ପ୍ରବନ୍ଧ

ସୁଖ- ଏକ ମାନସିକ ଅବସ୍ଥା

Dr Gauranga Samantaray's odia prose Sukha Eka Maanasika Abasthaa

ଭାବୁଥିଲା ତା’ହେଲେ ପରିବେଶର ମାଧୁରିମା ଅସରନ୍ତି ସୁଖ ଶାନ୍ତି ଦେଇପାରେ, ମନକୁ ପ୍ରଫୁଲ୍ଲିତ କରିପାରେ ଓ ହୃଦୟ ତନ୍ତ୍ରୀରେ ବୀଣାର ରିମ୍‌ଝିମ୍ ଝଙ୍କାର ସୃଷ୍ଟି କରିପାରେ ।

ସୁଖ- ଏକ ମାନସିକ ଅବସ୍ଥା

ଏକଦା ଜଣେ ଅତି ଦରିଦ୍ର ଲୋକ ଥିଲା । ଘରେ ସ୍ତ୍ରୀ ଓ ତିନୋଟି ପିଲା । ମାସର ଅଧିକାଂଶ ଦିନ ଦୁଃଖରେ କଟେ । ଦିନେ ଦିନେ ସେ କିଛି ରୋଜଗାର କରେ । ସେଦିନ ପିଲାମାନଙ୍କର ଭାରି ଖୁସି । ମାସରେ ଦିନେ ଦିନେ ଭଲ ରୋଜଗାର ହୁଏ, ସେଦିନ ସେମାନେ ସୁସ୍ୱାଦୁ ଭୋଜନ କରନ୍ତି । ଆନନ୍ଦରେ ଫାଟି ପଡ଼ନ୍ତି । ପେଟ ଭରି ଖାଆନ୍ତି । ତା’ପରେ ପୁଣି ଯେଉଁ ଦୁଃଖକୁ ସେଇ ଦୁଃଖ !

ଥରେ ଲୋକଟି ୨/୩ ଦିନ ଧରି ବିଶେଷ କିଛି ଖାଇ ନଥିଲା । ପିଲା ସମସ୍ତେ ଉପାସ । ସ୍ତ୍ରୀଠାରୁ ଗାଳିଗୁଲଜ ଖାଇ ଘର ଛାଡ଼ି ଗାଁ ଶେଷ ମୁଣ୍ଡ ବରଗଛ ପାଖ ନଈକୂଳକୁ ଚାଲି ଆସିଲା । ମନରେ ଅନେକ ଗ୍ଳାନି, କଷ୍ଟ ଓ ଦୁଃଖ । ଆତ୍ମହତ୍ୟା କରିଦେଲେ ଭଲ ହୁଅନ୍ତା ।

ସନ୍ଧ୍ୟା ସମୟ । ବାସନ୍ତୀ ସନ୍ଧ୍ୟାର ମୃଦୁ ମନ୍ଦ ସମୀରଣ । ଆକାଶରେ ପୂର୍ଣ୍ଣମୀର ଚନ୍ଦ୍ରମା । ଜ୍ୟୋତ୍ସ୍ନା ବିଧୌତ ବାୟୁମଣ୍ଡଳ । ପକ୍ଷୀମାନଙ୍କର ମଧୁର କାକଳୀ ତା’ ମନକୁ ଛୁଇଁ ଛୁଇଁ ଯାଉଛି । ପାଖ ଦେଇ ବହି ଯାଉଥିବା ନଦୀର କୁଳୁ କୁଳୁ ନାଦ ସହ ନୀଳ ପାଣିରେ ଜ୍ୟୋତ୍ସ୍ନା ପ୍ରତିଫଳିତ । ଅନତି ଦୂର ମନ୍ଦିରରୁ ଭାସି ଆସୁଛି ଶଙ୍ଖ ଘଣ୍ଟାର ମଧୁର ମୂର୍ଚ୍ଛନା ସହ ଏକ ଦୀନ ଭକ୍ତର ଅଭିମାନ ଭରା କରୁଣ ଭଜନ । ଏକ ଅଫୁରନ୍ତ ଆନନ୍ଦ ଓ ଅସରନ୍ତି ସୁଖର ଆତିଶଯ୍ୟରେ ଉତ୍ଫୁଲ୍ଲିତ ହେଉଛି ଲୋକଟି । ଆତ୍ମହତ୍ୟା କରିବାର ଯୋଜନା କାହିଁ କୁଆଡ଼େ ହଜିଗଲାଣି । ଭୋକ ଉପାସରେ ଜ୍ୱାଳାର ଲେଶମାତ୍ରା ନାହିଁ । ମନରେ ଖାଲି ଆନନ୍ଦ ହିଁ ଆନନ୍ଦ । ଲୋକଟି ଚାହିଁ କରି ମଧ୍ୟ ଟିକେ ମନ ଦୁଃଖ କରିପାରୁ ନ ଥିଲା । ଏ ସୁନ୍ଦର ପରିବେଶ ତାକୁ ମନ୍ତ୍ରମୁଗ୍ଧ କରି ଦେଇଥିଲା । ସେଠି ଭୋକ ଉପାସର ଯନ୍ତ୍ରଣା ନ ଥିଲା କିମ୍ୱା ଆତ୍ମହତ୍ୟା ନିଷ୍ପତ୍ତିର କୌଣସି ସତ୍ତା ନ ଥିଲା । କେବଳ ପରିପୂର୍ଣ୍ଣ ଆନନ୍ଦ ଓ ଶାନ୍ତି ତାକୁ ଘେରି ରହିଥିଲା । ଭାବୁଥିଲା ତା’ହେଲେ ପରିବେଶର ମାଧୁରିମା ଅସରନ୍ତି ସୁଖ ଶାନ୍ତି ଦେଇପାରେ, ମନକୁ ପ୍ରଫୁଲ୍ଲିତ କରିପାରେ ଓ ହୃଦୟ ତନ୍ତ୍ରୀରେ ବୀଣାର ରିମ୍‌ଝିମ୍ ଝଙ୍କାର ସୃଷ୍ଟି କରିପାରେ । ସୁଖଶାନ୍ତି କ’ଣ ଏକ ମାନସିକ ଅବସ୍ଥା ତା’ହେଲେ ଦୁଃଖ କଷ୍ଟ, ଭୋକ ଉପାସ, ଅପମାନ, ପରାଜୟ, କ୍ଷତି, ବିୟୋଗରେ ମନର ଅବସ୍ଥାକୁ ମୁଁ ସୁଖଶାନ୍ତିର ଅବସ୍ଥାକୁ ନ ଆଣିବି କାହିଁକି ?

ଲୋକପ୍ରିୟ ଲେଖା

To Top