ତ୍ତନଶୀଳ । ପ୍ରକୃତି ସହିତ ସମତାଳରେ ଗତି କରିବାକୁ ବୋଧହୁଏ ଇଚ୍ଛା କରୁଛି ଏ ମଣିଷ । ମାୟା ମୃଗଟିଏ ସ୍ୱୟଂ ମର୍ଯ୍ୟାଦାପୁରୁଷ ରାମଚନ୍ଦ୍ରଙ୍କୁ ଆକୃଷ୍ଟ କରିଥିବାବେଳେ ମଣିଷର “ଜୁ” ବା କେତେ ?

ମଣିଷ ବୁଝେନି ଯେ, ପରିବର୍ତ୍ତନ ପ୍ରକ୍ରିୟାର ସ୍ୱୟଂ ସଞ୍ଚାଳିତ ଶକ୍ତି, ପ୍ରକୃତିର ପ୍ରତିଟି ଅଣୁପରମାଣୁରେ ନିତ୍ୟନିୟତ ନିହିତ । ସେ ଶକ୍ତି ସ୍ୱୟଂ ପରିଚାଳିତ ଏବଂ ସ୍ୱୟଂ ପ୍ରକାଶିତ । ଏହା ହିଁ ସୃଷ୍ଟିତତ୍ତ୍ୱର ଏକ ରୋମାଞ୍ଚକର ରହସ୍ୟ । ଏପରି ଏକ ଦିବ୍ୟଶକ୍ତିର ସମକକ୍ଷ ହେବା ପାଇଁ ଏ ମଣିଷ ତା’ ନିଜର ଏବଂ ଏ ସମାଜର ସବୁ ସମ୍ପଦକୁ ବାଜି ରଖୁଛି । କୋଟି କୋଟି ଜନତା ମୁଠାଏ ଭାତ ଖୋଜୁଥିବା ବେଳେ, ଏ ମଣିଷ ପୋଷାକ ଖୋଜୁଛି । ଏହା ଏକ ବିଡ଼ମ୍ୱନାର ବ୍ୟାଧି ।

ଉଦାହରଣସ୍ୱରୂପ, ନିଜର ସୁଖସ୍ୱାଚ୍ଛନ୍ଦ୍ୟ ପାଇଁ ମଣିଷ ମୋଟରଗାଡ଼ି କିଣୁଛି । କମ୍ପାନୀ ଗାଡ଼ି ତିଆରି କରୁଛି ଏବଂ କୌଣସି ଏକ ଶୋ’ ରୁମ୍ ଏହାକୁ ବିକ୍ରି କରୁଛି । ସେ ଗାଡ଼ିରେ ମଧ୍ୟ ଆବଶ୍ୟକୀୟ ପୋଷାକ ଅଛି । ସୌନ୍ଦର୍ଯ୍ୟ ପାଇଁ ଅଳଙ୍କାର ଅଛି । କିନ୍ତୁ ଉପଭୋକ୍ତା ପାଇଁ ତାହା ଯଥେଷ୍ଟ ହେଉ ନାହିଁ । ସେଥିପାଇଁ ସେ ଗାଡ଼ିର ବିଭିନ୍ନ ବିଭାଗରେ ବହୁମୂଲ୍ୟ ଆରାମଦାୟକ, ଆହୁରି ସୁଦୃଶ୍ୟ ପୋଷାକ ଅଳଙ୍କାର ଖଞ୍ଜି, ଅଙ୍ଗସଜା କରୁଛି । ପୋଷାକର ମାୟା, ଲୁହଲହୁରେ ଅର୍ଜିତ ମଣିଷର ଧନଭଣ୍ଡାରକୁ ଶୂନ୍ୟ କରିବାରେ ଲାଗିଚି । ଏପଟେ ଭୋକ ତ, ସେପଟେ ଭେଳିକି । ଏପଟେ ହାହାକାର ତ, ସେପଟେ ହାକିମାତି । ଏ ପାଖରେ ଦାରିଦ୍ର୍ୟର କଷାଘାତ ତ, ସେ ପାଖରେ ପ୍ରାଚୁର୍ଯ୍ୟର ପଶାପାଲି । ପୋଷାକର ପ୍ରହେଳିକା ଏପରି ଏକ ଭ୍ରମାତ୍ମକ ପରିବେଶ ସୃଷ୍ଟି କରେ । ଥିଲା ନ ଥିଲାବାଲର ଦ୍ୱନ୍ଦ୍ୱ ଏଇଠି ଦ୍ୱିଧାଗ୍ରସ୍ତ ହୁଏ ।

ମାୟାରେ ମନ୍ଥି ହେବାଟା ତ, ମଣିଷର ଏକ ମିଥ୍ୟା ପରିଚୟ ! ସେ ମନଲାଖି ପୋଷାକ ପିନ୍ଧେ, ଅନ୍ତୁଡ଼ିଶାଳରୁ ସ୍ୱର୍ଗଦ୍ୱାର ଯାଏ । ପୁରୁଷ ପିନ୍ଧେ କୁର୍ତ୍ତା, ପାଇଜାମା, ଧୋତି ପଞ୍ଜାବି, ଗଞ୍ଜି, ଚଡ଼ି, ଲୁଙ୍ଗି, ପ୍ୟାଣ୍ଟ ସାର୍ଟ, କୋଟ୍, ଟାଇ, ଜୋତା, ମୋଜା. . . ଏମିତି କେତେ ନା କେତେ ଲମ୍ୱା ସେହି ତାଲିକା । ସେମିତି, ସ୍ତ୍ରୀଲୋକକୁ ଚୁଡ଼ିଦାର ପଞ୍ଜାବି, ଫ୍ରକ୍, ସାଲୱାର୍ ଓଢ଼ଣି, ଦିନଗାଉନ୍, ନାଇଟ୍‌ଗାଉନ୍, ଶାଢ଼ି, ବ୍ଲାଉଜ୍, ସାୟା, ଅଙ୍ଗବସ୍ତ୍ର. . . ଏମିତି ଅନେକ ଅନେକ । ଶାଢ଼ି ପୁଣି ହଜାରେ ପ୍ରକାରର । ସୋଲାପୁରୀ, ମାଣିଆବନ୍ଧ, ଖଣ୍ଡୁଆ, ସିଫନ୍, ଟାଙ୍ଗାଇଲ୍, ବାଲୁଚରି, ଜର୍ଜେଟ୍, ବାନ୍ଧଣୀ. . . ଏମିତି ଅସଂଖ୍ୟ, ଜାତିଜାତିର ଶାଢ଼ି । ପୋଷାକ ପୁଣି ସୂତା, ସିଲ୍କ, ଟେରିକଟ୍, ଟେରିଲିନ୍, ଟେରିଉଲ୍, ନାଇଲନ୍, ପଶୁଙ୍କର ଲୋମ, ପକ୍ଷୀଙ୍କର ପର ନିର୍ମିତ. . . ଏମିତି ଅନେକ ପ୍ରକାରର । ଦେଶଦେଶକୁ, ଅଞ୍ଚଳ ଅଞ୍ଚଳକୁ ବି ଏହା ନିଆରା । ସଂସ୍କୃତି, ସମାଜ ଏବଂ ଜଳବାୟୁ ଉପରେ ଏସବୁ ମଧ୍ୟ ନିର୍ଭରଶୀଳ ।

ପୋଷାକ ଡିଜାଇନିଂ ମଧ୍ୟ ଏକ ଅତ୍ୟାଧୁନିକ କାରିଗରୀ କୌଶଳ ସମ୍ପନ୍ନ ଇଞ୍ଜିନିୟରିଂ ବିଦ୍ୟା । ସେଥିପାଇଁ ପ୍ରସ୍ତୁତି ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ । ପୋଷାକ ବ୍ୟବସାୟ ମଧ୍ୟ ଫୁଟ୍‌ପାଥ୍‌ରୁ ଦେଶ ମହାଦେଶ ପର୍ଯ୍ୟନ୍ତ ପରିବ୍ୟାପ୍ତ । ଦେଶ ଦେଶରେ ଫେସନ୍ ସେମାନଙ୍କର ଅତ୍ୟାଧୁନିକ ଏବଂ ଅସ୍ୱାଭାବିକ ଚିତ୍ତଚପଳ ଆକର୍ଷଣ । ପୋଷାକର ନିର୍ମାଣ, ବ୍ୟବସାୟ ଏବଂ ତତ୍‌ଯନିତ ବିଜ୍ଞାପନ ଓ ବୈଜ୍ଞାନିକ ଗବେଷଣାରେ, ଆଜି ମଣିଷର ବିଦ୍ୟା ବୁଦ୍ଧି ଅର୍ଥ, ବିପୁଳ ଭାବରେ ନିୟୋଜିତ । ଏପରିକି କିଏ ପୁଅ ଏବଂ କିଏ ଝିଅ, ତାହାର ତାରତମ୍ୟ ତଫାତକୁ ପ୍ରତିହତ କରି, ଏକ ଭ୍ରମାତ୍ମକ ଦ୍ୱନ୍ଦ୍ୱ ମଧ୍ୟ ସୃଷ୍ଟି କରିବା ପାଇଁ ଆଜି ପୋଷାକ-ବିଜ୍ଞାନ ବେଶ୍ ସମୃଦ୍ଧ ।

ଏ ମଣିଷ ଯେତିକି ବୁଦ୍ଧିବନ୍ତ ସେତିକି ଧର୍ମବନ୍ତ । ଈଶ୍ୱରଙ୍କର ସେ ଏକ ବହୁ ବଡ଼ ଭକ୍ତ । ସେ ଉଦାର ଓ ବିଚାରବନ୍ତ । ଠାକୁରଙ୍କୁ ମଧ୍ୟ ସେ ଲଙ୍ଗଳା ଫୁଙ୍ଗୁଳା ଦେଖିବାକୁ ସହିପାରେନି । କାଠ, ପଥର, ମାଟି ଧାତୁ ପ୍ରଭୃତିରେ ଗଢ଼ା ଈଶ୍ୱରଙ୍କର ଅସଂଖ୍ୟ ମୂର୍ତ୍ତିଗୁଡ଼ିକ ପାଇଁ ସେ ପୋଷାକ ତିଆରି କରେ ବିଭିନ୍ନ ରଙ୍ଗର, ବିଭିନ୍ନ କପଡ଼ାର, ବିଭିନ୍ନ ଡିଜାଇନ୍‌ର । ସେମାନଙ୍କର ବି ଜଳବାୟୁ ଅନୁସାରେ ପୋଷାକ, ଋତୁଋତୁରେ, ପର୍ବପର୍ବାଣିରେ ପିନ୍ଧାହୁଏ ପୋଷାକ, ଠିକ୍ ଏକ ମାନବୀୟ ଦୃଷ୍ଟିଭଙ୍ଗୀରେ ।

ରାଜା, ମହାରାଜା, ସମ୍ରାଟ୍, ରାଜକର୍ମଚାରୀ, ସହରୀ ଗାଉଁଲି ମଣିଷ, ଚାଷୀ ମୂଲିଆ, ନେତା ନର୍ତ୍ତକୀ, ଡ୍ରାମା ସିନେମାର ଅଭିନେତା ଅଭିନେତ୍ରୀ, ଜଳକେଳି ଜଳ ସନ୍ତରଣ ପାଇଁ ଏମିତି କୋଟିକୋଟି ମଣିଷର କୋଟି କୋଟି ରଙ୍ଗବେରଙ୍ଗ, ଢଙ୍ଗ ବେଢ଼ଙ୍ଗର ପୋଷାକ । ସୈନିକର ଯୁଦ୍ଧପୋଷାକ ଭିନ୍ନ । ସେ ପୋଷାକ ପିନ୍ଧିଲେ ତା’ର ଉଭୟ ମାନସିକ ଓ ଶାରୀରିକ ବହପ ବଢ଼େ । ପୁଲିସ୍ ଖାକି ପିନ୍ଧିଲେ ତା’ ବାଡ଼ିରେ ବହପ ଆସେ । ତନ୍ତ୍ର ପୂଜାରେ ବସିଥିବା କାପାଳିକର ପୋଷାକ ଭିନ୍ନ । ମନରେ ଡାକୁର ମନୋଭାବ ଉଦ୍ରେକ କରିବା ଲାଗି, ଡକାୟତ ଏକ ଭିନ୍ନ ଧରଣର ପୋଷାକ ପିନ୍ଧେ । ଯେକୌଣସି ପୋଷାକ ପରିଧାନ କଲେ ଭିକ୍ଷା ମିଳେନା । କୋଟ୍ ଟାଇ, ଫୁଲ ସୁ ପିନ୍ଧି ଭିକ ମାଗିଲେ ଲୋକେ ତାକୁ ଏକ ଭଣ୍ଡ ଭିକାରି ବୋଲି କହିବେ, ଫେରେଇ ଦେବେ । ଦୟାଭାବ ସୃଷ୍ଟି କରିବା ପାଇଁ ଉଚିତ୍ ପୋଷାକର ବ୍ୟବସ୍ଥା ଅଛି । ମନରେ, ହୃଦୟରେ ଧର୍ମଭାବ ଜାଗ୍ରତ କରାଇବା ପାଇଁ, ସନ୍ନ୍ୟାସୀର ବି ଭିନ୍ନ ପୋଷାକ ଅଛି । ସେ ପୋଷାକର ରଙ୍ଗ ବି ଗେରୁରଙ୍ଗ ହେବା ଉଚିତ୍, କାରଣ ସେଥିରେ ବୈଜ୍ଞାନିକ, ଧାର୍ମିକ ଏବଂ ମନସ୍ତାତ୍ତ୍ୱିକ ପ୍ରଭାବ ଅଛି । ସେଇଥିପାଇଁ ବୋଧହୁଏ ଦସ୍ୟୁ ରତ୍ନାକର ଓ ବାଲ୍ମୀକିଙ୍କର ପୋଷାକ ପରିପାଟ୍ଟୀ ଅଲଗା ଅଲଗା । ଏପରିକି ବିଭାବେଦୀରେ ବରକନ୍ୟାର ପୋଷାକ, ମନ୍ଦିର ବେଢ଼ାରେ ଭକ୍ତଙ୍କର ପୋଷକ ଏବଂ ଶ୍ମଶାନ ଘାଟରେ ଶବର ପୋଷାକ ବି ଅଲଗା ଅଲଗା ।

ଏ ବିଶ୍ୱରେ ବହୁ ଭାବରେ ବିଭାଜିତ ମାଟି-ଭୂଗୋଳର ପୋଷାକ, ଦେଶବାସୀଙ୍କର ପୋଷାକ ବି ଭିନ୍ନ । ଧର୍ମ ଅନୁସାରେ, ପ୍ରଥା ଅନୁସାରେ ପୋଷାକ ବି ବଦଳିଯାଏ । ଏକ ନିର୍ଦ୍ଦିଷ୍ଟ ଧର୍ମର ଠାକୁର ସତେ ଯେପରି ସେହି ଧର୍ମାନୁରାଗୀ ଭକ୍ତକୁ ସେହି ପୋଷାକରୁ ହିଁ ଚିହ୍ନିପାରିବେ । ସେଠି ହୃଦୟର ସ୍ପନ୍ଦନ ଏବଂ ଆତ୍ମାର ଅନୁରଣନ, ସତେ ଯେପରି ଦେହର ଚର୍ମଢାଙ୍କୁଣୀ ଉପରେ ଆଉ ଏକ ପୋଷାକର ଢାଙ୍କୁଣୀ ଦ୍ୱାରା ବାଧାପ୍ରାପ୍ତ ହୋଇ ବନ୍ଦୀ ହୋଇଯାଏ । ପୋଷାକର ଏମିତି ଏକ ଫିସାଦି ମଣିଷକୁ ସତେ ଯେମିତି ଫସେଇ ଦିଏ । ନକଲି ମଣିଷ ଛଦ୍ମବେଶ ପାଇଁ ଅସଲି ପୋଷାକର ବି ଅପବ୍ୟବହାର କରେ । ଧରା ପଡ଼ିଲେ ମାମୁଁ ଘର ଯାଏ ।

ଦେଖିବା ପାଇଁ ହେଉ ଅଥବା ଲୁଚେଇବା ପାଇଁ ହେଉ, ମଣିଷର ପୋଷାକ ପରିଧାନ ସମ୍ୱଳିତ ଗବେଷଣାର ଗତି, କାହିଁ ଆଦିମ ଯୁଗରୁ ଆଜିର ଅତ୍ୟାଧୁନିକ ଯୁଗ ପର୍ଯ୍ୟନ୍ତ ପରିବ୍ୟାପ୍ତ । ଏପରି ଏକ ଗମ୍ଭୀର ଗବେଷଣାର ପ୍ରଗତି ଅଛି, ପରିସମାପ୍ତି ନାହିଁ । ଅତୃପ୍ତିର ଅଶାନ୍ତି ଅଛି, ତୃପ୍ତିର ପ୍ରଶାନ୍ତି ନାହିଁ । ସବୁ ଗବେଷଣା ପରି, ଏହା ଏକ ଅସମାହିତ ଗତିପଥର ଗଞ୍ଜଣା ।

ତଥାପି ମଣିଷ ପୋଷାକର ଗବେଷଣା କରେ, ପରିଧାନ କରେ, ପରୀକ୍ଷାନିରୀକ୍ଷା କରେ, ଗ୍ରହଣ କରେ, ପ୍ରତ୍ୟାଥ୍ୟାନ କରେ, ବଦଳାଏ । ଏ ପ୍ରକ୍ରିୟା ଯେତିକି ପୁରାତନ, ସେତିକି ନୂତନ । ବ୍ୟୁଟିପାର୍ଲର ହେଉ, ଅଥବା ସୌନ୍ଦର୍ଯ୍ୟ ବିଜ୍ଞାନର ଗବେଷଣାଗାର ହେଉ, ତାହା କେବଳ ଆଜିର ଆହ୍ୱାନ ନୁହେଁ । ମଣିଷ ପାଇଁ ଏହି ଆଦିମ ଆହ୍ୱାନ ଚିରକାଳ । ଏଇଠି ଦ୍ୱାପର ଯୁଗର କୁବ୍ଜାଙ୍କ କଥା ମନକୁ ଆପେ ଆପେ ଆସିଯାଏ । ସେ ନିଜେ କାଳୀ, କୁଜି, ଅସୁନ୍ଦରୀ । ତଥାପି କୁବ୍ଜାର ସ୍ୱପ୍ନ ଜଗତଜିତା । ଈଶ୍ୱର କୃଷ୍ଣ, ରାଜା କୃଷ୍ଣ, ଯୁଦ୍ଧ ବିଶାରଦ କୃଷ୍ଣ, ଶାନ୍ତି ବିଶାରଦ କୃଷ୍ଣ ଏବଂ ସର୍ବୋପରି ସୃଷ୍ଟି ସଂସ୍ଥାପକ, ସୃଷ୍ଟି ପାଳକ ଓ ସୃଷ୍ଟି ସଂହାରକ ଶ୍ରୀକୃଷ୍ଣଙ୍କୁ ଖୁବ୍ ପାଖରୁ ପାଇବାକୁ କିଏ ବା ସାହସ କରିବ ? ସେମିତି ଏକ ସ୍ୱପ୍ନ ବିଳାସିନୀ ସେ । ସ୍ୱପ୍ନ ତା’ର ବଡ଼ ବିଚିତ୍ର, ରୁଚି ରୋମାଞ୍ଚକର । ରୁଚିରେ ତା’ର ଭରି ରହିଥିଲା ଅପହଞ୍ଚ ରୋମାଞ୍ଚ । ରାଜପ୍ରାସାଦରେ ସେ କେଶବିନ୍ୟାସିନୀ, ବେଶ ବିନ୍ୟାସିନୀ, ସୌନ୍ଦର୍ଯ୍ୟ ବିଶେଷଜ୍ଞା । ଆଧୁନିକ ପୋଷାକ ଓ ଆଧୁନିକ ବେଶ ବିନ୍ୟାସର ଆଦିଗୁରୁମା’, ଦ୍ୱାପର ଯୁଗର ସେହି କୁବ୍ଜା । ଆଜିକାଲି ଅବଶ୍ୟ ବେଶଭୂଷା ଶିଳ୍ପାୟନରେ ଖୁବ୍ ସୁନ୍ଦର ସୁନ୍ଦରୀ ଯୁବକ ଯୁବତୀ କର୍ମରତ । ଏହା ସେମାନଙ୍କର ଏବେ ବୃତ୍ତିଗତ ଜୀବନର ଏକ କ୍ରମ ବିନ୍ୟାସ, ଏକ ସମ୍ଭ୍ରାନ୍ତଶୀଳ ଅବଲମ୍ୱନ ।

କେବଳ ଗୋଟିଏ ନୁହେଁ, ବରଂ ଗୀତ, ସ୍ୱର, ବାଦ୍ୟ ଓ ନୃତ୍ୟର ଏକତ୍ର ସମୀକରଣ ହେଲେ ଯାଇ, ଆସରଟା ଜମେ । ସେମିତି ଖାଲି ପୋଷାକ ନୁହେଁ, ବରଂ ତା’ ସହିତ ଆବଶ୍ୟକ ହୁଏ ମ୍ୟାଚିଙ୍ଗ୍ ଅଳଙ୍କାର ସହିତ ମହକ ମଞ୍ଜୁଳ ପ୍ରସାଧନର ପାଉଡ଼ର, ଲେପ, ସ୍ପ୍ରେ, ଅଙ୍ଗରାଗ ପରି ଅନେକ କିଛି । ଏହି ବେଶଭୂଷା, ଯୁଗ ସଂସ୍କୃତି ଏବଂ ସାମାଜିକ ପରମ୍ପରାର ମଧ୍ୟ ବାର୍ତ୍ତାବହ । ଏକ ଓଡ଼ିଶୀ ନୃତ୍ୟାଙ୍ଗନାର ପୋଷାକ ଆଞ୍ଚଳିକ ଶୈଳୀ-ସମ୍ଭ୍ରମ ପୁରାତନ ଐତିହ୍ୟର ବାହକ ହେଲା ବେଳେ, ବାର୍‌ନୃତ୍ୟାଙ୍ଗନାର ପୋଷାକ ପରୀକ୍ଷାନିରୀକ୍ଷାର ଏକ ବିଶ୍ୱାୟନ ପ୍ରକ୍ରିୟା । ଜଙ୍ଗଲରେ କୌଣସି ଏକ ଗୁଳ୍ମ ଖୋଜିଲା ପରି ଜଗତୀକରଣ-ଜଙ୍ଗଲରେ ଆପଣାର ସଂସ୍କୃତି, ଭାଷା, ଗୀତ, ନାଚ, ଛନ୍ଦ, ଲାଳିତ୍ୟ, ବେଶଭୂଷା, ଅଳଙ୍କାର. . . ଏମିତି ଅନେକ କିଛି, ଅଳତାରୁ ଓଢ଼ଣା ଯାଏ କିମ୍ୱା ଗୋଡ଼ ମୁଦିଠାରୁ ମଥାମଣି ଯାଏ ଖୋଜିବାକୁ ହୁଏ । ବେଶଭୂଷା ଏବଂ ଆନୁଷଙ୍ଗିକ ଭୂଷଣ ସାମଗ୍ରୀ, ଦେହଟିର ବୟସ ଏତେ ପରିମାଣରେ କମେଇଦିଏ ଯେ, ସେଠି ମଧ୍ୟ ପ୍ରକୃତ ବୟସକୁ ଖୋଜିବାକୁ ହୁଏ । ହୁଏତ, ଏକ ଅନୁସନ୍ଧାନର ଆବଶ୍ୟକତା ପଡ଼େ ।

ଏହି ପୋଷାକ-ପ୍ରସାଧନର ଯାତ୍ରୀ ଗୋଟିଏ ଥୋକରେ ଆଦିମତାରୁ ଆଧୁନିକତା ତ, ଅନ୍ୟ ଥୋକରେ ପୁଣି ଅତ୍ୟାଧୁନିକତାରୁ ପୁରୁଣାକାଳିଆ ପଣତକାନିର ପ୍ରାଣପ୍ରାଚୁର୍ଯ୍ୟ-ପଣ । ଗୃହଗମ୍ଭୀରପଣର ଲଜ୍ଜାବତୀ ଲଳନାର ଲାଳିତ୍ୟଠାରୁ, ବିଶ୍ୱବଜାର ଭିତରେ ସୌନ୍ଦର୍ଯ୍ୟକୁ ମାପିଚୁପି ମୂଲଚାଲ କରି ତଉଲି ତାଉଲି ରୂପଚର୍ଯ୍ୟାର ରାଣୀ ବିଶ୍ୱସୁନ୍ଦରୀ ଭାବରେ ମନୋନୀତ ହେବାଯାଏ, ବହୁ କିଛି ଉଠାପକା ଏଇ ଯାତ୍ରା । କେତେବେଳେ ଏ ପୋଷାକ ଦେହର ଅଙ୍ଗ ଅବୟବକୁ ସାମାଜିକ ସାଞ୍ଜୁ ପରି ସାହାରାରେ ଛାୟା ପ୍ରଦାନ କରି ଦୃଷ୍ଟି ଆଢୁଆଳରେ ରଖେ ତ, କେତେବେଳେ ଇନ୍ଦ୍ରିୟରେ ଉନ୍ମାଦର ଊର୍ମିତୋଳି ବିସ୍ଫାରିତ ନୟନକୁ ଉଚ୍ଚାଟିତ, ବିମୋହିତ କରେ । କେତେବେଳେ ଏ ପୋଷାକ ଯେତେ ବିଶାଳ ସେତେ ଭଦ୍ରଭାବରେ ମାନ୍ୟତା ପାଉଥିବା ବେଳେ, କେତେବେଳେ ଯେତେ କ୍ଷୁଦ୍ର ସେତେ ମଧ୍ୟ ଭଦ୍ର ସମ୍ଭ୍ରାନ୍ତ ବିବେଚିତ ହୁଏ । ଆଖି ସହିତ ପୋଷାକ ଲାଖିଗଲା ପରେ ସାମାଜିକ ପରମ୍ପରା ବଦଳିଯିବା ସହିତ ନୈତିକ ମୂଲ୍ୟବୋଧ ମଧ୍ୟ ଆପେ ଆପେ ବଦଳିଯାଏ । ରତ୍ନାକରରୁ ବାଲ୍ମୀକି, ବଟୁଆରୁ ଆଟାଚି ଏବଂ କାନିଗଣ୍ଠିରୁ ଭ୍ୟାନିଟି ବ୍ୟାଗ୍ ଏହାର କ୍ରମ ଉତ୍ତରଣ । ପୋଷାକ ପିନ୍ଧିବା ପ୍ରକୋଷ୍ଠରୁ ପୋଷାକକୁ ଫିଙ୍ଗିବା ପ୍ରକୋଷ୍ଠ ଯାଏ ଏହାର ଧାଁ ଦଉଡ଼ । ବସ୍ତ୍ରାଭରଣ ଠାରୁ ବସ୍ତ୍ରହରଣ ଏବଂ ଲାଜ ଉଢ଼ାଳଠାରୁ ଏକ ଫୂର୍ତ୍ତିଫୁଙ୍ଗୁଳା ଉଚ୍ଛୃଙ୍ଖଳତା ପର୍ଯ୍ୟନ୍ତ ଏହାର ପ୍ରତିବେଦନର ଧ୍ୱନି ପ୍ରତିଧ୍ୱନି ।

ଏହି ରକ୍ତମାଂସ ହାଡ଼ ପଞ୍ଜରା ଖଞ୍ଜା ଦେହ, କାଳକାଳ ଲଙ୍ଗଳା ଫୁଙ୍ଗୁଳା । ଏହି ଅମୂଲ୍ୟ ଦେହ-ସମ୍ପଦକୁ ଘୋଡ଼େଇ ଲୁଚେଇବା ପାଇଁ ପୋଷାକ ପରିପାଟ୍ଟୀ ଓ ଭୂଷଣ ଆଭୂଷଣର ଆବଶ୍ୟକତା ସହିତ ଲଜ୍ଜା ଭୂଷଣର ବି ଆବଶ୍ୟକତା ଥାଏ । ଆଦି ସମୟର ସେହି ଦେହକୁ ମାତ୍ରାନୁସାରେ ଫୁଙ୍ଗୁଳା ରଖି, ସୌନ୍ଦର୍ଯ୍ୟର ସଂଜ୍ଞାକୁ ଏକ ନୂତନ ରୂପରେଖ ଓ ପରିସର ଦେବା ପାଇଁ ଅତ୍ୟାଧୁନିକ ସମାଜ ଅତିଶୟ ବ୍ୟଗ୍ର । ଏପରି ଏକ ବ୍ୟଗ୍ରତାର ପରିପ୍ରକାଶ ଏହି ଅତ୍ୟାଧୁନିକ ପୋଷାକ । ଏଥିରେ କୌତୂହଳ ଓ ଉତ୍ତେଜନା ସୃଷ୍ଟି କରିବାକୁ ସମସ୍ତ ସାମର୍ଥ୍ୟ ନିହିତ । ଏହି ବସ୍ତ୍ର-ବିବସ୍ତ୍ର-ବର୍ଣ୍ଣିଳ ଅତ୍ୟାଧୁନିକ ଅବବୋଧକୁ ବୋଧହୁଏ, ଉପେନ୍ଦ୍ର ଭଞ୍ଜ ଅଥବା ଓମାର ଖାଁ ସାର୍ଥକ କାବ୍ୟକବିତାର ଭାଷାରେ ଭାବମୟ କରିପାରିବେ କି ନା, ତାହା ଆଲୋଚନା ସାପେକ୍ଷ । ତଥାପି ସେମାନଙ୍କର ସମୟୋପଯୋଗୀ ନୂତନ ସଂସ୍କରଣର ଆବଶ୍ୟକତା ପଡ଼ିପାରେ ।

ପୋଷାକ ପରିପାଟ୍ଟୀ ଏବଂ ଭୂଷଣ ଆଭୂଷଣ ତାଙ୍କର ଯେମିତି ପରିଚୟ ଦେଇ, ନିଜ ନିଜର ପରାକାଷ୍ଠା ଦେଖାନ୍ତୁ ନା କାହିଁକି, ସେଥିରେ ଦେହ ନିଶ୍ଚିନ୍ତ ଓ ନିଶ୍ଚଳ । ହିମାଳୟକୁ ପୋଷାକ ପିନ୍ଧାଇବା କିମ୍ୱା ଫୁଙ୍ଗୁଳା କରିବା ଯାହା, ଦେହକୁ ବି ପୋଷାକ ପିନ୍ଧାଇବା ନ ପିନ୍ଧାଇବା ତାହା । ପୋଷାକ ସହିତ ତା’ର ସମ୍ପର୍କ ବା କେତେ ? ତା’ର ସେଥିରେ ଯାଏ ଆସେ ବା କେତେ ? ଦେହ ଆସିଛି ଲଙ୍ଗଳା, ଫେରିଯିବ ହିଁ ଲଙ୍ଗଳା । ସେହି ପୋଷାକ-ବିଜ୍ଞାନୀ ପୋଷାକ ପିନ୍ଧାଳି ଏବଂ ପୋଷାକ ବିକାଳି ଯେତେ ଯାହା ହରବର ହଟହଟା ହେଉଥିବାର ହୁଅନ୍ତୁ ।

ଲୋକପ୍ରିୟ ଲେଖା

To Top