ପ୍ରବନ୍ଧ

ସତ୍ୟ-ଶିବ-ସୁନ୍ଦର

Kalindicharana Panigrahi's odia prose Satya Shiba Sundara

ଯୁଦ୍ଧ କରିବା ତୁମ୍ଭର କର୍ତ୍ତବ୍ୟ । ବାସ୍ ସେହି ପର୍ଯ୍ୟନ୍ତ । ଆଉ କାହିଁରେ ତମର ଅଧିକାର ନାହିଁ । ଯୁଦ୍ଧରେ ଜୟଲାଭ କର ଅଥବା ପରାଜିତ ହୁଅ, ରାଜ୍ୟଲାଭ କର ବା ହରାଅ, ସେ ବିଷୟରେ ବିଚାର ତମ ହାତରେ ନାହିଁ ।

ସତ୍ୟ-ଶିବ-ସୁନ୍ଦର

ସଭ୍ୟତାର ଆଦିକାଳରୁ ଗୋଟିଏ ବସ୍ତୁ ଜଗତରେ ବିଜୟୀ ହୋଇ ଆସିଅଛି- ଚିନ୍ତା । କେତେ ରାଜ୍ୟର ସ୍ୱାଧୀନତା ଲୁପ୍ତ ହୋଇଅଛି, କେତେ ରାଜ୍ୟ ପୁଣି ସ୍ୱାଧୀନ ହୋଇ ମସ୍ତକ ଉତ୍ତଳନ କରିଛନ୍ତି, କେତେ ରାଜମୁକୁଟ ରାଜାର ମସ୍ତକ ସହ ଭୁଲୁଣ୍ଠିତ ହୋଇଅଛି, କେତେ ସିଂହାସନ ଦରିଦ୍ରର କୁଟୀର ଚଟାଣରେ ପରିଣତ ହୋଇଅଛି । କେଉଁ ରାଜପୁତ୍ର ଅଭିଷେକର ପୂର୍ବ ମୁହୂର୍ତ୍ତରେ ବଳ୍କଳ ପିନ୍ଧି ବନବାସୀ ହୋଇଅଛି । କିଏ ସୁନ୍ଦରୀ ପ୍ରେୟସୀର ବାହୁବେଷ୍ଟନରୁ ମୁକ୍ତ ହୋଇ ଯେଉଁ ବସ୍ତୁର ପରିବର୍ତ୍ତନ ନାହିଁ, ଧ୍ୱଂସ ନାହିଁ, ତାହାରି ଅନ୍ୱେଷଣରେ ଭିକ୍ଷୁବ୍ରତ ଗ୍ରହଣ କରିଅଛି । କିଏ ଗୋଟିଏ ନୀତି ଗୋଟିଏ ଭାବକୁ ଏକାନ୍ତ ସତ୍ୟରୂପେ ଉପଲବ୍ଧି କରି ସେଥିପାଇଁ ଜୀବନପଣ କରିଅଛି । କିଏ ନିଜର ସମସ୍ତ ସୁଖସ୍ୱାଚ୍ଛନ୍ଦ୍ୟ ବିଳାସିତା ତାହାରି ପାଇଁ ଉତ୍ସର୍ଗ କରିଅଛି । ଆଉ କିଏ ସେହି ନୀତିକୁ ଭ୍ରାନ୍ତ ଜ୍ଞାନ କରି ଉପହାସ କରୁଛନ୍ତି । ଜଣେ ମାନବଜାତିର କଲ୍ୟାଣ କାମନାରେ କଠିନ ତପସ୍ୟା କରି ଏକ ସତ୍ୟ ପଚାର କଲେ- “ଅହିଂସା ପରମୋ ଧମଃ !” ଆଉ ଜଣେ ନିଜକୁ ସ୍ୱୟଂ ଭଗବାନ ବୋଲି ପରିଚୟ ଦେଇ ଉପଦେଶ ଦେଲେ- “ଯୁଦ୍ଧାୟ କୃତନିଶ୍ଚୟଃ !”

ଅଦ୍ଭୁତ ମାନବର ଗତି । ବିଚିତ୍ର ତାର କାର୍ଯ୍ୟକଳାପ । ସବୁ ବୈପରୀତ୍ୟ ବିଦ୍ରୋହ ମଧ୍ୟରେ, ହିଂସା-ଅହିଂସା ମଧ୍ୟରେ ଜୟଲାଭ କରିଅଛି ସେହି ଏକମାତ୍ର ବସ୍ତୁ- ଚିନ୍ତା ।

ଅସଂଖ୍ୟ ମତ- ଅସଂଖ୍ୟ ଚିନ୍ତାର ଧାରା । ଏହା ମଧ୍ୟରେ ସତ୍ୟ କିଏ ? ଶିବ କିଏ ? ସୁନ୍ଦର କିଏ ? ସତ୍ୟର ଯଥାର୍ଥ୍ୟ ହିନ୍ଦୁ ପକ୍ଷରେ ଯାହା ମୁସଲମାନ ପକ୍ଷରେ ତାହା, ଖ୍ରୀଷ୍ଟିୟାନ ପକ୍ଷରେ ମଧ୍ୟ ତାହା, ବୌଦ୍ଧ, ଜୈନ, ଜୋରାଷ୍ଟ୍ରିୟାନ, ରାଜା, ଜମିଦାର, କୃଷକ, ସୈନିକ, ଧନୀ, ନିର୍ଦ୍ଧନ, ରୁଗ୍ଣ, ସୁସ୍ଥ- ସମସ୍ତଙ୍କ ପକ୍ଷରେ ସମାନ । ସମଗ୍ର ମାନବଜାତି, ସମଗ୍ର ବିଶ୍ୱ ପାଇଁ ତାହା ସତ୍ୟ, ସେହିପରି ଶିବ, ସେହିପରି ସୁନ୍ଦର । କିନ୍ତୁ ରୀତିଭେଦରେ, ରୁଚିଭେଦରେ ଖ୍ରୀଷ୍ଟିୟାନ୍ ପକ୍ଷରେ ଯାହା ସତ୍ୟ, ହିନ୍ଦୁ ପକ୍ଷରେ ତାହା ମିଥ୍ୟା । ଯେପରି ଜନ୍ମାନ୍ତରବାଦରେ ଖ୍ରୀଷ୍ଟିୟାନ ଅବିଶ୍ୱାସ କରେ, ହିନ୍ଦୁ ବିଶ୍ୱାସ କରେ ।

ଗୋହତ୍ୟାକୁ ହିନ୍ଦୁ କହିବେ “ଅସତ୍ୟ, ଅଶିବ, ଅସୁନ୍ଦର, ଗୋବ୍ରାହ୍ମଣ ହିତାୟ ଚ ।” ମୁସଲମାନ କହିବେ, “ଗୋରୁପ୍ରତି ଆମର ଶ୍ରଦ୍ଧା ଯଥେଷ୍ଟ- କାରଣ ତାହାର ମାଂସ ସୁସ୍ୱାଦୁ ଓ ତାକୁ ହଲାର କରିବାରେ ଆନନ୍ଦ ।”

ଅନ୍ଧ କହିବ “ସୂର୍ଯ୍ୟ ଚନ୍ଦ୍ର ତା’ ପକ୍ଷରେ ଅଖଣ୍ଡ ଅନ୍ଧକାର”, ବଧିର କହିବ “ଜଗତ ତା’ ପକ୍ଷରେ ଶବ୍ଦହୀନ, ନିରବ ଓ ମୁକ ।”

ଅନ୍ଧ ପାଇଁ ଗୋଟାଏ ସତ୍ୟ, ବଧିର ପାଇଁ ଗୋଟାଏ ସତ୍ୟ, ହିନ୍ଦୁ, ଖ୍ରୀଷ୍ଟାନ୍, ମୁସଲମାନମାନଙ୍କ ପାଇଁ ଗୋଟାଏ ଗୋଟାଏ ସତ୍ୟ । କିନ୍ତୁ ଯାହା ଯଥାର୍ଥ ସତ୍ୟ, ତାକୁ ହିନ୍ଦୁ, ଖ୍ରୀଷ୍ଟାନ୍, ମୁସଲମାନ, ବୌଦ୍ଧ, ଅନ୍ଧ, ବଧିର ସମସ୍ତେ ସ୍ୱୀକାର କରିବେ ।

ସୂର୍ଯ୍ୟ ଚନ୍ଦ୍ରର ସତ୍ୟତା- ଆଲୋକ ପୃଥିବୀର ଏକ ଲକ୍ଷ ଅନ୍ଧ ମିଶି ତାକୁ ଏ ପର୍ଯ୍ୟନ୍ତ ଅନ୍ଧକାର ବୋଲି ପ୍ରମାଣିତ କରିପାରି ନାହାନ୍ତି । ହିନ୍ଦୁ, ଖ୍ରୀଷ୍ଟାନ, ବୌଦ୍ଧ, ମୁସଲମାନ- ସବୁ ଜାତି ସବୁ ଶ୍ରେଣୀର ଲୋକଙ୍କର ଜନ୍ମ ଅଛି, ମୃତ୍ୟୁ ଅଛି, ସୁଖ ଅଛି, ଦୁଃଖ ଅଛି, ଆଲୋକ ଅଛି, ଅନ୍ଧକାର ଅଛି, ନିଦ୍ରା ଅଛି, ଜାଗରଣ ଅଛି -ଏହାକୁ ମିଥ୍ୟା ବୋଲି କେହି ଅସ୍ୱୀକାର କରିବେ ନାହିଁ ।

ସତ୍ୟ-ଶିବ-ସୁନ୍ଦର- ଏହା ବ୍ୟକ୍ତି, ସମଷ୍ଟି ବା ଜାତିର ଏକଚାଟିଆ ବସ୍ତୁ ନୁହେଁ । ସମଗ୍ର ଜଗତ ପାଇଁ ଯାହା ସତ୍ୟ, ତାହା ହିଁ ସତ୍ୟ, ଯାହା ଶିବ, ତାହା ଶିବ, ଯାହା ସୁନ୍ଦର, ତାହା ସୁନ୍ଦର ।

ବ୍ୟକ୍ତିର ସ୍ୱାର୍ଥ ସମଷ୍ଟିର ସ୍ୱାର୍ଥରେ ସଂଯୁକ୍ତ ନ ହେଲେ ଏ ଉପଲବ୍ଧି ହୁଏ ନାହିଁ । ମାନବ ନିଜର ସ୍ୱାର୍ଥକୁ ସମଗ୍ର ଜାତିର ସ୍ୱାର୍ଥରେ ଯୋଗ କରି ନ ପାରିଲେ, ନିଜକୁ ବିରାଟ ମାନବଜାତିର ସୁଖ, ଦୁଃଖ, ତାହାର ଐଶ୍ୱର୍ଯ୍ୟ, ତାହାର ମାତ୍ସର୍ଯ୍ୟ, ତାହାର ଦୀନତା ଓ ଅକିଞ୍ଚନତା ବୁଝିବାର ସାମର୍ଥ୍ୟ ନ ଥିଲେ ଏ ସତ୍ୟ ହୃଦୟଙ୍ଗମ ହୁଏ ନାହିଁ- “ଯୋ ବୌ ଭୂମା ତତ୍ ସୁଖମ୍, ନାଳ୍ପେ ସୁଖମସ୍ତି !”

ଯୁଗେ ଯୁଗେ ଜଣେ ଜଣେ ପୁରୁଷାବତାର ଏହି ସତ୍ୟ ଅନୁସନ୍ଧାନରେ ରାଜ୍ୟ ଛାଡ଼ି, ବିଳାସ ଛାଡ଼ି, ଦାରିଦ୍ର୍ୟ ଦୁଃଖକୁ ହାସ୍ୟମୁଖରେ ବହନ କରି ଜଗତର ପଥ-ପ୍ରଦର୍ଶକ ହୋଇଅଛନ୍ତି । ମାନବଜାତି ନିରବରେ ସେମାନଙ୍କର ପଶ୍ଚାତ୍ ଅନୁସରଣ କରିଅଛି ।

ସତ୍ୟ-ଶିବଂ-ସୁନ୍ଦରମ୍ ! ସମଗ୍ର ଜଗତରେ ଏହି ତିନିଗୋଟି ଲକ୍ଷ୍ୟବସ୍ତୁ- ତିନିଗୋଟି ପ୍ରେୟ ଓ ଶ୍ରେୟ । ଏହା ମଧ୍ୟରେ ସୁଖ ସ୍ୱାଚ୍ଛନ୍ଦ୍ୟର ସ୍ଥାନ ନାହିଁ, ଦୁଃଖ ବେଦନାର କଳ୍ପନା ନାହିଁ, କେବଳ ସତ୍ୟ ଶିବଂ ସୁନ୍ଦରମ୍ ।

ମାନବର ସୁଖ ସ୍ୱାଚ୍ଛନ୍ଦ୍ୟ ବଢ଼ାଇବା ପାଇଁ ବିଜ୍ଞାନର ଏହି ଯେ ବିରାଟ ଆୟୋଜନ, ଏହାର ଚରମ ପରିଣତି କେଉଁଠାରେ ? କେଉଁଠାରେ ମାନବ କଣ୍ଠରୁ ସ୍ୱସ୍ତି ବାଚନ ଶୁଣାଯିବ – “ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ !” ନବ ନବ ଅଭାବର ଆବିଷ୍କରଣ ହିଁ ବର୍ତ୍ତମାନ ସଭ୍ୟତାର ଚିହ୍ନ ଏବଂ ତାହାର ପୂରଣରେ ବିଜ୍ଞାନର ଆନନ୍ଦ ।

କିନ୍ତୁ ଜଗତରେ ଏହି ସତ୍ୟ-ଶିବ-ସୁନ୍ଦରର ଯେଉଁଠାରେ ପ୍ରତିଷ୍ଠା ସେଠାରେ ବିଜ୍ଞାନର ଦାନ ଅତ୍ୟନ୍ତ ମୂଲ୍ୟହୀନ, ବ୍ୟକ୍ତିର ସୁଖଦୁଃଖର ଆକାଂକ୍ଷା ଅତ୍ୟନ୍ତ ତୁଚ୍ଛ ! ସେଠାରେ ନିଜର ଅସ୍ଥିଦାନ କରିବା ପାଇଁ ଦଧୀଚିର ଆତଙ୍କ ଜନ୍ମେ ନାହିଁ, ସମଗ୍ର ରାଜ୍ୟ ଦାନକରି ଆତ୍ମବିକ୍ରୟ କରିବାକୁ ମଧ୍ୟ ହରିଶ୍ଚନ୍ଦ୍ର କାର୍ପଣ୍ୟ ଜ୍ଞାନ କରେ ନାହିଁ, କାରଣ ସେଠାରେ ସମଷ୍ଟିର ଆନନ୍ଦରେ ବ୍ୟକ୍ତିର ଆନନ୍ଦ, ସମଷ୍ଟିର କଲ୍ୟାଣରେ ବ୍ୟକ୍ତିର କଲ୍ୟାଣ । ତାହା ହିଁ ସତ୍ୟ-ଶିବଂ-ସୁନ୍ଦରମ୍ !

ବିଶ୍ୱପକ୍ଷରେ ଯାହା ସତ୍ୟ, ମଙ୍ଗଳମୟ ଏବଂ ସୁନ୍ଦର, ବ୍ୟକ୍ତିପକ୍ଷରେ ମଧ୍ୟ ତାହା ହିଁ ସକଳ କଲ୍ୟାଣ ଓ ଆନନ୍ଦର ସମଷ୍ଟି । ସୂର୍ଯ୍ୟ ଯେପରି ଅନ୍ଧ ଓ ଚକ୍ଷୁଷ୍ମାନ୍‌ଙ୍କ ପାଇଁ ଆଲୋକ ଓ ଅନ୍ଧକାର ଉଭୟ ବିଧରୂପେ ପ୍ରମାଣିତ ହୋଇ ନ ପାରେ, ସତ୍ୟ ସେହିପରି ବ୍ୟକ୍ତିଭେଦରେ, ସ୍ଥାନଭେଦରେ ମିଥ୍ୟାବୋଲି ପ୍ରମାଣିତ ହୋଇପାରେ ନାହିଁ ।

(ସତ୍ୟ ସାଧନାର ବସ୍ତୁ, ଶିବ ଆରାଧନାର ବସ୍ତୁ, ସୁନ୍ଦର ଦର୍ଶନ ବା ଜ୍ଞାନର ବସ୍ତୁ । ଏମାନେ ସମସ୍ତେ ପରସ୍ପର ସାପେକ୍ଷ । ଗୋଟିଏ ଅନ୍ୟ ଦୁଇଟିର ସାପେକ୍ଷ)

ସକଳ ଧର୍ମ, ସକଳ ମତରେ ଏହା ସମାନ – ଏହାର କ୍ଷୟ, ବୃଦ୍ଧି ନାହିଁ, ପରିବର୍ତ୍ତନ ନାହିଁ । ଯିସସ୍ କହିଲେ- “Other sheep i have which are not of this fold” କେବଳ ଖ୍ରୀଷ୍ଟାନ୍ ତାଙ୍କର ନୁହନ୍ତି, ଇହୁଦିମାନେ ମଧ୍ୟ ତାଙ୍କରି, ହିଦେନ ସମସ୍ତେ ତାଙ୍କରି । ସ୍ପିନୋଜା କହିଅଛନ୍ତି, “Religion is universal to human race, wherever justice and charity have the force of law and ordinance, there is God’s kindness.” । ଧର୍ମ ସମଗ୍ର ମାନବଜାତି ପାଇଁ ସମଭାବରେ ପରିବ୍ୟାପ୍ତ । ଯେଉଁଠାରେ ନ୍ୟାୟ ଓ କରୁମା ଆଇନ୍‌କାନୁନ୍ ପରି ଶକ୍ତିଶାଳୀ, ସେଠାରେ ହିଁ ଭଗବାନଙ୍କର ରାଜ୍ୟ ବିଦ୍ୟମାନ ।

ନିଜର ସଂକୀର୍ଣ୍ଣ ସ୍ୱାର୍ଥରୁ ମୁକ୍ତ ନ ହେଲେ ସତ୍ୟଦର୍ଶନ ସମ୍ଭବପର ହୁଏ ନାହିଁ । ମହାଭାରତ ଯୁଦ୍ଧର ଆରମ୍ଭରେ ଅର୍ଜୁନଙ୍କର ବିଷାଦଯୋଗ ଜାତ ହେଲା କାହିଁକି ? ଅର୍ଜୁନ ଜ୍ଞାନୀ ! ନିଜ କ୍ଷୁଦ୍ର ସ୍ୱାର୍ଥପାଇଁ, ନିଜର ରାଜ୍ୟ ଭୋଗପାଇଁ, ଭୀଷ୍ମ, ଦ୍ରୋଣ, କର୍ଣ୍ଣ ପ୍ରଭୃତି ଆପଣାର ଗୁରୁ ଓ ଆପଣାର ପ୍ରିୟଜନଙ୍କୁ ତାଙ୍କୁ ହତ୍ୟା କରିବାକୁ ହେବ ।

ଅର୍ଜୁନଙ୍କର ବୈରାଗ୍ୟ ଜନ୍ମିଲା । ସମସ୍ତ ଅଙ୍ଗରେ ଅବସାଦ ଜାତ ହେଲା । ଗାଣ୍ଡୀବ ହସ୍ତରୁ ସ୍ଖଳିତ ହେଲା-

“ନା କାଙ୍‌କ୍ଷେ ବିଜୟଂ କୃଷ୍ଣ ହତ୍ୱା ସ୍ୱଜନମାହବେ !”

“ହେ କୃଷ୍ଣ, ଯୁଦ୍ଧରେ ସ୍ୱଜନ ନିଧନ କରି ମୁଁ ବିଜୟର ଅଭିଲାଷୀ ନୁହେଁ । ଶେଷ । ମହାଭାରତ ଯୁଦ୍ଧ ଏହିଠାରେ ସ୍ଥଗିତ ହେବ । ଏତେବଡ଼ ବିପୁଳ ଆୟୋଜନ ଏହିଠାରେ ପଣ୍ଡ ।

ସାରଥି ଯଦି ଏହିଠାରୁ ରଥ ଲେଉଟାଇ ନେଇଥାନ୍ତେ, ତେବେ ମଧ୍ୟ ମହାବୀର ଧନଞ୍ଜୟଙ୍କର ଏ ଆଦର୍ଶ ପୃଥିବୀର ଇତିହାସରେ ଅତ୍ୟୁଚ୍ଚ ଗୌରବମୟ ଚିହ୍ନସ୍ୱରୂପ ବିରାଜିଥାନ୍ତା । “ଅହିଂସା ପରମୋ ଧର୍ମଃ’ ପ୍ରଚାର କରିବାକୁ ଶାକ୍ୟସିଂହଙ୍କର ଆବିର୍ଭାବର ପ୍ରୟୋଜନ ନ ଥାନ୍ତା, କିନ୍ତୁ ସେଥିରେ ମଧ୍ୟ କ୍ଷତି ଘଟିଥାନ୍ତା- ଗୀତାପରି ଗ୍ରନ୍ଥଲାଭରୁ ଜଗତ୍ ବଞ୍ଚିତ ହୋଇଥାନ୍ତା ।”

ଅର୍ଜୁନଙ୍କ ଉପରେ ପ୍ରଥମ ଯୁକ୍ତି ବର୍ଷିତ ହେଲା କ୍ଷତ୍ରିୟ ହୋଇ ଯୁଦ୍ଧଭୂମିରେ ତାଙ୍କର ଏପରି ଅବସାଦ ଅନାର୍ଯ୍ୟୋଚିତ ଓ କ୍ଳୀବତ୍ୱର ପରିଚାୟକ । ଅର୍ଜୁନଙ୍କ ସ୍ୱାର୍ଥ ସଂକୀର୍ଣ୍ଣତମ । ସେ ନିଜର ଏବଂ ଅନ୍ୟ ପାଞ୍ଚଭାଇ ପ୍ରଭୃତି ଏକାନ୍ତ ଆତ୍ମୀୟମାନଙ୍କ ସ୍ୱାର୍ଥକୁ ଉପେକ୍ଷା କରିଅଛନ୍ତି ସତ୍ୟ, କିନ୍ତୁ ଗୁରୁଜନ ଓ ସ୍ୱଜନମାନଙ୍କ ସ୍ୱାର୍ଥକୁ ଉପେକ୍ଷା କରିଅଛନ୍ତି ସତ୍ୟ, କିନ୍ତୁ ଗୁରୁଜନ ଓ ସ୍ୱଜନମାନଙ୍କ ପ୍ରତି ଯେ ସ୍ୱାଭାବିକ ମମତା, ସେଥିରୁ ଉତ୍ତୀର୍ଣ୍ଣ ହୋଇପାରି ନାହାନ୍ତି । “ଅହିଂସା ପରମୋ ଧର୍ମଃ’ ଏ ଦୀକ୍ଷାରେ ସେ ଦୀକ୍ଷିତ ନୁହଁନ୍ତି ।

ପିତାମହ ଭୀଷ୍ମ, ଅସ୍ତ୍ରଗୁରୁ ଦ୍ରୋଣ ଏବଂ ଜ୍ୟେଷ୍ଠଭ୍ରାତା କର୍ଣ୍ଣ, ଦୁର୍ଯ୍ୟୋଧନ ପ୍ରଭୃତିଙ୍କ ବିରୁଦ୍ଧରେ ସେ ଯୁଦ୍ଧଭୂମିରେ ଦଣ୍ଡାୟମାନ, ଏହା ହିଁ ତାଙ୍କର ଆକ୍ଷେପର କାରଣ ।

କିନ୍ତୁ ଏହା କ୍ଷତ୍ରିୟୋଚିତ ନୁହେଁ, ପୁରୁଷୋଚିତ ନୁହେଁ, ଏହା ଅନାର୍ଯ୍ୟୋଚିତ- କ୍ଳୀବତ୍ୱ !

ଜଳଦଗମ୍ଭୀର ସ୍ୱରରେ ଗୀତାର ନିଃସାରଣ ହେଲା । ହେ ଧନଞ୍ଜୟ ! “ଉତ୍ତିଷ୍ଠ, ଯୁଦ୍ଧାୟ କୃତନିଶ୍ଚୟଃ’ – “ହେ ଅନ୍ଧ ! ଚକ୍ଷୁ ଉନ୍ମୋଚନ କର । ଏ କେଉଁ ରୂପ ଦର୍ଶନ କରୁଅଛ ? ଏଠାରେ କାହା ସହିତ କି ସମ୍ପର୍କ ? ଭୀଷ୍ମ, ଦ୍ରୋଣ, କର୍ଣ୍ଣ – କିଏ କାହାର ? ଜନ୍ମ କରୁଅଛି କିଏ ? ମାରୁଅଛି କିଏ ? ହେ ସବ୍ୟସାଚିନ୍, ତୁମେ ନିମିତ୍ତ ମାତ୍ର, ଯଥାର୍ଥକର୍ତ୍ତା ତୁମେ ନୁହଁ । ଏ ଅଭିମାନ ତୁମେ ତ୍ୟାଗକର । ତୁମେ ହିଂସ୍ର ନୁହଁ, ଅହିଂସ ନୁହଁ, କର୍ତ୍ତା ନୁହଁ, କର୍ମ ନୁହଁ, – ନିମିତ୍ତମାତ୍ର ତୁମେ ।”

ଅର୍ଜୁନଙ୍କ ଦୃଷ୍ଟି ଖୋଲିଗଲା । ଚକ୍ଷୁ ସମକ୍ଷରେ ଯେ ସ୍ୱାର୍ଥ ମମତାର ଆବରଣ ଥିଲା, ତାହା ମୁହୂର୍ତ୍ତକେ ଅପସାରିତ ହେଲା । ସମଗ୍ର ବିଶ୍ୱ ଚିତ୍ରପଟ ପରି ଉଦ୍ଭାସିତ । ଅର୍ଜୁନଙ୍କର ଅହଂକାର କ’ଣ ? ସେ କାହାକୁ ହତ୍ୟା କରିବାକୁ ଯାଉଅଛନ୍ତି ?

“ବାସାଂସି ଜୀର୍ଣ୍ଣାନି ଯଥା ବିହାୟ
ନବାନି ଗୃହ୍‌ଣାତି ନରୋଽପରାଣି ।”

ଆତ୍ମା ଅମର ! ତାହାର ହତ୍ୟା ଅର୍ଜୁନଙ୍କ ହାତରେ ନାହିଁ, ସେ ବିଭିନ୍ନ ରୂପରେ ଜଗତରେ ଲୀଳାୟମାନ- ଏକରୂପ ପରିତ୍ୟାଗ କରି ସ୍ୱଚ୍ଛନ୍ଦରେ ଅନ୍ୟରୂପରେ କ୍ରୀଡ଼ାକରେ । ମୃତ୍ୟୁ ଗୋଟିଏ ସାମାନ୍ୟ ପରିବର୍ତ୍ତନ ମାତ୍ର । ପୁରାତନ ବସ୍ତ୍ର ପରିତ୍ୟାଗ କରି ନୂତନ ବସ୍ତ୍ର ଗ୍ରହଣ କରିବା ପରି ଆତ୍ମା ଏକ ଶରୀର ତ୍ୟାଗ କରି, ଅନ୍ୟ ଶରୀର ସୃଷ୍ଟି କରେ । ଟେମ୍ପେଷ୍ଟର ଜଳମଗ୍ନ ମୃତମାନଙ୍କୁ ଉଦ୍ଦେଶ୍ୟ କରି କବି ସେକ୍ସପିଅର କହିବା ପରି-

“But hath suffer a sea change
Full fathom five thy father lies:
of his bones are coral made;
Those are pearls that were his eyes”

ଅର୍ଜୁନଙ୍କର ଯୁଦ୍ଧରେ ଉଦ୍ଦେଶ୍ୟ କ’ଣ ? ସିଂହାସନ ଲାଭ, ରାଜ୍ୟଭୋଗ ? ଏହି ସ୍ୱାର୍ଥ ଆଶାରେ ସେ ରଣକ୍ଷେତ୍ରରେ ଅବତୀର୍ଣ୍ଣ ?

ନାହିଁ । ଲାଭ, ଅଲାଭ, ଜୟ, ପରାଜୟ – ସକଳ କ୍ଷେତ୍ରରେ ତାଙ୍କୁ ସମଭାବ ଗ୍ରହଣ କରିବାକୁ ହେବ । – “କର୍ମଣ୍ୟେବାଧିକାରସ୍ତେ ମା’ ଫଳେଷୁ କଦାଚନ ।” ଯୁଦ୍ଧ କରିବା ତୁମ୍ଭର କର୍ତ୍ତବ୍ୟ । ବାସ୍ ସେହି ପର୍ଯ୍ୟନ୍ତ । ଆଉ କାହିଁରେ ତମର ଅଧିକାର ନାହିଁ । ଯୁଦ୍ଧରେ ଜୟଲାଭ କର ଅଥବା ପରାଜିତ ହୁଅ, ରାଜ୍ୟଲାଭ କର ବା ହରାଅ, ସେ ବିଷୟରେ ବିଚାର ତମ ହାତରେ ନାହିଁ ।

“ହତୋ ବା ପ୍ରାପ୍ସ୍ୟସେ ସ୍ୱର୍ଗଂ ଜିତ୍ୱା ବା ଭୋକ୍ଷସେ ମହୀମ୍ ।”

ସୁତରାଂ ତୁମ ପକ୍ଷରେ ଜୟ ଯାହା, ପରାଜୟ ତଦପେକ୍ଷା ମହତ୍ତର । ମଲେ ସ୍ୱର୍ଗବାସ, ଜିତିଲେ ପୃଥିବୀର ଅଧିପତି । ଏ ସମରରେ ତୁମର କାହା ପ୍ରତି ହିଂସା ନାହିଁ, ଈର୍ଷା ନାହିଁ, ଦ୍ୱେଷ ନାହିଁ । ତୁମେ ରକ୍ତପାତ କରିବ, ଅନ୍ୟର ହତ୍ୟା ବିଧାନ କରିବ, ତଥାପି ତୁମେ ସମ୍ପୂର୍ଣ୍ଣ ଅହିଂସ । ରଣକ୍ଷେତ୍ରରେ ପୃଷ୍ଠଭଙ୍ଗ ଦେବା ଅହିଂସ ଭାବର ପରିଚାୟକ ନୁହେଁ – ତାହା କ୍ଳୀବତ୍ୱ !

କିନ୍ତୁ ତୁମେ ରକ୍ତପାତ କରିବ, ଅନ୍ୟର ହତ୍ୟା ବିଧାନ କରିବ, ତଥାପି କହିବ- “ଅହିଂସା ପରମୋ ଧର୍ମଃ !”

ହଁ ତଥାପି କହିବ, “ଅହିଂସା ପରମୋ ଧର୍ମଃ” । କାରଣ, ଏଠାରେ ତୁମେ ହୋଇ କେହି ନାହିଁ, ଅନ୍ୟ ହୋଇ କେହି ନାହିଁ । ତୁମେ ମୁକ୍ତ – ତୁମର ଆତ୍ମପର ନାହିଁ, ଭେଦବୁଦ୍ଧି ନାହିଁ । ତୁମେ ନିର୍ଲିପ୍ତ – ତୁମର କାହାରି ପ୍ରତି ହିଂସା ନାହିଁ ।

ଏ ଯୁଦ୍ଧରେ ତୁମର ନିଜର କୌଣସି ସ୍ୱାର୍ଥ ନାହିଁ- ଜୟ-ପରାଜୟ, ଜୀବନ ମୃତ୍ୟୁ ତୁମ ପକ୍ଷରେ ସମାନ । ତେବେ ଯୁଦ୍ଧରେ ପ୍ରୟୋଜନ କ’ଣ ?

ଯୁଦ୍ଧର ପ୍ରୟୋଜନ ! ଯୁଦ୍ଧର ପ୍ରୟୋଜନ ତୁମ ସ୍ୱାର୍ଥ ପାଇଁ ନୁହେଁ ବିଶ୍ୱର ସ୍ୱାର୍ଥ ପାଇଁ, ବିଶ୍ୱର କଲ୍ୟାଣ ପାଇଁ । “ହେ ଧନଞ୍ଜୟ, ଗାଣ୍ଡିବ ଉତ୍ତୋଳନ କର – ଦୁର୍ଯ୍ୟୋଧନ, ଦ୍ରୋଣ, କର୍ଣ୍ଣ ବିରୁଦ୍ଧରେ ନୁହେଁ- ଅନ୍ୟାୟ, ଅତ୍ୟାଚାର ଓ କୁଶାସନ ବିରୁଦ୍ଧରେ । କୁରୁକ୍ଷେତ୍ର ଧର୍ମକ୍ଷେତ୍ର, ଭାରତଯୁଦ୍ଧ ଧର୍ମଯୁଦ୍ଧ, ସେଥିରେ ତୁମର ମୃତ୍ୟୁ ଶ୍ରେୟ, ଜୀବନ ଶ୍ରେୟ, ଜୟ ଶ୍ରେୟ, ପରାଜୟ ଶ୍ରେୟ !

ଯେଉଁଠାରେ ଧର୍ମ ଗ୍ଳାନି, ଅସତ୍ୟର ରାଜତ୍ୱ – ସେଠାରେ ମୁଁ ଆପଣାକୁ ସୃଷ୍ଟି କରେ । ହେ ପାର୍ଥ, ଏଥିପାଇଁ ଆଜି ଯୁଦ୍ଧର ପ୍ରୟୋଜନ । ଅସତ୍ୟ ଅନ୍ୟାୟର ଧ୍ୱଂସ, ସତ୍ୟ-ଶିବ-ସୁନ୍ଦରର ପ୍ରତିଷ୍ଠା ପାଇଁ ଯୁଦ୍ଧର ପ୍ରୟୋଜନ । ଏଠାରେ ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବ ଏକ ପକ୍ଷ କିମ୍ୱା ଭୀକ୍ଷ୍ମ, ଦ୍ରୋଣ, କର୍ଣ୍ଣ, ଜୟଦ୍ରଥ, ଦୁର୍ଯ୍ୟୋଧନ, ଦୁଃଶାସନ ଅନ୍ୟ ପକ୍ଷରେ ନାହାନ୍ତି । ଏଠାରେ ଏକ ପକ୍ଷରେ ସତ୍ୟ, ଅନ୍ୟ ପକ୍ଷରେ ଅସତ୍ୟ, ଏକ ପକ୍ଷରେ ଶିବ, ଅନ୍ୟ ପକ୍ଷରେ ଅଶିବ, ଏକ ପକ୍ଷରେ ସୁନ୍ଦର ଅନ୍ୟ ପକ୍ଷରେ ଅସୁନ୍ଦର ।

ଯେତେବେଳେ ଧର୍ମର ଗ୍ଳାନି, ଅଧର୍ମର ଅଦ୍ଭୁ୍ୟତ୍ଥାନ ହୁଏ, ସେହି ସନ୍ଧିକ୍ଷଣରେ ମୁଁ ଆତ୍ମପ୍ରକାଶ କରେ । କୁରୁସଭା ତଳେ ଭାରତର ସାଧ୍ୱୀ, ମହିମାମୟି ନାରୀର ମର୍ଯ୍ୟାଦା ଉପରେ ଯେତେବେଳେ ଆଘାତ ଆସେ, ସେତେବେଳେ ମୁହିଁ ତା’ର ସମ୍ମାନ ରକ୍ଷା କରେ । ଦୁଷ୍ଟର ବିନାଶ, ସାଧୁର ପରିତ୍ରାଣ, ସତ୍ୟ ଓ ଧର୍ମର ପ୍ରତିଷ୍ଠା- ଏଥିପାଇଁ ଯୁଗେ ଯୁଗେ ମୋତେ ଧରାବକ୍ଷରେ ଅବତୀର୍ଣ୍ଣ ହେବାକୁ ହୁଏ । ହେ ସବ୍ୟସାଚିନ୍, ତୁମେ ନିମିତ୍ତ ମାତ୍ର- ଧନୁଶର ଉତ୍ତୋଳନ କର ।”

Beauty is truth, truth beauty, that is all
Ye know on earth and all ye need to know.
-(Ode on a GR.URN)

ଅର୍ଜୁନଙ୍କ ଦୃଷ୍ଟି ଫେରିଗଲା । ସେ ଯେଉଁ ରୂପ ସଂଦର୍ଶନ କଲେ, ତାହା ନିକଟରେ ସିଂହାସନ, ରାଜ୍ୟ, ଭୋଗବିଳାସ, ଜୟ-ପରାଜୟ ସମସ୍ତ ତୁଚ୍ଛ । ଆଶ୍ଚର୍ଯ୍ୟ !

ଯେଉଁ ସତ୍ୟ, ଯେଉଁ ଶିବ ଓ ସୁନ୍ଦରର ପ୍ରତିଷ୍ଠା ପାଇଁ ଅର୍ଜୁନଙ୍କ ଅବସାଦ ଦୂର ହେଲା; ସେ ବୀରବିକ୍ରମରେ ଧନୁଶର ଉତ୍ତୋଳନ କରି ସମୟ ପ୍ରାଙ୍ଗଣରେ ଅବତୀର୍ଣ୍ଣ ହେଲେ, ସେହି ସତ୍ୟର ପ୍ରତିଷ୍ଠା ପାଇଁ ଯୁଧିଷ୍ଠିରଙ୍କୁ ମିଥ୍ୟା କହିବାକୁ ହେଲା ।

ସତ୍ୟର ଅତି ନିକଟତମ ମିଥ୍ୟା । ହଁ, ଅଶ୍ୱତ୍ଥାମା ମରିଛି- ସେ କିନ୍ତୁ ମନୁଷ୍ୟ ହୋଇପାରେ ଅଥବା ସେହି ନାମର ହସ୍ତୀ ହୋଇପାରେ । ସନ୍ଦେହାତ୍ମକ- ସମ୍ପୂର୍ଣ୍ଣ ମିଥ୍ୟା ନୁହେଁ । ବୃହତ୍ତମ ସତ୍ୟ ପାଇଁ କ୍ଷୁଦ୍ରତର ସତ୍ୟକୁ ଧର୍ମରାଜ ଯୁଧିଷ୍ଠିର ଉତ୍ସର୍ଗ କଲେ । ନିଜେ ଆଜୀବନ ମିଥ୍ୟା କହି ନାହାନ୍ତି । କିନ୍ତୁ ଏହି ଯେ ବିଶ୍ୱର କଲ୍ୟାଣ ପାଇଁ ତାଙ୍କୁ ମଧ୍ୟ ମିଥ୍ୟା କହିବାକୁ ହେଲା, ଏହା ତାଙ୍କ ପକ୍ଷରେ ଅଳ୍ପ ତ୍ୟାଗ ନୁହେଁ । ଯୁଧିଷ୍ଠିରଙ୍କ ମିଥ୍ୟା ବାକ୍ୟରେ ଜଗତରେ ମଙ୍ଗଳର ପ୍ରତିଷ୍ଠା, ସତ୍ୟର ପ୍ରତିଷ୍ଠା ହେଲା । ବ୍ୟକ୍ତିଗତ ଭାବରେ ଏହି ମିଥ୍ୟାଭାଷଣ ପାଇଁ ତାଙ୍କୁ ପୁରସ୍କାର ମିଳିଲା ନରକ ଦର୍ଶନ । ଏକ ଦିଗରେ ଯୁଧିଷ୍ଠିରଙ୍କର ନରକ ଦର୍ଶନ, ଅପର ଦିଗରେ ଦେଶରେ ସତ୍ୟ ଓ ନ୍ୟାୟର ପ୍ରତିଷ୍ଠା- ଦୁଇଦିଗ ତୁଳନା କଲେ ମନେ ହୁଏ, ସମୂହର କଲ୍ୟାଣ ଉଦ୍ଦେଶ୍ୟରେ ଅଧିକ ମିଥ୍ୟା କହି ତାଙ୍କୁ ଯଦି ନରକ ପତନ ଦଶା ଘଟିଥାନ୍ତା, ତେବେ ମଧ୍ୟ ସେ ତାହା ବରଣ କରିବାକୁ ପଶ୍ଚାତ୍ପଦ ହୋଇ ନଥାନ୍ତେ ।

“Beauty, Good and Knowledge are three sisters
That doat upen each other, friends to man,
Living together under the same room.
And never can be sundered without tears”
-Tennyson

ଲୋକପ୍ରିୟ ଲେଖା

To Top