ପ୍ରବନ୍ଧ

ଉତ୍କଳ ଦିବସର ଅନୁଚିନ୍ତା

Nishikanta Padhi's Odia Prose UTKALA DIBASARA ANUCHINTAA

ଉତ୍କଳ ଦିବସ ହିଁ ପ୍ରତ୍ୟେକ ଓଡିଆର ଆତ୍ମବିଶ୍ୱାସର ମାପକାଠି । ଯେଉଁ ମହାନ୍ ଓଡିଆମାନଙ୍କ ତ୍ୟାଗ, ତପସ୍ୟା ଓ ସାଧନାର ଫଳସ୍ୱରୁପ ଓଡିଶା ଆଜି ଏକ ସ୍ୱତନ୍ତ୍ର ପରିଚୟ ପାଇପାରିଛି ସେମାନଙ୍କୁ ଆଜିର ଏହି ପବିତ୍ର ଦିବସରେ ଭକ୍ତିପୁତ ପ୍ରଣାମ ।

ଉତ୍କଳ ଦିବସର ଅନୁଚିନ୍ତା

‘ଉତ୍କଳ’ ଉତ୍କୃଷ୍ଟ କଳାର ଦେଶ । ଉତ୍କଳର କାରୁକାର୍ଯ୍ୟ, ପର୍ବପର୍ବାଣୀ, ପ୍ରଥା ଓ ପରମ୍ପରା ବିଶ୍ୱବିଦିତ । ଇତିହାସର ପୃଷ୍ଠା ଉତ୍କଳୀୟମାନଙ୍କର ବୀରତ୍ୱ, ତ୍ୟାଗ ଓ ଆଦର୍ଶରେ ଚର୍ଚ୍ଚିତ । ଅତୀତରେ ଆମର ଏହି ଉତ୍କଳ ଥିଲା ଛିନ୍ନମସ୍ତା । ଉତ୍କଳ ବୋଲି ଏକ ନିର୍ଦ୍ଧିଷ୍ଟ ଭୂଖଣ୍ଡ ନଥିଲା । ଉତ୍କଳୀୟମାନଙ୍କର ସ୍ୱତନ୍ତ୍ର ପରିଚୟ ବି ନ ଥିଲା । ୧୯୩୬ ମସିହା ଏପ୍ରିଲ୍ ମାସ ଥିଲା ଓଡିଆ ଜାତି ପାଇଁ ଏକ ସ୍ମରଣୀୟ ଦିବସ । ଏହି ଦିନ ଓଡିଶା ଏକ ସ୍ୱତନ୍ତ୍ର ପ୍ରଦେଶରେ ପରିଣତ ହେଲା । ଇତିମଧରେ ୧୯୩୬ ରୁ ୨୦୧୬ ଦୀର୍ଘ ୮୦ ବର୍ଷ ବିତିଯାଇଛି । ବ୍ୟକ୍ତି ହେଉ କିମ୍ବା ଜାତି ହେଉ ଆତ୍ମ ପରିଚୟ ହିଁ ତାର ନିଜସ୍ୱ ଜୀବନର ମହାର୍ଘ ପୁଞ୍ଜି । ବିନା ଆତ୍ମ ପରିଚୟରେ କୌଣସି ଜାତି ନିଜକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିପାରି ନ ଥାଏ । ଓଡିଆ ଜାତିର ଭାଷା, ସାହିତ୍ୟ ଓ ସଂସ୍କୃତି ହିଁ ଉତ୍କଳ ପ୍ରଦେଶର ଏକ ସ୍ୱତନ୍ତ୍ର ପରିଚୟ ବହନ କରିଛି । ବର୍ଷ ବର୍ଷ ଧରି ପରାଧୀନତାର ଶୃଙ୍ଖଳରେ ବନ୍ଧାହୋଇ ମଧ୍ୟ ଓଡିଶାବାସୀ ଜାବୁଡି ଧରିଛନ୍ତି ନିଜର ଭାଷା, ସାହିତ୍ୟ, ସଂସ୍କୃତି ତଥା ପରମ୍ପରାକୁ । ଯେତେ ଗରୀବ ହେଲେ ମଧ୍ୟ ଉତ୍କଳର ଗୌରବଜ୍ୱଳ, ଐତିହ୍ୟ ଏ ଜାତିର ଆତ୍ମ ଉପଲବ୍ଧି ଓ ଆତ୍ମ ପରିଚୟର ସଜ୍ଞା ବହନ କରିଆସୁଛି । ଉତ୍କଳ ଦିବସର ମହାନତା ଆଜି ଓଡିଆ ଜାତିର ଇତିହାସ ଓ ଓଡିଆ ଜାତିର ପ୍ରାଚୀନ ଗୌରବ ଓ ଆଭିଜାତ୍ୟକୁ ମନେପକାଇ ଦେବା ସଙ୍ଗେ ସଙ୍ଗେ ଆମର ସ୍ୱାଭିମାନ ଜାଗ୍ରତ କରିବା ପାଇଁ ଅଜସ୍ର ପ୍ରେରଣା ଯୋଗାଇଥାଏ । ଉତ୍କଳ ଦିବସ ହିଁ ପ୍ରତ୍ୟେକ ଓଡିଆର ଆତ୍ମବିଶ୍ୱାସର ମାପକାଠି । ଯେଉଁ ମହାନ୍ ଓଡିଆମାନଙ୍କ ତ୍ୟାଗ, ତପସ୍ୟା ଓ ସାଧନାର ଫଳସ୍ୱରୁପ ଓଡିଶା ଆଜି ଏକ ସ୍ୱତନ୍ତ୍ର ପରିଚୟ ପାଇପାରିଛି ସେମାନଙ୍କୁ ଆଜିର ଏହି ପବିତ୍ର ଦିବସରେ ଭକ୍ତିପୁତ ପ୍ରଣାମ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ଭାରତବର୍ଷ ସ୍ୱାଧୀନ ହୋଇଛି । ପରାଧୀନତାର ଶୃଙ୍ଖଳରୁ ମୁକ୍ତ ହୋଇଛି ଉତ୍କଳ । ଆଜି ଅବଶ୍ୟ ଅନେକ ବର୍ଷ ବିତିଗଲାଣି । ଓଡିଶାରେ ଅନେକ ପ୍ରଗତିମୂଳକ କାର୍ଯ୍ୟ ହୋଇଛି । ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, କଳା, ସଂସ୍କୃତି ତଥା ପର୍ଯ୍ୟଟନ କ୍ଷେତ୍ରରେ ଓଡିଆ ଅନେକ ବାଟ ଆଗେଇଯାଇଛି । ତଥାପି ଓଡିଶା ଏକ ଗରୀବ ରାଷ୍ଟ୍ରର ପରିଚୟ ବହନ କରିଆସୁଛି । ଛିନ୍ନ ବିଛିନ୍ନ ଉତ୍କଳର ଏକତ୍ରୀକରଣ ପାଇଁ ଗଠନ କରାଯାଇଥିଲା ଉତ୍କଳ ସମ୍ମିଳନୀ । ଏତିକି ବେଳେ ମଧୁସୂଦନ ଦାସ ଲେଖିଥିଲେ –

ଏହି ସମ୍ମିଳନୀ ଜାତିପ୍ରାଣ ବିନ୍ଦୁ
କୋଟି ପ୍ରାଣବିନ୍ଦୁ ଧରେ
ତୋର ପ୍ରାଣବିନ୍ଦୁ ମିଶାଇ ଦେ ଭାଇ
ଡେଇଁ ପଡି ସିନ୍ଧୁ ନୀରେ । (ମଧୁସୂଦନ ଦାସ)

ଏବେ ବି ଗୋପବନ୍ଧୁଙ୍କର କବିତା –

ମିଶୁ ମୋର ଦେହ ଏ ଦେଶ ମାଟିରେ
ଦେଶବାସୀ ଚାଲି ଯାଆନ୍ତୁ ପିଠିରେ
ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଡ
ପୁରୁ ତହିଁ ପଡି ମୋର ମାଂସ ହାଡ ।

ପ୍ରତି ରକ୍ତବିନ୍ଦୁରେ ଦେଶପ୍ରେମର ଭାବ ଜାଗ୍ରତ କରାଏ ।

ମଧୁସୂଦନ ଦାସ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ, କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସକବି ଫକୀରମୋହନ, ଗୋପବନ୍ଧୁ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, କର୍ମବୀର ଗୌରୀ ଶଙ୍କର, ସ୍ୱଭାବ କବି ଗଙ୍ଗାଧର ମେହେର ତଥା ଉତ୍କଳ କେଶରୀ ମହତାବଙ୍କର ନିଷ୍ଠାପର ସାଧନା ତଥା ଉଦ୍ୟମରେ ଉତ୍କଳ ଆଜି ତାର ଏକ ସ୍ୱତନ୍ତ୍ର ସ୍ଥିତି ପାଇପାରିଛି । ଆଜି ବି ଆମକୁ ଉଦବୁଧ କରାଏ ସେହି କାଳଜୟୀ ପଦ :

ମାତୃଭୂମି ମାତୃଭାଷାରେ ମମତା
ଯା ହୃଦେ ଜନମି ନାହିଁ
ତାକୁ ଯଦି ଜ୍ଞାନୀ ଗଣରେ ଗଣିବା
ଅଜ୍ଞାନ ରହିବେ କାହିଁ । (ଗଙ୍ଗାଧର ମେହେର)

ଆଜି ଅନେକ ଓଡିଆ ଭାଷାଭାଷୀ ଅଞ୍ଚଳ ଆନ୍ଧ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ମଧ୍ୟରେ ମିଶିରହିଛି । ଯାହାକୁ ଏକତ୍ରୀକରଣ କରାଯାଇ ପାରୁନାହିଁ । ଫଳରେ ପୂର୍ଣ୍ଣାଙ୍ଗ ଉତ୍କଳ ଗଠନର ସ୍ୱପ୍ନ ସତେ ଯେପରି ଆଜି ଅଧୁରା ରହିଯାଇଛି । ତଥାପି ଆଜି ପ୍ରବାସୀ ଓଡିଆମାନେ ଓଡିଆ ଭାଷା ଓ ସଂସ୍କୃତିକୁ ନିଜର ବୋଲି ଭାବିବା ସଙ୍ଗେ ସଙ୍ଗେ ନିଜକୁ ଓଡିଆ ବୋଲି ଭାବି ଗର୍ବ କରନ୍ତି ।

ସାରା ବିଶ୍ୱର ମାନଚିତ୍ରରେ ଉତ୍କଳ ସୃଷ୍ଟି କରିଛି ଏକ ସ୍ୱତନ୍ତ୍ର ପରିଚୟ । ଇତିହାସର ଉତ୍କଳ, କଳିଙ୍ଗ, କେଙ୍ଗାଦ, ତୋଷଳ, କାନ୍ତାର, ଉଡ୍ର, ଓଡ୍ର ରାଜ୍ୟ ହିଁ ଆଜିର ଓଡିଶା । ଓଡିଶାର ମାଟି ତଳେ ଭରି ରହିଛି ପ୍ରଚୁର ଖଣିଜ ସମ୍ପଦ । ଓଡିଆମାନେ ଉନ୍ନତ ବୁଦ୍ଧି, କୌଶଳ, ମନପ୍ରାଣ ଓ ସାହସ ଦେଇ ଏହି ଖଣିଜ ସଂପଦର ସୁବିନିଯୋଗ କରିପାରିଲେ ବିଶ୍ୱଦରବାରରେ ଓଡିଶା ଏକ ଉନ୍ନତ ରାଜ୍ୟଭାବେ ପରିଗଣିତ ହୋଇପାରିବ ।

ଆଜି ଓଡିଶାରେ ଯେଉଁ ସମସ୍ୟା ଉପୁଜିଛି ସେଥିରେ ଭାଷା ସମସ୍ୟା ହେଉଛି ମୁଖ୍ୟ । ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି ସତ, ହେଲେ ଭାଷା ପ୍ରତି ଓଡିଆମାନଙ୍କର ଆନ୍ତରିକତାର ଅଭାବବୋଧ ପରିଲକ୍ଷିତ ହେଉଛି । ଦିନକୁ ଦିନ ଓଡିଆ ଭାଷାର ବ୍ୟବହାର ସଙ୍କୁଚିତ ହେବାରେ ଲାଗିଛି । ଆମ ଖାଦ୍ୟପେୟ ତଥା ସାମାଜିକ ଚଳଣୀରେ ମଧ୍ୟ ପରିବର୍ତ୍ତନ ଆସିଛି । ଆମେ ସମସ୍ତେ ଯେପରି ଓଡିଆଟିଏର ପରିଚୟ ଦେଇ ବଞ୍ଚିବାକୁ ଆଉ ଚାହୁଁ ନାହୁଁ । ଆମର ଭାଷା, ସଂସ୍କୃତି ଓ ପରମ୍ପରା ସବୁ ଯେପରି କାଳର କରାଳ ଗତିରେ ଲୀନ ହେବାକୁ ବସିଲାଣି । ଆମର ଦେହ ଦେଶୀ ଓ ମନ ସବୁ ବିଦେଶୀ ପାଲଟିଗଲାଣି । ଆମ ପିଲାମାନଙ୍କର ମୁହଁରୁ ଇଂଲିଶ ଭାଷା ଦିପଦ ଶୁଣି ଆମେ ଯେପରି କୃତ୍ୟକୁତ୍ୟ ହେଉଛୁ ଓଡିଆ ଭାଷାର ଅନ୍ଧାରୀ ଭବିଷ୍ୟତ ବିଷୟରେ ଥରେ ବି ଚିନ୍ତାକରିବାକୁ ସୁଯୋଗ ପାଉନାହୁଁ । ହେଲେ ବିଳପି ଉଠୁଛି ଆଜି ମା ଉତ୍କଳର ଆତ୍ମା । ଅଶ୍ରୁଳ ଆଖିରେ ସେ ଚାହିଁରହିଛି ଉତ୍କଳୀୟମାନଙ୍କର ଦୟା ଆଉ ଅନୁକମ୍ପାକୁ । ଆଜି ସମୟ ଆସିଛି ଚିନ୍ତାକରିବାର । ଉତ୍କଳର ଭାଷା, ସଂସ୍କୃତି ତଥା ପରମ୍ପରାକୁ ସବୁଦିନ ବଞ୍ଚାଇ ରଖିବାକୁ ହେଲେ ପ୍ରତ୍ୟେକ ଓଡିଆକୁ ମନ ଓ ହୃଦୟରେ ଏକ ପରିବର୍ତ୍ତନ ଆଣିବାକୁ ହେବ । ଭାଷା, ସଂସ୍କୃତି ଓ ପରମ୍ପରା ପ୍ରତି ଗଭୀର ଆନ୍ତରିକତା ତଥା ଶ୍ରଦ୍ଧା ରଖିବାକୁ ହେବ । ସ୍ୱାର୍ଥ, ଲୋଭ ଓ ମୋହଠାରୁ ଦୂରରେ ରହି ଉତ୍କଳ ମାର ସେବାରେ ଜୀବନକୁ ଉତ୍ସର୍ଗ କରିବାକୁ ହେବ । ଏହି ହିଁ ଆଜିର ଏହି ପବିତ୍ର ଦିବସରେ ପ୍ରତ୍ୟେକ ଓଡିଆର ହୋଇଉଠୁ ଏକ ଆଦର୍ଶ ଅନୁଚିନ୍ତା । ଯେଉଁ ଅନୁଚିନ୍ତା ଗଢିତୋଳୁ ଏକ ନବ ଉତ୍କଳ ।

ଜୟ ମା’ ଉତ୍କଳ ଜନନୀ
ତୁମ ଚରଣେ ଶତ ପ୍ରଣାମ

ଲୋକପ୍ରିୟ ଲେଖା

To Top