ପ୍ରବନ୍ଧ

ସୁଖ

Dr Gauranga Samantaray's odia prose Sukha

ତା’ର ଏତେ କୋଠାବାଡ଼ି, ଧନ ସମ୍ପତ୍ତି ଅଛି, ମୋ ଏତେ ନାହିଁ, ମୋର କେମିତି ତା’ ଅପେକ୍ଷା ଅଧିକ ହେବ । ଏହିପରି ଭାବନା ତ୍ୟାଗ କର । ଏହାକୁ ପାଇବାର ଯେଉଁ ବଳବତ୍ତର ଇଚ୍ଛା, ତା’ଦ୍ୱାରା ବ୍ୟକ୍ତି ବହୁତ ଅନୈତିକ କାର୍ଯ୍ୟ କରିବ ।

ସୁଖ

ଯାହାଦ୍ୱାରା ମନ ଆନନ୍ଦ, ପ୍ରଫୁଲ୍ଲ, ଶାନ୍ତି ଓ ଖୁସି ରହେ, ତାକୁ ସୁଖ କହନ୍ତି । ଏହା ୨ ପ୍ରକାରର –

୧. ସାଂସାରିକ ସୁଖ ।
୨. ପାରମାର୍ଥିକ ସୁଖ ।

ସାଂସାରିକ ସୁଖ :-

ଆମେ ସାଧାରଣତଃ ସାଂସାରିକ ସୁଖ ସ୍ୱାଚ୍ଛନ୍ଦ୍ୟ, ଧନସମ୍ପତ୍ତି, ପଦମର୍ଯ୍ୟାଦା, ନୀରୋଗତା, ବିଦ୍ୟା, ଜ୍ଞାନ, ଜ୍ଞାତିପରିଜନ ଓ ବିଳାସ ବ୍ୟସନକୁ ନେଇ ସୁଖର କଳ୍ପନା କରୁ । ଯାହାର ଉପରୋକ୍ତ ଜିନିଷଗୁଡ଼ିକ ଯେତେ ଅଧିକ, ସେ ନିଜକୁ ସେତେ ସୁଖୀ ମନକରେ । ତେଣୁ ସେ ସେବୁକୁ ବଢ଼ାଇବାରେ ଲାଗିଯାଏ । କିନ୍ତୁ ସେ ଯେତେ ଚାହିଁଲେ ମଧ୍ୟ ସବୁଗୁଡ଼ିକ ତା’ ମନମୁତାବକ ବୃଦ୍ଧିପ୍ରାପ୍ତ ହୁଏନାହିଁ । ବେଳେବେଳେ ବୃଦ୍ଧି ପରିବର୍ତ୍ତେ  ହ୍ରାସ ହୁଏ । ସେତେବେଳେ ସେ ଦୁଃଖରେ ଭାଙ୍ଗିପଡ଼େ । ସୁଖ ସାଗର ଖୋଜିବାକୁ ଯାଇ ଦୁଃଖ ସାଗରରେ ବୁଡ଼ିଯାଏ ।

ତଥାପି ସୁଖଶାନ୍ତି ପାଇଁ ସେ ବିଭିନ୍ନ ଭାବରେ ଚେଷ୍ଟା କରେ । ତା’ର ଧାରଣା ହୁଏ, ସୁଖ ସ୍ୱାଚ୍ଛନ୍ଦ୍ୟରେ ରହିବାରେ ପ୍ରକୃତ ସୁଖ ନିହିତ ଅଛି । ତେଣୁ ସେ ବହୁତଳ ବିଶିଷ୍ଟ ଅଟ୍ଟାଳିକା ନିର୍ମାଣ କରି ନାମୀଦାମୀ ମୋଟରକାର, ଟିଭି, ରେଫ୍ରିଜେରେଟର୍, ୱାସିଂ ମେସିନ୍, ଆକ୍ୱାଗାର୍ଡ, ଏୟାର୍ କଣ୍ଡିସନିଂ, କମ୍ପ୍ୟୁଟର, ଇଣ୍ଟରନେଟ୍ ଇତ୍ୟାଦି ବିଳାସବ୍ୟସନ ସାମଗ୍ରୀରେ ଗୃହକୁ ସୁସଜ୍ଜିତ କରେ, ତଥାପି ସେଥିରେ ତାକୁ ଆନନ୍ଦ ମିଳେନାହିଁ । ଆହୁରି ଅନେକ କିଛି ଅଭାବ ସେ ଅନୁଭବ କରେ । ତା’ ଅପେକ୍ଷା ଅନେକ ଲୋକଙ୍କର ଅଧିକ କୋଠାଘର ଓ ବିଳାସ ବ୍ୟସନ ସାମଗ୍ରୀ ଅଛି ଜାଣି ସେ ଦୁଃଖୀ ହୁଏ ।

ସେ ଭାବେ ସୁଖ କେବଳ ଧନସମ୍ପତ୍ତିରେ ଅଛି । ତେଣୁ ସେ ଅଧିକ ଧନପ୍ରାପ୍ତି ପାଇଁ ଲାଗିଯାଏ । କେତେବେଳେ କିଛି ଧନ ଲାଭ ହୁଏ ତ ଆଉ କେତେବେଳେ ଧନ ଲାଭ ହୁଏ ନାହିଁ । ତା’ର ସମସ୍ତ ଶକ୍ତି ସାମର୍ଥ୍ୟ ଖଟାଇଲେ ସୁଦ୍ଧା ଆଶାନୁରୂପ ଧନ ଲାଭ ହୁଏ ନାହିଁ । ତେଣୁ ସେ ଅନୁଭବ କରେ, ଧନ ତ ନାହିଁ ସୁଖ କୁଆଡୁ ଆସିବ ।

ବେଳେବେଳେ ସେ ପଦମର୍ଯ୍ୟାଦା ଉପରେ ଗୁରୁତ୍ୱ ଦେଇ ଭାବେ ଯେ ଜଣେ ଉଚ୍ଚପଦସ୍ଥ ଅଧିକାରୀ ହିଁ ପ୍ରକୃତରେ ସୁଖୀ । ନିଜେ ଯେଉଁ ପଦରେ ଥାଉ ନା କାହିଁକି, ତା’ ଉପରକୁ ବହୁତ ଉଚ୍ଚପଦସ୍ଥ କର୍ମଚାରୀ ଥାଆନ୍ତି । ତେଣୁ ଆଶା ଓ ଚେଷ୍ଟା କଲେ ମଧ୍ୟ ସେ ଅତି ଉଚ୍ଚପଦସ୍ଥ କର୍ମଚାରୀ ହୋଇପାରେ ନାହିଁ କିମ୍ୱା ଉଚ୍ଚପଦସ୍ଥ ଅଧିକାରୀଙ୍କ ସଂସ୍ପର୍ଶରେ ଆସି ସେ ଅନୁଭବ କରେ ସେମାନଙ୍କର ଅନେକ ଦୁଃଖ ଅସୁବିଧା ଅଛି । ସେମାନେ ମଧ୍ୟ ସୁଖୀ ନୁହଁନ୍ତି ।

ସେ ଭାବେ ସୁଖ ନୀରୋଗତାରେ ଅଛି । କିନ୍ତୁ ନୀରୋଗ ରହିବା ତାହାର କ୍ଷମତା ଓ ଚେଷ୍ଟାର ବାହାରେ । ଜୀବନକାଳ ମଧ୍ୟରେ ରୋଗ ରହିବା ହିଁ ରହିବ । ବୟସ, ସ୍ଥାନ କାଳ ଓ ଋତୁପରିବର୍ତ୍ତନ ସହିତ ରୋଗ ଲାଗି ରହିବ । କିଛି ନ ହେଲେ ବାର୍ଦ୍ଧକ୍ୟରେ ଦୁଃଖ ଭୋଗିବାକୁ ପଡ଼ିବ ।

ସେ ଭାବେ ବିଦ୍ୟା ହିଁ ସୁଖର କାରଣ । ସେ ବିଦ୍ୟାବାନ୍ ହେବା ପାଇଁ ଯତର୍ଶୀଳ ହୁଏ । କିନ୍ତୁ ଯତର୍ବାନ୍ ହେଲେ ଯେ ବିଦ୍ୱାନ୍ ହୋଇଯିବ ଏପରି ନୁହେଁ । ସେ ଅନୁଭବ କରେ ତା’ ଅପେକ୍ଷା ଅନେକ ବିଦ୍ୱାନ୍ ଅଛନ୍ତି, ତେଣୁ ସେଥିରେ ମଧ୍ୟ ପରିପୂର୍ଣ୍ଣତା ପାଇପାରେ ନାହିଁ ।

ସମୟ ସମୟରେ ସ୍ତ୍ରୀ, ପୁତ୍ର ଓ ଜ୍ଞାତିପରିଜନରେ ସୁଖ ଥିବାର ସେ ଭାବେ । ସର୍ବଗୁଣସମ୍ପନ୍ନା, ସୁନ୍ଦରୀ, ବିଦୁଷୀ, ମିଷ୍ଟଭାଷିଣୀ ସ୍ତ୍ରୀ ପାଇବାକୁ ସେ ଚେଷ୍ଟାକରେ । ଏହା ଆଦୌ ସମ୍ଭବ ହୁଏ ନାହିଁ । ସୁପୁତ୍ର ପାଇବାକୁ ଚେଷ୍ଟା କରେ । ଏହା ମଧ୍ୟ ତା’ ହାତର କଥା ନୁହେଁ ତେଣୁ ଏଥିରେ ମଧ୍ୟ ତା’ର ଆଶା ଅପୂର୍ଣ୍ଣ ରହେ ।

ବେଳେବେଳେ ଖାନଦାନୀ ବଂଶ ପରମ୍ପରାରେ ସୁଖ ନିହିତ ଥିବାର ସେ ଅନୁଭବ କରେ । କିନ୍ତୁ ତା’ ମଧ୍ୟ ଭୁଲ୍ ପ୍ରମାଣିତ ହୁଏ ।

ସେ ଭାବେ ମଦ, ମାଂସରେ ବୁଡ଼ି ରହିଲେ ପ୍ରକୃତ ସୁଖ ଶାନ୍ତି ମିଳିବ । ସେଥିରେ ସେ ଅସଫଳ ରହେ ।

ସମୟ ସମୟରେ ସେ ଭାବେ ଧନ, ବିଦ୍ୟା ଓ ଅନ୍ୟ କିଛିଗୁଣର ସମ୍ମିଶ୍ରଣରେ ସୁଖ ଅଛି, କିନ୍ତୁ ଏହା ସମ୍ଭବ ହୁଏନାହିଁ କିମ୍ୱା ହେଲେ ମଧ୍ୟ ସୁଖ ସେଥିରେ ଅନୁଭୂତ ହୁଏ ନାହିଁ ।

ବେଳେବେଳେ ସୁସ୍ୱାଦୁ ଭୋଜନରେ ସୁଖ ଥିବାର ଅନୁଭବ କରେ । କିନ୍ତୁ ଭୋଜନ ଯେ ସୁଖ ଦେଇପାରିବ ଏକଥା ତା’ ନିଜ ଅଭିଜ୍ଞତାରୁ ଭୁଲ୍ ପ୍ରମାଣିତ ହୁଏ ।

ଏହିପରି ଅନେକ ଭଦ୍ଭଟ ଭାବନା ତା’ ମନରେ ଉଙ୍କିମାରେ । କିନ୍ତୁ ସୁଖ ତାକୁ କେଉଁଠୁ ମିଳିଲା ଭଳି ଲାଗେ ନାହିଁ । ସବୁଥିରେ ସେ କିଛି ନା କିଛି ଅପୂର୍ଣ୍ଣତା ଅନୁଭବ କରେ । ସୁଖ ପଛରେ ଦୌଡ଼ି ଦୌଡ଼ି ସେ କେବଳ ଦୁଃଖ ହିଁ ପାଏ ।

ଛୋଟ ପିଲାଟି କଣ୍ଢେଇ ପାଇଁ ଅଝଟ କରେ । ତା’ ପାଇଗଲେ ସେ ଖୁସି । ତା’ର ବେଳେବେଳେ ବିଭିନ୍ନ ପ୍ରକାରର ରଙ୍ଗ ବେରଙ୍ଗ କଣ୍ଢେଇ ଦରକାର, ସେଥିରେ ତା’ର ଆନନ୍ଦ । ସେ ବଡ଼ ହୁଏ, ଯୌବନ ଆସେ । କଣ୍ଢେଇ ତାକୁ ଭଲ ଲାଗେ ନାହିଁ । ଅର୍ଥ ଓ ଯୌବନର ଚଳଚଞ୍ଚଳ ଭାବରେ ତା’ର ଆତ୍ମୀୟତା ଆସେ । ସେଥିରେ ସେ ସୁଖ ଅନୁଭବ କରେ ।

ଯୌବନ ପରେ ପୌଢ଼ତ୍ୱ ଆସେ । ଯୌବନର ଉଦ୍ଦାମତା କମିଯାଏ । ଧନ ସମ୍ପତ୍ତି କ୍ଷମତା, ଅର୍ଥ ଉପରେ ଗୁରୁତ୍ୱ ଆରୋପ କରେ । କିନ୍ତୁ ମନ ମୁତାବକ ଜିନିଷ ସେ ପାଏ ନାହିଁ । ଯଦି ବା ପାଏ, ପୂର୍ଣ୍ଣରୂପେ ପାଏ ନାହିଁ । ସେ ଦୁଃଖୀ ହୋଇପଡ଼େ । ସୁଖ କେଉଁଠି ଅଛି, ଖୋଜି ବୁଲେ । ଜୀବନସାରା ସୁଖ ପଛରେ ଧାଇଁ ଧାଇଁ ଦୁଃଖର ବୀଜ ବପନ କରେ । ତାକୁ ସୁଖ ମୃଗତୃଷ୍ଣା ଭଳି ପ୍ରତୀୟମାନ ହୁଏ । ସେ ବୁଝିପାରେ ନାହିଁ ସୁଖ କ’ଣ ? ସୁଖ କେଉଁଠୁ ମିଳିବ ? କିପରି ମିଳିବ ? ଏଥିପାଇଁ କ’ଣ କରିବାକୁ ପଡ଼ିବ ?

ସଂସାରରେ ଘରଦ୍ୱାର କରି ରହି ଶାସ୍ତ୍ରୋକ୍ତ ନୀତି ନିୟମ ପାଳନ ପୂର୍ବକ ସାଂସାରିକ ସୁଖ ଆହରଣ କରାଯାଇପାରେ । ସେଥିପାଇଁ ପ୍ରଥମେ ପୁତ୍ର ଓ ପତ୍ନୀଙ୍କୁ ସ୍ନେହଶ୍ରଦ୍ଧା ଦେଇ ନିଜେ କର୍ତ୍ତବ୍ୟ କର୍ମ କରିବାକୁ ହେବ । ସାଂସାରିକ ଜୀବନଯାପନରେ ଭଗବାନଙ୍କ ପ୍ରତି ଭକ୍ତି, ଶ୍ରଦ୍ଧା ଓ ବିଶ୍ୱାସ ଭାବ ରହିବା ଉଚିତ୍ । ମହାଭାରତ, ରାମାୟଣ, ଗୀତା, ଭାଗବତ, ବେଦ ଇତ୍ୟାଦି ଧର୍ମଗ୍ରନ୍ଥ ଶ୍ରଦ୍ଧା ସହିତ ପଢ଼ିବା ଉଚିତ୍ । ବଞ୍ଚି ରହିବା ପାଇଁ ଆବଶ୍ୟକ ହେଉଥିବା ଖାଦ୍ୟ, ବସ୍ତ୍ର, ବାସଗୃହ ଆଶାନୁରୂପ ହେବା ଆବଶ୍ୟକ । ବ୍ୟକ୍ତି ନିଜେ ନୀରୋଗ ହେବା ଆବଶ୍ୟକ । ସର୍ବୋପରି ଜୀବନ ଧାରଣ ପାଇଁ ଆବଶ୍ୟକ ଅର୍ଥ ସେ ଉପାର୍ଜନ କରୁଥିବ । ଶାସ୍ତ୍ରବିଧି ଅନୁସାରେ ସେ କର୍ତ୍ତବ୍ୟକର୍ମ କରୁଥିବ । ତାହାର ସତ୍ ଆଚାର, ସତ୍‌ଭାବନା, ସତ୍‌ବିଚାର ଥିବ । ପୁତ୍ର ନିଜର ବଶୀଭୂତ ହୋଇଥିବ । ମନ ଓ ବୁଦ୍ଧିକୁ ନିଜ ଆୟତ୍ତରେ ରଖୁଥିବ ।

– ନ୍ୟାୟ ଉପାର୍ଜିତ ଧନଦ୍ୱାରା ପରିବାରର ଭରଣ ପୋଷଣ କରୁଥିବ । ଧନର ସଦୂପଯୋଗ କରୁଥିବ ।
– ସୁଷମ ଖାଦ୍ୟ ଖାଉଥିବ ।
– ନିୟମ ପାଳନ ପୂର୍ବକ ସ୍ୱାସ୍ଥ୍ୟରକ୍ଷା କରୁଥିବ ।
– ପରିଷ୍କାର ପରିଚ୍ଛନ୍ନ ପୋଷାକ ପିନ୍ଧୁଥିବ ।
– ଚରିତ୍ରବାନ୍ ହୋଇଥିବ ।
– ଅତିଥି ସେବା, ପିତାମାତା ସେବା ଓ ଗୁରୁ ସେବା କରୁଥିବ ।
– ସମସ୍ତଙ୍କ ସହିତ ମୈତ୍ରୀଭାବ ରଖୁଥିବ ।
– ନିଷିଦ୍ଧ ଆଚରଣ ତ୍ୟାଗ କରୁଥିବ ।
– ରସନେନ୍ଦ୍ରିୟର ସ୍ୱାଦ ଉପରେ ନିୟନ୍ତ୍ରଣ ରଖୁଥିବ ।
– ପରନିନ୍ଦା, ଦେବାନିନ୍ଦା, ବେଦନିନ୍ଦା କରୁ ନଥିବ ।
– ପରୋପକାର କରୁଥିବ ।
– ସତ୍‌ଗ୍ରନ୍ଥ ପଠନ କରୁଥିବ ।
– ମାଦକ ଦ୍ରବ୍ୟ ସେବନ କରୁ ନଥିବ ।
– ସତ୍‌ସଙ୍ଗ କରୁଥିବ ।
– ଦୈନିକ ଜୀବନଯାପନ ଶାସ୍ତ୍ରୋଚିତ ଢଙ୍ଗରେ କରୁଥିବ ।
– ସାଧୁସନ୍ଥ, ମହାପୁରୁଷଙ୍କର ପଦାଙ୍କ ଅନୁସରଣ କରୁଥିବ ।
– କାମ, କ୍ରୋଧ ଓ ଲୋଭ ତ୍ୟାଗ କରୁଥିବ ।
– ସଦାସର୍ବଦା ପ୍ରସନ୍ନ ରହୁଥିବ ।
– ସତ୍ୟ, ପ୍ରିୟସ ମୃଦୁ ଓ ହିତକର ବଚନ କହୁଥିବ ।

ଉପରୋକ୍ତ ଉପାୟରେ ଜଣେ ସୁଖଶାନ୍ତି ପାଇ ପାଇବ । ଏସବୁ ସତ୍ତ୍ୱେ ପରମାନନ୍ଦ ଓ ପୂର୍ଣ୍ଣାନନ୍ଦଙ୍କର ଆଶ୍ରୟ ନେବା ପଡ଼ିବ ।

ନିମ୍ନ ୬ଟି ଜିନିଷ ମନୁଷ୍ୟକୁ ସାଂସାରିକ ସୁଖ ପ୍ରଦାନ କରେ ।

ଅର୍ଥାଗମଃ ନିତ୍ୟମରୋଗୀତା ଚ
ପ୍ରିୟା ଚ ଭାର୍ଯ୍ୟା, ପ୍ରିୟବାଦିନୀ ଚ,
ବଶ୍ୟ ଚ ପୁତ୍ରଃ, ଅର୍ଥକରୀ ଚ ବିଦ୍ୟା
ଏ ଷଟ୍ ଜୀବ ଲୋକସ୍ୟ ସୁଖାନି ରାଜନ୍ । – ବିଦୁରନୀତି- (ମହାଭାରତ)

(୧) ଅର୍ଥାଗମଃ :-

ଜଣକର ନିୟମିତ ଅର୍ଥ ରୋଜଗାର ହେଉଥିବ । ଅର୍ଥ ହେଉଛି ଏକ ମାଧ୍ୟମ ଯାହାଦ୍ୱାରା ଆବଶ୍ୟକୀୟ ଜିନିଷ ପତ୍ର କିଣାଯାଇ ପାରିବ । ଧନ ନ ଥିଲେ ତାହା ପୂରଣ ହୋଇ ପାରିବ ନାହିଁ । ଫଳରେ ମାନସିକ ସୁଖ ବ୍ୟାହତ ହେବ ।

(୨) ନିତ୍ୟମରୋଗୀତା :-

ସେ ସବୁବେଳେ ନୀରୋଗ ରହୁଥିବ । ରୋଗଗ୍ରସ୍ତ ହେଲେ ଶାରୀରିକ ତଥା ମାନସିକ ସ୍ୱାସ୍ଥ୍ୟ ବ୍ୟାହତ ହୁଏ । ସେ ଦୁଃଖକଷ୍ଟ, ଯନ୍ତ୍ରଣା ଅନୁଭବ କରେ । କିପରି ରୋଗରୁ ମୁକ୍ତି ପାଇବ, ବ୍ୟତିବ୍ୟସ୍ତ ହୋଇପଡ଼େ । ତେଣୁ ସାଧାରଣ ସୁଖ ସେ ପାଇପାରେନାହିଁ ।

(୩) ପ୍ରିୟା ଚ ଭାର୍ଯ୍ୟା :-

ସେ ତା’ର ସ୍ତ୍ରୀକୁ ଭଲ ପାଉଥିବ । ସ୍ତ୍ରୀ ମଧ୍ୟ ସ୍ୱାମୀକୁ ଭଲ ପାଉଥିବ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ଥିବ ।

(୪) ପ୍ରିୟ ବାଦିନୀ ଚ :-

ସ୍ତ୍ରୀ ମିଷ୍ଟଭାଷିଣୀ ହୋଇଥିବ । ମିଠା କଥାଦ୍ୱାରା ଦୁର୍ଦ୍ଦିନରେ ଦୁଃଖ ଲାଘବ କରୁଥିବ ଓ ସୁଦିନରେ, ଆନନ୍ଦ ସମୟରେ ସୁଖକୁ ଦ୍ୱିଗୁଣିତ କରୁଥିବ ।

(୫) ବଶ୍ୟ ଚ ପୁତ୍ରଃ :-

ପୁତ୍ର ନିଜ ବଶରେ ଥିବ । ମାତାପିତାଙ୍କର ଆଜ୍ଞାଧୀନ ଥିବ ।

(୬) ଅର୍ଥକାରୀ ଚ ବିଦ୍ୟା :-

ବ୍ୟକ୍ତି ଆୟତ୍ତ କରିଥିବା ବିଦ୍ୟା ଅର୍ଥକରୀ ହୋଇଥିବା ଅର୍ଥାତ୍ ବିଦ୍ୟାଦ୍ୱାରା ସେ ଧନ ଉପାର୍ଜନ କରିପାରୁଥିବ ।

ପୁଣି ମଧ୍ୟ କୁହାଯାଇଛି-

ଭୋଜ୍ୟ ଭୋଜନଶକ୍ତିଃ ରତିଶକ୍ତିଃ, ବରାଙ୍ଗନା ।
ବିଭବଃ, ଦାନଶକ୍ତିଃ ଚ ନାଳ୍ପସ୍ୟ ତପସ୍ୟ ଫଳମ୍ ।।

(କ) ଭୋଜ୍ୟ – ସୁଖାଦ୍ୟ :-

ବ୍ୟକ୍ତି ସୁଖ ପାଇବାକୁ ହେଲେ ତା’ର ପ୍ରାଥମିକ ଆବଶ୍ୟକତା ଭଲ ଖାଦ୍ୟ ତଥା ସେ ସୁଷମ ଖାଦ୍ୟ ଖାଉଥିବ । ଖାଦ୍ୟାଭାବ ହେଲେ ସେ ରୋଗଗ୍ରସ୍ତ ହେବ ଓ ତା’ର ସୁଖ ଶାନ୍ତି ବ୍ୟାହତ ହେବ ।

(ଖ) ଭୋଜନ ଶକ୍ତିଃ :-

ଖାଦ୍ୟକୁ ହଜମ କରିବାର ସାମର୍ଥ୍ୟ ସୁଖାଦ୍ୟ ମିଳୁଥିଲେ ସୁଦ୍ଧା ଯଦି ତା’ର ହଜମ କରିବାର ଶକ୍ତି ସାମର୍ଥ୍ୟ ନ ଥାଏ, ତା’ହେଲେ ମଧ୍ୟ ଶାନ୍ତି ବ୍ୟାହତ ହେବ । ପାକସ୍ଥଳୀ, ଯକୃତ ଇତ୍ୟାଦି ଜନିତ ରୋଗରେ ହଜମ କରିବା ଶକ୍ତି କମିଯାଏ, ତେଣୁ ତାକୁ ଶାନ୍ତି ଲାଗେ ନାହିଁ ।

(ଗ) ରତି ଶକ୍ତି- କାମ ଭାବ :-

ସ୍ତ୍ରୀଙ୍କର ଯଦି ରତି ଶକ୍ତି ନଥାଏ, ସ୍ୱାମୀକୁ ସେ ଆନନ୍ଦ ଦେଇପାରେ ନାହିଁ । ଫଳତଃ ମାନସିକ ଶାନ୍ତି ମିଳେନାହିଁ ।

(ଘ) ବରାଙ୍ଗନା- ସୁ ସହଧର୍ମିଣୀ :-

ଯଦି ସହଧର୍ମିଣୀ ଭଲ ହୋଇ ନ ଥାଏ, ଗୃହରେ ବିଭିନ୍ନ ପ୍ରକାରର ଅଶାନ୍ତି ଲାଗି ରହିବ । ଯଦି ସେ ମିଷ୍ଟ ଭାଷିଣୀ ହୋଇ ନଥିବ କିମ୍ୱା ବ୍ୟବହାର ଭଲ କରୁ ନ ଥିବ କିମ୍ୱା ସନ୍ତାନମାନଙ୍କର ଠିକ୍ ଯତ୍ନ ନେଉ ନଥିବ, ତା’ହେଲେ ସ୍ୱାମୀ ଅଶାନ୍ତ ହେବେ । ତେଣୁ ଉତ୍ତମ ବୁଝାମଣା ସହିତ ପରିବାର ଚଳେଇବାକୁ ସବୁ ସଦଗୁଣ ଥିବା ଦରକାର ।

(ଙ) ବିଭବୋ-ଧନ :-

ସାଂସାରିକ ସୁଖ ସ୍ୱାଚ୍ଛନ୍ଦ୍ୟ ପାଇଁ ଧନର ନିତାନ୍ତ ଆବଶ୍ୟକତା ଅଛି । ଖାଦ୍ୟ, ବସ୍ତ୍ର, ବାସଗୃହ ଓ ଅନ୍ୟାନ୍ୟ ଉପକରଣ କିଣିବା ପାଇଁ ଓ ସ୍ୱାସ୍ଥ୍ୟରକ୍ଷା ପାଇଁ ଧନ ଦରକାର ।

(ଚ) ଦାନ ଶକ୍ତିଃ :-

ଦାନ ଦେବାରେ ଯେଉଁ ଆନନ୍ଦ, ନେବାରେ ତା’ ନ ଥାଏ ନିଜେ ସୁଖୀ ହେବା ପାଇଁ ଅନ୍ୟମାନଙ୍କୁ ସୁଖ ଦିଅ । ଅନ୍ୟମାନଙ୍କୁ କିଛି ଦାନ ଦିଅ ।

ତେଣୁ ସୁଖାଦ୍ୟ ପାଇବା, ଭଲ ହଜମଶକ୍ତି ଥିବ, ଭଲ ରତିଶକ୍ତି ଥିବା ଭଲ ସ୍ତ୍ରୀ ପାଇବା, ବହୁତ ଧନ ଥିବା ଓ ଦାନ ଦେବାର ଶକ୍ତିଥିବା ଇତ୍ୟାଦି ଅନେକ ତପସ୍ୟାର ଫଳ ଅନ୍ୟ ଅର୍ଥରେ ଉପରୋକ୍ତ ୬ଟି ଗୁଣର ଅଧିକାରୀ ହୋଇଥିଲେ ଜଣେ ସୁଖୀ ହୋଇପାରିବ ।

ଆହୁରି ମଧ୍ୟ ମହାଭାରତରେ କୁହାଯାଇଛି-

– ନୀରୋଗତା
– ଋଣହୀନତା
– ସ୍ୱଦେଶରେ ରହିବା
– ସତ୍ସଙ୍ଗ
– ଅନୁକୂଳ ଜୀବିକା
– ଭୟ ରହିତ ସ୍ଥାନରେ ରହିବା

ଇତ୍ୟାଦି ୬ଟି ଜିନିଷ ମନୁଷ୍ୟକୁ ସୁଖୀ କରାଏ ।

ସାନନ୍ଦଂ ସଦନଂ ସୁତାଶ୍ଚ ସୁଧିୟଃ କାନ୍ତା ମନୋହାରିଣୀ ।
ସନ୍ମିତ୍ରଂ ସୁଧନଂ ସ୍ୱୟୋଷିତ ରତିଃ ସେବାରତାଃ ସେବକାଃ ।।
ଆତିଥ୍ୟ ସୂର ପୂଜନଂ ପ୍ରତିଦିନଂ ମିଷ୍ଟାନ୍ନଂ ପାନଂ ଗୃହେ ।
ସାଧୋଃ ସଙ୍ଗ ଉପାସନା ଚ ସତତଂ ଧନ୍ୟୋ ଗୃହାସ୍ଥାଶ୍ରମଃ ।। (ସୁକ୍ତି ସୁଧାକର)

– ଘର ଆନନ୍ଦରେ ପରିପୂର୍ଣ୍ଣ ହୋଇଥିବ ।
– ପିଲାମାନେ ସଦ୍‌ଗୁଣ ସମ୍ପନ୍ନ ହୋଇଥିବେ ।
– ସ୍ତ୍ରୀ ମନୋହାରିଣୀ ହୋଇଥିବ ।
– ସତ୍ ମିତ୍ର ଥିବେ ।
– ସଦୁପାର୍ଜନ ଧନ ଥିବ ।
– ଧର୍ମପତ୍ନୀଙ୍କଠାରେ ରତିଭାବ ଥିବ ।
– ଭୃତ୍ୟ ଆଜ୍ଞାପାଳକ ହୋଇଥିବ ।
– ପ୍ରତିଦିନ ଘରେ ଆତିଥ୍ୟ ଓ ଦେବପୂଜନ ହେଉଥିବ ।
– ପ୍ରତିଦିନ ଘରେ ସାଧୁସଙ୍ଗ ଓ ଭଗବାନ୍‌ଙ୍କ ଉପାସନା ହେଉଥିବ ।
– ପ୍ରତିଦିନ ମିଷ୍ଟାନ୍ନ ପାନ ହେଉଥିବ ।

ଏହିପରି ଗୃହାସ୍ଥାଶ୍ରମ ଧନ୍ୟ ଅଟେ ।

ଯଃ ଶାସ୍ତ୍ରବିଧିମୁତ୍ସୃଜ୍ୟ ବର୍ତ୍ତତେ କାମ କାରତଃ ।
ନ ସ ସିଦ୍ଧମବାପ୍ନୋତି ନ ସୁଖଂ ନ ପରାଂ  ଗତିମ୍ ।। (ଗୀତା)

ଯେଉଁ ପୁରୁଷ ଶାସ୍ତ୍ରର ନିୟମ ପରିତ୍ୟାଗ କରି ନିଜ ଇଚ୍ଛାରେ ମନୋମୁଖୀ ଆଚରଣ କରେ, ସେ ସିଦ୍ଧି ପାଏ ନାହିଁ କି ପରମଗତି ପାଏ ନାହିଁ କି ସୁଖମଧ୍ୟ ପାଏ ନାହିଁ ।

ତସ୍ମାତ୍ ଶାସ୍ତ୍ରଂ ପ୍ରମାଣଂ ତେ କାର୍ଯ୍ୟାକାର୍ଯ୍ୟ ବ୍ୟବସ୍ଥିତୌ ।
ଜ୍ଞାତ୍ୱା ଶାସ୍ତ୍ର ବିଧାନୋକ୍ତଂ  କର୍ମ କତ୍ତୁମିହାର୍ହସି ।।

ତେଣୁ ତୁମର କାର୍ଯ୍ୟ ଓ ଅକାର୍ଯ୍ୟ ନିର୍ଣ୍ଣୟରେ ଶାସ୍ତ୍ର ହିଁ ପ୍ରମାଣ । ଏପରି ଜାଣି ତୁମେ ଶାସ୍ତ୍ରବିଧିଦ୍ୱାରା ନିୟତ କର୍ମ କରିବା ଉଚିତ୍ ।

ସାଧୁସନ୍ଥ ଓ ମହାପୁରୁଷମାନଙ୍କର ଆଚରଣ, ଆଦର୍ଶ ଓ ବଚନ ହିଁ ଶାସ୍ତ୍ରୀୟ ସିଦ୍ଧାନ୍ତର ଅନୁରୂପ । ତେଣୁ ମନୋମୁଖୀ ଢଙ୍ଗରେ କର୍ତ୍ତବ୍ୟ ଅକର୍ତ୍ତବ୍ୟ ନିର୍ଣ୍ଣୟ କରିବା ଠିକ୍ ନୁହେଁ । ଯାହା କିଛି କରିବାକୁ ହେଲେ ଶାସ୍ତ୍ରର ନିୟମ କାନୁନ୍ ଜାଣି ଶାନ୍ତ୍ରନୁମୋଦିତ କର୍ମ କରିବା ଉଚିତ୍ ।

ତେଣୁ ପ୍ରକୃତ ସୁଖ କ’ଣ ଓ ତୁମେ କିପରି ପାଇବ, ତାହା ଶାସ୍ତ୍ରମାନଙ୍କରେ ବର୍ଣ୍ଣିତ ହୋଇଛି । ତେଣୁ ଶାସ୍ତ୍ରୋଚିତ ସୁଖପାଇଁ ତୁମେ ଯତ୍ନବାନ୍ ହୁଅ ।

ସର୍ବଦା ସନ୍ତୋଷ ରହିବାକୁ ଚେଷ୍ଟା କର । ସୁଖ-ଦୁଃଖ, ହାନି-ଲାଭ, ଯଶ-ଅପଯଶ, ଜୟ-ପରାଜୟ, ମାନ-ଅପମାନ, ସଂଯୋଗ-ବିୟୋଗରେ ଯେ ସନ୍ତୁଷ୍ଟ ରହେ, ସେ ପ୍ରକୃତରେ ସୁଖୀ ।

ଆଦର୍ଶ ଗୃହୀ :-

ଗାର୍ହସ୍ଥ୍ୟ ଜୀବନରେ ସୁଖରେ ରହିବାକୁ ହେଲେ ଦେବ ଦେବ ମହାଦେବଙ୍କର ପଦାଙ୍କ ଅନୁସରଣ କର ।

ଦେବଦେବ ମହାଦେବ ନିଜେ ଜଟାଧାରୀ, ନୀଳକଣ୍ଠ, ଭସ୍ମପୂର୍ଣ୍ଣ ଅଙ୍ଗରାଗ, ସର୍ପ ବିଭୂଷିତ, ଭୋଳାନାଥ, ଭୂତନାଥ, ଶ୍ମଶାନବାସୀ ।

ପତ୍ନୀପାର୍ବତୀ- ଅପରୂପା, ଲାବଣ୍ୟମୟୀ, ମଣିମୁକ୍ତା ଅଳଙ୍କାରରେ ବିଭୂଷିତା, ଅନ୍ନପୂର୍ଣ୍ଣା, ସିଂହବାହିନୀ ।

ଜ୍ୟେଷ୍ଠପୁତ୍ର କାର୍ତ୍ତିକେୟ- କନ୍ଦପସମ ରୂପ ଲାବଣ୍ୟ, ସଦା ଯୁଦ୍ଧପ୍ରିୟ, ଶୂରବୀର ।

କନିଷ୍ଠପୁତ୍ର- ବିଦ୍ୟାପତି, ଗଣପତି, ଗଜାନନ, ଲମ୍ୱୋଦର, ଖର୍ବକାୟ, ଶାନ୍ତିପ୍ରିୟ ।

ସ୍ୱାମୀ, ସ୍ତ୍ରୀ, ପୁତ୍ର ସମସ୍ତେ ବିପରୀତଧର୍ମୀ । ପୁନଶ୍ଚ ଗୃହପତି ଶିବଙ୍କ ବାହନ ବୃଷଭ, ପାର୍ବତୀଙ୍କ ବାହନ ସିଂହ, କାର୍ତ୍ତିକେୟଙ୍କର ବାହନ ମୟୂର, ଗଣପତିଙ୍କର ବାହନ ମୂଷିକ । ସମସ୍ତେ ପରସ୍ପରର ଶତ୍ରୁ  । ସମସ୍ତ ବିପରୀତ ଧର୍ମ ଓ ଶତ୍ରୁତା ସତ୍ତ୍ୱେ ପରିବାରର ଗୃହପତି ଦେବ ଦେବ ମହାଦେବଙ୍କର ଛତ୍ରଛାୟାତଳେ ସ୍ତ୍ରୀ, ପୁତ୍ର ଓ ବାହନମାନେ ସୁଖଶାନ୍ତିରେ ବସବାସ କରୁଛନ୍ତି ।

ସନ୍ତୁଳିତ ଓ ସଂଯମିତ ଜୀବନଯାପନ କର । ନିଜର କାମନା ଓ ମହତ ଆକାଂକ୍ଷା ଉପରେ ଲଗାମ ଲଗାଅ । ଅନ୍ୟମାନଙ୍କ ସହିତ ନିଜକୁ ତୁଳନା କରନାହିଁ । ତା’ର ଏତେ କୋଠାବାଡ଼ି, ଧନ ସମ୍ପତ୍ତି ଅଛି, ମୋ ଏତେ ନାହିଁ, ମୋର କେମିତି ତା’ ଅପେକ୍ଷା ଅଧିକ ହେବ । ଏହିପରି ଭାବନା ତ୍ୟାଗ କର । ଏହାକୁ ପାଇବାର ଯେଉଁ ବଳବତ୍ତର ଇଚ୍ଛା, ତା’ଦ୍ୱାରା ବ୍ୟକ୍ତି ବହୁତ ଅନୈତିକ କାର୍ଯ୍ୟ କରିବ । ତେଣୁ ଆମକୁ ସଦ୍ ବିଚାର, ସତ୍ ବ୍ୟବହାର ଓ ସକାରାତ୍ମକ ଦୃଷ୍ଟିକୋଣ ଆପଣେଇବାକୁ ପଡ଼ିବ ।

ଲୋକପ୍ରିୟ ଲେଖା

To Top