ପ୍ରବନ୍ଧ

ଶବରୀ

Dr Gauranga Samantaray's odia prose Shabari

ମୁଁ ସିନା ପ୍ରଭୁଙ୍କର ଦର୍ଶନ ପାଇ ପାରିଲି ନାହିଁ କିନ୍ତୁ ଦିନେ ନା ଦିନେ ପ୍ରଭୁ ତୋର ଏହି ଭଙ୍ଗା କୁଡ଼ିଆକୁ ଆସିବେ ତୋତେ ଦର୍ଶନ ଦେବା ପାଇଁ ।

ଶବରୀ

ଶବରୀ ରାଜାଙ୍କର ଏକମାତ୍ର ଅଲିଅଳୀ କନ୍ୟା ଥିଲା ଶବରୀ । ତା’ର ବିବାହ ଉପଲକ୍ଷ୍ୟରେ ପିତା ଅତିଥିମାନଙ୍କୁ ଭୂରି ମୃଗମାଂସରେ ଆପ୍ୟାୟିତ କରି ବିବାହକୁ ସ୍ମରଣୀୟ ଓ ଗୌରବମୟ କରିବା ପାଇଁ ଚେଷ୍ଟିତ ଥିଲେ । ଶବରୀ କିନ୍ତୁ ଏହି ବହୁ ଆଡ଼ମ୍ୱରକୁ ସହ୍ୟ କରିପାରୁ ନଥିଲା । ଝରକା ଦେଇ ସେ ଲକ୍ଷ୍ୟ କଲା, ଅସୁମାରୀ ମୃଗମାନଙ୍କୁ ମାରି ଶବରମାନେ ତାଙ୍କ ମହଲକୁ ବୋହି ଆଣୁଛନ୍ତି । ମୃଗମାନଙ୍କର ବିସ୍ଫାରିତ ନିରୀହ ଚକ୍ଷୁ ତା’ର ହୃଦୟକୁ ବିଦୀର୍ଣ୍ଣ କରିଦେଲା, ତାରି ପାଇଁ ଆଜି ଏବେ ମୃଗ ମୃତ । ସେହିମାନଙ୍କ ମାଂସରେ ତା’ର ବିବାହ ଗୌରବାନ୍ୱିତ ହେବ, ସ୍ମରଣୀୟ ହେବ । ସମସ୍ତେ ତାକୁ ଧନ୍ୟ ଧନ୍ୟ କହିବେ । ଚକ୍ଷୁରେ ତା’ର ଲୋତକର ବନ୍ୟା । ଦୁଃଖରେ ମ୍ରିୟମାଣ । ଅନ୍ୟର ମୃତ୍ୟୁରେ ସେ ବିବାହ କରିପାରିବନି । ସମସ୍ତଙ୍କ ଅଲକ୍ଷ୍ୟରେ, ଅନ୍ଧକାରରେ, ଧୀର ମନ୍ଥର ଗତିରେ ସେ ମହଲରୁ ବାହାରକୁ ଚାଲି ଆସିଲା । ହୃଦୟର କୋହ ଓ ଆଖିର ଲୁହ ନେଇ ସେ ରାତିସାରା ଦୌଡ଼ି ଚାଲିଲା ଆଗକୁ. . . ଆଗକୁ ।

ପ୍ରାତଃ ସମୟ । ମହର୍ଷି ମତଙ୍ଗ ଆଶ୍ରମ ବାହାରକୁ ଆସି ଦେଖନ୍ତି ତ ଏକ ଲାବଣ୍ୟମୟୀ ଯୁବତୀ ଆଶ୍ରମ ସମ୍ମୁଖରେ ମୂର୍ଚ୍ଛିତା । ତାକୁ ଚେତା କରାଇଲେ । ଶବରୀଠାରୁ ସମସ୍ତ ବୃତ୍ତାନ୍ତ ଶୁଣି ଖୁସି ହେଲେ । ଶବରୀଠାରେ ଏକ ଦିବ୍ୟ ଅନ୍ତର୍ନିହିତ ଗୁଣ ଥିବାର ସେ ଲକ୍ଷ୍ୟ କଲେ । ଶବରୀ ମହର୍ଷିଙ୍କୁ ଅନୁରୋଧ କଲା ନିଜକୁ ଶିଷ୍ୟାରୂପେ ଗ୍ରହଣ କରିବାକୁ । କିନ୍ତୁ ଏଥିରେ ବନ୍ୟର ଅନ୍ୟ ଋଷିମାନେ ପ୍ରତିବାଦ କଲେ । ଯଦି ମତଙ୍ଗ ଶବରୀକୁ ଶିଷ୍ୟାରୂପେ ଗ୍ରହଣ କରନ୍ତି ତାଙ୍କୁ ଋଷିମାନଙ୍କର ମୁଖ୍ୟପଦ ହରାଇବାକୁ ପଡ଼ିବ ଓ ତାଙ୍କୁ ବାଛନ୍ଦ ହେବାକୁ ପଡ଼ିବ । ଏସବୁ ସତ୍ତ୍ୱେ ମହର୍ଷି ଅସହାୟା, ଦୁଃଖିନୀ, ସୁଗୁଣ ସମ୍ପନ୍ନା ଶବରୀକୁ ଶିଷ୍ୟାରୂପେ ଗ୍ରହଣ କଲେ ।

ମହର୍ଷି ମତଙ୍ଗ ଥିଲେ ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କର ଅନନ୍ୟ ଭକ୍ତ । ସେ ଶବରୀକୁ ରାମପ୍ରେମରେ ଦୀକ୍ଷିତ କଲେ । ତା’ପରେ ଆରମ୍ଭ ହେଲା ଶବରୀର ସାଧନା । ଶୟନେ, ସ୍ୱପନେ, ଜାଗରଣେ କେବଳ ରାମ । ତା’ର ନେତ୍ର ଯେଉଁଠିକି ଯାଏ, ସେଠି ସେ ଦେଖେ ରାମ । ଦୁନିଆଁ ତାକୁ ରାମମୟ ଦିଶୁଥିଲା ।

ଧୀରେ ଧୀରେ ଶବରୀର ଯୌବନ ଅପସରି ଗଲା । ପ୍ରୌଢ଼ତ୍ୱ ପାର ହୋଇ ସେ ବାର୍ଦ୍ଧକ୍ୟରେ ପାଦ ଦେଲା । ରାମପ୍ରେମ ମଧ୍ୟ ତା’ର ଉତ୍ତରୋତ୍ତର ବୃଦ୍ଧି ହେଉଥିଲା । ନବଧା ଭକ୍ତିରେ ପରିପୂର୍ଣ୍ଣା ହେଉଥିଲା ଶବରୀ । ମହର୍ଷି ମତଙ୍ଗ ମୃତ୍ୟୁଶଯ୍ୟାରେ । ପାଖକୁ ଡାକିଲେ ଶବରୀକୁ କହିଲେ ମା’ ଜୀବନସାରା ପ୍ରଭୁ ଶ୍ରୀରାମଙ୍କୁ ମୁଁ ଭକ୍ତିପୂର୍ଣ୍ଣ ଚିତ୍ତରେ ପୂଜାର୍ଚ୍ଚନା କରିଛି, ସ୍ତୁତି ବନ୍ଦନା କରିଛି, ସଦାସର୍ବଦା ସ୍ମରଣ କରିଛି, ଆତ୍ମ ନିବେଦନ କରିଛି, ହେଲେ ମୁଁ ତାଙ୍କର ଦର୍ଶନଲାଭ କରିପାରିଲି ନାହିଁ । ତୁ ତ ନବଧା ଭକ୍ତିରେ ପରିପୂର୍ଣ୍ଣା । ପ୍ରଭୁଙ୍କ ଉପରେ ତୋର ଅଗାଧ ବିଶ୍ୱାସ ଓ ଅସୀମ ଭକ୍ତି । ପ୍ରଭୁ ଭକ୍ତିରେ ବନ୍ଧା । ଆଜି ମୁଁ ହସି ହସି ପରମାନନ୍ଦରେ ମରିବାକୁ ଯାଉଛି, କାରଣ ତୋ ଭଳି ଜଣେ ଅନନ୍ୟା, ଅସାମାନ୍ୟା ରାମପ୍ରେମୀକୁ ମୁଁ ଶିଷ୍ୟାରୂପେ ପାଇଛି । ମୁଁ ସିନା ପ୍ରଭୁଙ୍କର ଦର୍ଶନ ପାଇ ପାରିଲି ନାହିଁ କିନ୍ତୁ ଦିନେ ନା ଦିନେ ପ୍ରଭୁ ତୋର ଏହି ଭଙ୍ଗା କୁଡ଼ିଆକୁ ଆସିବେ ତୋତେ ଦର୍ଶନ ଦେବା ପାଇଁ । ପ୍ରଭୁ ଦୀନବନ୍ଧୁ, ଭକ୍ତବତ୍ସଳ, ଅନାଥର ନାଥ । ତାଙ୍କର ନାମକୁ ସାର୍ଥକ କରି ସେ ଆସିବେ ତୋ ପରି ଦୀନ, ଅନାଥ ଭକ୍ତର ଭଙ୍ଗା କୁଡ଼ିଆକୁ । ତୁ ଏହିପରି ଦୃଢ଼ ନିଷ୍ଠା ଓ ଭକ୍ତିର ସହିତ ସାଧନା କରି ଚାଲ ।

ଗୁରୁଙ୍କର ମୃତ୍ୟୁକାଳୀନ ଅମୃତମୟ କଥାକୁ ପାଥେୟ କରି ଶବରୀ ତା’ କର୍ତ୍ତବ୍ୟ ପଥରେ ଆଗେଇ ଚାଲିଛି । ଗୁରୁ ଥିଲେ, ତାଙ୍କଠାରୁ ପ୍ରଭୁଙ୍କ ନାମ, ଗୁଣ, ଲୀଳା, ଶ୍ରବଣ କରି ନିଜକୁ କୃତାର୍ଥ ମନେ କରୁଥିଲା । ଆଜି ସେ ଏକାକିନୀ, ପ୍ରଭୁ ପ୍ରେମରେ ପାଗଳିନୀ ।

କାଲିପରି ଲାଗୁଛି । ବିବାହ ଦିନ ମୃତ ମୃଗମାନଙ୍କ ବିସ୍ଫାରିତ ଚକ୍ଷୁର ନିରୀହ ଚାହାଣୀ ତାକୁ ଘର ଛାଡ଼ିବାକୁ ବାଧ୍ୟ କରିଥିଲା । ମହର୍ଷି ମତଙ୍ଗଙ୍କ ମହାନତା ତାକୁ ବଞ୍ଚି ରହିବାର ରାହା ଯୋଗାଇଥିଲା । ଗୁରୁଙ୍କଠାରୁ ଶ୍ରୀରାମଚନ୍ଦ୍ରଙ୍କ ସମ୍ପର୍କରେ ଶୁଣି ଶୁଣି ସେ ରାମପ୍ରେମୀ ହୋଇ ଯାଇଥିଲା । ସଦା ସର୍ବଦା ଭଜନ, କୀର୍ତ୍ତନ, ମନନରେ ମଜ୍ଜି ରହୁଥିଲା । ତାକୁ ଚତୁର୍ଦ୍ଦିଗ ରାମମୟ ଦିଶୁଥିଲା । ଆଦ୍ୟ ଯୌବନରୁ ବିଗତ ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ରାମ ହିଁ ତା’ର ଜୀବନ ଥିଲେ । ଦିନେ ନା ଦିନେ ପ୍ରଭୁ ତା’ର ଏହି ଭଙ୍ଗା କୁଡ଼ିଆକୁ ଆସିବେ । ଯେଉଁ ଦିନ ହେଉ, ଏପରି କି ମୃତ୍ୟୁ ଦିନ ହେଉ ସେ ତା’ର କୁଡ଼ିଆକୁ ଆଲୋକିତ କରି ଆସିବେ । ଗଭୀର ଆତ୍ମବିଶ୍ୱାସ ଓ ପ୍ରଭୁଙ୍କ ଆଗମନ ପ୍ରତୀକ୍ଷାରେ ଶିହରୀତ ହେଉଥିଲା ଶବରୀ ।

ପ୍ରତିଦିନ କୁଡ଼ିଆକୁ ସଫାସୁତୁରା କରିଛି, ଗୋମୟରେ ଲିପି ପବିତ୍ର କରିଛି, ଚାଖି ଚାଖି ମିଠା ମିଠା ଫଳ ସଂଗ୍ରହ କରିଛି । ପ୍ରଭୁ ତା’ର ଆସିବେ । ପ୍ରଭୁଙ୍କୁ ଭାରି ଭୋକ ହେଉଥିବ । ସେ ଆସନ ପକାଇ ଦେବ । କାଳେ ଖଟା ଫଳଟିଏ ରହି ଯାଇଥିବ, ପୁଣି ଚାଖି ଚାଖି ମିଠା ମିଠା ଫଳ ତାଙ୍କ ହାତକୁ ବଢ଼ାଇ ଦେବ । ପ୍ରଭୁ ଖାଇବେ । ନାହିଁ ନାହିଁ ସେ ନିଜ ହାତରେ ପ୍ରଭୁଙ୍କୁ ଖୋଇ ଦେବ । ଗୁରୁ କହି ଯାଇଛନ୍ତି ତାଙ୍କ ଦୃଷ୍ଟିରେ କେହି ଦୀନହୀନ ନୁହଁନ୍ତି, କେହି ଅସ୍ପୃଶ୍ୟ ନୁହଁନ୍ତି, ସେ ଭକ୍ତିର ଡୋରରେ ବନ୍ଧା । ତେଣୁ ପ୍ରଭୁ ତାକୁ ଘୃଣା ନ କରି ଖାଇବେ । ପ୍ରଭୁ ଖାଉଥିବେ ସେ ଦେଉଥିବ । ଏମିତି ସଦାବେଳେ ପ୍ରଭୁଙ୍କ ଚିନ୍ତା । ସେ ଆଉ କିଛି ଭାବିପାରେନି । ଚକ୍ଷୁ ତା’ର ପ୍ରେମାର୍ଶରେ ଭରିଯାଏ ।

ତା’ପରଦିନ ପୁଣି କୁଡ଼ିଆ ସଫା ଆରମ୍ଭ ହୁଏ । ଗୋମୟରେ ଲିପି ପବିତ୍ର କରେ । ଚାଖି ଚାଖି ମିଠାଫଳ ରଖି ପ୍ରତୀକ୍ଷା କରେ ପ୍ରଭୁଙ୍କୁ । ବେଳେବେଳେ ବିଭିନ୍ନ ଚଲାପଥରେ ଦୂର ପର୍ଯ୍ୟନ୍ତ ଯାଇ ଖୋଜି ବୁଲେ ରାମକୁ । ଶବ୍ଦଟିଏ ହେଲେ ମଚକି ଚାହେଁ ପଛକୁ । ପ୍ରଭୁ ଆସିଲେ କି ! ବେଳେବେଳେ ଡେଙ୍ଗା ଡେଙ୍ଗା ଗଛ ଉପରକୁ ବୁଢ଼ୀ ଚଢ଼ିଯାଏ, ଆଖି ପାଇବା ପର୍ଯ୍ୟନ୍ତ ଚାହିଁ ରହେ । କାହିଁ କେଉଁଠି ରାମ ଆସୁଥାଇ ପାରନ୍ତି । ସନ୍ଧ୍ୟା ହୁଏ, ଫେରି ଆସେ କୁଡ଼ିଆକୁ । ପୁଣି ସକାଳୁ ଆରମ୍ଭ ହୁଏ ନିତିଦିନିଆ କାମ । କାଲି ନିଶ୍ଚୟ ପ୍ରଭୁ ଆସିବେ । ପ୍ରଭୁଙ୍କର କେତେ ଆଡ଼େ କେତେ କାମ । ଆସିବା ପାଇଁ ଡେରି ହୋଇ ଯାଉଛି । ପୁଣି ପ୍ରତୀକ୍ଷା ଆରମ୍ଭ ହୁଏ ।

କେତେବେଳେ ଗୁଣୁଗୁଣୁ କହେ, କେତେବେଳେ ଉଚ୍ଚସ୍ୱରରେ ରାମ ରାମ ଗାଏ, କେତେବେଳେ ପ୍ରେମ ଭୋଳରେ ନାଚେ ତ କେତେବେଳେ ଆକୁଳରେ କାନ୍ଦେ । ସମସ୍ତେ ତାକୁ ଚିଡ଼ାନ୍ତି, ଶବରୀ । ହେଇ ରାମ ଆସିଲେଣି । ବିଶ୍ୱାସରେ ଖୋଜିବାକୁ ଲାଗେ । ଯାହାକୁ ଦେଖେ, ପଚାରେ, “ମୋ ପ୍ରଭୁ ରାମଙ୍କୁ କେଉଁଠି ଦେଖିଛ ?”

ଦିନପରେ ଦିନ ଗଡ଼ି ଚାଲେ । ପ୍ରତୀକ୍ଷାର ଅନ୍ତହୁଏ ନାହିଁ ଶବରୀର । ବାର୍ଦ୍ଧକ୍ୟର ଶେଷ ସୋପାନରେ ପହଞ୍ଚିଲାନି ଶବରୀ । ତଥାପି ପ୍ରଭୁଙ୍କର କୌଣସି କାମରେ ହେଳା କରିନାହିଁ । ପ୍ରଭୁଙ୍କ ପାଇଁ କୁଡ଼ିଆ ସଫା ସୁତୁରା କରିବା, ଗୋବରରେ ଘର ଲିପି ପବିତ୍ର କରିବା, ଚାଖି ଚାଖି ମିଠା ଫଳ ରଖିବା, ତା’ପରେ ପ୍ରଭୁଙ୍କ ଆସିବା ବାଟକୁ ପ୍ରତୀକ୍ଷା କରିବା ଓ ତା’ପରେ ପ୍ରଭୁଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜିବା ଇତ୍ୟାଦି କାର୍ଯ୍ୟ ମନପ୍ରାଣ ଦେଇ କରି ଚାଲିଛି ଶବରୀ । ମନରେ ଅଦମ୍ୟ ଆଗ୍ରହ ଓ ଅସୀମ ଭକ୍ତି ।

ହଠାତ୍ ଦିନେ ଶୁଣିଲା, ତା’ର ପ୍ରାଣର ପ୍ରଭୁ ରାମ ସାନଭାଇ ଲକ୍ଷ୍ମଣ ସହିତ ତା’ କୁଡ଼ିଆ ଆଡ଼କୁ ଆସୁଛନ୍ତି । ଦେହରେ ତା’ର ଅପୂର୍ବ ଶିହରଣ । ନଇଁ ନଇଁ ଧାଇଁଲା ଶବରୀ ନିଜର ପ୍ରାଣପ୍ରିୟ ପ୍ରଭୁଙ୍କୁ ତା’ କୁଡ଼ିଆକୁ ପାଛୋଟି ଆଣିବାକୁ । ମନେ ନାହିଁ ବାଡ଼ି ଆଣିବାକୁ । ଆଗରେ ତା’ର ଆରାଧ୍ୟ ଦେବତା । ଦୀନବନ୍ଧୁ, କୃପାସିନ୍ଧୁ, ପତିତପାବନ, ଭକ୍ତବତ୍ସଳ, ଦୁଃଖହାରୀ, ପୁରୁଷୋତ୍ତମ । ପାଦପଦ୍ମରେ ଲୋଟିଛି । ଧୋଇ ଦେଇଛି ଲୁହରେ ପଦଯୁଗଳକୁ । ବାଟ କଢ଼େଇ ନେଇଛି ତା’ର ଭଙ୍ଗାକୁଡ଼ିଆକୁ । ଅନ୍ୟ ମହର୍ଷିମାନଙ୍କ ଆଶ୍ରମକୁ ଯିବାର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ପ୍ରଭୁ ଦୀନବନ୍ଧୁ, ଅରକ୍ଷିତ ଅସହାୟା, ଭକ୍ତବତ୍ସଳା ଶବରୀ କୁଡ଼ିଆରେ ପଦାର୍ପଣ କରିଛନ୍ତି ।

ଶବରୀ ଆସନ ପକାଇ ଦେଇଛି । ଚାଖି ଚାଖି ମିଠା ଫଳ ନିଜ ହାତରେ ଖୋଇ ଦେଇଛି । ପ୍ରଭୁ ଗୋଟିକ ପରେ ଗୋଟିଏ ଅଇଁଠା ଫଳ ଖାଇ ଚାଲିଛନ୍ତି । କି ଆତ୍ମତୃପ୍ତି ! ମାଆ ! ଭାରି ଭୋକ ହେଉଛି ଆଉ କିଛି ଫଳ ଦିଅନା । ଏତେ ସୁସ୍ୱାଦୁ ଫଳ ତ ମୁଁ ଜୀବନରେ କେବେ ଖାଇନାହିଁ । ରାଜମହଲ ଖାଇବାରେ ମଧ୍ୟ ଏତେ ଆତ୍ମତୃପ୍ତି ମୁଁ ପାଇନାହିଁ । ଶବରୀ ଚକ୍ଷୁରୁ ଝରିଛି ପ୍ରେମର ଅଶ୍ରୁ । ଏଥିପାଇଁ ସେ ପ୍ରତୀକ୍ଷା କରିଥିଲା । ପ୍ରଭୁ ଆସିବେ, ମନ ଭରି ଦେଖିବି, ମନଭରି ଖୋଇ ଦେବି । ପ୍ରଭୁ ଖାଇସାରି ଉଠିଲେ, କହିଲେ “ମା’ ! ଜୀବନରେ ବହୁତ ସୁସ୍ୱାଦୁ ଖାଦ୍ୟ ମୁଁ ଖାଇଛି, କିନ୍ତୁ ତୁମେ ଦେଇଥିବା ଖାଦ୍ୟ ଦିବ୍ୟାତିଦିବ୍ୟ ଅତୁଳନୀୟ । ଏତେ ଆତ୍ମତୃପ୍ତି ମୁଁ ରାଜମହଲରେ ମଧ୍ୟ ପାଇନାହିଁ, ଏପରିକି ମା’ କୌଶଲ୍ୟାଙ୍କ ହାତରୁ ଖାଇଥିବା ଖାଦ୍ୟ ଏତେ ସୁସ୍ୱାଦୁ ଓ ତୃପ୍ତିଦାୟକ ନୁହେଁ ।”

ଅନନ୍ତ ପ୍ରତୀକ୍ଷା ମୋର ହୋଇଅଛି ଅନ୍ତ ।
ପ୍ରେମାର୍ଥିନୀପୁରେ ଆଜ ବିଜେ ପ୍ରାଣକାନ୍ତ ।

ମାଆ ! ମୁଁ ତୁମ ଉପରେ ଅତି ସନ୍ତୁଷ୍ଟ । ତୁମର ଯାହା ଇଚ୍ଛା ବରମାଗ । ଶବରୀ କହିଲା, “ପ୍ରଭୋ ! ଏ ପରିଣତ ବୟସରେ ଜୀବନର ଶେଷ ପର୍ଯ୍ୟାୟରେ ଆପଣ ମୋର ଭଙ୍ଗା କୁଡ଼ିଆକୁ ଆସି ଏ ଦୀନହୀନାକୁ ଯେଉଁ ଅନନ୍ତ ସୁଖ ଓ ପୂର୍ଣ୍ଣାନନ୍ଦ ଦେଲେ, ଏହିପରି ସ୍ନେହ ଶ୍ରଦ୍ଧା ଜନ୍ମ ଜନ୍ମାନ୍ତର ମୋ ପ୍ରତି ରହିଥାଉ ।” ଏତିକି କହି ଶବରୀ ସୁଖମୟଙ୍କ ପାଦପଦ୍ମରେ ଲୋଟି ଯାଇଛି ଓ ଶେଷ ନିଶ୍ୱାସ ଟିକକ ହଜେଇ ଦେଇଛି ।

ଲୋକପ୍ରିୟ ଲେଖା

To Top