ପର୍ଯ୍ୟଟନ

ମା’ ଘଣ୍ଟେଶ୍ୱରୀ, ଚିପିଲିମା, ସମ୍ବଲପୁର

Bidyadhar Panda's Travel Article Maa Ghanteswari

ସାଧାରଣତଃ ଲୋକେ ମା’ କୁ ପ୍ରଶନ୍ନ କରାଇବା ପାଇଁ ବିଶେଷ ପୂଜା ଅର୍ଚ୍ଚନା (ବଳି) କିମ୍ବା ପିତଳ ଘଣ୍ଟିଟିଏ ବାନ୍ଧିବାକୁ ମାନସିକ କରିଥାନ୍ତି । ଚୈତ୍ର ମାସଟି ମା’ର ପର୍ବ ମାସ ।

ମା' ଘଣ୍ଟେଶ୍ୱରୀ, ଚିପିଲିମା, ସମ୍ବଲପୁର

ଓଡ଼ିଶାର କୋଣ ଅନୂକୋଣରେ ଯେତେ ସବୁ ଶକ୍ତି ପୀଠ ଅଛି ତନ୍ମଧ୍ୟରୁ ମା’ ଘଣ୍ଟେଶ୍ୱରୀ ପୀଠ ଅନ୍ୟତମ । ସମ୍ବଲପୁରର ଅଇଁଠାପଲ୍ଲି ଛକରୁ ଜାତୀୟ ୪ଥାକିଆ ରାଜରାସ୍ତା ନଂ-୬ ଦେଇ ବରଗଡ଼ ଆଡ଼କୁ ଠିକ୍ ୧୬କି.ମି. ଗଲେ ପଡ଼େ ଗୋଶାଳା ଛକ । ସେଠାରୁ ଦାହାଣ ହାତି ୨ଥାକିଆ ମୂଖ୍ୟ ଜିଲ୍ଲା ରାସ୍ତାରେ ୧୨କି.ମି. ଅତିକ୍ରମ କଲେ ମିଳିବ ଚିପିଲିମା ଗାଁ । ଚିପିଲିମା ଗାଁ ଦୁଇଟି କଥା ଲାଗି ପ୍ରସିବ୍ଦ । ଗୋଟିଏ ହିରାକୂଦ ଶକ୍ତି କେନାଲ ଏବଂ ଅନ୍ୟଟି ମା ଘଣ୍ଟେଶ୍ୱରୀ ପୀଠ । ଚିପିଲିମା ଗାଁରୁ ୧କି.ମି. ଦୂରତାରେ ଆସିବ ମା ଘଣ୍ଟେଶ୍ୱରୀ ଛକ । ସେଠାରୁ ଅଣଓସାରିଆ କଂକ୍ରିଟର ରାସ୍ତା ଦେଇ ଉପରକୁ ଉଠିଗଲେ ମିଳେ ହିରାକୂଦ ଶକ୍ତିକେନାଲର ବନ୍ଧ । କିଛିଦୂର ପରେ କେନାଲଉପରେ ଥିବା ଟିଣରାସ୍ତା ଦେଇ ଗଲେ ଦେଖିବା ମା ଘଣ୍ଟେଶ୍ୱରୀଙ୍କ ଭବ୍ୟ ପୀଠ । ଧର୍ମଶାଳା ଟିଏ ବି ଅଛି ଆଉ ୨ଘଣ୍ଟା ଆଗରୁ ଅଗ୍ରିମ ବରାଦ କଲେ ଅନ୍ନପ୍ରସାଦର ବି ବନ୍ଦୋବସ୍ଥ ହୋଇଯାଇଥାଏ ।

ବଗବେରା, ତେଗିପାଲି, ବରମପୂରା ଆଉ ସେନାମାଲ୍ଲି ଇତ୍ୟାଦି ଅନେକ ବଡ଼ ବଡ଼ ବନବାସି ଗାଁର ଡ଼ାକ୍ତର ହେଲା ମା ଘଣ୍ଟେଶ୍ୱରୀ । ଯେତେ ବଡ଼ ଅସାଧ୍ୟ ରୋଗ ହେଲେ ମଧ୍ୟ ମା’ ଘଣ୍ଟେଶ୍ୱରୀର ବିଶେଷ ପୂଜା ଅର୍ଚ୍ଚନା (ବଳି) ମାନସିକ କରି, ଅତୁଟ ବିଶ୍ୱାସର ସହ ଆରୋଗ୍ୟ କାମନାକୁ ଆଶା କରି ଅପେକ୍ଷା କରାଯାଏ । ସାଧାରଣତଃ ଲୋକେ ମା’ କୁ ପ୍ରଶନ୍ନ କରାଇବା ପାଇଁ ବିଶେଷ ପୂଜା ଅର୍ଚ୍ଚନା (ବଳି) କିମ୍ବା ପିତଳ ଘଣ୍ଟିଟିଏ ବାନ୍ଧିବାକୁ ମାନସିକ କରିଥାନ୍ତି । ଚୈତ୍ର ମାସଟି ମା’ର ପର୍ବ ମାସ । ଶହ ଶହ ସଂଖ୍ୟାରେ ଛେଳି, ବୋଦା, କୁକୁଡ଼ା ବିଶେଷ ପୂଜା ଅର୍ଚ୍ଚନା (ବଳି) ଆଣି ପ୍ରତ୍ୟେକ ଦିନ ଭକ୍ତମାନେ ପହଞ୍ଚନ୍ତି । ପ୍ରତି ବର୍ଷ ଚୈତ୍ର ପୂର୍ଣ୍ଣିମା ଦିନ ବିଶେଷ ପୂଜା ଅର୍ଚ୍ଚନା (ବଳି) ପାଇଁ ଆସୁଥିବା ଭକ୍ତମାନଙ୍କ ସଂଖ୍ୟା ବହୁତ ବଢ଼ି ଯାଇଥାଏ ।

ମୂଖ୍ୟ ପୂଜକ ଦୁର୍ଯୋଧନ ନାୟକ କୁହନ୍ତି ପ୍ରାୟ ୪୫୦ବର୍ଷ ତଳେ ମହାରାଷ୍ଟ୍ରର ନାଗପୁରରାଜା ସମ୍ବଲପୁର ରାଜାଙ୍କ ସହ ମିଶି ମୃଗୟାକୁ ଏହି ଜଙ୍ଗଲକୁ ଆସିଥିଲେ । ହଠାତ୍ ସେହିଜାଗାରେ ଗୋଟିଏ ବାଳକ ଏବଂ ବାଳିକା କେଉଁଆଡ଼ୁ ଉଭା ହୋଇ ଦୁଇ ରାଜାଙ୍କ ପଥରୋଧ କଲେ । ଆଗକୁ ବିପଦ ଅଛି ବୋଲି କହି, ରାଜ ଉଆସକୁ ପଛକୁ ଫେରି ଯିବାକୁ ଅନୁରୋଧ କହିଲେ । ଶେଷରେ ଦୁଇ କୋମଳମତି ଶିଶୁଙ୍କର କଥା ମାନି ଦୁଇରାଜା ଫେରିବା ବେଳକୁ ସେମାନଙ୍କର ପରିଚୟ ପଚାରିଲେ । ସେ ଦୁହେଁ -କାଲି ସକାଳେ ଏ’ ଜାଗାକୁ ଆସ ସବୁ ଜାଣି ପାରିବ ବୋଲି କହି ଘନ ଜଙ୍ଗଲରେ ଭିତରକୁ ଦୌଡ଼ି ପଳାଇଲେ । ଛୁଆ ଦୁଇଟି ଏତେ ଛୋଟ, ଏକା ଏକା ବଗବେରା ଗାଁ ରୁ ପ୍ରାୟ ମାଇଲିଏ ଦୂରରେ ଜଙ୍ଗଲକୁ କେମିତି ଆସିଲେ? ଏମିତି ଦ୍ୱନ୍ଦ ଭିତରେ ରାଜା ଉଆସକୁ ଫେରିଲେ । ରାତ୍ରିର ଶେଷ ପ୍ରହରରେ ସ୍ନପ୍ନ ହେଲା । ଅବିକଳ ସେଇ ରୁପରେ ଦୁଇ ବାଳକ ବାଳିକା ସ୍ନପ୍ନରେ ଆସି କହିଲେ- “ଆମେ ଦୁହେଁ ହର ପାର୍ବତି, ଆଉ ସକାଳ ହେଲେ ନିଶ୍ଚିତ ଆସିବ । ଆମେ ସେଇଠାରେ ଅପେକ୍ଷା କରିଥିବୁ । ଆମକୁ ନେଇ ତୁ ବଗବେରା ଗାଁ ର ନାୟକ ଏବଂ ପାତ୍ର ବଂଶକୁ ଦେଲେ ସିଏ ଆମର ଲାଳନ ପାଳନ କଥା ଆଗକୁ ବୁଝିବେ” । ରାଜାଙ୍କ ଆଖିରୁ ନିଦ ହଜିଗଲା । ସକାଳକୁ ଅପେକ୍ଷା ଥାଏ । ବ୍ରାହ୍ମ ମୁହୁର୍ତରେ ରାଜା କିଛି ସନ୍ୟଙ୍କୁ ନେଇ ସେଇ ଜାଗାରେ ପହଞ୍ଚିଲେ । ସେଠାରେ ଦୁଇ ଜୀବନ୍ତ ବାଳକ ବାଳିକା ବଦଳରେ ତାଙ୍କର ନିର୍ଜିବ ପଥର ମୂର୍ତିକୁ ଦେଖିଲେ । ଆଶ୍ଚର୍ଯ୍ୟ ଚକିତ ହୋଇ ରାଜା ଶେଷରେ ଦୁଇ (ନାୟକ ଓ ପାତ୍ର) ବଂଶର ଲୋକଙ୍କୁ ଡ଼ାକି ସବୁକଥା କହିଲେ । ସେ’ ଦିନ ଠାରୁ ସେଇ ମହାନଦି କୂଳ ଏବଂ ପାହାଡ଼ର ପାଦଦେଶରେ ବାବା ଏବଂ ମା’ ଙ୍କର ପୂଜା ଅର୍ଚ୍ଚନା ବନବାସି ପବ୍ଦତିରେ ଚାଲିଆସୁଛି । କିଏ କହେ ମାଆ ରାଜାଙ୍କୁ ସତର୍କ ଘଣ୍ଟି ଦେଇଥିବାରୁ ରାଜା ଏଭଳି ମାଆଙ୍କର ନାମ ରଖିଥିଲେ । ଆଉକିଏ କୁହନ୍ତି ମାଆ ସଦାସର୍ବଦା ତା’ର ଭକ୍ତମାନଙ୍କୁ ଘଣ୍ଟଘୋଡ଼ାଇ ରକ୍ଷା କରୁଥିବାରୁ ନାଁ ହେଲା ମା’ ଘଣ୍ଟେଶ୍ୱରୀ । ମା’ ଘଣ୍ଟେଶ୍ୱରୀ ପ୍ରାଙ୍ଗଣରେ ପ୍ରାୟ ୫ କି ୬ ଗାଡ଼ି ପିତଳ ଘଣ୍ଟି ଖୋଲାଯାଇ ନିଲାମ କରିବାକୁ ରଖାଯାଇଛି । ପ୍ରତିଦିନ ପ୍ରାୟ ଯେତେ ଭକ୍ତ ଆସନ୍ତି ତନ୍ମଧ୍ୟରୁ ଅଧାଅଧି ପ୍ରାଙ୍ଗଣରେ ଥିବା ବୃକ୍ଷ ଡ଼ାଳରେ ପିତଳ ଘଣ୍ଟି , ନାଲି କାଚ ଓ ଶଙ୍ଖାଚୁଡ଼ି ବାନ୍ଧି ମା’କୁ ମନକଥା ଜଣାନ୍ତି ।

ବିଶେଷ ପୂଜା ଅର୍ଚ୍ଚନା (ବଳି) ବିଷୟରେ ଅଧିକ ଜାଣିବା ପାଇଁ ପୂଜାପରେ ଭେଟିଲୁ ପୂଜକ କିଶୋର ପାତ୍ରଙ୍କୁ । ରାଧେଶ୍ୟାମ ମାଝି ଆଉ ଉଜାଗର ନାୟକ ମଧ୍ୟ ଉପସ୍ଥିତ ଥିଲେ । ଅନ୍ୟଜଣେ ପୂଜକ ଗୋପିନାଥ ନାୟକ କହିଲେ ବିଶେଷ ପୂଜା ଅର୍ଚ୍ଚନା (ବଳି) ପାଇଁ କୋଟ କଚେରି ନିୟମ ସବୁ ମା’ ଘଣ୍ଟେଶ୍ୱରୀ ପୀଠରେ ଲାଗୁ ହୋଇ ପାରିବ ନାହିଁ । ଗୋଟିଏ ଛେଳି କି କୁକୁଡ଼ା ମା’କୁ ଦେଇଦେଲେ କ’ଣ ଭକ୍ତର ସରିଯାଉଛି ? ମା’ର ଉପକାର ତୁମେ ଜାଣି ନାଇଁ ପାରୁଛ ବୋଲି ଏମିତି ଅନାବ ସନାବ ନିୟମ କାନୂନ୍ କଥା କହୁଛ । ସରୋଜ ପାତ୍ର କହିଲେ ମା’ର ଆଶୀର୍ବାଦ ଯୋଗୁ ଆମର ଚାରି ପାଞ୍ଚ ଖଣ୍ଡ ଗାଁ ରେ ଆଜିଯାଏ କେବେ ଡ଼ାକ୍ତର ପଶିନି । ତମ ସହର ବଜାରରେ ତମେ କେତେ ବଇଦ ଡ଼ାକ୍ତର ଖର୍ଚ୍ଚ କରୁଛ ତମକୁ ଜଣା । ତା’ ଠାରୁ କ’ଣ ବର୍ଷେ ଦିବର୍ଷରେ ଥରେ ମା’ ପାଇଁ ଗୋଟାଏ ବଳି (ଛେଳି କି କୁକୁଡ଼ା) ଯାଚିଦେଲେ ବେଶି ଖର୍ଚ୍ଚ ହୋଇ ଯାଉଛି? ଆଜିକାଲି ଏ’ ସବୁ କ୍ଷେତ୍ରରେ ସଚେତନତା ପାଇଁ ଆମ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବୃକ୍ଷ ମୂଳକୁ ଭୁଲିଯାଇ ଡ଼ାଳପତ୍ରକୁ କେବଳ ପାଣିରେ ବୁଡ଼ାଇ ଦେଲେ କ’ଣ ଆମେ ବୃକ୍ଷଟିକୁ ସବୁଜ ସୁନ୍ଦର କରି ପାରିବା ? ଆମର ବନବାସି ଭାଇ ଭଉଣୀ ମାନଙ୍କ ମନରେ ଯେ ପର୍ଯ୍ୟନ୍ତ ଏଭଳି ଦୃଢ଼ ବିଶ୍ୱାସ ବିଶେଷ ପୂଜା ଅର୍ଚ୍ଚନା (ବଳି) ପ୍ରତି ଥିବ, ସେ ପର୍ଯ୍ୟନ୍ତ ଆମେ ଗୁଣିଆ ସନ୍ଦେହରେ ହତ୍ୟା, ଶିଶୁ ଚେଙ୍କରେ ଶିଶୁ ମୃତ୍ୟୁ, ଗୁଣି ଗାରେଡ଼ି ଚିକିତ୍ସାରୁ ଶୋଚନିୟ ଅବସ୍ଥା ଇତ୍ୟାଦିର ଘଟଣାକୁ ଆୟତାଧିନ କରି ଆମ ସମାଜକୁ ସମ୍ପୂର୍ଣ୍ଣ ଅନ୍ଧବିଶ୍ୱାସ ମୁକ୍ତ ବୋଲି କହି ପାରିବା? ଏ’ ସବୁର ନିରାକରଣ ସହ ଉଚିତ୍ ମାର୍ଗ ଦର୍ଶନ ପାଇଁ ଆମର ସଦ୍ବୁଦ୍ଧି ଆସୁ ଏବଂ ସମାଜର ସବୁ ବର୍ଗର ଲୋକଙ୍କ ସହ ବନବାସି ଅଞ୍ଚଳର ମଙ୍ଗଳ ଓ ଉନ୍ନତି ହେଉ – ଏହାହିଁ ମାଆ ଘଣ୍ଟେଶ୍ୱରୀଙ୍କ ନିକଟରେ ବିନମ୍ର ନେବେଦନ ।

ଜୟ ମା ଘଣ୍ଟେଶ୍ୱରୀ ।

ଲୋକପ୍ରିୟ ଲେଖା

To Top