ପ୍ରବନ୍ଧ

ସକାଳ

Manas Ranjan Nayak's odia Prose Sakaala

ସମୟର ସୁଅ ପରି ସକାଳରୁ ହୁଏ ମଧ୍ୟାହ୍ନ, ସତେ ଅବା ଯୌବନର ଉଦ୍ଦାମତା, ଅସାଧ୍ୟକୁ ସାଧନ କରିବାର ପରିପୂର୍ଣ୍ଣ ଆତ୍ମବିଶ୍ୱାସ ।

ସକାଳ

ଦୂର ଦିଗବଳୟରର ନୂତନତ୍ତ୍ୱର ଏକ ଉଦ୍ଭାବିତ ଅଭିସ୍ପୁରଣ । ପ୍ରାରବ୍ଧରୁ ଜନମାନସରେ ଏକ ତାତ୍ତ୍ୱିକ ଏବଂ ବୈଜ୍ଞାନିକ ପ୍ରେରଣାର ଉତ୍ସ। ଆବର୍ତ୍ତନର ଚରକା ଦୋଳିରେ ମନ୍ଦ ପରେ ଭଲ, ଦୁଃଖ ପରେ ସୁଖ, ବିଶାଦ ପରେ ଉନ୍ମାଦନା ପରି ଅନ୍ଧାର ପରେ ଆଲୋକର ସମ୍ଭାର ନେଇ ଆସେ ଏହି ସକାଳ । ବିସ୍ମୟକର ସୃଷ୍ଟିର ଜୀବ ଓ ଉଦ୍ଭିଦ ଜଗତର ପ୍ରାଣର ଉତ୍ସ ହୁଏ ସକାଳର ଏହି ଅମୃତମୟ ଆଲୋକ । ପକ୍ଷୀ କାକଳି, କାରଖାନାସାଇରନ୍‌ର ଶଙ୍ଖ ଧ୍ୱନି ସହିତ ଜୀବନରଣାଙ୍ଗନରେ ଆରମ୍ଭ ହୁଏ ଆଉ ଏକ ସଂଘର୍ଷ । ରାତ୍ରିର ଅବଚେତନରେ ସୁକ୍ଷ୍ମ ଦୃଷ୍ଟିକୋଣରୁ ଦେଖିଲେ ଏକ ମୃତ ଅବସ୍ଥାରୁ ପୁନର୍ବାର ଚେତନାପୂର୍ଣ୍ଣ ଜୀବନଧାରାକୁ ଆଗମନ କରେ ଧରାପୃଷ୍ଠରେ ସକଳ ଜୀବନ ରାଶି । ଆଧ୍ୟାତ୍ମିକ ଦୃଷ୍ଟିରେ ଦେଖିଲେ ମରଣଶୀଳ ଜୀବନରେ ଜନ୍ମ ମୃତ୍ୟୁର ଧ୍ରୁବ ସ୍ଥିର ପୁନାର୍ଗମନର ଏହା ଏକ ନିଛ୍ଛକ ଦୈନନ୍ଦିନ ରୂପାନ୍ତରଣ ପ୍ରାୟ ।

ସଳଖ ସୁନ୍ଦର ନହେଲେବି ନିରବଚ୍ଛିନ୍ନ ଏହି ମଣିଷ ଜୀବନର ଘୋଷଯାତ୍ରା । ଘାତ ପ୍ରତିଘାତ, ନିନ୍ଦା ପ୍ରଶଂସା, ହାନୀ ଲାଭ ଦେଇ ବିବର୍ତ୍ତନର ଜୀବନଧାରା କେଉଁ ଏକ ଅଦୃଶ୍ୟ ଶକ୍ତିରେ ପରିଚାଳିତ ଆତ୍ମା ପରମାତ୍ମାର ମାରାଥନ୍ ଦୌଡ଼ରେ ଅଗ୍ରସର । ଇତିହାସ ସାକ୍ଷୀ ସେହି କଳଙ୍କିତ ସକାଳର ବିଭିଷୀକା, ରକ୍ତପିପାସୁ କ୍ରୁର ମାନବର ତାଣ୍ଡବଲୀଳା ଏବଂ ଦୈବଦୁର୍ବୀପାକର ଅଶୋଭନୀୟ ଆର୍ତ୍ତନାଦ । ହେଲେ ଇତିହାସରୁ ଶିକ୍ଷା ନେଇ ବାସ୍ତବବାଦୀ ମାନବ, ନିଜ ଜ୍ଞାନ ବିଜ୍ଞାନର ସୁଦୂର ବିନିଯୋଗ କରି ବର୍ତ୍ତମାନକୁ ନିଜର ବୀଜୟ ରଥର ସାରଥି କରିପାରିଛି । କହିବା ବାହୁଲ୍ୟ, ସଫଳତାର ପ୍ରାଚୁର୍ଯ୍ୟ ଭିତରେ ଦିଗହରା ମଣିଷ ବାସ୍ତବ ଆନନ୍ଦର କେତେଦୂର ସ୍ୱାଦ ଚାଖିପାରିଛି । ବସ୍ତୁବାଦୀ ସଭ୍ୟତାର ଚାକଚକ୍ୟ ହେଉ ଅବା ଅବଶେଷରେ ସୁକ୍ଷ୍ମ ଜୀବନର ଅନ୍ତଃକରଣ, ପ୍ରାପ୍ତକାମୀ ମାନବ ସ୍ଥୂଳ ଚକ୍ଷୁରର ଅବହେଳିତ ନୈସର୍ଗିକ ଶକ୍ତିର ଇଙ୍ଗିତକୁ ହୃଦୟଙ୍ଗମ କରେ ଏବଂ ଆଶାବାଦୀ ହୋଇଉଠେ ଏକ ପରିବର୍ତ୍ତନ ନୂତନ ଭବିଷ୍ୟତର ଅନ୍ୱେଷଣରେ ।

ସିନ୍ଦୁରା ଫାଟିଲେ, ସଦ୍ୟସ୍ନାତା ତାରୁଣ୍ୟର ପରିପ୍ରକାଶ ନେଇ ଆବିର୍ଭାବ ହୁଏ ସକଳ ଶକ୍ତିର ଉତ୍ସ ଦିବାକର । ସମୟର ସୁଅ ପରି ସକାଳରୁ ହୁଏ ମଧ୍ୟାହ୍ନ, ସତେ ଅବା ଯୌବନର ଉଦ୍ଦାମତା, ଅସାଧ୍ୟକୁ ସାଧନ କରିବାର ପରିପୂର୍ଣ୍ଣ ଆତ୍ମବିଶ୍ୱାସ । କ୍ରମଶଃ ସମୟ ସୁଅର ଭଟ୍ଟାପରି ଆଗତ ହୁଏ ଗୋଧୂଳି ଲଗନ, ବାଧ୍ୟକର ଅଭିସନ୍ଧି, ବାହୁ ମେଲି କାଳ ଅନ୍ଧକାର ଅଭିବାଦନ କରେ ଏକ ସମାପ୍ତିର ଅଢୁଆଳକୁ…….. ଚିରନ୍ତନ ମୃତ୍ୟୁ । ହେଲେ ସମାପ୍ତ ହୁଏନି ରଙ୍ଗମଞ୍ଚରର ଜୀବନ ନାଟକ, ଅପେକ୍ଷା ରହେ ଆଉ ଏକ ଆରମ୍ଭର, ଆଉ ଏକ ନୂତନ ସକାଳ…

ଲୋକପ୍ରିୟ ଲେଖା

To Top