ପ୍ରବନ୍ଧ

ପ୍ରେରଣାବିହୀନ ସାହିତ୍ୟ

Dr Chhayakanta Sarangi's Odia Prose PRERANABIHINA SAHITYA

ସାହିତ୍ୟ ସୃଷ୍ଟି ପଛରେ ଯଦି କୌଣସି ପ୍ରେରଣା ନ ଥାଏ ସେ ସୃଷ୍ଟି କାଳଜୟୀ ହୁଏ ନାହିଁ ଓ ହୃଦୟକୁ ସ୍ପର୍ଶ କରେ ନାହିଁ । ଯେତେବେଳେ କୌଣସି ଘଟଣା ଲେଖକଙ୍କର ହୃଦୟକୁ ଆନ୍ଦୋଳିତ କରେ ତଜ୍ଜନିତ ଭାବୋଚ୍ଛ୍ୱାସ କବିତା ଭାବରେ ଆତ୍ମପ୍ରକାଶ କରେ ।

ପ୍ରେରଣାବିହୀନ ସାହିତ୍ୟ

ଅତୀତରେ ସାହିତ୍ୟିକମାନଙ୍କୁ ରାଜାମାନେ ବିଭିନ୍ନ ଉପାଧିରେ ଭୂଷିତ କରୁଥିଲେ ଓ ରାଜଦରବାରରେ ସ୍ଥାନ ଦେଉଥିଲେ । ପରବର୍ତ୍ତୀ କାଳରେ ସାହିତ୍ୟ ସମାଲୋଚକ ଓ ବିଦଗ୍‌ଧ ପାଠକ ସାହିତ୍ୟିକମାନଙ୍କ ସୃଷ୍ଟିର କଥାବସ୍ତୁ ଓ ସାହିତ୍ୟ ଜଗତରେ ସେମାନଙ୍କ ଭୂମିକାକୁ ବିଚାରକୁ ନେଇ ଭକ୍ତକବି, ପ୍ରକୃତିକବି, କବିବର, ଯୁଗସ୍ରଷ୍ଟା ଇତ୍ୟାଦି ଭାବରେ ବର୍ଣ୍ଣନା କରି ସମ୍ମାନିତ କରୁଥିଲେ । ଏବେ ପାଠକୀୟ ସ୍ୱୀକୃତିକୁ ଏକ ଆନୁଷ୍ଠାନିକ ରୂପ ଦେବାକୁ ଯାଇ ପୁରସ୍କାର ବ୍ୟବସ୍ଥା ପ୍ରଚଳନ କରାଯାଉଛି ଓ ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ରସ୍ତରରେ ସାହିତ୍ୟ ଏକାଡେ଼ମୀ ପ୍ରତିଷ୍ଠା କରାଯାଇଛି । କାଳଜୟୀ ଲେଖକମାନଙ୍କୁ ପ୍ରୋତ୍ସାହନ ଦେବା ଏହି ପୁରସ୍କାର ପ୍ରଦାନର ଲକ୍ଷ୍ୟ । ମାତ୍ର ବେଳେବେଳେ ପୁରସ୍କାର ଚୟନ କମିଟିର ସଦସ୍ୟମାନେ ନିରପେକ୍ଷ ଓ ଗୁଣଗ୍ରାହୀ ନ ହୋଇ ପ୍ରଭାବିତ ହେଉଥିବାରୁ ପୁରସ୍କାର ଯୋଗ୍ୟ ପୁସ୍ତକ ଚୟନରେ ତ୍ରୁଟି ରହିଯାଉଛି ଓ ଅଯୋଗ୍ୟ ପୁସ୍ତକ ପୁରସ୍କୃତ ହେଉଛି । ଅନେକ ସମୟରେ ପୁରସ୍କାର ପ୍ରଦାନ କରିସାରିବା ପରେ ତ୍ରୁଟି ଆବିଷ୍କୃତ ହେଉଛି ଓ ପୁରସ୍କାର ଫେରସ୍ତ କରାହେଉଛି । ଏହାଦ୍ୱାରା ପାଠକୀୟ ସ୍ୱୀକୃତିର ସନ୍ତକ ଭାବରେ ଦିଆଯାଉଥିବା ପୁରସ୍କାର ଏକ ପ୍ରହସନରେ ପରିଣତ ହେଉଛି । ସମ୍ପ୍ରତି ଅନେକ ଲେଖକ ପୁରସ୍କାର ପାଇବା ପାଇଁ ଲେଖନୀ ଚାଳନା କରୁଛନ୍ତି । ଚାକିରୀ, ବ୍ୟବସାୟ ଓ ରାଜନୀତି କ୍ଷେତ୍ରରେ ଯେପରି ଉଚ୍ଚାଭିଳାଷ ଥାଏ ଏବେ ସାହିତ୍ୟ କ୍ଷେତ୍ରରେ ବି ତାହା ପରିଲକ୍ଷିତ ହେଉଛି । ଜଣେ ପ୍ରତିଭାବାନ୍ ବ୍ୟକ୍ତି ଉଚ୍ଚାଭିଳାଷୀ ହୋଇପାରେ, ମାତ୍ର ଉଚ୍ଚାଭିଳାଷୀ ପ୍ରତିଭାବାନ୍ ନ ହୋଇପାରେ । ଆଜି ପ୍ରତିଭା ନଥାଇ ଉଚ୍ଚାଭିଳାଷୀ ହେଉଥିବା ସାହିତ୍ୟିକ ଓ କଳାକାରମାନଙ୍କ ସଂଖ୍ୟା ଅନେକ ।

ଏବେ ପୁରସ୍କାର ଅମଳ କରିବା ପାଇଁ ସାହିତ୍ୟ ଚାଷ ଆରମ୍ଭ ହୋଇଛି ଏବଂ ପ୍ରାବନ୍ଧିକ, କବି, ଗାଳ୍ପିକମାନଙ୍କ ସଂଖ୍ୟା କ୍ରମେ ବଢ଼ିଚାଲିଛି । ଅତୀତରେ ଲୋକବିଶ୍ୱାସ ଥିଲା ଯେ କବି ଜନ୍ମ ହୁଅନ୍ତି, ତିଆରି ହୁଅନ୍ତି ନାହିଁ । ଅର୍ଥାତ୍ ଚେଷ୍ଟା କରି ବା ପରିଶ୍ରମ କରି କେହି କେବେ କବି ବା ସାହିତ୍ୟିକ ହୋଇପାରେ ନାହିଁ । କେହି କେହି ବିଶ୍ୱାସ କରନ୍ତି ଯେ ଦୈବୀ ପ୍ରେରଣା ବିନା ସାହିତ୍ୟ ସୃଷ୍ଟି ଅସମ୍ଭବ । ଏଣୁ ପ୍ରାଚୀନ କବିମାନେ ସେମାନଙ୍କ ଇଷ୍ଟଦେବଙ୍କୁ ସ୍ମରଣ ଓ ଆବାହନ କରି କାବ୍ୟକବିତା ଲେଖୁଥିଲେ । କିମ୍ୱଦନ୍ତୀ କହେ ସାରଳା ଦାସ ଝଙ୍କଡ଼ବାସିନୀ ମା’ ଶାରଳାଙ୍କ କୃପାରୁ କବି ହୋଇପାରିଥିଲେ । କବିସମ୍ରାଟ୍ ଉପେନ୍ଦ୍ର ଭଞ୍ଜ ରାମତାରକ ମନ୍ତ୍ର ସାଧନରେ ସିଦ୍ଧି ଲାଭ କରିବା ପରେ କବିତ୍ୱ ପ୍ରାପ୍ତ ହୋଇଥିଲେ । ଇଂରେଜ କବି ଉଇଲିୟମ୍ ବ୍ଲେକ୍ ମଧ୍ୟ ବିଶ୍ୱାସ କରୁଥିଲେ ଯେ ସେ ଲେଖିବା ବେଳେ ତାଙ୍କୁ ଏକ ଅତିଭୌତିକ ସତ୍ତା ପ୍ରେରଣା ଦେଉଥିଲା । ସେ ନିଜେ କହିଛନ୍ତି- “ଆଇ ରାଇଟ୍ ହ୍ୱେନ୍ କମାଣ୍ଡଡେଡ୍ ବାଏ ଦି ସ୍ପିରିଟ୍ସ ଆଣ୍ଡ୍ ଦି ମୋମେଣ୍ଟ୍ ଆଇ ହାବ୍ ରିଟେନ୍, ଆଇ ସି ଦି ୱାର୍ଡସ୍ ଫ୍ଲାଏ ଏବାଉଟ୍ ଦି ରୁମ୍ ଇନ୍ ଅଲ୍ ଡିରେକ୍ସନ୍ ।” ସାହିତ୍ୟ ସୃଷ୍ଟିର ଅନ୍ତରାଳରେ ଅତିଭୌତିକ ଶକ୍ତିର ଭୂମିକା ଅଛି ନା ନାହିଁ ତାହା ଭିନ୍ନ କଥା । ମାତ୍ର ଏହା ଅବଶ୍ୟ ସ୍ୱୀକାର୍ଯ୍ୟ ଯେ ପ୍ରେରଣା ଆସେ ହୃଦୟ ଭିତରୁ । ସାହିତ୍ୟ ସୃଷ୍ଟି ପଛରେ ଯଦି କୌଣସି ପ୍ରେରଣା ନ ଥାଏ ସେ ସୃଷ୍ଟି କାଳଜୟୀ ହୁଏ ନାହିଁ ଓ ହୃଦୟକୁ ସ୍ପର୍ଶ କରେ ନାହିଁ । ଯେତେବେଳେ କୌଣସି ଘଟଣା ଲେଖକଙ୍କର ହୃଦୟକୁ ଆନ୍ଦୋଳିତ କରେ ତଜ୍ଜନିତ ଭାବୋଚ୍ଛ୍ୱାସ କବିତା ଭାବରେ ଆତ୍ମପ୍ରକାଶ କରେ । ବ୍ୟାଧ ଦ୍ୱାରା କ୍ରୌଞ୍ଚପକ୍ଷୀର ନିଧନ ବାଲ୍ମୀକିଙ୍କ ହୃଦୟକୁ ଆନ୍ଦୋଳିତ କରିଥିଲା ଓ ସେହି ଉଦ୍‌ବେଳିତ ଭାବରୁ ସୃଷ୍ଟି ହେଲା ପ୍ରଖ୍ୟାତ ମହାକାବ୍ୟ ରାମାୟଣ । ଚିଲିର କବୟିତ୍ରୀ ଗାବ୍ରିଏଲ୍ ମିଷ୍ଟ୍ରାଲ୍ ଦିନେ ସୂର୍ଯ୍ୟାସ୍ତ ସମୟରେ ଗହମ କ୍ଷେତ ବାଟେ ଘରକୁ ଫେରୁଥିଲେ । ଜଣେ ଗର୍ଭବତୀ ନାରୀଶ୍ରମିକକୁ କେତେକ ପୁରୁଷ ରୂଢ଼ ମନ୍ତବ୍ୟ ଦେଇ ଉପହାସ କରୁଥିବାର ଦୃଶ୍ୟ ତାଙ୍କୁ ଏତେ ଆଘାତ କଲା ଯେ ସେ ରାତିସାରା ଶୋଇପାରି ନଥିଲେ । ସେ ଅନୁଭବ କରିଥିଲେ ମାତୃତ୍ୱର ଅସହାୟତା ଓ ସେହି ରାତିରେ ଲେଖିଲେ ମାତୃତ୍ୱର ଗରିମା ଉପରେ ତାଙ୍କର ପ୍ରଥମ କବିତା । ପରବର୍ତ୍ତୀ ସମୟରେ ସେ ଯେତେ କବିତା ଲେଖିଥିଲେ ସବୁଥିରେ ମୂଳ ବିଷୟବସ୍ତୁ ଥିଲା ମା’ ଓ ଶିଶୁ । ସେ ତାଙ୍କର ସାହିତ୍ୟିକ କୃତି ପାଇଁ ନୋବେଲ୍ ପୁରସ୍କାର ପାଇଲେ । ପ୍ରେରଣାର ସ୍ୱତଃସ୍ଫୂର୍ତ୍ତ ପ୍ରକାଶ ହିଁ କାଳଜୟୀ ସାହିତ୍ୟର ମୂଳକଥା ।

ସଂସାରର ବିବିଧ ଘଟଣା ଉଦ୍ଦୀପନ ବିଭାବ ଭାବରେ ଲେଖକର ହୃଦୟକୁ ଆନ୍ଦୋଳିତ କରେ ଓ ସାହିତ୍ୟ ସୃଷ୍ଟିର କ୍ଷେତ୍ର ପ୍ରସ୍ତୁତ କରେ । ହୃଦୟ ହିଁ ସାହିତ୍ୟିକ ପ୍ରେରଣାର ଉତ୍ସ । ମାତ୍ର ବିନା ପ୍ରେରଣାରେ କେବଳ ପୁରସ୍କାର ପାଇବା ପାଇଁ ସାହିତ୍ୟିକ ହେବାର ଉଦ୍ୟମ କଲେ କଳାର ଅପମୃତ୍ୟୁ ହୁଏ । ସଚ୍ଚା ଶିଳ୍ପୀ ବା ସାହିତ୍ୟିକ ତା’ର ସୃଷ୍ଟି ମଧ୍ୟରେ ଏତେ ମଜ୍ଜିଯାଇଥାଏ ଯେ, ସେ ପୁରସ୍କାର ବା ସମ୍ୱର୍ଦ୍ଧନାକୁ ତୁଚ୍ଛ ମଣିଥାଏ । ତା’ର କୃତି ଉଚ୍ଚ ମୂଲ୍ୟରେ ବିକ୍ରି ହେଉ ବା ସେ ଅନ୍ୟମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହେଉ ଏ ସ୍ୱପ୍ନ ସେ ଦେଖେ ନାହିଁ । ପୃଥିବୀର ସର୍ବଶ୍ରେଷ୍ଠ ଚିତ୍ର ମୋନାଲିସାର ଚିତ୍ରକର ଲିଓନାର୍ଡୋ ଦାଭିନ୍ସିଙ୍କ କ୍ଷେତ୍ରରେ ଏହା ହିଁ ପରିଲକ୍ଷିତ ହୁଏ । ଚିତ୍ରଶାଳାରେ ସେ ଅନେକ ବର୍ଷ ଧରି ମୋନାଲିସାଙ୍କ ଚିତ୍ର ଆଙ୍କିବାରେ ମଜ୍ଜି ରହିଥାନ୍ତି । ମୋନାଲିସା ଥିଲେ ଜିଓକୋଣ୍ଡା ନାମକ ଜଣେ ବଣିକଙ୍କ ପତ୍ନୀ । କିମ୍ୱଦନ୍ତୀ କହେ ସେହି ଭଦ୍ରମହିଳା ପ୍ରତିଦିନ ଆସି ଶିଳ୍ପୀଙ୍କ ପାଖରେ ବସୁଥିଲେ । ସେ ଯେପରି ତାଙ୍କର ମୃଦୁହସରୁ ବିରତ ନ ହେବେ ସେଥିପାଇଁ ପଟ୍ଟଭୂମିରେ ମଧୁର ସଙ୍ଗୀତ ବାଦନର ବ୍ୟବସ୍ଥା କରାଯାଇଥିଲା । ମହିଳାଙ୍କ ମୁହଁ ବିରସ ଦେଖାଗଲେ ହାସ୍ୟକର ଭଙ୍ଗୀ ଫେରାଇ ଆଣିବା ପାଇଁ ବିଦୂଷକମାନେ ନିଯୁକ୍ତ ହୋଇଥିଲେ । ଶିଳ୍ପୀଙ୍କର ସେହି ମୋନାଲିସା ଛବିଟି ଅସମ୍ପୂର୍ଣ୍ଣ ଥିବାବେଳେ ହଠାତ୍ ଦିନେ ପହଞ୍ଚିଲେ ରାଜା ଫ୍ରାନ୍ସିସ୍ । ସେତେବେଳକୁ ମୋନାଲିସାଙ୍କ ମୃତ୍ୟୁ ହୋଇସାରିଥିଲା । ମୋନାଲିସାଙ୍କ ଲାସ୍ୟମୟୀ ଓ ହାସ୍ୟମୟୀ ଛବିକୁ ଦେଖି ରାଜା ଅଭିଭୂତ ହୋଇଗଲେ । ସେ ଛବିଟିକୁ କିଣି ନେବା ପାଇଁ ଇଚ୍ଛା ପ୍ରକାଶ କରିବାରୁ ଲିଓନାର୍ଡୋ କହିଲେ, “ମହାରାଜ ! ଛବିଟି ଏ ପର୍ଯ୍ୟନ୍ତ ମୁଁ ଶେଷ କରି ନାହିଁ ।” ତଥାପି ରାଜା ସେହି ଛବିଟିକୁ କିଣି ନେବାକୁ ଚାହିଁଲେ ଓ ଚାରିହଜାର କ୍ରାଉନ୍ ମୂଲ୍ୟ ଯାଚିଲେ । ମାତ୍ର ଶିଳ୍ପୀ ଆତୁର ଆଖିରେ ରାଜାଙ୍କ ଆଡ଼କୁ ଚାହାନ୍ତି, କୌଣସି ମୂଲ୍ୟର ବିନିମୟରେ ମଧ୍ୟ ସେଇଟିକୁ ହାତଛଡ଼ା କରିବାକୁ ଚାହାନ୍ତି ନାହିଁ । ମାତ୍ର ଭୟରେ ସେ ରାଜାଙ୍କୁ କିଛି କହି ନ ପାରି ନିରବ ରହିଲେ । ପରଦିନ ରାଜକର୍ମଚାରୀ ସେହି ଛବିଟିକୁ ସେଠାରୁ ନେଇଯିବେ କହି ରାଜା ଚାଲିଗଲେ । ମାତ୍ର ଲିଓନାର୍ଡୋଙ୍କୁ ସାରା ରାତି ନିଦ ହେଲା ନାହିଁ । ରାତି ଅଧରେ ସେ ରାଜଦରବାରକୁ ଯାଇ ସାକ୍ଷାତ୍ କଲେ ରାଜାଙ୍କୁ । ସେ ଅତି କାତର ଭାବରେ କହିଲେ, “ମହାରାଜ ! ସେହି ଛବି ବିନା ମୁଁ ବଞ୍ଚିପାରିବି ନାହିଁ । ମୁଁ ମରିବା ପର୍ଯ୍ୟନ୍ତ ଏ ଛବିଟି ମୋ ପାଖରେ ଥାଉ ।” ଚିତ୍ରକରର ଚିତ୍ରପ୍ରେମ ଦେଖି ରାଜା ଚକିତ ହୋଇଗଲେ ଓ ଲିଓନାର୍ଡୋଙ୍କ ଅନୁରୋଧ ରକ୍ଷା କଲେ ।

ସଚ୍ଚା ସାହିତ୍ୟିକ ବା ଶିଳ୍ପୀ ଲିଓନାର୍ଡୋଙ୍କ ଭଳି ତା’ର ସୃଷ୍ଟିକୁ ପଣ୍ୟଦ୍ରବ୍ୟ କରିପାରେ ନାହିଁ । କୌଣସି ପୁରସ୍କାର ବା ସମ୍ମାନ ପଛରେ ନ ଧାଇଁ ସେ କରିଚାଲେ ସୃଷ୍ଟି ପରେ ସୃଷ୍ଟି । ହୁଏତ ବିଦଗ୍‌ଧ ପାଠକ ତା’ର କଳାରେ ଅଭିଭୂତ ହୋଇ ତାକୁ ସମ୍ମାନିତ ବା ପୁରସ୍କୃତ କରିବା ପାଇଁ ଚାହିଁପାରେ । ମାତ୍ର ସଚ୍ଚା ସାହିତ୍ୟିକର ସେଥିପ୍ରତି ନଜର ନ ଥାଏ । ତା’ର ସଂସାର ହେଉଛି ଅନ୍ତରଙ୍ଗ ହେବାର ସଂସାର, ଶ୍ରଦ୍ଧାର ସଂସାର । ସେ ତା’ର ସୃଷ୍ଟି ପାଇଁ ବେଞ୍ଚ ଓ ନିଷ୍ଠାର ସହ ତାକୁ ହିଁ ଆକାଂକ୍ଷା କରେ । ଆଜି ସମୟ ବଦଳିଯାଇଛି । ପୁରସ୍କାର ବ୍ୟବସ୍ଥା ପ୍ରଚଳନ ହେବା ଦ୍ୱାରା ସାହିତ୍ୟ କ୍ଷେତ୍ରରେ ବି ପ୍ରତିଯୋଗିତା ଆରମ୍ଭ ହୋଇଛି । ସାହିତ୍ୟ ସୃଷ୍ଟି ଅନ୍ତରାଳରେ ସ୍ୱତଃସ୍ଫୂର୍ତ୍ତ ପ୍ରେରଣା ନାହିଁ । ପୁରସ୍କାର ମୋହରେ ଲିଖିତ ଏହି ପ୍ରକାର ସାହିତ୍ୟକୁ ସଚ୍ଚା ସାହିତ୍ୟ କୁହାଯାଇପାରିବ ନାହିଁ । ଏହା ହେଉଛି ଅପସାହିତ୍ୟ, କାରଣ ଏହାର ସୃଷ୍ଟି ପଛରେ ଲେଖକର କୌଣସି ନିଜସ୍ୱ ଅନୁଭୂତି ନାହିଁ କି ପ୍ରେରଣା ନାହିଁ, ରହିଛି କେବଳ ଅନୁକରଣ । ଆଜି ଏହି ଅପସାହିତ୍ୟର ଯୁଗରେ ବିଶିଷ୍ଟ କଥାକାର ମନୋଜ ଦାସଙ୍କ ପରିବେଷିତ ଏକ କ୍ଷୁଦ୍ର କାହାଣୀ ସଚ୍ଚା ସାହିତ୍ୟିକର ପ୍ରକୃତ ଦୃଷ୍ଟିଭଙ୍ଗୀକୁ ପ୍ରତିଫଳିତ କରେ । ସ୍ୱାସ୍ଥ୍ୟଗତ କାରଣରୁ ଏକ ନିର୍ଜନ କୋଠିରେ ରହୁଥିଲେ ଜଣେ ଶେଠ୍ । ପ୍ରତ୍ୟେକ ପ୍ରତ୍ୟୁଷରେ ସେ କୌଣସି ଏକ ମଧୁର କଣ୍ଠରୁ ଭକ୍ତି ସଙ୍ଗୀତ ଶୁଣି ମୁଗ୍ଧ ହୁଅନ୍ତି । ସେ ଜାଣିବାକୁ ପାଇଲେ ଯେ ଜଣେ ବାରବୁଲା ସାଧୁ ରାତିରେ ତାଙ୍କ ବାହାର ବାରଣ୍ଡାରେ ଆଶ୍ରୟ ନିଅନ୍ତି ଓ ସକାଳେ ଗୀତ ବୋଲନ୍ତି । ଦିନେ ସକାଳେ ଶେଠ୍ ତାଙ୍କ ସଙ୍ଗୀତରେ ମୁଗ୍ଧ ହୋଇ ତାଙ୍କୁ ଏକଶତ ଟଙ୍କା ପୁରସ୍କାର ଦେଲେ ଓ ଏକ ନିର୍ଦ୍ଦିଷ୍ଟ ସଙ୍ଗୀତକୁ ସବୁଦିନ ଗାଇବା ପାଇଁ ଅନୁରୋଧ କଲେ । ସାଧୁଜଣକ ଟଙ୍କା ଗ୍ରହଣ କଲେ ଓ ଅନେକ ଦିନ ସେହି ଗୀତଟିକୁ ଗାଇବା ପରେ ହଠାତ୍ ଦିନେ ସେହି ଚଙ୍କା ଶେଠ୍‌ଙ୍କୁ ଫେରାଇ ଦେଇ କହିଲେ, “ବାବୁ ମୁଁ ସବୁଦିନ ଗୀତ ବୋଲିଥିଲି ମୋ ଆତ୍ମାର ସନ୍ତୋଷ ପାଇଁ । କିଛିଦିନ ହେଲା ଗୀତ ବୋଲୁଛି ତୁମ ସନ୍ତୋଷ ପାଇଁ । ସେଥିରେ ମୋର ଆତ୍ମା ବିଦ୍ରୋହ କରୁଛି ।” ସାଧୁ ଚାଲିଗଲେ ଓ ଆଉ ଶେଠ୍‌ଙ୍କୁ ସନ୍ତୁଷ୍ଟ କରିବା ପାଇଁ ସଙ୍ଗୀତ ଗାଇଲେ ନାହିଁ । ଜଣେ ସଚ୍ଚା ସାହିତ୍ୟିକ ପାଇଁ ଏହି ସାଧୁଜଣକ ଏକ ଆଦର୍ଶ ନୁହଁନ୍ତି କି ?

ଲୋକପ୍ରିୟ ଲେଖା

To Top