ପ୍ରବନ୍ଧ

ସିଂହଦ୍ୱାର ବାଡ଼ାନା ପାଗଳୀ

ଶାସ୍ତ୍ରପୁରାଣ କୁଆଡ଼େ କହେ ଯେ, ଆମର ବାପା ବୋଉ ଏଇ ଦିଅଁଙ୍କର ଜୀଅନ୍ତା ଅବତାର । ତା’ ଯଦି ସତ, ତେବେ ଏ ଦିଅଁ କ’ଣ ସେଇ ବାପା ବୋଉଙ୍କର ମୂକ ବଧିର ରୂପ !

ସିଂହଦ୍ୱାର ବାଡ଼ାନା ପାଗଳୀ

ବଡ଼ ଏକ ସହରର ପେଣ୍ଠ ଜାଗାରେ ପ୍ରତିଷ୍ଠିତ ପତିତପାବନ ମନ୍ଦିର । ସେ ମନ୍ଦିର ଆଗଛମା ଦେଇ ପ୍ରତିଦିନ ମୋର ଯିବା ଆସିବା । ମଝିରେ ମଝିରେ ଦିଅଁ ଦର୍ଶନ କରେ । ମନ ଦୁଃଖ ହେଲେ କିଛି ସମୟ ସେହି ଠାକୁରଙ୍କ ପାଖରେ ବସି ପଡ଼ି ଗୁଣୁଗୁଣୁ ହୁଏ । ସେ ଶୁଣନ୍ତି କି ନାହିଁ ଜାଣେନା । ମୁଁ କିନ୍ତୁ ଉଶ୍ୱାସ ହୋଇଯାଏ । ଚତୁର୍ଦ୍ଧା ମୂର୍ତ୍ତିଙ୍କର ସେଠି ବାରମାସରେ ତେର ପର୍ବ । ପୁରୀ ଶ୍ରୀକ୍ଷେତ୍ର ପରି ନହେଲେ ବି, ଖୁବ୍ ଗହଗହ । ପ୍ରତିବର୍ଷ ରଥଯାତ୍ରାରେ ଜନଗହଳି ଥାଟପଟାଳି ଭାଙ୍ଗେ ।

ମନ୍ଦିର ସାମନା ଦୁଇ ପାଖରେ ପ୍ରକାଣ୍ଡକାୟ ସିଂହମୂର୍ତ୍ତି । ମହାକାଳର ମୂର୍ତ୍ତିମନ୍ତ ପ୍ରତିଛବି ବୋଧହୁଏ ଏଇ ସିଂହ । ଅରଣ୍ୟର ରାଜା ଏଇ ସିଂହ । ବିଶ୍ୱ-ଅରଣ୍ୟର ମହାରାଜା ସେଇ ବଡ଼ଠାକୁର । ସେ ଅରଣ୍ୟ ଫୁଲକୁଣ୍ଡ ନୁହେଁ । ସାଜସଜା ହୋଇଥିବା ମଣିଷର ହାତ ତିଆରି ବଗିଚା ବି ନୁହେଁ । ସେ ବିଶ୍ୱ-ଅରଣ୍ୟ ହିଁ ପ୍ରକୃତ ଅରଣ୍ୟ, ଅଦ୍ଭୁତ ଅରଣ୍ୟ, ଅନନ୍ୟ ଅରଣ୍ୟ, ଅସଜଡ଼ା ଅରଣ୍ୟ, ଏକ ଅକଳ୍ପନୀୟ ଆତ୍ମମୟ, ଅଣୁ ଆତ୍ମାମୟ ଅରଣ୍ୟ । ସେ ଅରଣ୍ୟର ଅନ୍ୟ ପରିଭାଷା ହୋଇପାରେ, ବିଶ୍ୱ, ବ୍ରହ୍ମାଣ୍ଡ, ଅସଂଖ୍ୟ ସୌରଜଗତର ସୀମାହୀନ ରୂପ, ଅରୂପବୋଧର ସଂକଳ୍ପିତ ଶୁଦ୍ଧ ସଂସ୍କରଣ ତଥା ଶ୍ରେଷ୍ଠ ସଞ୍ଚାଳନ । ସେମିତି ଏକ ଅରଣ୍ୟର ସେମିତି ଏକ ସିଂହ ସିଏ । ତା’ର ନାଦର ନାମ ସିଂହନାଦ, ଧ୍ୱନିର ନାମ ସିଂହଧ୍ୱନି, ରଡ଼ିର ନାମ ସିଂହରଡ଼ି । ବିଶ୍ୱ-ଅରଣ୍ୟର ସେହି ଦୃଢ଼ ସୁଦୃଢ଼ ବପୁ କଳ୍ପନା କରିବା ଅସମ୍ଭବ ।

ଆମ ଅରଣ୍ୟ ଭିତରେ ସିଂହରଜା ଆଗକୁ ଆଗକୁ ଢଳିଢଲି ଚାଲେ । ରାଜକୀୟ ଢଙ୍ଗରେ ପାଦପାତ କରେ । ପ୍ରତିଟି ପାଦ ତଳେ ତା’ର, ପାଦର ମାପକୁ ଚାହିଁ ଫୁଲମାନେ ଫୁଟିଫୁଟି ଯାଆନ୍ତି ମାଟି ଗାଲିଚାରେ । ଚାଲିବା ଭିତରେ ସିଂହ ରହି ରହି ତା’ ପଛକୁ ଅନାଏ । କଅଁଳ ଆଖିରେ ଚାହିଁଲେ ଅରଣ୍ୟ ଆଶ୍ୱସ୍ତ ହୁଏ । ରକ୍ତରଙ୍ଗ ଆଖିରେ ତରାଟି ଚାହିଁଲେ, ବିକଳରେ ସେ ବନସ୍ତ ଥରି ଉଠେ । ଭଲକୁ ଅଭୟ ମିଳେ । ଭେଲ ପାଇ ଭୟଙ୍କର ଦିଶେ । ଏ ବନସ୍ତ ତ ଖୁବ୍ ଛୋଟ, ସାମାନ୍ୟ, ନଗଣ୍ୟ । ତଥାପି ଏ ବନସ୍ତରେ ବୁଲୁଥିବା ସିଂହ ଆମ ପାଇଁ ବି ଯଥେଷ୍ଟ । ସେ ସିଂହ ଖାଲି ଏକ ଦେହ ନୁହେଁ, ବରଂ ଏକ ଉଚ୍ଛଳ ଉପାଧି ।

ଅନ୍ୟ ପଟେ, ମହା ଅରଣ୍ୟର ମହାମହିମ ସିଂହ ମହାକାଳକୁ ବି କବଳିତ କରେ । ତା’ ରଡ଼ିରେ ମହାପ୍ରଳୟଟେ ସଂଘଟିତ ହୁଏ । ତା’ ଇଚ୍ଛାରେ ମହାଜାଗତିକ ମହାକାବ୍ୟ ରୂପ ନିଏ । ବେଳେ ବେଳେ ଆମ ଏଇ ସ୍ୱଳ୍ପକାୟ ଅରଣ୍ୟରେ, ପ୍ରହ୍ଲାଦର ପ୍ରାର୍ଥନାରେ ପ୍ରୀତ ହୋଇ, ଛୋଟ ଏକ ସିଂହଟିର ରୂପ ନେଇ ସେହି ମହାସିଂହ ନିର୍ଜୀବ ଖମ୍ୱଟିରେ ବି ପ୍ରତିଭାତ ହୁଅନ୍ତି । ସେ ସିଂହ ତାଙ୍କର ଅସଲ ସିଂହ ପରିଚୟର ନମୁନାଟେ ମାତ୍ର । ଏକ ଚିତ୍ର, ମାନଚିତ୍ର, ରୂପକଳ୍ପ ମାତ୍ର । ଆଜିର ଏଇ ଆଲୋଚ୍ୟ ସିଂହଦ୍ୱାର ତାଙ୍କର ଅସଲ ସିଂହଦ୍ୱାରର ଏକ ସୁନ୍ଦର ମାନଚିତ୍ର ମାତ୍ର । ତାକୁ ଟପି ଆଗକୁ ଆଗକୁ ଗଲେ ଦିଶିବ ସିଂହାସନ । ସେହି ରାଜଗାଦିରେ ଆସୀନ ମହାସିଂହ ମହାରାଜାଙ୍କର ଦାଉ ଦାଉ ଦିଶୁଥିବା, ବ୍ରହ୍ମାଣ୍ଡର ଆଦ୍ୟତମ ସୃଷ୍ଟି ସ୍ଥିତି ପ୍ରଳୟର ରହସ୍ୟ । ସେହି ସିଂହାସନ ସବୁ ରହସ୍ୟର ରାଜଧାନୀ, ସବୁ ମାୟାର ସଦର ମହକୁମା ।

ବହୁଦିନରୁ ମୁଁ ଦେଖେ, ସେ ମନ୍ଦିର ପାଖାପାଖି ଅଞ୍ଚଳରେ ପାଗଳୀଟିଏ ନିର୍ଭୟରେ ଏଠିସେଠି ବୁଲେ, ହସେ, ନାଚେ, ହାତ ପତାଏ, ଲୁହ ଢାଳେ, ବକବକ ହୁଏ । ବେଳେବେଳେ ଫୁରୁଫୁରୁ ମୁଣ୍ଡଟାରେ ଦୁଇ ହାତର ପାପୁଲିକୁ ଭରା ଦେଇ, ଥକ୍କାମାରି ବସିପଡ଼େ । କେତେବେଳେ ସାତସିଆଁ ଅଖାର ଶେଯକୁ ପାତି, କେଉଁ ଦୋକାନ କଡ଼ରେ ବୁଜୁଳିରେ ମୁଣ୍ଡ ରଖି ଶୋଇପଡ଼େ । ଜୀବନର ଜଞ୍ଜାଳକୁ ଭୁଲେ ।

ତା’ ଘରଦ୍ୱାର, ଜନ୍ମମାଟି, ଗାଁଗଣ୍ଡା, ବାପମାଆ କିଛି ହେଲେ ଠିକଣା ମୋତେ ଜଣା ନାହିଁ । ତା’ର ନାଆଁଟି କ’ଣ ବା କେଜାଣି ? କିନ୍ତୁ ଏ ଅଞ୍ଚଳରେ ସମସ୍ତେ ତାକୁ ପାଗଳୀ ବୋଲି ଡାକନ୍ତି । ଏ ଡାକଟି ଶୁଣିଲେ ସେ କେବେ ରାଗିଯାଇ ଖିଙ୍କାରି ହୁଏତ, କେବେ ଫୁସ୍କିନା ହସିଦିଏ । ପିଲାଦିନେ ସେ କିଛିଟା ଆଡ଼ପାଗେଳୀ ଥିବ ବୋଧହୁଏ ! ସେ ଯାହା ହେଉ, ବାପାମାଆ ପୁଅଝିଅଙ୍କୁ ଛୋଟବେଳେ ପାଗଳା ପାଗଳୀ, ବାୟାବାୟାଣୀ ସମ୍ୱୋଧନ କରି ଡାକନ୍ତି । ଏ ନାଆଁ ଏକ ସ୍ନେହ ଶ୍ରଦ୍ଧାର ନାମ, ଏକ ଗେଲବସରିଆ ଡାକ ନାମ ।

କେହି କେହି ଜନ୍ମରୁ ପାଗଳ ତ, ଆଉ କେହି ପାଗଳ ହେବାର କିଛି ନିର୍ଦ୍ଦିଷ୍ଟ କାରଣ ଥାଏ । ମାନସିକ ଅସ୍ଥିରତା, ବିକୃତି, ବିଭ୍ରାନ୍ତି, ଅସଙ୍ଗତି, ଅସହ୍ୟ ଆଘାତ, ଅସ୍ୱାଭାବିକତା- ଏମିତି ବହୁକିଛି ଏହାର କାରଣ ଓ ଲକ୍ଷଣ । ସମାଜରେ ଗୃହୀତ ଧାରାରୁ ଅନ୍ୟ କିଛି ଆଖିଦୃଶିଆ ବ୍ୟତିକ୍ରମରୁ ଏହା ବାରି ହୋଇଯାଏ । ଏହା ସେମାନଙ୍କର ପୋଷାକ ପରିଚ୍ଛଦ, କଥାବାର୍ତ୍ତା, ଭାବଭଙ୍ଗୀ, ଆଚାର ବ୍ୟବହାର ଓ ଚାହାଣୀ ଚଳଣିରେ ବେଶ୍ ସୁସ୍ପଷ୍ଟ । ଶଙ୍କା ଆଶଙ୍କାରେ ସେମାନେ ଆତଙ୍କିତ ନୁହନ୍ତି । ଶୂନ୍ୟତାର ଅମାର ସେମାନଙ୍କୁ ଅସହାୟ କରିପାରେନି । ଅଭାବ ଅନଟନ ସେମାନଙ୍କୁ ଆଲୋଡ଼ିତ କରିପାରେ ନାହିଁ । ଅବହେଳା ଅପମାନର ଆଘାତ, ସେମାନଙ୍କୁ ଅସହିଷ୍ଣୁ କରିପାରେ ନାହିଁ । ଭୟାନକ ଭୋକର ରାକ୍ଷସ, ସେମାନଙ୍କ ଶୂନ୍ୟ ଉଦର- ଉଦଧି ଭିତରେ, ନିଜେ ନିଜ ବିପକ୍ଷରେ ଯୁଦ୍ଧ କରି ଭସ୍ମାସୁରର ଗତିପ୍ରାପ୍ତ ହୁଏ । ସେଠି ଅତୀତର ରୋମନ୍ଥନ ନାହିଁ, ବର୍ତ୍ତମାନର ବ୍ୟଗ୍ର ବ୍ୟସ୍ତତା ନାହିଁ କି ଭବିଷ୍ୟତର ମାୟାମୋହିତ ସୁନାରଙ୍ଗୀ ସପନର ସିନ୍ଦୁକ ନାହିଁ ।

ଆଜି କିନ୍ତୁ, ଆମ ଏଇ ଆଲୋଚିତ ପାଗଳୀର ଖୁବ୍ ସହଜରେ ବାରି ହୋଇଯାଉଥିବା ବ୍ୟତିକ୍ରମ । ସେ ଆଜି କାହିଁକି କେଜାଣି ବେଶ୍ ଅସ୍ଥିର । ତା’ ସର୍ବାଙ୍ଗରେ ଥରିବାପଣ । ଫୁଲାଫୁଲା ଆଖି ତା’ର ଲୁହ ଛଳଛଳ । ଫୁରୁଫୁରୁ ଲମ୍ୱ କେଶ, ଦି’ପହର ଧୂଳି ଝଡ଼ରେ ଅସ୍ତବ୍ୟସ୍ତ, ଅବିନ୍ୟସ୍ତ । ମାସମାସ ମଇଳାରେ ମାଖି ହୋଇ ଚିରାଫଟା ଛୋଟ କପଡ଼ାଟିର, ତା’ ଦେହରେ ଏକ ରୁଚିହୀନ ଲୁଚକାଳି ଖେଳ । ଆଜି ତା’ ପାଗଳାମିରେ ପ୍ରମତ୍ତପଣ, କୂଳ ଲଙ୍ଘିବାପଣ, ପ୍ରତିବାଦରପଣ, ପ୍ରତାରଣାକୁ ପ୍ରତିହତ କରିବାପଣ । ଛେଦନୀୟ ଛଳନାକୁ ଛାରଖାର କରିଦେବାର ପଣ । ସେ ଆଜି ସତେ ଯେମିତି ମାତି ଉଠିଥିବା ଏକ ଉଗ୍ରଉଦଣ୍ଡ ମହାମାୟୀ ।

ଆଜି ବୋଧହୁଏ ଯେତେ ସବୁ ଶତ୍ରୁ ସୈନ୍ୟମାନଙ୍କର ପାଗଳୀ ବିପକ୍ଷରେ ଗୋଟିଏ ମଞ୍ଚରୁ ଯୁଦ୍ଧର ଘୋଷଣା । ଭୋକ, ଶୋଷ, ଉପାସ ଅବସାଦ, ତାଡ଼ନା, ତାଚ୍ଛଲ୍ୟ ଅପମାନ ଅବହେଳା- ଏମିତି ତା’ର ଅସଂଖ୍ୟ ଚିରାଚରିତ ଶତ୍ରୁ । ଆଜି ବୋଧହୁଏ ଏ ସମସ୍ତ ମହାବଳୀ ରଥୀମାନେ ତା’ ବିରୋଧରେ ଏକାବେଳେକେ ଏକଜୁଟ । ସେ ବୋଧହୁଏ ଆଜି ଆଉ ସମ୍ଭାଳିପାରିନି । ଭାରସାମ୍ୟ ହରେଇ ବସିଛି, ହାରିଯାଇଛି । ସେଇଥିପାଇଁ ବୋଧହୁଏ ତା’ର ଏ ଅଚାନକ ଉଗ୍ର ଅବତାର । ଚକ୍ରବ୍ୟୁହ ଭିତରେ ଲଢୁଆ ଅଭିମନ୍ୟୁର ଉଚିତ୍ ଅନୁଚିତ୍ର ଶେଷ ପ୍ରଶ୍ନଟିଏ ପରି, ପାଗଳୀ ଆଜି ଅଡ଼ି ବସିଛି, ପ୍ରଶ୍ନ ପଚାରିବ ।

ପାଗଳୀ ତା’ ଅବଶ ହାତ ଦୁଇଟାରେ ପ୍ରହାର କରିଚାଲିଛି ଅବରୁଦ୍ଧ ଥିବା ସିଂହଦ୍ୱାରର କବାଟକୁ । ପହଡ଼ ପଡ଼ିଛି ମହାପ୍ରଭୁଙ୍କର । ପଉଟି ପଉଟି ଖାଇ ସମ୍ରାଟ୍ ଏବେ ତୂଳୀତଳ୍ପ ଶେଯରେ ନିଦ୍ରିତ । ଏ କ’ଣ ଗୋଟାଏ ସମୟ ? କାହାର ବା ସାହସ ହେବ ଏ ଅସମୟରେ ମଣିମାଙ୍କ ବିଶ୍ରାମରେ ବିଘ୍ନ ଘଟେଇବ ? ଦିନ ଗୋଟାଏ ଠାରୁ ଅପରାହ୍ନ ଚାରିଟାଯାଏ ପହଡ଼ ପଡ଼େ । ସିଂହଦ୍ୱାର ବନ୍ଦ ରହେ ।

ଏହି ବିଚିତ୍ର ଦୃଶ୍ୟଟି ମୁଁ ଆଜି ମୋ ସବୁଦିନିଆ ସେହି ଚଲାବାଟରେ ଅଟକିଯାଇ ଦେଖୁଛି । ଘଟଣାଟିକୁ ବୁଝିବାକୁ ଚେଷ୍ଟା ବି କରୁଛି, କେତେ ସତେ ଗୁରୁଗମ୍ଭୀର ଏହି ପାଗଳୀଟିର ଅମାନିଆପଣ । ଛୋଟ ଶିଶୁଟିଏ ପରି ଆଜି ସେ ବେଶ୍ ଅବୁଝା । ତା’ର ଅଛିଣ୍ଡା ଅଝଟପଣ । ପିଲାଦିନେ କେତେ ବା ଅଝଟିଆ ସେ ହୋଇ ନ ଥିବ ? ସରଗର ଚାନ୍ଦକୁ ଆଣିଦିଅ ବୋଲି କହି କହି କାନ୍ଦିଥିବ । କାଚ ବୋତଲଟେ ଖଣ୍ଡଖଣ୍ଡ କରି ଭାଙ୍ଗି ଦେଇ, ତାକୁ ଯୋଡ଼ି ଦେବା ପାଇଁ କାନ୍ଦିଥିବ । ଗଛ ଡାଳରେ ସୁନ୍ଦରିଆ ହଳଦୀବସନ୍ତ ଚଢ଼େଇଟାକୁ ଧରି ଆଣି ଦିଅ କହି, ଜିଦ୍ କରିଥିବ । ତା’ ହାତରୁ ଉଡ଼ିଯିବା କଙ୍କିଟାକୁ ଖୋଜି ଆଣି ତାକୁ ନିଧୁମ ମାଡ଼ଗାଳି ଦେବାକୁ କହି, ଘରଟାକୁ ଘୁନ୍ଦାଳି ଦେଇଥିବ । ଆଜି ସେହି ପିଲାଦିନର ସବୁତକ ଅଝଟପଣ ତାକୁ ଏ ଅବସରରେ କାଲୁବାଲୁ କରି ସତେ ଯେପରି ତାକୁ କାଳିଶି ଲଗେଇ ଦେଇଛି । ତେବେ ବାଳ, ବୃଦ୍ଧ, ଆଉ ପାଗଳ- ଏତ ସବୁ ପ୍ରାୟ ଏକାପରି !

ଜୀବନର ସମସ୍ତ ଆଶା-ନୀଡ଼ରୁ ତଳକୁ ଖସି ପଡ଼ିଛି ଏ ପାଗଳୀ । ପରିବାରରୁ, ଜ୍ଞାତି କୁଟୁମ୍ୱରୁ, ସାହିପଡ଼ିଶାରୁ, ଗାଁଗଣ୍ଡାରୁ, ସମାଜରୁ ବି ପରିତ୍ୟକ୍ତା ଏ ପାଗଳୀ । ଏମିତି ବୁନ୍ଦାଏ ରକ୍ତର ସମ୍ପର୍କଟିଏ ସେଠି କେଉଁଠି ନାହିଁ, ଯିଏ ତା’ ପାଇଁ ଲୁହ ବୁନ୍ଦାଟିଏ ଝରେଇ ଦେବ । ବରଂ ସେଠି ଜମି ଯାଇଛନ୍ତି ଅନେକ ଦେଖଣାହାରି । ସେମାନେ ଏ ଦୃଶ୍ୟଟିକୁ ଉପେଭାଗ କରିବାରେ ବ୍ୟସ୍ତ । ବିଭିନ୍ନ ତୁଣ୍ଡରୁ ବିଭିନ୍ନ ପ୍ରକାରର ଆହା, ଓହୋ, ଉହୁ ଠାରୁ ଆରମ୍ଭ କରି କଡ଼ା ଠୋ’ ଠୋ’ ମନ୍ତବ୍ୟ ।

ପାଗଳୀର କିଛି କାହାକୁ ନଜର ନାହିଁ କି ଖାତିର ନାହିଁ । ସାରା ଦୁନିଆଁର ଲୋକେ ତାଙ୍କର ଧନସମ୍ପଦକୁ ଲୁଚେଇ ରଖୁଥିବାବେଳେ, ସେ ତା’ର ସବୁ ସମ୍ପଦକୁ ସେଠି ଖୋଲି ଦେଇ ଛିନ୍‌ଛତ୍ର କରି ଦେଇଛି । ତା’ ଦେହର ସମ୍ପଦ ଦୃଶ୍ୟମାନ । ମନର ସମ୍ପଦ ମାଟିରେ ମିଶିଯାଉଥିବା ମଉଳିବା ଫୁଲ ପରି ମର୍ମାହତ । ଆତ୍ମାର ଆତ୍ମ ନିହିତ ସମ୍ପଦ, କୋହକମ୍ପିତ ଦୁକୁଦୁକିରେ ପ୍ରକମ୍ପମାନ । ସ୍ୱପ୍ନ, ବିଶ୍ୱାସ, ସୁଖଶାନ୍ତି, ସବୁକିଛିର ସୂକ୍ଷ୍ମତମ ସତ୍ତାଟିଏ ବି, ଆଜି ତା’ ମଉଳା ମୁଖଦର୍ପଣରେ ସ୍ପଷ୍ଟ ଭାବରେ ପ୍ରତିବିମ୍ୱିତ ହେବାକୁ ଅନିଚ୍ଛୁକ ।

କୋତରା କନ୍ଥାରେ ତିଆରି ବୁଜୁଳା ଭିତରେ ଥିବା ସବୁ ବୈଭବକୁ ଆଜି ବେଶ୍ ବିକ୍ଷିପ୍ତ ଭାବରେ ସିଂହଦ୍ୱାର ସମ୍ମୁଖରେ ଫିଙ୍ଗି ଦେଇଛି ପାଗଳୀ । ଫଟା ଚିରା ଲୁଗାରୁ ଦି’ଖଣ୍ଡ, ପ୍ଲାଷ୍ଟିକ୍ ମଗ୍ ଗିଲାସ, ଦାନ୍ତକାଠି, ଦଶପଇସିଆ ମୁଦ୍ରାରୁ ପାଞ୍ଚୋଟି, ପଲିଥିନ୍ ମୁଣା, ଛିଣ୍ଡା ଖବରକାଗଜ, ଜରିଫୁଲ- ଏମିତି ଅନେକ ଅନେକ ସାଇତିଥିବା ସମ୍ପଦର ସମ୍ଭାର । କେହି ଅନାନ୍ତିନି ସେସବୁକୁ । କ’ଣ ବା କାହାର କାମରେ ଆସିବ ଏଗୁଡ଼ାକ ?

ପାଗଳୀର ଡର ଭୟ କିଛି ନାହିଁ । ସେ ସିଂହଦ୍ୱାରକୁ ଖାତିର କରେନା । ଦୁର୍ଭେଦ୍ୟ ଦୈବଦୁର୍ଗକୁ ଡରେନା । ସିଂହାସନକୁ ଡରେନା । ସମ୍ରାଟ୍ ତଥା ତା’ର ବିଶାଳ ସାମ୍ରାଜ୍‌କୁ ବି ଡରେନା । ସବୁଦିନେ ସେଠି ଦେଖି ଆସୁଛି ଅତି ଅଦ୍ଭୁତ ଧରଣର ଭୟର ତାଣ୍ଡବ । ଧନପତି କୋଟିପତିଙ୍କର ଭୟ, ପାପୀ ପ୍ରତାପୀଙ୍କର ଭୟ, ହତ୍ୟାକାରୀ ଲୁଣ୍ଠନକାରୀଙ୍କ ଭୟ, ରାହାଜାନୀ ରାଜନେତାଙ୍କର ଭୟ, ଆସ୍ଫାଳନ ସହିତ ଆତଙ୍କିତ ହେଉଥିବା ଅଫିସର ଶାସକମାନଙ୍କର ଭୟ, ଜ୍ଞାନୀ ଗୁଣୀ ବିଜ୍ଞାନୀଙ୍କର ଭୟ, ସାଧୁ ସନ୍ନ୍ୟାସୀଙ୍କର ମୁକ୍ତିମାର୍ଗ ହରେଇ ଦେବାର ଭୟ- ଏମିତି ଅସଂଖ୍ୟ ଦୁଃଖୀରଙ୍କୀ ଦୀନଦରିଦ୍ରମାନଙ୍କର ଭୟଙ୍କର ଭୟର ମେଳଣ ଏଇ ମନ୍ଦିର ବେଢ଼ାରେ ହୁଏ । ଏସବୁକୁ ଦେଖି ଦେଖି ସେ ଖାଲି ହସେ ।

ଏମିତି ନିଦାନିର୍ଭୟପଣର କାରଣ ବି ଅଛି । କାହିଁକି, କ’ଣ ପାଇଁ ସେ ଡରିବ ଯେ ? ଖାଁ ଖାଁ ଶୂନ୍ୟତାକୁ ଆଦରି ନେବା ପରେ ଆଉ ଡର କ’ଣ ? ହାହାକାର ଭିତରେ ବି ହେଣ୍ଡି ମାରିପାରିଲେ ଆଉ ଭୟ କ’ଣ ? ଚଳନ୍ତା ଗାଡ଼ି ସାମ୍ନାରେ ନିର୍ବିକାରରେ ନାଚି ପାରିଲେ ଆଉ ଭୟ କ’ଣ ? ରାସ୍ତାକଡ଼ର ପାଣି ଆଞ୍ଜୁଳାଏ ପିଇ ଭୟଙ୍କର ଭୋକ-ରାକ୍ଷସଟିକୁ ଭଣ୍ଡେଇ ଭୂତେଇ ଦେଇପାରିଲେ ଆଉ ଭୟ କ’ଣ ? ପ୍ରକୃତିର ଫୁଙ୍ଗୁଳାପଣରେ ଆପଣାର ଫୁଙ୍ଗୁଳାପଣକୁ ଫେଣ୍ଟି ଫେଣେଇ ଦେଲେ, ଛଳ ଭର୍ତ୍ତି ଛାଇ ଘେରା ସମାଜକୁ ଆଉ ଏତେ ନିଘା ନିବେଦନ କରିବା ଆବଶ୍ୟକତା ବି କ’ଣ ? ବଞ୍ଚିବାର ସବୁ ବିଧି ବ୍ୟବସ୍ଥାରୁ ବଞ୍ଚିତ ହୋଇ ଏ ପାଗଳୀ ବ୍ୟଥା ବିପର୍ଯ୍ୟୟରେ ବି ବ୍ୟବସ୍ଥିତ ଥିଲାବେଳେ, ଆଜି ଏତେ ବିବ୍ରତ କାହିଁକି ?

ତା’ର ଆଜି ଏ ଅଦ୍ଭୁତ ରୂପ ସ୍ୱରୂପକୁ ଦେଖି ମୁଁ ସ୍ତମ୍ଭୀଭୂତ । ମୋ ହୃଦୟଟିର ଆଜି ତରଳିବା ପଣ । ଏହା ତା’ ପ୍ରତି ଦୟା ଅନୁକମ୍ପା ନୁହେଁ । ମୁଁ ଜାଣେ, ସେ ଏସବୁ କିଛି ବି ଚାହେଁନା । ଏସବୁର ବହୁ ଊର୍ଦ୍ଧ୍ଵରେ ସେ ଏବେ । ମୋ ନିଜର କିଛି ଜୀବନାନୁଭୂତି ସହିତ ଆଜି ଏହି ଦୃଶ୍ୟଟିର ସାମଞ୍ଜସ୍ୟ ଥିବା ହେତୁ ମୁଁ ବରଂ ବ୍ୟଥା ବିଚଳିତ । ଏହା କେବଳ ହିଁ ମୋ ନିଜର ଶୋକଥରା ସ୍ମୃତିର ସଙ୍କଟ ।

ସିଂହଦ୍ୱାରକୁ ବାରମ୍ୱାର ବାଡ଼ଉଥିବାର ଦେଖି, ପାଗଳୀକୁ ମୋର କିଛି କହିବାକୁ ଇଚ୍ଛା ହେଲା । ତା’ ସାମ୍ନାକୁ ଯାଇ କିଛି କହିବାର ସତସାହସ ବି ମୋର ନ ଥିଲା । ସବୁ ସୀମାର ଊର୍ଦ୍ଧ୍ଵରେ ସେ ରହିଥିବାର ମୋତେ ମନେ ହେଉଥିଲା । ତା’ର ମାନସିକ ଅବସ୍ଥାକୁ ଏ ଯାଏ ବି ଆକଳନ କରି ନ ପାରି ମୁଁ ମନକୁ ମନ ଗୁଣୁଗୁଣୁ ହୋଇ ତାକୁ କିଛି କହି ବସିଲି । ସେ ଶୁଣୁ କି ନ ଶୁଣୁ । କହିଲି- “କାହିଁକି ତୁ ରବେଇ ଖବେଇ ବ୍ୟସ୍ତ ବିବ୍ରତ ହୋଇ ସିଂହଦ୍ୱାର କବାଟକୁ ବାଡ଼େଇ ଚାଲୁଛୁ ବାୟାଣୀ ? ଯାଉଁଳି କବାଟ ଖୋଲିଗଲେ ବି ତତେ ଭିତରକୁ ଯିବା ପାଇଁ ମନା । ସେଠି ଯିଏ ଅଛି, ତା’ ବେଶ ପୋଷାକ ଦେଖିଲେ ତୁ ଆବାକାବା ହୋଇଯିବୁ । ଧୂପ ଦୀପ ନୈବେଦ୍ୟରେ ତା’ ଉଆସ ମହମହ ବାସେ । ତା’ର ଭୋକ ଅମାପ, ଭୋଗ ବି ଅମାପ । ଦିନଯାକ ପୂଜା ମାଜଣା, ତୁହାତୁହା ବେଶ ବେହରଣ । ଘନଗହନ ରାତିରେ ବି ତା’ର ବଡ଼ସିଂହାର ବେଶ । ବେଶ କରିବାକୁ ବି ଶିଙ୍ଗାରୀ ନିଯୋଗ । ରତ୍ନ ସିଂହାସନ, ରତ୍ନବେଦୀ, ରତ୍ନଝରା ଶେଯ ସୁପାତି, ରତ୍ନଖଚିତ ଅଳଙ୍କାର । ଏସବୁକୁ ଦେଖି ତୁ ସମ୍ଭାଳି ପାରିବୁତ । ତୁ ତ ସେଠି ଶିଙ୍କାରି ହେବୁ, ଉତ୍ତେଜିତ ହେବୁ, ପ୍ରକୁପିତ ହେବୁ ! ସେ ତୋତେ କୋଉ ଚିହ୍ନିବ ଯେ ? ଚିହ୍ନିଥିଲେ କ’ଣ ଆଜିଯାଏ ଚିହ୍ନନ୍ତାନି ?

“ଆଲୋ ପାଗଳୀ- ସେଠି କ’ଣ ତୋର ବୋଉ ବସିଛି ଯେ, ତୋ ଡାକକୁ ବାରିବାରି କବାଟ ଖୋଲିବ ! ତୋର ଏ ଅବସ୍ଥା ଦେଖି ତା’ ପିନ୍ଧିଥିବା ଲୁଗାର ପଣତକାନିଟିକୁ ଅଧାଅଧି ଫାଡ଼ି ଦେଇ ତୋର ଏ ଅଧାଲଙ୍ଗଳା ଦେହଟିକୁ ଘୋଡ଼େଇ ଦେବ ! ବାସିତିଆସି ହେଲେ ବି, ଭାତ ପେଜରୁ ଗିନାଏ ଆଣି ତୋ ଭୋକର ନିଆଁକୁ ମୁହୂର୍ତ୍ତଟେ ଶାନ୍ତି କରିଦେବ ! ତା’ ଅଭୟ କୋଳରେ ତୋ ଭ୍ରମିତ ମଥାକୁ ଥୋଇ, ତାଳୁରୁ ତଳିପା’ ଯାଏ ସ୍ନେହଭରା ଆଉଁଶାଟେ ଆଙ୍କି ଦେବ ନା, ସେଠି ତୋର ବୋଉ ନାହିଁ ।”

“ପାଗଳୀ ଲୋ”, ସେ କବାଟ ଅଯଥା ବାଡ଼ାନା । ସେଠି କ’ଣ ତୋର ବାପା ଅଛି ଯେ, ତୋର ଏ ହୀନସ୍ତା ଦେଖି ଆକୁଳରେ ହଡ଼ବଡ଼େଇ ଯିବ, ମୁଣ୍ଡ କଚାଡ଼ି ଦେବ ? ପାଖ ପଡ଼ିଶାକୁ ଯାଇ ନିନ୍ଦା ଅପମାନ ସହି, ଗାଳିଫଜିତ୍ ଖାଇ ଖଣ୍ଡେ ହେଲେ ବାସିରୁଟି ମାଗି ଆଣି, ତୋ ତୁଣ୍ଡରେ ଆହାର ଗୁଞ୍ଜିବ ? ତା’ କୁଡ଼ିଆ ଛାଇ ତଳେ ଚିରା କନ୍ଥା ଶେଯରେ ବି, ତୋ ଏଇ ଯନ୍ତ୍ରଣାକୁ ଶାନ୍ତ କରେଇବ ! ନା, ସେଠି ତୋର ବାପା ବି ନାହିଁ ।”

“ତୁ ବୋଧହୁଏ ଭଲ କରି ଜାଣିଛୁ ଯେ, ସେଠି ତୋର ବାପା ବୋଉ କେହି ହେଲେ ନାହାନ୍ତି । ଯିଏ ବା ଅଛି, ତାକୁ ଲୋକେ କୁହନ୍ତି ଦେବତା, ଠାକୁର, ଈଶ୍ୱର, ପରମେଶ୍ୱର, ଦୟାନିଧି, କୃପାସିନ୍ଧୁ, ଦୀନବନ୍ଧୁ. . . ଏମିତି ଅନେକ ଅନେକ ବିସ୍ମୟ ବିଭୂଷଣ, ସର୍ବନାମ ବିଦିତ ବିଧି ବିଶେଷଣର ନାମ ।”

“ତୁ ବୋଧହୁଏ ଭଲ ଭାବରେ ବୁଝିଛୁ ପାଗଳୀ, ଏଭଳି ଦେବତା ଥାଉ ଥାଉ ତୋର ଜୀବନ ଅପେକ୍ଷା, ବେଶି ସମ୍ପର୍କ ରହିଛି ମରଣ ସହିତ । ଖରା, ବର୍ଷା, ଶୀତ, କାକର, ଶରତ, ହେମନ୍ତ, ବସନ୍ତ, ସବୁ ଋତୁ ତୋ ପାଇଁ ମୃତୁ୍ୟର ଋତୁ । ସଞ୍ଜ ସକାଳ, ଦିନରାତି, ସମସ୍ତେ ତୋତେ ମୃତୁ୍ୟକୁ ହିଁ ଉପହାର ଦିଅନ୍ତି । ସୂର୍ଯ୍ୟ ଚନ୍ଦ୍ର ଆଲୋକ ଅନ୍ଧାର ତୋ ପାଇଁ ମୃତ୍ୟୁର ଦେବତା । ପୂର୍ଣ୍ଣମାର ଜ୍ୟୋତ୍ସ୍ନା ମଉଚ୍ଛବ ତୋ ଦେହ ମନର ଜ୍ୱଳନରେ ଏକ ପ୍ରହେଳିକା, ପ୍ରତାରଣାର ପ୍ରଲେପ । ମଧୁମୟ ବସନ୍ତ ବି, ତୋ ପାଇଁ ଏକ ବ୍ୟଥା ଉଦ୍ରେକକାରୀ ବ୍ୟାଙ୍ଗାତ୍ମକ ଭ୍ରମ ।”

ବାପା ବୋଉ ଏବେ ତୋର ଖୁବ୍ ମନେ ପଡୁଛନ୍ତି ନା ! ତୁ ଠିକ୍ ଭାବିଛୁ । ତାହା ହିଁ ତ ଏ ଜୀବନର ନିତ୍ୟ ଅଭୁଲା କଥା । କେହି ବି ସେଥିରୁ ବାଦ୍ ଯାଏନା । ପଶୁପକ୍ଷୀ କୀଟପତଙ୍ଗ ଯିଏ ହୁଅନ୍ତୁ ନା କାହିଁକି, ସମସ୍ତେ ସେହି ଅମୂଲ୍ୟ ରକ୍ତ ଡୋରିରେ ବନ୍ଧା । ସେଇଥିପାଇଁ ତ ମୁଁ ଭାବୁଛି, ତୁ ପାଗଳୀ ନୁହେଁ, ବରଂ ଏକ ବ୍ୟଥାତୀତ, ବିମୁକ୍ତ, ବ୍ୟବସ୍ଥିତ ବ୍ୟକ୍ତିତ୍ୱ । ତୁ ସ୍ଥିର ନିଶ୍ଚୟ ଯେ, ତୋ ବାପା ବୋଉ ବାଙ୍ମୟ- ଏ ସିଂହାସନର ଦେବତା ମୂକ । ତୋ ବାପା ବୋଉ ତତେ ଦେଖନ୍ତି, ଚିହ୍ନନ୍ତି, କାଖେଇ କୋଳେଇ ନେଇ କୁରୁଳି ଉଠନ୍ତି । କିନ୍ତୁ ସେ ମହାମାନବୀୟ ବ୍ୟକ୍ତିତ୍ୱ ଏ ଦିଅଁଙ୍କଠାରେ ଦିଶେନି । ସେ ଚିହ୍ନି ନ ଚିହ୍ନିଲା ପରି ହୁଅନ୍ତି । ଦେଖି ନ ଦେଖିଲା ପରି ହୁଅନ୍ତି । ଶାସ୍ତ୍ରପୁରାଣ କୁଆଡ଼େ କହେ ଯେ, ଆମର ବାପା ବୋଉ ଏଇ ଦିଅଁଙ୍କର ଜୀଅନ୍ତା ଅବତାର । ତା’ ଯଦି ସତ, ତେବେ ଏ ଦିଅଁ କ’ଣ ସେଇ ବାପା ବୋଉଙ୍କର ମୂକ ବଧିର ରୂପ ! ଏହି ଭ୍ରମରେ ପଡ଼ିବାଟା ହିଁ, ସତେ ଯେପରି ତୋ ପାଇଁ ଏକ ଅବୁଝାପଣର ଅଭିଜ୍ଞତା !”

“ବାପା ବୋଉ ଏବଂ ଏଇ ସିଂହାସନର ଦେବତାଙ୍କ ଭିତରେ ତଫାତ୍ ଥାଉ କି ନ ଥାଉ, ତୁ ଏବେ ଏଇ ମହାଦ୍ୱନ୍ଦ୍ୱରୁ ମହାଊର୍ଦ୍ଧ୍ଵରେ । ତୁ ତ ପାଗଳୀ, ସତେ ଯେପରି ଏକ ଦ୍ୱନ୍ଦ୍ୱାତୀତ ଦେହାତୀତ ଦୁର୍ଲଭ ଜୀବନ ! ସେ ସିଂହଦ୍ୱାରକୁ ଆଉ ଏତେ ବାଡ଼େଇବାର ଆବଶ୍ୟକତା ତୋ ପାଇଁ ରହିଲା କେଉଁଠି । ଉତ୍ତେଜିତ ହେବା ବଦଳରେ ଶାନ୍ତ ସୁଧୀର ହୋଇଯା । ଉଦ୍ଭ୍ରାନ୍ତ ହେବା ବଦଳରେ ଉଦାତ୍ତ ହୋଇଯା । ଉଗ୍ର ଉର୍ମିଳ ନ ହୋଇ ଉଶ୍ୱାସ ହୋଇଯା’ । ତୋର ଏବେ ନିଦଟିଏର ଏକାନ୍ତ ଆବଶ୍ୟକତା । ଏଇ ରାସ୍ତାକଡ଼ର ନିଦ ତୋ ପାଇଁ ଏକ ଦେବଦୁର୍ଲଭ ଅନୁଭୂତି । ଆଉ ସେଇ ଦୂର ଶ୍ମଶାନ କୋଳର ନିଶ୍ଚଳ ନିଦ ତ, ଏକ ମହାମାନବର ମହାମୁକ୍ତି !”

ଗୋଟିଏ ସ୍ତରରେ ତୁ ମାଟି-ମାୟାକୁ ଭଲ ପାଉ ତ, ଅନ୍ୟ ଏକ ସ୍ତରରେ ତୁ ଯୋଗାସନରେ ମନମଗ୍ନ ହେଉ । ତୋତେ ଜାଣିବା କଷ୍ଟ । ବୁଝିବା କଷ୍ଟ । ଅନୁଭବ କରିବା ହିଁ କଷ୍ଟ । ସେଇଥିପାଇଁ ତ, ଆମ ପରି ଅନଭିଜ୍ଞଙ୍କ ପାଇଁ ତୁ ଏକ ତୁଚ୍ଛ ପାଗଳୀର ପରିଚୟ ମାତ୍ର ! ତୁ ଏକ ଚିର ଅସମାହିତ ପ୍ରଶ୍ନ । ଯେତିକି ଅବାଧ୍ୟ ସେତିକି ଅବୋଧ୍ୟ ।

ଲୋକପ୍ରିୟ ଲେଖା

To Top