ପର୍ଯ୍ୟଟନ

ଗହିରମଥା

ଓଡ଼ିଶା ସରକାର ଅର୍ଥନୀତିର ପ୍ରଗତି ପାଇଁ ଗହିରମଥାକୁ ଆହୁରି ସଙ୍କୁଚିତ କରୁଛନ୍ତି । ଗହିରମଥାରେ ସାମୁୁଦ୍ରିକ ଅଣ୍ଡାଦାନ ପ୍ରକ୍ରିୟା ଅନେକ ଦେଖିବାକୁ ଚେଷ୍ଟାକରି ମଧ୍ୟ ପାଇନାହାନ୍ତି ।

ଗହିରମଥା

ମନୁଷ୍ୟର ମଙ୍ଗଳ ପାଇଁ କୋଟି କୋଟି ଜୀବଜନ୍ତୁ ଏ ଧରଣୀ ପୃଷ୍ଠରେ ଜନ୍ମଲାଭ କରିଥିଲେ । କେତେକ ଜୀବଜନ୍ତୁ ଆମର ପ୍ରତ୍ୟକ୍ଷ ଭାବରେ ବହୁ ଉପକାର କରୁଥିଲେ । କେତେକ ଜୀବଜନ୍ତୁ ପରୋକ୍ଷରେ ଆମର ମଙ୍ଗଳ କରୁଥିଲେ ବି ଆମେ ଜାଣିବାରେ କଷ୍ଟକର ଥିଲା । ପ୍ରାଚୀନ କବି ଜୟଦେବ ତାଙ୍କ ଗୀତ ଗୋବିିନ୍ଦରେ ଲେଖିଥିଲେ । ଭଗବାନ ପ୍ରଳୟ କାଳରେ ପୃଥିବୀକୁ କଇଁଛ ଅବତାର ହୋଇ ତାଙ୍କ ପୃଷ୍ଠରେ ଧାରଣ କରିଥିଲେ ଜଗତର କଲ୍ୟାଣ ପାଇଁ ।

କୋଟି କୋଟି ବର୍ଷଧରି ପ୍ରକୃତି ବହୁ ଜୀବଜନ୍ତୁ ସୃଷ୍ଟି କରିଥଲେ ବି ମାତ୍ର ୫୦ବର୍ଷ ମଧ୍ୟରେ ପୃଥିବୀର ବହୁ ଜୀବଜନ୍ତୁ ଚିରକାଳ ପାଇଁ ଉଭେଇ ଗଲେ । ଆଗାମୀ ୫୦ବର୍ଷ ମଧ୍ୟରେ ବହୁ ଜୀବଙ୍କର ବଂଶ ଲୋପ ହୋଇଯିବ । ସବୁଠାରୁ ବେଶୀ କ୍ଷତି ହେବ ମନୁଷ୍ୟ ମାନଙ୍କର । ପରିବେଶ ମଧ୍ୟରୁ କୌଣସି ଜୀବ ଲୋପ ପାଇଗଲେ ପରିବେଶ ଅସନ୍ତୁଳିତ ହେବ ଓ ମନୁଷ୍ୟ ସମାଜ ଘୋର ବିପଦର ସମ୍ମୁଖୀନ ହେବ । ଆଜି ପ୍ରାଣୀ ଜଗତ ମଧ୍ୟରେ ସବୁଠାରୁ ଦୁର୍ଲଭ ଓ ଉପକାରୀ ପ୍ରାଣୀ ଅଲିଭ୍ ରିଡ୍ଲେ । ବଂଶବିସ୍ତାର ପାଇଁ ହଜାର ହଜାର କିଲୋମିଟର ଅତିକ୍ରମ କଲାପରେ ଶେଷରେ ସେ ଆଉ ଫେରି ପାରେନା । ସେ ବଂଶ ବିସ୍ତାର କରିବା ଆଗରୁ ତା ବଂଶର ବିନାଶ ହୁଏ ।

ଓଡ଼ିଶାର ପୂର୍ବ ଉପକୂଳରେ ଧାମରା ମୁହାଣଠାରୁ ମହାନଦୀ ମୁହାଣ ପର୍ଯ୍ୟନ୍ତ ପ୍ରାୟ ୭୫ କି.ମି ଅଞ୍ଚଳକୁ ୧୯୯୭ ସେପ୍ଟେମ୍ୱର୍ ୨୭ରେ ସାମୁଦ୍ରିକ ଅଭୟାରଣ୍ୟ ଭାବରେ ଘୋଷଣା କରାଯାଇଛି । ୧୯୭୪ ମସିହାରେ ବିପୁଳ ସଂଖ୍ୟାରେ କଇଁଛ ମେକ୍ସିକୋ ଓ ଅଷ୍ଟ୍ରେଲିଆ ଉପକୂଳକୁ ତ୍ୟାଗକରି ଯେତେବେଳେ ଗହିରମଥାକୁ ସେମାନଙ୍କ ଅଣ୍ଡା ଦେବା ସ୍ଥଳୀ ରୂପେ ବାଛିନେଲେ ସେତେବେଳେ ପ୍ରାଣୀ ବିଶେଷଜ୍ଞ, ଗବେଷକ ଓ ବୈଜ୍ଞାନିକ ମାନଙ୍କର ଦୃଷ୍ଟି ଗହିରମଥା ଉପରେ ପଡ଼ିଲା ।

୧୯୭୩ରେ ଆମେରିକାର ଓ୍ୱାଶିଂଟନ ୧୯୯୩ରେ ବ୍ରାଜିଲ୍ର ରିଓ.ଡି. ଜେନେରାରେ ଦୁଇଟି ଆନ୍ତର୍ଜାତିକ ସମ୍ମିଳନୀରେ ଗୃହିତ ପ୍ରସ୍ତାବ ପ୍ରତି ବିଶ୍ୱର ପ୍ରଗତିଶୀଳ ରାଷ୍ଟ୍ର ଗୁଡିକ ଚୁକ୍ତିବଦ୍ଧ ଥିଲେ । କଇଁଛ ସୁରକ୍ଷା ପାଇଁ ବିଶ୍ୱର ୬୭ଟି ଦେଶର ମିଳିତ ସତର୍କ ଥିଲା କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ । ପ୍ରବଳ ନିଷ୍ଠା ଓ ଦୃଢ଼ ମନୋବଳ ନେଇ ଗହିରମଥାର କଇଁଛକୁ ସୁରକ୍ଷା ଦିଆଯାଉ । “ଗୋଟିଏ ଅମୂଲ୍ୟ ପ୍ରାଣୀ ବିଶ୍ୱରୁ ବିଲୁପ୍ତ ନ ହେଉ ।” ୧୯୯୪ରେ ଗହିରମଥାଠାରୁ ସମୁଦ୍ରଆଡ଼କୁ ୨୦କି.ମି ଦୂରତ୍ୱ ମଧ୍ୟରେ ମାଛଧରା ନିଷିଦ୍ଧ ହେଲା । ପରେ ପରେ ସୁପ୍ରିମ୍‌କୋର୍ଟ ଜଙ୍ଗଲ ବିଭାଗ, ମତ୍ସ୍ୟବିଭାଗ ଓ କୋଷ୍ଟ୍‌କାର୍ଡ ସମେତ ଅନ୍ୟାନ୍ୟ ବିଭାଗ ଏହାକୁ ରକ୍ଷା କରିବାର ଦାୟିତ୍ୱ ନ୍ୟସ୍ତ କଲେ । ଜଙ୍ଗଲ ବିଭାଗକୁ ଛାଡ଼ି ଦେଲେ ଅନ୍ୟମାନେ ଆନ୍ତରିକତାର ସହକାର୍ଯ୍ୟ କଲେ ନାହିଁ ।

ବିଶ୍ୱରେ ଆଠ ପ୍ରକାରର କଇଁଛ ଦେଖିବାକୁ ମିଳନ୍ତି । ସେମାନେ ହେଲେ ଲେଦରବ୍ୟାକ୍, ବ୍ଲାକ୍‌ଟର୍ଟଲ୍, ଗ୍ରୀନ୍‌ଟର୍ଟଲ୍, ଅଲିଭ୍‌ରିଡ୍ଲେ, କେମ୍ପସ୍‌ରିଡ୍ଲେ, ହକ୍‌ସବିଲ, ଅଷ୍ଟ୍ରେଲିଆନ୍, ଲଗର ହେଡ଼ । ଏମାନଙ୍କ ମଧ୍ୟରୁ ଭାରତ ଉପକୂଳରେ ପାଞ୍ଚ ପ୍ରକାରର ଓ ଓଡ଼ିଶାରେ ଚାରି ପ୍ରକାରର କଇଁଛ ଦେଖାଯାନ୍ତି ।

ଏଇ କଇଁଛମାନଙ୍କ ଭିତରେ ଅଲିଭ୍‌ରିଡ୍ଲେ କଇଁଛ ଓଡ଼ିଶା ଉପକୂଳରେ ବହୁଳଭାବରେ ଦେଖାଯାନ୍ତି । ଗହୀରମଥା ବାଲୁକାଶଯ୍ୟାକୁ ବାଦ୍ ଦେଲେ ଋଷିକୁଲ୍ୟା ମୁହାଣ ଦେବୀ ନଦୀ ମୁହାଣ । ଏକ କୂଳନାଶୀ, ବାବୁବାଲି, ବରୁଣେଇ ଓ ହୁକିଟୋଲାରେ ମଧ୍ୟ କଇଁଛ ମାନେ ଅଣ୍ଡା ଦେଇଥାନ୍ତି ।

ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ଆଟ୍ଲାଣ୍ଟିକ୍, ଓ ମେକ୍ସିକୋ ସାଗରର ଗଭୀର ଜଳ ରାଶିକୁ ଅତିକ୍ରମ କରି ସାମୁହିକ ଅଣ୍ଡାଦାନ ଉଦ୍ଦେଶ୍ୟରେ ସେମାନେ ଓଡ଼ିଶା ଉପକୂଳରେ ସଙ୍ଗଠିତ ହୁଅନ୍ତି । ସେମାନଙ୍କର ଏହି ସାମୁହିକ ଅଣ୍ଡାଦାନ ପ୍ରକ୍ରିୟାକୁ ସ୍ପେନ୍ ଭାଷାରେ “ଆରିବାଣ” କୁହାଯାଏ । ଏହି ଅଦ୍ଭୁତ ଜୀବଟିଏ କିପରି ହଜାର ହଜାର ମାଇଲ୍ ଅତିକ୍ରମ କରି ଗହିରମଥାକୁ ଚିହ୍ନଟ କରିପାରେ ତାହା ଆଜି ପ୍ରାଣୀ ବିଶେଷଜ୍ଞଙ୍କୁ ଆଶ୍ଚାର୍ଯ୍ୟାନ୍ୱିତ କରିଅଛି । ଅଣ୍ଡାରୁ ବାହାରିଥିବା ପ୍ରଥମଛୁଆ ତାର ପ୍ରଚଣ୍ଡ ଆଘ୍ରାଣ ଶକ୍ତି ବଳରେ ଯେଉଁ ମାଟିପାଣିକୁ ପ୍ରଥମେ ସ୍ପର୍ଶ କରିଥାଏ । ସେଇ ମାଟିକୁ ସେ ପୁଣି ଫେରିଆସେ । ଓଡ଼ିଶା ଉପକୂଳକୁ ଛାଡ଼ିଦେଲେ କୋଷ୍ଟାରିକା, ମେକ୍ସିକୋ ଓ ନିକାରାଗୁଆ ଉପକୂଳରେ ମଧ୍ୟ ଅଲିଭ୍ ମାନେ ଅଣ୍ଡା ଦେଇଥାନ୍ତି ।

୧୯୭୪ରେ କଇଁଛକୁ ସୁରକ୍ଷିତ ଜୀବ ଭାବରେ ତାଲିକାଭୁକ୍ତ କରାଗଲା । ୧୯୭୨ରେ ବନ୍ୟପ୍ରାଣୀ ସଂରକ୍ଷିତ ଆଇନ ଅନୁଯାୟୀ ମହାବଳ ବାଘ ଓ ଅଲିଭ୍‌ରିଡ୍ଲେ କଇଁଛକୁ ମାରିଦେବା ପାଇଁ କଠୋର ଦଣ୍ଡ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଏହି ନିୟମକୁ ଉପେକ୍ଷା କରି ଶହ ଶହ ସଂଖ୍ୟାର ଟ୍ରଲର ଓ ଯାନ୍ତ୍ରିକ ଡଙ୍ଗାଦ୍ୱାରା ମାଛ ଧରାଯାଏ ।

ସମଗ୍ର ଉପକୂଳ ହଜାର ହଜାର ମୃତ କଇଁଛର ମହାଶ୍ମଶାନ ପାଲଟିଯାଏ । ସାଗରବେଳା ମଣିଷକୁ ଆନନ୍ଦ ଦେବା ପରିବର୍ତ୍ତେ ପୂତିଗନ୍ଧମୟ ନର୍କ ପାଲଟିଯାଏ । ଟ୍ରଲର ମାନଙ୍କ ଅବିଚାର ଫିସିଙ୍ଗ୍ ଫଳରେ ପ୍ରଚୁର ଡ଼ଲଫିନ୍, ନୀଳ ରକ୍ତ କଙ୍କଡ଼ା, ଓ ବହୁ ସାମୁଦ୍ରିିକ ଜୀବକୁ ଅବିଚାର ଭାବରେ ହତ୍ୟା କରାଯାଏ ।

କଇଁଛ ଓଡ଼ିଶାର ଅର୍ଥନୈତିକ ପ୍ରଗତିର ମୂଳଉତ୍ସ । ପଡ଼ୋଶୀ ପଶ୍ଚିମବଙ୍ଗ, ଆନ୍ଧ୍ର, ତାମିଲନାଡ଼ୁ ଉପକୂଳ ମତ୍ସ୍ୟଶୂନ୍ୟ ହେବାବେଳେ ଓଡ଼ିଶା ଉପକୂଳରେ ପ୍ରଚୁର ମାଛ ଦେଖାଯାଆନ୍ତି । ଜେଲିଫିସ୍ ନାମକ ସାମୁଦ୍ରିକ ଜୀବମାନେ କୋଟି କୋଟି ଚିଙ୍ଗୁଡ଼ି ଯାଆଁଳାକୁ ଭକ୍ଷଣ କରନ୍ତି । ଏହାଦ୍ୱାରା ଚିଙ୍ଗୁଡ଼ି ବଂଶବୃଦ୍ଧିର ଅନ୍ତରାୟ ହୁଏ । କଇଁଛ ଲକ୍ଷ ଲକ୍ଷ ଜେଲିଫିସ୍ ମାନଙ୍କୁ ଭକ୍ଷଣ କରି ଚିଙ୍ଗୁଡ଼ି ବୃଦ୍ଧି କରାଏ । ଫଳରେ ଓଡ଼ିଶାରୁ ପ୍ରତିବର୍ଷ ୭୦୦୦ ମେଟ୍ରିକ୍ ଟନ୍ ଚିଙ୍ଗୁଡ଼ି ପ୍ରାୟ ୨୦୦ କୋଟି ଟଙ୍କାରେ ରପ୍ତାନି ହୁଏ । ପ୍ରଚୁର ମାଛ ପାଇଁ କଷାଫଳ, ଆନ୍ଧ୍ର, ବାକ୍ଦୀପ, ଓ କାକିନାଡ଼ାର ଟ୍ରଲରମାନେ ବହୁ ବେଆଇନ୍ ଭାବେ ଗହିରମଥାରେ ଫିସିଙ୍ଗ୍ ଜାରି ରଖନ୍ତି । ସେଥିପାଇଁ ସେମାନେ ଭୟଙ୍କର ଅସ୍ତ୍ରଶସ୍ତ୍ର ପ୍ରୟୋଗ କରି ଜଙ୍ଗଲ କର୍ମଚାରୀ ଓ ପାରମ୍ପରିକ ମତ୍ସ୍ୟଜୀବିଙ୍କୁ ମରଣାତ୍ମକ ଆକ୍ରମଣ କରନ୍ତି । ବହୁବାର ଗହିରମଥାରେ ଗୁଳି ବିନିମୟ ହୋଇ ରକ୍ତାକ୍ତ ହୋଇଛି ।

ଗହିରମଥାର ସୁକୋମଳ ବାଲୁକାଶଯ୍ୟା, ଭିତରକନିକା ଓ ଉପକୂଳ ସଂଲଗ୍ନ ହେନ୍ତାଳ ଅରଣ୍ୟର ପ୍ରଚୁର ପ୍ରର୍ଯ୍ୟୁସିତ ଖାଦ୍ୟପାଇଁ ସେମାନେ ବହୁପଥ ଅତିକ୍ରମ କରନ୍ତି । କଇଁଛମାନେ ସ୍ୱାଭାବିକ ଭାବେ ଅତି ସରଳ । ଉଜ୍ଜ୍ୱଳ ଆଲୋକ, ଫିସିଙ୍ଗ୍ ଟ୍ରେଲର୍‌ର ସୁଦୃଢ଼ ଜାଲ ସେମାନଙ୍କ ଗତିପଥରେ ବାଧା ସୃଷ୍ଟି କରେ । ସେମାନେ ସେମାନଙ୍କ ଗତିପଥକୁ ପରିବର୍ତ୍ତନ କରାନ୍ତି ଉପକୂଳରେ ହେନ୍ତାଳ ଜଙ୍ଗଲ ସୃଷ୍ଟି ଓ ସୁରକ୍ଷା ନ ଦେଲେ, ରାଜ୍ୟ ସରକାର ଆନ୍ତରିକତାର ସହ ସୁରକ୍ଷା ନଦେଲେ ଗହିରମଥା ବେଶୀଦିନ ବିଶ୍ୱମାନଚିତ୍ରରେ ତିଷ୍ଠି ରହିପାରିବ ନାହିଁ ।

ଗହିରମଥାର ବିଶ୍ୱମାନଚିତ୍ରରେ ସ୍ୱତନ୍ତ୍ର ମାନ୍ୟତା ଥିଲେ ମଧ୍ୟ ଏହା ବିଶ୍ୱର ପ୍ରାଣୀବିଜ୍ଞାନୀ, ପରିବେଶବିତ୍ ଓ ପ୍ରକୃତିପ୍ରେମୀମାନେ ଏହାପ୍ରତି ଆକୃଷ୍ଠ ହେଲେ ମଧ୍ୟ ଏହାର ଗତାଗତ ଅତ୍ୟନ୍ତ ଦୁର୍ଗମ ହୋଇପଡ଼ିଛି । ଏହାକୁ ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀକରିବାକୁ ସରକାର କିଛି ବ୍ୟବସ୍ଥା କରିନାହାନ୍ତି । ବିଭିନ୍ନ କାରଣରୁ ଗହିରମଥାରେ କଇଁଛ ମାନଙ୍କର ପ୍ରବେଶ ମଳିନ ପଡ଼ିଆସିଛି । ଓଡ଼ିଶା ସରକାର ଅର୍ଥନୀତିର ପ୍ରଗତି ପାଇଁ ଗହିରମଥାକୁ ଆହୁରି ସଙ୍କୁଚିତ କରୁଛନ୍ତି । ଗହିରମଥାରେ ସାମୁୁଦ୍ରିକ ଅଣ୍ଡାଦାନ ପ୍ରକ୍ରିୟା ଅନେକ ଦେଖିବାକୁ ଚେଷ୍ଟାକରି ମଧ୍ୟ ପାଇନାହାନ୍ତି । ଏହାବ୍ୟତୀତ ଜଳପଥରେ ବାବୁବାଲି, ଏକକୂଳାନାସୀ, ବରୁଣେଇ ଓ ଅଗରନାସୀକୁ ପର୍ଯ୍ୟଟନ ବିଭାଗ କୌଣସି ସଂଯୋଗ କରିନାହିଁ । ପ୍ରକୃତିର ଅଫୁରନ୍ତ ଗନ୍ତାଘର ଝାଉଁ ହେନ୍ତାଳ ସୃଷ୍ଟିପାଇଁ ଅନୁକୂଳ ବାତାବରଣ ରହିଥିବା ସ୍ଥଳେ ପର୍ଯ୍ୟଟକ ମାନଙ୍କ ରହିବାପାଇଁ କୌଣସି ସ୍ଥାୟୀ ଗୃହର ବ୍ୟବସ୍ଥା ନାହିଁ । ଏହାର ସ୍ଥିିତିକୁ ନେଇ ପରିବେଶ୍‌ବିତ୍ ମାନଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ଗହିରମଥାରେ କଇଁଛଙ୍କ ଏନ୍ତୁଡ଼ିଶାଳକୁ ସଜେଇଦେଲେ ଏହା ବିଶ୍ୱର ସର୍ବେଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳୀ ହେବ ଓ ଦେଶୀ ବିଦେଶୀ ବହୁ ମଣିଷଙ୍କୁ ଆକୃଷ୍ଟ କରିବ ଏଥିରେ ଦ୍ୱିଧାମତ ନାହିଁ ।

ଲୋକପ୍ରିୟ ଲେଖା

To Top