ପ୍ରବନ୍ଧ

ସାମ୍ପ୍ରତିକ ଗଣମାଧ୍ୟମ

Dr Chhayakanta Sarangi's odia prose Saampratika Ganamaadhayam

ସବୁଠାରୁ ବଡ଼ ଦୁଃଖର କଥା ହେଉଛି, ସମ୍ୱାଦପତ୍ର ଛାପିବା ଏବେ ଏକ ଲାଭଜନକ ବ୍ୟବସାୟ କ୍ଷେତ୍ର ହୋଇଯାଇଛି । ଆର୍ଥିକ ଲାଭ ନିର୍ଭର କରୁଛି ବିଜ୍ଞାପନ ଉପରେ ଓ ବିଜ୍ଞାପନର ହାର ନିର୍ଭର କରୁଛି କାଗଜର ପ୍ରସାର ଉପରେ ।

ସାମ୍ପ୍ରତିକ ଗଣମାଧ୍ୟମ

ସମାଜରେ ଯାହା ଘଟୁଛି ତାକୁ ଜନସାଧାରଣଙ୍କ ନିକଟକୁ ପହଞ୍ଚାଇବା ହେଉଛି ଗଣମାଧ୍ୟମର ଲକ୍ଷ୍ୟ । ଭାରତରେ ୧୭୮୦ ମସିହାରେ ବେଙ୍ଗଲ ଗେଜେଟ୍ ନାମରେ ପ୍ରଥମ ଖବରକାଗଜ ପ୍ରକାଶ ପାଇଥିଲା । ଓଡ଼ିଶାରେ ପ୍ରଥମ ଖବରକାଗଜ କୁଜି ବରପତ୍ର ହାତରେ ଲେଖିଥିଲେ ସାଧୁସୁନ୍ଦର ଦାସ । ଏବେ ଏହା ଲଣ୍ଡନର ଇଣ୍ଡିଆ ହାଉସ୍ ଲାଇବ୍ରେରୀରେ ସୁରକ୍ଷିତ ଅଛି । କର୍ମବୀର ଗୌରୀଶଙ୍କର ରାୟ ୧୮୬୬ ମସିହାରେ ଓଡ଼ିଆ ଖବରକାଗଜ ଉତ୍କଳ ଦୀପିକା ପ୍ରକାଶ କଲେ । ପରବର୍ତ୍ତୀ ସମୟରେ ବିଭିନ୍ନ ସ୍ଥାନରୁ ଖବରକାଗଜମାନ ପ୍ରକାଶ ପାଇଲା । ସମ୍ପ୍ରତି ଖବରକାଗଜ ଛାପିବାରେ ପୃଥିବୀରେ ଭାରତର ସ୍ଥାନ ଦ୍ୱିତୀୟ । ଏଠାରେ ବିଭିନ୍ନ ଭାଷାରେ ପ୍ରତିଦିନ ୧୧ କୋଟି ଖବରକାଗଜ ଛପାଯାଏ ବୋଲି ଏକ ସର୍ବେକ୍ଷଣରୁ ଜଣାପଡ଼ିଛି । ଆମ ଦେଶରେ ରେଡ଼ିଓ ପ୍ରବେଶ କଲା ୧୯୪୨ ମସିହାରେ ଓ ଟେଲିଭିଜନ୍ ପ୍ରବେଶ କଲା ୧୯୫୯ରେ । ଏବେ କେବଳ ମୁଦ୍ରିତ ଗଣମାଧ୍ୟମ ନୁହେଁ, ବୈଦ୍ୟୁତିକ ଗଣମାଧ୍ୟମ ଏକ ପ୍ରଭାବଶାଳୀ ଭୂମିକା ନେଇଛି । ଥରେ ଏକ ଇଂଲିଶ ପତ୍ରିକାର ସମ୍ପାଦକ ବିଶିଷ୍ଟ ଲେଖକ ମନୋଜ ଦାସଙ୍କୁ ପଚାରିଲେ, “ଦୀର୍ଘଦିନ ଧରି ଗଣମାଧ୍ୟମ ସହିତ ଆପଣଙ୍କ ସମ୍ପର୍କ ନିବିଡ଼ । ଗତ କେତେବର୍ଷ ଭିତରେ ଏହାର ବିବର୍ତ୍ତନ କେତେଦୂର ସନ୍ତୋଷଜନକ ହୋଇଛି ।” ମନୋଜ ଦାସ ଉତ୍ତର ଦେଲେ, “ବିବର୍ତ୍ତନ ଏକ ଗୁଣାତ୍ମକ ବୈପ୍ଳବିକ ବିକାଶକୁ ବୁଝାଇବା ଉଚିତ୍ । ଆମ ସୁସ୍ଥ ଚେତନାରେ ଯାହା ଶ୍ରେୟ ବୋଲି ଆମର ହୃଦ୍‌ବୋଧ ହେବ, ଯାହା ଆମ ଚିନ୍ତା ଓ ଜୀବନଧାରାକୁ ମହତ୍ତର କରୁଥିବ, ସେହିଭଳି ବିକାଶକୁ ଆମେ ବିବର୍ତ୍ତନ ପର୍ଯ୍ୟାୟରେ ଗ୍ରହଣ କରିବା । ସେ ଦୃଷ୍ଟିରୁ ଗଣମାଧ୍ୟମର ଯେ ବିକାଶ ହୋଇ ନାହିଁ, ତାହା ନୁହେଁ । କିନ୍ତୁ ସେହି ବିକାଶର ମାତ୍ରା ନଗଣ୍ୟ । ଅବଶ୍ୟ ଏହାର ରୂପ, ପ୍ରସାରଧାରା ଓ ହଟଚମକରେ ଯେଉଁ ବିପୁଳ ପରିବର୍ତ୍ତନ ସାଧନ କରିଛି ଯନ୍ତ୍ରବିଜ୍ଞାନ, ତାହାକୁ ଗୋଟିଏ ଦୃଷ୍ଟିରୁ ବିବର୍ତ୍ତନ କୁହାଯାଇପାରେ- ତାହା ସ୍ଥୂଳ ବିବର୍ତ୍ତନ । . . . କିନ୍ତୁ ସଚ୍ଚା ଅର୍ଥରେ ଏହାର ଗୁଣାତ୍ମକ ବିକାଶ ହୋଇନାହିଁ । ବାସ୍ତବିକ୍ ଇଲେକ୍ଟ୍ରୋନିକ୍ସର ଆଶୀର୍ବାଦ ଯୋଗୁଁ ମୁଦ୍ରଣ ପରିପାଟୀ, ଖବର ସଂଗ୍ରହ, ପରିବେଷଣ ଚିତ୍ତାକର୍ଷକ, ବହୁମୁଖୀ, କ୍ଷିପ୍ର ଓ ରସାଳ ହୋଇଛି । ମାତ୍ର ଅନେକ ସମୟରେ ଖବର ପରିବେଷଣରେ ନିପେକ୍ଷତା ରହୁ ନାହିଁ । ରାଜନୈତିକ ପକ୍ଷପାତିତା, ସ୍ୱାର୍ଥ ଓ ଅସୂୟା ପ୍ରଣୋଦିତ ହୋଇ କେତେକ ଗଣମାଧ୍ୟମ ତା’ର ସମ୍ଭ୍ରମ ହରାଉଛି । ବେଳେବେଳେ ମୁଦ୍ରିତ ବା ଉଚ୍ଚାରିତ ଶବ୍ଦର ଦୁରୂପଯୋଗ ହେଉଛି । ଉତ୍ତେଜକ ଶବ୍ଦ ବ୍ୟବହାର କରାଯାଉଛି । ଯେଉଁ ଆନ୍ତର୍ଜାତିକ ଖେଳ ଦେଶ ଦେଶ ମଧ୍ୟରେ ସୌହାର୍ଦ୍ଦ୍ୟରର ବାତାବରଣ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ ଥିଲା, ଗତ କ୍ରିକେଟ୍ ବିଶ୍ୱକପ୍ ସମୟରେ ଭାରତର କେତେକ ଖବରକାଗଜ ତାକୁ ତିକ୍ତତାରେ ପରିଣତ କରିବା ଭଳି ଉତ୍ତେଜକ ଶବ୍ଦ ବ୍ୟବହାର କରି ଖବର ଛାପିଲେ । ଗୋଟିଏ ଖବରକାଗଜ ଛାପିଲା ବିଶ୍ୱକପ୍ ବିଶ୍ୱଯୁଦ୍ଧରେ ଭାରତ ଆଜି ପାକିସ୍ଥାନ ଦଖଲ କରିଛି । ପାକ୍ ଦଖଲ ପରେ ଭାରତୀୟ ସେନା ଏବେ ଶ୍ରୀଲଙ୍କା ଦହନ ଅଭିମୁଖେ ଅଗ୍ରସର । ବିଶ୍ୱଯୁଦ୍ଧର ଶେଷ ଦୁର୍ଗ ଦଖଲ କରି ମୁମ୍ୱାଇର ୱାଙ୍ଖଡେ଼ ଷ୍ଟାଡ଼ିୟମ୍‌ରେ ସିଂହଳୀ ସେନା ସହ ଟକ୍କର ହେବ ଭାରତୀୟ ବାଘଙ୍କର । ଭାରତୀୟ ଦଳ ପାକିସ୍ତାନକୁ ହରାଇବା ପରେ ଶ୍ରୀଲଙ୍କା ସହ ଅନୁଷ୍ଠିତ ହେବାକୁ ଥିବା ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଏହା ଥିଲା ଏକ ଦୈନିକ ଖବରକାଗଜର ବର୍ଣ୍ଣନା । ସାମାନ୍ୟ ମନୋରଞ୍ଜନ ଖେଳର ପ୍ରତିଯୋଗିତାକୁ ଏକ ଯୁଦ୍ଧକ୍ଷେତ୍ର ବୋଲି ବର୍ଣ୍ଣନା କରିବା କେତେଦୂର ଯୁକ୍ତିଯୁକ୍ତ । ଏହି ପ୍ରକାର ଉତ୍ତେଜକ ଶବ୍ଦ ଖବରକାଗଜରେ ବ୍ୟବହୃତ ହେବା ଠିକ୍ କି । ଗଣମାଧ୍ୟମ ଖବର ପ୍ରକାଶ କଲାବେଳେ ସମ୍ଭ୍ରମ ଆଚରଣ କରିବା କେତେ ଜରୁରୀ ତାହା ମନେପକାଇ ଦିଏ ୨୦୧୦ ମସିହାର ଏକ ଘଟଣା । ସେତେବେଳେ ରାଷ୍ଟ୍ରପତି ପ୍ରତିଭା ପାଟିଲ ଥା’ନ୍ତି ଚାଇନା ଗସ୍ତରେ । ତାଙ୍କ ସଙ୍ଗେ ଭାରତୀୟ ଓ ଚାିନା ଗଣମାଧ୍ୟମର ପ୍ରତିନିଧି । ସେମାନଙ୍କୁ ଉଦ୍‌ବୋଧନ ଦେଉଥିଲେ ସେ ଦେଶର ସୂଚନା ପ୍ରସାରଣ ମନ୍ତ୍ରଣାଳୟର ଜଣେ ପଦସ୍ଥ ଅଧିକାରୀ ମା’ ଜିଶେଙ୍ଗ୍ । ଆଲୋଚନାର ବିଷୟ ଥିଲା, ତିନିହଜାର ବର୍ଷ ପୁରୁଣା ଚାଇନା-ଭାରତ ସମ୍ପର୍କ । ଉଭୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପିତ ହେବାର ୬୦ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଷ୍ଟ୍ରପତି ପାଟିଲ ଯାଇଥିଲେ ଚାଇନା । ମା’ ଜିଶେଙ୍ଗ୍ ହଠାତ୍ ତାଙ୍କ ଲିଖିତ ଭାଷଣକୁ ଟେବୁଲ୍ ଉପରେ ଥୋଇ ଦେଲେ ଓ କହିଲେ ମୁଁ ଏହି ଲିଖିତ ଭାଷଣକୁ ପଢିବା ପୂର୍ବରୁ ମୋର ହୃଦୟର କଥା କହିବାକୁ ଚାହେଁ । ଉଭୟ ଦେଶର ଗଣମାଧ୍ୟମକୁ ମୋର ପ୍ରଥମ ନିବେଦନ-ଆପଣମାନେ ଦୟାକରି ଆମ ଦୁଇ ମହାନ୍ ଦେଶର ସରକାରଙ୍କୁ ପାରସ୍ପରିକ ସମ୍ପର୍କ ସୁଧାରିବାର ସୁଯୋଗ ଦିଅନ୍ତୁ । ଏକଥା କହିବା ପଛରେ କାରଣଟି ଥିଲା ୨୦୦୯ ମସିହାରେ ଉଭୟ ଦେଶର ଗଣମାଧ୍ୟମରେ ଭାରତ-ଚାଇନା ସୀମାନ୍ତରେ ଉତ୍ତେଜନାକୁ ଅତିରଞ୍ଜିତ କରି ଲେଖାଯିବା ଫଳରେ ଦୁଇ ଦେଶର ସମ୍ପର୍କ ତିକ୍ତ ହୋଇ ଉଠିଲା ।

ସମ୍ପ୍ରତି ଲକ୍ଷ୍ୟ କରାଯାଉଛି ଅନେକ ଖବରକାଗଜର ନିଜସ୍ୱ ପକ୍ଷପାତିତା ଅଛି । କେତେକ କ୍ଷମତା ଲିପ୍ସୁ ବ୍ୟକ୍ତି ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ଗଣମାଧ୍ୟମକୁ ବ୍ୟବହାର କରୁଛନ୍ତି । କେହି କେହି ଏହାକୁ ଶତ୍ରୁ ସାଧନର ମାଧ୍ୟମ ଭାବରେ ଉପଯୋଗ କରୁଛନ୍ତି । ଫଳରେ ସବୁବେଳେ ସତ୍ୟ ପ୍ରକାଶ ପାଇପାରୁ ନାହିଁ । ଏଥିପାଇଁ ବୋଧହୁଏ ଶ୍ରୀଅରବିନ୍ଦ ଆଶ୍ରମରେ ଯେଉଁ କୋଠରୀରେ ଲୋକେ ବସି ଖବରକାଗଜ ପଢୁଥିଲେ ଶ୍ରୀମା ତା’ର ନାମ ଦେଇଥିଲେ ମିଥ୍ୟା । ଅନେକ ଖବରକାଗଜ ଖବରକୁ ଅତିରଞ୍ଜନ, ଗୁରୁତରକୁ ହାଲୁକା ଓ ହାଲୁକାକୁ ଗୁରୁତର ଭାବରେ ବର୍ଣ୍ଣନା କରୁଥିବାର ଉଦାହରଣ ଅଛି । ଏହାକୁ ଏକପ୍ରକାର ମିଥ୍ୟାଚାର ବୋଲି କୁହନ୍ତି ମନୋଜ ଦାସ । ଶ୍ରୀମା ଖବରକାଗଜ ପଢ଼ା ହେଉଥିବା କୋଠରୀକୁ ମିଥ୍ୟା ନାମିତ କରିଥିଲେ ମଧ୍ୟ ଖବରକାଗଜ ବର୍ଜନ କରିନଥିଲେ । ତେଣୁ ସେ ଏକ ପଠନ କୋଠରୀର ବ୍ୟବସ୍ଥା କରିଥିଲେ । ୧୯୬୦ ମେ ୨ ତାରିଖରେ ସେ ଲେଖିଥିଲେ, ତୁମେ କଦାପି ଖବରକାଗଜ ପଢ଼ିବ ନାହିଁ- ମୁଁ ଏ କଥା କହି ନ ଥିଲି । ମୁଁ କହିଥିଲି ତୁମେ ଯାହା ପଢ଼ିବ ତାକୁ ଅନ୍ଧଭାବରେ ବିଶ୍ୱାସ କରିବ ନାହିଁ । ଖବରକାଗଜରେ ଖବର କିପରି ପ୍ରଭାବିତ ଓ ବିକୃତ ହୋଇପାରେ । ତାକୁ ବୁଝାଇବା ପାଇଁ ଏକ କାହାଣୀ କହିଛନ୍ତି ପ୍ରାବନ୍ଧିକ ଡଃ. ଭଗବାନ୍ ପ୍ରକାଶ । ଥରେ ନ୍ୟୁୟର୍କରେ ଜଣେ ବ୍ୟକ୍ତି ବୁଲୁଥିଲେ ସେଣ୍ଟ୍ରାଲ୍ ପାର୍କରେ । ହଠାତ୍ ଦେଖିଲେ ଗୋଟିଏ ବଡ଼ କୁକୁର ଏକ ଛୋଟ ଝିଅପିଲାକୁ ବାରମ୍ୱାର ଆକ୍ରମଣ କରି ରକ୍ତାକ୍ତ କରିସାରିଲାଣି । ଏହା ସହି ନ ପାରି ସେ କୁକୁରଟି ସଙ୍ଗେ ଲଢ଼ିଲେ ଓ ପିଲାଟିର ଜୀବନ ରକ୍ଷା କଲେ । ଲଢେ଼ଇରେ କୁକୁରଟି ମରିଗଲା । ପାଖରେ ଠିଆ ହୋଇଥିଲେ ଜଣେ ପୋଲିସ୍ କର୍ମଚାରୀ । ସେ ଘଟଣାସ୍ଥଳକୁ ଆସି କହିଲେ, “ତୁମେ ପ୍ରକୃତରେ ଜଣେ ହିରୋ । କାଲି ଖବରକାଗଜରେ ତୁମ ସାହସିକ କାର୍ଯ୍ୟ ହେଡ୍ଲାଇନ୍ ବାହାରିବ ।” ସାହସୀ ନ୍ୟୁୟର୍କୀୟ ଏକ ଛୋଟ ଝିଅର ଜୀବନ ରକ୍ଷା କଲା । ଏହା ଶୁଣି ବ୍ୟକ୍ତିଜଣକ କହିଲା, “ଆଜ୍ଞା । ମୁଁ ନ୍ୟୁୟର୍କବାସୀ ନୁହେଁ ।” ପୋଲିସ୍ କର୍ମଚାରୀ ହତୋତ୍ସାହିତ ହୋଇ କହିଲେ, “ଆଜ୍ଞା । ମୁଁ ଗଣମାଧ୍ୟମକୁ କହି ହେଡ୍ ଲାଇନ୍ ବଦଳାଇ ଦେବି । ତାହା ହେବ ସାହସୀ ଆମେରିକୀୟ ଏକ ଛୋଟ ଝିଅ ଜୀବନରକ୍ଷା କଲା । ପୁଣି ସେ ଲୋକଟି କହିଲା, ଆଜ୍ଞା ମୁଁ ଆମେରିକୀୟ ବି ନୁହେଁ । ପୋଲିସ୍ କର୍ମଚାରୀ କହିଲେ ତା ହେଲେ ତମେ କିଏ ? ସେ ଉତ୍ତର ଦେଲା, “ମୁଁ ଜଣେ ପାକିସ୍ଥାନୀ ନାଗରିକ ।” ଏହା ଶୁଣି ପୋଲିସ୍ କର୍ମଚାରୀ ଚୁପ୍‌ଚାପ୍ ଚାଲିଗଲେ । ତା ପରଦିନ ସେହି ଘଟଣାର ହେଡ୍ଲାଇନ୍ ବାହାରିଲା, ସନ୍ତ୍ରାସବାଦୀର ଆକ୍ରମଣରେ ନିରୀହ ଆମେରିକାନ୍ କୁକୁରର ମୃତ୍ୟୁ । କାହାଣୀଟି ହାସ୍ୟାସ୍ପଦ ହୋଇପାରେ, ମାତ୍ର ଏହା ସୂଚନା ଦିଏ ଖବରକାଗଜଙ୍କ ବ୍ୟକ୍ତିଗତ ଭ୍ରାନ୍ତ ଧାରଣା ଖବରକୁ କିପରି ପ୍ରଭାବିତ କରିପାରେ ।

ଦିନେ ଖବରକାଗଜରେ ପ୍ରକାଶ ପାଉଥିବା ଚିନ୍ତାଦ୍ୟୋତକ ପ୍ରବନ୍ଧ ଓ ବିକଳ୍ପ ବିଚାର ଅନ୍ୟତମ ଆକର୍ଷଣ ଥିଲା । ଏବେ ସେଗୁଡ଼ିକ ଆକର୍ଷଣ ହରାଇଛି ଓ ତା ସ୍ଥାନରେ ପ୍ରକାଶ ପାଉଛି ଉଦ୍ଦୀପକ ଫଟୋଗ୍ରାଫ୍ ସହିତ ଅର୍ଦ୍ଧ ଅଶ୍ଳୀଳ ଓ ମୃଦୁ ଅଶ୍ଳୀଳ ଲେଖା । ଏଥିରେ ଏକ ଇଂଲିଶ ଦୈନିକ ଖବରକାଗଜରେ ରବିବାସରୀୟ ପତ୍ରରେ ଏକ ମୃଦୁ ଅଶ୍ଳୀଳ ଫଟୋ ସହ ପ୍ରକାଶ ପାଇଲା ମସ୍ତରାମ୍‌ଙ୍କ କୃତି ଓ ଜନଜୀବନ ଉପରେ ତା’ର ପ୍ରଭାବ । ମସ୍ତରାମ୍ ନାମରେ କେହି ନିର୍ଦ୍ଦିଷ୍ଟ ଲେଖକ ନାହାନ୍ତି । ଭାରତର ସହର ଗୁଡ଼ିକରେ ମସ୍ତରାମ୍ ନାମରେ ଲିଖିତ ସେକ୍ସର ବିକୃତ ପରିବେଷଣ ହୋଇଥିବା ବହି ବହୁ ସଂଖ୍ୟାରେ ବିକ୍ରି ହେଉଛି । ଏବେ ସିନେମା ଜଗତ ସମ୍ପର୍କରେ ବଡ଼ ବଡ଼ଅକ୍ଷରରେ ଆକର୍ଷଣୀୟ ଖବର ପରିବେଷିତ ହେଉଛି । ଅଳ୍ପ କିଛିଦିନ ତେଳ (ମେ ମାସ) ଏକ ଖବରକାଗଜରେ ବଡ଼ ବଡ଼ ଅକ୍ଷରରେ ପ୍ରକାଶ ପାଇଥିଲା ଅଶୁଭ ଘର ବିକିବେ ଦୀପିକା । କିଛି ବର୍ଷ ତଳେ ଏମିତି ଏକ ଖବର ପ୍ରକାଶ ପାଇଥିଲା । ଶିରୋନାମା ଥିଲା, ଐଶ୍ୱର୍ଯ୍ୟା ରାୟଙ୍କୁ ତେଇଶି ବର୍ଷ ପୂରିଲା । ଏହି ଉଭୟ କ୍ଷେତ୍ରରେ ଅଭିନେତ୍ରୀଙ୍କ ଫଟୋ ବି ପ୍ରକାଶ ପାଇଥିଲା । ଠିକ୍ ସେହି ସମୟରେ ଏକ ପ୍ରମୁଖ ଇଂଲିଶ୍ ଦୈନିକରେ ଫୁଟବଲ ତାରକା ରୋନାଲ୍ଡୋଙ୍କ ପତ୍ନୀଙ୍କ ସମ୍ପର୍କରେ ଆଉ ଏକ ଖବର ପ୍ରକାଶ ପାଇଲା । ଖବରଟି ହେଲା, ପ୍ରସିଦ୍ଧ ଫୁଟବଲ ତାରକା ରୋନାଲ୍ଡୋଙ୍କ ପତ୍ନୀଙ୍କ ଗର୍ଭ ନଷ୍ଟ । ଥରେ ଅମିତାଭଙ୍କ ଜନ୍ମଦିନ ଉପଲକ୍ଷେ ଅଧିକାଂଶ ଟିଭି ଚ୍ୟାନେଲ୍‌ରେ ତାଙ୍କ ଘର ସାମାନାରେ ହୋଇଥିବା ଭିଡ଼ର ପ୍ରସାରଣ ହୋଇଥିଲା । ଦେହରେ କେବଳ ଅନ୍ତର୍ବାସ ପିନ୍ଧିଥିବା ଜଣେ ପ୍ରଶଂସିକାଙ୍କ ସହ ଅମିତାଭଙ୍କ ଏକ ସାକ୍ଷାତ୍କାର ୧୫ ମିନିଟ୍ ଧରି ପ୍ରସାରିତ ହୋଇଥିଲା । ଏହିସବୁ ପଢ଼ି ବା ଶୁଣି ମନେହୁଏ କେଉଁ ଅଭିନେତ୍ରୀଙ୍କୁ କେତେ ବର୍ଷ ପୂରିଲା, କାହାର ଗର୍ଭନଷ୍ଟ ହେଲା, କାହାର କେଉଁ ପ୍ରକାର କୁକୁର ପ୍ରିୟ, କିଏ କ’ଣ ଖାଇବାକୁ ଭଲ ପାଆନ୍ତି ଇତ୍ୟାଦି ପାଠକମାନଙ୍କ ଜାଣିବା କଣ ନିହାତି ଜରୁରୀ । ଏମାନେ କ’ଣ ଆମର ତ୍ରାଣକର୍ତ୍ତା ?

ସବୁଠାରୁ ବଡ଼ ଦୁଃଖର କଥା ହେଉଛି, ସମ୍ୱାଦପତ୍ର ଛାପିବା ଏବେ ଏକ ଲାଭଜନକ ବ୍ୟବସାୟ କ୍ଷେତ୍ର ହୋଇଯାଇଛି । ଆର୍ଥିକ ଲାଭ ନିର୍ଭର କରୁଛି ବିଜ୍ଞାପନ ଉପରେ ଓ ବିଜ୍ଞାପନର ହାର ନିର୍ଭର କରୁଛି କାଗଜର ପ୍ରସାର ଉପରେ । ଏବେ ପ୍ରଥମ ପୃଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ସମ୍ୱାଦ ସହ ରୁଚିହୀନ ଛବିମାନ ବି ପ୍ରକାଶ ପାଇଲାଣି । ଖବରକାଗଜରୁ ଅସଲ ଲାଭ ବିଜ୍ଞାପନରୁ ଆସୁଥିବାରୁ ବିଜ୍ଞାପନ ସମ୍ୱାଦପତ୍ର ନିୟନ୍ତ୍ରଣ କରୁଛି । ଚିତ୍ରତାରକାମାନଙ୍କ ଅର୍ଦ୍ଧନଗ୍ନ ଫଟୋ ସହ ବିଜ୍ଞାପନ ପ୍ରକାଶ ପାଉଛି । ଉଦ୍ଦେଶ୍ୟ, ଗ୍ରାହକ ଅର୍ଦ୍ଧନଗ୍ନ ଫଟୋ ଦେଖିବା ସହ ବିଜ୍ଞାପିତ ସାମଗ୍ରୀ କିଣିବେ । ସାମସାମୟିକ ସାହିତ୍ୟିକ, ବୈଜ୍ଞାନିକ, ନିଃସ୍ୱାର୍ଥ ଜନନେତାଙ୍କ ଫଟୋ ସହ ବିଜ୍ଞାପିତ ସାମଗ୍ରୀ ପ୍ରକାଶ ପାଏ ନାହିଁ, କାରଣ ଚିତ୍ରତାରକା ହିଁ ଆଜି ଉପଭୋକ୍ତାଙ୍କ ମଡେ଼ଲ୍ । ଜାପାନୀ ତେଲ, ଅଙ୍ଗବର୍ଦ୍ଧକ ଯନ୍ତ୍ର ଭଳି ବିଜ୍ଞାପନ ପ୍ରାୟ ପ୍ରତ୍ୟେକ ଖବରକାଗଜର ବାହାରୁଛି । ଏସବୁ ବିଜ୍ଞାପନର କୁପ୍ରଭାବ କୋମଳମତି ବାଳକବାଳିକାମାନଙ୍କ ଉପରେ ପଡ଼ିବା ଆରମ୍ଭ କଲାଣି । ଭୋକ ଅର୍ଥନୀତିକୁ ନେଇ ଖବରକାଗଜରେ ସେମିତି କିଛି ପ୍ରକାଶ ପାଉ ନାହିଁ, କାରଣ ପେଟର ଭୋକକୁ ନେଇ ସୌଖୀନ ବେପାର ସମ୍ଭବ ନୁହେଁ । କିନ୍ତୁ ପ୍ରିଣ୍ଟମିଡ଼ିଆ, ଦେହର ଭୋକକୁ ନେଇ ବେପାର କରିବା ଆଦୌ ଗ୍ରହଣୀୟ ମନେହେଉ ନାହିଁ । ଆଜି ସମ୍ୱାଦପତ୍ର ପାଠକ ଏକ ଉପଭୋକ୍ତା ସ୍ତରକୁ ଖସିଆସିବା ଏକ ବିଡ଼ମ୍ୱନାର ବିଷୟ ।

ଲୋକପ୍ରିୟ ଲେଖା

To Top