ପ୍ରବନ୍ଧ

ଶ୍ରବଣ ଭକ୍ତି ରହସ୍ୟ

Sushant Kumar Mohapatro's odia prose Shrabana Bhakti Rahasya

ବାରମ୍ବାର କୈାଣସି ଜିନିଷ ଦେଖିବା କିମ୍ବା ଶ୍ରବଣ କରିବା ଦ୍ୱାରା ମନ ଶୀଘ୍ର ବିଚଳିତ ହୋଇଥାଏ । ଏବଂ ସେହି ଦ୍ରବ୍ୟ ପ୍ରାପ୍ତି ସକାଶେ ମନରେ ଅଭିଳାଷ ସୃଷ୍ଟି ହୋଇ ବ୍ୟକ୍ତିକୁ କୁମାର୍ଗଗାମୀ କରାଇଥାଏ ।

ଶ୍ରବଣ ଭକ୍ତି ରହସ୍ୟ

ଯୁଗେ ଯୁଗେ ଦେବତାମାନେ ଭୋଗଭୂମି ସ୍ୱର୍ଗଲୋକ ତ୍ୟାଗ କରି କର୍ମଭୂମି ମର୍ତ୍ୟଲୋକକୁ ଆସିଥାଆନ୍ତି । କର୍ମଭୂମିହିଁ ସାଧନାର ପ୍ରକୃଷ୍ଟ କ୍ଷେତ୍ର ଏବଂ ଦୁଲ୍ଲଭ ମାନବ ଶରୀର ହିଁ ସିଦ୍ଧିଲାଭର ହରିଦ୍ୱାର ଅଟେ । ଯେହେତୁ ପୂଣ୍ୟଭୂମି ଭାରତବର୍ଷ ଚତୁର୍ଧାମ ପରିବେଷ୍ଟିତ ଦେବଭୂମିର ମାନ୍ୟତା ଲାଭ କରିଅଛି । “ପବିତ୍ର ଚୋତ୍କଳ ଦେଶେ ଭୂସ୍ୱର୍ଗ ପୁରୁଷୋତମ” ପରିପ୍ରେକ୍ଷୀରେ ଉତ୍କଳପ୍ରଦେଶରେ ଭୂସ୍ୱର୍ଗ, ମର୍ତ୍ୟବୈକୁଣ୍ଠ ଶ୍ରୀକ୍ଷେତରେ ଭକ୍ତବତ୍ସଳ ଭାବଗ୍ରାହୀ ଚତୁର୍ଦ୍ଧାମୂର୍ତି ସ୍ୱରୂପରେ ଦାରୁବ୍ରହ୍ମ ଜଗନ୍ନାଥ ବିରାଜମାନ । ସତ୍ୟ ଯୁଗରେ ଶ୍ରୀହରି, ତ୍ରେତୟାରେ ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମଚନ୍ଦ୍ର ଓ ଦ୍ୱାପରରେ ଲୀଳା ପୁରୁଷୋତମ ଶ୍ରୀକୃଷ୍ଣଚନ୍ଦ୍ର ପ୍ରେମମୟ ଅବିନାଶୀ ଥିଲେ । ଐକାନ୍ତିକ ପ୍ରେମହିଁ ଭକ୍ତିର ସ୍ୱରୂପ ହୋଇଥାଏ । ସତ୍ୟ, ତ୍ରେତୟା ଓ ଦ୍ୱାପରାଦି ତିନି ଯୁଗର ହରି, ରାମ ଓ କୃଷ୍ଣଙ୍କୁ ନେଇ କଳିଯୁଗର ବତ୍ରିଶାକ୍ଷର ମହାମନ୍ତ୍ର “ହରେ ରାମ ହରେ ରାମ ରାମ ରାମ ହରେ ହରେ, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ” ଭଗବାନଙ୍କ କୃପାଲାଭ ସକାଶେ ଭକ୍ତି ସାଧନର ପ୍ରକୃଷ୍ଟ ପ୍ରକ୍ରିୟା ଅଟେ । କାରଣ-ସତ୍ୟ ଯୁଗରେ ତପସ୍ୟା, ତ୍ରେତୟାରେ ଯାଗଯଜ୍ଞ ଓ ଦ୍ୱାପରରେ ପରିଚର୍ଯ୍ୟା ଦ୍ୱାରା ଭଗବତ୍ ପ୍ରାପ୍ତି ସମ୍ଭବ ହୋଇପାରୁଥିଲା । କିନ୍ତୁ ଏହି କଳିଯୁଗରେ ଆତ୍ମୋଦ୍ଧାର ସକାଶେ ଜ୍ଞାନ, ଯଜ୍ଞ, ତପ, ଧ୍ୟାନାଦିର ସାଧନା ଓ ସିଦ୍ଧିଲାଭ ବହୁତ କଠିନ । କେବଳ ମାତ୍ର ହରି କୀର୍ତନ ଦ୍ୱାରା ଭଗବତ୍ ସାନ୍ନିଧ୍ୟ ସହଜଲଭ୍ୟ ଅଟେ । ଏଣୁ ଯଥାର୍ଥରେ କୁହାଯାଇଛି-“ ତପଃ ପରଂ କୃତ ଯୁଗେ, ତ୍ରେତାୟାଂ ଯଯତୋମଖୈଃ, ଦ୍ୱାପରେ ପରିଚର୍ଯ୍ୟାୟାଂ କଳୋ ତତ୍ ହରି କୀର୍ତନାତ୍” । କିନ୍ତୁ ହରି ସମାନ ଭାବରେ ସର୍ବତ୍ର ପରିବ୍ୟାପ୍ତ ଅଟନ୍ତି । ପ୍ରେମର ସହ ତାହାଙ୍କୁ ସ୍ମରଣ କଲେ ସେ ପ୍ରକଟିତ ହୋଇଥାନ୍ତି । ଗୋସ୍ୱାମୀ ତୁଳସୀଦାସ ମହାରାଜ ସ୍ୱକୀୟ ଶ୍ରୀରାମ ଚରିତ ମାନସରେ ଯଥାର୍ଥରେ କହନ୍ତି-ହରି ବ୍ୟାପକ ସର୍ବତ୍ର ସମାନା, ପ୍ରେମତେ ପ୍ରଗଟ ହୋଇମୈଜାନା । ଅତଏବ ପ୍ରେମ ପାଇଁ ଶ୍ରଦ୍ଧା, ବିଶ୍ୱାସ, ଭକ୍ତି, ଜ୍ଞାନ ଓ ବୈରାଗ୍ୟର ଆବଶ୍ୟକତା ଅପରିହାର୍ଯ୍ୟ । ଶ୍ରଦ୍ଧା ଦୃଢୀଭୂତ ହେଲେ ବିଶ୍ୱାସ ସୃଷ୍ଟି ହୁଏ । ଶ୍ରଦ୍ଧା ଓ ବିଶ୍ୱାସର ସମିଶ୍ରଣରୁ ଭକ୍ତିର ଉଦ୍ଭବ । ଏହି ଭକ୍ତି ଗୋସ୍ୱାମୀ ବର୍ଣ୍ଣିତ ନବଧା ଭକ୍ତି “ପ୍ରଥମ ଭଗତି ସନ୍ତହ୍ନ କରସଙ୍ଗା, ଦୁସରୀ ରତି ମମ କଥା ପ୍ରସଙ୍ଗା, ଗୁରୁ ପଦ ପଙ୍କଜ ସେବା ତିସରି ଭଗତି ଅମାନ ପ୍ରଭୃତି” । କିନ୍ତୁ ଭକ୍ତଶ୍ରେଷ୍ଠ ପ୍ରହ୍ଲାଦଙ୍କ କଥିତ ନବଧା ଭକ୍ତି ମଧ୍ୟରେ ୧-ଶ୍ରବଣ, ୨-କୀର୍ତନ, ୩-ବିଷ୍ଣୁ ସ୍ମରଣ, ୪-ପାଦ ସେବନ, ୫-ଅର୍ଚ୍ଚନ, ୬-ବନ୍ଦନ, ୭-ଦାସ୍ୟ, ୮-ସଖ୍ୟ ଏବଂ ୯-ଆତ୍ମ ନିବେଦନ ଅଟନ୍ତି । ପ୍ରଥମ ଭକ୍ତି ଶ୍ରବଣ ଭକ୍ତି ନାମରେ କଥିତ । ଏବଂ ଶ୍ରବଣ ଭକ୍ତିର ସ୍ଥାନ ସର୍ବୋତମ ଶୀର୍ଷରେ ଅବସ୍ଥାପିତ । ଶ୍ରୀମଦ୍ ଭାଗବତ୍ ମାହାତ୍ମ୍ୟରେ ବ୍ରହ୍ମର୍ଷି ନାରଦ କହନ୍ତି- “ଶ୍ରବଣଂ ସର୍ବ ଧର୍ମେଭ୍ୟୋ ବରଂ ମନ୍ୟେ ତପୋଧନାଃ, ବୈକୁଣ୍ଠସ୍ଥୋ ଯତଃ କୃଷ୍ଣଃ ଶ୍ରବଣାଦସ୍ୟ ଲଭ୍ୟତେ” ହେ ତପୋଧନୋ, ମୁଁ ବ୍ରହ୍ମର୍ଷି ନାରଦ, ଭଗବାନଙ୍କ ଗୁଣାନୁବାଦକୁ ସମସ୍ତ ଧର୍ମ ମଧ୍ୟରୁ ଶ୍ରେଷ୍ଠ ବୋଲି ଭାବେ । କାରଣ ଭଗବାନଙ୍କ ଗୁଣାନୁବର୍ଣ୍ଣନ ଶ୍ରବଣ ଦ୍ୱାରା ହିଁ ବୈକୁଣ୍ଠ ସ୍ଥିତ ଭଗବାନଙ୍କ ପ୍ରାପ୍ତି ହୋଇଥାଏ । ଶ୍ରବଣ ଭକ୍ତିର ଉତ୍କର୍ଷ ସମ୍ବନ୍ଧରେ ଇତିହାସ ଓ ପୁରାଣ ମାନଙ୍କରେ ବହୁତ ଉଦାହରଣ ଦେଖିବାକୁ ମିଳେ । ଯେପରିକି ରାଜା ପରୀକ୍ଷିତ ଶ୍ରବଣ ଭକ୍ତି ଦ୍ୱାରା ପରମପଦକୁ ପ୍ରାପ୍ତ ହୋଇଥିଲେ । ଶ୍ରୀମଦ୍ ଭାଗବତ୍ ମାହାତ୍ମ୍ୟରେ ପୁନଶ୍ଚ ବର୍ଣ୍ଣନା କରାଯାଇଛି ଯେ-

“ଅସାରେ ସଂସାରେ ବିଷୟବିଷସଙ୍ଗାକୁଳଧିୟଃ,
କ୍ଷଣାର୍ଦ୍ଧ କ୍ଷେମାର୍ଥ ପିବତ ଶୁକଗାଥାତୁଳସୁଧାମ୍,
କିମର୍ଥ ବ୍ୟର୍ଥ ଭୋ ବ୍ରଜତ୍ କୁପଥେ କୁତ୍ସିତକଥେ,
ପରୀକ୍ଷିତ ସାକ୍ଷୀ ଯତ୍ ଶ୍ରବଣଗତ ମୁକ୍ତୁକ୍ତି କଥନେ”

ବିଷୟରୂପ ବିଷର ସଂସର୍ଗରେ ରହିଥିବା ହେ,ବ୍ୟାକୁଳ ବୁଦ୍ଧିବାଲା ପୁରୁଷ, କୁତ୍ସିତ ଆଳାପ ଓ କୁମାର୍ଗରେ ତୁମେ କାହିଁକି ବ୍ୟର୍ଥ ଭ୍ରମଣ କରୁଅଛ? ଏହି ଅସାର ସଂସାର ମଧ୍ୟରେ ନିଜର କଲ୍ୟାଣ ସକାଶେ ଅନ୍ତତଃ କ୍ଷଣିକ ପାଇଁ ହେଉନା କାହିଁକି, ଶୁକଦେବ ମୁଖ ନିର୍ଗତ ଭାଗବତ କଥାରୂପ ଅମୃତକୁ ପାନ କରନ୍ତୁ । କେବଳ ଶ୍ରବଣ ମାତ୍ରକେ ଭଗବତ୍ ପ୍ରାପ୍ତି ସଙ୍ଗକୁ ମୁକ୍ତିଲାଭ ଘଟିବ । ଭଗବାନଙ୍କ ପ୍ରେମୀ ଭକ୍ତ ମହାପୁରୁଷ ମାନଙ୍କ ମୁଖ ନିସୃତ ଭଗବତ୍ କଥା ଠାରୁ ଅଧିକ ରମଣୀୟ ଓ ଶ୍ରବଣୀୟ ବିଷୟ ଆଉ କଅଣ ଅଛି ? ଭଗବାନଙ୍କ ନାମ, ରୂପ, ଗୁଣ, ପ୍ରଭାବ, ଲୀଳା, ତତ୍ୱ ଓ ରହସ୍ୟପୂର୍ଣ୍ଣ ଅମୃତମୟୀ କଥା ଶ୍ରଦ୍ଧା ଓ ପ୍ରେମ ପୂର୍ବକ ଶ୍ରବଣ କରିବାହିଁ ଶ୍ରବଣ ଭକ୍ତିର ସ୍ୱରୂପ ଅଟେ । ଶ୍ରଦ୍ଧା, ଭକ୍ତି ସହକାରେ ଏକାଗ୍ର ମନରେ ଭଗବାନଙ୍କ ଚରିତ ଶ୍ରବଣ ସମୟରେ ଶ୍ରୋତା ଚରିତ ମଧ୍ୟରେ ଏହିଭଳି ମଜ୍ଜିଯାଇଥାନ୍ତି ଯେ- ନିଜର ସ୍ଥିତିସ୍ଥାପକତା କୁ ମଧ୍ୟ ପାଶୋରି ଦେଇଥାଆନ୍ତି । ବାରମ୍ବାର ଶ୍ରବଣ ଦ୍ୱାରା ମନ ଭିତରେ ସେହି ଚରିତ ମାନଙ୍କର ପ୍ରତିଛବି ଆଙ୍କି ହୋଇଯାଏ । ଫଳତଃ ବ୍ୟକ୍ତିର ମାନସିକ ପବିତ୍ରତା ସୃଷ୍ଟି ହୋଇ ତାହାକୁ ସଦାଚାରୀ ଓ ଈଶ୍ୱର ବିଶ୍ୱାସୀ କରାଇଥାଏ । ଶ୍ରବଣ ଭକ୍ତ ମଧ୍ୟରେ ବକ୍ତା ଶିବ ଓ ଶ୍ରୋତା ମାତା ପାର୍ବତୀ,ମହାଭାରତ ଯୁଦ୍ଧାରମ୍ଭ ପୂର୍ବରୁ କୁରୁପାଣ୍ଡବଙ୍କ ସେନା ମଧ୍ୟରେ ବିଷାଦଗ୍ରସ୍ଥ ଅର୍ଜୁନଙ୍କୁ ଭଗବାନ ଶ୍ରୀକୃଷ୍ଣ ଗୀତାଜ୍ଞାନ ଶୁଣାଇଥିଲେ । କାକଭୁଷଣ୍ଡି, ଯାଜ୍ଞବଳକ୍ୟଙ୍କୁ ଶ୍ରୀ ରାମଚରିତ ମାନସ ଶୁଣାଇଥିବାର ସନ୍ଥ ତୁଳସୀଦାସ ବର୍ଣ୍ଣନା କରିଅଛନ୍ତି । ପାର୍ବତୀ, ଅର୍ଜୁନଙ୍କ ପରି ଅକ୍ରୁର, ଉଦ୍ଧବ, ହନୁମାନ, ଯାଜ୍ଞବଳକ୍ୟ, ପରୀକ୍ଷିତ ପ୍ରଭୃତି ଶ୍ରବଣ ଭକ୍ତ ମାନଙ୍କ ଚରିତର ଅବତାରଣା ଶ୍ରୁତିଗୋଚର ହୋଇଥାଏ ।

ବିଶେଷତଃ- ଆମର ୫ଟି ଜ୍ଞାନେନ୍ଦ୍ରିୟ, ଯଥା-ଶ୍ରୋତ୍ର, ତ୍ୱକ୍, ଚକ୍ଷୁ, ରସନା ଓ ଘ୍ରାଣେନ୍ଦ୍ରିୟ ମଧ୍ୟରୁ ଚକ୍ଷୁ ଓ କର୍ଣ୍ଣ ଅତୀବ ସ୍ପର୍ଶକାତର ଈନ୍ଦ୍ରିୟ ଭାବରେ ପରିଗଣିତ ହୋଇଅଛି । ବାରମ୍ବାର କୈାଣସି ଜିନିଷ ଦେଖିବା କିମ୍ବା ଶ୍ରବଣ କରିବା ଦ୍ୱାରା ମନ ଶୀଘ୍ର ବିଚଳିତ ହୋଇଥାଏ । ଏବଂ ସେହି ଦ୍ରବ୍ୟ ପ୍ରାପ୍ତି ସକାଶେ ମନରେ ଅଭିଳାଷ ସୃଷ୍ଟି ହୋଇ ବ୍ୟକ୍ତିକୁ କୁମାର୍ଗଗାମୀ କରାଇଥାଏ । ଅତଏବ ଚକ୍ଷୁ ଓ କର୍ଣ୍ଣର ସଂଯମ ଆଚରଣ ସଦାଚାରୀର ଲକ୍ଷଣ ହୋଇଥାଏ । ଏହି ପରିପ୍ରେକ୍ଷୀରେ ବେଦ ବଜ୍ର ନିର୍ଘୋଷ କଣ୍ଠରେ ଘୋଷଣା କରି କହନ୍ତି-

“ ଓଁ ଭଦ୍ରଂ କର୍ଣ୍ଣେଭିଃ ଶ୍ରୁଣୁୟାମ ଦେବାଃ,ଭଦ୍ରଂ ପଶ୍ୟେମ ଅକ୍ଷିଭିଃ ଯଯତ୍ରାଃ,
ସ୍ଥିରୈଃ ରେଙ୍ଗୈସ୍ତୁଟୁବାଗୁଂ ସ୍ୱସ୍ତନୁଭିଃ ର୍ବ୍ୟସ୍ୟେମ ହି ଦେବହିତଂ ଯଦାୟୁଃ”(୧)
ବକ୍ଷନ୍ତୀ ବେଦାଃ ଗନୀଗନ୍ତି କର୍ଣ୍ଣ ପ୍ରିୟଙ୍ଗୁ ସଖାୟଂ ପରିଷସ୍ୱଜାନା,
ଯୋଷେବଶିଙ୍କୋ ବିତତାଧିଧନ୍ୱନ ଯା ଇୟଗୁଂ ସମନେ ପାରୟନ୍ତୀ” (୨)

ପ୍ରଥମ ଶ୍ଳୋକରେ କୁହାଯାଇଛି ଯେ-ହେ ଦେବଗଣ, ମୋତେ ଆଶୀର୍ବାଦ ପ୍ରଦାନ କରନ୍ତୁ, ଯେପରିକି ମୁଁ ମୋର କର୍ଣ୍ଣଦ୍ୱୟରେ ଭଲ କଥା ଶୁଣିବି ଓ ଚକ୍ଷୁଦ୍ୱୟରେ ଭଲ କଥା ଦେଖିବି । ଯଦ୍ୱାରାକି ମୋର ମନ ଏବଂ ଅଙ୍ଗପ୍ରତ୍ୟଙ୍ଗ ସ୍ଥିର ଓ ଅବିଚଳିତ ରହିବ । ଫଳରେ ମୁଁ ଆପଣଙ୍କ ପ୍ରଦତ ଜୀବନକାଳ ମଧ୍ୟରେ ଦେବତା ମାନଙ୍କ ହିତ ସାଧନରେ ବ୍ରତୀ ହୋଇପାରିବି । ଚକ୍ଷୁ ଓ କର୍ଣ୍ଣ ଦ୍ୱୟ ସଂଯମ ଓ ଶୃଙ୍ଖଳିତ ହେଲେ ମାନବ ସଦାଚାରୀ ଓ ସତ୍ ପଥାନୁଗାମୀ ହୋଇପାରିବ । ନତୁବା ଶଙ୍କରାଚାର୍ଯ୍ୟଙ୍କ ଭାଷାରେ “କାମ କ୍ରୋଧଶ୍ଚ ଲୋଭଶ୍ଚ ଦେହେ ତିଷ୍ଠନ୍ତି ତସ୍କରାଃ, ଜ୍ଞାନରତ୍ନପହାରାୟ ତସ୍ମାତ୍ ଜାଗ୍ରତ ଜାଗ୍ରତ” ଅର୍ଥାତ୍ ଆମ ଶରୀର ମଧ୍ୟରେ କାମ, କ୍ରୋଧ, ଲୋଭ, ମୋହ, ମଦ ଓମାତ୍ସର୍ଯ୍ୟାଦି ଷଟ୍ ପଶୁ ମାନଙ୍କ ମଧ୍ୟରୁ କାମ, କ୍ରୋଧ ଓ ଲୋଭ ବିଶେଷ ଭାବରେ ପ୍ରଭାବଶାଳୀ ଅଟନ୍ତି । ସେହି ମାନଙ୍କୁ ତସ୍କର ଅର୍ଥାତ୍ ଚୋର ଭାବରେ ଚିନ୍ତାକରି ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ କହନ୍ତି-ହେ ମାନବ, ଆମ ଶରୀର ମଧ୍ୟରେ ଯେଉଁ ଜ୍ଞାନ ରତ୍ନ ରହିଅଛି, ତାହାକୁ ଅପହରଣ କରି ନେବାପାଇଁ ଏହି ତିନୋଟି ତସ୍କର ସର୍ବଦା ତତ୍ପର ରହିଛନ୍ତି । ଅତଏବ ତୁମେମାନେ ଜାଗ୍ରତ ରହି ଏହି ତସ୍କର ମାନଙ୍କ କବଳରୁ ଜ୍ଞାନରତ୍ନକୁ ରକ୍ଷାକର । ଏହି ପରିପ୍ରେକ୍ଷୀରେ କର୍ଣ୍ଣର ସଂଯମ କେବଳ ସତ୍ କଥା ବିଶେଷତଃ ଭଗବାନଙ୍କ ରୂପ, ଗୁଣ, ଲୀଳା, ମାହାତ୍ମ୍ୟର ଚରିତ ଶ୍ରଦ୍ଧା ର ସହ ଶ୍ରବଣ ପୂର୍ବକ ନିଜକୁ ନବଧା ଭକ୍ତିର ଶ୍ରବଣ ଭକ୍ତ ଭାବରେ ଭଗବତ୍ ସାନ୍ନିଧ୍ୟଲାଭର ପଥିକ ହୁଅନ୍ତୁ ।

ଲୋକପ୍ରିୟ ଲେଖା

To Top