ପ୍ରବନ୍ଧ

ସୁଖୀର ଗୁଣ

Dr Gauranga Samantaray's odia prose Sukhira Guna

ଇନ୍ଦ୍ରିୟଗୁଡ଼ିକୁ ସମ୍ପୂର୍ଣ୍ଣ ବଶୀଭୂତ କରିବାକୁ ଦମ କୁହାଯାଏ । ଶାସ୍ତ୍ରବିହିତ ପ୍ରବୃତ୍ତି ପରହିତ ପାଇଁ ହେବା ଉଚିତ୍ ।

ସୁଖୀର ଗୁଣ

କେଉଁ କେଉଁ ଗୁଣର ଅଧିକାରୀ ହେଲେ ତୁମେ ସୁଖୀ ହୋଇପାରିବ ?

ଅଭୟଂ ସତ୍ତ୍ୱସଂଶୁଦ୍ଧି ର୍ଜ୍ଞାନ ଯୋଗ ବ୍ୟବସ୍ଥିତି ।
ଦାନଂ ଦମଶ୍ଚ, ଯଜ୍ଞାଶ୍ଚ ସ୍ୱାଧ୍ୟାୟସ୍ତପ ଆର୍ଜବମ୍ ।।
ଅହିଂସା ସତ୍ୟମକ୍ରୋଧସ୍ତ୍ୟାଗଃ ଶାନ୍ତିରପୈଶୁନମ୍ ।
ଦୟା ଭୂତେଷ୍ୱଲୋଲୁପ୍‌ତ୍ୱଂ ମାଦର୍ବଂ ହ୍ରୀରଚାପଳମ୍ ।।
ତେଜଃ କ୍ଷମା ଧୃତିଃ ଶୌଚମଦ୍ରୋହୋ ନାତିମାନିତା ।
ଭବନ୍ତି ସଂପଦଂ ଦୈବୀମତ୍ତିଜାତସ୍ୟ ଭାରତ ।। (ଗୀତା)

୧. ଅଭୟଂ : ଅଭୟ :

ଅନିଷ୍ଟ ଆଶଙ୍କାରେ ମନ ଭିତରେ ଯେଉଁ ଉଦ୍‌ବେଗ ଜାତ ହୁଏ । ତାହାକୁ ଭୟ କହନ୍ତି । ଭୟ ନ ହେବାକୁ ଅଭୟ କହନ୍ତି ।

ଭୟ ୨ ପ୍ରକାରର ।

୧. ବାହ୍ୟ ଭୟ :

ଚୋର, ଡାକୁ, ବାଘ, ସିଂହ, ସର୍ପ ଇତ୍ୟାଦିଙ୍କ କାରଣରୁ ଯେଉଁ ଭୟ ଜନ୍ମ ତାହା ବାହ୍ୟ ଭୟ । ଶାସ୍ତ୍ର ଓ ବଂଶମର୍ଯ୍ୟାଦା ବିରୁଦ୍ଧ ଆଚରଣଦ୍ୱାରା ଯେଉଁ ଭୟଜାତ ହୁଏ, ତାହା ମଧ୍ୟ ବାହ୍ୟ ଭୟ ।

୨. ଆଭ୍ୟନ୍ତରୀଣ ଭୟ :

ଯେତେବେଳେ ମନୁଷ୍ୟ ପାପ, ଅନ୍ୟାୟ, ଅଧର୍ମ ଇତ୍ୟାଦି ନିଷିଦ୍ଧ ଆଚରଣ କରେ, ସେତେବେଳେ ତା’ ଅନ୍ତରରେ ଭୟ ଜାତ ହୁଏ । ଏହାକୁ ଆଭ୍ୟନ୍ତରୀଣ ଭୟ କୁହାଯାଏ ।

ଭଗବାନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ଭକ୍ତି ଭାବ ଆସିଲେ ମନୁଷ୍ୟ ଅଭୟ ହୋଇଯାଏ ।

୨. ସତ୍ତ୍ୱସଂଶୁଦ୍ଧିଃ : (ଅନ୍ତଃକରଣର ପୂର୍ଣ୍ଣ ନିମଳତା)

ସଂସାରରୁ ଆସକ୍ତି ପରିତ୍ୟାଗ କରି ଭଗବାନଙ୍କ ପ୍ରତି ଅନୁରାଗ ହେବା ହିଁ ଅନ୍ତଃକରଣର ସମ୍ୟକ୍ ଶୁଦ୍ଧି ।

୩. ଜ୍ଞାନଯୋଗ ବ୍ୟବସ୍ଥିତିଃ :

ଜ୍ଞାନ ପ୍ରାପ୍ତି ନିମନ୍ତେ ଯୋଗରେ ସ୍ଥିତ ହେବା ଆବଶ୍ୟକ । ଅର୍ଥାତ୍ ମାନ-ଅପମାନ, ଯଶ-ଅପଯଶ, ଲାଭ-କ୍ଷତି, ପ୍ରାପ୍ତି-ଅପ୍ରାପ୍ତିରେ ସମଭାବ ରଖିବା ।

୪. ଦାନମ୍ :

ନିଜର ବସ୍ତୁଗୁଡ଼ିକୁ ବିଚାର କରି ସତ୍‌ପାତ୍ରରେ ବିତରଣ କରିବା ହେଉଛି ଦାନ ।

ଦାନ ବିଭିନ୍ନ ପ୍ରକାରର । ଯଥା- ଅନ୍ନଦାନ, ବସ୍ତ୍ରଦାନ, ଭୂମିଦାନ, ସ୍ୱର୍ଣ୍ଣଦାନ, ଗୋଦାନ ଇତ୍ୟାଦି ।

୫. ଦମଃ :

ଇନ୍ଦ୍ରିୟଗୁଡ଼ିକୁ ସମ୍ପୂର୍ଣ୍ଣ ବଶୀଭୂତ କରିବାକୁ ଦମ କୁହାଯାଏ । ଶାସ୍ତ୍ରବିହିତ ପ୍ରବୃତ୍ତି ପରହିତ ପାଇଁ ହେବା ଉଚିତ୍ ।

୬. ଯଜ୍ଞ :

ଯଜ୍ଞ ଶବ୍ଦର ଅର୍ଥ ଆହୁତି ପ୍ରଦାନ କରିବା । ମନୁଷ୍ୟକୁ ଯେଉଁ କର୍ତ୍ତବ୍ୟ ପ୍ରାପ୍ତ ହୁଏ, ତାକୁ ସ୍ୱାର୍ଥ ତ୍ୟାଗ କରି ଅନ୍ୟମାନଙ୍କ ହିତ ବା ଭଗବତ୍ ପ୍ରୀତ୍ୟର୍ଥେ କରିବା ଯଜ୍ଞ ।

ପିତାମାତା, ଆଚାର୍ଯ୍ୟ, ଗୁରୁଜନମାନଙ୍କର ସେବା କରିବା ମଧ୍ୟ ଯଜ୍ଞ ।
ଗୋ ବ୍ରାହ୍ମଣ ଦେବତା ଓ ଭଗବାନଙ୍କର ପୂଜା କରିବା ମଧ୍ୟ ଯଜ୍ଞ ।

ନିଜେ କରୁଥିବା ଖାଇବା ପିଇବା ଶୋଇବା ଜାଗ୍ରତ ହେବା, ଦେବା, ନେବା ଇତ୍ୟାଦି ସମସ୍ତ କାର୍ଯ୍ୟ ଭଗବାନଙ୍କ ପ୍ରୀତ୍ୟର୍ଥେ କରିବା ମଧ୍ୟ ଯଜ୍ଞ ।

୭. ତପଃ : (କର୍ତ୍ତବ୍ୟ ପାଳନ ନିମନ୍ତେ କଷ୍ଟ ସହ୍ୟ କରିବା)

ଭୋକ ଶୋଷ ଗ୍ରୀଷ୍ମ, ବର୍ଷା ଇତ୍ୟାଦି ସହ୍ୟ କରିବା ତପ । ଜୀବନ ନିର୍ବାହ କ୍ଷେତ୍ରରେ ଯେଉଁ ବାଧା ବିଘ୍ନ, ଦୁଃଖ କଷ୍ଟ ଓ ଝଡ଼ ଝଞ୍ଜା ଇତ୍ୟାଦି ଆସେ, ସେଗୁଡ଼ିକ ଆନନ୍ଦ ମନରେ ସହ୍ୟ କରିବା ହେଉଛି ତପ ।

୮. ସ୍ୱାଧ୍ୟାୟଃ :

ନିଜର ବୃତ୍ତି ଓ ସ୍ଥିତିର ଯଥାର୍ଥ ଅଧ୍ୟନ ହିଁ ସ୍ୱାଧ୍ୟାୟ । ଭଗବତ ନାମ ଜପ କରିବା, ମହାଭାରତ, ରାମାୟଣ, ଗୀତା, ଭାଗବତ ଇତ୍ୟାଦି ଅଧ୍ୟୟନ କରିବାର ନାମ ସ୍ୱାଧ୍ୟାୟ ।

୯. ଆର୍ଜ୍ଞବମ୍ :

ସରଳତା ଓ ନିରାଡ଼ମ୍ୱରତାକୁ ଆର୍ଜବ କହନ୍ତି । ସାଧକ ସରଳ ଓ ନିରାଡ଼ମ୍ୱର ହେବା ଉଚିତ୍ ।

୧୦. ଅହିଂସା :

କାୟ, ମନ, ବାକ୍ୟ ଓ ଭାବରେ କାହାରି କୌଣସି ଅନିଷ୍ଟ ନ କରିବା ଓ ନ ଚାହିଁବାକୁ ଅହିଂସା କହନ୍ତି । ମହାପୁରୁଷ ସାଧୁ ସନ୍ଥଙ୍କର କାୟ, ମନ ଓ କର୍ମ ତିନୋଟି ଯାକ ସମାନ ହୋଇଥାଏ । କିନ୍ତୁ ଦୁଷ୍ଟ ଲୋକଙ୍କର ଏ ତିନୋଟି ଯାକ ଅଲଗା ଅଲଗା ହୋଇଥାଏ ।

୧୧. ସତ୍ୟମ୍ : ସତ୍ୟ କହିବା

ଅନ୍ୟମାନଙ୍କ ହିତ ଉଦ୍ଦେଶ୍ୟରେ ଦେଖିବା, ଶୁଣିବା, ପଢ଼ିବା, ବୁଝିବା ବିଷୟକୁ ଠିକ୍ ଭାବରେ ପ୍ରିୟ ବାକ୍ୟରେ କହିବା ହିଁ ସତ୍ୟ ।

୧୨. ଅକ୍ରୋଧ : (କ୍ରୋଧ ନ କରିବା)

ଅନ୍ୟମାନଙ୍କର ଅନିଷ୍ଟ କରିବା ପାଇଁ ମନ ଭିତରେ ଯେଉଁ ଜ୍ୱଳନାତ୍ମକ ପ୍ରବୃତ୍ତି ଜାତ ହୁଏ, ତାକୁ କ୍ରୋଧ କହନ୍ତି । ଏହା ନ କରିବା ହିଁ ଅକ୍ରୋଧ ।

୧୩. ତ୍ୟାଗଃ :

ସଂସାର ପ୍ରତି ବିମୁଖ ହେବା ତ୍ୟାଗ । ବାହ୍ୟ ଭାବରେ ପାପ, ଦୁରାଚାର, ଅନ୍ୟାୟ ଇତ୍ୟାଦି ତ୍ୟାଗ କରିବା ଉଚିତ୍ । ସମସ୍ତ କାମନା ପରିତ୍ୟାଗ କରିଦେଲେ ଶାନ୍ତି ମିଳେ ।

୧୪. ଶାନ୍ତିଃ :

ଅନ୍ତର ମଧ୍ୟରେ ରାଗ ଦ୍ୱେଷ ଜନିତ ଉଦ୍ବେଳନ ସୃଷ୍ଟି ନ ହେବାକୁ ଶାନ୍ତି କୁହାଯାଏ । ସାଧକ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଶାନ୍ତି ପାଏ ।

୧୫. ଅପୈଶୁନମ୍ : (ଚୁଗୁଲି ନ କରିବା)

ସାଧକର ଭଗବତ ପ୍ରାପ୍ତି ଉଦ୍ଦେଶ୍ୟ ଥିବାରୁ ସେ କାହାର ଚୁଗୁଲି କରେ ନାହିଁ ।

୧୬. ଭୂତେଷୁ ଦୟା : (ପ୍ରାଣୀମାନଙ୍କ ପ୍ରତି ଦୟାଭାବ)

ଅନ୍ୟର ଦୁଃଖ ଦେଖି ତାକୁ ଦୂର କରିବାର ଭାବନାକୁ ଦୟା କହନ୍ତି । ଭଗବାନ ପ୍ରତିକୂଳ ପରିସ୍ଥିତିରେ ଓ ଅନୁକୂଳ ପରିସ୍ଥିତିରେ ଦୟା କରନ୍ତି । ସନ୍ଥ ମହାତ୍ମା ଓ ସାଧକମାନେ ଅନ୍ୟମାନଙ୍କ ଦୁଃଖରେ ଦୁଃଖୀ ଓ ଅନ୍ୟମାନଙ୍କ ସୁଖରେ ସୁଖୀ ହୁଅନ୍ତି । ସେମାନେ ଚାହାଁନ୍ତି, ସମସ୍ତେ ସୁଖୀ ହୁଅନ୍ତୁ ।

୧୭. ଅଲୋଲୁପ୍ତମ୍ : (ସାଂସାରିକ କ୍ଷେତ୍ରରେ ଆସକ୍ତ ନ ହେବା)

ଅନ୍ୟମାନଙ୍କୁ ଭୋଗ ଉପଭୋଗ ଦେଖି ସେଥିପାଇଁ ଯେଉଁ ଲାଳସା ଉତ୍ପନ୍ନ ହୁଏ, ତାକୁ ଲୋଲୁପତା କହନ୍ତି । ଏହି ଲାଳସାର ଅଭାବକୁ ଅଲୋଲୁପତା କହନ୍ତି ।

୧୮. ମାର୍ଦବଂ : (ଅନ୍ତଃକରଣର କୋମଳତା)

ସମସ୍ତଙ୍କ ପ୍ରତି ଅନ୍ତଃକରଣରେ କୋମଳଭାବ ରହିବାକୁ ମାର୍ଦବ କୁହାଯାଏ, ସାଧକର ଶତ୍ରୁ ଓ ଅସାଧୁ ଲୋକମାନଙ୍କ ପ୍ରତି କୋମଳ ଭାବ ରହେ ।

୧୯. ହ୍ରୀଃ : ଲଜ୍ଜା

ଶାସ୍ତ୍ର ବିରୁଦ୍ଧ କର୍ମ କରିବା ପାଇଁ ମନ ଭିତରେ ଯେଉଁ ସଙ୍କୋଚ ଭାବ ଆସେ ତାହାର ନାମ ହ୍ରୀଃ । ସାଧକ ଏକାନ୍ତରେ ହେଉ ବା ଲୋକ ସମକ୍ଷରେ ହେଉ ଶାସ୍ତ୍ର ବିରୁଦ୍ଧ କାମ କରନ୍ତି ନାହିଁ ।

୨୦. ଅଚାପଳମ୍ : ଅଚପଳତା

କୌଣସି କାର୍ଯ୍ୟ କରିବାକୁ ଚପଳ ବା ଚଞ୍ଚଳ ନ ହେବାକୁ ଅଚାପଳ କୁହାଯାଏ ।

୨୧. ତେଜ :

ସାଧୁସନ୍ଥ ଓ ମହାପୁରୁଷମାନଙ୍କର ସଂସ୍ପର୍ଶରେ ଆସି ଜଣେ ସାଧାରଣ ବ୍ୟକ୍ତି ନିଜର ଅସତ୍ ଦୁର୍ଗୁଣ ପରିତ୍ୟାଗ କରି ସଦ୍‌ଗୁଣ ଓ ସଦାଚାରରେ ପ୍ରବୃତ୍ତ ହୁଏ । ଏହା ମହାପୁରୁଷମାନଙ୍କର ତେଜ ଅଟେ ।

୨୨. କ୍ଷମା :

ବିନା କାରଣରେ ଅପରାଧ କରୁଥିବା ବ୍ୟକ୍ତିକୁ ଦଣ୍ଡ ଦେବାର କ୍ଷମତା ଥିଲେ ମଧ୍ୟ ତା’ର ଅପରାଧକୁ ସହ୍ୟ କରିବା ଏବଂ ମାର୍ଜନା କରିବାକୁ କ୍ଷମା କୁହାଯାଏ । କ୍ଷମା ଏକ ମହତ୍ ଗୁଣ । କ୍ଷମାର ଗ୍ରହୀତା ଓ କ୍ଷମାଦାତା ଦୁହେଁ ଏ ଭୁବନେ ଭାଗ୍ୟବନ୍ତ । ଯେ କ୍ଷମାଦାତା ସେ କ୍ଷମା ଦେବା ସହିତ ଏ ଭାବନା ମଧ୍ୟ ରଖିଥାଏ ଯେ କ୍ଷମାର ଗ୍ରହୀତାକୁ କେବେ ହେଁ କୌଣସି ପ୍ରକାର ଦଣ୍ଡ ନ ମିଳୁ ।

୨୩. ଧୃତିଃ : ଧୈର୍ଯ୍ୟ

ଅନୁକୂଳ ଓ ପ୍ରତିକୂଳ ପରିସ୍ଥିତିରେ ଅବିଚଳିତ ରହିବାର ସାମଥ୍ୟର ନାମ ଧୃତି । ନିଜର ଲକ୍ଷ୍ୟ ସାଧନ ଉଦ୍ଦେଶ୍ୟରେ ସାଧକ ଧୈଯ୍ୟର ସହିତ ଆଗେଇଯିବା ଉଚିତ୍ ।

୨୪. ଶୌଚମ୍ :

ବାହ୍ୟଶୁଦ୍ଧି ଓ ଅନ୍ତଃଶୁଦ୍ଧିକୁ ଶୌଚ କୁହାଯାଏ ।

୨୫. ଅଦ୍ରୋହଃ :

ଅନଷ୍ଟ କରୁଥିବା ବ୍ୟକ୍ତି ପ୍ରତି ପ୍ରତିଶୋଧ ନ ନେବାର ଭାବନାକୁ ଅଦ୍ରୋହ କହନ୍ତି । ସାଧକର ବିନା କାରଣରେ ଅନିଷ୍ଟ କରୁଥିବା ଲୋକ ପ୍ରତି ଅଦ୍ରୋହ ଭାବ ରହେ ।

୨୬. ନାତିମାନିତା : ସମ୍ମାନ ନ ଚାହିଁବା

ଯାହାଙ୍କ ଠାରୁ ଆମେ ଶିକ୍ଷା ଗ୍ରହଣ କରିଛେ କିମ୍ୱା ଯାହାଙ୍କ ଆଦର୍ଶରେ ଆମେ ଅନୁପ୍ରାଣିତ କିମ୍ୱା ଯାହାଙ୍କ ଠାରୁ ଆମେ ଉପକୃତ ହୋଇଛେ, ତାଙ୍କଠାରୁ ଆଦର ସମ୍ମାନ ଆଶା କରିବାକୁ ଅତିମାନିତା କୁହାଯାଏ ।

ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି ଏହି ଗୁଣଗୁଡ଼ିକ ଦୈବୀ ସମ୍ପତ୍ତି ପ୍ରାପ୍ତ ମନୁଷ୍ୟର ଲକ୍ଷଣ । ଏହି ମନୁଷ୍ୟମାନେ ସୁଖଶାନ୍ତି ଭୋଗ କରନ୍ତି ।

ଯାହା ମନରେ ଭଗବାନ ଅଛନ୍ତି, ସେହିଠାରେ ହିଁ ବୃନ୍ଦାବନ, ଅଯୋଧ୍ୟା, ଦ୍ୱାରକା, ପୁରୀ, ବଦ୍ରିଧାମ ଓ କାଶୀଧାମ ଅଛି । ତା’ଠାରେ ହିଁ ପ୍ରକୃତ ସୁଖଶାନ୍ତି ରହିଛି ।

ଲୋକପ୍ରିୟ ଲେଖା

To Top