ପ୍ରବନ୍ଧ

ସାମ୍ପ୍ରତିକ ଶିକ୍ଷା ଓ ଦୁର୍ନୀତି

Dr Chhayakanta Sarangi's odia prose Saampratika Shikhya O Durniti

ରାଜପୁତ୍ରମାନଙ୍କୁ ମଧ୍ୟ ଶିକ୍ଷା ନିମନ୍ତେ ଋଷିମାନଙ୍କ ଆଶ୍ରମକୁ ଯିବାକୁ ପଡୁଥିଲା । ଏପରିକି ଶ୍ରୀକୃଷ୍ଣ ମଧ୍ୟ ସନ୍ଦିପନୀ ଋଷିଙ୍କ ଆଶ୍ରମରେ ରହି ଶିକ୍ଷା ଗ୍ରହଣ କରିଥିଲେ ।

ସାମ୍ପ୍ରତିକ ଶିକ୍ଷା ଓ ଦୁର୍ନୀତି

ସମ୍ପ୍ରତି ପ୍ରଶାସନିକ ଅଧିକାରୀ, ଆରକ୍ଷୀ ଇତ୍ୟାଦି ଉଚ୍ଚଶିକ୍ଷିତ ବ୍ୟକ୍ତିମାନଙ୍କର ଦୁର୍ନୀତି ଓ ଅପରାଧ ସହ ସମ୍ପୃକ୍ତି ଜାଣିବା ପରେ ମନେହୁଏ ସାମ୍ପ୍ରତିକ ଶିକ୍ଷା ଦିଗ୍‌ଭ୍ରଷ୍ଟ ହୋଇଛି । ପ୍ରାଚୀନ ଭାରତରେ ଶିକ୍ଷାର ବହୁଳ ପ୍ରସାର ହୋଇପାରି ନଥିଲା । ଋଷିମୁନିମାନେ ଅରଣ୍ୟ ମଧ୍ୟସ୍ଥ ଆଶ୍ରମମାନଙ୍କରେ କିଛି ଶିଷ୍ୟଙ୍କୁ ଶିକ୍ଷାଦାନ କରୁଥିଲେ । ରାଜପୁତ୍ରମାନଙ୍କୁ ମଧ୍ୟ ଶିକ୍ଷା ନିମନ୍ତେ ଋଷିମାନଙ୍କ ଆଶ୍ରମକୁ ଯିବାକୁ ପଡୁଥିଲା । ଏପରିକି ଶ୍ରୀକୃଷ୍ଣ ମଧ୍ୟ ସନ୍ଦିପନୀ ଋଷିଙ୍କ ଆଶ୍ରମରେ ରହି ଶିକ୍ଷା ଗ୍ରହଣ କରିଥିଲେ । ଏହି ଧାରା ପ୍ରାୟ ମହାଭାରତ ଯୁଗ ପର୍ଯ୍ୟନ୍ତ ଚାଲିଥିଲା (ବୋଧହୁଏ ଦ୍ରୋଣାଚାର୍ଯ୍ୟ ହେଉଛନ୍ତି ପ୍ରଥମ ଗୁରୁ, ଯିଏ ରାଜପ୍ରାସାଦରେ ରହି ଘରୋଇ ଶିକ୍ଷକ ଭାବେ କୌରବ ଓ ପାଣ୍ଡବମାନଙ୍କୁ ଶିକ୍ଷା ଦେଇଥିଲେ) । ଆଜି ପରିସ୍ଥିତି ବଦଳି ଯାଇଛି । ଶିକ୍ଷାନୁଷ୍ଠାନମାନଙ୍କର ସଂଖ୍ୟା ବଢ଼ିଛି ଓ ବହୁ ସଂଖ୍ୟାରେ ଶିକ୍ଷିତ ସୃଷ୍ଟି ହୋଇଛନ୍ତି । ମାତ୍ର ଶିକ୍ଷିତମାନଙ୍କ ସଂଖ୍ୟା ଯେତିକି ବଢ଼ିଛି, ସମାଜରେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିମାନଙ୍କ ମଧ୍ୟରେ ଉଚ୍ଚଶିକ୍ଷିତମାନଙ୍କ ସଂଖ୍ୟା ସର୍ବାଧିକ । ଏଣୁ ପ୍ରଚଳିତ ଶିକ୍ଷାପଦ୍ଧତି ସାମାଜିକ ମଙ୍ଗଳ ସାଧନ କରିବାରେ ବିଫଳ ହୋଇଛି । ସାମ୍ପ୍ରତିକ ଶିକ୍ଷା ବୁଦ୍ଧିକୁ ଶାଣିତ କରିଛି ସତ, ମାତ୍ର ଚାରିତ୍ରିକ ସ୍ଖଳନ ସୃଷ୍ଟି କରିଛି । ପ୍ରାଚୀନ ଭାରତରେ ଶିକ୍ଷକମାନଙ୍କୁ ଆଚାର୍ଯ୍ୟ କୁହାଯାଉଥିଲା, କାରଣ ସେମାନେ ନିଜ ଆଚରଣ ମାଧ୍ୟମରେ ଶିଷ୍ୟମାନଙ୍କୁ ଶିକ୍ଷା ଦେଉଥିଲେ ଓ ସେମାନଙ୍କ ଚରିତ୍ର ଗଠନ କରୁଥିଲେ । ଶାସ୍ତ୍ର କହେ-

“ଆଲୋଜ୍ୟ ସର୍ବଶାସ୍ତ୍ରାଣି ବିଚାର୍ଯ୍ୟ ଚ ପୁନଃପୁନଃ ।
ସ୍ୱୟଂ ଆଟରତେ ଯସ୍ମାତ୍ ସ ଆଚାର୍ଯ୍ୟଃ ଉଦୀରତଃ ।।”

ଅର୍ଥାତ୍ ଯେଉଁମାନେ ସମସ୍ତ ଶାସ୍ତ୍ରକୁ ଅଧ୍ୟୟନ କରି, ପୁଣି ବାରମ୍ୱାର ବିଚାର କରି ନିଜ ଆଚରଣରେ ସେଗୁଡ଼ିକୁ କାର୍ଯ୍ୟକାରୀ କରୁଥିଲେ ସେମାନଙ୍କୁ ଆଚାର୍ଯ୍ୟ କୁହାଯାଏ । ସେତେବେଳେ ଶିଷ୍ୟମାନେ ଆଚାର୍ଯ୍ୟମାନଙ୍କ କେବଳ ବାଣୀକୁ ଗ୍ରହଣ କରୁନଥିଲେ, ବରଂ ଆଚାର୍ଯ୍ୟମାନଙ୍କ ବ୍ୟକ୍ତିଗତ ଜୀବନଚର୍ଯ୍ୟାକୁ ନିଜର ଆଦର୍ଶ ଭାବରେ ଗ୍ରହଣ କରୁଥିଲେ । ଗୁରୁମାନେ ଶିକ୍ଷାଦାନ କରି ଶିଷ୍ୟମାନଙ୍କ ପାଖରୁ ଅର୍ଥଗ୍ରହଣ କରୁନଥିଲେ । ଶିକ୍ଷା ଶେଷ ହେବା ପରେ ଶିଷ୍ୟମାନେ ଖୁସିରେ ନିଜର ସାମର୍ଥ୍ୟ ଅନୁସାରେ କିଛି ଦକ୍ଷିଣା ଦେଉଥିଲେ । ଏବେ ଅବସ୍ଥା ବଦଳିଯାଇଛି । ଶିକ୍ଷକମାନେ ଶିକ୍ଷାଦାନ କର୍ମକୁ ଏକ ବ୍ୟବସାୟରେ ପରିଣତ କରିଦେଇଛନ୍ତି । ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କ ଶିକ୍ଷକମାନଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତି କମିବା ସ୍ୱାଭାବିକ୍ । ଆଜି କେହି ଚରିତ୍ର ଗଠନ କରିବା ପାଇଁ ଶିକ୍ଷାନୁଷ୍ଠାନକୁ ଯାଉ ନାହିଁ । ଯେଉଁ ଶିକ୍ଷାନୁଷ୍ଠାନରେ ଶିକ୍ଷା ଗ୍ରହଣ କଲେ ସବୁଠାରୁ ବେଶି ଅର୍ଥକରୀ ଚାକିରୀ ମିଳିପାରିବ, ଆଜି ସେହି ଅନୁଷ୍ଠାନମାନଙ୍କରେ ବେଶି ଭିଡ଼ । ସେହିସବୁ ଅନୁଷ୍ଠାନ ଚରିତ୍ର ଗଠନ ପାଇଁ ଶିକ୍ଷା ଦିଏ ନାହିଁ, ସାମ୍ପ୍ରତିକ ପ୍ରତିଯୋଗିତା ଯୁଗରେ କେଉଁ ବୁଦ୍ଧିଦ୍ୱାରା ଅନ୍ୟକୁ ଟପି ହେବ ସେହି ବୁଦ୍ଧି ଶିକ୍ଷା ଦିଏ । ସେଠାରେ ଶିକ୍ଷାଗ୍ରହଣ କଲେ ବୁଦ୍ଧି ଶାଣିତ ହୁଏ, ମାତ୍ର ସଫଳତାର ଚରମ ସୋପାନରେ ପହଞ୍ଚିବା ପାଇଁ ବୁଦ୍ଧିର ଦୁରୂପଯୋଗ ହୁଏ । ସେହିପରି ଅନୁଷ୍ଠାନରୁ ବାହାରିଥିବା ଛାତ୍ରଛାତ୍ରୀମାନଙ୍କ ଦୃଷ୍ଟିରେ ବହୁତ ଅର୍ଥ ଉପାର୍ଜନ କରି ଏକ ଭୋଗମୟ ଜୀବନଯାପନ କରିବା ହେଉଛି ସଫଳତା । ଏଣୁ ଅର୍ଥ ରୋଜଗାର ସେମାନଙ୍କ ଜୀବନଯାପନ କରିବା ହେଉଛି ସଫଳତା । ଏଣୁ ଅର୍ଥ ରୋଜଗାର ସେମାନଙ୍କ ଜୀବନର ପ୍ରଧାନ ଲକ୍ଷ୍ୟ ପାଲଟିଯାଏ ଓ ସେଥିପାଇଁ ସେମାନେ ଶିକ୍ଷାପ୍ରାପ୍ତ ବୁଦ୍ଧିରୁ ଦୁରୂପଯୋଗ କରିବା ପାଇଁ କୁଣ୍ଠାବୋଧ କରନ୍ତି ନାହିଁ । ଏହି ପ୍ରସଙ୍ଗରେ ମନେପଡ଼େ ବିଶିଷ୍ଟ ନାଟ୍ୟକାର ସେକ୍ସପିୟର୍‌ଙ୍କ ନାଟକ “The Tempest”ର କଥାବସ୍ତୁ । ପ୍ରସ୍ପରୋ ଯେଉଁ ଦ୍ୱୀପରେ ରହୁଥିଲେ, ତାହା ଏକ ଡାହାଣୀର ଅଧିକାରରେ ଥିଲା । ତା’ର ପୁଅ କାଲିବାନ୍ ଥିଲା ଅଧାମାନବ ଓ ଅଧା ଦାନବ । ପ୍ରସ୍ପରୋ ତାକୁ ଶିକ୍ଷା ଦେଇଛନ୍ତି ଓ ମାର୍ଜିତ କରିବା ପାଇଁ ଚେଷ୍ଟା କରିଛନ୍ତି । ମାତ୍ର କାଲିବାନ୍ ଭାଷା ଶିକ୍ଷା କରିବା ପରେ ତାକୁ ଅନ୍ୟମାନଙ୍କୁ ଗାଳିଗୁଲଜ କରିବାରେ ବ୍ୟବହାର କରିଛି । ସେ କହିଛି ଆପଣ ମୋତେ ଭାଷା ଶିଖାଇଲେ ଓ ମୁଁ ତାକୁ ସୁନ୍ଦର ଭାବରେ ଅନ୍ୟକୁ ଗାଳି କରିବାରେ ବ୍ୟବହାର କରିପାରୁଛି (You taught me language, and my profit on ’t Is I know how to curse.) । ଠିକ୍ ଏହିଭଳି ଆଜି ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନରୁ ଯେଉଁ ଶିକ୍ଷା ଲାଭ କରୁଛନ୍ତି ସେମାନେ ତାକୁ ଚରିତ୍ର ଗଠନରେ ବ୍ୟବହାର ନ କରି ଅର୍ଥ ଉପାର୍ଜନ ନିମନ୍ତେ ବୁଦ୍ଧିର ଦୁରୂପଯୋଗ କରୁଛନ୍ତି । ଏଠାରୁ ଆରମ୍ଭ ହେଉଛି ଦୁର୍ନୀତି । ବ୍ୟାଧିଗ୍ରସ୍ତ ମଣିଷ ପାଇଁ ଜଣେ ଡାକ୍ତର ହେଉଛନ୍ତି ଦ୍ୱିତୀୟ ଈଶ୍ୱର । ତାଙ୍କର ସେବାରେ ଜଣେ ରୋଗୀ ନବଜୀବନ ଲାଭ କରେ । ମାତ୍ର ଆଜି ଏହି ଡାକ୍ତରମାନେ ସରକାରୀ ଦରମାରେ ପୁଷ୍ଟ ହୋଇ ମଧ୍ୟ ସନ୍ତୁଷ୍ଟ ନୁହନ୍ତି । ଏମାନେ ବିନା ଲାଞ୍ଚରେ ରୋଗୀର ଅସ୍ତ୍ରୋପଚାର କରନ୍ତି ନାହିଁ । ଏମାନେ କିଡ୍ନୀ ଚୋରୀ ଅପରାଧରେ ସମ୍ପୃକ୍ତ ଥିବାର ଉଦାହରଣ ମଧ୍ୟ ଅଛି । ବିଡ଼ମ୍ୱନାର ବିଷୟ ଯେ ଏମାନେ ଉଚ୍ଚଶିକ୍ଷିତ । ଏମାନଙ୍କର ଦୁର୍ନୀତି ପଛରେ ଏକମାତ୍ର କାରଣ ହେଉଛି ଅମାପ ଅର୍ଥ ସଂଗ୍ରହ କରିବାର ଲୋଲୁପତା । ଏହି ଅର୍ଥଲୋଲୁପତା ଆଜି ଶିକ୍ଷକ, ଇଞ୍ଜିନିୟର, ବିଧାୟକ, ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ ସମସ୍ତଙ୍କୁ କବଳିତ କରିଛି ।

ମଣିଷ ଭାବେ ଅର୍ଥ ହିଁ ସୁଖର ଏକମାତ୍ର ଅବଲମ୍ୱନ । ଏହା ଅବଶ୍ୟ ସତ୍ୟ ଯେ ଅର୍ଥ ବିନା ଜୀବନ ଧାରଣ ଅସମ୍ଭବ । କିନ୍ତୁ ସେ ଅର୍ଥ ପାଖରେ ନିଜକୁ କ୍ରୀତଦାସ କରିନିଏ । ସେ ଧନ ଚାହେଁ ସ୍ୱାଧୀନ ହେବା ପାଇଁ । ସେ ଭାବେ ଧନ ଥିଲେ ସେ ଯେତେବେଳେ ଯାହା ଚାହିଁବ, ତାହା କରିପାରିବ । ମାତ୍ର ପରବର୍ତ୍ତୀ ସମୟରେ ସେ ଧନର ଦାସ ହୋଇ ନିଜର ସ୍ୱାଧୀନତା ଓ ବିବେକ ହରାଏ । ଅର୍ଥଲୋଭରୁ ସୃଷ୍ଟି ହୁଏ ଈର୍ଷା ଓ ଈର୍ଷାରୁ ସୃଷ୍ଟି ହୁଏ ହିଂସାଚରଣ । ଏହି ବିତ୍ତକୁ ନେଇ କେତେବେଳେ ଭାଇଭାଇ ମଧ୍ୟରେ ତ ଆଉ କେତେବେଳେ ବନ୍ଧୁବନ୍ଧୁ ମଧ୍ୟରେ କଳହ ଓ ରକ୍ତପାତ ଘଟୁଥିବାର ଦୃଷ୍ଟିଗୋଚର ହୁଏ । ଧନର ଏହି ବିପଜ୍ଜନକ ପ୍ରଭାବ ସମ୍ପର୍କରେ ସଚେତନ କରିବା ପାଇଁ ପ୍ରାଜ୍ଞପୁରୁଷମାନେ ସର୍ବଦା ସେମାନଙ୍କ ପ୍ରୟାସ ଜାରି ରଖିଛନ୍ତି । ବୁଦ୍ଧଜାତକର ନିମ୍ନୋକ୍ତ କାହାଣୀ ଏହି ପ୍ରସଙ୍ଗରେ ପ୍ରଣିଧାନଯୋଗ୍ୟ ମନେହୁଏ ।

ବୋଧିସତ୍ତ୍ୱ ଜଣେ ପଣ୍ଡିତଙ୍କ ନିକଟରୁ ଶିକ୍ଷାଗ୍ରହଣ କରୁଥିଲେ । ପଣ୍ଡିତ ଥିଲେ ଜଣେ ମନ୍ତ୍ରସାଧକ । ପୂର୍ଣ୍ଣିମୀ ତିଥିରେ ଯଦି କେତେକ ବିଶେଷ ଗ୍ରହଙ୍କ ସଂଯୋଗ ଘଟେ ସେ ଆକାଶକୁ ଚାହିଁ ଏକ ମନ୍ତ୍ରୋଚ୍ଚାରଣ କଲେ, ଆକାଶରୁ ସୁନା ରୂପା ମୋତି ମାଣିକ୍ୟ ବର୍ଷା ହୁଏ । ଦିନେ ପ୍ରିୟ ଶିଷ୍ୟ ବୋଧିସତ୍ତ୍ୱକୁ ଧରି ପଣ୍ଡିତେ ଏକ ସହରକୁ ଯାଉଥାନ୍ତି । ବାଟରେ ପଡ଼ିଲା ଘନ ଅରଣ୍ୟ । ସେଠି ସେମାନେ ଏକ ଭୟଙ୍କର ଦସ୍ୟୁଦଳର ହାବୁଡ଼ରେ ପଡ଼ିଲେ । ଦସ୍ୟୁମାନେ ପଣ୍ଡିତଙ୍କୁ ଏକ ଗଛରେ ବାନ୍ଧି ପକାଇ ବୋଧିସତ୍ତ୍ୱଙ୍କୁ କହିଲେ, “ତୁମେ ଯଥାଶୀଘ୍ର ଏକ ସହସ୍ର ସ୍ୱର୍ଣ୍ଣମୁଦ୍ରା ସଂଗ୍ରହ କରି ଏଠାକୁ ଆଣିଲେ ପଣ୍ଡିତଙ୍କୁ ମୁକ୍ତି ଦିଆଯିବ, ନଚେତ୍ ତାଙ୍କୁ ଓ ତୁମକୁ ହତ୍ୟା କରାଯିବ ।” ବୋଧିସତ୍ତ୍ୱ ଏହି ସର୍ତ୍ତରେ ରାଜି ହୋଇ ସନ୍ତର୍ପଣରେ ପଣ୍ଡିତଙ୍କୁ କହିଲେ, “ଗୁରୁଦେବ ! ଆସନ୍ତାକାଲି ପୂର୍ଣ୍ଣମୀ ତିଥି ପଡୁଛି ଓ ରତ୍ନବର୍ଷା ପାଇଁ ଅନୁକୂଳ ଗ୍ରହସଂଯୋଗ ଘଟୁଛି । ଆପଣ ଅଧୈର୍ଯ୍ୟ ହୋଇ ମନ୍ତ୍ରବଳରେ କେବେ ବି ଧନରତ୍ନ ବର୍ଷା କରି ବିପଦକୁ ଆମନ୍ତ୍ରଣ କରିବେ ନାହିଁ । ମୁଁ ଯଥାଶୀଘ୍ର ଏକସହସ୍ର ସ୍ୱର୍ଣ୍ଣମୁଦ୍ରା ନେଇ ଏଠାକୁ ଫେରିବି ଓ ଆପଣଙ୍କୁ ମୁକ୍ତ କରିବି । ଏହି ପ୍ରତିଶ୍ରୁତି ଦେଇ ବୋଧିସତ୍ତ୍ୱ ଚାଲିଗଲେ ।

ଗଛରେ ବନ୍ଧା ହୋଇ ପଣ୍ଡିତ କଷ୍ଟଭୋଗ କଲେ ଓ କ୍ରମେ ତାଙ୍କର ଧୈର୍ଯ୍ୟଚ୍ୟୁତି ଘଟିଲା । ସେ ଦସ୍ୟୁମାନଙ୍କୁ ନିଜର ମନ୍ତ୍ରଶକ୍ତି ବିଷୟରେ କହିଲେ ଓ ପ୍ରତିଶ୍ରୁତି ଦେଲେ ଯେ ତାଙ୍କୁ ବନ୍ଧନମୁକ୍ତ କରାଗଲେ ସେ ମନ୍ତ୍ର ବଳରେ ଧନରତ୍ନ ବର୍ଷା କରିବେ । ଡକାୟତଦଳ ପଣ୍ଡିତଙ୍କୁ ମୁକ୍ତ କରନ୍ତେ ପଣ୍ଡିତ ଆକାଶକୁ ଚାହିଁ ମନ୍ତ୍ରୋଚ୍ଚାରଣ କରିବାରୁ ଆକାଶରୁ ହୀରା, ନୀଳା, ମୋତି, ମାଣିକ୍ୟ ବର୍ଷା ହେଲା । ସେ ସବୁ ସଂଗ୍ରହ କରି ଡକାୟତ ଦଳ ଚାଲିଗଲେ । ରାସ୍ତାରେ ଆଉ ଏକ ଦସ୍ୟୁଦଳ ସେମାନଙ୍କ ପାଖରୁ ଧନରତ୍ନ ସଂଗ୍ରହର ରହସ୍ୟ ଜାଣି ସେହି ପଣ୍ଡିତଙ୍କୁ ଖୋଜିଲେ ଓ ପୁଣି ତାଙ୍କୁ ବାନ୍ଧି ପକାଇ ଧନରତ୍ନ ବର୍ଷା କରିବା ପାଇଁ କହିଲେ । ମାତ୍ର ସେତେବେଳେ ସେହି ଗ୍ରହଯୋଗ ସମୟ ଗଡ଼ିଯାଇଥିଲା । ଏଣୁ ମନ୍ତ୍ରଶକ୍ତି କାମ କଲା ନାହିଁ । ଦସ୍ୟୁମାନେ ପଣ୍ଡିତଙ୍କ ଉପରେ ରାଗିଯାଇ ତାଙ୍କୁ ହତ୍ୟା କଲେ ଓ ବହୁ ଧନରତ୍ନର ଅଧିକାରୀ ହୋଇଥିବା ପ୍ରଥମ ଦସ୍ୟୁଦଳ ଉପରେ ଅତର୍କିତ ଆକ୍ରମଣ କଲେ । ଉଭୟ ଦଳ ମଧ୍ୟରେ ଭୟଙ୍କର ଲଢ଼େଇ ହେଲା । ସମସ୍ତଙ୍କ ଦୃଷ୍ଟି ଥିଲା ସେହି ଧନରତ୍ନ ଉପରେ । ତାକୁ ଅକ୍ତିଆର କରିବା ପାଇଁ ଲଢ଼େଇ କରି ସମସ୍ତେ ମଲେ । ବଞ୍ଚିଲେ ମାତ୍ର ଦୁଇଜଣ । ସେମାନେ ନିଷ୍ପତ୍ତି କଲେ ଯେ ସମସ୍ତ ଧନରତ୍ନ ଦୁହେଁ ସମାନ ଭାବରେ ବାଣ୍ଟି ନେବେ । ଜଣେ ଦସ୍ୟୁ ଅନ୍ୟକୁ କହିଲା, “ମୁଁ ଏଠାରେ ଏହି ଧନରତ୍ନକୁ ଜଗି ରହୁଛି । ତୁମେ ଯାଅ, ନିକଟସ୍ଥ ଗାଁରୁ କିଛି ଖାଦ୍ୟ ସଂଗ୍ରହ କରି ଆଣ । ଖାଇସାରିବା ପରେ ଧନତକ ବାଣ୍ଟିନେବା ।” ଅନ୍ୟଜଣକ ଗାଁରୁ ଖାଦ୍ୟ ସଂଗ୍ରହ କରି ଫେରିଲା ଓ ଉଭୟେ ଖାଇଲେ । ହଠାତ୍ ଜଗି ରହିଥିବା ଦସ୍ୟୁଟି ଚିନ୍ତା କଲା ଅନ୍ୟ ଦସ୍ୟୁଟିକୁ ହତ୍ୟା କରି ପକାଇଲେ ସମସ୍ତ ଧନ ତାରି ହୋଇଯିବ । ଶେଷରେ ତାକୁ ଅତର୍କିତ ଆକ୍ରମଣ କରି ହତ୍ୟା କଲା । ମାତ୍ର ଘଟଣାଟି ସେଥିରେ ସରି ନଥିଲା । ଖାଦ୍ୟ ସଂଗ୍ରହ କରିଥିବା ଦସ୍ୟୁ ମଧ୍ୟ ସମସ୍ତ ଧନରତ୍ନକୁ ଆକ୍ତିଆର କରିବା ପାଇଁ ଅନ୍ୟ ଦସ୍ୟୁକୁ ହତ୍ୟା କରିବା ଷଡ଼ଯନ୍ତ୍ର କରିଥିଲା ଓ ଖାଦ୍ୟରେ ବିଷ ମିଶାଇଥିଲା । ଏଣୁ ପ୍ରଥମ ଦସ୍ୟୁର ମଧ୍ୟ ମୃତ୍ୟୁ ହେଲା । ସେହି ଧନରତ୍ନ ଭୋଗ କରିବା ପାଇଁ କେହି ରହିଲେ ନାହିଁ । ବିତ୍ତ ମଣିଷର ବିବେକକୁ କିପରି ଅପହରଣ କରିନିଏ ଓ ଭୟଙ୍କର ପରିଣତି ସୃଷ୍ଟି କରେ, ବୁଦ୍ଧଜାତକର ଏହି ଗଳ୍ପ ଚେତାବନୀ ଅଟେ । ତଥାପି ଉଚ୍ଚଶିକ୍ଷିତ ବ୍ୟକ୍ତିମାନେ ମଧ୍ୟ ବିତ୍ତର ଆକର୍ଷଣକୁ ଏଡ଼େଇ ପାରି ନାହାନ୍ତି । ଅର୍ଥ ମାଧ୍ୟମରେ ସୁଖଲାଭ କରିବା ପାଇଁ ନିଜ ବୁଦ୍ଧିର ଦୁରୂପଯୋଗ କରୁଛନ୍ତି ଓ ଦୁର୍ନୀତିର ଆଶ୍ରୟ ନେଉଛନ୍ତି । ମଣିଷକୁ ଉଚ୍ଚଶିକ୍ଷିତ କରି ଏକ ସୁସ୍ଥ ନୈତିକ ସମାଜ ଗଠନ କରିବାର ସ୍ୱପ୍ନ ଆଜି ପରାହତ ହୋଇଛି ।

ଲୋକପ୍ରିୟ ଲେଖା

To Top