ପ୍ରବନ୍ଧ

ରୋଗୀ ସେବା…

Prasanta Kumar Behera's odia prose Rogi Sebaa

ସ୍ୱର୍ଗଦ୍ୱାରରେ ହରିଶ୍ଚନ୍ଦ୍ର ଯୋଜନାରେ ଦେଢ କୁଇଁଟାଲ୍ ରଡ ଝାଉଁ କାଠରେ ପୋଡା ହୋଇଗଲା ପରେ ସବୁଦିନ ପାଇଁ ଏଇ ସଂସାରରୁ ତାଙ୍କ ନାଆଁ ଲିଭିଯିବା ଫାଇନାଲ୍ ।

ଆଜିକାଲି ରୋଗ ଗୁଡାକ ଭୁଷଭାସ୍ ହୋଇ ମାଡି ଆସୁଛନ୍ତି । ନିରୋଗୀ ଲୋକଟିଏ ପାଇବା ଖୁବ୍ କଷ୍ଟକର ବେପାର । କିଛି ନା କିଛି ରୋଗ ସମସ୍ତଙ୍କ ସହିତ ଟ୍ୟାଗ୍ ହୋଇଥିବେ । ଏବେ ଯେଉଁ ମଣିଷ ଯେତେ କ୍ଷମତାଶାଳୀ ସେଇ ଲୋକର ବ୍ଲଡ୍ ପ୍ରେସର୍ ଆଉ ଡାଇବେଟିସ୍ ସେତେ ଅଧିକ । ଥିଲାବାଲା ଧନୀକ ଗୋଷ୍ଠୀଙ୍କର ଏଇ ଦୁଇଟା ବେମାରୀ ଆଭିଜାତ୍ୟର ସିମ୍ୱଲ୍ ବୋଲି ଧରିନେଇଛନ୍ତି । ଅବଶ୍ୟ କିଛି ସାଧାରଣ ଗରିବ ଗୁରୁବାଙ୍କୁ ବି ଏଇ ରୋଗ ହୁଏନି ସେମିତି ନୁହେଁ । କିନ୍ତୁ ଯଦି ହାରାହାରି ଶତକଡା ହିସାବ ନେବା ତାହେଲେ ଧନିକଗୋଷ୍ଠୀ ଗରିବ ଗୁରୁବାଙ୍କୁ ବହୁ ପଛରେ ପକାଇ ଫୁଲ୍ ନମ୍ଵର ଆଡକୁ ଦୌଡୁଥିବାର ଦେଖିବା ।

ଛାଡନ୍ତୁ ଏବେ ରୋଗୀ ଓ ରୋଗୀଙ୍କୁ ଦେଖୁଥିବା ଡାକ୍ତରଙ୍କ ଆଡକୁ ଯିବା । ଏମିତିରେ ଆମେ ପ୍ରାୟ ଦେଖୁ ସାମାନ୍ୟ ରୋଗକୁ ବି କ୍ରିଟିକାଲ୍ ଦର୍ଶାଇ କିଛି ରୁରାଲ୍ ଏରିଆର ସରକାରୀ ଡାକ୍ତର ଖାନାରେ କାର୍ଯ୍ୟରତ କିଛି ଡାକ୍ତର ( ସମସ୍ତେ ନୁହନ୍ତି ) ବଡ ଡାକ୍ତର ଖାନାକୁ ରେଫର୍ କରିଦେଇଥାନ୍ତି । ଆଉ ରୋଗୀ ବା ରୋଗୀର ସମ୍ପର୍କୀୟଙ୍କ ମନଭିତରେ ବି କେଉଁଠି ନା କେଉଁଠି ଏମିତି ଗୋଟେ କଥା ବସାବାନ୍ଧିଥାଏ, ” ଯଦି ମରିବୁ ବଡ ଡାକ୍ତର ହାତରେ ଏଠି ଟୁଣ୍‌ଟିଣିଆ ହାତରେ କାଇଁ ମରିବୁ ।” କିନ୍ତୁ ଗରିବ ଗୁରୁବାଙ୍କ ମନ ଭିତରେ ଏ ପ୍ରଶ୍ନ କେବେ ଆସେନି । ସେମାନଙ୍କ ପାଖରେ ଅର୍ଥବଳ ନଥିବାରୁ ସବୁ ଡାକ୍ତରଙ୍କୁ ଭଗବାନଙ୍କ ଅବତାର ବୋଲି ଧରିନେଇ ଚିକିତ୍ସିତ ହୁଅନ୍ତି । କିନ୍ତୁ ଥିଲାବାଲା ଲୋକର ମନ ଗୋଟେ ଡାକ୍ତର ପାଖରେ ଆଦୌ ବୁଝେନି ।

ଏଇ ନିକଟରେ ମୋର ଜଣେ ଖୁବ୍ ଭଲ ସମ୍ପର୍କଥିବା ଲୋକଟିର ଦେହ ଖରାପ ହେଲା । ଜଗତସିଂହପୁରର ଜଣେ ଡାକ୍ତର ଦେଖିସାରି କହିଲେ ମାଇନର୍ ଅପରେସନ୍ ହେବ । କିଛି ଅସୁବିଧା ନାହିଁ । କିନ୍ତୁ ସେଇ ଲୋକଟିର ମନ ସେ କଥାରେ ଆଦୌ ବୁଝିଲାନି । କଟକ ଭୁବନେଶ୍ଵରର ଆଉ ପାଖା ପାଖି ୧୦ ଜଣ ଡାକ୍ତରଙ୍କ ସହିତ କନ୍‌ସଲ୍ଟ କରିସାରିବା ପରେ ନିଷ୍ପତି ନେଲେ ଅପରେସନ୍ ହୋଇଯିବା । କଟକରେ ଗୋଟେ ନର୍ସିଂଙ୍ଗ୍ ହୋମରେ କେବେ କେଉଁ ଡାକ୍ତରଙ୍କ ଦ୍ୱାରା ଅପରେସନ୍ ହେବେ ସବୁକିଛି ଫାଇନାଲ୍ କରିଦେଲେ । କିନ୍ତୁ ଅପରେସନ୍ ର ପୂର୍ବ ଦିନ ପୁଣି ମନକୁ ଅସ୍ଥିର କରି ସେଇ ଡାକ୍ତରଙ୍କୁ ଯାଇ କହିଲେ ଏବେ ଜରୁରୀ କାମ ପଡିଗଲା, ତେଣୁ କିଛି ମେଡିସିନ୍ ଦେଇଥାନ୍ତୁ । ପରେ ଆସି ଅପରେସନ୍ ହେବି । ଏ ଭିତରେ ୬ ମାସ ଗତ ହୋଇଗଲାଣି, ସେ କିନ୍ତୁ ଆଉ ଅପରେସନ୍ ର ନାମଗନ୍ଧ ଧରୁନାହାନ୍ତି । କହିବା ବାହୁଲ୍ୟ ସେଇ ଭାଇ ଜଣଙ୍କ ଯେତେସବୁ ଡାକ୍ତରଙ୍କୁ ଦେଖାଇଛନ୍ତି ସବୁ ପ୍ରଇଭେଟ୍ ରେ ଆଉ ସବୁଠି ଟଙ୍କା ଦେଇ ଚିଠା ପରେ ଚିଠା କରି ଚାଲିଛନ୍ତି । ଆଗକୁ ଏମିତି ଆଉ କେତେ ଡାକ୍ତରଙ୍କ ପାଖରୁ ଚିଠା କାଟିବେ ତାହା କହିବା ମୁସ୍କିଲ୍ ଏବଂ ଫାଇନାଲି ଅପରେସନ୍ କେବେ ହେବେ ସେକଥା ସେ ନିଜେ ବି ଜାଣିନଥିବେ, କେବଳ ଭଗବାନ୍ ଜାଣିଥିବେ ।

ଏମିତିରେ ବି କିଛିଲୋକ ଅଛନ୍ତି ଯେଉଁମାନେ ସାମାନ୍ୟ ଥଣ୍ତା କାଶ ହେଲେ ବି କାର୍ କରି କଟକ ଯାଆନ୍ତି । ସେଠି ବଡ ଡାକ୍ତରଙ୍କ ପାଖରେ ଚିଠା କରିବାପରେ ତାଙ୍କ ମନ ବୁଝେ । ସାଇ ପଡିଶାରେ ଲେକଙ୍କୁ କହୁନ୍ତି, ” ଏଠି ଭଲ ଡାକ୍ତର କାହାନ୍ତି ? ଆମର ଯାହାର କିଛି ବି ଅସୁବିଧା ହେଲେ ସେଇ କଟକ ଡାକ୍ତରଙ୍କୁ ଦେଖାଇଥାଉ । ” ଏମିତି କହିବା ଦ୍ୱାରା ସେମାନଙ୍କୁ ଗୋଟେ ମାନସିକ ଶାନ୍ତି ମିଳେ ଆଉ ସାଇ ପଡିଶାଙ୍କ ନିକଟରେ ନିଜର ବଡିମା ଦେଖାଇହୁଅନ୍ତି । ଆଉ ବି କିଛି ଲୋକ ଅଛନ୍ତି ସାମାନ୍ୟ ଦେହ ଖରାପହେଲେ ଡାକ୍ତରଙ୍କ ପାଖକୁ ଦୌଡି ଯାଇ ଚିଠା କରିଦେବେ କିନ୍ତୁ ଓୌଷଧ କିଣିବେନି କି ଖାଇବେନି । ଆପେଆପେ ତାଙ୍କ ଦେହ ଭଲହୁଏ ।

ଆଉ କିଛି ଲୋକ ଅଛନ୍ତି ତାଙ୍କୁ ଯଦି କିଏ କହିଦେଲା କି, ” ଆପଣଙ୍କ ଦେହ ଭଲ ନାହିଁ କି ? କାଇଁ ମୁହଁ ଏମିତି ଅଲଗା ଟିକେ ଦେଖା ଯାଉଛି । ” କଥା ଏତିକି କିନ୍ତୁ ଏହାର ପ୍ରଭାବ ସେଇ ଲୋକଟି ଉପରେ ଏମିତି ପଡେ ଯେ ସେ ସେଉଠୁ ଉଠି ଡାକ୍ତରଙ୍କ ପାଖକୁ ଦୌଡେ । ସେତେବେଳେ ଯଦି ଖୋଦ୍ ଯମ ବି ଆସନ୍ତି ତାହେଲେ ବି ସେ ଲୋକକୁ ଅଟକାଇ ପାରିବେନି । ଚିଠା କରି ଓୌଷଧ ଖାଇ ସାରିବାପରେ ତା’ମନ ସ୍ଥିର ହୁଏ । କିନ୍ତୁ ଏଠି ମନରେ ପ୍ରଶ୍ନ ଆସେ ସେ ଡାକ୍ତରକୁ ଯାଇ କଣ ଦେହ ହେଉଛି ବୋଲି କହେ ? ବାସ୍ତବରେ ତା ଦେହରେ କିଛି ରୋଗ ହିଁ ନଥାଏ ।

ଆଉ ଗୋଟେ କିସମର କିଛି ଲୋକ ଅଛନ୍ତି ଯଦି ତାଙ୍କ ଚିହ୍ନା ପରିଚିତ କେଉଁ ଲୋକର ବଡ ରୋଗଟେ ବାହାରି ପଡିଲା, ସେମାନେ ଭାବି ନିଅନ୍ତି ମୋର ବି ଏଇ ରୋଗଟା କାଇଁ ହୋଇନଥିବ ? ତେଣୁ ମନରେ ଗୁଡେ ଭୟନେଇ ନିଜ ଦେହ ଭିତରେ ସେଇ ରୋଗଟି ନାହିଁ ବୋଲି ଜାଣିବା ପାଇଁ ଯେତେ ପ୍ରକାର ରକ୍ତ ପରୀକ୍ଷାଠୁ ଆରମ୍ଭକରି ବଡି ସ୍କାନ୍, ଅଲ୍ଟ୍ରା ସାଉଣ୍ତ୍ ଆଦି ସବୁ କରାଇ ପକାଇ ବଡ ଡାକ୍ତର ପାଖରେ ହାଜର ହୋଇଯାଆନ୍ତି ସବୁ ରିପୋର୍ଟକୁ ସାଙ୍ଗରେ ଧରି । ସେଠି ଯଦି ସେ ଡାକ୍ତର କହିଲା ଏ ରିପିର୍ଟ ଭୁଲ୍ ତାହାଲେ କଥା ଶେଷ୍ । ପୁଣି ସେଇ ବଡ ଡାକ୍ତର ବତାଇଥିବା ଯାଗାରେ ସବୁ ଟେଷ୍ଟ କରିବାକୁ ହୁଏ । ଆଉ ସେଥିରୁ ମିଳୁଥିବା ଲାଭର କୁଆଡେ ସେଇ ବଡ ଡାକ୍ତରଙ୍କ ପାଖକୁ ତାଙ୍କ କାମିସନ୍ ପଳାଏ । ଯଦି ଆପଣ କେଉଁଠିକୁ ବିନା ଚିଠାରେ କିଛି ଟେଷ୍ଟ୍ କରିବାକୁ ଚାଲିଗଲେ ସେଠି ନିଶ୍ଚୟ କେଉଁ ଡାକ୍ତର ଆପଣଙ୍କୁ ଏଠିକି ପଠାଇଛନ୍ତି ପଚାରିବେ । ଡାକ୍ତରଙ୍କ ନାମ ଜାଣିବା ପରେ ତାଙ୍କ କମିସନ୍ ସେଠି ପହାଞ୍ଚାଇ ଦେଲେ ସେ ଖୁସି ହୋଇ ପୁଣି ରୋଗୀ ପଠାଇବେ ଆଉ ଏମିତିରେ ସମସ୍ତେ ଲାଭରେ ମାଲାମାଲ୍ ହେବାବେଳେ ବିଚରା ସେଇ ରୋଗୀ ଓ ତା’ର ସମ୍ପର୍କୀୟ କେବଳ ଗୁଡେ ଖର୍ଚାନ୍ତ ହୁଅନ୍ତି ।

ସାରା ଓଡିଶାରେ ଗୋଟେ ଧାରଣା ସମସ୍ତଙ୍କର ସୃଷ୍ଟି ହୋଇଛି ଯେ, ଯେହେତୁ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ ସବୁଠୁ ବଡ ଡାକ୍ତର ଖାନା ସେଇ ହେତୁ ସେଠି ଥିବା ଡାକ୍ତରମାନେ ମଧ୍ୟ ବହୁତ ବଡ ଆଉ ଭଲ ଡାକ୍ତର । ଏଇ ଧାରଣା ନିଶ୍ଚିତ ଭାବରେ କେତେକାଂଶରେ ସତ୍ୟ । ତେଣୁ ବହୁ ଆଶା ଧରି ବିଭିନ୍ନ ଯାଗାରୁ କଟକକୁ ରୋଗୀ ଆସିବା ଏକ ସ୍ୱାଭାବିକ କଥା । ଗରିବ ଲୋକମାନେ ଯେତେ କଷ୍ଟହେଲେ ମଧ୍ୟ ସେଇ ସରକାରୀ ବଡ ଡାକ୍ତର ଖାନାରେ ଲାଇନ୍ ରେ ରହି ସେଇ ବଡ ଡାକ୍ତରଙ୍କ ପାଖରୁ ଚିଠା କରନ୍ତି ।

ଯେଉଁମାନେ ଟିକେ ଧନୀକ ଶ୍ରେଣୀର ସେମାନେ ବୁଝିନିଅନ୍ତି ଅମକ ଭଲ ଡାକ୍ତର କେଉଁଠି ଦେଖୁଛି । ସେଇଠି ପଇସାଦେଇ ଭଲକରି ଦେହଟାକୁ ଦେଖାଇଲେ ଠିକ୍ ହେବ ଚିନ୍ତାକରି ସେଠିକି ଧାଇଁ ଯାଆନ୍ତି । କିନ୍ତୁ ଆଜିକାଲି ସେଠି ବି ପ୍ରବଳ ଭିଡ । ଏହାର ଅର୍ଥ ଟଙ୍କା ଫୋପାଡି ସୁବିଧାରେ ଚିକିତ୍ସା ହେବାକୁ ବହୁତ ଲୋକ ଚାହୁଁଛନ୍ତି । ସେଠି ଏଇ ସମୟରୁ ଏଇ ସମୟ ପର୍ଯ୍ୟନ୍ତ ଡାକ୍ତର ରୋଗୀ ଦେଖିବେ ବୋଲି ନିର୍ଦ୍ଦିଷ୍ଟ ହୋଇଥାଏ । ତା ପୂର୍ବରୁ ସେଇ ଡାକ୍ତରଙ୍କ ଦ୍ୱାରା ରଖାଯାଇଥିବା ଜଣେ ବ୍ୟକ୍ତି ଟିକେଟ୍ କରନ୍ତି । ଯେତେ ବଡ ଡାକ୍ତର ସେତେ ଭିଡ ଟିକଟ କରିବାକୁ । ସମୟେ ସମୟେ ଟିକେଟ କରିଦେଲେ ଜଣେ ଜଣେ ଲୋକ ଏତେ ଖୁସି ହୋଇ ଯାଆନ୍ତି ସତେ ଯେମିତି ରୋଗୀର ରୋଗ ପୁରା ଭଲ ହୋଇଗଲା । କିଛି ଡାକ୍ତର କେଇଜଣ ରୋଗୀ ଦେଖିବେ ତାହା ଆଗରୁ ଫାଇନାଲ୍ କରିଥାନ୍ତି । ଯଦି ୨୦ ଜଣ ଫିକ୍ସ୍ ହୋଇଥାଏ ତାହେଲେ ଅନ୍ୟ ଯେଉଁମାନେ ଟିକେଟ୍ କରି ପାରନ୍ତି ନାହିଁ ତାହେଲେ ଗୁଡେ ମନ କଷ୍ଟ କରି ଫେରନ୍ତି ପୁଣି ତା ପରଦିନ ନିଜ ଭାଗ୍ୟକୁ ଆଦେରି । ଟିକେଟ୍ କଟା ସମୟରେ ବା ଡାକ୍ତର ରୋଗୀ ଦେଖିବା ସମୟରେ କିଛି ଲୋକ ଏଇ ନମ୍ୱରକୁ ନେଇ ହାତାହାତି ହେବାଯାଏ ବି କଥା ଯାଏ ।

ପ୍ରାୟେ ଦେଖାଯାଏ ଯେଉଁଠି ସେଇ ତଥାକଥିତ ନାମକରା ଡାକ୍ତର ରୋଗୀ ଦେଖନ୍ତି ସେଠି ଓୌଷଧ ଦୋକାନ ମଧ୍ୟ ଖୋଲିଥାଏ । ସେଇ ଡାକ୍ତର ବାଛି ବାଛି ଏମିତି ଓୌଷଧ ଲେଖିଥିବେ ଯାହା ଅନ୍ୟ କେଉଁଠି ମିଳିବା ଖୁବ୍ କଷ୍ଟ । ଆଜିକାଲି ପ୍ରାୟେ ଅଧିକାଂଶ ମେଡିସିନ୍ ଦୋକନ ଦଶ ପ୍ରତିଶତ ରିହାତି ଦରରେ ଓୌଷଧ ଦେଉଛନ୍ତି । କିନ୍ତୁ ସେଇ ଡାକ୍ତର ନିଜେ ଖୋଲାଇଥିବା ବା ତାଙ୍କ ପରମିଶନ୍ ରେ ଅନ୍ୟଯିଏ ସେଠି ମେଡିସିନ୍ ଦୋକାନ ଖୋଲିଥାଏ ସେଠି ଟଙ୍କାଟେ ବି କମ୍ ଦେଲେ ହୋଇପାରିବନି । କାଳେ ରୋଗୀ ସେଠୁ ଓୌଷଧ ନକିଣି ପଳାଇବ ସେଥିପାଇଁ ସେଇ ଡାକ୍ତର ବୁଦ୍ଧି ଖଟାଇ କୁହନ୍ତି, ” ଯାଅ ସେଠୁ ମେଡିସିନ୍ କିଣି ଆଣ ମୁଁ ବତାଇ ଦେବି କେମିତି ଖାଇବ । ”

ସରକାରୀ ଡାକ୍ତରଖାନା ମାନଙ୍କରେ ବି କିଛି ଡାକ୍ତର ( ସମସ୍ତେ ନୁହନ୍ତି ) ରୋଗୀଠାରୁ ପଇସାନେଇ ସରକାରୀ ବେଡ୍ ରେ ରଖି ସରକାରୀ ଓଟିରେ ଅପରେସନ୍ କରିଥାନ୍ତି । ସମୟେ ସମୟେ ପଇସା ପାଇ ନଥିବାରୁ ଖୁବ୍ ପ୍ରସବ ଦେଦନା ପାଉଥିବା ନରୀଟିର ଠିକ୍ ସମୟରେ ମଧ୍ୟ ଚିକିତ୍ସା ଡାକ୍ତର ନ କରିବାରୁ ଉଭୟ ମାଆ ଓ ଶିଶୁ ମୃତ୍ୟୁ ମୁଖରେ ପଡନ୍ତି । ଏମିତି ବହୁତ ଘଟଣା ଖବରକାଗଜରେ ବାହାରେ ।

ପ୍ରାଇଭେଟ୍ ହସ୍ପିଟାଲ୍ କଥା ନ କହିଲେ ଭଲ । ପ୍ରାୟ ଥିଲାବାଲା ଧନିକ ଶ୍ରେଣୀର ଲୋକ ସେଠିକି ଯାଉଥିବାରୁ ଖୁବ୍ ସୁନ୍ଦର ତରିକାରେ ସେଠି ଶୋଷଣ କରନ୍ତି । ସେଠିକା ଡାକ୍ତର ବିଭିନ୍ନ କିସମର ପରୀକ୍ଷା କରିବା ପାଇଁ କହିବା ଖୁବ୍ ମାମୁଲି କଥା । ଏମିତିରେ ବି ଶୁଣାଯାଏ ରୋଗୀର ଶେଷ ସମୟ ଆସି ସାରିଥିଲେ ବି ତାକୁ ଭେଣ୍ଟିଲେଟର୍ ବା ଆଇ.ସି.ୟୁ. ରେ ରଖାଯାଇ ବିଲ୍ କୁ ବଢାଇ ଦିଆଯାଏ ।

ଏଇ କେତେଦିନ ତଳେ ଖବରକାଗଜରେ ଗୋଟେ ଲେଖା ପଢିଥିଲି । ସେଇ ଲେଖା ଜଣେ ଡାକ୍ତରଙ୍କ ଉପରେ ଥିଲା । ସେଠି ତାଙ୍କ ସହିତ ସାକ୍ଷାତକାର ନିଆଯାଇ ଏକ ଆର୍ଟିକିଲ୍ କରାଯାଇଥିଲା । ଖୁବ୍ ମନଛୁଆଁ ଲେଖା । ହୃଦୟକୁ ସବୁ ଲାଇନ୍ ଛୁଇଁ ଯାଉଥିଲା । ସେଇ ଲେଖାଟି ଥିଲା ଡାକ୍ତର ବିଦ୍ୟୁତ୍ ଦାଶଙ୍କ ଉପରେ । ତାଙ୍କୁ ସେଠି ପଚରାଯାଇଥିଲା, ” ଆପଣ କୌଣସି ପ୍ରାଇଭେଟ୍ ହସ୍ପିଟାଲ୍ ବା ଘରେ କାହିଁକି ରୋଗୀ ଦେଖୁ ନାହାନ୍ତି ? ”

ଖୁବ୍ ସୁନ୍ଦର ମନୋମୁଗ୍ଧକର ଉତ୍ତର ସେ ରଖିଥିଲେ । ସେ ଖୁବ୍ ସରଳ ଭାବରେ କହିଲେ, ” ସରକାର ଯେତିକି ଦରମା ମାସିକ ଦେଉଛନ୍ତି ତାହା ମୋ ପାଇଁ ପର୍ଯ୍ୟାପ୍ତ । ତେଣୁ କୌଣସି ପ୍ରାଇଭେଟ୍ ହସ୍ପିଟାଲ୍ ରେ ରୋଗୀ ଦେଖିବାର ଆବଶ୍ୟକତା ହିଁ ନାହିଁ ।

ତାପରେ ଘରେ କାହିଁକି ରୋଗୀ ଦେଖୁ ନାହାନ୍ତି ତାର ଉତ୍ତରରେ କହିଲେ, ” ମୋ ବାପା କହିଛନ୍ତି ଘରକୁ କେବେ ହସ୍ପିଟାଲ୍ ରେ ପରିଣତ କରିବୁନି ।”

ଆଉ କେବଳ ସେଇଥିପାଇଁ ସେ ବଡ ଡାକ୍ତର ଖାନାରେ ଯେତେ ରାତି ହେଲେ ମଧ୍ୟ ଲାଇନ୍ ରେ ଥିବା ଶେଷ ରୋଗୀଟିକୁ ଦେଖିସାରିବା ପରେ ଘରକୁ ଫେରନ୍ତି । ତାଙ୍କୁ ଦେଖାଇବା ପାଇଁ ରାତି ଅଧରୁ କଟକ ମେଡିକାଲ୍ ରେ ଲୋକ ଲାଇନ୍ ଦିଅନ୍ତି । ତେଣୁ ସବୁ ଡାକ୍ତର ଖରାପ ନୁହନ୍ତି । ବହୁତ ଡାକ୍ତରଙ୍କ ଭିତରେ ମାନବିକତା ରହିଛି । ଆଉ ମଧ୍ୟ କିଛି ଡାକ୍ତର କେବିକେ ଜିଲ୍ଲାରେ ଯେଉଁଠି ଗମନାଗମନ ନାହିଁ ସେଠି ପାଦରେ ଚାଲି ଚାଲି ତ ଆଉ କିଏ ରୋଗୀକୁ ଖଟିଆରେ ନିଜ କାନ୍ଧରେ ବୋହି ରୋଗୀଙ୍କ ଜୀବନ ବଞ୍ଚାଇଥିବାର ବହୁତ ଖବର ଦୃଷ୍ଟିରେ ପଡେ ।

ଆଉ ଗୋଟେ ଏବେକାର ଦୃଷ୍ଟାନ୍ତ ଦେଇ ଏଇ ଲେଖାକୁ ଶେଷ କରିବି । ଏଇ କେଇ ଦିନ ତଳେ ଜଣେ ସମ୍ପର୍କୀୟ ଫୋନ୍ କରି କହିଲେ, ” ଆଛା ତମେ ପରା କଟକରେ ରହୁଛ ? ”

ମୁଁ ବିନା ଦ୍ୱିଧାରେ କହିଲି, ” ହଁ ଏଇ ତିନିମାସ ହେବ ରହୁଛି । ”

ସେ କହିଲେ, ” ତାହେଲେ ଟିକେ ସାହାଯ୍ୟ କରିବେ । ସେଠି ଥିବା ଜଣେ ଡାକ୍ତରଙ୍କ ପାଖକୁ ଯାଇ ଚିଠାଟାଏ କରିଦେବେ । ଆଗରୁ ସେଠି ଫୋନ୍ ରେ କହିଦେଲେ ନମ୍ୱର ହୋଇ ଯାଉଥିଲା ଏବେ କିନ୍ତୁ ଯାଇକି ନମ୍ୱର କରିବାକୁ ହେବ । ”

ମୁଁ କହିଲି, ” ହଁ ନିଶ୍ଚେ କରିଦେବି । ”

ତ‍ପରେ ମୁଁ ନମ୍ୱର କରିବା ପାଇଁ ସେଇ ଡାକ୍ତରଙ୍କ ଚ୍ୟାମ୍ୱରକୁ ଚାଲିଲି । ସେଠି ଯାଇ ଯାହା ବୁଝିଲି ମୋ ମୁଣ୍ତ ପୁରା ଜାମ୍ ଧରିଗଲା । ଅନ୍ୟକେହି ଗଲେ ନମ୍ୱର ହୋଇ ପାରିବନି । ରୋଗୀକୁ ସ୍ୱୟଂ ଆବିର୍ଭାବ ହେବାକୁ ପଡିବ ନମ୍ୱର କରିବା ପାଇଁ । ମୁଁ ଭାବିଲି ବୋଧ ହୁଏ ଫୋନ୍ ରେ ନମ୍ୱର କରି ଗୁଡେ ଲୋକ ଆସୁନଥିବାରୁ ଏମିତି କଡା ନିୟମ ଏଇ ବଡ ଡାକ୍ତର କରିଛନ୍ତି । କନ୍ତୁ ରୋଗୀ ତରଫରୁ ଜଣେ ଲୋକ ଆସି ନମ୍ୱର କରିବାକୁ କହୁଛି କିନ୍ତୁ ନମ୍ୱର ହେଇ ହେଉନି । ନମ୍ୱର ହେବ ସକାଳ ଆଠଟା ଭିତରେ ଆଉ ରୋଗୀ ଦେଖା ଆରମ୍ଭ ହେବ ଯାଇ ଦିନ ୩ଟା ରେ ।

ଶେଷକୁ ମୁଁ ବୁଦ୍ଧି ଖଟାଇ ଟିକେଟ୍ କରୁଥିବା ଲୋକକୁ କହିଲି, ” ଆଛା ଗୋଟେ କାମ କରନ୍ତୁ, ଏବେଠୁ ଆପଣ ସାର୍‌ଙ୍କ ଫିସ୍ ରଖିନିଅନ୍ତୁ । ଆଉ ୩ଟା ପରେ ରୋଗୀ ଆସି ସେଇ ନମ୍ୱରରେ ସାର୍ ଙ୍କୁ ଦେଖା କରିବ । ”

ସେ କିନ୍ତୁ କହିଲା, ” ନାଇଁ ସେମିତି ବି ହେବନି । ରୋଗୀ ଆସିଲେ ହିଁ ନମ୍ୱର ହେବ । ”

ଯଦି ସେଇ ରୋଗୀ ଜଣଙ୍କ ପୁରୁଷ ହୋଇଥାନ୍ତେ ତାହେଲେ ତାଙ୍କ ନାଁ ଲେଖିଦେଇ କହିଥାନ୍ତି ମୁଁ ଆଜ୍ଞା ରୋଗୀ । କିନ୍ତୁ ଅସୁବିଧା ହେଉଛି ମୁଁ ଯାହାଙ୍କ ପାଇଁ ନମ୍ୱର କରିବାକୁ ଯାଇଥିଲି ସେ ହେଉଛନ୍ତି ଜଣେ ବୟସ୍କା ସ୍ତ୍ରୀ ଲୋକ ।

ତେଣୁ ବାଧ୍ୟହୋଇ ସେଇ ସମ୍ପର୍କୀୟଙ୍କୁ ଫୋନ୍ କରି ଏମିତି କଡା ନିୟମ ଏଇ ବଡ ଡାକ୍ତର କରିଦେଇଛନ୍ତି ବୋଲି କହିଲି । ତା ପରଦିନ ସେ ବାଧ୍ୟହୋଇ ସକାଳୁ ଆସିଲେ । ଜଗତସିଂହପୁରରୁ ଆସି ନମ୍ୱର କରି ପୁଣି ତ ଆଉ ଫେରିକି ଯିବେନି ତେଣୁ ପାଖରେ ଥିବା ମୋ ଘରକୁ ବୁଲି ଆସିଲେ ସମୟ କାଟିବା ପାଇଁ । ସେଦିନ ମୁଁ ମାର୍କ କଲି ପ୍ରାୟେ ବହୁତ କାର୍‌ରେ ରୋଗୀମାନେ ଆସି ନମ୍ବର କରୁଥାନ୍ତି । ରୋଗୀ, ରୋଗୀର ସମ୍ପର୍କୀୟ ଜଣେ ବା ଦୁଇଜଣ, କାର୍ ଡ୍ରାଇଭର ସମସ୍ତେ ସେଇ ଡାକ୍ତର ଘର ଚାରିପଟେ ପଇଁତରା ମାରୁଥାନ୍ତି । କିଛି କାର୍,କିଛି ବାଇକ୍ ଏମିତି ସବୁ ମିଶି ସେଠି ଭିଡ ବି ହୋଇ ରାସ୍ତା ଜାମ୍ ହୋଇଯାଉଥାଏ । ଲୋକମାନେ ବାରମ୍ୱାର ଜାଣିବାକୁ ଚେଷ୍ଟା କରୁଥାନ୍ତି ଏଠି ଏତେ ଭିଡ କାହିଁକି । ବାସ୍ ତାପରେ ସେଇ ବଡ ଡାକ୍ତର ନାମ ଆସିଗଲା । ଏଇ ପରା ତାଙ୍କ ଘର । ଏତେ ଫେମସ୍ ଡାକ୍ତର ଯେ ସବୁବେଳେ ରୋଗୀ ଲାଇନ୍ ରେ ରହୁଛନ୍ତି ।

ସକାଳୁ ସକାଳୁ ହେଉଥିବା ଏଇ ଭିଡ ସେମିତି ରହିବ ଯେ ପର୍ଯ୍ୟନ୍ତ ସେଇ ମହାନ୍ ଡାକ୍ତର ରୋଗୀ ମାନଙ୍କୁ ଦେଖି ଚିଠା କରିନାହାନ୍ତି । ଆଉ ଏଇ ହେଉଛି ପ୍ରଚାର ପ୍ରସାରର ନୂତନ ତରିକା । ମାନିବାକୁ ପଡିବ ସେଇ ବୁଦ୍ଧିମାନ୍ ଡାକ୍ତରର ବୁଦ୍ଧିକୁ ।

ସେଇ ଭିତରେ ବହୁ ବୟସ୍କ ରୋଗୀ ବି ସେଇ ଖରାରେ ଆଉଟ ପାଉଟ ହୋଇ ବୁଲୁଥାନ୍ତି । ମହାନ ଡାକ୍ତର କିନ୍ତୁ ଏସି ରୁମ୍ ରେ ବସି ରୋଗୀ ସେବା କରିବାକୁ ମନକୁ ଆହୁରି ଟ‍ାଣ କରିବା ସହ ସେଇ ବୁଦ୍ଧିଆ ମୁଣ୍ତକୁ ଥଣ୍ତା କରୁଥାନ୍ତି ।

ମୁଁ ମନେ ମନେ ଭାବୁଥାଏ ଏଇଠି ଏଇ କଟକରେ ବିଦ୍ୟୁତ୍ ଦାଶଙ୍କ ପରି କିଛି ଡାକ୍ତର ଅଛନ୍ତି ଆଉ ବି ଏଇ କିସମର କିଛି ଜନ୍ତୁ ମଧ୍ୟ ଅଛନ୍ତି ।

ଏଇ ଜନ୍ତୁ କିସମର ଲୋକ ଗୁଡାକ ସ୍ୱର୍ଗଦ୍ୱାରରେ ହରିଶ୍ଚନ୍ଦ୍ର ଯୋଜନାରେ ଦେଢ କୁଇଁଟାଲ୍ ରଡ ଝାଉଁ କାଠରେ ପୋଡା ହୋଇଗଲା ପରେ ସବୁଦିନ ପାଇଁ ଏଇ ସଂସାରରୁ ତାଙ୍କ ନାଆଁ ଲିଭିଯିବା ଫାଇନାଲ୍ । ଏଥିରେ ତିଳେହେଁ ସନ୍ଦେହ ନାହିଁ ।

ଲୋକପ୍ରିୟ ଲେଖା

To Top