ପ୍ରବନ୍ଧ

ତୃଷ୍ଣା ଓ ଚିନ୍ତା

Ramakanta Mishra's odia prose Trushna O Chintaa

ଚିନ୍ତା ଆଉ ଚିତା ସମାନ । କାରଣ ଚିନ୍ତାର ଅନ୍ତିମ ପରିଣତି ହେଉଛି ଚିତା ।

ତୃଷ୍ଣା ଓ ଚିନ୍ତା

ତୃଷ୍ଣା

ବୁଦ୍ଧଦେବ ବହୁ ପୂର୍ବରୁ କହି ଯାଇଛନ୍ତି କାମନାର ବିନାଶରେ ଦୁଃଖର ବିନାଶ ହୋଇଥାଏ । ସେହିପରି ତୃଷ୍ଣା ତ୍ୟାଗ କଲେହିଁ ସୁଖର ସନ୍ଧାନ ମିଳେ । କିନ୍ତୁ ଏ ସବୁ କଥା ଲେଖିବା ଏବଂ ପଢ଼ିବା ଯେତେ ସହଜ, ଜୀବନ କାଳ ଭିତରେ ତାହାର କାଣୀଞ୍ଚାଏ ପାଳନ କରିବା ସେତେ ସହଜ ନୁହେଁ । ସେଥିପାଇଁ ସାଧନା କରିବାକୁ ହୋଇଥାଏ । ଯେଉଁମାନେ ସାଧନାରେ ସଫଳ ହୁଅନ୍ତି ସେମାନେ ବୁଦ୍ଧଦେବଙ୍କ ପରି ମହାତ୍ମା ହୁଅନ୍ତି । ଆମପରି ଅଧିକାଂଶ ବ୍ୟକ୍ତି ସାଧାରଣ ପୁରୁଷ ହୋଇ ରହିଯାନ୍ତି ।

ଜୀବନ ଅଛି ତ ତୃଷ୍ଣା ରହିଥିବ । ତୃଷ୍ଣା ନିଶ୍ଚିତ ଭାବରେ ସର୍ବଗ୍ରାସୀ । ଯେଉଁମାନେ ଏହା ଭିତରେ ରହି, ନିଜକୁ ନିର୍ଲିପ୍ତ ରଖି ତୃପ୍ତି ଅନୁଭବ କରି ପାରନ୍ତି, ସେମାନେ ସତରେ ମହାପୁରୁଷ । ଏଥିପାଇଁ ଆତୁରତା ତ୍ୟାଗ ସହିତ ବିବେକ ଓ ବୁଦ୍ଧିକୁ ଉଦ୍ଜୀବିତ କରି ରଖିବାକୁ ହେବ । ବିବେକବାନ ଲୋକକୁ ତୃଷ୍ଣା କେବେବି ପୂର୍ଣ୍ଣ ମାତ୍ରାରେ ଗ୍ରାସ କରି ପାରେ ନାହିଁ । ଅରଣ୍ୟ ମଧ୍ୟରେ ରହି ଯଦି କେହି ହିଂସ୍ର ଜନ୍ତୁଙ୍କୁ ପ୍ରତିହତ କରିବାର ଶକ୍ତି ଅର୍ଜନ ନ କରିବ ତେବେ ସେ ନିଶ୍ଚିତ ଭାବରେ ହିଂସ୍ର ଜନ୍ତୁଙ୍କ ଭୋଜ୍ୟ ହୋଇଯିବ । ଏହାର ଅର୍ଥ ହେଲା ଅରଣ୍ୟ ବାସୀର ସ୍ଵାପଦ ପ୍ରତିହତ ସାମର୍ଥ୍ୟ ରହିବା ଉଚିତ । ପ୍ରବୃତ୍ତି ଉପରେ ମମତା ଜାଗ୍ରତ ହେଲେ ଆସକ୍ତି ବଢ଼େ । ମଣିଷ ଯେତେବେଳେ ସବୁକିଛି ଭୁଲି ତାର ସହଜାତ ପ୍ରବୃତ୍ତିକୁ ଚରିତାର୍ଥ କରିବାକୁ ଲାଗିଯାଏ, ସେତେବେଳେ ତୃଷ୍ଣା ଆହୁରି ବଢି ଯାଇଥାଏ । ଭୋଗ ଯଦି ନିର୍ବିଘ୍ନ ତେବେ ତାହା ନିଶ୍ଚିତ ଭାବରେ ଦୁଃଖର କାରଣ ହୋଇଥାଏ ।

ମଣିଷ ଯଦି ପ୍ରକୃତ ସୁଖ ପାଇବାକୁ ଚାହେଁ, ତେବେ ତାକୁ କଠୋର ହେବାକୁ ହେବ । କୌଣସି ଜିନିଷ ପ୍ରତି ଆସକ୍ତି ବଢାଇବା ଉଚିତ ନୁହେଁ । ମୋର ମୋର କହି ସବୁ ଜିନିଷକୁ ଆବୋରି ରଖିବା ଉଚିତ ନୁହେଁ । ତୃଷ୍ଣା ତ୍ୟାଗରେ ହିଁ ମଣିଷ ପରମ ସୁଖର ଅଧିକାରୀ ହୋଇଥାଏ ।

ଏ ପ୍ରକାର ଭାବନା ମନ ମଧ୍ୟରେ ମନ୍ଥନ କଲେ ନିଶ୍ଚିତ ଭାବରେ ଆଧ୍ୟାତ୍ମିକ ଉନ୍ନତ୍ତି ହେବ । ନ ହେଲେ ଖାଲି ମିଛ ମାୟାରେ ଚିନ୍ତାଗ୍ରସ୍ତ ହୋଇ ମୋ ପୁଅ, ମୋ ଝିଅ, ତା ଚାକିରୀ, ତା ବିଭା, ମୋ ସ୍ତ୍ରୀ, ମୋ ଘର ଏମିତି ‘ମୋ’ ‘ମୋ’ କହି ଖାଲି ନିଜ ଚିନ୍ତା ବଢ଼ାଇ, ରାତି ଅନିଦ୍ରା ହୋଇ, ନିଜର ଉଚ୍ଚ ରକ୍ତ ଚାପି ସୃଷ୍ଟି କରି ହୃଦ୍ ରୋଗରେ ମରିବା ହିଁ ସାର ହେବ । ତୃଷ୍ଣାକୁ ନିୟନ୍ତ୍ରଣ ନ କଲେ , ପରବର୍ତ୍ତୀ କାଳରେ ତୃଷ୍ଣା ଜାଲରେ ଛନ୍ଦି ହୋଇ ଅସମୟ ମୃତ୍ୟୁ ହିଁ ହୋଇଥାଏ । ଯାହାପାଇଁ ଆମେ ‘ମୋ’ ‘ମୋ’ କରୁଥିଲେ, ତାଙ୍କର ବି କିଛି କରି ପାରିବା ନାହିଁ , ତେଣୁ ଭଲ କାମ କରି ବାକି ସବୁ ଭଗବାନଙ୍କୁ ଅର୍ପଣ କରି ଦିଅ । ସେ ହିଁ ସବୁ କଥାର ନିଦାନ ଖୋଜି ଦେବେ ।

ଚିନ୍ତା

ଚିନ୍ତା ଆଉ ଚିତା ସମାନ । କାରଣ ଚିନ୍ତାର ଅନ୍ତିମ ପରିଣତି ହେଉଛି ଚିତା । ଚିତା କୁ ତ ସମସ୍ତେ ଦିନେ ନା ଦିନେ ଯିବେ , କିନ୍ତୁ ଚିନ୍ତା କରି ଅସମୟରେ ଚିତାକୁ ଗଲେ , କାହାରି କୌଣସି ପ୍ରକାରର ଲାଭ ହେବ ନାହିଁ ବରଂ ଚିତାକୁ ଯିବା ଲୋକରହିଁ ହୋଇ ଥାଏ । ସେ ଯେଉଁ କାରଣ ପାଇଁ ବା ଯାହା ପାଇଁ ଚିନ୍ତା କରିଥାଏ , ଶେଷରେ ସେ ତାର ମଧ୍ୟ କିଛି ଉପକାର କରି ପାରେ ନାହିଁ । ଅକାରଣ ଚିନ୍ତା, ଅର୍ଥହୀନ ଚିନ୍ତା ଏବଂ ଯେଉଁ ଚିନ୍ତାର କୌଣସି ତତକାଳିକ ସମାଧାନ ନାହିଁ, ତାହା କରିବାର କୌଣସି କାରଣ ମଧ୍ୟ ନାହିଁ । ନିଜର ଭାବନା ଉପରେ ନିୟନ୍ତ୍ରଣ ରଖିବା ଉଚିତ । ତେବେ ଯାଇ ମଣିଷ ବିଭିନ୍ନ ପ୍ରକାରର ଚିନ୍ତାରୁ ମୁକ୍ତି ପାଇଁ ପାରିବ । ଏଥିପାଇଁ ଅହରହ ଚେଷ୍ଟା କରିବାକୁ ହେବ । ନିଜକୁ ଯଦି ଅସଙ୍ଗତ, ଅଯଥାର୍ତ୍ତ ଏବଂ ଅଳିକ ଚିନ୍ତାର ଦାସ କରିଦେବ ତେବେ ତାର କୁ ପରିଣାମ ନିଜକୁହିଁ ଭୋଗ କରିବାକୁ ହେବ ।

ଚିନ୍ତାକୁ ଦୂର କରିବାର କେତୋଟି ସହଜ ଉପାୟ ହେଲା :-

୧. ଅତୀତ କୁ ଭୁଲି ଯିବାକୁ ଚେଷ୍ଟା କରିବା । ଅତୀତରେ କଣ ଥିଲେ ତାକୁ ନେଇ ଘଣ୍ଟା ଚକଟା କରି କିଛି ଲାଭ ନାହିଁ । ଆଜି ମାନେ ବର୍ତ୍ତମାନ ହେଉଛି ସବୁଠାରୁ ମୂଲ୍ୟବାନ । ଯଦି ଆଜି ଦିନ ଠିକ ଭାବରେ ଗଲା , ତେବେ ସବୁ ଠିକ ଅଛି । ଆଜିର ଦିନ ଠିକ କରି ଗଲେ ଆସନ୍ତା କାଲି କଥା ପଛେ ଚିନ୍ତା କରିବା । ଆସନ୍ତା କାଲି ପାଇଁ ଉତ୍ସୁକ ହୋଇ ବର୍ତ୍ତମାନକୁ ନଷ୍ଟ କରିବା ଉଚିତ ନୁହେଁ । ଚିନ୍ତା ମଧ୍ୟ ଦୁଇ ପ୍ରକାର ର ହୋଇ ଥାଏ । ଭଲ ଚିନ୍ତା ଏବଂ ମନ୍ଦ ଚିନ୍ତା । ଭଲ ଚିନ୍ତା ଫଳରେ ମଣିଷ କାରଣ ଖୋଜି ବାହାର କରେ । କାରଣ ଗୁଡିକର ପ୍ରତିକାର କରେ । ଆଉ ମନ୍ଦ ଚିନ୍ତା ଗୁଡିକ ସବୁବେଳେ ମଣିଷକୁ ଉତ୍‌କ୍ଷେପିତ କରେ ଏବଂ ମଣିଷର ରକ୍ତ ଚାପକୁ ବଢ଼ାଇ ବିଭିନ୍ନ ପ୍ରକାରର ଶାରୀରିକ ରୋଗର କାରଣ ହୁଏ ଏବଂ ପରବର୍ତ୍ତୀ କାଳରେ ମଣିଷ ର ମୃତ୍ୟୁର ମଧ୍ୟ କାରଣ ହୁଏ ।

୨. ଅନେକେ ଏକ ସାଙ୍ଗରେ ବେଶୀ କାମ କରିବାକୁ ଉତ୍ସାହି ହୋଇ ବା ଅତ୍ୟଧିକ ମହତ୍ୱାକାଂକ୍ଷୀ ହୋଇ ମଧ୍ୟ ଚିନ୍ତା ଜାଲରେ ଛନ୍ଦି ହୋଇ ଯାନ୍ତି । ତେଣୁ ନିଜର ସାଧ୍ୟ ମତେ କାମ ଗୁଡିକର ବର୍ଗୀକରଣ କରି , କେଉଁ କାମ କେତେ ଜରୁରୀ ତାହା ନିଶ୍ଚିତ କରି ଗୋଟି ଗୋଟି କାମକୁ ଶେଷ କଲେ ମାନସିକ ଉତ୍କଣ୍ଠା କମିଯିବ । ତାହା ନ କରି ସବୁ କାମ ଗୁଡିକୁ ଶେଷ କରିବି ଭାବି ଲାଗି ପଡିଲେ କୌଣସି କାମ ଶେଷ ହେବ ନାହିଁ ଉ ଚିନ୍ତା କେବଳ ବଢି ଯିବ ।

ଅସଲରେ ବୁଦ୍ଧିମାନ ଲୋକ ପ୍ରତ୍ୟେକ ଦିନକୁ ଏବଂ ଗୋଟି ଗୋଟି କରି ପ୍ରତ୍ୟେକ କାମକୁ ଅଙ୍ଗାଙ୍ଗୀ ଭାବରେ ଭୋଗ କରନ୍ତି । ଏହା ଫଳରେହିଁ ସେମାନେ ଆନନ୍ଦରେ ରୁହନ୍ତି । ଚିନ୍ତା ଠାରୁ ଦୁରେଇ ରୁହନ୍ତି ଆଉ ବୁଦ୍ଧିମାନ ହୁଅନ୍ତି । ସେମାନେ ସ୍ୱାସ୍ଥ୍ୟବାନ , ଶାନ୍ତ ମଧ୍ୟ ହୁଅନ୍ତି । ତେଣୁ ଆମେ ମଧ୍ୟ ସେହି ସବୁ ଗୁଣକୁ ଅନୁସରଣ କରିବା, କାହା ପ୍ରତି କୌଣସି ଅସୂୟା ଭାବ ରଖିବା ନାହିଁ, କାହାରି ମନରେ ଆଘାତ ଦେବା ନାହିଁ ତେବେ ନିଜର , ନିଜ ପରିବାର ର କଲ୍ୟାଣ କରିବା । ଚିନ୍ତା ଠାରୁ ଦୁରେଇ ରହିବ ପାଇଁ ଚେଷ୍ଟା କରିବା ।

ଲୋକପ୍ରିୟ ଲେଖା

To Top