ପ୍ରବନ୍ଧ

ସଭ୍ୟ ବନାମ୍ ସଂସ୍କୃତ

ଆସକ୍ତିରୁ କାମନା ସୃଷ୍ଟି ହୁଏ । କାମନାରେ ପ୍ରତିବନ୍ଧକ ସୃଷ୍ଟି ହେଲେ କ୍ରୋଧ ଓ କ୍ରୋଧରୁ ମୂଢ଼ତା ସୃଷ୍ଟି ହୁଏ । ମୂଢ଼ତାରୁ ସ୍ମୃତି ନଷ୍ଟ ହୁଏ, ସ୍ମୃତି ଭ୍ରଷ୍ଟ ହେଲେ ବୁଦ୍ଧି ନାଶ ହୁଏ ଓ ବୁଦ୍ଧି ନାଶ ହେଲେ ମନୁଷ୍ୟର ପତନ ହୁଏ ।

ସଭ୍ୟ ବନାମ୍ ସଂସ୍କୃତ

ଆଦିମ ମାନବ ଅରଣ୍ୟରେ ରହୁଥିଲା ଓ ପଶୁପକ୍ଷୀ ଶିକାର କରି ସେମାନଙ୍କ ମାଂସ ଖାଇ ବଞ୍ଚିଥିଲା । ବେଳେବେଳେ ସେ ନରମାଂସ ଖାଇବା ପାଇଁ ମଧ୍ୟ କୁଣ୍ଠାବୋଧ କରୁ ନ ଥିଲା । ଗୋଟିଏ ପଶୁ ଆଉ ଏକ ପଶୁ ସହ ସଂଘର୍ଷ କଲା ପରି ଗୋଟିଏ ମଣିଷ ଗୋଷ୍ଠୀ ଆଉ ଏକ ମଣିଷ ଗୋଷ୍ଠୀ ସହ ଭୟଙ୍କର ସଂଘର୍ଷରେ ବ୍ୟାପୃତ ରହୁଥିଲା । ମୋଟ ଉପରେ ମଣିଷ ଥିଲା ବର୍ବର । ସେ ପଶୁବତ୍ ଉଲଗ୍ନ ରହୁଥିଲା ଓ ପ୍ରବୃତ୍ତିଗତ ଜୀବନଯାପନ କରୁଥିଲା । କ୍ରମେ ସେ ପୋଷାକ ପିନ୍ଧି ନିଜକୁ ସୁନ୍ଦର ମଣିଲା । ତା’ର ସୌନ୍ଦର୍ଯ୍ୟ ଜ୍ଞାନ ବିକଶିତ ହେଲା ଓ ସେଥିରୁ ସୃଷ୍ଟି ହେଲା କଳା, ସ୍ଥାପତ୍ୟ ଓ ସାହିତ୍ୟ । ଜୀବନକୁ ଉନ୍ନତ କରିବା ପାଇଁ ସେ ନୂଆ ନୂଆ କଥା ଚିନ୍ତା କଲା । ଫଳରେ ବୈଜ୍ଞାନିକ ଉଦ୍ଭାବନ ଓ ଆବିଷ୍କାର ସମ୍ଭବ ହେଲା । ସେ ସମାଜକୁ ଶୃଙ୍ଖଳିତ କରିବା ପାଇଁ ଆଇନ୍ ତିଆରି କଲା ଓ ତାକୁ ମାନି ଚଳିଲା । ଏହି ପ୍ରକ୍ରିୟାରେ ବର୍ବର ମଣିଷ ସଭ୍ୟ ହେଲା । ଏଣୁ ପ୍ରଖ୍ୟାତ ଚିନ୍ତାନାୟକ ସି.ଇ.ଏମ୍. ଜୋଡ୍ କହିଲେ, ଯିଏ ସୁନ୍ଦର ପଦାର୍ଥ ସୃଷ୍ଟି କରିପାରେ, ମୁକ୍ତ ଭାବରେ ନୂଆ ନୂଆ କଥା ଚିନ୍ତା କରିପାରେ ଓ ଆଇନ୍ ମାନି ଚଳେ ସେ ହିଁ ସଭ୍ୟ । ଏହି ପରିଭାଷା ଅନୁଯାୟୀ ଏକବିଂଶ ଶତାବ୍ଦୀର ମଣିଷକୁ ସଭ୍ୟ କୁହାଯାଇପାରେ ମାତ୍ର ତା’ର ଏହି ସଭ୍ୟତା ଯେ ବର୍ବରତାରୁ ସମ୍ପୂର୍ଣ୍ଣ ମୁକ୍ତ ନୁହେଁ, ତାହା ପ୍ରମାଣ କରେ ଏକ ମଜାକଥା । ଜଣେ ଧର୍ମପ୍ରଚାରକ ଏକ ଅନୁନ୍ନତ ଅଞ୍ଚଳରୁ ଫେରି କହୁଥାନ୍ତି, “ମୁଁ ସେ ଅଞ୍ଚଳର ସମସ୍ତ ଅସଭ୍ୟ ମଣିଷକୁ ସଭ୍ୟ କରିଦେଇଛି ।” ଅନେକ ବର୍ଷ ଅତିକ୍ରାନ୍ତ ହେଲା । ଜଣେ ପରିବ୍ରାଜକ ସେହି ଅଞ୍ଚଳରୁ ଫେରି ସେହି ଧର୍ମପ୍ରଚାରକଙ୍କୁ କହିଲେ, “ମହାଶୟ, ମୁଁ ଦେଖିଲି ସେ ଅଞ୍ଚଳରେ ଏବେ ବି ଲୋକ ନରମାଂସ ଖାଉଛନ୍ତି । କେମିତି କହୁଛନ୍ତି ଯେ ଆପଣ ସେମାନଙ୍କୁ ସଭ୍ୟ କରିଦେଲେ ?” ଧର୍ମପ୍ରଚାରକ ଉତ୍ତର ଦେଲେ, “ସେମାନେ ନରମାଂସ ଖାଇଥାଇପାରନ୍ତି, ମାତ୍ର ପୂର୍ବର ଅସଭ୍ୟ ଅଭ୍ୟାସ ଅନୁସାରେ ସେମାନେ ହାତରେ ଖାଉ ନାହାନ୍ତି, କଣ୍ଟା ଚାମଚରେ ଖାଉଛନ୍ତି ।” ଧର୍ମ ପ୍ରଚାରକଙ୍କ ପରିଭାଷାରେ ସେମାନେ ସଭ୍ୟ ହୋଇଥାଇପାରନ୍ତି, ମାତ୍ର ସଂସ୍କୃତ ବା ମାର୍ଜିତ ନୁହନ୍ତି, କାରଣ ଏବେ ବି ସେମାନେ ସେହି ଆଦିମ ପ୍ରବୃତ୍ତି ଦ୍ୱାରା ପରିଚାଳିତ । ସଭ୍ୟ ହେବା ଓ ସଂସ୍କୃତ ହେବା ଏକା କଥା ନୁହେଁ ।

ସମ୍ପ୍ରତି ଯିଏ ଶିକ୍ଷିତ, ଯିଏ ଟ୍ରେନ୍, ବସ୍, କାର୍ ବା ଉଡ଼ାଜାହାଜରେ ଯାତାୟାତ କରିପାରୁଛି, ସୁନ୍ଦର ପୋଷାକ ପିନ୍ଧି ପରିଷ୍କାର ପରିଚ୍ଛନ୍ନ ରହୁଛି, କୁଡ଼ିଆରେ ନ ରହି ଅଟ୍ଟାଳିକାରେ ରହୁଛି, ତାକୁ ସଭ୍ୟ କୁହାଯାଉଛି । ମାତ୍ର ବିଶିଷ୍ଟ ଚିନ୍ତାନାୟକ କେ.ଏମ୍. ମନ୍ସୀ କହନ୍ତି, ସମୁନ୍ନତ ଜୀବନର ପ୍ରତୀତ ସ୍ୱରୂପ ପିନ୍ଧୁଥିବା ପୋଷାକ, ବସାଯାଇଥିବା କାରଖାନା ବା ନିର୍ମାଣ କରାଯାଇଥିବା ନଦୀବନ୍ଧ ସଭ୍ୟତା ନୁହେଁ, ଏଗୁଡ଼ିକ ସଭ୍ୟତାର ଏକ ଅଂଶ ମାତ୍ର । କାରଣ ଜୀବନର ଏହି ଭୌତିକ ଉପାଦାନଗୁଡ଼ିକ ବୈଜ୍ଞାନିକ ଉନ୍ନତି ସଙ୍ଗେ ବଢ଼ିଚାଲିବା ସ୍ୱାଭାବିକ୍ । (The dress we wear, the factories we set up or the dams we build are only a part of the ‘civilization’, the material equipment of life which tends to increase in complexity with scientific progress.) ଜ୍ଞାନ ବଳରେ ଉଦ୍ଭାବନ କରିଦେଲେ କେହି କେବେ ସଭ୍ୟ ହୋଇଯାଏ ନାହିଁ । ଉଦ୍ଭାବିତ ବସ୍ତୁମାନଙ୍କର ସମୁଚିତ ବ୍ୟବହାର କରିପାରିଲେ ହିଁ ମଣିଷ ସଭ୍ୟ ପଦବାଚ୍ୟ ହୁଏ । ଅପରପକ୍ଷରେ ଆଧୁନିକ ପରିଭାଷାରେ ଜଣେ ସଭ୍ୟ ପଦବାଚ୍ୟ ନ ହୋଇ ବି ସଂସ୍କୃତ ହୋଇପାରେ । ଯେତେବେଳେ ରାମଚନ୍ଦ୍ର ବନବାସ ଗଲେ, ସେ ବଳ୍କଳ ଓ କଠଉ ପିନ୍ଧୁଥିଲେ । ଡଙ୍ଗାରେ ନଈ ପାରି ହେଉଥିଲେ । ତୃଣାସନରେ ଶୋଉଥିଲେ । କେଶ ବିନ୍ୟାସ କରୁ ନ ଥିଲେ । ଆଜିର ସୁନ୍ଦର ପୋଷାକ ଓ ଦାମୀ ଜୋତା ପିନ୍ଧୁଥିବା ଏବଂ ବସ୍, ଟ୍ରେନ୍ ବା କାର୍‌ରେ ଯାତାୟାତ କରୁଥିବା ମଣିଷ ଦୃଷ୍ଟିରେ ରାମଚନ୍ଦ୍ର ସଭ୍ୟ ହୋଇ ନ ପାରନ୍ତି । ମାତ୍ର ସେ ଥିଲେ ମାର୍ଜିତ ବା ସଂସ୍କୃତ । ଆଚାର ଓ ବିଚାରରେ ସେ ଏକ ମହତ୍ତର ଆଦର୍ଶ ଦ୍ୱାରା ଉଦ୍‌ବୁଦ୍ଧ ଥିଲେ । ଆଜି ମଣିଷ କଳା, ସାହିତ୍ୟ, ବିଜ୍ଞାନ ଆଦି ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଛି । ମାତ୍ର ଯଦି କଳା ନାମରେ ନଗ୍ନତାକୁ ପ୍ରଶ୍ରୟ ଦିଆଯାଏ, ସାହିତ୍ୟ ନାମରେ ଅଶ୍ଳୀଳତାକୁ ଚିତ୍ରଣ କରାଯାଏ ଓ ବିଜ୍ଞାନ ନାମରେ ଧ୍ୱଂସର ପରୀକ୍ଷା କରାଯାଏ, ସେ ଜାତି କେବେ ସଂସ୍କୃତ ନୁହେଁ । ଏଣୁ ଅରବିନ୍ଦ କହିଥିଲେ, “ଗୋଟିଏ ଜାତି କିମ୍ୱା ଗୋଟିଏ ଯୁଗ ଯଦି ଜ୍ଞାନ, ବିଜ୍ଞାନ ଓ କଳାରେ ଯଥେଷ୍ଟ ବିକାଶ ଲାଭ କରିବା ସତ୍ତ୍ୱେ ସାଧାରଣ ଦୃଷ୍ଟିଭଙ୍ଗୀ, ଜୀବନଧାରା ଓ ଚିନ୍ତାରେ ଜ୍ଞାନ, ସତ୍ୟ, ସୌନ୍ଦର୍ଯ୍ୟବୋଧ ଓ ଜୀବନର ମହତ୍ତ୍ୱ ଆଦର୍ଶ ଦ୍ୱାରା ପରିଚାଳିତ ନ ହୋଇ ସ୍ଥୂଳ ପ୍ରାଣିକ ଆବେଗ, ଆର୍ଥନୀତିକ ବଣିକସୁଳବ ଦୃଷ୍ଟିଭଙ୍ଗୀ ବିକଶିତ ହେଉଥିବ, ତେବେ ସେ ଜାତି ବା ଯୁଗ ଗୋଟିଏ ଅର୍ଥରେ ସଭ୍ୟ ହୋଇପାରେ, କିନ୍ତୁ ତା’ର ସମସ୍ତ ପ୍ରାଚୁର୍ଯ୍ୟ ଓ ସଭ୍ୟତାର ହାତହତିଆର ସତ୍ତ୍ୱେ ସେ ଜାତି ବା ଯୁଗ ସଂସ୍କୃତି ଉପଲବ୍ଧି କରି ନାହିଁ କି ଏକ ସଂସ୍କୃତିସମ୍ପନ୍ନ ମାନବ ଗୋଷ୍ଠୀରେ ପରିଣତ ହେବାର ପ୍ରତିଶ୍ର୍ରତି ବହନ କରୁ ନାହିଁ ।” (Aesthetic and Ethical Culture)

ଆଜି ତଥାକଥିତ ସଭ୍ୟ ମାନବ ଅହଂଚାଳିତ ହୋଇ ବିଜ୍ଞାନର ଅପପ୍ରୟୋଗ କରୁଛି ଓ ମାନବ ଜାତିର ଧ୍ୱଂସ ସାଧନ କରୁଛି । ବୈଜ୍ଞାନିକ ଉଦ୍ଭାବନକୁ ସେ ଏକ ଭୋଗମୟ ଜୀବନଯାପନ କରିବା ପାଇଁ ବ୍ୟବହାର କରୁଛି । ଯେଉଁ ଜାତି ଅହଂସର୍ବସ୍ୱ, ବସ୍ତୁସର୍ବସ୍ୱ ଓ ସ୍ଥୂଳ କାମନା ବାସନାର ଦାସ ହୋଇ ଜୀବନଯାପନ କଲେ ସେ ଜାତି ସଭ୍ୟ ହେଲେ ମଧ୍ୟ ତା’ର ସଂସ୍କୃତି ଅଛି ବୋଲି କୁହାଯାଇପାରିବ ନାହିଁ । ଆଜିର ସମାଜରେ ଯେଭଳି ଦୁର୍ନୀତି, ବ୍ୟଭିଚାର, ଲୁଣ୍ଠନ, ହିଂସାଚାର ଆଦି ବଢ଼ିଚାଲିଛି, ଏ ସମାଜକୁ ଏକ ସଭ୍ୟ ସମାଜ କରିହେବ ନାହିଁ । ଯେ ପର୍ଯ୍ୟନ୍ତ ମଣିଷ ସଂସ୍କୃତ ବା ମାର୍ଜିତ ନ ହୋଇଛି ସେ ପର୍ଯ୍ୟନ୍ତ ତାକୁ ସଭ୍ୟ କହିବା ନିରର୍ଥକ । ଏଣୁ ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ କହିଥିଲେ, “ଯେଉଁ ଜାତି ତା’ର ଇନ୍ଦ୍ରିୟ ଭୋଗକୁ ସଂଯତ କରି ପ୍ରତ୍ୟେକ ବ୍ୟକ୍ତିର ଶକ୍ତିକୁ ସଂସ୍କୃତି ମାର୍ଗରେ ପରିଚାଳିତ କରେ ସେ ଜାତି ହିଁ ସଭ୍ୟ ।” ସଭ୍ୟତା କହିଲେ କେବଳ ବାହ୍ୟ ସଂସ୍କୃତିକୁ ବୁଝାଏ ନାହିଁ । ସଭ୍ୟତା ଜୀବନର ଏକ ଅବସ୍ଥାକୁ ବୁଝାଏ । ମନୁଷ୍ୟର ବନ୍ୟ ବର୍ବରତା, କ୍ଷୁଧା ଓ ପ୍ରବୃତ୍ତିକୁ ସଂଯତ କରିବା ତା’ର ପ୍ରଧାନ ଲକ୍ଷ୍ୟ । ବ୍ୟକ୍ତିକୁ ସଂଯତ କରିବା ପାଇଁ ଆଇନ୍ ଯେପରି ଏକ ବାହ୍ୟଶକ୍ତି, ସେହିପରି ସଂସ୍କୃତି ଏକ ଆଭ୍ୟନ୍ତରୀଣ ଶକ୍ତି । ସଂସ୍କୃତି ବଳରେ ମନୁଷ୍ୟ ଅନୁଭବ କରେ ଯେ ଆଇନ୍ ମାନିବାକୁ ତାକୁ କେହି ବାଧ୍ୟ କରୁ ନାହାନ୍ତି । ସେ ସ୍ୱେଚ୍ଛାକୃତ ଭାବରେ ତାହା ମାନୁଛି । ଆତ୍ମସଂଯମର ସଫଳ ଅଭ୍ୟାସ ହେଉଛି ସଂସ୍କୃତି । ସଂଯମୀ ନ ହେଲେ ସଂସ୍କୃତ ହେବା ସମ୍ଭବ ନୁହେଁ । ଯିଏ ଭୋଗବାଦୀ ହୋଇ ବିଷୟ ବାସନା ପ୍ରତି ଆସକ୍ତ ହୁଏ, ସେ ସର୍ବଦା ପତନୋନ୍ମୁଖୀ ହୁଏ । “ଆସକ୍ତିରୁ କାମନା ସୃଷ୍ଟି ହୁଏ । କାମନାରେ ପ୍ରତିବନ୍ଧକ ସୃଷ୍ଟି ହେଲେ କ୍ରୋଧ ଓ କ୍ରୋଧରୁ ମୂଢ଼ତା ସୃଷ୍ଟି ହୁଏ । ମୂଢ଼ତାରୁ ସ୍ମୃତି ନଷ୍ଟ ହୁଏ, ସ୍ମୃତି ଭ୍ରଷ୍ଟ ହେଲେ ବୁଦ୍ଧି ନାଶ ହୁଏ ଓ ବୁଦ୍ଧି ନାଶ ହେଲେ ମନୁଷ୍ୟର ପତନ ହୁଏ ।” (ଭଗବତ ଗୀତା, ଦ୍ୱିତୀୟ ଅଧ୍ୟାୟ ୬୨/୬୩) । ଏଣୁ ଭଗବାନ୍ ଶ୍ରୀକୃଷ୍ଣ ସେହି ଗୀତାରେ ଅର୍ଜ୍ଜୁନଙ୍କୁ କହିଛନ୍ତି, “କଇଁଛ ନିଜ ଅଙ୍ଗଗୁଡ଼ିକୁ ସବୁଆଡୁ ସଙ୍କୁଚିତ କଲା ପରି ଇନ୍ଦ୍ରିୟମାନଙ୍କୁ ବିଷୟଗୁଡ଼ିକରୁ ନିବୃତ୍ତ କରିଦେଲେ ମଣିଷର ବୁଦ୍ଧି ସ୍ଥିର ହୁଏ” (୨/୫୮) । ମଣିଷର ବୁଦ୍ଧି ସ୍ଥିର ହେଲେ ସେ ସଂଯମ ଆଚରଣ କରିପାରେ ଓ ଏହି ଆତ୍ମସଂଯମ ହିଁ ମଣିଷକୁ ସଂସ୍କୃତ କରେ । ସଂସ୍କୃତି ହେଉଛି ସଭ୍ୟତାର ଏକ ଅସ୍ତ୍ର । ଏଣୁ ମଣିଷ ସଂସ୍କୃତ ନ ହେବା ପର୍ଯ୍ୟନ୍ତ ନିଜକୁ ସଭ୍ୟ ବୋଲି ଦାବି କରିବା ସମ୍ପୂର୍ଣ୍ଣ ନିରର୍ଥକ ।

ହିଂସାଚରଣ ବା ବର୍ବରତାର ଇତିହାସ ଦୀର୍ଘ । ପଶୁମାନେ ହିଂସାଚରଣ କରନ୍ତି । ସେମାନଙ୍କ ହିଂସାଚରଣ ପ୍ରବୃତ୍ତିଗତ । ମାତ୍ର ମଣିଷର ହିଂସାଭାବ ଏକ ସଚେତ ଆବେଗ । ସେ କେତେବେଳେ କ୍ଷମତା ଲୋଭରେ ତ କେତେବେଳେ ଧନସମ୍ପଦ ଲୋଭରେ ଓ ଆଉ କେତେବେଳେ କାମନା ବାସନାର ପରିପୂର୍ତ୍ତି ପାଇଁ ହିଂସାଚରଣ କରେ । ଚେଙ୍ଗିଜ୍ ଖାଁ, ମାମୁଦ୍, ତୈମୁରଲଙ୍ଗ ଲକ୍ଷ ଲକ୍ଷ ଲୋକଙ୍କୁ ଅମାନୁଷିକ ଭାବରେ ହତ୍ୟା କଲେ । ସେମାନଙ୍କୁ ଐତିହାସିକମାନେ ବର୍ବର ଭାବରେ ଚିତ୍ରଣ କରୁଛନ୍ତି । ମାତ୍ର ଆଜିର ତଥାକଥିତ ସଭ୍ୟ ମାନବ କ’ଣ ସେଭଳି ହିଂସାଚରଣ କରୁ ନାହାନ୍ତି କି ? ବରଂ ଆଧୁନିକ ସଭ୍ୟ କଥିତ ମଣିଷ ଅତୀତର ଅସଭ୍ୟ ମଣିଷଠାରୁ ବେଶି ହିଂସ୍ର । ସେ ଆଧୁନିକ ସ୍ୱୟଂଚାଳିତ ବନ୍ଧୁକ ବ୍ୟବହାର କରି ଦୂର ନିର୍ଦ୍ଦେଶିତ ବିସ୍ଫୋରଣ କରି ଖୁବ୍ କମ୍ ସମୟରେ ଅସଂଖ୍ୟ ଲୋକଙ୍କୁ ହତ୍ୟା କରୁଛି । ଦୁଇଟି ବିଶ୍ୱଯୁଦ୍ଧ, ଗଲ୍ଫଯୁଦ୍ଧ, ଇରାକ୍ ଯୁଦ୍ଧ ଆଦି ହିଂସାପ୍ରମତ୍ତ ତଥାକଥିତ ସଭ୍ୟମାନବର ସୃଷ୍ଟି । ଏଣୁ ମଣିଷର ଚେତନା ନିହିତ ହିଂସାରେ ଗୁଣଗତ ପରିବର୍ତ୍ତନ ହୋଇ ନାହିଁ । ଏବେ ବି ସେ ତା’ର ଆଦିମ ହିଂସ୍ର ଭାବରୁ ମୁକ୍ତ ହୋଇ ନାହିଁ । ସେ ଯେ ପର୍ଯ୍ୟନ୍ତ ଆଚରଣରେ ମାର୍ଜିତ ହୋଇ ନାହିଁ, ମଣିଷ ପ୍ରତି ସମ୍ୱେଦନଶୀଳ ହୋଇ ନାହିଁ, ମହତ୍ତର ଆଦର୍ଶ ଦ୍ୱାରା ଉଦ୍ବୁଦ୍ଧ ହୋଇ ନାହିଁ, ସେ ପର୍ଯ୍ୟନ୍ତ ସେ ସଂସ୍କୃତ ହୋଇ ନାହିଁ ଏବଂ ସଂସ୍କୃତ ନ ହେବା ପର୍ଯ୍ୟନ୍ତ ନିଜକୁ ସଭ୍ୟ କହି ଗର୍ବ କରିବାର କୌଣସି ଅର୍ଥ ନାହିଁ । ମହତ୍ ସଂସ୍କୃତିର ଏକମାତ୍ର ଲକ୍ଷ୍ୟ ହେଲା ମଣିଷକୁ ଉପରକୁ ଉଠାଇବା, ଅଜ୍ଞାନରୁ ମଣିଷକୁ ଜ୍ଞାନ ଭିତରକୁ ଉନ୍ନୀତ କରିବା ଓ ମଣିଷକୁ ସ୍ଥୂଳ କାମନା ବାସନାର ଦାସତ୍ୱରୁ ମୁକ୍ତ କରି ଆତ୍ମାର ମହତ୍ତର ବିଧାନ ସମ୍ପର୍କରେ ସଚେତନ କରିବା ଯେଉଁ ସଭ୍ୟତାରେ ଏପରି ଲକ୍ଷ୍ୟ ନାହିଁ, ତା’ର ସଂସ୍କୃତି ଅଛି ବୋଲି କୁହାଯାଇପାରିବ ନାହିଁ ଏବଂ ସଂସ୍କୃତିବିହୀନ ସଭ୍ୟତା ଅନ୍ଧ ଓ ପଙ୍ଗୁ କହିଲେ ଅତୁ୍ୟକ୍ତି ହେବ ନାହିଁ ।

ଲୋକପ୍ରିୟ ଲେଖା

To Top