ପ୍ରବନ୍ଧ

ଶ୍ରୀମଦ୍ ଭଗବଦ୍‌ଗୀତା ଏକ ଅନୁଶୀଳନ

ସଞ୍ଜୟ କହିଲେ, (ଦୁର୍ଯୋଧନ କହିଲେ) ଭୀଷ୍ମଙ୍କ ଦ୍ୱାରା ରକ୍ଷିତ ଆମ୍ଭମାନଙ୍କର ଏହି ସୈନ୍ୟ ଅପର୍ଯ୍ୟାପ୍ତ ଅର୍ଥାତ ଅପରିସୀମ ବା ଅଗଣ୍ୟ କିନ୍ତୁ ଭୀମଙ୍କ ଦ୍ୱାରା ରକ୍ଷିତ ପାଣ୍ଡବ ପକ୍ଷର ସୈନ୍ୟ ପର୍ଯାପ୍ତ ବା ପରିମିତ ବା ଗଣନାର ଆୟତ୍ତ

ଶ୍ରୀମଦ୍ ଭଗବଦ୍‌ଗୀତା ଏକ ଅନୁଶୀଳନ

ମହାଭାରତ ଗ୍ରନ୍ଥର ଭୀଷ୍ମପର୍ବର ୨୫ତମ ଅଧ୍ୟାୟରୁ ୪୨ତମ ଅଧ୍ୟାୟରେ ବର୍ଣ୍ଣିତ ତଥ୍ୟ ଓ ତତ୍ତ୍ୱ ନିତ୍ୟପାଠ ନିମିତ୍ତ “ଶ୍ରୀମଦ୍ ଭଗବଦ୍‌ଗୀତା” ନାମକ ଗ୍ରନ୍ଥର ପ୍ରକାଶିତ । ମହାଭାରତ ଯୁଦ୍ଧ ଆାରମ୍ଭ ହେବା ପୂର୍ବରୁ କୃଷ୍ଣ ଦ୍ୱୌପାୟନ ବ୍ୟାସ (ବ୍ୟାସଦେବ) ଧୃତରାଷ୍ଟ୍ରଙ୍କୁ ଯୁଦ୍ଧଦେଖିବାର ଇଚ୍ଛାଥିଲେ, ସେ ତାଙ୍କୁ ଦିବ୍ୟଦୃଷ୍ଟି ଦେବେ ବୋଲି କହିଥିଲେ । ଯୁଦ୍ଧରେ ନରସଂହାର ଓ ନିଜ କୁଳର କ୍ଷୟ ସ୍ୱଚକ୍ଷୁରେ ନ ଦେଖିବା ଉଦ୍ଦେଶ୍ୟରେ ଧୃତରାଷ୍ଟ୍ର ନିଜ ରାଜପ୍ରାସାଦରେ ବସି ସମସ୍ତ ବୃତ୍ତାନ୍ତ ଅବଗତ ହେବାର ଇଚ୍ଛା ପ୍ରକାଶ କଲେ । ବ୍ୟାସଦେବ ଧୃତରାଷ୍ଟ୍ରଙ୍କର ଖୁବ୍ ବିଶ୍ୱସ୍ଥ ମନ୍ତ୍ରୀ ତଥା ସାରଥି ସଞ୍ଜୟଙ୍କୁ ଦିବ୍ୟଦୃଷ୍ଟି ପ୍ରଦାନ କରିଥିଲେ । ସେ ରାଜପ୍ରାସାଦରେ ବସିରହି ମଧ୍ୟ ସେହି ଦିବ୍ୟଦୃଷ୍ଟି ଓ ଦିବ୍ୟଜ୍ଞାନ ଦ୍ୱାରା ଯୁଦ୍ଧର ସମସ୍ତ ବୃତ୍ତାନ୍ତ, ଏପରିକି ଅନ୍ୟମାନଙ୍କର କଥୋପକଥନ ଶ୍ରବଣ, ମନୋଗତ ଭାବଜ୍ଞାତ ହେବା ଓ ଯୁଦ୍ଧକ୍ଷେତ୍ରର ସମସ୍ତ ଦୃଶ୍ୟ ଦର୍ଶନକରି ଅନ୍ଧ ଧୃତରାଷ୍ଟ୍ରଙ୍କୁ ଯୁଦ୍ଧ ଆରମ୍ଭରୁ ଶୁଣାଉଥିଲେ ।

(ଦୁର୍ଯୋଧନ)କୌରବ ପକ୍ଷର ସେନାପତି, ଇଚ୍ଛାମୃତ୍ୟୁ ଲାଭକାରୀ, ପରାଶ୍ରମଶାଳୀ, ଯୁଦ୍ଧ ବିଶାରଦ ପିତାମହ ଭୀଷ୍ମ ପ୍ରତିଦିନ ପାଣ୍ଡବ ପକ୍ଷର ହଜାର ହଜାର ସୈନ୍ୟ ମାରୁଥିବା ସଂବାଦ ଶ୍ରବଣକରି ଧୃତରାଷ୍ଟ୍ର ଆନନ୍ଦରେ ଅଧୀର ହୋଇ ସଞ୍ଜୟଙ୍କର ଅନ୍ୟ ସମସ୍ତ ସଂବାଦକୁ ଗୌଣ ମନେ କରୁଥିଲେ, ମାତ୍ର ଯୁଦ୍ଧର ଦଶମ ଦିବସରେ ପିତାମହ ଭୀଷ୍ମ ଅର୍ଜୁନଙ୍କ ଶରରେ ଜର୍ଜରିତ ହୋଇ ଶରର ଶଯ୍ୟାରେ ଶୟନ କରିବା ସଂବାଦ ଶ୍ରବଣରେ ଧୃତରାଷ୍ଟ୍ର ଯୁଦ୍ଧର ଭୟାବହତା ତଥା ପରିଣାମ ଅନୁମାନ କରି ଧର୍ମାତ୍ମା ପାଣ୍ଡବଗଣ ଏପରି ଭୟାବହ ଯୁଦ୍ଧରେ ପ୍ରବୃତ୍ତ ହେବା ବୃତ୍ତାନ୍ତ ଆରମ୍ଭରୁ ବର୍ଣ୍ଣନା କରିବାକୁ କହିଥିଲେ । ଯାହା “ଶ୍ରୀମଦ୍ ଭଗବଦ୍‌ଗୀତା’ ଗ୍ରନ୍ଥର ଆରମ୍ଭ ।

ଧୃତରାଷ୍ଟ୍ର ଉବାଚ ।
ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଯୁଯୁତ୍ସବଃ ।
ମାମକାଃ ପାଣ୍ଡବାଶ୍ଚୈବ କିମକୁର୍ବତ ସଞ୍ଜୟ ।। ଗୀତା ୧/୧

ଧୃତରାଷ୍ଟ୍ର ପଚାରିଲେ, ହେ ସଞ୍ଜୟ ! ଧର୍ମଭୂମି କୁରୁକ୍ଷେତ୍ରରେ ମୋ ପୁଅ ଏବଂ ପାଣ୍ଡବମାନେ ଯୁଦ୍ଧ କରିବାପାଇଁ ସମବେତ ହୋଇ କ’ଣ କଲେ ? କିମକୁର୍ବତ (କିଂ ଅକୁର୍ବତ) ଅର୍ଥାତ କଣ କଲେ, ଏହି ଅତୀତ କାଳର କ୍ରିୟାପଦ ପ୍ରୟୋଗ ହେତୁ “ଶ୍ରୀମଦ୍ ଭଗବଦ୍‌ଗୀତା” ରେ ବର୍ଣ୍ଣିତ ସମସ୍ତ ବୃତ୍ତାନ୍ତ ପୁର୍ବରୁ ଘଟିଯାଇଥିବା ଘଟଣାବଳୀର ପୁନରୁକ୍ତି ବା ପୁନଃ କଥନ । ଯେଉଁଥିରେ ଦୁର୍ଯୋଧନ କଥିତ ସମସ୍ତ ବୃତ୍ତାନ୍ତକୁ “ସଞ୍ଜୟ ଉବାଚ”ରେ ବର୍ଣ୍ଣନା କରି ସଞ୍ଜୟଙ୍କର ବୁଦ୍ଧି, ବିବେକ ଓ ଜ୍ଞାନାନୁସାରେ ସ୍ଥଳ ବିଶେଷରେ ଦୁର୍ଯୋଧନଙ୍କର ଉକ୍ତିକୁ ନ୍ୟୁନକରି ପ୍ରକାଶ କରାଯାଇଛି ।

“ଶ୍ରୀମଦ୍ ଭଗବଦ୍‌ଗୀତା’ ର ପ୍ରଥମ ଅଧ୍ୟାୟର ଦଶମ ଶ୍ଳୋକଟି ହେଲା-

ଅପର୍ଯାପ୍ତଂ ତଦାସ୍ମାକଂ ବଲଂ ଭୀଷ୍ମାଭିରକ୍ଷିତମ୍ ।
ପର୍ଯାପ୍ତଂ ତ୍ୱିଦମେତେଷାଂ ବଲଂ ଭୀମାଭିରକ୍ଷିତମ୍ ।। ୧/୧୦

ପ୍ରାୟ ସମସ୍ତ ଟୀକାକାର ଏହି ଶ୍ଳୋକଟିର ନିମର୍ଲିଖିତ ବ୍ୟାଖ୍ୟା କରିଛନ୍ତି । ସଞ୍ଜୟ କହିଲେ, (ଦୁର୍ଯୋଧନ କହିଲେ) ଭୀଷ୍ମଙ୍କ ଦ୍ୱାରା ରକ୍ଷିତ ଆମ୍ଭମାନଙ୍କର ଏହି ସୈନ୍ୟ ଅପର୍ଯ୍ୟାପ୍ତ ଅର୍ଥାତ ଅପରିସୀମ ବା ଅଗଣ୍ୟ କିନ୍ତୁ ଭୀମଙ୍କ ଦ୍ୱାରା ରକ୍ଷିତ ପାଣ୍ଡବ ପକ୍ଷର ସୈନ୍ୟ ପର୍ଯାପ୍ତ ବା ପରିମିତ ବା ଗଣନାର ଆୟତ୍ତ ଅର୍ଥାତ ଅଳ୍ପ ସଂଖ୍ୟକ ।

ବାସ୍ତବ ପକ୍ଷରେ ଏହାହିଁ ଦୁର୍ଯୋଧନଙ୍କର ଉକ୍ତି ଓ ଧୃତରାଷ୍ଟ୍ରଙ୍କର ବୋଧ ମଧ୍ୟ । ଯାହା ଆଦୌ ସଞ୍ଜୟଙ୍କର ଉକ୍ତି ନୁହେଁ । କାରଣ

୧-ଦୁର୍ଯ୍ୟୋଧନ ପାଣ୍ଡବ ପକ୍ଷର ବ୍ୟୁହରଚନା (ସୈନ୍ୟସଜ୍ଜା) ଶୈଳୀ ଦେଖି ଭୟଭୀତ ହୋଇ ନିଜର ଅସ୍ତ୍ରଶସ୍ତ୍ର ଶିକ୍ଷାଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ମନରେ ପାଣ୍ଡବଙ୍କ ପ୍ରତି ଦ୍ୱେଷଭାବ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଯାହା କହିଥିଲେ ତାହା ସଞ୍ଜୟ ଉବାଚରେ (ଦୁର୍ଯୋଧନ କହିଲେ) ଏହିପରି ଭାବରେ ବର୍ଣ୍ଣିତ, ଯଥା

ପଶ୍ୟୈୟତାଂ ପାଣ୍ଡୁପୁତ୍ରାଣାମାଚାର୍ଯ ମହତୀ ଚମୂମ୍ ।
ବ୍ୟୂଢ଼ାଂ ଦ୍ରୁପଦ ପୁତ୍ରେଣ ତବଶିଷ୍ୟେଣ ଧୀମତା ।। ୧/୩

ଦୁର୍ଯୋଧନ କହିଲେ ହେ ଆଚାର୍ଯ୍ୟ ! ଆପଣଙ୍କର ବୁଦ୍ଧିମାନ ଶିଷ୍ୟ ଦ୍ରୁପଦଙ୍କର ପୁତ୍ର (ଧୃଷ୍ଟଦ୍ୟୁମ୍ନ) ବ୍ୟୂହ ଆକାରରେ ସଜାଇଥିବା ଏହି ମହତୀ ବା ବିପୁଳ ସେନା ଦେଖନ୍ତୁ ।

ସେନା ଅର୍ଥାତ ରଥ, ଗଜ, ଅଶ୍ୱ ଓ ପଦାତିକ ସୈନ୍ୟମାନଙ୍କର ସମାହାର ଦର୍ଶାଇଛନ୍ତି । ଏକ ଚମୂ ସେନା ଦ୍ୱାରା ବ୍ୟୁହ ରଚିତ । ଏକ ଚମୂ ଅର୍ଥାତ ଏକ ଅକ୍ଷୌହିଣୀର ୩୦ ଭାଗରୁ ଏକ ଭାଗ ଯାହାକି ୭୨୯ ରଥ, ୭୨୯ ଗଜ, ୨୧୮୭ ଅଶ୍ୱ ଓ ୩୬୪୫ ପଦାତିକ ସୈନ୍ୟ । ପାଣ୍ଡବ ପକ୍ଷରେ ୭ ଅକ୍ଷୌହିଣୀ ସେନା ଓ କୌରବ ପକ୍ଷରେ ୧୧ ଅକ୍ଷୌହିଣୀ ସେନା ଥିଲେ ମଧ୍ୟ କୌରବଙ୍କ ପାଇଁ ଏପରି ବର୍ଣ୍ଣନା ନାହିଁ । ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ବଧ କରିବାକୁ ଶପଥ କରିଥିବା ଧୃଷ୍ଟଦ୍ୟୁମ୍ନଙ୍କର ବ୍ୟୂହସଜ୍ଜା ଦେଖାଇ, ବୁଦ୍ଧିମାନ ଶିଷ୍ୟ ସୂଚାଇ, ବ୍ୟୂହର ମହତ ପ୍ରକାଶକରି, ନିଜେ ଭୟଭୀତ ଓ ଦ୍ରୋଣାଚାର୍ଯ୍ୟଙ୍କୁ କ୍ରୋଧାନ୍ୱିତ କରିବା ସୂଚାଇଛନ୍ତି ।

୨- ଭୀଷ୍ମ କୌରବ ପକ୍ଷର ସେନାପତି ତେଣୁ କୌରବ ପକ୍ଷର ସୈନ୍ୟ ଭୀଷ୍ମଙ୍କଦ୍ୱାରା ରକ୍ଷିତ । ଧୃଷ୍ଟଦ୍ୟୁମ୍ନ ପାଣ୍ଡବ ପକ୍ଷର ସେନାପତି ହୋଇଥିଲେ ମଧ୍ୟ ତାଙ୍କ ଦ୍ୱାରା ରଚିତ ବ୍ୟୁହର ଦ୍ୱାରଦେଶରେ ମଧ୍ୟମ ପାଣ୍ଡବ ଭୀମ ଥିବାରୁ ସମସ୍ତ ଟୀକାକାର “ଭୀମାଭିରକ୍ଷିତମ୍”ର ବ୍ୟାଖ୍ୟା ଭୀମଙ୍କ ଦ୍ୱାରା ରକ୍ଷିତ ବୋଲି ବର୍ଣ୍ଣନା କରିଛନ୍ତି ।

ଏହା ଧୃତରାଷ୍ଟ୍ରଙ୍କ ବୋଧ ମାତ୍ର ଏହା ସଞ୍ଜୟଙ୍କର ଉଦ୍ଦେଶ୍ୟ ନୁହେଁ । ବରଂ ସଞ୍ଜୟ ପାଣ୍ଡବ ପକ୍ଷର ପ୍ରକୃତ ପରିଚାଳକ ବା ସେନାଧ୍ୟକ୍ଷ ଓ ପରାମର୍ଶଦାତା “ଭୟାନା” ଭୟ ଭୀଷଣ ଭୀଷଣାନାମ୍ ଭୀମକର୍ମା ଭଗବାନ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ “ଭୀମ” ଶବ୍ଦ ପ୍ରୟୋଗ କରିଥିବା ବେଶୀ ସମୀଚୀନ । କୌରବ ପକ୍ଷର ବ୍ୟୂହ ରଚନା ସମ୍ୱନ୍ଧରେ କିଛି ସୂଚା ଯାଇନାହିଁ ।

୩- ଦଶମ ଶ୍ଳୋକରେ ବ୍ୟବହୃତ “ବଲମ୍” ଶବ୍ଦଟିର ଅର୍ଥ ବଳ, ଶକ୍ତି ବା ସାମର୍ଥ ନ ଦର୍ଶାଇ ଅଧିକାଂଶ ଟୀକାକାର ସୈନ୍ୟ ବୋଲି ଉଲ୍ଲେଖ କରିଛନ୍ତି । ଯାହା ଧୃତରାଷ୍ଟ୍ରଙ୍କର ବୋଧ ହୋଇପାରେ କାରଣ କୌରବଙ୍କର ୧୧ ଅକ୍ଷୌହିଣୀ ସେନା ଓ ପାଣ୍ଡବଙ୍କର ୭ ଅକ୍ଷୌହିଣୀ ସେନା । ମାତ୍ର ସଞ୍ଜୟ “ବଲମ୍” ଶବ୍ଦ ଶକ୍ତି ବା ସାମର୍ଥ୍ୟ ଅର୍ଥରେ ପ୍ରକାଶ କରିଥିବା ବେଶୀ ସମୀଚୀନ ।

ସଞ୍ଜୟଙ୍କଦ୍ୱାରା ଉଭୟ ପକ୍ଷର ମହାରଥୀ ମାନଙ୍କର ବର୍ଣ୍ଣନ । ଏହିପରି –

“ଅତ୍ର ଶୂରା ମହେଶ୍ୱାସା ଭୀମାର୍ଜୁନାସମା ଯୁଧି ।
ଯୁଯୁଧାନୋ ବିରାଟଶ୍ଚ ଦ୍ରୁପଦଶ୍ଚ ମହାରଥଃ । । ୧/୪

ଧୃଷ୍ଟକେତୁଶ୍ଚେକିତାନଃ କାଶିରାଜଶ୍ଚ ବୀର୍ଯ୍ୟବାନ ।
ପୁରୁଜିତ୍ କୁନ୍ତିଭୋଜଶ୍ଚ ଶୈବଶ୍ଚ ନରପୁଙ୍ଗବଃ । । ୧/୫

ଯୁଧାମନ୍ୟୁଶ୍ଚ ବିକ୍ରାନ୍ତ ଉତ୍ତମୌଜାଶ୍ଚ ବୀର୍ଯ୍ୟବାନ ।
ସୌଭଦ୍ରୋ ଦ୍ରୌପଦେୟାଶ୍ଚ ସର୍ବଏବ ମହାରଥାଃ ।। ୧/୬

ସଞ୍ଜୟ କହିଲେ ଏହି ପାଣ୍ଡବସେନାଙ୍କ ମଧ୍ୟରେ ୧-ଭୀମ, ୨-ଅର୍ଜୁନ ପରି ମହା ଧନୁର୍ଦ୍ଧର ବହୁ ବୀର ଅଛନ୍ତି, ୩-ଯୁଯୁଧାନ ବା ସାତ୍ୟକି, ୪-ବିରାଟ, ୫-ମହାବୀର ଦ୍ରୁପଦ, ୬-ଧୃଷ୍ଟକେତୁ, ୭-ଚେକିତାନ, ୮-ବୀର୍ଯ୍ୟବାନ କାଶିରାଜ, ୯-ପୁରୁଜିତ୍, ୧୦-କୁନ୍ତିଭୋଜ, ୧୧-ନରଶ୍ରେଷ୍ଠଶୈବ୍ୟ, ୧୨-ପରାକ୍ରମଶୀଳ ଯୁଧାମନ୍ୟୁ, ୧୩-ବୀର୍ଯ୍ୟବାନ୍ ଉତ୍ତମୈାଜା, ୧୪-ସୁଭଦ୍ରାଙ୍କର ପୁତ୍ର ଅଭିମନ୍ୟୁ ଓ ଦ୍ରୌପଦୀଙ୍କର ପାଞ୍ଚ ପୁଅ (୧୫- ପ୍ରତିବିନ୍ଧ୍ୟ, ୧୬-ସୁତସୋମ, ୧୭-ଶ୍ରୁତକର୍ମା, ୧୮-ଶତାନୀକ, ୧୯-ଶ୍ରୁତସେନ କ୍ରମାନ୍ୱୟରେ ଏମାନେ ଯୁଧିଷ୍ଠିର ଇତ୍ୟାଦି ପାଞ୍ଚଭାଇକର ପୁତ୍ରଗଣ) ଏମାନେ ସମସ୍ତେ ମହାରଥୀ । କୌରବ ପକ୍ଷର ମହାରଥୀଗଣ –

“ଭବାନ ଭୀଷ୍ମଶ୍ଚ କର୍ଣଶ୍ଚ କୃପଶ୍ଚ ସମିତିଞ୍ଜୟଃ ।
ଅଶ୍ୱତ୍ଥାମା ବିକର୍ଣଶ୍ଚ ସୌମଦତ୍ତି ଜୟଦ୍ରଥ ।। ୧/୮

୧-ଆପଣ (ଅର୍ଥାତ ଦ୍ରୋଣାଚାର୍ଯ୍ୟ), ୨-ଭୀଷ୍ମ, ୩-କର୍ଣ୍ଣ, ୪-ଯୁଦ୍ଧଜୟୀ କୃପ, ୫-ଅଶ୍ୱତ୍ଥାମା, ୬-ବିକର୍ଣ୍ଣ, ୭-ସୋମଦତ୍ତଙ୍କ ପୁତ୍ର ଭୂରିଶ୍ରବା ଓ ୮-ଜୟଦ୍ରଥ । (ଗୀତାପ୍ରେସ୍, ଗୋରଖପୁରରୁ ପ୍ରକାଶିତ ଗୀତା ପୁସ୍ତକରେ “ସୌମଦତ୍ତି ତଥୈବଚ” ପାଠ ଦେଖାଯାଏ, ଅର୍ଥାତ ଜୟଦ୍ରଥଙ୍କର ନାମ ନାହିଁ ।) ସଞ୍ଜୟ ପାଣ୍ଡବ ପକ୍ଷର ୧୯ ମହାରଥୀଙ୍କର ନାମ ପ୍ରକାଶ କରି କୌରବପକ୍ଷର ୮ଜଣ ମହାରଥୀଙ୍କ ନାମ ପ୍ରକାଶ କରି କୌରବପକ୍ଷର ନ୍ୟୁନତା ଦର୍ଶାଇଛନ୍ତି । ଦୁର୍ଯୋଧନ ପାଣ୍ଡବ ପକ୍ଷର ମହାରଥୀଗଣଙ୍କୁ ଶୂରବୀର, ବଡ଼ ବଡ଼ ଧନୁର୍ଦ୍ଧାରୀ, ପରାକ୍ରମୀ, ବୀର୍ଯ୍ୟବାନ୍ କହିଥିବାରୁ ନିଜେ ଭୟଭୀତ ହୋଇଥିବା ଜଣାଯାଏ ।

“ଅୟନେଷୁ ଚ ସର୍ବେଷୁ ଯଥା ଭାଗମବସ୍ଥିତାଃ ।
ଭୀଷ୍ମ ମେବା ଭିରକ୍ଷନ୍ତୁ ଭବନ୍ତଃ ସର୍ବ ଏବ୍ ହି ।। ୧/୧୧

ଦୁର୍ଯ୍ୟୋଧନ କହିଲେ – ଆପଣମାନେ ସମସ୍ତେ ବ୍ୟୂହର ସମସ୍ତ ପ୍ରବେଶ ଦ୍ୱାରରେ ନିଜ ନିଜ ସ୍ଥାନରେ ଦୃଢ଼ଭାବରେ ରହି ନିଶ୍ଚିତରୂପେ ପିତାମହ ଭୀଷ୍ମଙ୍କୁ ଚତୁର୍ଦ୍ଦିଶରୁ ରକ୍ଷା କରନ୍ତୁ । ଅର୍ଥାତ ପିତାମହ ଭୀଷ୍ମ ଦ୍ୱାରଦେଶରେ ନ ଥାଇ ମଧ୍ୟ ସେନାପତି ହୋଇଥିବାରୁ ତାଙ୍କଦ୍ୱାରା ରକ୍ଷିତ କୁହାଯାଇଛି । ଉକ୍ତ ଉକ୍ତିରୁ ଭୀଷ୍ମଙ୍କର ମୃତ୍ୟୁରେ ଦୁର୍ଯ୍ୟୋଧନ ଯେପରି ହାରିଯିବେ ଏହିପରି ଭୟଭୀତ ହେବାପରି ଜଣାଯାଏ ।

“ତସ୍ୟ ସଞ୍ଜନୟନ୍‌ହର୍ଷଂ କୁରୁବୃଦ୍ଧ ପିତାମହଃ ।
ସିଂହନାଦଂ ବିନଦ୍ୟୋଚ୍ଚୈଃ ଶଙ୍ଖ ଦଧ୍ମୌ ପ୍ରତାପବାନ୍ ।। ୧/୧୨

ଦୁର୍ଯ୍ୟୋଧନଙ୍କର ହର୍ଷ ଜାତକରି ପ୍ରଭାବଶାଳି କୁରୁବୃଦ୍ଧ ପିତାମହ ଭୀଷ୍ମ ସିଂହପରି ଗର୍ଜନ କରି ଉଚ୍ଚସ୍ୱରରେ ଶଙ୍ଖ ବଜାଇଲେ ।

ଭୀଷ୍ମଙ୍କର ଶଙ୍ଖନାଦ ପରେ କୌରବ ପକ୍ଷରୁ ଶଙ୍ଖ, ନାଗରା, ଢୋଲ, ମୃଦଙ୍ଗ, ଶିଙ୍ଗା ଇତ୍ୟାଦି ବାଦ୍ୟ ଏକ ସଙ୍ଗରେ ବାଜି ଉଠିଲା ।

ସଞ୍ଜୟ ପାଣ୍ଡବ ପକ୍ଷର ଆହୁରି କିଛି ମହାରଥୀ ଶଙ୍ଖନାଦ କରିଥିବା ବର୍ଣ୍ଣନା କରିଛନ୍ତି, ଯଥା –
ତତଃ ଶ୍ୱେତୈହୟୈର୍ଯୁକ୍ତେ ମହତି ସ୍ୟନ୍ଦନେ ସ୍ଥିତ୍ରୌ ।
ମାଧବଃ ପାଣ୍ଡବଶ୍ଚୈବ ଦିବ୍ୟୌ ଶଙ୍ଖୌ ପ୍ରଦଧ୍ମତୁଃ ।। ୧/୧୪

ତା ପରେ ଶ୍ୱେତଅଶ୍ୱଯୁକ୍ତ ମହାନ୍ ରଥ ଉପରେ ବିରାଜମାନ ଲକ୍ଷ୍ମୀପତି ଭଗବାନ ଶ୍ରୀକୃଷ୍ଣ ଓ ପାଣ୍ଡୁଙ୍କର ପୁତ୍ର ଅର୍ଜୁନ ମଧ୍ୟ ଉଚ୍ଚସ୍ୱରରେ ଦିବ୍ୟଶଙ୍ଖ ବାଦନ କଲେ ।

ପାଞ୍ଚଜନ୍ୟଂ ହୃଷୀକେଶୋ ଦେବଦତ୍ତଂ ଧନଞ୍ଜୟ ।
ପୌଣ୍ଡ୍ରଂ ଦଧ୍ମୌ ମହାଶଙ୍ଖ ଭୀମକର୍ମା ବୃକୋଦରଃ । ୧/୧୫

ଅନ୍ତର୍ଯ୍ୟାମୀ ଶ୍ରୀକୃଷ୍ଣ ପାଞ୍ଚଜନ୍ୟ ନାମକ ଶଙ୍ଖ, ଧନଞ୍ଜୟ ଅର୍ଜୁନ ଦେବଦତ୍ତ ନାମକ ଶଙ୍ଖ ଭୟଙ୍କର କର୍ମ କରୁଥିବା ବୃକୋଦର ଭୀମ ପୌଣ୍ଡ୍ର ନାମକ ମହାଶଙ୍ଖ ବଜାଇଲେ ।

ଅନନ୍ତ ବିଜୟଂ ରାଜା କୁନ୍ତୀପୁତ୍ରୋ ଯୁଧିଷ୍ଠିରଃ ।
ନକୁଲଃ ସହଦେବଶ୍ଚ ସୁଘୋଷମଣିପୁଷ୍ପକୌ ।। ୧/୧୬

କୁନ୍ତୀପୁତ୍ର ରାଜା ଯୁଧିଷ୍ଠିର ଅନନ୍ତବିଜୟ ନାମକ ଶଙ୍ଖ ବଜାଇଲେ, ନକୁଳ ଓ ସହଦେବ ସୁଘୋଷ ଓ ମଣିପୁଷ୍ପକ ନାମକ ଶଙ୍ଖ ବଜାଇଲେ ।

କାଶ୍ୟଶ୍ଚ ପରମେଷ୍ୱାସଃ ଶୀଖଣ୍ଡୀ ଚ ମହାରଥଃ ।
ଧୃଷ୍ଟଦ୍ୟୁମ୍ନୋ ବିରାଟଶ୍ଚ ସାତ୍ୟକିଶ୍ଚା ପରାଜିତଃ । ୧/୧୭

ଦ୍ରୁପଦୋଦ୍ରୌପଦେୟାଶ୍ଚ ସର୍ବଶଃ ପୃଥିବୀ ପତେ ।
ସୌଭଦ୍ରଶ୍ଚ ମହାବାହୁଂ ଶଙ୍ଖାନ ଦଧ୍ମୁଃ ପୃଥକ୍ ପୃଥକ୍ । ୧/୧୮

ହେ ରାଜନ ! ଶ୍ରେଷ୍ଠ ଧନୁଧାରୀ କାଶିରାଜ, ମହାରଥୀ ଶୀଖଣ୍ଡୀ ଏବଂ ଧୃଷ୍ଟଦ୍ୟୁମ୍ନ, ରାଜା ବିରାଟ, ଅଜେୟ ସାତ୍ୟକି, ରାଜା ଦ୍ରୁପଦ ଓ ଦ୍ରୌପଦୀଙ୍କର ପାଞ୍ଚପୁତ୍ର ତଥା ଦୀର୍ଘବାହୁ ବିଶିଷ୍ଟ ସୁଭଦ୍ରାପୁତ୍ର ଅଭିମନ୍ୟୁ – ସମସ୍ତେ ସବୁ ଦିଗରୁ (ନିଜ ନିଜର) ଭିନ୍ନ ଭିନ୍ନ ଶଙ୍ଖ ବଜାଇଲେ । ଶ୍ରେଷ୍ଠ ଧନୁଧାରୀ, ଦୀର୍ଘବାହୁ, ଅଜେୟ କହି ପାଣ୍ଡବ ପକ୍ଷର ଉତ୍କର୍ଷ ଦର୍ଶାଯାଇଛି ।

ପାଣ୍ଡବ ସେନାରେ ବର୍ଣ୍ଣିତ ମହାରଥୀ ଶଙ୍ଖ ବଜାଇଥିବା ମହାରଥୀ
୧- ଭୀମ ୧/୪ ୧/୧୫
୨- ଅର୍ଜୁନ ୧/୪ ୧/୧୪, ୧/୧୫
୩- ଯୁଯୁଧାନ ବା ସାତ୍ୟକି ୧/୪ ୧/୧୭
୪- ରାଜା ବିରାଟ ୧/୪ ୧/୧୭
୫- ଦ୍ରୁପଦ ୧/୪ ୧/୧୮
୬- ଧୃଷ୍ଟକେତୁ ୧/୫
୭- ଚେକିତାନ ୧/୫
୮- କାଶିରାଜ ୧/୫ ୧/୧୭
୯- ପୁରୁଜିତ ୧/୫
୧୦- କୁନ୍ତିଭୋଜ ୧/୫
୧୧- ଶୈବ୍ୟ ୧/୫
୧୨- ଯୁଧାମନ୍ୟୁ ୧/୬
୧୩- ଉତ୍ତମୌଜା ୧/୬
୧୪- ଅଭିମନ୍ୟୁ ୧/୬ ୧/୧୮
୧୫- ପ୍ରତିବିନ୍ଧ୍ୟ ୧/୬ ୧/୧୮
୧୬- ସୁତସୋମ ୧/୬ ୧/୧୮
୧୭- ଶ୍ରୁତକର୍ମା ୧/୬ ୧/୧୮
୧୮- ଶତାନୀକ ୧/୬ ୧/୧୮
୧୯- ଶ୍ରୁତସେନ ୧/୬ ୧/୧୮
୨୦- ଯୁଧିଷ୍ଠିର ୧/୧୬
୨୧- ନକୁଳ ୧/୧୬
୨୨- ସହଦେବ ୧/୧୬
୨୩- ଶୀଖଣ୍ଡୀ ୧/୧୭
୨୪- ଧୃଷ୍ଟଦ୍ୟୁମ୍ନ ୧/୧୭

ପାଣ୍ଡବପକ୍ଷର ଉତ୍କର୍ଷତା ପ୍ରତିପାଦନ ପାଇଁ ଜଣେ ଜଣେ ମହାରଥୀଙ୍କରନାମ ବାରମ୍ୱାର ଉଲ୍ଲେଖ କରାଯାଇଛି ମାତ୍ର କୌରବ ପକ୍ଷର ମାତ୍ର ୮ ଜଣଙ୍କର ନାମ ଶ୍ଳୋକ ୧/୮ ରେ ବର୍ଣ୍ଣିତ ।

ମହାଭାରତରେ ମହାରଥୀଙ୍କର ସଂଜ୍ଞା ଏହିପରି ବର୍ଣ୍ଣିତ ।

ଏକୋଦେଶ ସହସ୍ରାଣି ଯୋଧୟେଦ୍ ଯସ୍ତୁ ଧନ୍ୱିନାମ୍ ।
ଶସ୍ତ୍ରଶାସ୍ତ୍ର ପ୍ରବିଣଶ୍ଚ ମହାରଥ ଇତି ସ୍ମୃତଃ ।।

ଯେ ଶସ୍ତ୍ର ଓ ଶାସ୍ତ୍ରରେ ପ୍ରବୀଣ ଓ ଯୁଦ୍ଧରେ ଏକୁଟିଆ ଦଶହଜାର ଧନୁର୍ଦ୍ଧାରୀ ଯୋଦ୍ଧାଙ୍କ ସହିତ ଯୁଦ୍ଧ କରିପାରନ୍ତି, ସେହି ବୀର ପୁରୁଷ ହିଁ ମହାରଥୀ ।

୧୨,୦୨,୮୫୦

ଏକ ଅକ୍ଷୌହିଣୀ ସେନା କୌରବଙ୍କର ୧୧ ଅକ୍ଷୌହିଣୀ ପାଣ୍ଡବଙ୍କର ୭ ଅକ୍ଷୌହିଣୀ
ରଥ ୨୧,୮୭୦ ୨,୪୦,୫୭୦ ୧,୫୩,୦୯୦
ହସ୍ତୀ ୨୧,୮୭୦ ୨,୪୦,୫୭୦ ୧,୫୩,୦୯୦
ଅଶ୍ୱ ୬୫,୬୧୦ ୭,୨୧,୭୧୦ ୪,୫୯,୨୭୦
ପଦାତିକ ୧,୦୯,୩୫୦ ୭,୬୫,୪୫୦
ମହାରଥୀ ୧ ମହାରଥୀ ୧୦,୦୦୦ଧନୁର୍ଦ୍ଧାରୀ ୮ ମହାରଥୀ ୮୦,୦୦୦ଧନୁର୍ଦ୍ଧାରୀ ୨୪ ମହାରଥୀ ୨,୪୦,୦୦୦ଧନୁର୍ଦ୍ଧାରୀ

ଉକ୍ତ ହିସାବରୁ ପାଣ୍ଡବ ପକ୍ଷର ଶକ୍ତି, ପରାକ୍ରମ, ବଳ ବା ସାମର୍ଥ୍ୟ ବେଶୀ ଜଣାଯାଏ ।

ଅଶ୍ୱତ୍ଥାମା ବଳିର୍ବ୍ୟାସୋ ହନୂମାଂଶ୍ଚ ବିଭୀଷଣଃ ।
କୃପଃ ପରଶୁରାମଶ୍ଚ ସପ୍ତୈତେ ଚିର ଜୀବିନଃ ।। ” (ପଦ୍ମ ପୁରାଣ, ସୃଷ୍ଟିଖଣ୍ଡ ୫୧/୭)

ଅଶ୍ୱତ୍‌ଥାମା, ବଳି, ବ୍ୟାସ, ହନୁମାନ, ବିଭୀଷଣ, କୃପାଚାର୍ଯ୍ୟ, ପରଶୁରାମ ଏହି ସାତଜଣ ଚିରଞ୍ଜୀବୀ । ଯେଣୁ କୃପାଚାର୍ଯ୍ୟ ଓ ଅଶ୍ୱତ୍‌ଥାମା କୌରବ ପକ୍ଷର ଦୁଇ ମହାରଥୀ ଓ ଚିରଞ୍ଜୀବୀ, କୌରବମାନେ ଜୟକରିବାର ଆଶା ବେଶୀ ବୋଲି କେତେକ ମତବ୍ୟକ୍ତ କରିପାରନ୍ତି, ତଥାପି ଯୁଦ୍ଧର ଫଳାଫଳ ସମ୍ୱନ୍ଧରେ ସଞ୍ଜୟଙ୍କର ସ୍ପଷ୍ଟୋକ୍ତି-

ଯତ୍ର ଯୋଗେଶ୍ୱରଃ କୃଷ୍ଣୋ ଯତ୍ର ପାର୍ଥୋ ଧନୁର୍ଧରଃ ।
ତତ୍ର ଶ୍ରୀର୍ବିଜୟୋ ଭୂତିର୍ଧୁବା ନୀତିର୍ମତିର୍ମମ୍ ।। ୧୮/୭୮

ଯେଉଁପକ୍ଷରେ ଯୋଗେଶ୍ୱର କୃଷ୍ଣ ଅଛନ୍ତି ଓ ଧନୁର୍ଦ୍ଧର (ପୃଥାନନ୍ଦନ) ପାର୍ଥ ବା ଅର୍ଜୁନ ଅଛନ୍ତି, ସେହିପକ୍ଷରେ ଶ୍ରୀ ଅର୍ଥାତ ରାଜଲକ୍ଷ୍ମୀ, ବିଜୟ, ଭୂତି ଅର୍ଥାତ ଐଶ୍ୱର୍ଯ୍ୟ ଓ ବୃଦ୍ଧି, ଅଖଣ୍ଡିତ ରାଜନୀତି ଅଛି, ଏହା ମୋର ମତ । ତେଣୁ ଏହା ନିସନ୍ଦେହରେ କୁହାଯାଇପାରେ ଯେ, ସଞ୍ଜୟ ପ୍ରଥମ ଅଧ୍ୟାୟର ଦଶମ ଶ୍ଳୋକରେ “ଅପର୍ଯାପ୍ତ” ଶବ୍ଦ ଅସମର୍ଥ ଅର୍ଥରେ, “ପର୍ଯାପ୍ତ” ଶବ୍ଦ ସମର୍ଥ ଅର୍ଥରେ ପ୍ରୟୋଗ କରିଅଛନ୍ତି ।

ଦ୍ୱୀପାନାଂ ଜମ୍ୱୁ ଶ୍ରେଷ୍ଠତୁ ବର୍ଷାଣାଂ ଭାରତ ଶ୍ରେଷ୍ଠ
ଦେଶାନାଂ ଉତ୍କଲ ଶ୍ରେଷ୍ଠ,
ଉତ୍କଲସ୍ୟ ସମୋଦେଶ ଦେଶ ନାସ୍ତି, ମତୀତଲେ । ”

(ଶାକ୍ୟ, କୁଶ, କ୍ରୋଞ୍ଚ, ଶାଳ୍ମଳ, ପ୍ଳକ୍ଷ ବା ମାଗଧ, ପୁଷ୍କର ଓ ଜମ୍ୱୁ ଏହିପରି ସପ୍ତଦ୍ୱୀପ ବା ସାତ ମହାଦେଶ ସମନ୍ୱିତ ପୃଥିବୀରେ) ଜମୁଦ୍ୱୀପ ବା ଏସିଆ ମହାଦେଶ ଶ୍ରେଷ୍ଠ । ବର୍ଷ ବା ଦେଶ ମାନଙ୍କରେ ଭାରତବର୍ଷ ଶ୍ରେଷ୍ଠ । ଦେଶ ବା ରାଜ୍ୟ ମଧ୍ୟରେ (ଉତ୍କଳ କଳାର ରାଜ୍ୟ) ଉତ୍କଳ ଶ୍ରେଷ୍ଠ । ଉତ୍କଳପରି ଦେଶ (ରାଜ୍ୟ) ଏ ମହୀ ବା ପୃଥିବୀରେ ନାହିଁ ।

ଶ୍ରୀମଦ୍ ଭଗବଦ୍‌ଗୀତାର ତତ୍ତ୍ୱ ଓ ତଥ୍ୟ ସମ୍ୱଳିତ ବ୍ୟାଖ୍ୟା ସମ୍ୱନ୍ଧରେ ଓଡ଼ିଶାରେ ଏକ କଥା ପ୍ରଚଳିତ –

କୃଷ୍ଣୋ ଜାନାତି ବୈ ସମ୍ୟକ୍, କିଞ୍ଚିତ କୁନ୍ତୀସୂତ ଫଲମ୍ ।
ବ୍ୟାସୋବେର୍ତ୍ତ ନ ବେତ୍ତିବା, ଶ୍ରୀଧର ସକଲଂ ବେତ୍ତି ଶ୍ରୀନୃସିଂହ ପ୍ରସାଦାତ୍‌ ।। ”

ଶ୍ରୀମଦ୍ ଭଗବଦ୍‌ଗୀତାର ପ୍ରବକ୍ତା ଶ୍ରୀକୃଷ୍ଣ ନିଶ୍ଚିତରୂପେ ଗୀତାର ସମସ୍ତ ତତ୍ତ୍ୱ ଜାଣନ୍ତି, ଏହି ତତ୍ତ୍ୱ ଅର୍ଜୁନଙ୍କୁ କୁହାଯାଇଥିବାରୁ ସେ ଏହାର ତତ୍ତ୍ୱ କିଛି କିଛି ଯାଣିଛନ୍ତି । ମହାଭାରତ ଗ୍ରନ୍ଥର ରଚୟିତା କୃଷ୍ଣ ଦ୍ୱୈପାୟନ ବ୍ୟାସ ଏହାର ସମସ୍ତ ତତ୍ତ୍ୱ ଜାଣନ୍ତି । ଅବା ଜାଣନ୍ତି ନାହିଁ ମାତ୍ର ଶ୍ରୀ ନୃସିଂହଦେବଙ୍କ ସାଧକ ଶ୍ରୀଧରସ୍ୱାମୀ ନୃସିଂହଦେବଙ୍କ ପ୍ରସାଦରୁ ଶ୍ରୀମଦ୍ ଭଗବଦ୍‌ଗୀତାର ସମସ୍ତ ତତ୍ତ୍ୱ ଜାଣନ୍ତି । ଶ୍ରୀମଦ୍ ଭଗବଦ୍‌ଗୀତା ଉପରେ ଓଡ଼ିଶାର ସୁପ୍ରସିଦ୍ଧ ଟୀକାକାର (ଭାଷ୍ୟକାର) ସ୍ୱୀୟ ସଂସ୍କୃତ ଭାଷାର ଟୀକାରେ “ଅପର୍ଯ୍ୟାପ୍ତ” ଶବ୍ଦର ଅର୍ଥ “ଅସମର୍ଥ” ଓ “ପର୍ଯ୍ୟାପ୍ତ” ଶବ୍ଦର ଅର୍ଥ “ସମର୍ଥ” ବୋଲି ଉଲ୍ଲେଖ କରିଛନ୍ତି ଯାହାକି ବାସ୍ତବ ପକ୍ଷରେ ସଞ୍ଜୟଙ୍କରହିଁ ଉକ୍ତି । ସ୍ୱାମୀଙ୍କ ଭାଷ୍ୟ ଅନୁଶାରେ ଶ୍ଳୋକଟିର ଅର୍ଥ ହେବ ଭୀଷ୍ମଙ୍କ ଦ୍ୱାରା ରକ୍ଷିତ ଆମ୍ଭମାନଙ୍କର ବଳ ବା ଶକ୍ତି ବା ସାମର୍ଥ୍ୟ ଅପର୍ଯ୍ୟାପ୍ତ ଅର୍ଥାତ ଯୁଦ୍ଧରେ ବିଜୟ ଲାଭରେ ଅସମର୍ଥ, ଭୀମଙ୍କ ଦ୍ୱାରା ରକ୍ଷିତ ପାଣ୍ଡବମାନଙ୍କର ବଳ ବା ଶକ୍ତି ବା ସାମର୍ଥ୍ୟ ପର୍ଯ୍ୟାପ୍ତ ବା ଯୁଦ୍ଧରେ ବିଜୟ ଲାଭରେ ସମର୍ଥ ।

ଯେଉଁ ତଥ୍ୟକୁ ପୁତ୍ର ମୋହରେ ଅନ୍ଧ ଧୃତରାଷ୍ଟ୍ର ବୁଝିଥିଲେ ଯେ କୌରବ ମାନେ ସୈନ୍ୟ ଅପର୍ଯ୍ୟାପ୍ତ ବା ବିଜୟ ଲାଭ ପାଇଁ ଯଥେଷ୍ଟ ବା ପ୍ରଚୁର । ସଞ୍ଜୟ ସେନାଙ୍କ ନିମିତ୍ତ “ଆନୀକମ୍” (ଗୀତା୧/୨) ଓ “ଚମୂମ୍” (ଗୀତା ୧/୩) ବ୍ୟବହାର କରିଥିବା ବେଳେ ବଳ, ଶକ୍ତି ଓ ସାମର୍ଥ୍ୟ ନିମିତ୍ତ “ବଲମ୍” (୧/୧୦) ରେ ବ୍ୟବହାର କରିଛନ୍ତି । “ଆନୀକମ୍” ଓ “ଚମୂମ୍”) ରଥ, ଗଜ, ଅଶ୍ୱ, ସୈନ୍ୟ (ପଦାତିକ ଖଡ଼୍ଗର୍ଦ୍ଧାରୀ) ଓ ରଥୀ, ମହାରଥୀଙ୍କର ସମାହାର (ସଂଖ୍ୟାଗତ ଏକତ୍ୱ) କୁ ବୁଝାଇଛନ୍ତି । ସେମାନଙ୍କର ବିଜୟ ସାମର୍ଥ୍ୟକୁ “ବଲମ” ଶବ୍ଦଦ୍ୱାରା ଉଲ୍ଲେଖ କରିଛନ୍ତି ।

ତେଣୁ ଗୀତାର ପ୍ରଥମ ଅଧ୍ୟାୟର ଦଶମ ଶ୍ଳୋକଟି ସଞ୍ଜୟଙ୍କ ପାଇଁ ଯାହା ଅର୍ଥ ବହନକରେ, ଜନ୍ମାନ୍ଧ ଧୃତରାଷ୍ଟ୍ରଙ୍କ ପାଇଁ ସେପରି ଅର୍ଥ ବହନ କରେନାହିଁ । ସେ ଅନ୍ଧ ଥିବାରୁ ତାଙ୍କର ସାନଭାଇ ପାଣ୍ଡୁ ରାଜ ସିଂହାସନ ଆରୋହଣ କରିଥିଲେ । ପାଣ୍ଡୁଙ୍କର ଶାସନଦକ୍ଷତାକୁ ଆଦୌ ସହିପାରୁନ ଥିଲେ ଏବଂ ସର୍ବଦା ଈର୍ଷା କରୁଥିଲେ । ପରବର୍ତ୍ତୀକାଳରେ ବଡ଼ଭାଇ ହୋଇ ମଧ୍ୟ ସେ ପ୍ରଥମେ ପୁତ୍ରସନ୍ତାନର ପିତା ହୋଇପାରି ନଥିଲେ । ପାଣ୍ଡୁଙ୍କର ଜ୍ୟେଷ୍ଠପୁତ୍ର ଯୁଧିଷ୍ଠିର ଦୁର୍ଯ୍ୟୋଧନଠାରୁ ବଡ଼ଥିଲେ । ନ୍ୟାୟଦୃଷ୍ଟିରୁ ସେ ରାଜା ହେବାକଥା ମାତ୍ର ନିଜେ ରାଜା ହୋଇନଥିବାରୁ ପୁତ୍ରକୁ ରାଜା କରିବାର ମୋହ ତାଙ୍କର ପ୍ରବଳ ଥିଲା । ଦୈବଯୋଗକୁ ସାନଭାଇ ପାଣ୍ଡୁଙ୍କର ମୃତ୍ୟୁ ହେବାରୁ ସେ ରାଜା ହେଲେ ମାତ୍ର ପାଣ୍ଡୁଙ୍କପରି ସୁଶାସକ ଓ ଜନପ୍ରିୟ ହୋଇପାରିନଥିଲେ । ପ୍ରଜାମାନେ ଯୁଧିଷ୍ଠିରଙ୍କୁ ଚାହୁଁଥିଲେ ଓ ଧୃତରାଷ୍ଟ୍ର ନିଜର ଦୁଷ୍ଟପୁତ୍ର ଦୁର୍ଯ୍ୟୋଧନଙ୍କୁ ରାଜା କରିବାକୁ ଚାହୁଁଥିଲେ । ସେ କେବଳ ଶାରୀରିକ ଦୃଷ୍ଟିରୁ ଅନ୍ଧ ନଥିଲେ ବରଂ “ଅନ୍ୟାୟେନ ଧୃତଂ ରାଷ୍ଟ୍ରଂ ଯୈସ୍ତୈ ଧୃତରାଷ୍ଟ୍ରାଃ” ଅର୍ଥାତ “ଯେ ଅନ୍ୟାୟ ପୂର୍ବକ ରାଷ୍ଟ୍ର ବା ରାଜ୍ୟ ଧାରଣ କରିଛନ୍ତି ସେ ଧୃତରାଷ୍ଟ୍ର” ଉକ୍ତିକୁ ସାର୍ଥକ କରିଥିଲେ ।

ପିତାମହ ଭୀଷ୍ମ କୌରବପକ୍ଷର ସେନାପତି ଓ ସେ କୌଣସି ବ୍ୟୂହର ଦ୍ୱାରଦେଶରେ ନ ଥାଇ ମଧ୍ୟ କୌରବ ସେନା ତାଙ୍କଦ୍ୱାରା ରକ୍ଷିତ କୁହା ଯାଇଛି । ସେହି ନ୍ୟାୟରେ ଭୀମ ପାଣ୍ଡବଙ୍କର ବ୍ୟୂହ ଦ୍ୱାରଦେଶରେ ଥିବାରୁ ପାଣ୍ଡବସେନା ତାଙ୍କ ଦ୍ୱାରା ରକ୍ଷିତ ନୁହଁନ୍ତି ବରଂ ପାଣ୍ଡବପକ୍ଷର ଯୁଦ୍ଧର ପ୍ରକୃତ ପରିଚାଳକ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ସଞ୍ଜୟ ଭୀମଙ୍କ ଦ୍ୱାରା ପାଣ୍ଡବପକ୍ଷ ରକ୍ଷିତ ବୋଲି କହିଛନ୍ତି ।

ଲୋକପ୍ରିୟ ଲେଖା

To Top