ପ୍ରବନ୍ଧ

ସାବିତ୍ରୀ

Susama Pal's odia prose Sabitree

ବୋଉର ଝୁଣ ଝୁଣ ଶବ୍ଦ, ଖୁସି ନ ଥିଲା ସେ ମୋତେ ଲୁଚେଇ ଲୁଚେଇ କାନ୍ଦୁଥିଲା । ତାର ଏ କାନ୍ଦ ଶୁଣି ମୋ ମନରେ ଏ ସବୁ ବିଚାର ଆସୁଥିଲା

ସାବିତ୍ରୀ

ଏ ବର୍ଷ ସାବିତ୍ରୀ ବ୍ରତ ଜୁନ ୩ ତାରିଖରେ ପଡୁଛି । କ୍ୟାଲେଣ୍ଡର ଟି ଆଡ଼ଉ ଆଡ଼ଉ ବ୍ରତର ତାରିଖ ଉପରେ ନଜର ପଡ଼ିଗଲା । ମନାଟି ଚାଲିଗଲା ପିଲାବେଳର ବାପା, ବୋଉ, ଭାଈ, ଭଉଣୀଙ୍କ ସହ ବିତାଇଥିବା ସମୟ … ଅତିତକୁ ।

ପିଲାବେଳରେ ବଡ଼ ସରମରେ ଆମେ ଚାହିଁ ରହିଥାଉ, ଖରା ଛୁଟିରେ ପଡୁଥିବା ପର୍ବ ସାବିତ୍ରୀ ଓଷା ଦିନଟିକୁ । ବ୍ରତ ଟି ଆସିବାର ପନ୍ଦର ଦିନ ପୂର୍ବରୁ ବୋଉର ବାପାଙ୍କ ଆଗରେ କେତେ ଯେ ଅଳି , ଅର୍ଦ୍ଦଳି, ସାବିତ୍ରୀରେ ଯାହା ସବୁ ଯାବତୀୟ ଜିନିଷ ଯେପରିକି ନଡ଼ିଆ, ଶାଢ଼ୀ, ସହିତ ମ୍ୟାଚିଙ୍ଗ କରୁଥିବା ଚୁଡ଼ି, ଶାୟା, ବ୍ଲାଉଜ, ସିନ୍ଦୁର, ଅଳତା, ସୁହାଗିନୀ ମାନେ ପିନ୍ଧୁଥିବା ଯାବତୀୟ ଜିନିଷ ଯେମିତି କି ଗୋଡ଼କୁ ନୂଆ ପାଉଁଜି, ଗୋଡ଼ ମୁଦି କାନକୁ ସୁନା ଫୁଲ ଇତ୍ୟାଦି କେତେ ଯେ ଜିନିଷ । ବାପା ତାର ସବୁ ଅଳି ପୂରଣ କରିଥାନ୍ତି । ଯାହା ବୋଉ ବାପାଙ୍କ ଆଗରେ ପ୍ରକାଶ କରିଥାଏ ।

କିନ୍ତୁ ଆମେ ଭାଇ ଭଉଣୀ ମାନେ ସେ ଦିନର ପୂଜା ଓ ଆମ ଘରକୁ ଆସୁଥିବା ସାହିର ମାଉସୀମାନଙ୍କୁ ଦେଖିବା ପାଇଁ ବଡ଼ ଉତ୍ସୁକତାର ସହିତ ଚାହିଁ ବସିଥାଉ । ଯେହେତୁ ମୁଁ ଘରର ବଡ଼ ଝିଅ ବୋଉର କାମରେ ହାତ ବଟାଇବା ମୋର ଧର୍ମ ଭାବି ମୁଁ ଖୁସିରେ ସବୁ ପୂଜା କାମ କରିଥାଏ । ଏପରି ଭାବରେ ଏ ବ୍ରତଟି କୁ ଆମେ ଖୁସିରେ ପାଳନ କରିଥାଉ । ଯାହାକି ଏବେ ବି ମୋର ମନରେ ଗୋଟିଏ ସୁନ୍ଦର ଚିତ୍ରପଟ ଭାବରେ ରହି ଯାଇଛି ।

ତା ପରେ ମୋର ବାହାଘର ହୋଇ ଯାଇଥାଏ । ମୋର ପୁଅର ଜନ୍ମ ସମୟରେ ମୁଁ ମୋ ସ୍ୱାମୀ ଓ ଝିଅ ସହ ରାଜସ୍ଥାନ ଯୋଧପୁରରେ ରହୁଥାଏ । ମୁଁ ବଡ଼ ମୁସ୍କିଲ ରେ ବୋଉକୁ ମୋ ପାଖକୁ ଡାକିଥାଏ, ସେ ବଡ଼ ଚିନ୍ତାର ସହ ବାପା ଓ ମୋର ଭାଇ ଭଉଣୀଙ୍କୁ ଛାଡ଼ି ମୋ ପାଖକୁ ଆସିଥାଏ । ମୋର ପୁଅର ଜନ୍ମ ପରେ ସେ ଘରକୁ ଯିବାକୁ ବାହାରିଲା । ଆଗକୁ ସାବିତ୍ରୀ ବ୍ରତ ଆସୁଥିବାର ଦେଖି ମୁଁ ତା ପାଇଁ ନୂଆ ଶାଢ଼ୀ, ତା ମନ ପସନ୍ଦର ଜାବତୀୟ ସୁହାଗ ଜିନିଷ ପତ୍ର କିଣାଇ ଦେଇ କହିଲି ଏ ସବୁ ତୁ ସାବିତ୍ରୀ ବ୍ରତରେ ପିନ୍ଧିବୁ । ସେ ବଡ଼ ଖୁସି ହୋଇ ମୋ ଉପହାର ଗ୍ରହଣ କଲା । ତା ଦେଇଥିବା ସ୍ନେହ ଓ ଅବଦାନ ଆଗରେ ଏ ସବୁ କିଛି ନୁହେଁ ଭାବି ମୁଁ ଚୁପଚାପ ରହିଥାଏ । କିନ୍ତୁ ମୁଁ କଣ ଜାଣିଥିଲି ଯେ ଏଇଟା ତା ଶେଷ ସାବିତ୍ରୀ ବ୍ରତ ହେବ । ଅଚାନକ ବାପାଙ୍କର ହାର୍ଟ ଆଟାକ୍‌ ଖବର ଶୁଣି ମୁଁ ଚକିତ ହୋଇଗଲି । ତା ପର ବର୍ଷ ସାବିତ୍ରୀ ରେ ମୁଁ ଯାଇଥାଏ ଛୁଟି ବିତେଇବା ପାଇଁ । ସେ ଦିନ ମୁଁ ଘରେ ରହି ପାରୁ ନ ଥାଏ । ମୋତେ ଲାଗୁଥିଲା ମୋ ଚାଟି ଭିତରଟା ଯେମିତି ରୁନ୍ଧି ହୋଇ ଯାଉଛି । ବୋଉର ଝୁଣ ଝୁଣ ଶବ୍ଦ, ଖୁସି ନ ଥିଲା ସେ ମୋତେ ଲୁଚେଇ ଲୁଚେଇ କାନ୍ଦୁଥିଲା । ତାର ଏ କାନ୍ଦ ଶୁଣି ମୋ ମନରେ ଏ ସବୁ ବିଚାର ଆସୁଥିଲା …

ଦୀର୍ଘ ଦିନ ଧରି ଅତି ନିଷ୍ଠାର ସହ ବ୍ରତ ପାଳନ କରୁଥିବା ନାରୀର ଏ କ୍ରନ୍ଦନ କିଏ କଣ କେବେ ବୁଝିପାରେ …

ସତରେ ଜୀବନ୍ତ ସାବିତ୍ରୀ …

ସ୍ୱାମୀ ଥିଲା ବେଳେ ସ୍ୱାମୀର ଖୁସିରେ ନିଜର ଖୁସି ପ୍ରକଟ କରି ସ୍ୱାମୀର ମଙ୍ଗଳ କାମନାରେ ବିତାଇ ଥାଏ ତାର ଜୀବନ । ସ୍ୱାମୀ ଚାଲିଗଲେ ମଧ୍ୟ ଏ ଯୁଗର ନାରୀମାନେ ଏବେବି ତାର ମଙ୍ଗଳ କାମନା କରିଥାନ୍ତି ଓ ତାଙ୍କ ପାଇଁ ଲୁଚି ଲୁଚି ଲୁହ ଢ଼ାଳିଥାନ୍ତି ସେହି ମାନେ ହିଁ ପ୍ରକୃତ ସାବିତ୍ରୀ । ପୂଜା ପାଇବାର ଯୋଗ୍ୟା ସେମାନେ । ଏଇଟା ହିଁ ଆମ ହିନ୍ଦୁ ନାରୀର ପରିଚୟ …

ସେମାନେ ଆଜିର ଏ ସମାଜରେ ପ୍ରକୃତ ସାବିତ୍ରୀ ।

ଲୋକପ୍ରିୟ ଲେଖା

To Top