ପ୍ରବନ୍ଧ

ଉତ୍କଳୀୟ ଅନୁଚିନ୍ତା

Prafulla Kumar Panda's odia prose Utkaliya Anuchintaa

ଶପଥ ପାଠର ଦାମ୍ଭିକତା ସେହି କାଗଜ କଲମରେ ସିମୀତ ରହି ଯାଉଛି ।

ଉତ୍କଳୀୟ ଅନୁଚିନ୍ତା

“ବର୍ଷାଣାଂ ଭାରତ ଶ୍ରେଷ୍ଠଃ ଦେଶାନାମ୍‌ ଉତ୍କଳ ଶ୍ରୁତଃ,
ଉତ୍କଳସ୍ୟ ସମୋଦେଶଃ ନାସ୍ତି ନାସ୍ତି ମହୀତଳେ “

ଏପ୍ରିଲ ଏକ ଉତ୍କଳୀୟ ଭାଗ୍ୟାକାଶରେ ପୁଣ୍ୟତମ ଐତିହମୟ ଦିବସ । ଓଡ଼ିଆଙ୍କ ପ୍ରାଣରେ ଜାଗରିତ ହୁଏ ଉତ୍କଳୀୟ ଜାତୀୟତାଭାବ । ସୃଜନ ପ୍ରାଣରେ ସଞ୍ଚରିତ ହୁଏ କାଳଜୟୀ ସାରସ୍ୱତ ବାଣୀ । ସେ ସମୟରେ ପ୍ରତି ଦ୍ୱାର ସମ୍ମୁଖରେ ଶୁଭ କଳସ ସ୍ଥାପନ କରାଯାଉଥିଲା, ଏବଂ ଶୁଭ ଶଙ୍ଖର ନିନାଦରେ ପ୍ରତିଧ୍ବନିତ ହେଉଥିଲା ଗଗନ ପବନ । ଉତ୍କଳ ଦିବସର ସ୍ୱାଗତ ଅଭ୍ୟର୍ଥନାରେ । କୂଳବଧୁ ମାନଙ୍କର ହୁଲୁହୁଳି ଶବ୍ଦରେ ପ୍ରତି ଓଡ଼ିଆ ପ୍ରାଣରେ ପ୍ରବାହିତ ହେଉଥିଲା ଜାତୀୟତାବାଦର ଭାବଚ୍ଛ୍ଵାସ । ଆଜିକିନ୍ତୁ ତାହା ବିଲୀନ ହେବାକୁ ଯାଉଛି । ଉତ୍କଳଦିବସର ମହାନତାର ମୂଲ୍ୟବୋଧ କ୍ରମଶଃ ସଂକୁଚିତ ହେବାରେ ଲାଗିଛି । ମାନବିକତାର ନୈତିକ ମୂଲ୍ୟବୋଧ ହ୍ରାସ ପାଇଛି । ଅର୍ଥ ଓ ପ୍ରତିପତ୍ତି ଲାଳସାର ବଶବର୍ତ୍ତୀ ହୋଇ ମାନବିକତାର ପବିତ୍ର ଶୃଙ୍ଖଳକୁ ଚ୍ଛିନ୍ନ କରି ପଶୁ ପ୍ରବୃତ୍ତିକୁ ଆପଣେଇ ନେଇ ଅନ୍ୟାୟ, ଦୁର୍ନୀତି, ନାରୀଧର୍ଷଣ, କଲା ବଜାରୀ ଇତ୍ୟାଦି ଅପକର୍ମରେ ଲିପ୍ତ ରହି ସ୍ବଧର୍ମକୁ ଭୁଲି ଯାଆନ୍ତି । ଫଳରେ ସାମାଜିକ କ୍ଷେତ୍ରରେ ସୃଷ୍ଟି ହୁଏ ବିଘଟନ ଏବଂ ସାମାଜିକ ଜୀବନ ବୁର୍ବିସହ ହୋଇପଡ଼େ ।

ଆମେ ବିସ୍ମରି ଯାଉଛନ୍ତି ଆମ ପୂର୍ବସ୍ୱରୀ ମାନଙ୍କର ବିରତ୍ବ, ତ୍ୟାଗ, ବଳିଦାନ ତଥା ନିଃସ୍ୱାର୍ଥ ଦେଶପ୍ରେମର ଜ୍ୱଳନ୍ତ ଉଦ୍ଧାମତା । ଓଡ଼ିଶାର ପାଇକ ପୁଅର ସମର କୌଶଳତା, ବାଜି ରାଉତଙ୍କ ଆତ୍ମୋତ୍ସଗ, ଜୟୀ ରାଜଗୁରୁଙ୍କ ବର୍ବରୋଚିତ ହତ୍ୟା, ଇଂରେଜ ମାନଙ୍କର ଦୌରାତ୍ମ୍ୟ ଓ ବଙ୍ଗାଳୀମାନଙ୍କର ବୈମାତୃକ ମନୋଭାବ ଯୋଗୁଁ ଓଡ଼ିଆ ଭାଷା ଓ ସଂସ୍କୃତି ନିଶ୍ଚିହ୍ନ ହେବାକୁ ଯାଉଥିଲା । କିନ୍ତୁ ଉତ୍କଳଜନନୀର ସ୍ୱାଭିମାନକୁ ଉଜ୍ଜୀବିତ କରିବାକୁ କର୍ଣ୍ଣଧାର ସାଜିଥିଲେ ଉତ୍କଳର ବରପୁତ୍ରଗଣ । ଯେଉଁ ମହାମାନବ ମାନଙ୍କର ଅକୁଣ୍ଠିତ ସାହଚର୍ଯ୍ୟା , ନିଷ୍ଠା , ସାଧନା ଆତ୍ମତ୍ୟାଗ ଯୋଗୁଁ ଆମେ ଗୌରବାନ୍ୱିତ ଏବଂ ଉତ୍କଳୀୟ ଭାବେ ପରିଚିତ । ସେହି ଜାତିସ୍ମରମାନଙ୍କର ଅଧୁରା ସ୍ୱପ୍ନକୁ ସାକାର କରିବାରେ ଆମେ ଅକ୍ଷମ । ସମସ୍ତ ଅବାସ୍ତବତା ମଧ୍ୟରେ ଏକ ବାସ୍ତବତାର ପୂର୍ଣ୍ଣାଙ୍ଗ ରେଖାଚିତ୍ର ପ୍ରତି ଓଡ଼ିଆଙ୍କର ହୃଦୟରେ ଆଙ୍କିଦେଇଯାଇଛନ୍ତି । ଆମେ କେବଳ ସେହି ରେଖାଚିତ୍ରକୁ ସଂକୀର୍ଣ୍ଣ ସ୍ୱାର୍ଥର ଉର୍ଦ୍ଧ୍ୱରେ ରହି ଆନ୍ତରିକତାର ରଙ୍ଗ ଓ ଐକ୍ୟତାର ତୁଳିରେ ଚିତ୍ରିତ କରି ସର୍ବାଙ୍ଗ ସୁନ୍ଦର ଓ ଶୁଶୋଭିତ ପୂର୍ଣ୍ଣାଙ୍ଗ ଅବୟବ ଭାବେ ଗଢ଼ି ତୋଳିବାକୁ ପ୍ରୟାସ ଜାରି ରଖି ନାହାନ୍ତି ।

୧୭୫୧ ଖ୍ରୀଷ୍ଟାବ୍ଦରେ ବଙ୍ଗ ନବାବ ସାହା ଆଲ୍ଲାମ ନାଗପୁରର ମରହଟ୍ଟା ଭୋଁସଲାଙ୍କୁ ପୁରୀ, କଟକ, ବାଲେଶ୍ବର ଅଞ୍ଚଳକୁ ସମର୍ପିଥିଲେ । ୧୮୦୩ ପର୍ଯ୍ୟନ୍ତ ଏହା ଭୋଁସଲାଙ୍କ ହାତରେ ଥିଲା ଏବଂ ସେହି ୧୮୦୩ରେ ମରହଟ୍ଟାମାନେ ଏହାକୁ ଇଂରେଜ ମାନଙ୍କ ହାତରେ ଛାଡିଦେଇଥିଲେ । ଫଳରେ ଇଂରେଜମାନେ ୧୮୦୩ ମସିହାରେ ବାଣିଜ୍ୟ କରିବାକୁ ଆସି ପ୍ରଥମେ ବଙ୍ଗଳାରେ ସାମ୍ରାଜ୍ୟ ବିସ୍ତାର କଲେ । ୧୯୧୧ ମସିହାରେ ଦିଲ୍ଲୀ ସିଂହାସନରେ ଅଭିଷେକ ହୋଇ ଇଂରେଜ ରାଜା ଭାରତର ସମ୍ରାଟ ଘୋଷଣା କଲେ ବଙ୍ଗ ବିଭାଜନର ପ୍ରସ୍ତାବ । ବଙ୍ଗ ପ୍ରଦେଶରୁ ବିହାର ଓ ଓଡ଼ିଶାର ପୃଥକୀକରଣ । ଫଳତଃ ବିହାର ଓ ଓଡ଼ିଶା ଉଭୟ ପ୍ରଦେଶରେ ଆନନ୍ଦର ଉନ୍ମାଦନା ଖେଳିଗଲା । ବିହାର ର ପୁରାତନ ଇତିହାସ ତାହା ଐତିହାସିକ, ମଗଧ ରାଜ୍ୟର ଉତ୍ତରାଧିକାରୀ ଓଡ଼ିଶା ବା କଳିଙ୍ଗର ଇତିହାସ ମଧ୍ୟ ଗୌରବମୟ । କିନ୍ତୁ ବଙ୍ଗ ପ୍ରଦେଶ ଏହି ଦୁଇ ରାଜ୍ୟ ତୁଳନାରେ ସମ୍ପୂର୍ଣ୍ଣ ନୂଆ ନ ହେଲେ ମଧ୍ୟ ବହୁ ପରିମାଣରେ ଐତିହାସିକ ସଂପଦରୁ ବଂଚିତ । କିନ୍ତୁ ଇଂରେଜ ପ୍ରଥମେ ବଙ୍ଗରେ ଆସି କାୟା ବିସ୍ତାର କରିବା ଫଳରେ ଓଡ଼ିଆ ଜାତିର ବିଶେଷ କ୍ଷତି ଘଟିଲା । ପାଶ୍ଚାତ୍ୟ ଶିକ୍ଷାର ପ୍ରଚାର, ପ୍ରାଚ୍ୟ ଭୂଖଣ୍ଡରେ ସେହିଠାରୁ ଆରମ୍ଭ ହେଲା । ସରକାରୀ ଓ ଉଚ୍ଚ ପଦପଦବୀର ସୁବିଧା ଗୋରା ବେପାରୀଙ୍କ ତଳକୁ ବଙ୍ଗାଳୀମାନଙ୍କୁ ମିଳିଲା । ବିହାର ଓ ଓଡ଼ିଶା ବଙ୍ଗ ପ୍ରଦେଶରେ ରହିଥିବାରୁ ଏ ଦୁଇଟି ରାଜ୍ୟ ମଧ୍ୟ ବଂଚିତ ହୋଇ ପାରିଲେ ନାହିଁ । ଓଡ଼ିଆ ଜାତିର ଅବନତିର କାରଣ ଏକ ପକ୍ଷରେ ଗୋରା କର୍ମଚାରୀ ଓ ଅନ୍ୟ ପକ୍ଷରେ ଅନ୍ୟ ପ୍ରଦେଶର ବଡ଼ ଦେଶୀ ହାକିମମାନେ । ଇତିହାସ ପ୍ରସିଦ୍ଧ ଓଡ଼ିଆ ଜାତି ଖଣ୍ଡ ବିଖଣ୍ଡ ହୋଇ ପ୍ରଥମେ ତିନି ଏବଂ ପରେ ଚାରିଗୋଟି ବିଭିନ୍ନ ପ୍ରଦେଶରେ ରହିଗଲେ ।

ବଙ୍ଗ ପ୍ରଦେଶ ମେଦିନୀପୁର ସଙ୍ଗେ ପୁରୀ, କଟକ, ବାଲେଶ୍ବରକୁ ବଙ୍ଗ ପ୍ରଦେଶ ସହିତ ସମ୍ମିଶ୍ରଣ କରିବାପାଇଁ ପ୍ରବଳ ଉଦ୍ୟମ କରୁଥିଲେ । ତାର ଏହି ଔଦ୍ଧତ୍ୟକୁ ଖଣ୍ଡନ କରିବାକୁ ଓଡ଼ିଶାର ଏତେ ଶକ୍ତି ନ ଥିଲା, କାରଣ ବଙ୍ଗାଳୀମାନେ ଇଂରେଜ ପ୍ରଶାସନ କ୍ଷେତ୍ରରେ ଉଚ୍ଚ ପଦପଦବୀ ମଣ୍ଡନ କରିଥିଲେ । ଏପରିକି ବଙ୍ଗ, ବିହାର, ଓଡ଼ିଶାରେ ଥିବା ସମସ୍ତ ବିଦ୍ୟାଳୟ ମାନଙ୍କରେ ବଙ୍ଗାଳୀ ଶିକ୍ଷକ ଥିଲେ । ତେଣୁ ଓଡ଼ିଆ ମାନଙ୍କ ସପକ୍ଷରେ କହିବାକୁ ବା ଓଡ଼ିଆ ଭାଷାପ୍ରତି ଆନୁଗତ୍ୟ ପ୍ରକାଶ କରିବା ପାଇଁ କେହି ନ ଥିଲେ । ଘରୋଇ ଭାବରେ ପିଲାମାନଙ୍କୁ ପାଠ ପଢ଼ାଉଥିବା ଶିକ୍ଷକ ମାନଙ୍କୁ ଓଡ଼ିଆ ପାଠ ପଢ଼ାଇଲେ ସରକାର ଜେଲ୍‌ ଦେବେ ବୋଲି ଧମକାଇ ଓଡ଼ିଆ ଅବଧାନ ମାନଙ୍କୁ ତଡ଼ିଦେଲେ ଫଳରେ ଓଡ଼ିଆ ଗଣତିରେ ଅସମ୍ଭବ ଭାବେ ମେଦିନୀପୁରର ଓଡ଼ିଆ ଅଞ୍ଚଳରେ ଓଡ଼ିଆଙ୍କ ଶତକଡା ୮୦ ରୁ ୯୦ ପରିମାଣରେ କମିଯାଇଥିଲା । ଏହିପରି ଭାବେ ବଙ୍ଗାଳୀ ପଣ୍ଡିତ ମାନେ ଓଡ଼ିଶାର ଚିହ୍ନ ବର୍ଣ୍ଣ ଲୋପ କରିବାପାଇଁ ଉଦ୍ୟମ ଜାରି ରଖିଥିଲେ । ଏପରିକି “ଓଡ଼ିଆ ସ୍ୱତନ୍ତ୍ର ଭାଷା ନୟ” ବୋଲି ଖଣ୍ଡିଏ ପୁସ୍ତକ ଛପାଇ ପ୍ରଚାର କରିଥିଲେ । ଯେଉଁ କେତେଜଣ ଓଡ଼ିଆ ତଳିଆ କର୍ମଚାରୀ ଭାବେ ଥିଲେ ସେମାନେ ବଙ୍ଗାଳୀ ମାନଙ୍କ ପ୍ରାଧାନ୍ୟତା ଭୟରେ ନୀରବଦ୍ରଷ୍ଟା ସାଜିଥିଲେ । ଓଡ଼ିଶାରେ ଚୈତନ୍ୟଙ୍କର ବଙ୍ଗଳାରେ ରଚିତ ସଙ୍ଗୀତ ଏବଂ ଦୀନକୃଷ୍ଣ ଦାସଙ୍କର ‘ରସକଲ୍ଲୋଳ’ ଠାରୁ ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ‘ବିଦଗ୍ଧ ଚିନ୍ତାମଣି” ଓ ଅନ୍ୟାନ୍ୟ କାବ୍ୟ କବିତା ବଙ୍ଗ ଭାଷାରେ ପରିପ୍ରଚାର । ଉତ୍କଳ ଜନନୀଙ୍କର ଏହିଭଳି ଦୁର୍ଦ୍ଦିନରେ ପୃଷ୍ଠପୋଷକ ଭାବେ କର୍ଣ୍ଣଧାର ସାଜିଥିଲେ ଜାତିପ୍ରେମୀ ବରପୁତ୍ରଗଣ । ଓଡ଼ିଶା ଏକ ପ୍ରଦେଶ ଓ ଏହାର ରାଜଧାନୀ ନ ଥିବାରୁ ଏହିଭଳି ସବୁ ସମସ୍ୟା ଉପୁଜିଥିଲା । ଉତ୍କଳ ଜନନୀର ଲୁହ ପୋଛିବାକୁ ଦୃଢ଼ ପ୍ରତିଜ୍ଞା ଓ ପ୍ରାଣପାଟ କରିବାକୁ ଆଗେଇ ଆସିଥିଲେ ଉତ୍କଳର ଘରେ ଘରେ ପରିଚିତ ମଧୁବାରିଷ୍ଟର ବା ମଧୁସୂଦନ ଦାସ । ପ୍ରକାଶ ଥାଉକି ତାଙ୍କର ପ୍ରକୃତ ନାମ ଗୋବିନ୍ଦ ଦାସ । ସିଏ ଏଣ୍ଟ୍ରାନ୍ସ ପାସ୍‌ କରି ଗୋଟିଏ କିରାଣୀ ଚାକିରୀ କରିଥିଲେ । ସେଠାରୁ କୌଣସି ପ୍ରକାରେ କଲିକତାରେ ଖ୍ରୀଷ୍ଟିୟାନ ମିସ୍‌ନାରୀଙ୍କ ପ୍ରଭାବରେ ପଡ଼ି ମଧୁସୂଦନ ଦାସ ନାମରେ ପରିଗଣିତ ହୋଇ ଏମ୍‌.ଏ ଓ ବି.ଏଲ୍‌ ପାସ୍‌ କଲେ । କଲିକତାରେ ଓକିଲାତି କରି ବହୁ ପଇସା ରୋଜଗାର କଲା ପରେ କଟକ ଆସିଲେ ଓକିଲାତି କରିବାକୁ । ସେ ଜାତୀୟ କଂଗ୍ରେସ୍‌ ର ଥିଲେ ବଡ଼ପଣ୍ଡା । ୧୯୦୨ରେ ସେ ବହୁ ଆଶା ନେଇ ଓଡିଶାକୁ ସ୍ୱତନ୍ତ୍ର ପ୍ରଦେଶ ଗଠନ ପ୍ରସ୍ତାବ ବଙ୍ଗ ଦେଶରେ ଜାତୀୟ କଂଗ୍ରେସ୍‌ ରେ ପେସ୍‌ କରିଥିଲେ । କିନ୍ତୁ ବଙ୍ଗାଳୀମାନଙ୍କ ଭିତରେ ଘୋର ଅନିଚ୍ଛା ପ୍ରକଟିତ ହେଲା ।

ସେହିଠାରୁ ମଧୁବାବୁ ଜାତୀୟ କଂଗ୍ରେସ୍‌କୁ ମରିବା ପର୍ଯ୍ୟନ୍ତ ମୁହଁ ଫେରାଇ ନାହାନ୍ତି । ତା ପରେ ସେ ଉତ୍କଳ ସମ୍ମିଳନୀର ଆହ୍ୱାନ ଦେଲେ । ତାଙ୍କ ସହିତ ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ବ୍ୟାସ କବି ଫକୀର ମୋହନ ସେନାପତି , ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ ଗୋଦାବରୀଶ ମହାପାତ୍ର , କବିବର ରାଧାନାଥ ରାୟ, କନିକାର ରାଜା, ମୟୁରଭଞ୍ଜ ରାଜା, ବାଲେଶ୍ଵର ରାଜା ଏବଂ ଉତ୍କଳଦୀପିକାର ସଂପାଦକ ଗୌରୀଶଙ୍କର ରାୟ, ଏହିଭଳି ଅନେକ ଜାତିସ୍ମର ମାତୃଭୂମି ଏବଂ ମାତୃଭାଷାର ଉନ୍ନତି । ସ୍ୱତନ୍ତ୍ର ଓଡିଶା ପ୍ରଦେଶର ଗଠନ ପାଇଁ ସମସ୍ତ ହଳାହଳକୁ ପାନ କରି ସ୍ୱପ୍ନକୁ ସାକାର ରୂପ ଦେବାପାଇଁ ଅବିରତ ଚେଷ୍ଟିତ ଥିଲେ । ସେ ସମୟରେ ବାଲେଶ୍ୱରରେ କଲେକ୍ଟର ଥିଲେ ଜନ୍‌ ବିମ୍ସ । ସେ ଜଣେ ଭାଷାବିତ୍‌ ପଣ୍ଡିତ ବୋଲି ଜନରବ ଥିଲା । ଉତ୍କଳର ବରପୁତ୍ର ମାନେ ତାଙ୍କ ପାଖକୁ ଦରଖାସ୍ତ ଦେଲେ ଏବଂ ପ୍ରାର୍ଥନା ମଧ୍ୟ କଲେ, ବିମ୍ସ ସାହେବ “ଓଡ଼ିଆ ଏକ ପ୍ରାଚୀନ ସ୍ୱତନ୍ତ୍ର ଭାଷା ଏବଂ ଏହି ଭାଷା ଦେଶରେ ବହୁଳଭାବରେ ଶିକ୍ଷା ଦିଆଯିବା ଉଚିତ” ବୋଲି ଏହି ମର୍ମ ରେ ଖଣ୍ଡିଏ ଇଂରାଜୀ ପୁସ୍ତକ ମଧ୍ୟ ସରକାରଙ୍କ ପାଖକୁ ପଠାଇଦେଲେ । ଓଡ଼ିଶାର ଆଉ ଜଣେ ପରମ ବନ୍ଧୁ ଉତ୍କଳର ଟି. ରେଭେନ୍ସା, ସେ କଲେକ୍ଟରଙ୍କ ପ୍ରେରିତ ଦରଖାସ୍ତରେ ନିଜର ଅନୁକୂଳ ମତ ଲେଖି ଗଭ୍‌ମେଣ୍ଟ କୁ ପଠାଇ ଦେଲେ ।

ସରକାରଙ୍କ ପାଖରୁ ହୁକୁମ ଆସିଲା ଓଡ଼ିଶାର ସମସ୍ତ ବିଦ୍ୟାଳୟରୁ ବଙ୍ଗ ଭାଷା ସମ୍ପୂର୍ଣ୍ଣ ରୂପେ ଉଠାଇ ଦିଆଯାଉ ଏବଂ ଉତ୍କଳ ଭାଷାର ବହୁଳ ପ୍ରଚାର ଓ ପ୍ରସାର ନିମନ୍ତେ ସ୍ଥାନେ ସ୍ଥାନେ ସ୍କୁଲ ସ୍ଥାପିତ ହେଉ ତେଣୁ ଉତ୍କଳବାସୀଙ୍କ ପାଇଁ କଲେକ୍ଟର ଜନ୍‌ ବିମ୍ସ ଓ ଟି. ରେଭେନ୍ସା ଚିରକାଳ ପ୍ରାତଃ ସ୍ମରଣୀୟ । ୧୯୨୪ ମସିହାରେ କେତେକ ବନ୍ଧୁଙ୍କ ପରାମର୍ଶ କ୍ରମେ ପଣ୍ଡିତ ନୀଳକଣ୍ଠ ଦାସ ବଙ୍ଗ ଓ ଓଡ଼ିଶାକୁ ନେଇ କୌଣସି ସର୍ତ୍ତ ରଖି ଗୋଟିଏ ପ୍ରଦେଶ କରିବା ପାଇଁ ସାର୍‌ ପ୍ରଫୁଲ୍ଲ ଚନ୍ଦ୍ର ରାୟଙ୍କ ଯାଇଥିଲେ । କିନ୍ତୁ ସେ ଗଲାମାତ୍ରେ ରାୟ ମହାଶୟ ସେ କଥା ଶୁଣିଛନ୍ତି କି ନାହିଁ ସେ ଲେଖିଥିବା କେତେକ ଲେଖା ପଢି ଶୁଣାଇଲେ । ସେଥିରେ ପ୍ରଧାନ ବିଷୟ ହେଉଛି ଓଡ଼ିଆ ପୂଜାରୀ ଓ ବିହାରୀ ଚାକର ମାନେ କଳିକତାକୁ ଆକ୍ରମଣ କରି ଏକରକମ୍‌ କଲିକତାରେ କାହିଁକି ବଙ୍ଗ ଦେଶର ସ୍ଵାସ୍ଥ ଓ ସଂସ୍କୃତି ଧ୍ବଂସ କରିବାରେ ଲାଗିଛନ୍ତି । ବଙ୍ଗ ଭକ୍ତମାନଙ୍କର ଓଡ଼ିଆଙ୍କ ପ୍ରତି ହୀନମନ୍ୟତା ତାହା ସ୍ପଷ୍ଟ ଅନୁମେୟ । ସେହି ୧୯୨୪ରେ କଟକ ଟାଉନ୍‌ ହଲ୍‌ରେ କଂଗ୍ରେସ କନ୍‌ଫରେନ୍ସ ହୋଇଥିଲା । ସେ ସଭାରେ ସଭାପତି ଥିଲେ ସାର୍‌ ପି.ଚି.ରାୟ । ସେହି ସମୟରେ ପଣ୍ଡିତ ଗୋପବନ୍ଧୁ ଦାସ ଜେଲ୍‌ ରୁ ଆସି ପହଞ୍ଚିଲେ । ତାଙ୍କୁ ମହାସାମ୍ମାନର ସହିତ ସଭାକୁ ପାଛୋଟି ନିଆଗଲା । ଏବଂ ପି.ସି . ରାୟ ସେ ସଭାରେ ତାଙ୍କୁ ଉତ୍କଳମଣି ବୋଲି ସଂବୋଧନ କଲେ । କିନ୍ତୁ ଗୋପବନ୍ଧୁ ଦାସ ଥିଲେ କେବଳ ଓଡ଼ିଶାର ନୁହେଁ ଭାରତର ଏବଂ ବିଶ୍ବର ବନ୍ଧୁ । ତାଙ୍କୁ ଏହି ଉତ୍କଳରେ ହିଁ ସୀମିତ ରଖି ଦିଆଗଲା । ପରନ୍ତୁ ବଙ୍ଗଳାରେ ଦେଶବନ୍ଧୁ, ଦେଶପ୍ରୀୟ ମହାରାଷ୍ଟ୍ରରେ ଲୋକମାନ୍ୟ ପ୍ରଭୃତି ଉପାଧି ସ୍ଥଳେ ଓଡ଼ିଶାର ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ମହାତ୍ମା ମାନଙ୍କୁ ଓଡ଼ିଶାରେ ହିଁ ସୀମିତ ରଖି ଦିଆ ଗଲା । କୂଳବୃଦ୍ଧ ମଧୁସୂଦନ ଦାସଙ୍କୁ ମଧ୍ୟ ଉତ୍କଳ ଗୌରବ ରୂପେ ଭୂଷିତ କରାଗଲା । ଯିଏ ଥିଲେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଏବଂ ପରିଚିତ ବ୍ୟକ୍ତିତ୍ୱ । ଗୁରୁ ରବି ଠାକୁରଙ୍କ ବହୁ ପୂର୍ବରୁ ଓଡ଼ିଶାର ପଞ୍ଚସଖା ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଯଶୋବନ୍ତ ଦାସ, ଜଗନ୍ନାଥ ଦାସ ଓ ଶିଶୁ ଅନନ୍ତ ଦାସ ଯେଉଁ ଅମୂଲ୍ୟ ଓ ଉପାଦେୟ ଗ୍ରନ୍ଥ ରଚନା କରି ଯାଇଛନ୍ତି ଯାହା ସମଗ୍ର ବିଶ୍ୱ ପାଇଁ “ବେଦ” ସଦୃଶ । ସେମାନେ ଲୋକଲୋଚନର ଆଢୁଆଳରେ । ସେହି ମହାମାନବମାନେ “ବିଶ୍ୱ ଗୁରୁ” ହେବାପାଇଁ ଯଥାର୍ଥ ନୁହେଁ କି ?

ଓଡ଼ିଶା ପ୍ରାକୃତିକ ବିପର୍ଯୟର ରାଜ୍ୟ । ୧୯୨୭ ବନ୍ୟାରେ ଓଡ଼ିଶାର କ୍ଷୟକ୍ଷତି ଆକଳନ କରିବା ବାହୁଲ୍ୟମାତ୍ର । ସରକାରୀ ରିପୋର୍ଟରେ ଯାହା ପ୍ରକାଶ ପାଇଲା ତାହା ପ୍ରକୃତ ଅବସ୍ଥାର ଛଦ୍ମ ପ୍ରକାଶ । ଗୋପବନ୍ଧୁ ଦାସ ସେତେବେଳେ କଟକରେ ରହୁଥିଲେ । ଏକ ବଢି କମିଟି ଗଢ଼ା ଗଲା । ସେ କମିଟିରେ ଗୋପବନ୍ଧୁ ଦାସ ଥିଲେ ମୁଖ୍ୟ । ୟଙ୍ଗ ଉତ୍କଳର ସଂପାଦକ ‘ଭୁବନାନନ୍ଦ ବାବୁ’ ତାଙ୍କ ପତ୍ରିକାରେ ଗୋପବନ୍ଧୁଙ୍କ ବିରୁଦ୍ଧରେ ଟ୪୭,୦୦୦ଙ୍କା ଆତ୍ମସାତ୍‌ର ଏକ ଅଭିଯୋଗ ଆଣିଲେ । ଗୋପବନ୍ଧୁ ଦାସ ଏହା ପଢି ବହୁତ କାନ୍ଦିଲେ ତେଣୁ ସେ ପଣ୍ଡିତ ନୀଳକଣ୍ଠ ଦାସଙ୍କୁ ଟେଲିଗ୍ରାମ୍‌ କରି ଡକାଇ କହିଲେ ଦେଖ ଭୁବନାନନ୍ଦ ଲେଖିଛି ମୁଁ ବଢ଼ିଟଙ୍କା ଖାଇଗଲି ।

ଏହି ଦୁଃଖରେ ସେ ଏତେ ଭାଙ୍ଗି ପଡିଲେ ଯେ, ଟାଇଫଏଡ ପୁଣି ଲେଉଟିଲା । ସେ ୧୯୨୮ ଜୁନ୍‌ ମାସ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଦିନ ଇହଧାମ ତ୍ୟାଗ କଲେ । କେବଳ ଉତ୍କଳ ନୁହେଁ , ଭାରତ ମାତାର ହୃଦୟାକାଶରୁ ଏକ ଉଜ୍ଜ୍ୱଳ ନକ୍ଷତ୍ର ନିଷ୍ପ୍ରଭ ହୋଇଗଲେ । ଉତ୍କଳ ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବାର ଅବ୍ୟବହିତ ପୂର୍ବରୁ ଉତ୍କଳର ମୁକୁଟ ବିହୀନ ସମ୍ରାଟ , ଉତ୍କଳ ସମ୍ମିଳନୀର ପ୍ରାଣ ପ୍ରତିଷ୍ଠାତା କୁଳବୃଦ୍ଧ ମଧୁସୂଦନ ଦାସ ୧୯୩୪ ଫେବୃଆରୀ ମାସ ୪ ତାରିଖରେ ଇହଲୀଳା ସମ୍ବରଣ କଲେ । ମୃତ୍ୟୁ ପୂର୍ବରୁ ପଣ୍ଡିତ ନୀଳକଣ୍ଠ ଦାସ ତାଙ୍କ ପାଖରେ ଥାଆନ୍ତି , ସେ ବିଚିତ୍ରାନନ୍ଦଙ୍କୁ ଡାକି କହିଲେ ଏହି ନୀଳକଣ୍ଠ ହିଁ ମୋ ମୃତ୍ୟୁ ପରେ ତୁମ୍ଭ ମାନଙ୍କୁ ମାର୍ଗ ଦର୍ଶନ କରିବ ଏବଂ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ । ତତ୍ପରେ ସେ ନୀଳକଣ୍ଠ ଦାସଙ୍କୁ ଏକୁଟିଆ ସମୟରେ ଓଡ଼ିଶାର କେତେକ ଗୁରୁତ୍ତ୍ୱପୂର୍ଣ୍ଣ କଥା କହିଥିଲେ ।

ପରିଶେଷରେ ବହୁ ବାଦାନୁବାଦ, ବହୁ ଘାତ ପ୍ରତିଘାତ , ବହୁ ହାରି ଗୁହାରି, ଆରୂପ ପ୍ରତ୍ୟାରୋପ ପରେ ଇଂରେଜ ମାନଙ୍କର କୌତୁକ ପର୍ଣ୍ଣ ବ୍ୟଙ୍ଗ ଦିବସ ରୂପେ ପାଳନ କରୁଥିବା ଦିବସରେ ଓଡ଼ିଶାବାସୀଙ୍କୁ ଐକ୍ୟ ସୂତ୍ରରେ ବାନ୍ଧି ଓଡିଶାକୁ ସ୍ୱତନ୍ତ୍ର ପ୍ରଦେଶ ରୂପେ ଘୋଷଣା କଲେ । ଏହା ପ୍ରଥମେ ଚାରୋଟି ଜିଲ୍ଲାକୁ ନେଇ ଗଠିତ ହୋଇଥିଲା, ବିଛିନ୍ନାଞ୍ଚଳ ଭାବେ ଥିବା ଅନ୍ୟପ୍ରଦେଶ ଗୁଡିକ ମିଶି ପାରି ନ ଥିଲା । ରୋରୁଦ୍ୟମାନ , ଛିନ୍ନମସ୍ତା ଓ ଅଙ୍ଗ ପ୍ରତ୍ୟଙ୍ଗ ବିହୀନ ଉତ୍କଳ ଜନନୀଙ୍କର ଶୋଚନୀୟ ଅବସ୍ଥା ଗଭୀର ଦୁଃଖ ଓ ଯନ୍ତ୍ରଣା ଦେଉଥିଲା । ଓଡ଼ିଶାର ବରପୁତ୍ରମାନଙ୍କୁ । ଗୋପବନ୍ଧୁ ଦାସ ସିଂହଭୂମି, ଧଳଭୂମି, ଷଢେଇକଳା ଓ ଖରସୁଆଁ ଆଦି ଅଞ୍ଚଳକୁ ଉତ୍କଳ ଜନନୀଙ୍କର ମସ୍ତକ ସ୍ୱରୂପ ମନେକରୁଥିଲେ । ସେଠି ପାଇଁ ସେ ପ୍ରଦେଶ ଗୁଡିକୁ ଓଡ଼ିଶାରେ ମିଶ୍ରଣ ପାଇଁ ସର୍ବାଧିକ ପ୍ରଚେଷ୍ଟା ଜାରି ରଖିଥିଲେ । ଏହି ଉପରୋକ୍ତ ଅଞ୍ଚଳଗୁଡିକରେ ଓଡ଼ିଆ ଭାଷା ଓ ସଂସ୍କୃତିକୁ ଏବଂ ଜାତୀୟ ଭାବକୁ ଲୋପ କରିଦେବାକୁ ହୀନ ଚକ୍ରାନ୍ତ କରାଯାଉଥିଲା । ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଗୋପବନ୍ଧୁ ଦାସ ସେ ଅଞ୍ଚଳରେ ୧୩୯ ପ୍ରାଥମିକ ସ୍କୁଲ । ୨ଟି ହାଇ ସ୍କୁଲ ସ୍ଥାପନା କରିଥିଲେ । ସେ ସମୟରେ ଆର୍ଥିକ ସଙ୍କଟ ଦେଖାଦେବାରୁ ପ୍ରଚାରକ ଅନନ୍ତ ମିଶ୍ରଙ୍କ ସହାୟତାରେ ପଇସିକିଆ ଚାନ୍ଦା ଆଦାୟ କରି ସ୍କୁଲ୍‌ ପରିଚାଳନା କରୁଥିଲେ । ଓଡ଼ିଶାର ବିଛିନ୍ନାଞ୍ଚଳ ସମସ୍ୟାର ସମାଧାନ ପାଇଁ ସେ କାଉନ୍‌ସିଲ୍‌ ବାହାରେ ସମସ୍ତ ଆବେଦନ, ନିବେଦନ, ପ୍ରାର୍ଥନା ଓ ଦାବି ଜଣାଇବା ସତ୍ତ୍ୱେ , କୌଣସି ସଫଳ ନ ମିଳିବାରୁ ସେ କାଉନ୍ସିଲ ପଦରୁ ଇସ୍ତଫା ଦେଲେ ଏବଂ ଭାରତ ସ୍ବାଧୀନ ନ ହେବା ପର୍ଯ୍ୟନ୍ତ ସୁଫଳ ମିଳିବ ନାହିଁ ବୋଲି ଅନୁଭବ କଲେ । ଭାରତ ସ୍ୱାଧୀନ ହେବାର ପରବର୍ଷ ଅର୍ଥାତ ୧୯୪୮ ମସିହା ଜାନୁଆରୀରେ ସିଂହଭୂମି, ଧଳଭୂମି, ଷଢେଇକଳା ଓ ଖରସୁଆଁ ଏବଂ ଗଡଜାତ ଅଞ୍ଚଳ ଓଡିଶା ସହିତ ମିଶିଗଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ ସେହି ବର୍ଷ ମେ ମାସରେ ପୁଣି ଏହି ଅଞ୍ଚଳ ଗୁଡିକ ବିହାର ସହିତ ପୁନଃ ମିଶ୍ରଣ ହେଲା । ସେହି ସମୟରେ ଆଉ ଏକ ଓଡିଶା ବିରୋଧୀ ଘଟଣା ଘଟିଥିଲା । ଡୁଡୁମା ଜଳ ପ୍ରପାତ ବିତ୍ୟୁତ ପ୍ରକଳ୍ପରୁ ଆନ୍ଧ୍ରକୁ ଶହେ ବର୍ଷ ପାଇଁ ବିଦ୍ୟୁତ ଶକ୍ତି ବିକ୍ରି ସ୍ୱଉକ୍ତି ସ୍ୱାକ୍ଷର କରାଯାଇଥିଲା । ଏହି ଦୁଇଟି ଓଡିଶା ବିରୋଧୀ କାର୍ଯ୍ୟ ପାଇଁ ପ୍ରବଳ ଜଣ ଆନ୍ଦୋଳନର ସୂତ୍ରପାତ ହେଲା । ଏହି ଆନ୍ଦୋଳନର ମୂଖ୍ୟ ପୁରୋଧା ଥିଲେ ପଣ୍ଡିତ ଗୋଦାବରୀଶ ମିଶ୍ର । କେତେଜଣ ଜାତିପ୍ରେମୀ ଆହତ ହେଲେ ଏବଂ କେତେଜଣ ଶହୀଦ ମଧ୍ୟ ହେଲେ ।

ଗୋଦାବରୀଶ ମିଶ୍ର “ସୀମା କମିଶନ”କୁ ବିରୋଧ କରିବାରୁ ପୋଲିସ୍‌ ଲାଠି ପ୍ରହାର ଖାଇ ଜେଲ୍‌ ଗଲେ , ଜେଲ୍‌ ରୁ ଫେରିବା ପରେ ଭଗ୍ନ ସ୍ଵାସ୍ଥ ଯୋଗୁଁ ଡାକ୍ତର ଖାନାରେ ଶଯ୍ୟାଶାୟୀ ହୋଇ ଇହଧାମ ତ୍ୟାଗ କଲେ । ସେତେବେଳେ ଓଡ଼ିଶାର ମୂଖ୍ୟମନ୍ତ୍ରୀ ଥିଲେ ହରେକୃଷ୍ଣ ମହତାବ । ଭାରତର ପ୍ରଧାନ ମନ୍ତ୍ରୀଥିଲେ ଜବାହରଲାଲ୍‌ ନେହେରୁ ଏବଂ ମହାମହିମ ରାଷ୍ଟ୍ରପତି ଥିଲେ ରାଜେନ୍ଦ୍ର ପ୍ରାସାଦ । ରାଷ୍ଟ୍ରପତିଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ସିଂହଭୂମି, ଖରସୁଆଁ, ଷଢେଇକଳା ଆଦି ଅଞ୍ଚଳମାନ ବିହାର ସହିତ ପୁନଃ ମିଶ୍ରଣ ହେଲା । କେନ୍ଦ୍ର ପାଖରେ ଓଡ଼ିଶାର ନ୍ୟାର୍ଯ୍ୟ ଦାବିକୁ ଉପସ୍ଥାପନା କରିବା ପାଇଁ ଦୃଢ଼ ନେତୃତ୍ୱର ଅଭାବ ଥିଲା , କିମ୍ବା ନିଜର କ୍ଷମତା ଏବଂ ଆସନ ହରାଇବା ଭୟରେ କେନ୍ଦ୍ରସରକାରଙ୍କ ସମ୍ମୁଖୀନ ହେବା ଭଳି ନୈତିକ ସାହସର ଅଭାବ ଥିଲା । ଫଳତଃ ଓଡ଼ିଶାର ପଡ଼ୋଶୀ ରାଜ୍ୟମାନଙ୍କରେ ବିଛିନ୍ନାଞ୍ଚଳ ଭାବେ ଅନେକ ପ୍ରଦେଶ ରହିଗଲା । ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗରେ ଥିବା ପ୍ରଦେଶ ଗୁଡିକ ସ୍ୱାଧୀନତାର ୭୨ ବର୍ଷ ପରେ ମଧ୍ୟ ଉତ୍କଳ ଜନନୀର ଅଙ୍ଗ ପ୍ରତ୍ୟଙ୍ଗ ବିକ୍ଷିପ୍ତ ଭାବେ ବିଛିନ୍ନାଞ୍ଚଳ ରୂପେ ପଡି ରହିଛି । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଆଗମନ ହେଉ ନାହିଁ କି ପାଷାଣୀ ଅହଲ୍ୟାଙ୍କର ଉଦ୍ଧାର ହୋଇପାରୁନାହିଁ । ଓଡ଼ିଆର ସ୍ୱାଭିମାନ ଆଜି ଭୁଲୁଣ୍ଠିତ ଜାତିସ୍ମର ମାନଙ୍କର ନିଷ୍ଠାପର ସାଧନା, ତ୍ୟାଗ, ବଳିଦାନର ମୂଲ୍ୟ ସଂକୀର୍ଣ୍ଣ ସ୍ୱାର୍ଥ , ଅନ୍ଧ କ୍ଷମତା ସର୍ବସ୍ୱ ପାଖରେ ବଳି ପଡି ଯାଇଛି । ତେଣୁ ଉତ୍କଳଜନନୀଙ୍କର ଦୟନୀୟ ସ୍ଥିତି, ବୁକୁଫଟା କ୍ରନ୍ଦନର ସ୍ୱର ଶୁଣିବାକୁ ସୁଯୋଗ୍ୟ ସନ୍ତାନଙ୍କର ଅବକ୍ଷୟ ଘଟିଛି ।

ପ୍ରାଚ୍ୟ ଭୂଖଣ୍ଡରେ ପାଶ୍ଚାତ୍ୟର ଅପସଂସ୍କୃତି ବିପଥଗାମୀ କରିଛି ସମଗ୍ର ମାନବ ଜାତିକୁ, ବିଶେଷ କରି ଆଜିର ଯୁବ ପିଢ଼ିକୁ । ପାଶ୍ଚାତ୍ୟ ଅପସଂସ୍କୃତିର ପ୍ରଧାନ ଅଙ୍ଗ “ମଦ୍ୟପାନ” ପରି ଦୁରାରୋଗ୍ୟ ଗ୍ରାସ କରିଛି ଆଜିର ସଭ୍ୟ ସମାଜକୁ । ବଡବାଗ୍ନି ପରି ବ୍ୟାପ୍ତ ବ୍ୟାଧିରେ କଳୁଷିତ ସମାଜରେ ବିଲକ୍ଷଣ ମାଁ ପରିପ୍ରକାଶ ହେଉଛି । ଆମେ ଓଡ଼ିଶାର ଭାଷା, ଐତିହ, ସଂସ୍କୃତି, ଐକ୍ୟ, ସଂହତି ସର୍ବୋପରି ଜନ୍ମଭୂମି ଏବଂ ପୂର୍ବସୂରୀମାନଙ୍କର ନିଃସ୍ୱାର୍ଥପର ଜାତି ପ୍ରୀତି , ତ୍ୟାଗ, ବୀରତ୍ୱ ଓ ବଳିଦାନକୁ ଉପଯୁକ୍ତ ସମ୍ମାନ ଦେବାର ଯୋଗ୍ୟତା ଆମ ପାଖରେ ଅଭାବ । ଉତ୍କଳ ଜନନୀ ତାର ସୁଯୋଗ୍ୟ ସନ୍ତାନ ମାନଙ୍କୁ ହରାଇ ଅସହାୟ । ମାତୃତ୍ୱ ଆଜି ଅବହେଳିତ, ଲାଞ୍ଛିତ, ଏବଂ ଉପଭୋଗ୍ୟର ସାମଗ୍ରୀ ଭାବେ ପରିଗଣିତ । ଯେଉଁ ଜାତି କିମ୍ବା ଯେଉଁ ବ୍ୟକ୍ତି ନିଜ ଜନ୍ମ ଭୂମି ଓ ମାତୃତ୍ୱକୁ ଅବହେଳିତ କିମ୍ବା ଉପଯୁକ୍ତ ସମ୍ମାନ ଦେଇ ନ ଶିଖିଛି ସେ ଜାତି ବା ବ୍ୟକ୍ତିର ଉତ୍ତରୋତ୍ତର ଉନ୍ନତି ପ୍ରୟାସ କରିବା ଧୃଷ୍ଟତା ମାତ୍ର । ଯାହା ମହାଭାରତର କୌରବ ମାନଙ୍କର ଏବଂ ରାମାୟଣର ମହାପଣ୍ଡିତ ରାବଣଙ୍କର ଚରିତ୍ର ତାର ଜ୍ୱଳନ୍ତ ଉଦାହରଣ । ଓଡ଼ିଶାର ଗର୍ବ ଓ ଗୌରବ ମହାନ ଜଗନ୍ନାଥ ସଂସ୍କୃତିକୁ ପାଶ୍ଚାତ୍ୟ ରାଷ୍ଟ୍ର ସମୂହ ଆପଣେଇ ଥିବା ବେଳେ ଆମେ ପାଶ୍ଚାତ୍ୟ ଅପସଂସ୍କୃତିକୁ ଜାବୁଡି ଧରିଛନ୍ତି । କଳିଙ୍ଗର କଳା, ସଂସ୍କୃତି, ବାଣିଜ୍ୟ, ବୀରତ୍ବର ଅମଳିନ ଗତଗୌରବ ଓ ଐତିହ୍ୟକୁ ପାସୋରି ଦେଇ ‘ଭାଲେଣ୍ଟାଇନ୍ସ ଡେ ‘ ଭଳି ଦିବସକୁ ଆଡମ୍ବର ସହକାରେ ପାଳନ କରିବା କେତେ ଯଥାର୍ଥ ? ସେହି ମା’ର ଦାୟାଦ ଭାବେ ଆମେ ଗୌରବାନ୍ୱିତ ଏବଂ ଗର୍ବିତ ମଧ୍ୟ । କିନ୍ତୁ ସେହି ‘ମା’ ଆଜି ଛିନ୍ନମସ୍ତକୁ ଓ ଅଙ୍ଗପ୍ରତ୍ୟେଙ୍ଗ ବିହୀନ ଦୟନୀୟ ସ୍ଥିତିକୁ ପୂର୍ଣ୍ଣାଙ୍ଗ ଓ ସର୍ବାଙ୍ଗ ସୁନ୍ଦର କରି ଗଢିତୋଳିବାର ଚେତନା ଜାଗୃତି ନ ହେବା ଅତ୍ୟନ୍ତ କ୍ଷୋଭର ବିଷୟ – ଚାରୋଟି ରାଜ୍ୟରେ ବିଛିନ୍ନାଞ୍ଚଳ ଭାବେ ଥିବା ଓଡ଼ିଆ ଭାଷୀ ଅଞ୍ଚଳ ଓ ସାହିତ୍ୟ ସହିତ ବିଶେଷ ସାମଞ୍ଜସ୍ୟ ଥିବା ପ୍ରଦେଶ ଗୁଡିକ ଓଡ଼ିଶାର ଅବିଛେଦ୍ୟ ଅଙ୍ଗ ବୋଲି ପ୍ରସିଦ୍ଧ ଭାଷାତତ୍ତ୍ୱବିଦ୍‌ ଡାକ୍ତର ଗିୟରସନ୍‌ ଓ ବିଖ୍ୟାତ ଇତିହାସବିଦ୍‌ ଶ୍ରୀଯୁକ୍ତ ଆର୍‌ ଡ଼ି ବାନାର୍ଜୀ ପ୍ରମାଣ କରିଛନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ, ସେହି ଅଞ୍ଚଳ ଗୁଡ଼ିକ ଓଡ଼ିଶାରେ ସମ୍ମିଶ୍ରଣ ହୋଇ ପାରୁ ନାହିଁ । ତାର କାରଣ ଆମର ଆନ୍ତରିକତା ଦୃଢ ସଂକଳ୍ପ ଏବଂ ଉତ୍କଳଜନନି ପ୍ରତି ସହାନୁଭୁତିଶୀଳତାର ଅଭାବ ପରିଲକ୍ଷିତ ହେଉଛି । ସମସ୍ତ ପ୍ରମାଣ ଥାଇ ମଧ୍ୟ କେନ୍ଦ୍ର ସରକାରଙ୍କ ସମୀପରେ ଓଡିଶା ନ୍ୟାର୍ଯ୍ୟ ଦାବୀକୁ ନିର୍ଭୁଲ ଭାବରେ ସମ୍ମିଳିତ ଭାବେ ଉପସ୍ଥାପନା କରାଯାଇପାରୁନାହିଁ । ତାହା ଆମର ଅପାରଗତା ଏବଂ ମାତୃଭୂମି ପ୍ରତି କୃତଘ୍ନତା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବାର ୮୪ ବର୍ଷ ଏବଂ ଦେଶ ସ୍ୱାଧୀନ ହେବାର ୭୨ ବର୍ଷ ପରେ ମଧ୍ୟ ଚିର ଦୁଃଖିନୀ ଉତ୍କଳଜନନୀଙ୍କର ଦୁରାବସ୍ଥା ଯଥାପୂର୍ବ ତଥା ପରଂ ।

ଓଡ଼ିଶାରୁ ଗର୍ବ ସହକାରେ ଓଡ଼ିଆ ଭାବେ ପ୍ରତିନିଧିତ୍ୱ କରୁଥିବା ବିଧାୟକ ଏବଂ ସାଂସଦ ମାନେ ଓଡ଼ିଶାର ଏବଂ ଭାରତ ସର୍ବାଙ୍ଗୀନ ଉନ୍ନତି କଳ୍ପେ ଶପଥ ପାଠ କରି ଉଚ୍ଚ କ୍ଷମତା ସଂପନ୍ନ ପଦପଦବୀ ମଣ୍ଡନ କରୁଛନ୍ତି । ଶପଥ ପାଠର ଦାମ୍ଭିକତା ସେହି କାଗଜ କଲମରେ ସିମୀତ ରହି ଯାଉଛି । ତାର ପ୍ରତ୍ୟକ୍ଷ ପ୍ରମାଣ ଉତ୍କଳର ଦୁରାବସ୍ଥା ଉତ୍କଳ ସମ୍ମିଳନୀର ଆହ୍ବାନ ଏବଂ ଦୀର୍ଘ ବକ୍ତବ୍ୟ ନିରର୍ଥକ । ଜାତୀୟ ଦିବସ ମାନଙ୍କରେ ଜାତିସ୍ମର ମାନଙ୍କର ଜାତୀୟତା ପ୍ରୀତିରେ ଅନୁପ୍ରାଣିତ ନ ହୋଇ ପ୍ରତିମୂର୍ତ୍ତିରେ ପୁଷ୍ପାହାର ଲମ୍ବାଇବା ଏକ ପ୍ରହସନ । ନିର୍ବାଚନ ପରିପ୍ରେକ୍ଷୀରେ ହାତୀ, ଘୋଡ଼ାର ମିଥ୍ୟା ପ୍ରତିଶ୍ରୁତି ଏବଂ ପ୍ରତିଯୋଗିତା ମୂଳକ ଇସ୍ତାହାରର ପ୍ରହେଳିକା ଅବାଞ୍ଛନୀୟ । ରାଜନୀତି ଭଳି ପବିତ୍ର ଶବ୍ଦକୁ କଳୁଷିତ ନ କରି ଗୋଡ ଟଣାଟଣି ରାଜନୀତିରୁ ଉର୍ଦ୍ଧ୍ବରେ ରହି, ପଲ୍ଲୀ ଅଞ୍ଚଳରେ ଦୁଇ କିମ୍ବା ତିନି ସଉତୁଣୀ ଭଳି ସ୍ୱାମୀକୁ ନିଜର କରିବା ପାଇଁ ପରସ୍ପର କଲି କରିବାରେ ଲିପ୍ତ ନ ରହି ବିଛିନ୍ନାଞ୍ଚଳ ଭାବେ ଥିବା ସମସ୍ତ ଓଡ଼ିଆଭାଷୀ ଅଞ୍ଚଳକୁ ଏକତ୍ରିତ କରିବା ପାଇଁ ଦଳୀୟ ରାଜନୀତିରୁ ଉର୍ଦ୍ଧ୍ଵରେ ରହି ସଂଘବଦ୍ଧ ଭାବେ କେନ୍ଦ୍ରଠାରେ ଦାବି ଉପସ୍ଥାପନା କରି ପୂର୍ଣ୍ଣାଙ୍ଗ ଉତ୍କଳ ଗଢିବାପାଇଁ ସଂକଳ୍ପ ନେବା ଉଚ୍ଚିତ । କିନ୍ତୁ ଦୁଃଖ ପରିତଆପ ଓ ଲଜ୍ୟାର ବିଷୟ ହେଉଛି ଏ ପର୍ଯ୍ୟନ୍ତ ଓଡ଼ିଶାର ପୂର୍ଣ୍ଣ ଅବୟବ ଦର୍ଶନ କରିପାରିଲେ ନାହିଁ କିନ୍ତୁ ଦୀର୍ଘ ଦିନରୁ ଉତ୍କଳଜନନୀଙ୍କ କଣ୍ଠ ଦେଶରେ ଶୋଭା ପାଉଥିବା ହୀରକ ହାର ସଦୃଶ “ମହାନଦୀ” ଆଜି ଅନ୍ୟ ରାଜ୍ୟର ଅଧିକାରକୁ ଯାଉଛି । ଓଡ଼ିଶାର ବୃହତ୍ତମ ନଦୀ ମହାନଦୀ ବୋଲି ଆମ ର ପୂର୍ବ ପୁରୁଷ ଏବଂ ଇତିହାସ ଆମକୁ ଶିକ୍ଷା ଦେଇଥିଲେ । କିନ୍ତୁ ଆମ୍ଭେ ଆମ ଭବିଷ୍ୟତ ବଂଶଧର ମାନଙ୍କୁ କଣ ଶିକ୍ଷା ଦେବା ? ଫଳରେ ଆମ ଭବିଷ୍ୟତ ବଂଶଧର ଆମ୍ଭମାନଙ୍କୁ କ୍ଷମା ଦେବ ତ? ତେଣୁ ଜାତି,ଧର୍ମ,ବର୍ଣ୍ଣ,ଦଳଗତ ନିର୍ବିଶେଷରେ ସଚ୍ଚା ଓଡ଼ିଆ ଭାବରେ ସମଗ୍ର ସଂକୀର୍ଣ୍ଣ ସ୍ୱାର୍ଥ, ହୀନମନ୍ୟତାକୁ ଜଳାଞ୍ଜଳି ଦେଇ ଏବଂ ଅନ୍ଧ କ୍ଷମତା , ହୀନ ଚକ୍ରାନ୍ତର ଶୀକାର ନ ହୋଇ ଏକତ୍ରିତ ଭାବେ ଓଡ଼ିଆର ସ୍ୱାଭିମାନକୁ ବଞ୍ଚାଇ ରଖିବା ପାଇଁ ଓଡ଼ିଶାର ଆରାଧ୍ୟ ଦେବ ଶ୍ରୀ ଜଗନ୍ନାଥଙ୍କ ନାମରେ ବଜ୍ର ଶପଥ ନେବା । ଏହାହିଁ ହେଉ ଆମର ଉତ୍କଳ ଦିବସରେ ‘ଉତ୍କଳୀୟ ଅନୁଚିନ୍ତା’ ।

-ବନ୍ଦେ ଉତ୍କଳ ଜନନୀ –

ଲୋକପ୍ରିୟ ଲେଖା

To Top