ରାମାୟଣ

ଗ୍ରନ୍ଥ-ପ୍ରବେଶ

Odia Scientific Review Ramayana

ମୁନିଋଷିମାନେ ପ୍ରକୃତ ତତ୍ତ୍ୱକୁ ଲୁଚାଇବା ପାଇଁ ପୁରାଣମାନଙ୍କରେ ଯେଉଁ ଗଣ୍ଠି ପକାଇ ଯାଇଛନ୍ତି, ତାହା ମୁଁ ଫିଟାଇ ଦେଇଛି ମାତ୍ର ।

ଗ୍ରନ୍ଥ-ପ୍ରବେଶ

ସର୍ବପ୍ରଥମେ ପାଠକମାନଙ୍କର ସନ୍ଦେହ ମୋଚନ କରିବା ଉଦ୍ଦେଶ୍ୟରେ କେତେଗୋଟି ବିଷୟରେ ଅବତାରଣା କରୁଅଛି । ଏହି ଗ୍ରନ୍ଥରେ ଦେବାଦେବୀ, ଗନ୍ଧର୍ବ ଅପ୍ସରା , ଋଷିମୁନି, ଋଷିପତ୍ନୀ ଓ ଋଷି ପୁତ୍ର-କନ୍ୟା, ବାନର ରାଜା ଓ ସୈନ୍ୟ ସେନାପତି, ବିଭିନ୍ନ ରାଜ୍ୟର ରାଜା ଓ ରାଣୀ, ରାକ୍ଷସ-ରାକ୍ଷସୀମାନଙ୍କୁ ବ୍ୟାକରଣଗତ ଶବ୍ଦର ବ୍ୟୁତ୍ପତ୍ତି ଅନୁସାରେ ଯେଉଁ ଯେଉଁ ରୂପ ପ୍ରଦାନ କରାଯାଇଛି, ତହିଁରେ ପାଠକମାନଙ୍କ ମନରେ ସ୍ୱତଃ ଗୋଟିଏ ପ୍ରଶ୍ନ ଉଦ୍ରେକ ହୋଇପାରେ । ଏମାନେ ଯଦି ପ୍ରକୃତି ରାଜ୍ୟର ଗୋଟିଏ ଗୋଟିଏ ଗ୍ରହ, ନକ୍ଷତ୍ର, ବସ୍ତୁ, ଶକ୍ତି, ସ୍ଥାନ, କାଳ, ଅବସ୍ଥା ଓ କ୍ରିୟାକୁ ବୁଝାଇଲେ, ତେବେ ବେଦ, ଉପନିଷଦ, ପୁରାଣ ଆଦି ଶାସ୍ତ୍ରଗୁଡ଼ିକ ରଚନା କଲେ କିଏ ? ଉଦାହରଣ ସ୍ୱରୂପ ନାରଦ = ନାର + ଦ + ଅ; ଯେଉଁ ଶକ୍ତି ସାରୁପ୍ୟ ମୁକ୍ତି ପ୍ରଦାନ କରନ୍ତି , ଅଗସ୍ତି = ଅଗ + ଅସ୍ତି ; ଯେ’ ଅ + ଗ ଅର୍ଥାତ୍ ଗମନ ରହିତ ହୋଇ ଅବସ୍ଥାନ କରିଛନ୍ତି , ବିଶ୍ୱାମିତ୍ର = ବିଶ୍ୱର ମିତ୍ରତା ସାଧନ କରୁଥିବା ଶକ୍ତି ଅର୍ଥାତ୍ ସୌରରଶ୍ମି, ବାଲ୍ମୀକି ଆଶ୍ରମ = ବଲ୍ଲିକ + ଇ; ଶାଣିତ ବୃଷ୍ଟି ବହୁଳ ଅଞ୍ଚଳ , ଶ୍ରୀ ରାମଚନ୍ଦ୍ର ଅର୍ଥ ଶୋଭାବନ୍ତ ରମଣୀୟ ଚନ୍ଦ୍ର , ରାମଲକ୍ଷ୍ମଣ ଅର୍ଥ ମୃଗ ଲକ୍ଷଣ ବିଶିଷ୍ଟ ମୃଗାଙ୍କ ବା ଚନ୍ଦ୍ର , ବାଳି = ଛୋଟକଉଡ଼ି, ସୁଗ୍ରୀବ = ଉତ୍ତମ ଗ୍ରୀବା ଯାହାର ଅର୍ଥ ଶଙ୍ଖ , ହନୁମାନ = (ହନୁ + ମତ୍) ପାଟିର ହନୁ ହାଡ଼ ଥିବା ମତ୍ସ୍ୟ ବିଶେଷ ଅର୍ଥାତ୍ ହାଙ୍ଗର ,ମଗର ଓ ଶିଶୁମାର ଜାତୀୟ ମାଛ, ରାବଣ ଅର୍ଥ ଅତି ଉଚ୍ଚସ୍ୱରରେ ରବ , ସୂର୍ପନଖା = ସୂର୍ପ + ନଖ୍ ଅର୍ଥାତ୍ ୬୪୦୦ ମାଲ୍ ପରିମିତ ପଞ୍ଚଭୂଖଣ୍ଡ ବେଷ୍ଟିତ ବୃହତ୍ ଜଳଭାଗ ଇତ୍ୟାଦି ଶବ୍ଦାର୍ଥ ଧାତୁ ଓ ପ୍ରତ୍ୟୟ ସହିତ ଯଥାସ୍ଥାନରେ ଆଲୋଚନା କରାଯାଇଅଛି । ଏଥିରୁ ପାଠକମାନେ ସହଜରେ ସେମାନଙ୍କ ପ୍ରଶ୍ନଗୁଡ଼ିକର ଉତ୍ତର ପାଇପାରିବେ ।

ଆର୍ଯ୍ୟମନୀଷୀମାନେ ପ୍ରଥମେ ଧ୍ୱନିରୁ ଶବ୍ଦ ସୃଷ୍ଟିକରି ବେଦ ରଚନା ଆରମ୍ଭ କରିଥିଲେ । ତା’ ପରେ ସେମାନେ ବହୁ ଗବେଷଣା କରି ପ୍ରକୁତିର ନାନା ରହସ୍ୟ ଅବଗତ ହେଲେ ଏବଂ ନୂତନତ୍ୱର ସନ୍ଧାନ ପାଇଲେ । ଆବିଷ୍କୃତ ଗ୍ରହ, ନକ୍ଷତ୍ର, ପଞ୍ଚଭୂତ, ନଦନଦୀ, ପାହାଡ଼ ପର୍ବତ, ବିଭିନ୍ନସ୍ଥାନ, ବସ୍ତୁ, ଶକ୍ତି ଓ ଜୀବଜଗତ ଆଦି ପୃଥିବୀର ଯାବତୀୟ ଘଟଣାକୁ ଅନୁଧ୍ୟାନ କରି ସେମାନଙ୍କର ଅବସ୍ଥିତି, ଆକୃତି, ପ୍ରକୃତି, କ୍ରିୟା କଳାପ, ଧ୍ୱନି, ସାଧାରଣ ଧର୍ମ, ଉପକାର, ଅପକାର ଇତ୍ୟାଦି ନାନା ବିଷୟ ଚିନ୍ତାକରି ସେମାନଙ୍କର ନାମକରଣ କରିଥିଲେ ।

ଆମ୍ଭେମାନେ ଯଦି ଯୁକ୍ତି ଦର୍ଶାଉ ଯେ – ସୂର୍ଯ୍ୟ, ଚନ୍ଦ୍ର, ହିମାଳୟ, ଗଙ୍ଗା, ସିନ୍ଧୁ, ପବନ, ଅଗ୍ନି, ଜଳ ଆଦି ବିଭିନ୍ନ ନାମଧେୟ ବ୍ୟକ୍ତି ଥିଲେ ତାଙ୍କର ନାମାନୁସାରେ ଏମାନଙ୍କର ନାମ ସ୍ଥିର କରାଯାଇଅଛି । ତେବେ ଧାତୁ ଓ ପ୍ରତ୍ୟୟ ସଂଯୋଗରେ ଆଉ ଶବ୍ଦ ଗଠନର ଆବଶ୍ୟକତା ରହିବ ନାହିଁ । ସୂର୍ଯ୍ୟ ଶବ୍ଦର ବ୍ୟୁତ୍ପତ୍ତି ହେଲା – ସୃ + କ.ଯ; ଅର୍ଥାତ୍ ସୃଷ୍ଟିକ୍ରିୟା ଯାହାଙ୍କ ଦ୍ୱାରା ସଙ୍ଘଟିତ ହେଉଅଛି । ଆମେ ଯଦି କହିବା ପୃଥିବୀରେ ପ୍ରଥମେ ସୂର୍ଯ୍ୟ ବୋଲି ଜଣେ ରାଜା ଥିଲେ । ତାଙ୍କ ନାମାନୁସାରେ ସୂର୍ଯ୍ୟଙ୍କର ନାମ ଦିଆଯାଇଛି, ତାହାହେଲେ ଆମର ଯୁକ୍ତି ନିହାତି ଅବାନ୍ତର ହେବ, ଏଥିରେ ସନ୍ଦେହ ନାହିଁ । ସେହିପରି ଅଗସ୍ତି, ନାରଦ, ବଶିଷ୍ଠ, ବାଲ୍ମୀକି, ପର୍ଶୁରାମ, ବିଶ୍ୱାମିତ୍ର, ଅଷ୍ଟଚକ୍ର ପ୍ରଭୃତି ଋଷିମାନେ ଭାରତବର୍ଷରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ନାମ ଅନୁସାରେ ଗ୍ରହ, ନକ୍ଷତ୍ର ବା ପ୍ରାକୃତିକ ଶକ୍ତି ବା ବସ୍ତୁର ନାମକରଣ କରାଯାଇଅଛି । ଏହା ଯଦି ଆମ୍ଭେମାନେ ଭାବିବା, ତେବେ ଏହି ଶବ୍ଦମାନଙ୍କର ବ୍ୟୁତ୍ପତ୍ତିଗତ ଅର୍ଥ ସହିତ ଏମାନଙ୍କର କୌଣସି ସମ୍ପର୍କ ରହିବ ନାହିଁ । ଏହିସବୁ ଦୃଷ୍ଟିରୁ ବିଚାର କଲେ ଜଣାଯାଏ ଯେ ପ୍ରଥମେ ଶବ୍ଦର ସୃଷ୍ଟି ; ତା’ ପରେ ନିରାକରଣ । ଯେପରିକି ଆଜିକାଲି ଆମ୍ଭେମାନେ ପିଲାମାନଙ୍କର ନାମକରଣ କରୁଅଛୁ । ବିଶାଖା, ଅନୁରାଧା, ସୂର୍ଯ୍ୟମଣି, ଚନ୍ଦ୍ରମଣି, ଚନ୍ଦ୍ରଶେଖର, ନିରଞ୍ଜନ, ଶିବ, ପାର୍ବତୀ, ସାବିତ୍ରୀ, ସୀତା, ଦମୟନ୍ତି ଇତ୍ୟାଦି । ଏହି ଶବ୍ଦଗୁଡ଼ିକର ଅର୍ଥ ସହିତ ବ୍ୟକ୍ତିର କୌଣସି ସମ୍ପର୍କ ନାହିଁ । ସେହିପରି ଆର୍ଯ୍ୟଋଷିମାନେ ସୌରଜଗତ ଓ ପୃଥିବୀର ନାନା ପ୍ରାକୃତିକ ସ୍ୱରୂପକୁ ଅନୁଧ୍ୟାନ କରି ସେଗୁଡ଼ିକର ଗୁଣ, ଧର୍ମ, କ୍ରିୟା ଓ ଅବସ୍ଥା ଆଦିକୁ ଅନୁସରଣ କରି ସେମାନଙ୍କର ପିତା, ମାତା, ଭ୍ରାତା, ଭଗ୍ନୀ, ପୁତ୍ର, କନ୍ୟା ରୂପରେ କଳ୍ପନା କରିଯାଇ ଅଛନ୍ତି । ପରବର୍ତ୍ତୀ କାଳରେ ସେହି ନାମ ଗୁଡ଼ିକକୁ ଗହଣ କରି ବ୍ୟକ୍ତିବିଶେଷଙ୍କର ନାମ ଦିଆଯାଇଅଛି । କପିଳ, ବାଲ୍ମିକୀ, ବିଶ୍ୱାମିତ୍ର, ବଶିଷ୍ଠ, ଅଗସ୍ତି ଆଦି ଶବ୍ଦର ସୃଷ୍ଟି ପରେ ସେହି ନାମଧେୟ ମହର୍ଷିମାନେ ଭାରତ ବର୍ଷରେ ଜନ୍ମଗ୍ରହଣ କରି ନାନା ଶାସ୍ତ୍ର ପୁରାଣର ପ୍ରଣୟନ କରିଯାଇଛନ୍ତି । ତେଣୁ ସେମାନଙ୍କ ନାମ ସହିତ ତାତ୍ତ୍ୱିକ ଉପାଖ୍ୟାନ ଗୁଡ଼ିକକୁ ସଂଯୋଗ କରି ଦିଆଯିବାରୁ ସେଗୁଡ଼ିକ ଅଧିକ ଜୀବନ୍ତ ଓ ପ୍ରାମାଣିକ ହୋଇଯାଇଅଛି । ଉକ୍ତ ଗ୍ରନ୍ଥରେ ବିଭିନ୍ନ ନାମର ବ୍ୟାକରଣଗତ ବ୍ୟୁତ୍ପତ୍ତି ଓ ଅର୍ଥକୁ ଅନୁସରଣ କରି ପୁରାଣର ବିଷୟବସ୍ତୁ ଅବଲମ୍ୱନରେ ତାତ୍ତ୍ୱିକ ଆଲୋଚନା କରାଯାଇଅଛି । ଏଥିରେ ପୌରାଣିକ କଥାବସ୍ତୁକୁ ସଂକ୍ଷେପ କରାଯାଇ, ଆଲୋଚନାକୁ ମୁଖ୍ୟସ୍ଥାନ ଦିଆଯାଇଛି । ବର୍ତ୍ତମାନ ଆଧୁନିକ ଶିକ୍ଷିତ ସମାଜରେ ପୁରାଣମାନଙ୍କର ଆଦର କମି ଆସୁଛି । ସେମାନେ ଏଥିରେ ଅତି ଅଲୌକିକ, ଅତି ଭୌତିକ, ଅତି ଅବାସ୍ତବ ଘଟଣାଗୁଡ଼ିକୁ ଗ୍ରହଣ କରିବାକୁ ରାଜି ନୁହଁନ୍ତି । ତେଣୁ ଆଜିକାଲି ସମାଜରେ ପୁରାଣଗୁଡ଼ିକ ସମ୍ପୂର୍ଣ୍ଣ ଉପେକ୍ଷିତ ହୋଇଛି କହିଲେ ଚଳେ । ପ୍ରାଚୀନ ଆର୍ଯ୍ୟଯୁଗର ମୌଳିକ ବୈଜ୍ଞାନିକ ତଥ୍ୟଗୁଡ଼ିକ ଅତି କଳ୍ପନା ପ୍ରଭାବରେ ସମ୍ପୂର୍ଣ୍ଣ ଲୁପ୍ତ ହୋଇ ଯାଇଥିବାରୁ ତା’ର ପରିଣତି ଏପରି ହୋଇଛି ।

ଅଧୁନା ସେହି ପ୍ରାଚୀନ ମନିଷୀମାନଙ୍କର ବୈଜ୍ଞାନିକ ତଥ୍ୟଗୁଡ଼ିକୁ ଲୋକଲୋଚନ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ ମୋର ଏ କ୍ଷୀଣ ଉଦ୍ୟମ । ବିଂଶ ଶତାବ୍ଦୀର ବୈଜ୍ଞାନିକମାନଙ୍କ ପାଖରେ ସେମାନେ ଯେ’ ଉଚ୍ଚ ଆସନର ଅଧିକାରୀ – ଏହା ଦର୍ଶାଇବା ପାଇଁ ମୁଁ ଏ ଦିଗରେ ପ୍ରଥମ ଲେଖନୀ ଧାରଣ କରିବାକୁ ସାହସ କରିଛି । ଏଥିରେ ମୋର ବିଶେଷ କୃତିତ୍ୱ ଥିଲାପରି ମୁଁ ଅନୁଭବ କରିପାରୁନାହିଁ । ମୁନିଋଷିମାନେ ପ୍ରକୃତ ତତ୍ତ୍ୱକୁ ଲୁଚାଇବା ପାଇଁ ପୁରାଣମାନଙ୍କରେ ଯେଉଁ ଗଣ୍ଠି ପକାଇ ଯାଇଛନ୍ତି, ତାହା ମୁଁ ଫିଟାଇ ଦେଇଛି ମାତ୍ର ।

ସୁଧୀପାଠକମାନେ ପୁରାଣର ସେହି ତତ୍ତ୍ୱଗୁଡ଼ିକ ସମ୍ପର୍କରେ ଅବଗତ ହୋଇ ଯଦି କିଛି ନୂତନତ୍ୱର ସନ୍ଧାନ ପାଇପାରିଲେ, ତେବେ ଶ୍ରମ ସାର୍ଥକ ମନେ କରିବି ।

ବିନୀତ
ଶ୍ରୀବତ୍ସ ପ୍ରସାଦ ନାଥ

ସହାୟକ ପୁସ୍ତକ

ଏହି ଗ୍ରନ୍ଥ ସଙ୍କଳନରେ ନିମ୍ନଲିଖିତ ଶବ୍ଦକୋଷ ଗୁଡ଼ିକର ସାହାଯ୍ୟ ନିଆଯାଇଅଛି ।

୧ – ପ୍ରମୋଦ ଅଭିଧାନ (୧୯୪୨) – ପଟ୍ଟାୟତ ପ୍ରମୋଦ ଚନ୍ଦ୍ର ଦେବବର୍ମା ।
୨ – ଉତ୍କଳ ଅଭିଧାନ (୧୯୧୫) – ଜଗନ୍ନାଥ ରାଓ ।
୩ – ଶବ୍ଦ ତତ୍ତ୍ୱବୋଧ ଅଭିଧାନ (୧୯୧୫) – ପଣ୍ଡିତ ଗୋପୀନାଥ ନନ୍ଦ ଶର୍ମା ।
୪ – ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ – ରାୟ ବାହାଦୂର ଗୋପାଳ ଚନ୍ଦ୍ର ପ୍ରହରାଜ ।
୫ – ଅମର କୋଷ ଅଭିଧାନ (ଅମର କୋଷଃ) ୧୯୧୮ – ପଣ୍ଡିତ ଶ୍ରୀ ମହେଶ୍ୱର ନନ୍ଦ ଶର୍ମାଙ୍କ ଦ୍ୱାରା ସଂଶୋଧିତ ।

ସାଙ୍କେତିକ ଚିହ୍ନ

କ – କର୍ତ୍ତୃବାଚ୍ୟ
ର୍ମ – କର୍ମବାଚ୍ୟ
ଭା – ଭାବବାଚ୍ୟ

ବିଭିନ୍ନ ଶବ୍ଦର ବ୍ୟୁତ୍ପତ୍ତି ଉଲ୍ଲେଖକାଳରେ ଆବଶ୍ୟକ ସ୍ଥଳେ ଉପଯୁକ୍ତ ସାଙ୍କେତିକ ଚିହ୍ନ ମାନ ବ୍ୟବହୃତ ହୋଇଅଛି ।

ତା ପରେ

ଲୋକପ୍ରିୟ ଲେଖା

To Top