ପ୍ରବନ୍ଧ

ତୁମ ପାଇଁ……କିଛି ଧାଡି……

Suchismita Behera's odia prose Tuma Paain Kichhi Dhadi

ତୁମର ବାଣୀ, ତୁମର ଆଶ୍ୱାସନା ଭରା ଆହ୍ୱାନ ଆଉ ତା’ସହ ଦୃଢ ଆତ୍ମବିଶ୍ୱାସ ଥିଲା ଆମ ସୈନ୍ୟମାନଙ୍କର ମନୋବଳ ବଢାଇବାର ମୂଳ ଶସ୍ତ୍ର ।

ତୁମ ପାଇଁ......କିଛି ଧାଡି......

ଅଟଳ, ତୁମେ ଅଜୟ ମଧ୍ୟ । ସନ୍ଧ୍ୟାରେ ଖବର ମିଳିଲା । ହଠାତ ଲାଗିଲା, ସମୟଟି ଥପ୍‌ ହୋଇଗଲା । ତା’ପରେ ପୁଣି କାମରେ ଲାଗିପଡ଼ିଲି, ବେଶୀ କିଛି ଭାବିଲିନି । ହେଲେ ମୁଁ ସିନା ଭାବିଲିନି, ମନ କଣ ମାନିଗଲା ନା’ କଣ ? ସେ ବିଧିର ବିଧାନ ହେଉ ବା ନିୟତୀର ନିୟମ, ବିଶ୍ୱାସ କରିବା କଷ୍ଟ ହେଉଥାଏ ମୋ ପାଇଁ, ଯେ, ତୁମେ ଆଉ ନାହଁ ।

ଘରକୁ ଫେରିଲି, ସ୍କୁଲ୍‌, କଲେଜ୍‌ ଛୁଟିରେ ଖବର ପାଇଲି, ଟିଭିରେ ସମ୍ବାଦ ଦେଖିଲି, ତୁମକୁ ଦେଖିଲି, ତା’ପରେ ହୃଦୟର ବେଦନାକୁ କାଗଜ କଲମରେ ପ୍ରକାଶିତ କଲି ।

ତୁମେ ମୋତେ ଭାରି ଭଲ ଲାଗ । ଏତେ ଭଲ ଲାଗ ଯେ, ମୁଁ “ଆପଣ” ନ’ କହି “ତୁମେ” କହିବାର ଅଧିକାର ନେଇଯାଇଛି । ମୋର ଏବେ ବି’ ମନେ ଅଛି, ମୁଁ ଦ୍ଵିତୀୟ ଶ୍ରେଣୀରେ ପଢୁଥାଏ, ତୁମେ ପ୍ରଧାନମନ୍ତ୍ରୀ ଥିଲ । ସମସ୍ତେ ତୁମର ବହୁତ ପ୍ରସଂଶା କରନ୍ତି, ମୁଁ ଟିଭିରେ, ସମ୍ବାଦପତ୍ରରେ ତୁମକୁ ଦେଖୁଥାଏ, ଆଉ ଲାଗୁଥାଏ, କେହିଜଣେ ଆପଣା ପରି । ଭାରତର ପ୍ରଧାନମନ୍ତ୍ରୀ, ମୋ’ଠାରୁ କାହିଁ କେତେ ଦୂରରେ, ହେଲେ ବି’ ମୋର ଅତି ନିଜର । ସେତେବେଳେ ରାଜନୀତି ବୁଝୁନ’ଥାଏ, ଆଉ ଆଜି ବୁଝିଲାପରେ ବି’, ଭଲ ଲାଗେନି ମୋତେ ରାଜନୀତି । ଇଚ୍ଛା ନାହିଁ ମୋର ରାଜନୀତି ପ୍ରତି । ତଥାପି; ଯେତିକି ବୁଝିଛି, ମୁଁ ଜାଣିପାରିଛି ଯେ, ତୁମେ ରାଜନିତୀ କରୁନ’ଥିଲ, ତୁମେ ଖାଲି ରାଜନିତୀର ପଥ ଆପଣେଇଥିଲ ଦେଶରେ ମୈତ୍ରୀତ୍ୱ ଖେଳେଇବାକୁ । ତୁମେ ସତ୍ୟ ଓ ନିଷ୍ଠାର ପଥ ଆପଣେଇ ଥିଲ । ତୁମେ ଯାହାବି’ କହୁଥିଲ, ତାହା ଭାଷଣ ନୁହଁ, ତାହା ଗୋଟେ ଗୋଟେ କଥା, ଆଉ କଥା ଅମର ରହେ, ଭାଷଣ ନୁହେଁ । ତୁମେ ଚାଲିଗଲ, ଚାଲିଗଲ ଏ ଦୁନିଆ ଛାଡି, ହେଲେ ମୋ ମନରୁ ନୁହେଁ । ୧୫ ଅଗଷ୍ଟରେ ତୁମର ଛବି ଦେଖିଥିଲି, ମନେ ପଡିଥିଲ ତମେ । ହେଲେ ଏତେ ମହାନ ଆତ୍ମା ତମେ ଯେ’, କାଳେ ନୀଳ ଆକାଶରେ ସ୍ୱାଧୀନତାର ଆନନ୍ଦରେ ଉଡୁଥିବା ତୀରଙ୍ଗା ମନ ଦୁଃଖ କରି ନଇଁ ପଡିବ, ତୁମେ ଆଉ ମାତ୍ର ଗୋଟେ ଦିନ ଅପେକ୍ଷା କଲ । ସ୍ୱାଧୀନତାର ଆନନ୍ଦକୁ ପୁଣି ଥରେ ଅନୁଭବ କରୁଥିବା ଦେଶବାସୀଙ୍କୁ ସେଥିରୁ ବଞ୍ଚିତ ନ’ କରିବା ପାଇଁ, ତୁମେ ନେଲ କେବଳ ଆଉ ଗୋଟେ ଦିନ । ସେଥିପାଇଁ ଏତେ ଗଜଗଜ ବର୍ଷା । କିଏ କହୁଛି ଲଘୁଚାପ ତ’ ପୁଣି କିଏ କହିଲାଣି ଘୁର୍ଣ୍ଣିଝଡ । କିନ୍ତୁ ପ୍ରକୃତି କିଛି ଅଲଗା ସନ୍ଦେଶ ପଠାଉଥିଲା । ୧୫ ଅଗଷ୍ଟ ଦିନ ଏତେ ବର୍ଷା ଯେ, ପତାକା ଉତ୍ତୋଳନ କରିବା କଷ୍ଟସାଧ୍ୟ ମନେ ହେଉଥାଏ । ଶ୍ରାବଣ ତାର ପ୍ରତିଭା ଦେଖାଉଥିବା ମଧ୍ୟରେ, ଆକାଶ ତାର ଅଶ୍ରୁ ଗଡ଼ାଉଥାଏ, ବୋଧହୁଏ; ସେ କିଛି ଜାଣିପାରିଥାଏ ଆଉ ଆମକୁ ବି ସନ୍ଦେଶ ଦେଉଥାଏ । ହେଲେ୧୬ ଅଗଷ୍ଟରେ ନିତିଦିନିଆ ପାଗ, ଅଳ୍ପ ଖରା, ଚଳଚଞ୍ଚଳ ପରିବେଶ । କିନ୍ତୁ ଯେତେବେଳ ଖବର ଖେଳିଗଲା, ସେତେବେଳେ ମୋତେ ବୁଝାପଡିଲା ଯେ, ପ୍ରକୃତି ବି କାନ୍ଦି କାନ୍ଦି ଥକିଗଲା ଆଉ ସେଥିପାଇଁ ଆଜି ହଠାତ ନିସ୍ତବ୍ଦ ହେଇଗଲା । ଏବେ ସେ ବି ଜାଣିଗଲା ଯେ, ନିୟମ ଆଗରେ ସେ କିଛି କରିପାରିବନି । ତେଣୁ ଛାତିରେ କୋହ ଚାପି ଛିଡାହୋଇଗଲା ଆଉ ଆମକୁ ବି ସ୍ତବ୍ଧ କରିଦେଲା ।

ଏବେ ବି’ ତମ ଚେହେରା ଝଲ୍‌ସି ଆସୁଛି । ଦେଖିବାକୁ ଗଲେ, ତୁମେ ମୋ ଜେଜେବାପାଙ୍କ ବୟସର, କେଜାଣି; ବହୁତ ଆପଣାର ଲାଗ, ସେଥିପାଇଁ ବହୁତ ଅଦ୍ଭୁତ ଲାଗୁଛି,……………..ଜାଣେନା କାହିଁକି?

ପ୍ରଧାନମନ୍ତ୍ରୀ କେବଳ ଗୋଟେ ପଦବୀ, ଇତିହାସର ପୃଷ୍ଠାରେ ଆଉ ଗୋଟିଏ ନାମ ଯୋଡିବାକୁ । ତୁମର ତା’ପ୍ରତି ଲୋଡ଼ା ଥାଇପାରେ ହେଲେ କେବେ ଲୋଭ ନ’ଥିଲା, ନ’ହେଲେ, କେହି ୧୩ ଦିନ କି ୧୩ ମାସରେ ଓହରି ଯାଇ ନ’ଥାନ୍ତା । ଆଉ ଏହା ଦେଶବାସୀଙ୍କର ତୁମ ପ୍ରତି ପ୍ରେମ, ସମ୍ମାନ ତଥା ବିଶ୍ୱାସ ଥିଲା, ଯାହା ସେମାନେ ଅନୁଭବ କରିପାରିଥିଲେ ଏହି କମ ସମୟ ମଧ୍ୟରେ, ଯାହାକି ତୁମକୁ ପରବର୍ତ୍ତୀ ସମୟରେ ୫ ବର୍ଷର ଅବଧି ନେବାକୁ ସମର୍ଥ କରିଥିଲା ଇ

ମୋର ମନେ ଅଛି, ସେ ସମୟର କାର୍ଗିଲ ଯୁଦ୍ଧ । ତୁମର ବାଣୀ, ତୁମର ଆଶ୍ୱାସନା ଭରା ଆହ୍ୱାନ ଆଉ ତା’ସହ ଦୃଢ ଆତ୍ମବିଶ୍ୱାସ ଥିଲା ଆମ ସୈନ୍ୟମାନଙ୍କର ମନୋବଳ ବଢାଇବାର ମୂଳ ଶସ୍ତ୍ର । ବିଜ୍ଞାନ ପ୍ରତି ତୁମର ବିଶ୍ୱାସ ଆଉ ସେହି ବାର୍ତ୍ତା….”ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନ”,ଏହି ସ୍ଲୋଗାନ୍‌ ଶୁଣିଲେ, ବିଜ୍ଞାନ ଛାତ୍ରୀ ହେବାର ଗର୍ବ ଅନୁଭବ କରେ । ତୁମେ ଚାଲିଗଲ, ତୁମର ସ୍ମୃତି ରହିଗଲା……। ସମ୍ବାଦପତ୍ରରେ ବଡ ବଡ ହେଡଲାଇନ୍ସ ଆଉ ସେ ଇମୋସନାଲ୍‌ କଥା, ମୋତେ ସେ ସବୁ ଭଲ ଲାଗୁନି । ମୁଁ ତୁମକୁ ଏକାକୀ ଶାନ୍ତିରେ ବସି ମନେପକାଉଛି ଆଉ ମୁଁ ଜାଣିଛି; ତୁମେ ଶୁଣୁଛ, ନିଶ୍ଚିତ ଶୁଣୁଛ । ତୁମର ଇତିହାସ ମୁଁ ଜାଣିନି, ତୁମର ବାୟୋଗ୍ରାଫି ବି ମୁଁ ଜାଣିନି । ବାସ ତୁମେ ମୋତେ ଭାରି ଭଲ ଲାଗ । କାରଣ; ମୋର ବିଶ୍ୱାସ; ଭଲ ଲାଗିବା ପାଇଁ କୌଣସି କାରଣ ଦରକାର ନାହିଁ । ଯଦି ଦରକାର, ତାହାହେଲେ, ସବୁଠାରୁ ବଡ ଆଉ ଭଲ କାରଣ ହେଲା, ପ୍ରଧାନମନ୍ତ୍ରୀ ପଦବୀରେ ରୁହ ବା’ ନ ରୁହ; ତୁମେ ସତରେ ଅଟଳ….ତୁମେ ସବୁବେଳେ ଅଟଳ….। ମୋର ପୁଣି ଥରେ ମନେ ପଡୁଛି, ଦେଶର ୧୦୦ କୋଟି ପୂରଣ କରିଥିବା ଶିଶୁ କନ୍ୟାର ନାମ ତମେ ରଖିଥିଲ “ଆସ୍ଥା” । ସେତେବେଳେ ଭାବୁଥିଲି କି’ ଭାଗ୍ୟ….କିନ୍ତୁ; ଆଜି ବି’ ତୁମ ପାଇଁ କିଛି ଧାଡି ଲେଖି, ମୁଁ ନିଜକୁ ଭାଗ୍ୟବତୀ ମନେ କରୁଛି । ଆହୁରି ମାନୁଛି ଏଥିପାଇଁ ଯେ, ଯେଉଁ ଅନୁଷ୍ଠାନ ଆପଣଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା, ଆଜି ମୁଁ ସେଠାକାର ଛାତ୍ରୀ । ମୁଁ ସେଇଠି ପଢୁଛି, ଯେଉଁଠିକୁ ତୁମେ ଆସିଥିଲା, ହେଲେ ଆମର ଦେଖା ହେଇପାରିଲାନି, ଫାଟକ ସାଜିଥିଲା ମୋର ବୟସ ସୀମା । ଏବେ ବି’ ସେଇ ଫଳକରେ ଯେବେ ଦେଖେ ତୁମ ନାମ, ମନରେ ଅଦ୍ଭୁତ ପ୍ରକାରର ବିଚଳନ ସୃଷ୍ଟି ହୋଇଥାଏ । ଖୁସି ଲାଗେ; ସତରେ; ସେ ଅନୁଭବ ଅନନ୍ୟ ।

ଥରେ ଟିଭିରେ ହଠାତ ଦେଖିଲି ତମର ଗୋଟେ ଗୀତ ଦେଖଉଛି । ତା’ପରେ ଜାଣିଲି, ତାହା ଗୀତ ନୁହେଁ, କବିତା । ସେ ଦିନରୁ ତୁମକୁ ଭଲପାଇବାର ଆଉ ଗୋଟେ ବହନ ମିଳିଗଲା । ସତରେ; ତୁମେ ଯେଉଁଠି ଥାଅ, ମୁଁ ଜାଣିଛି, ମୋ କଥା ଶୁଭୁଛି ତୁମକୁ । ତୁମ ଚରଣରେ ନତମସ୍ତକ ମୁଁ । ମୋ ମୁଣ୍ଡରେ ତୁମର ଦୁଇ ହାତ ଥୋଇ ମୋତେ ଆଶୀର୍ବାଦ କର । ମନରେ କୌଣସୀ ପ୍ରଶ୍ନବାଚୀ ନାହିଁ ଯେ, ତୁମର ଶୂନ୍ୟସ୍ଥାନ କେବେ ପୂରଣ ହେଇପାରିବ ବୋଲି, ହେଲେ ତୁମ ଶବ୍ଦର ଶୀଥିଳତା, ବିଜୟର ବାର୍ତ୍ତା ଆଉ ସଚ୍ଚୋଟର ଆହ୍ୱାନ ଆମ ହୃଦୟ ଓ ବିବେକରେ ସଦା ଅମର ହୋଇ ରହୁ, ଏଥିରେ ସନ୍ଦେହ ନ’ ରହିବ ଉଚିତ । ଚିର ନମସ୍ୟ, ମୋର ପ୍ରୀୟ ଶ୍ରୀ ଅଟଳ ବିହାରୀ ବାଜପେୟୀ ।

ଲୋକପ୍ରିୟ ଲେଖା

To Top