ପ୍ରବନ୍ଧ

ରାଜନୀତିରେ ବନ୍ଧୁତା

ଭାରତର ମେଣ୍ଟ ରାଜନୀତି ଅସୁସ୍ଥ ହୋଇପଡ଼ିଛି । ବନ୍ଧୁତାରେ ବିଶ୍ୱାସଘାତକତା ହିଁ ଏହାର ମୂଳ କାରଣ ।

ରାଜନୀତିରେ ବନ୍ଧୁତା

ମହାଭାରତର କଥା । କୌରବ ଓ ପାଣ୍ଡବମାନଙ୍କର ଶିକ୍ଷା ସମାପ୍ତ ହେବା ପରେ ଏକ ଅସ୍ତ୍ର ପରୀକ୍ଷାର ଆୟୋଜନ କରାଗଲା । ଅର୍ଜୁନ ତାଙ୍କର ସମସ୍ତ ଅସ୍ତ୍ରକୌଶଳ ପ୍ରଦର୍ଶନ କରି ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଦେଲେ । ସେଠାରେ ହଠାତ୍ କର୍ଣ୍ଣ ପହଞ୍ଚି ଦାବି କଲେ ଯେ, ସେ ମଧ୍ୟ ସେହି ସବୁ ଅସ୍ତ୍ରକୌଶଳ ପ୍ରଦର୍ଶନ କରିବା ପାଇଁ ସମର୍ଥ । ସେ ଅର୍ଜୁନକୁ ଯୁଦ୍ଧ ପାଇଁ ଆହ୍ୱାନ କରନ୍ତେ କୃପାଚାର୍ଯ୍ୟ କହିଲେ, “ଅର୍ଜୁନ ଜଣେ ରାଜପୁତ୍ର । ଏଣୁ ସେ ସମବଂଶୀୟ ଯୋଦ୍ଧାଙ୍କ ସହ ଯୁଦ୍ଧ କରିବେ । ଏଣୁ ବତ୍ସ କର୍ଣ୍ଣ ! ତୁମର ବଂଶ ପରିଚୟ କ’ଣ ?” ଏହା ଶୁଣି କର୍ଣ୍ଣ ସୂତପୁତ୍ର ଭାବରେ ପରିଚିତ ଥିବାରୁ ନିଜକୁ ଅପମାନିତ ବୋଧ କଲେ । ମାତ୍ର ସେହି ସମୟରେ ଦୁର୍ଯ୍ୟୋଧନ କର୍ଣ୍ଣଙ୍କୁ ଅଙ୍ଗରାଜ୍ୟର ରାଜା ଭାବରେ ଅଭିଷିକ୍ତ କରି ତାଙ୍କୁ ସେହି ଅପମାନରୁ ମୁକ୍ତ କଲେ । କର୍ଣ୍ଣ ଦୁର୍ଯ୍ୟୋଧନଙ୍କୁ କହିଲେ “ମୋତେ ତୁମେ ରାଜ୍ୟ ଦାନ କରିଛ । ତା’ ପ୍ରତିବଦଳରେ ମୁଁ ତୁମକୁ କ’ଣ ଦେଇପାରେ ?” ଦୁର୍ଯ୍ୟୋଧନ ଉତ୍ତର ଦେଲେ, “ମୁଁ କିଛି ଚାହେଁନା । କେବଳ ତୁମର ବନ୍ଧୁତା ଚାହେଁ ।” ସେହି ବନ୍ଧୁତାକୁ ଅକ୍ଷୂର୍ଣ୍ଣ ରଖିବା ପାଇଁ କର୍ଣ୍ଣ ନିଜ ଜୀବନକୁ ଦୁର୍ଯ୍ୟୋଧନ ପାଇଁ ଉତ୍ସର୍ଗ କରି ଦେଇଥିଲେ । ପରେ ନିଜକୁ କୁନ୍ତୀପୁତ୍ର ଭାବରେ ଆବିଷ୍କାର କରିଥିଲେ ହେଁ ଏବଂ ଦୁର୍ଯ୍ୟୋଧନର ଖଳ ପ୍ରବୃତ୍ତି ବିଷୟରେ ଅବଗତ ଥିଲେ ହେଁ ସେ ଦୁର୍ଯ୍ୟୋଧନକୁ କେବେ ପରିତ୍ୟାଗ କରିନଥିଲେ । ମାତ୍ର ଦୁର୍ଭାଗ୍ୟର ବିଷୟ ଯେ ସମସାମୟିକ ରାଜନୀତି ବନ୍ଧୁତା ଭଳି ମହାର୍ଘ ସମ୍ପର୍କକୁ ଅତ୍ୟନ୍ତ ବିକୃତ ପର୍ଯ୍ୟାୟକୁ ଅବନମିତ କରିଛି । “ରାଜନୀତିରେ ସ୍ଥାୟୀ ବନ୍ଧୁତା ବୋଲି କିଛି ନାହିଁ ।” ଏହା ଏକ ବ୍ୟଙ୍ଗୋକ୍ତି । କିନ୍ତୁ ଏହା ଆଜି ରାଜନୈତିକ ନେତାମାନଙ୍କ ପାଇଁ ଏକ ଆଦର୍ଶ ରୂପେ ପରିଗଣିତ ହୋଇଛି ।

ସମ୍ପ୍ରତି ସ୍ୱାର୍ଥ ମିଳିତ ହେଲେ ଶତ୍ରୁ ମିତ୍ର ପାଲଟି ଯାଉଛି ଓ ସ୍ୱାର୍ଥ ବ୍ୟାହତ ହେଲେ ମିତ୍ର ବି ଶତ୍ରୁ ବନିଯାଉଛି । ବନ୍ଧୁତାର ଲକ୍ଷ୍ୟ କେବଳ କ୍ଷମତାରେ ଅଧିଷ୍ଠିତ ହେବା । କ୍ଷମତା ପ୍ରାପ୍ତି ପାଇଁ ବନ୍ଧୁ ବନ୍ଧୁକୁ ବିଶ୍ୱାସଘାତକତା କରୁଛି । ଦିନେ ଇଂରେଜ୍ ଚିନ୍ତାନାୟକ ଇ.ଏମ୍. ଫୋଷ୍ଟର କହିଥିଲେ, ଦେଶ ପ୍ରତି ବିଶ୍ୱାସଘାତକତା କରିବା ଓ ବନ୍ଧୁ ପ୍ରତି ବିଶ୍ୱାସଘାତକତା କରିବା ମଧ୍ୟରେ ଗୋଟିକୁ ବାଛିବାକୁ କହିଲେ, ମୁଁ ବନ୍ଧୁକୁ ବିଶ୍ୱାସଘାତକତା କରିବା ଅପେକ୍ଷା ଦେଶକୁ ବିଶ୍ୱାସଘାତକତା କରିପାରେ । ବନ୍ଧୁତାର ଏହି ମହାର୍ଘ ଅନୁଭୂତି ସାମ୍ପ୍ରତିକ ରାଜନୀତିରେ କଳୁଷିତ ହୋଇଯାଇଛି । ନିକଟରେ କର୍ଣ୍ଣାଟକର ରାଜନୀତିରେ ଘଟିଯାଇଥିବା ଘଟଣା ଏହାର ଏକ ଜ୍ୱଳନ୍ତ ଉଦାହରଣ । ଗତ ବିଧାନସଭା ନିର୍ବାଚନ ପରେ ବିଜେପି ପ୍ରଥମ କୋଡ଼ିଏ ମାସରୁ ମୁଖ୍ୟମନ୍ତ୍ରୀତ୍ୱ ମେଣ୍ଟର ସଂଖ୍ୟାଲଘୁ ଅଂଶୀଦାର ଜେ.ଡ଼ି.ଏସ୍. ବିଜେପିକୁ କ୍ଷମତା ହସ୍ତାନ୍ତର କରିବା କଥା । ମାତ୍ର ପ୍ରଥମ କୋଡ଼ିଏ ମାସ କ୍ଷମତା ଭୋଗ କରିସାରିବା ପରେ ଜେ.ଡ଼ି.ଏସ୍. ସୁପ୍ରିମୋ ଦେବଗୌଡ଼ା କ୍ଷମତା ହସ୍ତାନ୍ତର କରିବେ ନାହିଁ ବୋଲି ଜିଦ୍ ଧରିଲେ । ଫଳରେ ବି.ଜେ.ପି. ସମର୍ଥନ ପ୍ରତ୍ୟାହାର କଲା ଓ ସରକାର ଭାଙ୍ଗିଲା । ତା’ପରେ ଜେ.ଡ଼ି.ଏସ୍.ର ନେତା ଏମ୍.ପି. ପ୍ରକାଶ କଂଗ୍ରେସ ସମର୍ଥନରେ ସରକାର ଗଢ଼ିବା ପାଇଁ ପ୍ରଚେଷ୍ଟା ଚଳାଇବା ବେଳେ ଦେବଗୌଡ଼ା ନିଜ ପତିଆରା ହରାଇବା ଆଶଙ୍କାରେ ପୁଣି ବି.ଜେ.ପି.କୁ ସମର୍ଥନ ଦେବେ ବୋଲି ଘୋଷଣା କଲେ । ବି.ଜେ.ପି. ନେତା ୟେଦୁରାପ୍ପାଙ୍କ ନେତୃତ୍ୱରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେଲା । ମାତ୍ର ଆସ୍ଥା ଭୋଟର ଠିକ୍ ପୂର୍ବରୁ ହଠାତ୍ ପୁଣି ଜେ.ଡ଼ି.ଏସ୍. ବିଧାୟକ ଦଳ ୟେଦୁରାପ୍ପାଙ୍କୁ ସମର୍ଥନ ଦେବେ ନାହିଁ ବୋଲି ନିଷ୍ପତ୍ତି ନେବାରୁ ୟେଦୁରାପ୍ପା ଇସ୍ତଫା ଦେଲେ ଓ ସରକାର ପୁଣି ଭାଙ୍ଗିଗଲା । ବନ୍ଧୁତା ଯେ କେତେ ନିମ୍ନସ୍ତରକୁ ଚାଲିଯାଇପାରେ ଏହି ଘଟଣା ଏକ ଉଦାହରଣ । ଅବଶ୍ୟ ଏପରି ଘଟଣା ଭାରତୀୟ ରାଜନୀତିରେ ନୂଆ ନୁହେଁ । ପୂର୍ବରୁ ଉତ୍ତର ପ୍ରଦେଶରେ ବହୁଜନ ସମାଜ ପାର୍ଟିର ନେତ୍ରୀ ମାୟାବତୀ ବିଜେପି ପ୍ରତି ଠିକ୍ ଏହିଭଳି ବ୍ୟବହାର କରିଥିଲେ । ତାମିଲନାଡୁର କେ ଆନ୍ନା ଡି.ଏମ୍.କେ. ଦଳର ବ୍ୟବହାର ମଧ୍ୟ ଏହାଠାରୁ ଭିନ୍ନ ନ ଥିଲା । କିଛି ମାସ ତଳେ କାଶ୍ମୀରର ପି.ଡ଼ି.ପି. ଦଳ କଂଗ୍ରେସ ପ୍ରତି ଠିକ୍ ଏହିଭଳି ଆଚରଣ ପ୍ରଦର୍ଶନ କରିଥିଲା । ମୋଟ୍ ଉପରେ ରାଜନୀତିରେ ବନ୍ଧୁତା ସମ୍ପୂର୍ଣ୍ଣ ସ୍ୱାର୍ଥସର୍ବସ୍ୱ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ମନେପଡ଼େ ରୋମ ସାମ୍ରାଜ୍ୟର ଦୁର୍ଦ୍ଦାନ୍ତ ଶାସକ ଜୁଲିଅସ୍ ସିଜର୍‌ଙ୍କ କଥା । ସେ ଅନ୍ୟତମ ବିଚକ୍ଷଣ ନେତା ବ୍ରୁଟାସ୍‌ଙ୍କୁ ବନ୍ଧୁ ଜ୍ଞାନ କରି ସମ୍ପୂର୍ଣ୍ଣ ବିଶ୍ୱାସ କରୁଥିଲେ । ମାତ୍ର ପରବର୍ତ୍ତୀ ସମୟରେ ବ୍ରୁଟାସ୍‌ ସିଜର୍ ବିରୋଧୀ ନେତାମାନଙ୍କ ସହ ହାତ ମିଳାଇ ଜୁଲିଅସ୍ ସିଜର୍‌ଙ୍କୁ ହତ୍ୟା କରିବାରେ ସାହାଯ୍ୟ କରିଥିଲେ । ନିଜର ପରମ ବନ୍ଧୁ ବ୍ରୁଟାସ୍‌ଙ୍କ ହାତରେ ଛୁରୀ ଦେଖି ସିଜର୍ ସ୍ତମ୍ଭୀଭୂତ ହୋଇଯାଇଥିଲେ ଓ ବନ୍ଧୁଙ୍କ ହାତରେ ପ୍ରାଣ ହରାଇଥିଲେ । ଏହି ବିଶ୍ୱାସଘାତକତା ପଛରେ ବ୍ରୁଟାସ୍‌ଙ୍କ ଏକ ଯୁକ୍ତି ଥିଲା, ସେ ଭାବୁଥିଲେ ସିଜର୍ ଜଣେ ଏକଛତ୍ରବାଦୀ ଶାସକ ଓ ଏକଛତ୍ରବାଦର ଅବସାନ ଘଟାଇବା ଥିଲା ତାଙ୍କ ବିଶ୍ୱାସଘାତକତାର ଉଦ୍ଦେଶ୍ୟ । ତାଙ୍କର ଏକ ଧାରଣା ଥିଲା ଯେ ସେ ଗଣତନ୍ତ୍ରର ଆଦର୍ଶ ଦ୍ୱାରା ଅନୁପ୍ରାଣିତ । ମାତ୍ର ସମ୍ପ୍ରତି ଭାରତୀୟ ରାଜନୀତିରେ ରାଜନୈତିକ ବନ୍ଧୁମାନଙ୍କ ମଧ୍ୟରେ ଯେଉଁ ବିଶ୍ୱାସଘାତକତା ସଂଘଟିତ ହେଉଛି, ଏହାର ପଛରେ କୌଣସି ଆଦର୍ଶ ନାହିଁ, ରହିଛି କେବଳ କ୍ଷମତା ଦଖଲ କରିବାର ସ୍ୱାର୍ଥ । ଏହିଭଳି ସ୍ୱାର୍ଥତନ୍ତ୍ର ଦ୍ୱାରା ଆଜି ବନ୍ଧୁତା ଭଳି ଏକ ମହାର୍ଘ ଅନୁଭବ କଳୁଷିତ ।

ସର୍ତ୍ତ ରକ୍ଷା କରିବା ହେଉଛି ବନ୍ଧୁତାର ଆଦର୍ଶ । ଆଜିର ମେଣ୍ଟ ରାଜନୀତି ଏହି ସର୍ତ୍ତରକ୍ଷା ଉପରେ ଆଧାରିତ । କେତେକ ସର୍ବନିମ୍ନ ସର୍ତ୍ତକୁ ମାନି ନେଇ ମେଣ୍ଟ ସରକାର ଗଠିତ ହୋଇଥାଏ । ମାତ୍ର ସମ୍ପ୍ରତି ସ୍ୱାର୍ଥରେ ଟିକିଏ ଆଞ୍ଚ ଆସିଲେ କୌଣସି ନା କୌଣସି ରାଜନୈତିକ ଦଳ ସର୍ତ୍ତ ଭଙ୍ଗ କରି ସମର୍ଥନ ପ୍ରତ୍ୟାହାର କରୁଛନ୍ତି । ସଙ୍ଗେ ସଙ୍ଗେ ବନ୍ଧୁତା ଶତ୍ରୁତାରେ ପରିଣତ ହେଉଛି । ଦିନେ ବନ୍ଧୁତାରେ ଏହି ସର୍ତ୍ତ ରକ୍ଷା ଖ୍ରୀ.ପୂ. ଚତୁର୍ଥ ଶତକର ଗ୍ରୀକ୍ ରାଜା ଡାଇଓନିସିଆସଙ୍କୁ ସ୍ତମ୍ଭୀଭୂତ କରିଥିଲା । ସେ ଡାମୋନ୍ ନାମକ ଜଣେ ବ୍ୟକ୍ତିକୁ ପ୍ରାଣଦଣ୍ଡ ଦେଇଥିଲେ । ଡାମୋନ୍ ଚାହିଁଲେ ମୃତ୍ୟୁ ପୂର୍ବରୁ ସେ ନିଜ ଗାଁକୁ ଯାଇ ତାଙ୍କ ପରିବାରଠାରୁ ଶେଷ ବିଦାୟ ନେଇ ଆସିବେ । ଏଥିପାଇଁ ସେ ପ୍ରାର୍ଥନା କରନ୍ତେ ରାଜା ଡାଇଓନିସିଆସ୍ କହିଲେ ଡାମୋନ୍‌ଙ୍କ ସ୍ଥାନରେ ଆଉ କେହି ଜାମିନ୍‌ରେ ତାଙ୍କ ମୃତ୍ୟୁଦଣ୍ଡ ମୁହୂର୍ତ୍ତ ପର୍ଯ୍ୟନ୍ତ ରହିଲେ ସେ ଡାମୋନ୍‌ଙ୍କୁ ଛାଡ଼ି ଦେବେ । ମାତ୍ର ଠିକ୍ ସମୟରେ ନ ପହଞ୍ଚିଲେ ଜାମିନ୍‌ରେ ଥିବା ବ୍ୟକ୍ତିର ମୁଣ୍ଡକାଟ୍ ହେବ । ବିସ୍ମୟର କଥା ଯେ, ଏହିଭଳି ଏକ ଦାରୁଣ ସର୍ତ୍ତ ରକ୍ଷା କରିବା ପାଇଁ ଆଗେଇ ଆସିଲେ ଡାମୋନ୍‌ଙ୍କ ବନ୍ଧୁ ପିଥିଆସ୍ । ସମସ୍ତେ କହିଲେ ପିଥିଆସ୍ ନିର୍ବୋଧ । ମାତ୍ର ନିଜ ବନ୍ଧୁଙ୍କ ଶେଷ ଇଚ୍ଛା ପୂରଣ କରିବାରେ ସେ ସାହାଯ୍ୟ କରିପାରୁଥିବାରୁ ପିଥିଆସ୍ ଥିଲେ ଆନନ୍ଦିତ । ସର୍ତ୍ତ ଅନୁସାରେ ପିଥିଆସ୍ ଜାମିନ୍‌ରେ ରହିଲେ ଓ ଡାମୋନ୍ ଗାଁକୁ ଗଲେ । ମୃତ୍ୟୁଦଣ୍ଡ ମୁହୂର୍ତ୍ତ ପାଖେଇ ଆସିଲା, ମାତ୍ର ଡାମୋନ୍ ଫେରିଲେ ନାହିଁ । ସେଦିନ ପ୍ରଚଣ୍ଡ ବର୍ଷା ହେଉଥିବାରୁ ଡାମୋନ୍‌ଙ୍କ ଆସିବାରେ ବିଳମ୍ୱ ହେଉଥାଏ । ଯଥା ସମୟରେ ସର୍ତ୍ତ ଅନୁସାରେ ପିଥିଆସ୍‌ଙ୍କୁ ବଧ ଭୂମିକୁ ନିଆଗଲା । ଅସଂଖ୍ୟ ଜନତା ଏହି ଦୃଶ୍ୟ ଦେଖିବା ପାଇଁ ସମବେତ ହୋଇଥାନ୍ତି । ପିଥିଆସ୍ କାନ୍ଦୁଥାନ୍ତି । ମାତ୍ର ସେ ଦୁଃଖର ଅଶ୍ରୁ ନ ଥିଲା, ସେ ଥିଲା ଆନନ୍ଦର ଅଶ୍ରୁ । ସେ ତାଙ୍କ ବନ୍ଧୁଙ୍କ ଜୀବନ ରକ୍ଷା କରିଥିବାରୁ ନିଜକୁ ଧନ୍ୟ ମଣୁଥିଲେ । ରାଜକର୍ମଚାରୀ ପିଥିଆସ୍‌ଙ୍କ ଶିରଚ୍ଛେଦ କରିବା ପାଇଁ ଉଦ୍ୟତ ହେଉଥିବା ସମୟରେ ପହଞ୍ଚିଗଲେ ଡାମୋନ୍ । ଆଉ ଅଳ୍ପ ବିଳମ୍ୱ ହୋଇଥିଲେ ତାଙ୍କ ପାଇଁ ତାଙ୍କ ବନ୍ଧୁ ପିଥିଆସ୍‌ଙ୍କ ଜୀବନ ଯାଇଥାନ୍ତା । ଏହା ଭାବି କାନ୍ଦି କାନ୍ଦି ଡାମୋନ୍ ପିଥିଆସ୍‌ଙ୍କୁ କୁଣ୍ଢାଇ ପକାଇଥିଲେ । ଅପରପକ୍ଷରେ ବନ୍ଧୁଙ୍କ ପାଇଁ ଜୀବନ ଦେଇପାରିଲେ ନାହିଁ ବୋଲି କାନ୍ଦୁଥିଲେ ପିଥିଆସ୍ । ଦୁଇ ବନ୍ଧୁ ସର୍ତ୍ତ ପୂରଣ କରି ବନ୍ଧୁତାର ଯେଉଁ ଚରମ ନିଦର୍ଶନ ରଖିଗଲେ, ତାହା ରାଜା ଡାଇଓନିସିଆସଙ୍କୁ ସ୍ତମ୍ଭୀଭୂତ କରିଦେଲା । ସେ ଭାବବିହ୍ୱଳ ହୋଇ ସେମାନଙ୍କ ତୃତୀୟ ବନ୍ଧୁ ହେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ସାମ୍ପ୍ରତିକ ମେଣ୍ଟ ରାଜନୀତିରେ ଅଂଶୀଦାର ଦଳ ଗୁଡ଼ିକ ଯଦି ଏହିଭଳି ସର୍ତ୍ତପୂରଣ କରି ବନ୍ଧୁତାକୁ ସାର୍ଥକ କରନ୍ତେ, ଭାରତରେ ଅକାଳରେ ସରକାର ଭୁଷୁଡ଼ି ପଡ଼ନ୍ତା ନାହିଁ ଓ ଗଣତନ୍ତ୍ର ବିପନ୍ନ ହୁଅନ୍ତା ନାହିଁ । ମାତ୍ର ନିକଟରେ କର୍ଣ୍ଣାଟକରେ ସରକାରଙ୍କୁ ସମର୍ଥନ ଦେବାକୁ ନେଇ ଯେଭଳି ସର୍ତ୍ତ ଭଙ୍ଗ ହେଲା ଓ ଏକ ରୋମାଞ୍ଚକର ନାଟକୀୟ ପରିସ୍ଥିତି ସୃଷ୍ଟି ହେଲା, ସେଥିରୁ ଜଣାପଡ଼େ ଯେ ଭାରତର ମେଣ୍ଟ ରାଜନୀତି ଅସୁସ୍ଥ ହୋଇପଡ଼ିଛି । ବନ୍ଧୁତାରେ ବିଶ୍ୱାସଘାତକତା ହିଁ ଏହାର ମୂଳ କାରଣ ।

ଲୋକପ୍ରିୟ ଲେଖା

To Top