ପ୍ରବନ୍ଧ

ସୁଖର ଜାମା

Dr Gauranga Samantaray's odia prose Sukhara Jaamaa

ସେ ଯଦି ଜଣେ ସୁଖୀ ଲୋକର ଜାମା ପିନ୍ଧି ପାରିବେ, ତା’ହେଲେ ସେ ସୁଖୀ ହେବେ ।

ସୁଖର ଜାମା

ଏକଦା ଜଣେ ରାଜା ଥିଲେ । ରାଜ୍ୟ ପରିଚାଳନା କାର୍ଯ୍ୟରେ ବ୍ୟସ୍ତ ରହି ନିଜ ବିଷୟରେ ଚିନ୍ତା କରିବାକୁ ବେଳ ପାଉ ନଥିଲେ । ଥରେ ସେ ମନକୁ ମନ ଚିନ୍ତା କଲେ, ମୁଁ ତ ସବୁବେଳେ ରାଜ କାର୍ଯ୍ୟରେ ବ୍ୟସ୍ତ, ତେଣୁ ସୁଖୀ ହୋଇ ପାରୁନାହିଁ । କିପରି ସୁଖୀ ହୋଇପାରିବି ?

ସେ ରାଜ୍ୟର ସମସ୍ତ ସୁଖୀ ଲୋକମାନଙ୍କୁ ଡକାଇ ପଠାଇଲେ ଓ ସୁଖୀ ରହିବାକୁ ହେଲେ ମୋତେ କ’ଣ କରିବାକୁ ପଡ଼ିବ ? ସମସ୍ତେ କହିଲେ ଆମର ମଧ୍ୟ କିଛି କିଛି ଦୁଃଖ ଅଛି । କିଏ କହିଲା, ମୋର ସବୁ ସୁଖ କିନ୍ତୁ ମୋର ପୁତ୍ର ନାହିଁ । କିଏ କହିଲା ମୋର ସବୁ ସୁଖ ଯେ କିନ୍ତୁ ମୋର ପତ୍ନୀ ବିୟୋଗ ହୋଇଛି, ସେଥିପାଇଁ କିଛି ଦୁଃଖ । କିଏ କହିଲା ମୋର ସବୁ ସୁଖ ଯେ କିନ୍ତୁ ମୋର ପତ୍ନୀ ବିୟୋଗ ହୋଇଛି, ସେଥିପାଇଁ କିଛି ଦୁଃଖ । କିଏ କହିଲା ମୋର ସବୁ ସୁଖ ଯେ, ସମୟ ସମୟରେ ମୁଁ ରୋଗାକ୍ରାନ୍ତ ହେଉଛି । କିଏ କହିଲା, ସବୁ ସୁଖ ଯେ ମୋର ବିଦ୍ୟା କମ୍ ଥିବାରୁ ଟିକେ ମନ ଦୁଃଖ । କିଏ କହିଲା, ସବୁ ସୁଖ ଯେ ପୁଅମାନେ ମୋତେ ମାନୁ ନାହାନ୍ତି । ଏହିପରି ସମସ୍ତେ ସୁଖ ସହିତ ଦୁଃଖ ଅଛି ବୋଲି କହିଲେ । ରାଜା ବ୍ୟସ୍ତ ହୋଇ ପଡ଼ିଲେ ଏତେ ବଡ଼ ରାଜ୍ୟରେ ଜଣେ ହେଲେ ସୁଖୀ ଲୋକ ନାହାନ୍ତି ।

ସୁଖୀ ହେବାର ସ୍ୱପ୍ନ ଦେଖି ଦେଖି ରାଜା ରୁଗ୍ଣ ହୋଇ ପଡ଼ିଲେ । ସର୍ବ ଶେଷରେ ଜଣେ ସାଧୁ ତାଙ୍କୁ ଉପଦେଶ ଦେଲେ, “ସେ ଯଦି ଜଣେ ସୁଖୀ ଲୋକର ଜାମା ପିନ୍ଧି ପାରିବେ, ତା’ହେଲେ ସେ ସୁଖୀ ହେବେ ।”

ରାଜା ଚତୁର୍ଦ୍ଦିଗକୁ ଦୂତ ପ୍ରେରଣ କଲେ । ଶେଷରେ ଦୂତମାନେ ଜଣେ ସୁଖୀ ଲୋକର ସନ୍ଧାନ ପାଇଲେ, ଯେ ମଧୁର ସ୍ୱରରେ ବଂଶୀବାଦନ କରି ଗୀତଟିଏ ଗାଉଥିଲା, ଯେ ମୁଁ ପୃଥିବୀର ସର୍ବଶ୍ରେଷ୍ଠ ସୁଖୀ । ଦୂତମାନେ ତାଙ୍କୁ ରାଜାଙ୍କ ପାଖକୁ ନେଇ ଆସିଲେ । ରାଜା ତାକୁ ତା’ର ଜାମା ମାଗିଲେ । ଲୋକଟି ଉତ୍ତରରେ କହିଲା- ମୁଁ ପୂର୍ଣ୍ଣ ସୁଖୀ ବହୁତ ଆନନ୍ଦରେ ଅଛି, ଦୁଃଖ କ’ଣ ଜାଣିନାହିଁ କିନ୍ତୁ ସୁଖ ପାଇଁ ଜାମାର କ’ଣ ଆବଶ୍ୟକତା ଅଛି ? ମୋର ତ ଜାମା ନାହିଁ । ରାଜା ଆଶ୍ଚର୍ଯ୍ୟ ଚକିତ ହୋଇ ଚାହିଁ ରହିଥିଲେ ସୁଖୀ ଲୋକଟି ଆଡେ଼ । ସେ ଅନୁଭବ କଲେ, ଜୀବନରେ କିଛି ନା କିଛି ଅପୂର୍ଣ୍ଣ ରହିବ । ଚାହୁଁଥିବା ସବୁ ଜିନିଷ ମିଳିବ ନାହିଁ । ସେ ଅନୁଭବ କଲେ ଜାମା ନ ଥିବା ଲୋକଟି ଯଦି ସୁଖୀ ହୋଇପାରେ, ତା’ହେଲେ ସୁଖ ଓ ଆନନ୍ଦ ଏକ ମାନସିକ ଅବସ୍ଥା । ସମସ୍ତ ଘାତ-ପ୍ରତିଘାତ ମଧ୍ୟରେ ଜଣେ ସୁଖୀ ହୋଇପାରେ । ସମସ୍ତ ନକାରାତ୍ମକ ପରିସ୍ଥିତିରେ ମଧ୍ୟ ଜଣେ ସୁଖୀ ହୋଇପାରେ । ନିଜ ମନ ଓ ବୁଦ୍ଧିକୁ ଭଗବାନଙ୍କ ପାଦପଦ୍ମରେ ସମର୍ପଣ କରି ଭକ୍ତି ଚିତ୍ତରେ ତାଙ୍କର ଶରଣାପନ୍ନ ହେଲେ ପ୍ରକୃତ ସୁଖ ମିଳିପାରିବ ।

ଲୋକପ୍ରିୟ ଲେଖା

To Top