ପ୍ରବନ୍ଧ

ରିଙ୍ଗ୍‌ଟୋନ୍‌ରେ ମନ୍ତ୍ର

Dr Chhayakanta Sarangi's Odia Prose RINGTONERE MANTRA

ଏହାଦ୍ୱାରା ବାର୍ତ୍ତାଳାପକୁ ମୁଖ୍ୟ ଭାବରେ ଗ୍ରହଣ କରାଯାଇ ରିଙ୍ଗଟୋନ୍ ମନ୍ତ୍ରର ଗୌଣତ୍ୱ ସ୍ୱୀକାର କରାଯାଏ ।

ରିଙ୍ଗ୍‌ଟୋନ୍‌ରେ ମନ୍ତ୍ର

ସମ୍ପ୍ରତି ମୋବାଇଲ୍ ସେଟ୍‌ଗୁଡ଼ିକର ରିଙ୍ଗ୍‌ଟୋନ୍‌ରେ ରାସ୍ତାଘାଟଠୁ ଆରମ୍ଭ କରି ପରିସ୍ରାଗାର ପର୍ଯ୍ୟନ୍ତ ସର୍ବତ୍ର ବାଜୁଛି ବିଭିନ୍ନ ବୈଦିକ ମନ୍ତ୍ର । ଯେଉଁ ଉପଭୋକ୍ତାମାନେ ଏହି ସବୁ ରିଙ୍ଗ୍‌ଟୋନ୍‌କୁ କିଣି ସେମାନଙ୍କ ମୋବାଇଲ୍ ସେଟ୍‌ରେ ସ୍ଥାନିତ କରୁଛନ୍ତି, ସେମାନେ ବୋଧହୁଏ ଭାବୁଛନ୍ତି ଯେ ସେହି ଯନ୍ତ୍ରରୁ ନିର୍ଝରିତ ମନ୍ତ୍ର ସେମାନଙ୍କୁ ଓ ସେମାନଙ୍କ ବାତାବରଣକୁ ପବିତ୍ର କରିବ । କ୍ୱଚିତ୍ ଲୋକ ଅନୁଭବ କରନ୍ତି ଯେ ବୈଦିକ ମନ୍ତ୍ରକୁ ରିଙ୍ଗ୍‌ଟୋନ୍‌ରେ ସ୍ଥାନ ଦେଇ ସେମାନେ ମନ୍ତ୍ରର ଅପବ୍ୟବହାର କରୁଛନ୍ତି । ବୈଦିକ ଋଷିମାନେ ଥିଲେ ମନ୍ତ୍ରଦ୍ରଷ୍ଟା । “ଋଷି” ଶବ୍ଦ ଦର୍ଶନାର୍ଥକ “ଦୃଶ୍” ଧାତୁରୁ “ଦ”କାର ଲୋପରେ ଗଠିତ । ନିରୁକ୍ତାଚାର୍ଯ୍ୟ ଯାସ୍କଙ୍କ ମତରେ “ଯିଏ ଦର୍ଶନ କରନ୍ତି ସେ ଋଷି । ତପସ୍ୟା ଓ ଧ୍ୟାନ କରୁ କରୁ ସେମାନେ ନିତ୍ୟବେଦର ଅର୍ଥ ଉପଲବ୍ଧି କଲେ ଓ ଋଷି ସ୍ଥାନୀୟ ହେଲେ । ବେଦମନ୍ତ୍ରର ଦର୍ଶନ ସହିତ ଅର୍ଥଦର୍ଶନ ହିଁ ଋଷିତ୍ୱ” (ନିରୁକ୍ତ ୨.୧୧) । ଏଥିରୁ ସ୍ପଷ୍ଟ ମନେହୁଏ ଯେ ଋଷି ବେଦମନ୍ତ୍ରର ସ୍ରଷ୍ଟା ନୁହଁନ୍ତି । ସେ ଦ୍ରଷ୍ଟା ମାତ୍ର । ଦର୍ଶନ ପୂର୍ବରୁ ଦୃଶ୍ୟବସ୍ତୁର ଅସ୍ତିତ୍ୱ ଥିବା ପରି ଋଷି ବେଦମନ୍ତ୍ରର ଦର୍ଶନ କରିବା ପୂର୍ବରୁ ବେଦମନ୍ତ୍ରର ଅସ୍ତିତ୍ୱ ଥାଏ । ଋଷି ତପ ଓ ସ୍ୱାଧ୍ୟାୟ ବଳରେ ତାକୁ ଆତ୍ମାନୁଭବ କରନ୍ତି । ନିରୁକ୍ତକାର କହିଛନ୍ତି “ମନ୍ତ୍ରଃ ମନନାତ୍” (ନିରୁକ୍ତ ୭.୧୨) ଅର୍ଥାତ୍ ମନନ ବା ଅନୁଶୀଳନ କରିବା ହେତୁ ସେଗୁଡ଼ିକର ନାମ ମନ୍ତ୍ର । ଯେଉଁ ମନ୍ତ୍ରଗୁଡ଼ିକ ପବିତ୍ରାତ୍ମା ଋଷିମାନଙ୍କ ଗଭୀର ଚିନ୍ତନ ପରେ ତାଙ୍କ ମୁଖନିଃସୃତ ହେଉଥିଲା, ସେଗୁଡ଼ିକ ଆଜି ସୌଖୀନ ସାମଗ୍ରୀ ମୋବାଇଲ୍ ସେଟ୍‌ର ରିଙ୍ଗଟୋନ୍ ଭାବରେ ବ୍ୟବହୃତ ହେବା ଏକ ବିଡ଼ମ୍ୱନାର ବିଷୟ । ରିଙ୍ଗ୍‌ଟୋନ୍‌ରୁ ଯେଉଁ ବୈଦିକ ମନ୍ତ୍ର ଭାସି ଆସେ ତାକୁ ମନନ ବା ଚିନ୍ତନ କରାଯାଏ ନାହିଁ । ବରଂ ମନ୍ତ୍ରର ଦୁଇ ତିନୋଟି ଶବ୍ଦ ବାଜିବା ପରେ ତାକୁ ଶୀଘ୍ର ବନ୍ଦ କରାଯାଇ ବନ୍ଧୁପରିଜନ ବା ସମ୍ପର୍କୀୟଙ୍କ ସହ ବାର୍ତ୍ତାଳାପ କରାଯାଏ । ଏହାଦ୍ୱାରା ବାର୍ତ୍ତାଳାପକୁ ମୁଖ୍ୟ ଭାବରେ ଗ୍ରହଣ କରାଯାଇ ରିଙ୍ଗଟୋନ୍ ମନ୍ତ୍ରର ଗୌଣତ୍ୱ ସ୍ୱୀକାର କରାଯାଏ ।

ପୁନଶ୍ଚ ବୈଦିକ ମନ୍ତ୍ର ଯନ୍ତ୍ର ଦ୍ୱାରା ପରିବେଷଣ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ, ମୁଖଦ୍ୱାରା ଉଚ୍ଚାରଣ କରିବା ପାଇଁ ଉଦ୍ଦିଷ୍ଟ । ମନ୍ତ୍ର ହେଉଛି ଧ୍ୱନି ସହ ଏକ ନିର୍ଦ୍ଦିଷ୍ଟ ଅର୍ଥର ସଂଯୋଗ ଏବଂ ତା’ର ଉଚ୍ଚାରଣ ହୃଦୟରେ ଯେପରି ଏକ ଅଲୌକିକ ସ୍ପନ୍ଦନ ସୃଷ୍ଟି କରେ, ବାତାବରଣରେ ମଧ୍ୟ ଏକ ଆଧିଭୌତିକ ପ୍ରଭାବ ସୃଷ୍ଟି କରେ । ମନ୍ତ୍ର ନିଜେ ଉଚ୍ଚାରଣ ନ କରି ଯନ୍ତ୍ର ଦ୍ୱାରା ପରିବେଷଣ କଲେ ସେହି ଅଲୌକିକ ପ୍ରଭାବ ସୃଷ୍ଟି ହେବା ସମ୍ଭବ ନୁହେଁ । ଋଷି ଅରବିନ୍ଦ କହିଥିଲେ, “ମନ୍ତ୍ରର ତତ୍ତ୍ୱ ହେଲା ଏହା ଆମର ଗୋପନ ଅନ୍ତର୍ଦେଶରୁ ଉତ୍ସାରିତ ଶକ୍ତିମୟ ଶବ୍ଦ । ସେ ଅନ୍ତର୍ଦେଶରେ ମନଠାରୁ ଗଭୀର ଏକ ଚେତନା ତାହା ଉପରେ ଏକାଗ୍ର ହୋଇଛି, ହୃଦୟରେ ତା’ର ରୂପାୟନ ଘଟିଛି । ତାହା ବୁଦ୍ଧିପ୍ରସୂତ ନୁହେଁ, ମନ ତାକୁ ଧାରଣ କରିଛି ଏବଂ ପରେ ତାହା ନିଃସୃତ ହୋଇଛି ନିରବରେ ବା ଶବ୍ଦ ଯୋଗେ । ନିରବ ଶବ୍ଦ ଉଚ୍ଚାରିତ ଶବ୍ଦ ଅପେକ୍ଷା ଅଧିକ ଶକ୍ତିଶାଳୀ ବୋଲି କୁହାଯାଏ ।” ମୂଳତଃ ସାଧକ ପାଇଁ ଉଚ୍ଚତର ଚେତନାକୁ ମାର୍ଗ ନିର୍ଦ୍ଦେଶ କରିବା ଏବଂ ମହତ୍ତର ଉପଲବ୍ଧି ଆଣିଦେବା ଥିଲା ମନ୍ତ୍ରର ଆଭିମୁଖ୍ୟ । ମୋବାଇଲ୍ ସେଟ୍‌ର ରିଙ୍ଗ୍‌ଟୋନ୍‌ର ବୈଦିକ ମନ୍ତ୍ର ଝରିଆସିଲେ ମୋବାଇଲ୍ ସେଟ୍ ଉପଭୋକ୍ତାଙ୍କ ସେହିଭଳି ମହତ୍ତର ଉପଲବ୍ଧି ହେଉଛି କି ?

ସମ୍ପ୍ରତି ମୋବାଇଲ୍ ସେଟ୍‌ର ରିଙ୍ଗଟୋନ୍ ଭାବରେ ବାଜୁଥିବା ବିଭିନ୍ନ ମନ୍ତ୍ର ମଧ୍ୟରୁ ଦୁଇଟି ବହୁ ବ୍ୟବହୃତ ମନ୍ତ୍ର ହେଉଛି ଗାୟତ୍ରୀ ମନ୍ତ୍ର ଓ ମୃତ୍ୟୁଞ୍ଜୟ ମନ୍ତ୍ର । ଶଙ୍କର ଭାଷ୍ୟ ଅନୁସାରେ ପ୍ରାଣ (ଗୟ)କୁ ରକ୍ଷା କରୁଥିବାରୁ ତା’ର ନାମ ଗାୟତ୍ରୀ (ଗୟନ୍ ତ୍ରାୟତେ ଗାୟତ୍ରୀ) । ଏହି ଗାୟତ୍ରୀ ମନ୍ତ୍ରର ଅର୍ଥ ହେଲା “ଓଁ ବାଚ୍ୟ ପରମାତ୍ମା, ପ୍ରାଣସ୍ୱରୂପ, ଦୁଃଖନାଶକ ଓ ସୁଖସ୍ୱରୂପ ସେହି ଦିବ୍ୟଗୁଣଯୁକ୍ତ, ପ୍ରକାଶ ସ୍ୱରୂପ ସବିତାଙ୍କର ଶ୍ରେଷ୍ଠ ତେଜକୁ ଆମ୍ଭେମାନେ ଧାରଣ କରୁ । ସେ ଆମର ବୁଦ୍ଧିକୁ ସତ୍ମାର୍ଗରେ ପରିଚାଳିତ କରନ୍ତୁ ।” ମହାମୃତ୍ୟୁଞ୍ଜୟ ମନ୍ତ୍ର ଅର୍ଥ ହେଲା, “ହେ ତ୍ର୍ୟମ୍ୱକ ! ଆପଣଙ୍କୁ ଉପାସନା କରୁଛି । ସୁଗନ୍ଧିତ, ପୁଷ୍ଟିକାରକ ପରିପକ୍ୱ ଉର୍ବାରୁକ୍ ପରି ମୁଁ ମୃତ୍ୟୁବନ୍ଧନରୁ ମୁକ୍ତ ହୁଏ, ଅମୃତରୁ ନୁହେଁ ।” ଗାୟତ୍ରୀ ମନ୍ତ୍ରରେ ବୁଦ୍ଧିକୁ ସତ୍ମାର୍ଗରେ ପ୍ରେରିତ କରିବା ପାଇଁ ପ୍ରାର୍ଥନା କରାଯାଇଛି ଓ ମୃତ୍ୟୁଞ୍ଜୟ ମନ୍ତ୍ର ଉର୍ବାରୁକ ଚିତ୍ରକଳ୍ପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଉର୍ବାରୁକ ପରିପକ୍ୱ ହେବା ପରେ ଚତୁର୍ଦ୍ଦିଗରେ ସୁଗନ୍ଧ ବିତରଣ କରି ଲତାରୁ ସ୍ୱତଃ ଖସିଯାଏ । ଠିକ୍ ସେପରି ସାଧକର କାମନା ହେଉଛି ଜୀବନରେ ପରିପକ୍ୱତା ହାସଲ କଲା ପରେ ସେ ମୃତ୍ୟୁବନ୍ଧନରୁ ମୁକ୍ତ ହେବ, କିନ୍ତୁ ଅମୃତରୁ ନୁହେଁ । ଭକ୍ତ ନିଜେ ଏହି ମନ୍ତ୍ରଗୁଡ଼ିକୁ ଉଚ୍ଚାରଣ କରି ପରମାତ୍ମାଙ୍କୁ ପ୍ରାର୍ଥନା କରିବା ହେଉଛି ବିଧି । ଯଦି ଏହି ବୈଦିକ ମନ୍ତ୍ରଗୁଡ଼ିକ ମୋବାଇଲ୍ ସେଟ୍‌ର ରିଙ୍ଗ୍‌ଟୋନ୍‌ରେ ବାଜେ ମନ୍ତ୍ରର ଉଦ୍ଦେଶ୍ୟ ପୂରଣ ହେବ ନାହିଁ । ବରଂ ଅର୍ଥ ହେବ ଗାୟତ୍ରୀ ମନ୍ତ୍ର ବା ମୃତ୍ୟୁଞ୍ଜୟ ମନ୍ତ୍ର ଉଚ୍ଚାରଣ କରି ମୋବାଇଲ୍ ସେଟ୍ ହିଁ ପରମାତ୍ମାଙ୍କୁ ପ୍ରାର୍ଥନା କରୁଛି । ପୁନଶ୍ଚ ରିଙ୍ଗ୍‌ଟୋନ୍‌ରେ ବୈଦିକ ମନ୍ତ୍ର ସ୍ଥାନିତ କରିବା ପଥରେ ଉପଭୋକ୍ତାଙ୍କର କୌଣସି ଭକ୍ତିଭାବ ନିହିତ ନଥାଏ । କୌଣସି ବନ୍ଧୁ ବା ସମ୍ପର୍କୀୟଙ୍କ ଦୂରଭାଷକୁ ଗ୍ରହଣ କରିବା ପାଇଁ ଏହି ମନ୍ତ୍ର ରିଙ୍ଗଟୋନ୍ ଇଙ୍ଗିତ ଦିଏ । ସାଧନା ଓ ତପସ୍ୟା ଦ୍ୱାରା ଆବିଷ୍କୃତ ହୋଇଥିବା ଏହି ପବିତ୍ର ମନ୍ତ୍ରଗୁଡ଼ିକର ଏଭଳି ଅପବ୍ୟବହାର ହେବ ବୋଲି ବୈଦିକ ଋଷିମାନେ କେବେ କଳ୍ପନା କରିନଥିବେ ।

ମନ୍ତ୍ର କେବଳ ଶବ୍ଦର ସମଷ୍ଟି ନୁହେଁ, ସେଥିରେ ଦେବତ୍ୱର ପ୍ରାଣ ସ୍ପନ୍ଦନ ମିଳିତ ଥାଏ ବୋଲି ତାହା ପ୍ରଭାବ ପକାଇପାରେ । ଯଦି ମନ୍ତ୍ର ସହ ସାଧକ ସ୍ୱୀୟ ଦେବତ୍ୱକୁ ବିକଶିତ କରି ସଂଯୁକ୍ତ କରିବାରେ ଅସଫଳ ହୁଏ, ସେହି ଶବ୍ଦପୁଞ୍ଜରୁ ସେହି ଧରଣର ପ୍ରଭାବ ଉତ୍ପନ୍ନ ହୋଇପାରେ ନାହିଁ । ଧନୁର ଚମତ୍କାର ତା’ ଉପରେ ଚଢ଼ାଯାଉଥିବା ବାଣରୁ ହିଁ ଉତ୍ପନ୍ନ ହୋଇପାରେ ନାହିଁ । ମନୁଷ୍ୟ ଧନୁ ପରି ଓ ସାଧକର ବ୍ୟକ୍ତିତ୍ୱ ପ୍ରାଣ ପରି । ଉଭୟଙ୍କର ସ୍ତର ଉଚ୍ଚ ହେଲେ ଲକ୍ଷ୍ୟଭେଦ ସଫଳ ହୁଏ । ଏଣୁ ମନ୍ତ୍ର ସାଧକକୁ ନିଜର ବ୍ୟକ୍ତିତ୍ୱର ସ୍ତରକୁ ଏଭଳି ତୋଳିବାକୁ ହୁଏ ଯେ ଜିହ୍ୱାରୁ ଉଚ୍ଚାରିତ ମନ୍ତ୍ର କେବଳ ମାତ୍ର ଧ୍ୱନି ନ ରହି ବାକ୍‌ଶକ୍ତି ରୂପେ ପ୍ରକଟିତ ହୁଏ । ତା’ର ପ୍ରକଟ ମାତ୍ରକେ ସୂକ୍ଷ୍ମ ଜଗତରେ ଏଭଳି ସ୍ପନ୍ଦନ ସୃଷ୍ଟି ହୁଏ ଯେ ତାହା ମନ୍ତ୍ରର ଉଦ୍ଦେଶ୍ୟ ଅନୁରୂପ ବାତାବରଣ ସୃଷ୍ଟି କରିବାରେ ସମର୍ଥ ହୁଏ । ମନ୍ତ୍ରର ଚମତ୍କାର କ୍ଷମତା ଯେଉଁ ଉଚ୍ଚାରଣ ଉପରେ ନିର୍ଭର କରେ ତାକୁ ବାକ୍ କୁହାଯାଏ । ଏଥିରେ ଶବ୍ଦର ଯେତିକି ପ୍ରଭାବ ଥାଏ ତା’ଠାରୁ ବହୁଗୁଣ ପ୍ରଭାବ ସାଧକର ବ୍ୟକ୍ତିତ୍ୱରେ ସନ୍ନିହିତ ଥାଏ । ଏହି ଆଧାର ଉପରେ ମନ୍ତ୍ରର ବିଶେଷତ୍ୱ ପ୍ରମାଣିତ ହୁଏ । ମନ୍ତ୍ରଯନ୍ତ୍ରରେ ସ୍ଥାନିତ ହେବା ପାଇଁ ଉଦ୍ଦିଷ୍ଟ ନୁହେଁ, ମୁଖରେ ଉଚ୍ଚାରିତ ହେବା ପାଇଁ ଉଦ୍ଦିଷ୍ଟ । ମନ୍ତ୍ର ଭକ୍ତ ଓ ଭଗବାନ୍‌ଙ୍କ ମଧ୍ୟରେ ସେତୁ ସଦୃଶ୍ୟ କାର୍ଯ୍ୟ କରେ । କାରଣ ମନ୍ତ୍ର ମଧ୍ୟରେ ଥିବା ଭାବ ଭକ୍ତ ହୃଦୟର । ମାତ୍ର ଯେତେବେଳେ ମୋବାଇଲ୍ ରିଙ୍ଗ୍‌ଟୋନ୍‌ରେ ମନ୍ତ୍ର ବାଜେ, ତାହା ହୁଏ ମୋବାଇଲ୍ ସେଟ୍‌ର, ଉପଭୋକ୍ତାର ଭାବ ନୁହେଁ ।

ସମ୍ପ୍ରତି ଯେଉଁମାନେ ବୈଦିକ ମନ୍ତ୍ରକୁ ଶ୍ରୁତିମଧୁର ସାଧାରଣ ସଙ୍ଗୀତ ଭଳି ସ୍ୱର ସଂଯୋଜନା କରୁଛନ୍ତି ସେମାନେ ମନେରଖିବା ଉଚିତ୍ ଯେ ପ୍ରତ୍ୟେକ ମନ୍ତ୍ରର ଏକ ନିର୍ଦ୍ଦିଷ୍ଟ ଛନ୍ଦ ଥାଏ ଓ ସେହି ଛନ୍ଦର ନିର୍ଦ୍ଦିଷ୍ଟ ସ୍ୱର, ତାଳ ଓ ଲୟ ଥାଏ । ସେସବୁର ଠିକ୍ ଉଯୋଗ ନ ହେଲେ ମନ୍ତ୍ର ତା’ର ପ୍ରକୃତ ପ୍ରଭାବ ସୃଷ୍ଟି କରିପାରେ ନାହିଁ । ଶତପଥ ବ୍ରାହ୍ମଣରେ ଯରୁଚ ଦେବ ଓ ନୃମେଧ ଋଷିଙ୍କ ବିବାଦ ସମ୍ପର୍କରେ ଏକ ଉପାଖ୍ୟାନ ଅଛି । ଉଭୟେ ନିଜକୁ ସଫଳ ମାନ୍ତ୍ରିକ ଭାବରେ ପ୍ରମାଣିତ କରିବାକୁ ଚାହିଁଲେ । ଯରୁଚ ଦେବ ମନ୍ତ୍ରୋଚ୍ଚାରଣ ପୂର୍ବକ କଞ୍ଚାକାଠକୁ ଜଳାଇ ଦେଲେ । ମାତ୍ର ନୃମେଧଙ୍କ ମୁହଁରୁ କେବଳ ଧୂଆଁ ବାହାରିଲା । ଯରୁଚ ଦେବ ନୃମେଧଙ୍କୁ କହିଲେ “ଆପଣ କେବଳ ମନ୍ତ୍ରୋଚ୍ଚାରଣ କରି ଜାଣନ୍ତି, କିନ୍ତୁ ମୁଁ ତା’ର ଆତ୍ମାର ସାକ୍ଷାତ୍ ଲଭିଛି ।” ଏ କଥାର ତାତ୍ପର୍ଯ୍ୟ ହେଉଛି ଯେ ମନ୍ତ୍ରସ୍ଥ ଭାବକୁ ଅନୁଭବ ପର୍ଯ୍ୟାୟକୁ ନ ଆଣି କେବଳ ଉଚ୍ଚାରଣ କରିଦେଲେ ଏକ ପବିତ୍ର ବାତାବରଣ ସୃଷ୍ଟି ହୁଏ ନାହିଁ କି ମନ୍ତ୍ର ଉପଯୁକ୍ତ ପ୍ରଭାବ ସୃଷ୍ଟି କରିପାରେ ନାହିଁ । ଯେଉଁମାନେ ଭାବୁଛନ୍ତି ଯେ ମନ୍ତ୍ରକୁ ନିଜେ ଉଚ୍ଚାରଣ ନ କଲେ ମଧ୍ୟ ଯନ୍ତ୍ରସଙ୍ଗୀତ ଭାବରେ ପରିବେଷଣ କଲେ ବି ମନ୍ତ୍ର ଉଦ୍ଦେଶ୍ୟ ଅନୁରୂପ ବାତାବରଣ ସୃଷ୍ଟି ହେବ, ସେମାନଙ୍କ ପାଇଁ ନିମ୍ନୋକ୍ତ କାହାଣୀଟି ପ୍ରଣିଧାନଯୋଗ୍ୟ ମନେହୁଏ ।

ଥରେ ଜଣେ ରାଜାଙ୍କ ମନ୍ତ୍ରୀ ଗାୟତ୍ରୀ ମନ୍ତ୍ର ଶିକ୍ଷା କରିବା ପାଇଁ ଛଅମାସ ଛୁଟି ଚାହିଁଲେ । ଚବିଶ ଅକ୍ଷର ବିଶିଷ୍ଟ ଗାୟତ୍ରୀ ମନ୍ତ୍ରକୁ ଶିଖିବା ପାଇଁ ଛଅ ମାସ ସମୟର ଆବଶ୍ୟକତାକୁ ରାଜା ଗ୍ରହଣ କରିପାରିଲେ ନାହିଁ । ତା’ ପରଦିନ ରାଜା ରାଜପଣ୍ଡିତଙ୍କଠାରୁ ଅଳ୍ପ ସମୟ ମଧ୍ୟରେ ଗାୟତ୍ରୀ ମନ୍ତ୍ରକୁ ଆୟତ୍ତ କରି ଆସି ମନ୍ତ୍ରୀଙ୍କୁ କହିଲେ “ମାତ୍ର କେତୋଟି ମୁହୂର୍ତ୍ତ ମଧ୍ୟରେ ମୁଁ ଗାୟତ୍ରୀ ମନ୍ତ୍ର ଶିଖିପାରିଥିବା ବେଳେ ଆପଣ ଏଥିପାଇଁ ଛଅମାସ ସମୟ ନେବେ କାହିଁକି ?” ଏହା କହି ରାଜା ସଙ୍ଗେ ସଙ୍ଗେ ମନ୍ତ୍ରଟିକୁ ଉଚ୍ଚାରଣ କରି ପ୍ରମାଣ କରିବାକୁ ଚେଷ୍ଟା କଲେ ଯେ ସେ ଅଳ୍ପ ସମୟ ମଧ୍ୟରେ ଗାୟତ୍ରୀ ମନ୍ତ୍ର ଶିକ୍ଷା ସମ୍ଭବ କରିପାରିଛନ୍ତି । ମାତ୍ର ମନ୍ତ୍ରୀ କହିଲେ, “ମହାରାଜ ! ଆପଣ ଗାୟତ୍ରୀ ମନ୍ତ୍ର ଆଦୌ ଶିଖି ନାହାନ୍ତି ।” ରାଜା ଭାବିଲେ ବୋଧହୁଏ ସେ କୌଣସି ସ୍ଥାନରେ ଉଚ୍ଚାରଣଗତ ତ୍ରୁଟି କରିଛନ୍ତି । ଏଣୁ ସେ ଦ୍ୱିତୀୟବାର ମନ୍ତ୍ରଟିକୁ ଶୁଦ୍ଧ ଭାବରେ ଉଚ୍ଚାରଣ କରିବା ପାଇଁ ଚେଷ୍ଟା କଲେ । ତଥାପି ମନ୍ତ୍ରୀ ମନ୍ତବ୍ୟ ଦେଲେ ଯେ ରାଜା ମନ୍ତ୍ରଟିକୁ ଆଦୌ ଶିଖିପାରି ନାହାନ୍ତି । ମନ୍ତ୍ରୀଙ୍କର ଏହିଭଳି ବ୍ୟବହାରରେ ରାଜା କ୍ଷୁବ୍ଧ ହେଲେ ଓ କହିଲେ, “ମୁଁ ଗାୟତ୍ରୀ ମନ୍ତ୍ର ଶିଖିପାରି ନାହିଁ ବୋଲି ଆପଣ ପ୍ରମାଣ କରିପାରିବେ ।” ମନ୍ତ୍ରୀ କହିଲେ, “ଆପଣ ଯଦି କିଛି ସମୟ ପାଇଁ ମୋର ଆଜ୍ଞା ପାଳନ କରିବେ ମୁଁ ନିଶ୍ଚୟ ପ୍ରମାଣ କରିଦେବି ।” ରାଜା ସମ୍ମତି ଦେବାରୁ ମନ୍ତ୍ରୀ ରାଜାଙ୍କୁ ଦଉଡ଼ିରେ ବାନ୍ଧିପକାଇବା ପାଇଁ ରାଜଭୃତ୍ୟକୁ ଆଦେଶ ଦେଲେ । ମାତ୍ର ଭୃତ୍ୟଟି ମନ୍ତ୍ରୀଙ୍କ ଆଦେଶକୁ ପାଳନ କଲା ନାହିଁ । ରାଜା ମନ୍ତ୍ରୀଙ୍କ ଏହିଭଳି ଔଦ୍ଧତ୍ୟକୁ ସହି ନପାରି ଭୃତ୍ୟକୁ ଆଦେଶ ଦେଲେ, “ମନ୍ତ୍ରୀଙ୍କୁ ଦଉଡ଼ିରେ ବାନ୍ଧି ପକାଅ ।” ସଙ୍ଗେ ସଙ୍ଗେ ରାଜାଙ୍କା ପାଳନ କରି ଭୃତ୍ୟ ମନ୍ତ୍ରୀଙ୍କୁ ବାନ୍ଧି ପକାଇଲା । ମନ୍ତ୍ରୀ କହିଲେ, “ମହାରାଜ ! ଆପଣ ଓ ମୁଁ ଦୁହେଁ ଏକ ହିଁ ଲୋକକୁ ସମାନ ଭାଷାରେ ସମାନ ନିର୍ଦ୍ଦେଶ ଦେଲେ । ମୋ ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲା ନାହିଁ । ମାତ୍ର ଆପଣଙ୍କ ନିର୍ଦ୍ଦେଶ ତତ୍କ୍ଷଣାତ୍ କାର୍ଯ୍ୟକାରୀ ହେଲା । ତା’ର କାରଣ ହେଲା ଆପଣ ଯାହା ଉଚ୍ଚାରଣ କଲେ ତା’ ପଛରେ ଆପଣଙ୍କ ଅଧିକାର ଥିଲା । ମାତ୍ର ମୋର ଉଚ୍ଚାରିତ ନିର୍ଦ୍ଦେଶ ପଛରେ ମୋର ଅଧିକାର ନଥିଲା । ଠିକ୍ ସେପରି ମନ୍ତ୍ରର ଶବ୍ଦଗୁଡ଼ିକୁ ଉଚ୍ଚାରଣ କରିଦେବା ଅର୍ଥ ମନ୍ତ୍ର ଶିଖିନେବା ନୁହେଁ । ମନ୍ତ୍ର ଭିତରେ ଥିବା ଶକ୍ତିକୁ ଆୟତ୍ତ ନ କଲେ ମନ୍ତ୍ର ତା’ର ପ୍ରଭାବ ସୃଷ୍ଟି କରିପାରେ ନାହିଁ । ଏହି ଶକ୍ତିକୁ ଆୟତ୍ତ କରିବା ପାଇଁ ସାଧନା ଆବଶ୍ୟକ ଓ ସାଧନା ପାଇଁ ଯଥେଷ୍ଟ ସମୟ ଆବଶ୍ୟକ ।” ରାଜା ବୁଝିଗଲେ ଯେ ମନ୍ତ୍ରର ଅର୍ଥକୁ ବୁଝି ତାକୁ ଅନୁଭବ ସ୍ତରକୁ ନ ଆଣିଲେ ମନ୍ତ୍ରୋଚ୍ଚାରଣର କିଛି ମୂଲ୍ୟ ନାହିଁ । ଯେଉଁମାନେ ମୋବାଇଲ୍ ସେଟ୍‌ର ରିଙ୍ଗ୍‌ଟୋନ୍‌ରେ ବୈଦିକ ମନ୍ତ୍ର ସଂଯୋଜିତ କରିଥାନ୍ତି, ଅଧିକାଂଶ ସେହି ମନ୍ତ୍ରର ମର୍ମକୁ ବୁଝି ନ ଥାନ୍ତି, ଅନୁଭବ କରିବା ଆହୁରି ଦୂରର କଥା । ସେମାନଙ୍କ ପାଇଁ ମନ୍ତ୍ର ରିଙ୍ଗଟୋନ୍ ଏକ ସୌଖୀନ ସ୍ୱର ମାତ୍ର, ସାଧନା କିମ୍ୱା ଉପଲବ୍ଧିର ବିଷୟ ନୁହେଁ । ଏହା ବୈଦିକ ମନ୍ତ୍ରର ଅପବ୍ୟବହାର ନୁହେଁ କି ?

ଲୋକପ୍ରିୟ ଲେଖା

To Top