ପ୍ରବନ୍ଧ

ସାମ୍ୱାଦିକତା ପାଇଁ ଇସ୍ପାତର ଛାତିଟିଏ ଲୋଡ଼ା

Nishikanta Padhi's Odia Prose SAAMBADIKATAA PAIN ISPATARA CHATITIE LODAA

ସତ୍ୟ ସଂକଳ୍ପ- “ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି”ର ପରିଣାମ ସତରେ ଏତେ ଭୟଙ୍କର ହୋଇଉଠେ ଯେ ତାହା କେବେ ବିଶ୍ୱାସ କରିହୁଏନା । ତେବେ କାହିଁକି ଏପରି ଘଟେ ???

ସାମ୍ୱାଦିକତା ପାଇଁ ଇସ୍ପାତର ଛାତିଟିଏ ଲୋଡ଼ା

ସାମ୍ୱାଦିକତା କେବଳ ଏକ ବୃତ୍ତି ନୁହେଁ ସାଧନା । ଅନ୍ଧକାରରେ ଆଲୋକ ଦେଖାଇବା, ସବୁ ବାଧାବିଘ୍ନ, ଘାତ ପ୍ରତିଘାତକୁ ଅତିକ୍ରମ କରି ନିରାଟ ସତ୍ୟକୁ ପ୍ରକାଶ କରିବା ସାମ୍ୱାଦିକତାର ଧର୍ମ । ଜଣେ ସାମ୍ୱାଦିକ ସତ୍ୟ ତଥ୍ୟ ପ୍ରକାଶକରି ସମାଜରେ ପରିବର୍ତ୍ତନର ଧାରା ସୃଷ୍ଟି କରିଥାଏ । ଅସତ୍ୟ, ଅନୀତି, ଭ୍ରଷ୍ଟାଚାରର ମୂଳୋତ୍ପାଟନ କରିବା ପାଇଁ ବିପ୍ଳବର ଆହ୍ୱାନ ଦିଏ । ଶେଷରେ ସେ ଅପ୍ରିୟ ମଣିଷଟିଏ ପାଲଟିଯାଏ ଦଳେ ଅମଣିଷ, ବର୍ବର ତଥା ଅସଭ୍ୟ ବର୍ଗଙ୍କର । ଯାହାଫଳରେ ସାମ୍ୱାଦିକର ଜୀବନ ବିପନ୍ନ ହୋଇଉଠେ । ସାମ୍ୱାଦିକର ତଣ୍ଟି ଚିପି ଦିଆଯାଏ, ତା’ର ସ୍ୱାଭିମାନକୁ ଗୋଇଠା ମାରି ତାକୁ ଲହୁ ଲୁହାଣ କରିଦିଆଯାଏ । ବଞ୍ଚିବାଟା ତା’ ପାଇଁ ଦୁର୍ବିସହ ହୋଇପଡ଼େ । ଭୟ ଓ ଆତଙ୍କରେ ତା’ର ପରିବାର କାଳାତିପାତ କରନ୍ତି । ସତ୍ୟ ସଂକଳ୍ପ- “ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି”ର ପରିଣାମ ସତରେ ଏତେ ଭୟଙ୍କର ହୋଇଉଠେ ଯେ ତାହା କେବେ ବିଶ୍ୱାସ କରିହୁଏନା । ତେବେ କାହିଁକି ଏପରି ଘଟେ ??? କିଏ ଚିନ୍ତା କରେ ଏ ବିଷୟରେ ? ଏ ଦେଶ, ଏ ସମାଜ, ଏ ସରକାର ନା ଏ ମଣିଷମାନେ ? କେହି ନୁହଁନ୍ତି । ସମସ୍ତେ ସେହି ସ୍ୱାର୍ଥପଥର ଯାତ୍ରୀ । ସମସ୍ତଙ୍କର ଲକ୍ଷ୍ୟ- “ମିଶୁ ଦେଶ ପାଣ୍ଠି ମୋ ଘର ପାଣ୍ଠିରେ ।”

ସାମ୍ୱାଦିକ ଏ ଦେଶ ଆଉ ସମାଜର ଜାଗ୍ରତ ପ୍ରହରୀ । ଚକାଆଖି ସବୁ ଦେଖିଲା ପରି ସାମ୍ୱାଦିକ ଚତୁର୍ଦିଗକୁ ନଜର ପକାଇଥାଏ । ସମ୍ୱିଧାନକୁ ସେ ଗୋଡ଼େ ଗୋଡ଼େ ଜଗିଥାଏ । କିଛିଟା ବ୍ୟତିକ୍ରମ ଘଟିଲେ ତା’ର କଲମ ମୁନ ସକ୍ରିୟ ହୋଇଉଠେ । ତା’ର କ୍ୟାମେରାର ଲେନ୍ସ ଚଳଚଞ୍ଚଳ ହୋଇଉଠେ । ନିମିଷକେ ସେ ଖେଳାଇ ଦିଏ ମହାସତ୍ୟକୁ ଦେଶ ବିଦେଶ, ଗାଁ ଗଣ୍ଡା, ସହର ବଜାର ଚାରିଆଡ଼େ । ହେଲେ କ୍ଷୋଭର ବିଷୟ ଏହି ଜାଗ୍ରତ ପ୍ରହରୀମାନଙ୍କୁ ଆଜି ଗୁଣ୍ଡା ଲଗାଇ ଆକ୍ରମଣ କରାଯାଉଛି । ହତ୍ୟାର ଧମକ ଦିଆଯାଉଛି । ଟଙ୍କା ପଇସାର ଲୋଭ ଦେଖାଇ ସାମ୍ୱାଦିକର ମୁଣ୍ଡ କିଣି ନେବାର ଅପଚେଷ୍ଟା ମଧ୍ୟ କରାଯାଉଛି । ଦେଶରେ ସାମ୍ୱାଦିକମାନଙ୍କର ସୁରକ୍ଷା ପାଇଁ ସେପରି କିଛି ବ୍ୟବସ୍ଥା ନାହିଁ । ଆଜି ନେତା ଓ ମନ୍ତ୍ରୀମାନଙ୍କୁ ଉନ୍ନତମାନର ସୁରକ୍ଷା ଯୋଗାଇ ଦିଆଯାଉଛି । ନାଲିବତୀ ଗାଡ଼ି ପଛେ ପଛେ ଦଶ ପନ୍ଦର ଏସ୍କର୍ଟ ଗାଡ଼ି ଯାଉଛି । ହେଲେ ଜୀବନକୁ ବିପନ୍ନ କରି ନିରାଟ ମହାସତ୍ୟକୁ ଉନ୍ମୋଚନ କରିବାକୁ ଯାଉଥିବା ମଣିଷମାନଙ୍କ ପାଇଁ କାହାର ଦରଦ ନାହିଁ । ତଥାପି ନିର୍ଭୀକ ସାମ୍ୱାଦିକମାନେ ଇସ୍ପାତର ଛାତି ନେଇ ନିଜର କର୍ତ୍ତବ୍ୟ କରିଚାଲିଛନ୍ତି । ସମୟ ଆସୁଛି କେବଳ ଏହି ସାମ୍ୱାଦିକମାନେ ହିଁ ଏ ଦେଶ ଓ ସମାଜକୁ ବଦଳାଇ ଦେଇପାରିବେ । ଦିନେ ସାମ୍ୱାଦିକର ନିର୍ଭୀକ କଲମ ମୁନ ଏକ ନୂତନ ସୂର୍ଯ୍ୟୋଦୟର ଆହ୍ୱାନ ଆଣିଦେବ । ସାମ୍ୱାଦିକର ଇସ୍ପାତର ଛାତି ମହାସତ୍ୟର ଉନ୍ମୋଚନ ପାଇଁ କେବେ ଦବିଯିବ ନାହିଁ । ଏହା ହିଁ ଏ ଲେଖକର ଆଶା ଓ ବିଶ୍ୱାସ । ତେବେ ଓଡ଼ିଶାର ସରକାର ସାମ୍ୱାଦିକମାନଙ୍କୁ କଡ଼ା ସୁରକ୍ଷା ଯୋଗାଇ ଦେଇ ଉନ୍ମୋଚିତ ମହାସତ୍ୟକୁ ନେଇ ଦେଶର ଶାସନ ଜାରି ରଖନ୍ତୁ । ସାମ୍ୱାଦିକତା ଏକ ପବିତ୍ର କର୍ମ, ମାନବ ଧର୍ମ । ସାମ୍ୱାଦିକଟିଏ ଚିରନ୍ତନ ସତ୍ୟର ଅନୁସନ୍ଧାନକାରୀ ତଥା ଏକ ନିଚ୍ଛକ ବାର୍ତ୍ତାବହ । ହେଲେ ସାମ୍ୱାଦିକତା ପାଇଁ ଇସ୍ପାତର ଛାତିଟିଏ ଲୋଡ଼ା ।

ଲୋକପ୍ରିୟ ଲେଖା

To Top