ପ୍ରବନ୍ଧ

ଶିଶୁର ଅଧିକାରର ସୁରକ୍ଷା/ଶିଶୁମାନଙ୍କର କେବେ ଭଲ ଦିନ ଆସିବ ? ଶିଶୁମାନଙ୍କର ଅଧିକାର : ଏକ ଆଲୋଚନା

Dr Sharat Chandra Parida

ପ୍ରତ୍ୟେକ ଶିଶୁର ବଞ୍ଚିବାର ଅଧିକାର ରହିଛି । ଏହା ତା’ର ଅନ୍ତର୍ନିହିତ । ଏହି ଅଧିକାରରୁ ଶିଶୁ ବଞ୍ଚିତ ହେବ ନାହିଁ । ଶିଶୁଟି ଜନ୍ମ ହେବା ମାତ୍ରେ ତା’ର ଜନ୍ମ ପଞ୍ଜୀକରଣ ହେବ ଏବଂ ତା’ର ନାମକରଣ କରାଯିବ । ତା’ର ପିତାମାତାଙ୍କୁ ଜାଣିବାର ତା’ର ଅଧିକାର ରହିଛି ।

ଶିଶୁର ଅଧିକାରର ସୁରକ୍ଷା/ଶିଶୁମାନଙ୍କର କେବେ ଭଲ ଦିନ ଆସିବ ? ଶିଶୁମାନଙ୍କର ଅଧିକାର :ଏକ ଆଲୋଚନା

ସମ୍ଭାବନାମୟ ଶିଶୁମାନେ ଆମ ଜାତିର ଭବିଷ୍ୟତ : ପ୍ରତ୍ୟେକ ଶିଶୁ ଦେବଶିଶୁ । ଶିଶୁମାନେ ଶାନ୍ତ, ସରଳ ଓ ନିରୀହ । ଯେଉଁ ଗ୍ରହ ଯେତେ ଛୋଟ ସେ ସୂର୍ଯ୍ୟଙ୍କର ସେତେ ନିକଟତର । ସେହିପରି ଯେଉଁ ଶିଶୁ ଯେତେ ଛୋଟ, ସେ ଈଶ୍ୱରଙ୍କର ସେତେ ନିକଟତର । କିନ୍ତୁ ସେ ପରାଧୀନ । ବଡ଼ମାନଙ୍କ ଦ୍ୱାରା ନିୟନ୍ତ୍ରିତ । ନିହାତି ଛୋଟ ଶିଶୁ ନିଜ ପାଇଁ କ’ଣ ଭଲ ତାହା ଜାଣନ୍ତି ନାହିଁ । ଟିକିଏ ବୁଦ୍ଧି ଆସିଲେ ନିଜ ପାଇଁ କ’ଣ ମଙ୍ଗଳକର ଜାଣିପାରିଲେ ମଧ୍ୟ କିଛି କରିପାରନ୍ତି ନାହିଁ । କିନ୍ତୁ ଏ ଦୁନିଆଁରେ ଅନେକ କଥା ଜାଣିବା ପାଇଁ ସେମାନେ ସ୍ୱଭାବିକ ଭାବରେ ଆଗ୍ରହୀ ଓ କୌତୂହଳି । ପ୍ରତ୍ୟେକ ଶିଶୁ ମଧ୍ୟରେ ମଣିଷ ସମାଜ ପାଇଁ ଅନେକ ଆଶା ଓ ଅସୁମାରୀ ସ୍ୱପ୍ନର ଝଲକ ଥାଏ । ସେମାନେ ଚଳଚଞ୍ଚଳ ଓ ସକ୍ରିୟ । ସ୍ନେହ, ଆଦର ଓ ଶ୍ରଦ୍ଧାର ବଳୟ ଭିତରେ ଖେଳିବା, ଶିଖିବା ଓ ବଢ଼ିବା ହେଉଛି ସେମାନଙ୍କର ସମୟ । ଆ ଜହ୍ନମାମୁଁ ସରଗ ଶଶୀ, ଡାମରା କାଉରେ ଡାମରା କାଉ. . . ଏ ସବୁ କେବଳ ଶ୍ରୁତିମଧୁର ଗୀତ ନୁହେଁ ଏଗୁଡ଼ିକ ଭିତର ଦେଇ ଧୀରେ ଧୀରେ ତା’ ଚାରି ପାଖର ପରିବେଶ ସହ ନିଜକୁ ସଂଯୋଜିତ କରିବାକୁ ଶିଖେ । ସମସ୍ତଙ୍କର ସହଯୋଗ ଓ ପାରସ୍ପରିକ ସଂହତି ମଧ୍ୟରେ ସେମାନଙ୍କର ବର୍ତ୍ତମାନ ବିତିବା କଥା । ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେମାନେ ନୂଆ ନୂଆ ଅନୁଭୂତି ଅର୍ଜନ କରିଥାନ୍ତି ଓ ଏହା ସେମାନଙ୍କର ଦୃଷ୍ଟିଭଙ୍ଗୀ ବଦଳାଇ ଚାଳିଥାଏ । ସେମାନଙ୍କ ଭିତରେ ଥିବା ଦେବତ୍ୱ ପ୍ରକୃତିର ବିକାଶ ଘଟାଇ ପରିପୂର୍ଣ୍ଣ ମଣିଷ ରୂପେ ଗଢ଼ି ତୋଳିବା ସମାଜର କର୍ତ୍ତବ୍ୟ ।

ଅବହେଳିତ ଶିଶୁମାନଙ୍କ ଯତ୍ନ ବିଶ୍ୱବାସୀଙ୍କର ପ୍ରଥମ କର୍ତ୍ତବ୍ୟ : ଶିଶୁମାନେ ଦେଶ ଓ ଜାତିର ସବୁଠୁଁ ମୂଲ୍ୟବାନ୍ ସମ୍ପତ୍ତି, ସମ୍ୱଳ ଓ ବିଭୂତି । ସେମାନେ ଅଫୁଟା କଢ଼ । ଅନେକ ସୁନ୍ଦର ସମ୍ଭାବନାରେ ଭରପୁର । ଶିଶୁପିଢ଼ିକୁ ଜ୍ଞାନ, ଶକ୍ତି ଓ ସମ୍ୱଳରେ ବଳିଷ୍ଠ କଲେ ଦେଶ ଶକ୍ତ ହୋଇଥାଏ । ସେମାନଙ୍କର ବ୍ୟକ୍ତିଗତ ବିକାଶ ଓ ସାମାଜିକ ଅବଦାନରେ ଏ ଜାତିର ଭବିଷ୍ୟତ ମୂଳଦୁଆ ମଜବୁତ୍ ହୋଇଥାଏ । ଶିଶୁମାନେ ଯେତେ ବିକଶିତ ଦେଶ ସେତେ ଅଧିକ ଉନ୍ନତ ହୋଇଥାଏ । ସେମାନେ ହେଉଛନ୍ତି ଭବିଷ୍ୟତର କର୍ଣ୍ଣଧାର । ମାତ୍ର ବିଡ଼ମ୍ୱନାର କଥା ଅଧିକାଂଶ ଶିଶୁ ଆଜି ଅବହେଳାର ପାତ୍ର । ଅନେକ କ୍ଷେତ୍ରରେ ସେମାନଙ୍କର ସ୍ଥିତି ଦୋଦୁଲ୍ୟମାନ ଓ ସୁରକ୍ଷା ସଙ୍କଟାପନ୍ନ । ନିଜ ଜୀବନ ଧାରଣ କରିବା ସେମାନଙ୍କ ପକ୍ଷରେ ଅସମ୍ଭବ ହୋଇ ପଡୁଛି । ବିକାଶ କଥା ପଚାରେ କିଏ ? ସେମାନେ ସେମାନଙ୍କର ଅଧିକାରରୁ ବଞ୍ଚିତ । ସଚେତନ ବ୍ୟକ୍ତିମାନେ ଏଥିପାଇଁ ଚିନ୍ତା ପ୍ରକଟ କଲେଣି । ଶିଶୁମାନଙ୍କୁ ସେମାନଙ୍କର ଅଧିକାର ମିଳୁ ବୋଲି ଚାରିଆଡ଼େ ତତ୍ପରତା ପ୍ରକାଶ ପାଇଲାଣି । ଶିଶୁର ଭବିଷ୍ୟତ ଉତ୍ତମ ଓ ଉଜ୍ଜ୍ୱଳ ହେଉ ବୋଲି ବିଶ୍ୱବାସୀ ଅନୁଭବ କଲେଣି । ଶିଶୁଟିଏ ଛୋଟ ହେଲେ ବି ତାକୁ ବୁଝିବା ବଡ଼ମାନଙ୍କ ପକ୍ଷେ ଏତେ ସହଜ କଥା ନୁହେଁ । ସେ କାହାକୁ ଡରେ, କେଉଁ ଖେଳ ଖେଳିବାକୁ ଚାହେଁ, କେଉଁମାନଙ୍କୁ ସେ ତା’ର ପ୍ରିୟ ସାଥୀ ବାଛେ, ଆଉ କାହାକୁ ଆଦର୍ଶ ଭାବି ନିଏ-ଶିଶୁ ପାଇଁ ଏତେ କଥା ଭାବିବାକୁ, ଅନେକ ଅଭିଭାବକଙ୍କ ପାଖରେ ସମୟ ନ ଥାଏ । ଖାଲି ଶିଶୁମାନଙ୍କର ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଅର୍ଥ ବିନିଯୋଗ କରିଦେଲେ ଚଳିବ ନାହିଁ, ସେମାନଙ୍କ ସମୟୋପଯୋଗୀ ଉପଯୁକ୍ତ ଯତ୍ନ ଓ ତତ୍ତ୍ୱାବଧାନ ଓ ଦିଗ୍‌ଦର୍ଶନ ଅତି ଜରୁରୀ । ଆଜିର ସଚେତନତା କାଲିର ବିକାଶ ପାଇଁ ପଥପ୍ରଦର୍ଶକ । ଏକ ସୁସ୍ଥ ପରିବେଶ ଶିଶୁଟିକୁ ଯେପରି ବିକଶିତ କରିଥାଏ, ଏକ ରୁଗ୍ଣ ପରିବେଶ ତା’ଠାରୁ ଅଧିକ ମାତ୍ରାରେ ବିକଳାଙ୍ଗ କରି ଗଢ଼ି ତୋଳିଥାଏ । ବିଶିଷ୍ଟ ମନୋବିଜ୍ଞାନୀ ୱାଟ୍‌ସନ୍‌ଙ୍କ ମତରେ- “ଶିଶୁର ପରିବର୍ତ୍ତନକୁ ନିୟନ୍ତ୍ରିତ କରି ଯେ କୌଣସି ସାଧାରଣ ଶିଶୁକୁ ଉପଯୁକ୍ତ ତାଲିମ ପ୍ରଦାନ କରି ତାକୁ ଯେ କୌଣସି କ୍ଷେତ୍ରରେ ଶ୍ରେଷ୍ଠ ବିଶେଷଜ୍ଞ କରି ହେବ । ଏପରିକି ତାକୁ ଡାକ୍ତର, ଓକିଲ, ଶିଳ୍ପୀ, ଶ୍ରେଷ୍ଠ ବଣିକ ଏବଂ ଭିକାରୀ ଚୋର ମଧ୍ୟ କରିହେବ । ଶିଶୁମାନେ ସମ୍ମୁଖୀନ ହେଉଥିବା ଜଟିଳତାର ସମାଧାନ ପାଇଁ ଆମେ କେତେ କ’ଣ କରିପାରିଛୁ ତାହା ଆକଳନ କରିବାର ସୁଯୋଗ ଆସିଛି ।”

ଶିଶୁମାନଙ୍କର ବିକାଶ ହେବା ଜରୁରୀ ବୋଲି କେବେଠୁଁ ଚିନ୍ତା କରାଗଲାଣି ? ପ୍ରତ୍ୟେକ ଶିଶୁ ସ୍ୱାଧୀନ ଭାବରେ ଜନ୍ମ ଗ୍ରହଣ କରିଛନ୍ତି । ସେମାନଙ୍କର ସମାନ ଅଧିକାର ଓ ବ୍ୟକ୍ତି ସ୍ୱତନ୍ତ୍ରତା ତଥା ଆତ୍ମସମ୍ମାନ ରହିଛି । ଶିଶୁର ଏକ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ଅଛି । ତା’ର ମଧ୍ୟ କିଛି ମାନବିକ ଅଧିକାର ରହିବା ଉଚିତ୍ । ଏ କଥା ବହୁଦିନ ପର୍ଯ୍ୟନ୍ତ କେହି ଚିନ୍ତା କରୁ ନଥିଲେ । ପ୍ରଥମ ବିଶ୍ୱଯୁଦ୍ଧ ପରେ (୧୯୨୪-୧୯୧୮, ନଭେମ୍ୱର) ଏକଥା ଅନୁଭବ କରାଗଲା ଯେ ଶିଶୁମାନେ ହେଉଛନ୍ତି ଜାତୀୟ ଜୀବନଧାରାର ମୂଳ ଉତ୍ସ । ଶିଶୁମାନଙ୍କ ମଧ୍ୟରେ ନିହିତ ଅଛି ରାଷ୍ଟ୍ର ତଥା ବିଶ୍ୱର ଭବିଷ୍ୟତ । କୋମଳ ଶିଶୁମାନଙ୍କ ମଧ୍ୟରେ ନିହିତ ସମ୍ଭାବନା ତାକୁ ପୌଗଣ୍ଡ ଓ କୈଶୋର ମଧ୍ୟ ଦେଇ ଆଗେଇ ନିଏ । ଅଙ୍କୁରିତ ଅବସ୍ଥାରୁ ନେଇ ମୁକୁଳିତ କରିବାରେ ତାହାକୁ କରିଥାଏ ପୁଷ୍ପିତ । ତାକୁ ଭଲ କରି ଗଢ଼ି ତୋଳିଲେ ଜାତି ଆପେ ଆପେ ଗଢ଼ି ହୋଇଯିବ । ପରିଣାମରେ ଶିଶୁ କଲ୍ୟାଣ ଦିଗରେ ପୃଥିବୀର ସମସ୍ତ ଦେଶ ଆଗଭର ହେଲେଣି । ଆନ୍ତର୍ଜାତିକ ସ୍ତରରେ ଶିଖର ସମ୍ମିଳନୀମାନ ଅନୁଷ୍ଠିତ ହେଲାଣି । ଜାତିସଂଘ ଅଧିନାୟକତ୍ୱରେ (ୟୁନାଇଟେଡ୍‌ ନେସନସ୍‌ ଇଣ୍ଟର୍‌ନେସନାଲ୍‌ ଚିଲ୍‌ଡ୍ରେନସ୍‌ ୱେଲ୍‌ଫେୟାର୍‌ ଫଣ୍ଡ୍ କିମ୍ବା UNICWF), ବିଶ୍ୱସ୍ୱାସ୍ଥ୍ୟ ସଂଗଠନ (ୱାର୍ଲଡ୍ ହେଲ୍‌ଥ ଅର୍ଗାନାଇଜେସନ୍-କିମ୍ବା WHO), ଆନ୍ତର୍ଜାତିକ ଶିକ୍ଷା, ବିଜ୍ଞାନ ଓ ସାଂସ୍କୃତିକ ସଂଗଠନ (ୟୁନାଇଟେଡ୍ ନେସନ୍ସ୍ ଏଜୁକେସନାଲ୍ ସାଇଣ୍ଟିଫିକ୍ ଆଣ୍ଡ୍ କଲ୍ଚରାଲ୍ ଅର୍ଗାନାଇଜେସନ୍ କିମ୍ବା UNESCO), ପୁନଃ ନିର୍ମାଣ ଓ ବିକାଶ ପାଇଁ ଆନ୍ତର୍ଜାତିକ ବ୍ୟାଙ୍କ୍ (ଇଣ୍ଟର୍‌ନେସନାଲ୍‌ ବ୍ୟାଙ୍କ୍‌ ଫର୍‌ ରିକନ୍‌ଷ୍ଟ୍ରକ୍‌ସନ୍‌ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ୍‌ କିମ୍ବା IBRD) ଓ ଅନେକ ସ୍ୱେଚ୍ଛାସେବୀ ସଂଗଠନ (ନନ୍-ଗଭର୍ଣ୍ଣମେଣ୍ଟ୍ ଅର୍ଗାନାଇଜେସନ୍ସ କିମ୍ବା NGOs) ଶିଶୁମାନଙ୍କର ବିକାଶ ଦିଗରେ କାର୍ଯ୍ୟ କରି ଚାଲିଛନ୍ତି । ୧୯୨୪ ମସିହାରେ ଜେନିଭାଠାରେ ମିଳିତ ଜାତିସଂଘର ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ତା’ର ଘୋଷଣା ପତ୍ରରେ ଶିଶୁମାନଙ୍କର ଅଧିକାର ସମ୍ପର୍କରେ କେତୋଟି କଥା କୁହାଯାଇଥିଲା । ଏହି ଅଧିକାରଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇ ଶିଶୁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ୧୯୫୬ ମସିହା ଡିସେମ୍ୱର ମାସ ଠାରୁ ଆନ୍ତର୍ଜାତୀୟ ସ୍ତରରେ ଶିଶୁ ଦିବସ ପାଳନ କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା । ସେହିଦିନଠାରୁ ଏହି ଦିନଟିକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ଆନ୍ତର୍ଜାତିକ ଶିଶୁ କଲ୍ୟାଣ ପାଣ୍ଠି ଉଦ୍ୟମ କରିଆସିଛି । ଜାତିସଂଘର ଆନୁକୂଲ୍ୟରେ ପ୍ରତିବର୍ଷ ପ୍ରାୟ ପୃଥିବୀରେ ଦେଢ଼ ଶହ ଦେଶ ଶିଶୁ ଦିବସ ପାଳନ କରି ଆସୁଛନ୍ତି ।

ଭାରତବର୍ଷରେ ଶିଶୁ ଦିବସ କେବେଠୁଁ ଆରମ୍ଭ ହେଲାଣି ? ସବୁ ଦେଶ ନିଜ ନିଜର ରୁଚି ଓ ସୁବିଧା ଅନୁସାରେ ବର୍ଷର ବିଭିନ୍ନ ଦିବସରେ ଏହା ପାଳନ କରିଥାନ୍ତି । ଏହି ନିଷ୍ପତ୍ତିକୁ ସମ୍ମାନ ଜଣାଇ ୧୯୫୬ ମସିହାରୁ ପ୍ରତିବର୍ଷ ନଭେମ୍ୱର ମାସ ୧୪ ତାରିଖ ଅର୍ଥାତ୍ ଆମର ପ୍ରଥମ ପ୍ରଧାନମନ୍ତ୍ରୀ ଶିଶୁବତ୍ସଳ ପଣ୍ଡିତ ଜବାହାରଲାଲ୍ ନେହେରୁଙ୍କ ଜନ୍ମଦିନଟିକୁ ଶିଶୁ ଦିବସ ରୂପେ ପାଳନ କରାଯାଉଛି । ନେହେରୁଙ୍କ ଶିଶୁମାନଙ୍କ ପ୍ରତି ଥିଲା ଅନାବିଳ ଶ୍ରଦ୍ଧା । ନେହେରୁ କହୁଥିଲେ ଆଜିର ଶିଶୁ ଆସନ୍ତାକାଲିର ବୟସ୍କ ବ୍ୟକ୍ତି । ଭବିଷ୍ୟର ନେତୃତ୍ୱ ନେବାରେ ଶିଶୁମାନେ ହିଁ ଅଧିକାରୀ । ଏ ବିଶ୍ୱ ଦିନେ ସେମାନଙ୍କର ହେବ । ତେଣୁ ସେମାନଙ୍କୁ ସୁଯୋଗ ଦେବାର ବର୍ତ୍ତମାନର ଶୈଶବ ହିଁ ଉପଯୁକ୍ତ ସମୟ । ଏହି ନିର୍ମାଣକ୍ଷମ ସମୟରେ ସେମାନଙ୍କର ସାମର୍ଥ୍ୟ ବଢ଼ାଇବାର, ସେମାନଙ୍କ ଦାୟିତ୍ୱବୋଧ ଓ ଆତ୍ମବିଶ୍ୱାସ ସୃଷ୍ଟି କରିବାର । ଶିଶୁମାନେ ସମ୍ମୁଖୀନ ହେଉଥିବା ମୌଳିକ ସମସ୍ୟା, ସେମାନଙ୍କର ଅଧିକାର ତଥା ସର୍ବାଙ୍ଗୀନ ବିକାଶ ଦିଗରେ ବୟସ୍କମାନଙ୍କୁ ସଚେତନ କରିବା ହେଉଛି ଏହି ଦିବସ ପାଳନର ତାତ୍ପର୍ଯ୍ୟ ।

ଜାତିସଂଘରେ ଶିଶୁମାନଙ୍କର କେଉଁ ମୌଳିକ ଅଧିକାର ଗୁଡ଼ିକ ସ୍ୱୀକୃତ ହୋଇଥିଲା ? ୧୯୮୬ ମସିହା ନଭେମ୍ୱର ୨୦ ତାରିଖକୁ ଆନ୍ତର୍ଜାତିକ ଶିଶୁ ଅଧିକାର ଦିବସ ରୂପେ ମାନ୍ୟତା ପ୍ରଦାନ କରାଯାଇଛି । ଏହି ତାରିଖରେ ଜାତିସଂଘର ସାଧାରଣ ବୈଠକରେ ଶିଶୁର ଚାରୋଟି ମୌଳିକ ଅଧିକାର ସଂକ୍ରାନ୍ତରେ ବିଶେଷ ଭାବରେ ଆଲୋଚନା କରାଯାଇଥିଲା । ଏହାର ପ୍ରଥମଧାରାରେ କୁହାଯାଇଛି ୧୮ ବର୍ଷରୁ କମ୍ ବୟସର ମାନବ ହିଁ ଶିଶୁ । ସେହି ଶିଶୁର ଯେଉଁ ଅଧିକାରଗୁଡ଼ିକ ସେଠାରେ ଗୃହୀତ ହୋଇଥିଲା ସେଗୁଡ଼ିକ ହେଉଛି- (୧) ବଞ୍ଚିବାର ଅଧିକାର, (୨) ସୁରକ୍ଷା ବା ନିରାପତ୍ତାର ଅଧିକାର, (୩) ଶିକ୍ଷା ଅଧିକାର ଓ (୪) ନିଜର ମତାମତ ପ୍ରକାଶ କରିବାର ଅଧିକାର । ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ବୟସ, ଭାଷା, ଅଭିବାବକ, ସମର୍ଥ, ଅସମର୍ଥ, ଜନ୍ମ ଓ ସ୍ତରଭେଦ ନିର୍ବିଶେଷରେ ସମସ୍ତ ଶିଶୁଙ୍କୁ ଏହି ଅଧିକାରଗୁଡ଼ିକ ପ୍ରାପ୍ତ କରାଇବା ପ୍ରତ୍ୟେକ ଦେଶ ଚେଷ୍ଟା କରିବେ ।

ବଞ୍ଚିବାର ଅଧିକାର : ୧୯୮୬ ମସିହାର ଜାତିସଂଘର ସାଧାରଣ ବୈଠକରେ “୬’ ଧାରାରେ ଉଲ୍ଲେଖ କରାଯାଇଛି (Every child has the inherent right to life and States Parties shall ensure to the maximum extent possible the survival and development of the child) ଯେ ପ୍ରତ୍ୟେକ ଶିଶୁର ବଞ୍ଚିବାର ଅଧିକାର ରହିଛି । ଏହା ତା’ର ଅନ୍ତର୍ନିହିତ । ଏହି ଅଧିକାରରୁ ଶିଶୁ ବଞ୍ଚିତ ହେବ ନାହିଁ । ଶିଶୁଟି ଜନ୍ମ ହେବା ମାତ୍ରେ ତା’ର ଜନ୍ମ ପଞ୍ଜୀକରଣ ହେବ ଏବଂ ତା’ର ନାମକରଣ କରାଯିବ । ତା’ର ପିତାମାତାଙ୍କୁ ଜାଣିବାର ତା’ର ଅଧିକାର ରହିଛି । ଜାତୀୟତା ଲାଭ କରିବା ପାଇଁ ମଧ୍ୟ ତା’ର ଅଧିକାର ଅନ୍ତର୍ଭୁକ୍ତ । ପିତାମାତାଙ୍କ ଦ୍ୱାରା ପାଳିତ ହେବା ଶିଶୁର ଅଧିକାର ଅଟେ । ଶିଶୁର ସାମଗ୍ରିକ ବିକାଶକୁ ତା’ର ବାପା ମା’ ବହୁଳ ଭାବରେ ପ୍ରଭାବିତ କରିଥାନ୍ତି । ମା’ର କୋମଳ ଆଲିଙ୍ଗନ ଭିତରେ ଶିଶୁ ବୁଝେ ଜୀବନର ଲଳିତ ପଦାବଳୀ, ପୁଣି ପିତାର ମଧୁର ଅନୁଶାସନ ଭିତରେ ସେ ଜୀବନର ବାସ୍ତବତା ସହ କ୍ରମେ କ୍ରମେ ପରିଚିତ ହୁଏ । ପରିବାରର ସ୍ନେହ ଆଦର ତଥା ଯତ୍ନ ଶିଶୁର ଜ୍ଞାନ ଆହରଣ ଭିତ୍ତିକୁ ମଜବୁତ୍ କରି ମଣିଷ ପରି ମଣିଷ ହେବାର ପଥକୁ ଉନ୍ମୁକ୍ତ କରାଇଥାଏ । ପ୍ରତ୍ୟେକ ଦେଶ ଜାତୀୟ ଆଇନ୍ ଗଢ଼ି ଶିଶୁର ଏହି ଅଧିକାରକୁ ସାବ୍ୟସ୍ତ କରି ପାରିବେ । ଶିଶୁଟି ଯେପରି ତା’ର ପରିଚୟ ଓ ପାରିବାରିକ ସମ୍ପର୍କ ବଜାୟ ରଖେ ତାହା ଦେଖିବା ପ୍ରତ୍ୟେକ ଦେଶର କର୍ତ୍ତବ୍ୟ ଅଟେ । ଯଦି ବେନିୟମ ଭାବରେ ଶିଶୁଟି ତା’ର ପରିଚୟରୁ ଆଂଶିକ ଭାବେ ବା ସମ୍ପୂର୍ଣ୍ଣ ଭାବେ ବଞ୍ଚିତ ହେଉଥାଏ ତେବେ ତା’ର ପରିଚୟକୁ ଫେରାଇ ଆଣିବା ପାଇଁ ଆବଶ୍ୟକ ହେଉଥିବା ସହାୟତା ଓ ସୁରକ୍ଷା ଦେଶ ଯଥାଶୀଘ୍ର ଯୋଗାଇ ଦେବ । ପୂର୍ବେ ଭୃଣହତ୍ୟାକୁ ବ୍ରହ୍ମହତ୍ୟାର ପାପ ବୋଲି ବିବେଚନା କରାଯାଉଥିଲା । ଏବେ ମାତୃଗର୍ଭରେ କନ୍ୟାଭୃଣ ସଞ୍ଚାର ହେବା ମାତ୍ରେ ଆନନ୍ଦ ବଦଳରେ ବିଷାଦ ଓ ଚିନ୍ତା ଗ୍ରାସି ଯାଉଛି । ଭୃଣରୁ କନ୍ୟା ରୂପ ଧାରଣ କରି ବାହାର ଦୁନିଆଁକୁ ଆସିବାରେ କନ୍ୟା ସନ୍ତାନର ଯେଉଁ ଅଧିକାର ତାହା ପିତାମାତାଙ୍କ ଦୟା ଉପରେ ନିର୍ଭର କରୁଛି । କାରଣ ଆମ ସମାଜ ଏବେ ମଧ୍ୟ ନାନା କୁସଂସ୍କାର ଓ ଅନ୍ଧବିଶ୍ୱାସରୁ ମୁକ୍ତ ନୁହେଁ । “ପୁତ୍ରାର୍ଥେ କ୍ରିୟତେ ଭାର୍ଯ୍ୟା ପିତୃପିଣ୍ଡ ପ୍ରୟୋଜନମ୍” ବୋଲି ମନୁ ଯେଉଁ କଥା କହିଛନ୍ତି ସେଥିରେ ବ୍ୟବହୃତ “ପୁତ୍ରାର୍ଥେ” ମଧ୍ୟରେ କନ୍ୟା ମଧ୍ୟ ଅନ୍ତର୍ଭୁକ୍ତ । କନ୍ୟା ମଧ୍ୟ ପୂର୍ବପୁରୁଷମାନଙ୍କୁ ପିଣ୍ଡ ଦେଇପାରିବ । କିନ୍ତୁ ଖାଲି ଅଶିକ୍ଷିତ ନୁହଁନ୍ତି ଶିକ୍ଷିତ ଲୋକମାନେ ମଧ୍ୟ ଏହି ସାମାଜିକ କୁସଂସ୍କାର ଦ୍ୱାରା ସଂକ୍ରମିତ । ନ ହେଲେ ବାହାରେ ପଡ଼ିଥିବା ଶିଶୁକନ୍ୟାମାନଙ୍କୁ କୁକୁରମାନେ ଏମିତି ଝିଣିଝିଣି ଖାଉ ନଥାନ୍ତେ ।

ପୁନଶ୍ଚ ଗ୍ରାମାଞ୍ଚଳରେ ଗମନାଗମନର ସେତେ ସୁବିଧା ନାହିଁ । ଡାକ୍ତରଖାନା ଓ ଡାକ୍ତର ସମସ୍ତଙ୍କ ପହୁଞ୍ଚ ଭିତରେ ନଥାନ୍ତି । ଗର୍ଭବତୀ ମହିଳା ଶିକ୍ଷିତା ଓ ସଚେତନ ହୋଇ ନଥିବାରୁ ଡାକ୍ତରଙ୍କ ପାଖକୁ ଯାନ୍ତି ନାହିଁ କିମ୍ୱା ଔଷଧ ଖାନ୍ତି ନାହିଁ । ମାତୃଗର୍ଭରେ ଶିଶୁଟି ୪୦ ସପ୍ତାହ ରହେ । ମାତୃଗର୍ଭରେ ଥିଲାବେଳେ ମଧ୍ୟ ସେ ତା’ର ମା’ର ଖାଦ୍ୟ, ସ୍ୱାସ୍ଥ୍ୟ ମାନସିକ ଅବସ୍ଥା ଦ୍ୱାରା ପରିଚାଳିତ ହୋଇଥାଏ । ମା’ର ସୁସ୍ଥ ମାନସିକତା ଶିଶୁ ପାଇଁ ନିହାତି ଆବଶ୍ୟକ । ମା’ ସୁସ୍ଥ ରହିଲେ ଜନ୍ମ ନେଉଥିବା ଶିଶୁଟି ମଧ୍ୟ ସୁସ୍ଥ ରହେ । ହିସାବରୁ ଜଣାପଡ଼ିଛି ଭାରତର ଶତକଡ଼ା ୪୦ ଭାଗ ଶିଶୁ ଅପୁଷ୍ଟିଜନିତ ରୋଗ ଭୋଗ କରୁଛନ୍ତି । ପାଞ୍ଚବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ ସ୍ୱଭାବିକ୍ ଓଜନ ଠାରୁ କମ୍ ଓଜନର ହେବା ଆମ ଦେଶରେ ଅଧିକ । ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ସୁଷମ ଖାଦ୍ୟ ଯୋଗାଇ ଦେଇ ପାରିଲେ ପ୍ରତିଦିନ (୪୦) ହଜାର ଶିଶୁଙ୍କର ପ୍ରାଣରକ୍ଷା ହୋଇ ପାରନ୍ତା ।

ଲୋକପ୍ରିୟ ଲେଖା

To Top