ପ୍ରବନ୍ଧ

ସତରେ କ’ଣ ଆମେ ଭୋକରେ ରହୁଛେ !

Er Bidyadhar Panda's odia prose Satare Kana Aame Bhokare Rahuchhe

ଏବେ ଆଜିର ବିଶ୍ୱ ମାନଚିତ୍ରରେ ଆମଭାରତକୁ ଗୋଟିଏ ଉନ୍ନତଦେଶ ବୋଲି ପ୍ରତିଷ୍ଠା କରିବା ପୂର୍ବରୁ ପ୍ରଥମେ ଭାରତର ପ୍ରତ୍ୟେକ ନାଗରିକଙ୍କୁ ଏହି ଖାଦ୍ୟ ସୁରକ୍ଷା ଆଇନିରେ ଅନ୍ତର୍ଭୁକ୍ତ କରି ସୁଷମ ଖାଦ୍ୟର ବିଶେଷ ଅଧିକାର ଦେବା ଅନିବାର୍ଯ୍ୟ ।

ସତରେ କ’ଣ ଆମେ ଭୋକରେ ରହୁଛେ !

ଦଶହରା ପର୍ବରେ ଗାଁକୁ ଯାଇ ମନ୍ଦିର ଛକ ଜଳଖିଆ ଦୋକାନର ଘୋଡାପଟା ଉପରେ ଜଣେ ଅବସର ପ୍ରାପ୍ତ ଶିକ୍ଷକଙ୍କୁ ମୁଁ ବିନମ୍ରତାର ସହ ପ୍ରଶ୍ନ କଲି, “ସତରେ କ’ଣ ଆମେ ଭୋକରେ ରହୁଛେ?” ସେ ମହାଶୟ ଜଣକ ମୋ ମୁହଁକୁ ଆଶ୍ଚର୍ଯ୍ୟରେ ଚାହିଁ କହିଲେ, ଅସମ୍ଭବ । ଆଜିକାଲି ଖାଦ୍ୟାଭାବରୁ ଭୋକରେ ରହୁଥିବା କଥା କେହି ସହଜରେ ବିଶ୍ୱାସ କରିବେନି । କାରଣ କଳ କାରଖାନା ବଢିଛି । ଟଙ୍କିକିଆ ଚାଉଳ ମିଳୁଛି । ମଝିରେ ମଝିରେ ଅଟା, ଡାଲି ଓ ତେଲ ପାଇଁ ବି ସରକାର ସାହାଯ୍ୟ କରୁଛନ୍ତି । କେମିତି କିଏ କାହିଁକି ବା ଭୋକରେ ରହିବ ? କିନ୍ତୁ ମୁଁ ଇଂଟରନେଟରୁ ଏମିତି ପଢିବାକୁ ପାଇଲି ବୋଲି କହି ସେମାନଙ୍କୁ ଅଧିକ ତଥ୍ୟ ପ୍ରଦାନ କଲି । ୨୦୧୭ ମସିହା ଅକ୍ଟୋବର ୧୨ତାରିଖରେ ଏକ ଆନ୍ତର୍ଜାତୀୟ ଭୋକିଲା ଦେଶମାନଙ୍କର ସୂଚକାଙ୍କ ପ୍ରକାଶିତ ହୋଇଛି । ଏହାକୁ ପ୍ରସ୍ତୁତ କରିଛନ୍ତି ଆନ୍ତର୍ଜାତୀୟ ଖାଦ୍ୟ ନିୟମ ଅନୁସଂନ୍ଧାନ ସଂସ୍ଥା (International Food Policy Research Institute- IFPRI), , ଯାହାକୁ ଆମେ ସନ୍ଦେହ କରିବା ଅନୁଚିତ୍ । ଏହି ରିପୋର୍ଟ ଅନୁସାରେ ଆମ ଦେଶ ଭାରତ କ୍ରମିକ ସଂଖ୍ୟା ୧୦୦ରେ ଥିବା ବେଳେ ପଡୋଶୀ ବାଂଗ୍ଲାଦେଶ ଓ ଇରାକ ୭୮ରେ ଅଛନ୍ତି । ସମୁଦାୟ ୧୧୯ଟି ଦେଶର ସର୍ଭେ ଭିତରେ ଆମ ଦେଶ ୧୦୦ତମ ସ୍ଥାନରେ ରହିବା ଲଜ୍ଜାକର ନୁହେଁ ! ଶିକ୍ଷକ ଜଣକ ମୋ କଥାକୁ ହଜମ ନକରି ପାରି ଗୁଣୁ ଗୁଣଉଥିଲେ, କାହିଁ ମୋ ନଜରରେ ଏମିତି ଖାଦ୍ୟାଭାବରୁ କିଏ ଭୋକଓପାସରେ ଶୋଉଥିବା କଥା କେବେ ଆସିନି । କାହାଠାରୁ ମୁଁ ଏକଥା ଏଯାଏଁ କେବେ ଶୁଣିନି । ଏ ବିଷୟରେ ଅଧିକ କିଛି ଜାଣିବା ପାଇଁ ମୋତେ ଆଗ୍ରହର ସହ ପଚାରିଲେ, ଆଉ କ’ଣ ସବୁ ଲେଖାଯାଇଥିଲା ସେ ରିପୋର୍ଟରେ କହିଲୁ ? ସେତେବେଳକୁ ଏ ଆଲୋଚନା ଜମି ସାରିଥିଲା । ଅନ୍ୟ କେତେଜଣ ଗରମ ଚା’ କପକୁ ଓଠରେ ଲଗଉଲଗଉ ଆମ କଥାକୁ କାନ ଡେରୁଥିଲେ । ଏପରି ଏକ ଗାଉଁଲି ସୁନ୍ଦର ପରିବେଶରେ ମୋତେ ପଢିଥିବା ସମ୍ପୂର୍ଣ୍ଣ ରିପୋର୍ଟକୁ ନିସେଙ୍କାଚରେ ପ୍ରକାଶ କରିବାରେ ବହୁତ ଆନନ୍ଦ ଆସିଲା ।

ଏହା ପୂର୍ବଥର ସର୍ଭେ ସମୟରେ ଭାରତର କ୍ରମସଂଖ୍ୟା ୫୫ଥିଲା । କିନ୍ତୁ ୨୦୧୪ମସିହା ପରେ ଏହା ୪୫କ୍ରମ ତଳକୁ ଖସିଛି ବୋଲି ରିପୋର୍ଟରେ ଲେଖା ଅଛି । କିଛି ପଦ୍ମଫୁଲିଆ ନେତା କହୁଛନ୍ତି ଯେ ଅନ୍ୟଦେଶ ପାଇଁ ଏବକାର ଡାଟା ବ୍ୟବହାର କରାଯାଇଥିବା ବେଳେ ଆମଦେଶର ପୁରୁଣା ୨୦୧୨-୧୩ ମସିହାର ଡାଟା ବ୍ୟବହାର କରି ଏପରି ସୂଚକାଙ୍କ ପ୍ରସ୍ତୁତ କରାଯାଇଛି । ଛାଡନ୍ତୁ ସେ ତର୍କ ବିତର୍କ କଥା । ସେ ରିପୋର୍ଟରେ ଆମ ଭାରତର ସ୍କୋରିଂ ୨୧.୯ ଥିବାବେଳେ ଆମ ରାଜ୍ୟର ୩୧.୪ ଅଛି । ଆମ ନେତାମାନଙ୍କ ପାଇଁ ଖୁସିର ବିଷୟ ଯେ ଆମ ତଳକୁ ବିହାର ଅଛି । ନୀତି ନିୟମ ତିଆରି କରିବା ଅଧିକାଂଶ ଲୋକ ସବୁ ସହରରେ ରହୁଥିବାରୁ ଆମ ଲୋକେ କିଛି ଭୋକରେ ରହୁଥିବା କଥା ତାଙ୍କର ଆଦୌ ବିଶ୍ୱାସ ହେଉନି । ଆଗରୁ ଯାହା ଥିଲା ଥିଲା, କିନ୍ତୁ ଏହି କରୋନା ଭୂତାଣୁ ଗ୍ରାସ କରିବା ପରେ ତର୍ଜମା କଲେ ଜଣାଯାଏ ଗାଁ ଗହଳିର ଅବସ୍ଥା ଏବେ ଅତି ଶୋଚନୀୟ । ଅନେକ ଲୋକଙ୍କୁ ତିନିଓଳି ପେଟପୂରା ଖାଇବାକୁ ମିଳୁନି । ଦିନ ମଜୁରିଆମାନେ ପ୍ରାୟ ତିନିମାସେ ଘରେ ବସି ଯାଇଥିଲେ, ସେମାନଙ୍କୁ ଯାହା ସରକାରୀ ସାହାଯ୍ୟ ମିଳିଲା ତାହା ପରିବାର ପାଇଁ ପର୍ଯ୍ୟାପ୍ତ ନୁହେଁ । ମହାନଦୀ କୂଳରେ ଅବସ୍ଥିତ ଆମ ଗାଁର ଟିକିନଖି ଖବର ଜଣାଥିବାରୁ ମୁଁ ପାଠକମାନଙ୍କ ଅବଗତି ନିମନ୍ତେ ଏତିକି ପ୍ରକାଶ କରିପାରେ ଯେ ଏବେ ବି ଆମ ଗହଣରେ କିଛି ଲୋକ ଭୋକରେ ଶୋଇବା ଦୃଷ୍ଟାନ୍ତ ନିଶ୍ଚିତ ଭାବରେ ରହିଛି । ଲୋକମାନେ ଜମିଜୁମା ପଡିଆ ରଖି ପାଖରେ ଗଢି ଉଠିଥିବା କଳକାରଖାନାରେ ଦିନମଜୁରିଆ ଭାବେ କାମ କରି ଚଳୁଥିଲେ । କିନ୍ତୁ ହଠାତ୍ କଳ କାରଖାନା ବନ୍ଦ ହୋଇଯିବା ପରେ ସେମାନେ ହାତବାନ୍ଧି ଘରେ ବସିଗଲେ । ତେଣୁ ପରିବାରର ଆର୍ଥିକ ଅବସ୍ଥା ବିିଗିଡିଗଲା । ଏବେ ନାଁ ଚାଷ କରିପାରୁଛନ୍ତି ନା କଳକାରଖାନାରେ କାମ ମିଳୁଛି ! କେତେକ କାରଖାନା କାମ ଆରମ୍ଭ କରିଥିଲେ ମଧ୍ୟ ସମ୍ପୂର୍ଣ୍ଣ ପୁରୁଣା ଅବସ୍ଥାକୁ ଏପର୍ଯ୍ୟନ୍ତ ଫେରିପାରିନି ।

ଆମ ଦେଶର ଗରିବି ଭୁକମାରିର ପ୍ରଧାନ କାରଣ । ବୋଝ ଉପରେ ଲଳିତା ବିଡା ପରି ଆକାଶ ଛୁଆଁ ଦରଦାମ ଏବେ ଲୋକମାନଙ୍କୁ ଆଉରି ବେଶୀ ହଇରାଣ କରୁଛି । ପରିବାପତ୍ରର ଦାମ ଦୁଇ ତିନିଗୁଣ ବଢିଯାଇଛି । ଗରିବଙ୍କ ପ୍ରମୁଖ ପରିବା ଆଳୁ କିଲୋ ଚାଳିଶଟଙ୍କା, ପିଆଜ ସତୁରି ଟଙ୍କା ହେଲା ବେଳକୁ ମାଗଣା କଞ୍ଚା ଲଙ୍କା ମାଗିଲେ ପରିବା ଦୋକାନି ମୁହଁ ମୋଡି ଦେଉଛନ୍ତି । ମୋ ନିଜର ଗୋଟେ ବଦ ଅଭ୍ୟାସ ହେଲା ଶହେ ଦେଢଶହ ଟଙ୍କାର ପରିବା କିଣିବା ପରେ ମାଗଣା କଞ୍ଚାଲଙ୍କା ମୁଠାଏ ନଆଣିଲେ ମନ ଶାନ୍ତି ହୁଏନି । ଏବେ କିନ୍ତୁ କେହି ବେପାରି ସେଥିରେ ଆଉ ରାଜି ନୁହଁନ୍ତି, କଞ୍ଚାଲଙ୍କା ପଚାଶଗ୍ରାମକୁ ଦଶଟଙ୍କା ହିସାବରେ ଯୋଡୁଛନ୍ତି । ହାଟପାଳିକୁ ପାଳି ଦୋକାନି ବଦଳେଇ ବଦଳେଇ ସବୁ ଦୋକାନ ସରିଲାଣି । ପୁରୁଣା ଅଭ୍ୟାସ ମାଗଣା କଞ୍ଚାଲଙ୍କା ନମାଗି ଏବେ ବାଧ୍ୟରେ ଦଶଟଙ୍କା ଦେଇ କିଣିବା ନୂଆ ଅଭ୍ୟାସ କରିବାକୁ ପଡିଛି, ହେଲେ ମନ ମାନୁନି । ନିକଟ ଭବିଷ୍ୟତରେ ଏହା ଏବେ ତଳକୁ ଆସିବା ପରି ଦିଶୁନି । ସାଧାରଣ ଜିନିଷ ସହ ପିଆଜ ରସୁଣ ଆଳୁ ପରି ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଦରଦାମ ନିୟନ୍ତ୍ରଣ କଲେ ଗରିବ ଲୋକମାନଙ୍କର ଦୁଃଖ ଅନେକାଂଶରେ ଲାଘବ ହୁଅନ୍ତା । ବିଶ୍ୱବ୍ୟାଙ୍କର ତଥ୍ୟାନୁସାରେ ଏବେ ଆମଦେଶରେ ୧୨ ପ୍ରତିଶତ ଏପରି ଅଛନ୍ତି ଯାହାଙ୍କର ଖାଦ୍ୟାଭାସ ଭିନ୍ନ । ପୃଷ୍ଟିକର କି ନୁହେଁ ତାହା ପରକଥା, ସେଥିରେ କିଛି ଅଖାଦ୍ୟ ଚାକୁଣ୍ଡାଶାଗ, ଟାକୁଆ ଯାଉ ପରି ଜିନିଷ ମଧ୍ୟ ଅଛି । ୨୦୧୫ମସିହାରେ ଗୋଟିଏ ଆନ୍ତର୍ଜାତୀୟ ସଂସ୍ଥା (Mixed Modified Mixed Reference Period – MMRP) ଏକ ସର୍ଭେ କରି ତଥ୍ୟ ରଖିଛନ୍ତି, ଯାହାକି ଚିନ୍ତାଜନକ । ବିଶେଷକରି ଏହା ଅନୁନ୍ନତ ପଛୁଆ ପହାଡି ଅଂଚଳ ଏବଂ ଅନୁସୁଚିତ ଜନଜାତି ମାନଙ୍କୁ ଅତ୍ୟଧିକ ପ୍ରଭାବିତ କରୁଛି । ସମନ୍ୱିତ ଶିଶୁ ବିକାଶ ଯୋଜନା (Integrated Child Development Services – ICDS) ଏବଂ ଜାତୀୟ ଗ୍ରାମିଣ ସ୍ୱାସ୍ଥ୍ୟ ମିଶନ (National Health Mission – NHM) ଆଦି ଏବେ ଭଲକାମ କରୁଛନ୍ତି, ତଥାପି ତାଙ୍କ ଅଗୋଚରରେ ନଗଡା ପରି ଅନେକ ଜାଗା ଏବେ ବି ରହିଯାଉଛି । ଯଦି ଖାଦ୍ୟ ଶସ୍ୟଗୁଡିକର ଦରଦାମ ଏମିତି ଆଗକୁ ସବୁଦିନ ପାଇଁ ରହେ, ତେବେ ଆମେ ଦେଶ ଏବଂ ରାଜ୍ୟରେ ଆଉରି ଅନେକ ଲୋକ ଏହି ଭୋକିଲା ଚିଠାରେ ଆପେ ଆପେ ଯୋଡି ହୋଇଯିବେ । ତେଣୁ ସରକାରଙ୍କ ପକ୍ଷରୁ ତୁରନ୍ତ କିଛି ପଦକ୍ଷେପ ଏବେ ନିଆଯିବା ଅନିବାର୍ଯ୍ୟ ।

୨୦୧୭ମସିହାରେ ନୀତି ଆୟୋଗ ଜାତୀୟ ପୃଷ୍ଟିକରଣ ରଣନୀତି ମାଧ୍ୟମରେ ଲୋକମାନଙ୍କର ପୌଷ୍ଟିକ ଖାଦ୍ୟର ବିବରଣି ସଂଗ୍ରହ କରିବାକୁ ଆରମ୍ଭ କରି ଅନେକ ଆଶ୍ଚର୍ଯ୍ୟ ଜନକ ତଥ୍ୟ ଲୋକଲୋଚନକୁ ଆଣିଲେ । ଏହା ଅନେକ ଜାଗାରେ ଫଲପ୍ରଦ ହେବାରୁ ଶିଶୁମୃତ୍ୟୁ ହାରରେ ମଧ୍ୟ ଫରକ ପଡିଲା । ଗର୍ଭବତୀ ମହିଳାମାନେ ଅନେକାଂଶରେ ଉପକୃତ ହେବାର ଦେଖାଗଲା । ଆଶା ଦିଦିମାନେ କେବଳ ମହିଳା ଏବଂ ଛୁଆ ମାନଙ୍କ ପାଇଁ କାର୍ଯ୍ୟ କରି ସେମାନଙ୍କର ସମ୍ପୂର୍ଣ୍ଣ ଦାୟିତ୍ୱ ନେଲେ । ଏବେ ଜାତୀୟ ସ୍ତରରେ ୨୦୨୨ ମସିହା ଭିତରେ କୁପୋଷଣ ମୁକ୍ତ ଭାରତ (India free from malnutrition) ନିର୍ମାଣ କରିବା ଦିଗରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ନ୍ୟାୟ(NYAYA) ଯୋଜନା ମାଧ୍ୟମରେ କେତେକ ବୁଦ୍ଧିଜୀବୀ ଆଶା କରୁଛନ୍ତି ଆମେ ଦେଶର ସମସ୍ତ ଜଣସାଧାରଣଙ୍କ ପାଇଁ ଖାଦ୍ୟ ସୁରକ୍ଷା ଦେବାକୁ ସମର୍ଥ ହେବା । ୨୦୨୨ ମସିହା ଆସି ସରିବାକୁ ମାତ୍ର ଦୁଇବର୍ଷ ସମୟ ବାକି ଅଛି । ଯଦିଓ ଅସମ୍ଭବ ବୋଲି କିଛି ନାହିଁ, ତଥାପି ଏ କରୋନା କାଳର ଅବ୍ୟବସ୍ଥା ଏବଂ ଗତିବିଧି ଦେଖିଲା ପରେ ସବୁରି ମନରେ ସନ୍ଦେହ ହେଉଛି । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ୨୦୧୭ ମସିହା ନଭେମ୍ବର ୩୦ ତାରିଖରେ ଏକ ଜାତୀୟ ପୃଷ୍ଟିକରଣ ଲକ୍ଷ୍ୟ ନାଁ ରେ ନଅ ହଜାର ଛୟାଳିଶ କୋଟି ସତର ଲକ୍ଷ ଟଙ୍କାର ବଜେଟ ସଂରକ୍ଷିତ ରଖାଯାଇ କାମ ଚାଲିଛି । ଗତବର୍ଷ ସୁଧା ତିନିଶହ ପନ୍ଦର ଜିଲ୍ଲାରେ ସୁଫଳ ଆସିଛି ବୋଲି ସରକାରଙ୍କ ତରଫରୁ ଦାବି କରାଯାଉଛି, ଯାହା ପ୍ରାୟ ଅର୍ଦ୍ଧାଧିକ । ବାକି ଅଧାକୁ ଟିକେ ମନ ଲଗେଇ ବାବୁମାନେ ପରିଶ୍ରମ କଲେ ସମ୍ଭବ ହୋଇପାରେ, ଯାହା ସମୟ କହିବ ।

୨୦୧୩ମସିହା ସେପ୍ଟେମ୍ବର ମାସରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନି ପାରିତ ହୋଇଥିଲା । ଭାରତ ସରକାରଙ୍କ ପକ୍ଷରୁ ଏହା ଥିଲା ପ୍ରଥମ ବଡ ପଦକ୍ଷେପ । ଏହି ଆଇନିର ମହତ ଉଦ୍ଧେଶ୍ୟ ଥାଇ ମଧ୍ୟ ସବୁ ରାଜନୈତିକ ଦଳର ଶତ ପ୍ରତିଶତ ସହଯୋଗ ମିଳିଲାନି । କିଛି ପରିବାର ଯୋଗ୍ୟ ଥାଇ ମଧ୍ୟ ସେମାନଙ୍କୁ ଏହି ଆଇନିର ପରିସର ଭିତରେ ରଖି ଯଥୋଚିତ ସାହାଯ୍ୟ କରିବାରେ ଆମଦେଶର ପ୍ରଶାସନ ସମର୍ଥ ହେଲାନି, ତେଣୁ ସେମାନେ ପ୍ରକୃତ ସୁବିଧା ସୁଯୋଗରୁ ବଞ୍ଚିତ ହେବା ଫଳରେ ଆମଦେଶର ଭୋକିଲା ଏବଂ ପୃଷ୍ଟିହୀନତା ସୂଚକାଙ୍କ ଗୁଡିକ ପ୍ରଭାବିତ ହେବା ସ୍ୱାଭାବିକ୍ କଥା । ଏବେ ଆଜିର ବିଶ୍ୱ ମାନଚିତ୍ରରେ ଆମଭାରତକୁ ଗୋଟିଏ ଉନ୍ନତଦେଶ ବୋଲି ପ୍ରତିଷ୍ଠା କରିବା ପୂର୍ବରୁ ପ୍ରଥମେ ଭାରତର ପ୍ରତ୍ୟେକ ନାଗରିକଙ୍କୁ ଏହି ଖାଦ୍ୟ ସୁରକ୍ଷା ଆଇନିରେ ଅନ୍ତର୍ଭୁକ୍ତ କରି ସୁଷମ ଖାଦ୍ୟର ବିଶେଷ ଅଧିକାର ଦେବା ଅନିବାର୍ଯ୍ୟ । ଆମ ଦେଶରେ ନୀତି ନିୟମ ଯଥେଷ୍ଟ ଅଛି, କିନ୍ତୁ ଏହାକୁ ଲାଗୁକରିବାରେ ସେମିତି ଆନ୍ତରିକତା କିଛି ଦେଖାଯାଉନି । ଯାହାଫଳରେ ଭଲ ନିୟମଗୁଡିକର ସୁଫଳ ଆମକୁ ମିଳୁନି । ଆମ ଓଡିଶାର ଗରିବି ସୂଚୀରେ ଏବେ ୩୨.୫୯ଅଙ୍କ, ଯାହାକି ଭାରତ ସଂଦର୍ଭରେ ୨୧.୯୨ । ବିହାରରେ ଏହି ସଂଖ୍ୟା ଆମଠାରୁ ଆଉରି ଖରାପ, ତାହା ୩୩.୭୪ । ଏସବୁ ବିଷୟରେ ସତ୍ୟାସତ୍ୟ ଜାଣିବାକୁ ହେଲେ ନେତାମାନଙ୍କୁ ଗାଁକୁ ଯିବାକୁ ହେବ । ବଡବଡ ଅତି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷ ଲୋକପରିକା ନୁହେଁ, ଜଣେ ସାଧାରଣ ଲୋକ ପରି ଜଣେ ଦୁଇଜଣଙ୍କୁ ସାଥିରେ ଧରି ସାଧାପୋଷାକରେ ଗଲେ ନିଛକ ସତର ଆଭାସ ମିଳିବ, ଯାହାକି ସେମାନଙ୍କୁ ନୀତି ନିର୍ଦ୍ଧାରଣ କରିବା ଦିଗରେ ସହାୟକ ହେବ । ଏମିତିରେ ସାଧାରଣ ଲୋକଙ୍କର ପ୍ରକୃତ ଅବସ୍ଥା ଜଣାଗଲେ, ସେମାନେ ଉଚିତ୍ ରଣନୀତି ବାହାର କରି ଦେଶକୁ କୁପୋଷଣ ଏବଂ ଭୋକରୁ ମୁକ୍ତ କରିପାରିବେ ।

ଲୋକପ୍ରିୟ ଲେଖା

To Top