ପ୍ରବନ୍ଧ

ଭ୍ରାନ୍ତି କବଳିତ ନେତୃତ୍ୱ

ଜନାଦୃତ ହେବାର ବିକଳତା ହିଁ ମଣିଷର ଚେତନାରେ ଅବକ୍ଷୟର କାରଣ । ବୌଦ୍ଧଜାତକର ଏହି ଚେତାବନୀ ସତ୍ତ୍ୱେ ଆଜି ବି ରାଜନେତାମାନେ ଏହି ବିକଳତାରୁ ମୁକ୍ତ ନ ହେବା ବିଡ଼ମ୍ୱନାର ବିଷୟ ।

ଭ୍ରାନ୍ତି କବଳିତ ନେତୃତ୍ୱ

ପ୍ରତିଭା ପୂଜା ଏକ ମହାନ୍ ପରମ୍ପରା । ମାତ୍ର ବ୍ୟକ୍ତିପୂଜା ଏକ ସୁପରମ୍ପରା ନୁହେଁ । ଆଜି ଚିତ୍ରତାରକା ଓ ରାଜନେତାମାନଙ୍କୁ ଯେଭଳି ପୂଜା କରାଯାଉଛି ତାହା ମିଥ୍ୟାଚାର । ବିଭିନ୍ନ ଅନୁଷ୍ଠାନ ସେମାନଙ୍କ ଉତ୍ସବମାନଙ୍କରେ ରାଜନେତା ଓ ଚିତ୍ରତାରକାମାନଙ୍କୁ ଯେଭଳି ଭାବରେ ସମ୍ୱର୍ଦ୍ଧନା ଦେଉଛନ୍ତି, ବେଳେ ବେଳେ ତାହା ଦେବୋପମ ମନେହୁଏ । ମାତ୍ର ପ୍ରକୃତରେ ତାହା ପ୍ରତିଭାପୂଜା ନ ଥାଏ । ସେହି ଭବ୍ୟ ସମ୍ୱର୍ଦ୍ଧନା ଅନ୍ତରାଳରେ ଥାଏ ଲୋଭାତୁର ଭୟ ଓ ସ୍ୱାର୍ଥ । ଆଜି ଏମ୍.ପି. ଓ ବିଧାୟକମାନଙ୍କ ହାତରେ ଜନମଙ୍ଗଳ କାର୍ଯ୍ୟ କରିବା ପାଇଁ ଆଞ୍ଚଳିକ ଉନ୍ନୟନ ପାଣ୍ଠି ରହିଛି । ସେଥିରୁ କିଛି ପାଇବା ଆଶାରେ ହିଁ ଜନତା ସେମାନଙ୍କୁ ଉଚ୍ଛ୍ୱସିତ ସମ୍ୱର୍ଦ୍ଧନା ଦିଅନ୍ତି । ମାତ୍ର କୌଣସି ପରିସ୍ଥିତିରେ ଯଦି ଜନତାକୁ ତାହା ପ୍ରାପ୍ତ ନ ହୁଏ, ରାଜନେତାଙ୍କ ପ୍ରତି ଥିବା ଆକର୍ଷଣ ସଙ୍ଗେ ସଙ୍ଗେ ବିକର୍ଷଣରେ ପରିଣତ ହୁଏ ଓ ସମ୍ୱର୍ଦ୍ଧନା ଭର୍ତ୍ସନାରେ ରୂପାନ୍ତରିତ ହୁଏ । ଏଣୁ ଭବ୍ୟ ସମ୍ୱର୍ଦ୍ଧନାରେ ଯେଉଁ ନେତାମାନେ ଉଲ୍ଲସିତ ହୋଇ ନିଜକୁ ଅତି ମୂଲ୍ୟାୟନ କରନ୍ତି, ସେମାନେ ଆତ୍ମପ୍ରତାରଣାର ଶିକାର ହୁଅନ୍ତି । ତାଙ୍କର ସେହି ଅନୁଭବରୁ ଅହଙ୍କାର ସୃଷ୍ଟି ହୁଏ ଓ କ୍ରମେ ସେହି ଅହକାର ଏକଚ୍ଛତ୍ରବାଦୀ ଚିନ୍ତାଧାରାକୁ ଜନ୍ମ ଦିଏ । ଏହାଦ୍ୱାରା ସେହି ରାଜନେତାଙ୍କର ଚେତନାର ପତନ ଘଟେ । ଜନତା ସର୍ବଦା ସ୍ୱାର୍ଥପର । ସ୍ୱାର୍ଥ ସିଦ୍ଧି ହେବା ପର୍ଯ୍ୟନ୍ତ ସେମାନେ ତୋଷାମଦ କରୁଥିବେ । ଯେତେବେଳେ ସେମାନଙ୍କ ସ୍ୱାର୍ଥ ବ୍ୟାହତ ହେବ, ସେମାନେ ହଠାତ୍ ଶତ୍ରୁ ପାଲଟିଯିବେ । ଜନତାଙ୍କ ମନସ୍ତତ୍ତ୍ୱ ବିଚିତ୍ର । ଏମାନେ ଅତି ଶୀଘ୍ର ପ୍ରଭାବିତ ହୁଅନ୍ତି, ତେଣୁ ଜନତା ସର୍ବଦା ଅସ୍ଥିର । ଜନତାର ଏହି ଅସ୍ଥିର ଭାବୁକ ବିଶିଷ୍ଟ ଇଂରେଜ ନାଟ୍ୟକାର ସେକ୍ସପିୟର୍ ତାଙ୍କର “ଜୁଲିଅସ୍ ସିଜର୍” ନାଟକରେ ଅତି ସୁନ୍ଦର ଭାବରେ ଚିତ୍ରଣ କରିଛନ୍ତି ।

ଅନେକ ଯୁଦ୍ଧ ଜୟ କରି ରୋମ୍ ସମ୍ରାଟ୍ ଜୁଲିଅସ୍ ସିଜର୍ ଦେଶର ଗର୍ବ ଓ ଗୌରବ ବଢ଼ାଇଥିଲେ । ସିଜର୍‌ଙ୍କ ଲୋକପ୍ରିୟତାରେ ଈର୍ଷାପରାୟଣ ହେଲେ ସମ୍ଭ୍ରାନ୍ତ କେସିଅସ୍ । ସିଜର୍‌ଙ୍କ ହତ୍ୟା କରିବା ପାଇଁ ସେ ଷଡ଼ଯନ୍ତ୍ର ଚରିଲେ ଓ ଜୁଲିଅସ୍ ସିଜରଙ୍କ ଅନ୍ତରଙ୍ଗ ବନ୍ଧୁ ବ୍ରୁଟାସ୍‌ ମଧ୍ୟ ଚତୁରତା ସହ ତାଙ୍କ ଷଡ଼ଯନ୍ତ୍ରରେ ସାମିଲ୍ କଲେ । ବ୍ରୁଟାସ୍‌ କେସିଅସ୍‌ଙ୍କ ଦ୍ୱାରା ପ୍ରଭାବିତ ହୋଇ ବୁଝିଗଲେ ଯେ ସିଜର୍ ଥିଲେ ଏକଚ୍ଛତ୍ରବାଦୀ । ସେ ଜନତାର ସ୍ୱାଧୀନତାକୁ ଅପହରଣ କରିଛନ୍ତି । ଏଣୁ ଦେଶର ମଙ୍ଗଳ ପାଇଁ ସିଜର୍‌ଙ୍କ ହତ୍ୟା ନିହାତି ଜରୁରୀ । ଗାଣତନ୍ତ୍ରିକ ମୂଲ୍ୟବୋଧର ଆଦର୍ଶରେ ଉଦ୍‌ବୁଦ୍ଧ ହୋଇ ବ୍ରୁଟାସ୍‌ ନିଜର ଅନ୍ତରଙ୍ଗ ବନ୍ଧୁ ଜୁଲିଅସ୍ ସିଜର୍‌ଙ୍କୁ ହତ୍ୟା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କଲେ । ଜନତା ସମ୍ମୁଖରେ ବ୍ର୍ରଟାସ୍ ଏକ ଅଭିଭାଷଣ ରଖି କହିଲେ, “ମୁଁ ସିଜର୍‌ଙ୍କୁ ଯେତିକି ଭଲ ପାଏ, ମୋ ଦେଶକୁ ମଧ୍ୟ ସେଭଳି ଭଲ ପାଏ । ମାତ୍ର ବନ୍ଧୁଠାରୁ ଦେଶ ବଡ଼ । ଏଣୁ ରୋମ୍‌ର ମୁକ୍ତି ପାଇଁ ମୁଁ ମୋର ଅନ୍ତରଙ୍ଗ ବନ୍ଧୁଙ୍କୁ ହତ୍ୟା କରିବା ପାଇଁ କୁଣ୍ଠା ପ୍ରକାଶ କରିନାହିଁ ।” ସେ ତାଙ୍କର ଭାଷଣକୁ ଏଭଳି ଭାବରେ ପରିବେଷଣ କଲେ ଯେ ଯେଉଁ ଜନତା ଜୁଲିଅସ୍ ସିଜର୍‌ଙ୍କୁ ଉଚ୍ଛ୍ୱସିତ ପ୍ରଶଂସା କରୁଥିଲେ ସେହି ଜନତା ସଙ୍ଗେ ସଙ୍ଗେ ବ୍ରୁଟାସ୍‌ଙ୍କ ପ୍ରଶଂସା କରି କହିଲେ, “ଲିଭ୍ ବ୍ରୁଟାସ୍‌ , ଲିଭ୍, ଲିଭ୍, ଲେଟ୍ ହିମ୍ ବି ସିଜର୍” । ଜନତା ଦୃଷ୍ଟିରେ ବ୍ରୁଟାସ୍‌ ଜଣେ ମହାନାୟକ ପାଲଟିଗଲେ ଓ ଜନତା ତାଙ୍କୁ ରାଜାର ସ୍ଥାନ ଦେଲେ । ଜନତା ବୁଝିଗଲେ ଯେ ସିଜର୍ ପ୍ରକୃତରେ ଏକଚ୍ଛତ୍ରବାଦୀ ଥିଲେ ଓ ବ୍ରୁଟାସ୍‌ ହିଁ ଦେଶକୁ ଏକଚ୍ଛତ୍ରବାଦରୁ ମୁକ୍ତ କଲେ । କିଛି ସମୟ ପରେ ଆସିଲେ ମାର୍କ ଏଣ୍ଟୋନୀ । ସେ ସିଜର୍‌ଙ୍କ ଛୁରୀବିଦ୍ଧ ଶରୀରକୁ ପ୍ରଦର୍ଶନ କରି ସିଜର୍‌ଙ୍କ ସପକ୍ଷରେ ଏକ ଭାବବିହ୍ୱଳ ବକ୍ତବ୍ୟ ରଖିଲେ । ସେ ତାଙ୍କ ଭାଷଣରେ ବ୍ରୁଟାସ୍‌ଙ୍କ ଛୁରିକାଘାତ ସବୁଠାରୁ ଅତ୍ୟନ୍ତ ନିର୍ଦ୍ଦୟ ଥିଲା ବୋଲି କହି ତାଙ୍କର ବିଶ୍ୱାସଘାତକତା ପ୍ରତି ଜନତାର ଦୃଷ୍ଟି ଆକର୍ଷଣ କଲେ । କିଛି ସମୟ ପୂର୍ବରୁ ଯେଉଁ ଜନତା ବ୍ରୁଟାସ୍‌ଙ୍କ ଦେଶପ୍ରେମୀ ଓ ମୁକ୍ତିଦାତା ବୋଲି ପ୍ରଶଂସା କରୁଥିଲେ ସେହି ଜନତା ଦୃଷ୍ଟିରେ ବ୍ରୁଟାସ୍‌, କେସିଅସ୍, କାସ୍କା ଓ ଅନ୍ୟାନ୍ୟ ସହଯୋଗୀମାନଙ୍କୁ ହତ୍ୟା କରିବା ପାଇଁ ତାଙ୍କ ଘରଗୁଡ଼ିକ ପୋଡ଼ି ଦେବା ପାଇଁ ସଂକଳ୍ପବଦ୍ଧ ହେଲେ । ଭାବପ୍ରବଣ ଜନତା କେବେ ବିବେକ ଦ୍ୱାରା ପରିଚାଳିତ ହୁଅନ୍ତି ନାହିଁ । ଦ୍ୱିତୀୟତଃ ସେମାନେ ଏକ ଆଦର୍ଶବୋଧ ଦ୍ୱାରା ଉଦ୍‌ବୁଦ୍ଧ ହୋଇ ଏକ ନିର୍ଦ୍ଦିଷ୍ଟ ସମୟରେ ଜଣେ ନେତାଙ୍କୁ ସମର୍ଥନ କରନ୍ତି ଓ ଅଭ୍ୟର୍ଥନା ଜଣାନ୍ତି । ମାତ୍ର ଅଧିକାଂଶ ନେତାମାନଙ୍କର ଦୁଇଟି ରୂପ ଥାଏ । ସେମାନେ ବାହାରକୁ ଯେଭଳି ଏକ ଆଦର୍ଶର ପ୍ରତୀକ ରୂପେ ପ୍ରତୀୟମାନ ହୁଅନ୍ତି, ଅନ୍ତରରେ ସେମାନେ ସେପରି ନ ଥାନ୍ତି । ତଥାପି ଜନସାଧାରଣଙ୍କ ତୋଷାମଦରେ ପୁଲକିତ ହୋଇ ସେମାନେ ନିଜକୁ ଯୋଗ୍ୟ ଭାବନ୍ତି । ଏହାଦ୍ୱାରା ତାଙ୍କ ଚେତନାରେ ଅବକ୍ଷୟ ଘଟେ ଓ ସମୟକ୍ରମେ ତାହା ସେମାନଙ୍କର ନୈତିକ ଓ ସାମାଜିକ ପତନର କାରଣ ହୁଏ ।

ଜନସାଧାରଣଙ୍କର ଦୃଷ୍ଟିରେ ରହିବାର ମାଦକତା ମଣିଷକୁ କେତେ ନିମ୍ନଗାମୀ କରିପାରେ ତା’ର ଏକ ପ୍ରକୃଷ୍ଟ ଉଦାହରଣ ମିଳେ ବୁଦ୍ଧଜାତକରେ । ବୋଧିସତ୍ତ୍ୱ ରାଜା ହେବା ପରେ ତାଙ୍କର ଶିକ୍ଷକମାନଙ୍କୁ ସମ୍ମାନ ଜଣାଇବାକୁ ଚିନ୍ତା କଲେ । ପ୍ରତ୍ୟେକ ଦିନ ସେ ଜଣେ ଜଣେ ଶିକ୍ଷକଙ୍କୁ ରାଜଦରବାରକୁ ନିମନ୍ତ୍ରଣ କରି ପୁରସ୍କୃତ କଲେ । ଦିନେ ଜଣେ ବୃଦ୍ଧ ପଣ୍ଡିତଙ୍କୁ ସେ ଏକ ସୁନ୍ଦର ଘୋଡ଼ା ଉପହାର ଦେଲେ । ଘୋଡ଼ାଟି ଥିଲା ବହୁତ ଅଳଙ୍କାର ବିଭୂଷିତ । ତା’ର ଚାଲିବା ଭଙ୍ଗୀ ବି ଥିଲା ଅତ୍ୟନ୍ତ ଚିତ୍ତାକର୍ଷକ । ବୃଦ୍ଧ ପଣ୍ଡିତ ସେହି ଘୋଡ଼ା ଉପରେ ଚଢ଼ି ଯେତେବେଳେ ନିଜ ଘରକୁ ଫେରିଲେ, ଜନସାଧାରଣ ତାଙ୍କୁ ଅଭିବାଦନ ଜଣାଇଲେ । ଜନସାଧାରଣଙ୍କଠାରୁ ଅପୂର୍ବ ଓ ଅପ୍ରତ୍ୟାଶିତ ଅଭିବାଦନ ପାଇ ବୃଦ୍ଧ ପଣ୍ଡିତ ଆନନ୍ଦରେ ଅଧୀର ହୋଇପଡ଼ିଲେ । ସେ ନିଜକୁ ଧନ୍ୟ ମଣିଲେ । ମାତ୍ର ପଣ୍ଡିତଙ୍କର ଏହି ଆନନ୍ଦ ତାଙ୍କର ପତ୍ନୀଙ୍କୁ ଭଲ ଲାଗିଲା ନାହିଁ । ସେ ଥିଲେ ବାସ୍ତବବାଦୀ । ତେଣୁ ସେ ପଣ୍ଡିତଙ୍କୁ କହିଲେ, “ତୁମେ ଆନନ୍ଦିତ ହୁଅ ନାହିଁ । ଲୋକେ ତୁମକୁ ଦେଖି କିମ୍ୱା ଘୋଡ଼ାକୁ ଦେଖି ମୁଗ୍ଧ ହୋଇ ନଥିଲେ; କାରଣ ସେମାନେ ପୂର୍ବରୁ ତୁମକୁ ଓ ଘୋଡ଼ାକୁ ଦେଖିଥିଲେ । ଲୋକଙ୍କର ମୁଗ୍ଧ ହେବାର କାରଣ ହେଉଛି ଘୋଡ଼ାର ସାଜସଜ୍ଜା । ତୁମେ ବି ଯଦି ସେଭଳି ସଜ୍ଜିତ ହୋଇ ଘୋଡ଼ା ଶୈଳୀରେ କଦମ୍ ପକାଇ ଚାଲିବ, ଲୋକେ ମୁଗ୍ଧ ହେବେ ।” ଜନସାଧାରଣଙ୍କ ଦ୍ୱାରା ଆଦୃତ ହେବାର ନିଶା ବୃଦ୍ଧ ପଣ୍ଡିତଙ୍କୁ ଏମିତି ଘାରିଲା ଯେ ତା’ ପରଦିନ ସେ ନିଜକୁ ଘୋଡ଼ା ଭଳି ବିଭିନ୍ନ ଅଳଙ୍କାରରେ ସଜ୍ଜିତ କରି ରାଜପଥରେ ଚାଲିଲେ । ଏହାକୁ ତାଙ୍କ ଚେତନାର ଉତ୍ତରଣ କୁହାଯିବ ନା ଚେତନାର ପତନ ? ଜନାଦୃତ ହେବାର ବିକଳତା ହିଁ ମଣିଷର ଚେତନାରେ ଅବକ୍ଷୟର କାରଣ । ବୌଦ୍ଧଜାତକର ଏହି ଚେତାବନୀ ସତ୍ତ୍ୱେ ଆଜି ବି ରାଜନେତାମାନେ ଏହି ବିକଳତାରୁ ମୁକ୍ତ ନ ହେବା ବିଡ଼ମ୍ୱନାର ବିଷୟ ।

ଏବେ ବିଧାନସଭାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ସର୍ବତ୍ର ଅଧିବେଶନ ସମୟରେ ଯେଉଁ ବିକଟ ଦୃଶ୍ୟ ଦେଖିବାକୁ ମିଳୁଛି, ତାହା ଗଣତନ୍ତ୍ର ପ୍ରତି ଅପମାନ କହିଲେ ଅତୁ୍ୟକ୍ତି ହେବ ନାହିଁ । ଜନପ୍ରତିନିଧିମାନେ ସଭାଗୃହରେ କେତେବେଳେ ଧସ୍ତାଧସ୍ତି ହେଉଛନ୍ତି ତ ଆଉ କେତେବେଳେ ନୃତ୍ୟ ବି କରୁଛନ୍ତି । ସେମାନଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ଲୋକଙ୍କର ବି ଅଭାବ ନାହିଁ । ଅବଶ୍ୟ କିଛି ବୁଦ୍ଧିଜୀବୀ ଏ ସବୁକୁ ନାପସନ୍ଦ କରୁଛନ୍ତି । ମାତ୍ର ଏମିତି କିଛି ଲୋକ ବି ଅଛନ୍ତି ଯେଉଁମାନେ ଜନପ୍ରତିନିଧିମାନଙ୍କ ସେହିଭଳି କାର୍ଯ୍ୟକୁ ସେମାନଙ୍କର ପାରିବାପଣ ବୋଲି କହି ସେମାନଙ୍କ ପ୍ରଶଂସା କରନ୍ତି । ସେହି ପ୍ରଶଂସାରେ ପୁଲକିତ ହୁଅନ୍ତି ସେହି ଜନପ୍ରତିନିଧି ଓ ପରବର୍ତ୍ତୀ ଅଧିବେଶନ ମାନଙ୍କରେ ସେମାନେ ପୁଣି ସେହି ଅପକର୍ମର ପୁନରାବୃତ୍ତି କରନ୍ତି । ଜନତାଙ୍କ ପ୍ରଶଂସାରେ ଅଭିଭୂତ ହୋଇ ସେମାନେ ଭାବନ୍ତି ସେମାନେ ଯାହା କରୁଛନ୍ତି ଠିକ୍ କରୁଛନ୍ତି । ଏହା ହେଉଛି ସେମାନଙ୍କର ଆତ୍ମରୋପିତ ଭ୍ରାନ୍ତି । ରାଜତନ୍ତ୍ରଠୁ ଆରମ୍ଭ କରି ଗଣତନ୍ତ୍ର ପର୍ଯ୍ୟନ୍ତ ସବୁଠି ଶାସକମାନେ ଏହି ଆତ୍ମଆରୋପିତ ଭ୍ରାନ୍ତି କବଳିତ । ମନେପଡ଼େ ଜଣେ ରାଜାଙ୍କ କଥା । ସେ ଥିଲେ ଅତ୍ୟନ୍ତ ଲୋକପ୍ରିୟ । ଜନସାଧାରଣଙ୍କୁ ଖୁସି କରିବା ପାଇଁ ସେ ଅନେକ ଜନମଙ୍ଗଳ କାର୍ଯ୍ୟ ବି କରିଥିଲେ । କିନ୍ତୁ ସେ ଥିଲେ ଅତ୍ୟନ୍ତ ପ୍ରଶଂସାପ୍ରିୟ । ଏଣୁ ତାଙ୍କର ଭାଟମାନେ ଯେଉଁ ସଙ୍ଗୀତ ଗାନ କରୁଥିଲେ ତା’ର ମର୍ମ ହେଲା, “ହେ ରାଜା ! ଆପଣ ଦେବଗୁରୁ ବୃହସ୍ପତିଙ୍କଠାରୁ ବି ଆହୁରି ଜ୍ଞାନୀ, ଦେବରାଜ ଇନ୍ଦ୍ରଙ୍କ ଠାରୁ ବେଶି ଶକ୍ତିମାନ୍ ଓ କନ୍ଦର୍ପଠାରୁ ମଧ୍ୟ ଆହୁରି ସୁନ୍ଦର ।” ଏହିଭଳି ଅତିରଞ୍ଜିତ ପ୍ରଶଂସା ରାଜାଙ୍କ ଗୁରୁଙ୍କୁ ଭଲ ଲାଗିଲା ନାହିଁ । ଏଣୁ ସେ ରାଜାଙ୍କୁ କହିଲେ, “ବତ୍ସ, ତୁମେ ନମ୍ର ହେବା ଶିଖ । ଏହିଭଳି ମିଥ୍ୟା ପ୍ରଶଂସାରେ ପୁଲକିତ ହୁଅ ନାହିଁ । ଭାଟମାନଙ୍କର ଅତିରଞ୍ଜିତ ପ୍ରଶଂସାକୁ ବଦଳାଇ ଦିଅ ।” ରାଜା ଗୁରୁଦେବଙ୍କ ଉପଦେଶକୁ ଗ୍ରହଣ କଲେ ଓ ସେହି ଭାଟ ସଙ୍ଗୀତକୁ ବଦଳାଇ ଦେବା ପାଇଁ ପ୍ରତିଶ୍ରୁତି ଦେଲେ । ଅନେକ ଦିନ ଗଡ଼ିଗଲା । ଦିନେ ଗୁରୁ ପୁଣି ଥରେ ସେହି ରାଜାଙ୍କ ଦରବାରରେ ପଦାର୍ପଣ କଲେ । ଯାହା ଶୁଣିଲେ ସେ ସେଥିରେ ବିସ୍ମିତ ହେଲେ । ଭାଟ ସଙ୍ଗୀତଟି ବଦଳିଥିଲା । ମାତ୍ର ଭାବ ଥିଲା ଠିକ୍ ସେୟା । ଭାଟମାନେ ଗାନ କରୁଥିଲେ “ଆମ ରାଜା ଏତେ ନମ୍ର ଯେ ସେ ବୃହସ୍ପତିଙ୍କଠାରୁ ବଳି ଜ୍ଞାନୀ, ଇନ୍ଦ୍ରଙ୍କଠାରୁ ବେଶି ଶକ୍ତିମାନ୍ ବା କନ୍ଦର୍ପଠାରୁ ବଳି ବେଶି ସୁନ୍ଦର ବୋଲି ବର୍ଣ୍ଣିତ ହେବାକୁ ଚାହାନ୍ତି ନାହିଁ ।” ଗୁରୁଦେବ ବୁଝିଗଲେ ଯେ ଶାସକମାନେ ପ୍ରଶଂସିତ ହେବାର ପ୍ରଚଣ୍ଡ ଇଚ୍ଛାରୁ କେବେ ମୁକୁଳି ପାରିବେ ନାହିଁ । ଆଜି ବି ସେହି ପରମ୍ପରା ଚାଲିଛି । ଜନତାଙ୍କ ଧନରେ ଅନେକ କୀର୍ତ୍ତି ନିର୍ମିତ ହେଉଛି । ତଥାପି ଚାରିଆଡ଼େ ଉଦ୍ଘୋଷିତ ହେଉଛି ଯେ ଯାହା କିଛି ହେଉଛି ସେ ସବୁ ହେଉଛି ରାଜନେତାଙ୍କ କୃତିତ୍ୱ ।

ଲୋକପ୍ରିୟ ଲେଖା

To Top