ପ୍ରବନ୍ଧ

ଶିଶୁ ସାହିତ୍ୟର ଗୋଟିଏ ଦିଗ

Odia Writer Shreebatsa Prasad Nath

ଅତି ପ୍ରାଚିନ କାଳରେ ରାମାୟଣ, ମହାଭାରତ, କାହାଣୀ, ଭୂତପ୍ରେତ ଜଗତର ଘଟଣା, ପଶୁ ପକ୍ଷୀ ରାଇଜର କଥା, ପଞ୍ଚତନ୍ତ୍ର, କଥାସରିତ ସାଗର, ହିତୋପଦେଶ ଓ ନାନା କିମ୍ୱଦନ୍ତୀ ଆଦି ଲୌକିକ ଓ ଅଲୌକିକ କଥାବସ୍ତୁ ଶୁଣାଇ ତତ୍କାଳୀନ ଶିଶୁ ମନରେ କୌତୁହଳ ସୃଷ୍ଟି କରାଯାଉଥିଲା

ଶିଶୁ ସାହିତ୍ୟର ଗୋଟିଏ ଦିଗ

ଶିଶୁ ଦେଶ ଓ ଜାତିର ଭବିଷ୍ୟତ । ଦେଶରେଉନ୍ନତ ନାଗରିକ ଗଠନ କରିବାକୁ ହେଲେ ଶିଶୁ ମାନଙ୍କର ଉପଯୁକ୍ତ ଶିକ୍ଷା ଆବଶ୍ୟକ । ମାର୍ଜିତ ସରସ ସାହିତ୍ୟରେ ହିଁ ଏହି ଶିକ୍ଷା ଦିଆଯାଇ ପାରିବ । ଶିଶୁର ମନ ତରଳ ଓ ଚପଳ । ଏହିଭଳି ମନକୁ ନିୟନ୍ତ୍ରଣ କରି ତାକୁ ସୁଶିକ୍ଷା ପ୍ରଦାନ କରିବା ଅତି କଷ୍ଟକର ବ୍ୟାପାର । ଶିଶୁ ଶିକ୍ଷାର ଯେତେ ଗୋଟି ଉଦ୍ଦେଶ୍ୟ ରହିଛି, ସେଥି ମଧ୍ୟରୁ ମୂଖ୍ୟ ଲକ୍ଷ ହେଲା, ତାହାର କଳ୍ପନା ଓ ଆବେଗକୁ ଜାଗ୍ରତ ଓ ସମୃଦ୍ଧ କରାଇବା । ଏହି ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକକୁ କେବଳ ମାତ୍ର କୌତୁହଳ ଉଦ୍ଦୀପକ ଶିକ୍ଷା ଦ୍ୱରା ପୂର୍ଣ୍ଣାଙ୍ଗ କରାଯାଇ ପାରେ । ଶିଶୁ ମନରେ କୌତୂହଳ ଉଦ୍ଦୀପନ ପାଇଁ ଉଚ୍ଚକୋଟୀର କାହାଣୀ ଓ କବିତା ସୃଷ୍ଟିହେବା ନିତ୍ୟାନ୍ତ ଆବଶ୍ୟକ ।

ଆଦିମ କାଳରୁ ମାନବ ସମାଜରେ ଶିଶୁ ଶିକ୍ଷା ପ୍ରଚଳିତ ହୋଇ ଆସିଛି । ପଶୁପକ୍ଷୀ ଜଗତରେ ମଧ୍ୟ ଏହା ବିରଳ ନୂହେଁ । ପଶୁପକ୍ଷୀମାନେ ସେମାନଙ୍କ ଶାବକ ମାନଙ୍କୁ ଜାତିଗତ ଶିକ୍ଷା ଉପଯୁକ୍ତ ଭାବରେ ଦେବାପାଇଁ ଉଦ୍ୟମ କରିଥାନ୍ତି । ଏହା କିନ୍ତୁ ପରମ୍ପରାଗତ ଓ ଗୋଟିଏ ଶ୍ରେଣୀର ପଶୁ କିମ୍ୱା ପକ୍ଷୀ ପକ୍ଷରେ ଏକ ଜାତୀୟ ଶିକ୍ଷା । ଭବିଶ୍ୟତର ଉନ୍ମେଷ କିମ୍ୱା ନୂତନ ପରମ୍ପରା ସୃଷ୍ଟିପାଇଁ ଏଥିରେ କୌଣସି ଚେତନା ନ ଥାଏ । ମାନବ ଶିଶୁର ଶିକ୍ଷା ଏମାନଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା । କାରଣ ଶୈଶବରେ ସେ ଯାହା ଶିକ୍ଷା କରେ, ପୁଣି ପରିଣତ ବୟସରେ ନୂତନ ଅଭିଜ୍ଞତା ଅର୍ଜନ କରି ତାହା ଭିନ୍ନ ଭାବରେ ଶିକ୍ଷା ଦିଏ । ଏହି ନିୟମରେ ମାନବ ସମାଜ ପ୍ରାଚୀନ ପ୍ରସ୍ତର ଯୁଗରୁ ଆଜି ଏ ଅବସ୍ଥାରେ ପହଞ୍ଚିପାରିଛି । ଅତି ଶୈଶବ ଅବସ୍ଥାରେ ଶିଶୁ ପଶୁ ଓ ପକ୍ଷୀମାନଙ୍କର ରବ ଶୁଣି ଓ ଗତିବିଧି ଲକ୍ଷ କରି କୌତୁକ ଅନୁଭବ କରିଥାଏ । ଅଧିକନ୍ତୁ ପ୍ରକୃତିର ବିଭିନ୍ନ ରୂପ ମଧ୍ୟ ତା’ର ମନରେ ଚମତ୍କାରିତା ଭରି ଦେବା ସଙ୍ଗେ ସଙ୍ଗେ ତାକୁ ସ୍ୱପ୍ନ ବିଭୋର କରେ । ସେତେବେଳେ ତାହାର ତରଳ ଚପଳ ମନ ଏହି ଦୃଶ୍ୟ ବା ଘଟଣାକୁ ବେଶୀ ସମୟ ସ୍ଥାୟୀ କରି ଧରି ରଖି ପାରେନାହିଁ । ଗୋଟିଏ ଘଟଣାରୁ ଅନ୍ୟ ଏକ ଘଟଣାକୁ, ଗୋଟିଏ ଦୃଶ୍ୟରୁ ଅନ୍ୟ ଏକ ଦୃଶ୍ୟକୁ ତାର ମନ ସ୍ୱତଃ ଡେଇଁ ଡେଇଁ ଚାଲେ । ତେଣୁ ତାର ବିକ୍ଷିପ୍ତ ଚିନ୍ତାଧାରା ଭିତରେ ସ୍ଥିରତା ଆସିପାରେ ନାହିଁ । ଏହି ସ୍ଥିରତା ଆଣିବା ପାଇଁ ସେମାନଙ୍କୁ ଉଚ୍ଚକୋଟିର ଗଳ୍ପ ଓ ଚମତ୍କାର କବିତା ବାରମ୍ୱାର ଶୁଣାଇବା ଆବଶ୍ୟକ ପଡ଼ିଥାଏ ।ଫଳତଃ ଭବିଷ୍ୟତ ପାଇଁ ସେମାନଙ୍କ ମନରେ ଏକପ୍ରକାର ମୂଳଦୁଆ ପଡ଼ିଯାଏ । ତାହାର ମନ କ୍ରମଶଃ ଚିନ୍ତାଶୀଳ ହୋଇଉଠେ । କଳ୍ପନାର ପରିଶର ବଢ଼ି ବଢ଼ି ଚାଲେ । ଭାବଧାରାର ଗତି କ୍ଷୀଣ ଓ ଚଞ୍ଚଳ ନ ହୋଇ ସ୍ଥିର ଓ ପୁଷ୍ଟ ହୁଏ ।

ଅତି ପ୍ରାଚିନ କାଳରେ ରାମାୟଣ, ମହାଭାରତ, କାହାଣୀ, ଭୂତପ୍ରେତ ଜଗତର ଘଟଣା, ପଶୁ ପକ୍ଷୀ ରାଇଜର କଥା, ପଞ୍ଚତନ୍ତ୍ର, କଥାସରିତ ସାଗର, ହିତୋପଦେଶ ଓ ନାନା କିମ୍ୱଦନ୍ତୀ ଆଦି ଲୌକିକ ଓ ଅଲୌକିକ କଥାବସ୍ତୁ ଶୁଣାଇ ତତ୍କାଳୀନ ଶିଶୁ ମନରେ କୌତୁହଳ ସୃଷ୍ଟି କରାଯାଉଥିଲା । ସେତେବେଳେ ଏହି କାହାଣୀଗୁଡ଼ିକ ଲୋକମୁଖରେ ଅର୍ଥାତ୍ ବୁଢ଼ୀମା’ମାନଙ୍କ ମୁଖରେ ପୁରୁଷାନୁକ୍ରମେ ପ୍ରଚଳିତ ଥିଲା । ଗଳ୍ପକଥନରେ କଥକ ବିଭିନ୍ନ ଅଙ୍ଗଭଙ୍ଗୀ ଓ ବର୍ଣ୍ଣନାଚାତୁରୀ ଦ୍ୱାରା ଶିଶୁ ମନକୁ ମୁଗ୍ଧ, ତନ୍ମୟ ଓ ଆବେଗ ଉଚ୍ଛ୍ୱାସ ପୂର୍ଣ୍ଣ କରୁଥିଲେ । ଉତ୍ତମ କାହାଣୀ କଥନ ଗୋଟିଏ କଳା ରୂପରେ ସେ ସମୟରେ ବିବେଚିତ ହେଉଥିଲା । ଶିଶୁମାନଙ୍କର ଏ ଯେଉଁ ଶିକ୍ଷା ବିଷୟରେ ଆଲୋଚନା କରାଗଲା, ଏହା ସାଧାରଣତଃ ତାହାର ଘରୋଇ ପ୍ରାଥମିକ ଶିକ୍ଷା ବୋଲି ଧରି ନିଆଯିବ । ଏବଂ ଏହା କେବଳ ଗୃହର କିମ୍ୱା ଗ୍ରାମର ବୟସ୍କା ନାରୀମାନଙ୍କ ଉପରେ ନ୍ୟସ୍ତ ଥିଲା । ଉକ୍ତ ଶିକ୍ଷା ମାଧ୍ୟମରେ ବହୁ ପ୍ରାଚୀନକାଳରେ ଆମ ଦେଶରେ କୌଣସି ଆନୁଷ୍ଠାନିକ ଶିକ୍ଷା ନପାଇ ମଧ୍ୟ ବହୁ ଐତିହାସିକ ବୀରପୁରୁଷ ମାନଙ୍କର ଅଭ୍ୟୁଦୟ ଘଟିଅଛି । ଏବଂ ସେମାନେ ଆମ ଜାତୀୟ ସାହିତ୍ୟ, ସଂସ୍କୃତି, ସଭ୍ୟତା, କଳା, ଦର୍ଶନ ଓ ବିଜ୍ଞାନ କ୍ଷେତ୍ରରେ ଉତ୍ତରୋତ୍ତର ସମୃଦ୍ଧି ସାଧନ କରିଯାଇଅଛନ୍ତି । ଯାହାକି ଏବେ ପିଲାକୁ କଲେଜ ଓ ବିଶ୍ୱବିଦ୍ୟାଳୟ ଶିକ୍ଷାଭଳି ଉଚ୍ଚଶିକ୍ଷା ଦିଆଯାଉଥିଲେ ସୁଦ୍ଧା ତାହା ସମ୍ଭବ ହୋଇପାରୁ ନାହିଁ ।

ଆମ୍ଭମାନଙ୍କ ପକ୍ଷରେ ଏହା ଏକ ଗଭୀର ଚିନ୍ତାର ବିଷୟ ହୋଇଛି । ଆଜି ପିଲାର ମନରେ ଏପରି ଜଡ଼ତା ଆସିଯାଇଛି ଯେ, ତାହାର କୌଣସି କଥାରେ ଆଦର ନାହିଁ । ଶିଶୁଆଗରେ ବର୍ତ୍ତମାନ ଆଦର୍ଶର ଅଭାବ ଓ ହୃଦୟରେ ତାହାର ଭରି ଯାଉଛି ସଂକୀଣ୍ଣତା । ତେଣୁ ସେ ଅତି ଛୋଟ ବେଳରୁ ନୈତିକତା ହରାଉଛି । ନିପଟ ବାସ୍ତବ ଜଗତର ନାନା ଘଟଣା ଓ ଦୃଶ୍ୟ ତା’ର ମନରେ ଆଣୁଛି କେବଳ ଖାଇ-ପିଇ-ମଉଜ କରି ବଞ୍ଚିରହିବାର ମୋହ । କଳ୍ପନାର କଳା ତାହାର ଆଖିରେ ଆଉବୋଳି ହୋଇଯାଉ ନାହିଁ । ସେ ଦିନକୁ ଦିନ ନିରାଟ ବସ୍ତୁବାଦୀ ହୋଇଯାଉଛି । ଏପରି ଅବସ୍ଥାରେ ତା’ର ମନ କେବଳ ସାଂସାରିକ କ୍ଷେତ୍ରରେ ଘୁରି ବୁଲୁଛି । ପରିଣାମରେ ଆନନ୍ଦ ଉତ୍ସାହ ବିରହିତ ଶିଶୁସମାଜ ବେଳକୁ ବେଳ ନାନା ଅସାମାଜିକ, ଅପରାଧୀ ହୋଇଉଠୁଛି । ଏହି ଅବସ୍ଥାର ନିରାକରଣ ପାଇଁ ଅଧୁନା ଶିଶୁସାହିତ୍ୟିକମାନଙ୍କର ଏକ ମହାନ କର୍ତ୍ତବ୍ୟ ରହିଛି । ଶିଶୁମାନଙ୍କ ଉଦ୍ଦେଶ୍ୟରେ ଉଚ୍ଚମାନ ବିଶିଷ୍ଟ କୌତୂହଳ ଉଦ୍ଦୀପକ ସାହିତ୍ୟ ସୃଷ୍ଟିହେବା ବାଞ୍ଝନୀୟ ।

ଲୋକପ୍ରିୟ ଲେଖା

To Top