ପ୍ରବନ୍ଧ

ତ୍ୟାଗାତ୍ ଶାନ୍ତିରନନ୍ତରମ୍

Dr Gauranga Samantaray's odia prose Tyaagaat Shantirnantm

ନିଆଁରେ ଘିଅ ଢାଳିଲେ ଯେପରି ବେଶୀ ହୁତୁହୁତୁ ହୋଇ ଜଳେ, ସେହିପରି ଏହି ସୁଖର ଲାଳସା ହୁତୁହୁତୁ ବଢ଼ି ଚାଲେ । ଜିନିଷ ନଷ୍ଟ ହୋଇଯାଏ ଓ ପରିଣାମରେ ଦୁଃଖ ରହିବା ହିଁ ସାର ହୁଏ ।

ତ୍ୟାଗାତ୍ ଶାନ୍ତିରନନ୍ତରମ୍

ପାରମାର୍ଥିକ ଉନ୍ନତିରେ ତ୍ୟାଗ ହିଁ ମୁଖ୍ୟ । ତ୍ୟାଗ କେବଳ ପରମାତ୍ମା ପ୍ରାପ୍ତି ଚାହୁଁଥିବା ବ୍ୟକ୍ତିଠାରେ ଦେଖିବାକୁ ମିଳେ । ତ୍ୟାଗଦ୍ୱାରା ଶେଷରେ ପରମ ଶାନ୍ତି ମିଳିଥାଏ ।

ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ
ଦେଖୁ ଦେଖୁ କେବା ସହୁ
ଏ ଜୀବନ ପଛେ ନର୍କେ ପଡ଼ିଥାଉ
ଜଗତ ଉଦ୍ଧାର ହେଉ । (ଭୀମ ଭୋଇ)

ଏ ଜୀବନ ପଛେ ନର୍କକୁ ଯାଉ, କିନ୍ତୁ ଲୋକମାନଙ୍କର ଦୁଃଖ ଦୁର୍ଦ୍ଦଶା ଦୂର ହେଉ ।

Service to humanity is service to God ନର ସେବା ହିଁ ନାରାୟଣ ସେବା, ଭଗବାନ ସର୍ବଜ୍ଞ, ସର୍ବସମର୍ଥ ଓ ଦୟାଳୁ । ସେ ହିଁ ଆମକୁ ପ୍ରକୃତ ସୁଖ ପ୍ରଦାନ କରିପାରିବେ । ସାଂସାରିକ ସୁଖର ପରିଣାମ ହିଁ ଦୁଃଖ । ଆରାମ, ମାନ, ବଡ଼ିମା ଆଦି ପାଇବାର କାମନା ଅଛି, ତାହା ହିଁ ପ୍ରକୃତ ଦୁଃଖର ମୂଳ ପିଣ୍ଡ, ଅନୁକୂଳତାର କାମନା ହିଁ ପ୍ରତିକୂଳତାକୁ ନିମନ୍ତ୍ରଣ କରୁଛି । ଦୁନିଆଁରେ ଏପରି କେହି ମନୁଷ୍ୟ ନାହିଁ ଯେ ଖାଲି ସୁଖ ଭୋଗ କରୁଥିବ ଏବଂ ଆଦୌ ଦୁଃଖ ଭୋଗ କରୁନଥିବ । ନ ଚାହିଁଲେ ମଧ୍ୟ ଦୁଃଖ ଆସିବ । ସଂଯୋଗ ଜନିତ ସୁଖ ଆରମ୍ଭରେ ଅମୃତ ତୁଲ୍ୟ ଓ ପରିମାଣରେ ବିଷ ତୁଲ୍ୟ ହୋଇଥାଏ । ଆମେ ପରିଣାମ କଥା ଆଦୌ ଚିନ୍ତା କରୁ ନ ଥିବାରୁ ତାହା ସୁଖ ବୋଲି ପ୍ରତୀୟମାନ ହେଉଛି । ଦୁନିଆଁରେ ଯେତେ ଦୁଃଖ ଅଛି- ଅପମାନ, ଅପଯଶ, ରୋଗ, ଦୁଃଖ, କଷ୍ଟ, ଚିନ୍ତା, ଅଶାନ୍ତି, ପରାଜୟ, କ୍ଷତି ଇତ୍ୟାଦି କେବଳ ସୁଖର ପାଇବାର ଲାଳସାର ପରିଣାମ । ଆଜି ପର୍ଯ୍ୟନ୍ତ କାହାର ଅଭିରୁଚି ପୂର୍ଣ୍ଣ ହୋଇନାହିଁ । ଅଭିରୁଚି ନଷ୍ଟ ହୋଇଥିବା ଲୋକ ହଜାର ହଜାର ମିଳିବେ, କିନ୍ତୁ ଅଭିରୁଚି ପୂର୍ଣ୍ଣ ହୋଇଥିବା ଲୋକ ଜଣେ ମଧ୍ୟ ମିଳିବେ ନାହିଁ । ତୁମେ ଯେତେ ବଡ଼ ଜ୍ଞାନୀ, ମାନୀ, ପଣ୍ଡିତ, ଧୀ ହୁଅ ନା କାହିଁକି ସୁଖର ଅଭିରୁଚି ନଷ୍ଟ ନ ହେବା ପର୍ଯ୍ୟନ୍ତ ସୁଖ ଶାନ୍ତି ମିଳିବ ନାହିଁ ।

“ମୋତେ ସୁଖ, ଆନନ୍ଦ, ଧନସମ୍ପତ୍ତି, ମାନ ସମ୍ମାନ, ଭୋଗ, ବିଳାସ ବ୍ୟସନ ସାମଗ୍ରୀ ଇତ୍ୟାଦି ମିଳୁ”- ଏହାଦ୍ୱାରା ସବୁ କିଛି ମିଳେ ନାହିଁ । ଯାହା କିଛି ମିଳେ ତା’ ଧୀରେ ଧୀରେ କୌଣସି ଆକାରରେ ବିୟୋଗ ହୁଏ । ଯଦି ବା ରହେ ଆମ ଶରୀର ସେ ପର୍ଯ୍ୟନ୍ତ ରହେ ନାହିଁ । ନିଆଁରେ ଘିଅ ଢାଳିଲେ ଯେପରି ବେଶୀ ହୁତୁହୁତୁ ହୋଇ ଜଳେ, ସେହିପରି ଏହି ସୁଖର ଲାଳସା ହୁତୁହୁତୁ ବଢ଼ି ଚାଲେ । ଜିନିଷ ନଷ୍ଟ ହୋଇଯାଏ ଓ ପରିଣାମରେ ଦୁଃଖ ରହିବା ହିଁ ସାର ହୁଏ ।

ତେଣୁ ଅନ୍ୟମାନଙ୍କୁ ସୁଖ ଦେଲେ, ଅନ୍ୟମାନଙ୍କର ସେବା କଲେ, ମଙ୍ଗଳକଲେ, କିମ୍ୱା ଉପକାର କଲେ ଏବଂ ଯଦି ନ କରିପାରିବ କେବଳ ଅନ୍ୟମାନଙ୍କର ସୁଖ, ମଙ୍ଗଳ, ହିତ ଓ ସେବା କରିବାର ଭାବନା ହିଁ ନିଜକୁ ପ୍ରକୃତ ସୁଖ ଦେଇପାରିବ ।

କାମିହି ନାରି ପିଆରି ଜିମି,
ଲୋଭି ହି ପ୍ରିୟ ଜିମି ଦାମ । (ତୁଳସୀଦାସ)

କାମୁକକୁ ଯେପରି ସ୍ତ୍ରୀ ଭଲ ଲାଗେ ଓ ଲୋଭୀକୁ ଯେପରି ଟଙ୍କା ଭଲ ଲାଗେ, ସେହିପରି ତୁମକୁ ଅନ୍ୟମାନଙ୍କର ହିତ ଭଲ ଲାଗୁ ।

କେତେକ ଲୋକ ଭାବନ୍ତି ସେମାନଙ୍କ ପାଖରେ ଅଧିକ ଧନ ହେଲେ ଧର୍ମ ଓ ପୁଣ୍ୟ କରିବେ । ପ୍ରକୃତରେ ସତ୍ ଉପାୟରେ ଅଧିକ ଧନ ଉପାର୍ଜନ ହୁଏ ନାହିଁ । ସେଥିରେ ଧର୍ମ ଓ ପୁଣ୍ୟ ଆସିବ କେଉଁଠୁ ? ଭଗବାନ ଗୀତାରେ କହିଛନ୍ତି-

ନାହଂ ବେଦୈର୍ନ ତପସା ନ ଦାନେନ ନ ଚେଜ୍ୟୟା ।
ଶକ୍ୟ ଏବଂବିଧୋ ଦ୍ରଷ୍ଟୁଂ ଦୁଷ୍ଟବାନସି ମାଂ ଯଥା ।। (ଗୀତା)

“ବେଦ ଅଧ୍ୟୟନ, ତପସ୍ୟା, ଦାନ, ଯଜ୍ଞ କିମ୍ୱା କୌଣସି କ୍ରିୟାଦ୍ୱାରା ମୋର ରୂପ ଦର୍ଶନ କରି ହେବ ନାହିଁ ବା ମୁଁ ପ୍ରାପ୍ତ ହେବି ନାହିଁ ।” ତେଣୁ ଧନ, ଦାନ ଦ୍ୱାରା ସେ କିପରି ପ୍ରାପ୍ତ ହେବେ ?

Click to comment

Leave a Reply

Your email address will not be published. Required fields are marked *

ଲୋକପ୍ରିୟ ଲେଖା

To Top