ପର୍ଯ୍ୟଟନ

ବିମଳେଶ୍ୱର ବାବାଙ୍କର ବକ୍ର ମନ୍ଦିର, ହୁମା

Er Bidyadhar Panda's odia travelogue on Huma, the lean temple

ହୁମା ମନ୍ଦିରର ସ୍ଥାପତ୍ୟକଳା ସବୁ ଦର୍ଶକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରେ । କାରଣ ଏହି ମନ୍ଦିରଟି ଉତର-ପୂର୍ବକୁ ୪୬ଂ କୋଣରେ ଢ଼ଳିକି ରହିଛି । ଏହି ପରିସରରେ ଥିବା ପ୍ରତ୍ୟେକ କାରୁକାର୍ଯ୍ୟରେ ବକ୍ରତା ଦେଖିବାକୁ ମିଳେ ଯଥା- କପିଳେଶ୍ୱର, ଭୁବନେଶ୍ୱର, ଭୈରବୀ ମନ୍ଦିର ସହ ମନ୍ଦିରକୁ ପଶିବାକୁ ପ୍ରଥମ ତୋରଣ ଏବଂ ଗରୁଡ଼ ଖମ୍ବ ମଧ୍ୟ ଢ଼ଳିକରି ଅଛି ।

ବିମଳେଶ୍ୱର ବାବାଙ୍କର ବକ୍ର ମନ୍ଦିର, ହୁମା

ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହୁମା ବିମଳେଶ୍ୱର ବାବାଙ୍କର ମନ୍ଦିର ପଶ୍ଚିମ ଓଡ଼ିଶାର ଏକ ପ୍ରସିଦ୍ଧ ଶୈବପୀଠ । ଏହା ସମ୍ବଲପୁର ସହରରୁ ଦକ୍ଷିଣରେ ପ୍ରାୟ ୨୩କିମି ସୋନପୁର ରାସ୍ତାରେ ପଡେ । ଚଳିତ କାର୍ତିକ ମାସରେ ଭକ୍ତଙ୍କ ସଂଖ୍ୟା ଟିକେ ବଢ଼ିଥାଏ କିନ୍ତୁ ଶିବରାତ୍ରି ଠାରୁ ଆରମ୍ଭ କରି ସାତଦିନ ପର୍ଯ୍ୟନ୍ତ ହୁମାଠାରେ ଯେଉଁ ମେଳା ଅନୁଷ୍ଠିତ ହୁଏ , ସେଥିରେ ଲକ୍ଷଲକ୍ଷ ଲୋକଙ୍କ ସମାଗମ ହୋଇଥାଏ । ଶିବରାତ୍ରି ବ୍ୟତିତ ଏଠାରେ ଭୈରୋଁ ପୂଜା, କାର୍ତିକ ଚତୁର୍ଦ୍ଧଶୀ, ସୋମବାର, ନବାନ୍ନ ଭକ୍ଷଣ, ଚନ୍ଦନ ଯାତ୍ରା, ଦୋଳ ପୂର୍ଣ୍ଣିମା ଇତ୍ୟାଦି ବହୁ ପର୍ବ ଅନୁଷ୍ଠିତ ହୁଏ । ସମ୍ବଲପୁରର ଅଷ୍ଟସମ୍ଭୁଙ୍କ ମଧ୍ୟରେ ବିମଳେଶ୍ୱର ପ୍ରଥମ । ଅଷ୍ଟସମ୍ଭୁଙ୍କ ନାମ ହେଲା ୧- ହୁମା ବିମଳେଶ୍ୱର, ୨- ଅମ୍ବାବନା କେଦାରନାଥ, ୩- ଦେଗାଁ ବିଶ୍ୱନାଥ, ୪- ଗାଇଶମା ବାଲୁକେଶ୍ୱର , ୫- ମାନେଶ୍ୱର ମାନ୍ଧାତା, ୬- ସର୍ଣ୍ଣା ସ୍ୱପ୍ନେଶ୍ୱର, ୭- ସରଣ୍ଡା ବିଶେଶ୍ୱର ଏବଂ ୮- ନିଲଜି ନୀଳକଣ୍ଠେଶ୍ୱର ।

ହୁମା ମନ୍ଦିରର ସ୍ଥାପତ୍ୟକଳା ସବୁ ଦର୍ଶକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରେ । କାରଣ ଏହି ମନ୍ଦିରଟି ଉତର-ପୂର୍ବକୁ ୪୬ଂ କୋଣରେ ଢ଼ଳିକି ରହିଛି । ଏହି ପରିସରରେ ଥିବା ପ୍ରତ୍ୟେକ କାରୁକାର୍ଯ୍ୟରେ ବକ୍ରତା ଦେଖିବାକୁ ମିଳେ ଯଥା- କପିଳେଶ୍ୱର, ଭୁବନେଶ୍ୱର, ଭୈରବୀ ମନ୍ଦିର ସହ ମନ୍ଦିରକୁ ପଶିବାକୁ ପ୍ରଥମ ତୋରଣ ଏବଂ ଗରୁଡ଼ ଖମ୍ବ ମଧ୍ୟ ଢ଼ଳିକରି ଅଛି । ଜନଶୃତି ହିସାବରେ ମହାନଦୀ ଓ ତାର ଉପନଦୀ ଧୂଳିଯୋରର ଜଳସ୍ରୋତ ପ୍ରଭାବରେ ମନ୍ଦିରଟି ଏମିତି ଢ଼ଳି ପଢ଼ିଛି କିନ୍ତୁ କୌଣସି ଯାଗାରେ କିଛି ଫାଟ ଦେଖିବାକୁ ମିଳିନଥାଏ । ଅନ୍ୟ କେତେ ମତ ଦିଅନ୍ତି ଯେ ପ୍ରଥମରୁ ଏହା ଏପରି ତିଆରି କରାଯାଇଛି ଯାହା ଫଲରେ ମହାନଦୀ ଓ ତାର ଉପନଦୀର ଜଳସ୍ରୋତ ପ୍ରଭାବକୁ ନଷ୍ଟ କରି ମନ୍ଦିରକୁ ଦୀର୍ଘସ୍ଥାୟୀ କାରାଯାଇ ପାରିବ । ମନ୍ଦିରଟି ୧୫୫୦ ରୁ ୧୬୦୦ ମସିହା ଭିତରେ ତିଆରି ହୋଇଥିବାର ମନେ କାରାଯାଏ । ଯଦି ସେହି ଯାଗାର ଅବସ୍ଥିତି ଏବଂ ଭୋଗଳିକ ମୌଳିକତାକୁ ବିଚାର କରି ଶିଳ୍ପୀମାନେ ଏଭଳି ବକ୍ର ମନ୍ଦିର ନିର୍ମାଣ କରିଥାନ୍ତି ତେବେ ପ୍ରାୟ ୫୦୦ବର୍ଷ ତଳେ ତାଙ୍କର ଦୂରଦୃଷ୍ଟି ଏବଂ ପାରଙ୍ଗମତାକୁ ପ୍ରଶଂଶା କରିବା ଦରକାର ।

ହୁମା ମନ୍ଦିରର ଅନ୍ୟ ଏକ ପ୍ରମୁଖ ଆକର୍ଷଣ ହେଲା ମଚ୍ଛିନ୍ଦ୍ର ଘାଟର କୁଡ଼ୋମାଛ । ଏହି ମାଛମାନେ ମନ୍ଦିରର ଜଳଘାଟରେ ଅନବରତ ସନ୍ତରଣ କରୁଥାନ୍ତି । ଭକ୍ତମାନେ ଅଟାଗୁଳା, ଲଡ଼ୁ, ଚାଉଳ ଇତ୍ୟାଦି କୂଳର ପାଣିରେ ପକାଇଲେ ସେ ସବୁ ମାଛ ପୋଷାମାଛ ପରି ନିର୍ଭୟରେ ଲାଞ ବାଡ଼େଇ ନିସେଙ୍କାଚରେ ଦଳ ଦଳ ହୋଇ ଆସି ଖାଇଥାନ୍ତି । ଲୋକମତ ଅନୁସାରେ ଏଠାରେ ସ୍ୱୟଂ ବିଷ୍ନୁ ମିନ ଅବତାରରେ ଅଛନ୍ତି । ମନ୍ଦିରର ଗର୍ଭଗୃହରୁ ନଦୀସଯ୍ୟା ଭିତର ପର୍ଯ୍ୟନ୍ତ ଗୋଟିଏ ସୁଡ଼ଙ୍ଗ ଅଛି । ସେଥିପାଇଁ ବାବାଙ୍କର ନାମ କେହି କେହି ବିଳେଶ୍ୱର ବୋଲି କୁହନ୍ତି । ବର୍ଷା ୠତୁରେ ନଦୀସ୍ରୋତ ପ୍ରବଳ ହେଲେ କୁଡ଼ୋମାଛ ଏହି ସୁଡ଼ଙ୍ଗ ଭିତରେ ଆଶ୍ରୟ ନେଇ ଯାଆନ୍ତି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ଏଇ ମାଛମାନଙ୍କର ଭିନ୍ନ ଭିନ୍ନ ନାମ ଅଛି ଆଉ ଆଳତି ବେଳେ ଯେଉଁ ମାଛନାମର ମନ୍ତ୍ର ପଢ଼ାଯାଏ ସେମାନେ ଆସି ଭୋଗ ନିଅନ୍ତି । ଜୟଦେବ ଗୀତ ଗୋବିନ୍ଦ ଦଶାବତାର ସ୍ତୋତ୍ରରେ ଲେଖିଛନ୍ତି – “ ପ୍ରଳୟ ପୟୋଧିଜଳେ ଧୃତବାସନି ବେଦଂ ବିହିତ ବିହିତ୍ର ଚରିତମଖେଦଂ , କେଶବ ଧୃତ, ମୀନ ଶରୀର ଜୟ ଜଗଦୀଶ ହରେ । ଏହି ମନ୍ତ୍ରରେ ଭିନ୍ନ ଭିନ୍ନ ମାଛଙ୍କ ନାମ ଡ଼ାକି ଭୋଗ ଲଗାଯାଏ । ସେମାନଙ୍କର ନାମ ହେଲା- ସାନ କଲିଆ, ବଡ଼ କଲିଆ, ସାନ ବାଁକଡ଼ି, ବଡ଼ ବାଁକଡ଼ି, ଆମ ଡ଼ାଲିଆ, ଜାମ ଡ଼ାଲିଆ, ଜାଗଲିଏନ୍, ଜଟିଏନ୍ , ଗୁନାପିହ୍ନି, ସୁନାପିହ୍ନି, ସାନ୍ ସେଠ୍, ବଡ଼ ସେଠ୍ ଇତ୍ୟାଦି ୧୨ପ୍ରକାରର ମାଛ ଅଛନ୍ତି ବୋଲି ପୂଜକ କହନ୍ତି ।

ଏଠିକାର ଶିବଲିଙ୍ଗ ସ୍ୱୟଂଭୁ । କିମ୍ବଦନ୍ତି ଅଛି ଦିନେ ଜଣେ ଗାଇଆଳ ଗାଇ ଚରାଇଲା ବେଳେ ଦେଖିଲା ଗୋଟିଏ ଗାଇ ପହ୍ନାରୁ କ୍ଷୀର ବୋହୁଛି । ଗାଇଟି ଚୁପ୍ ଚାପ୍ ଛିଡ଼ା ହୋଇଛି । ପାଖକୁ ଆସି ଦେଖିଲା ଗାଇର ଚେରରୁ ମନକୁ ମନ କ୍ଷୀର ସ୍ରବିତ ହୋଇ ଗୋଟିଏ ଲିଙ୍ଗ ଉପରେ ପଡ଼ୁଛି ଏବଂ ସେଇଠାରେ ଶୋଷି ହୋଇଯାଉଛି । ଏହି ଚମତ୍କାର ଘଟଣା ଲୋକେ ଦେଖି ପୂଜାବିଧିର ବନ୍ଦୋବସ୍ତ କଲେ । ତାପରେ ରାଜା ବଳୀୟାର ସିଂଦେବ ଓ ଚୌହାନ ରାଜା ବଳରାମ ଦେବ ମନ୍ଦିର ନିର୍ମାାଣ ସହ ପୃଷ୍ଠପୋଷକତାର ଯୋଗାଡ଼ କାରାଇଥିଲେ ବୋଲି ଶୁଣାଯାଏ । ବାସ୍ତବିକରେ ହୁମା ଏକ ଦର୍ଶନୀୟ ସ୍ଥାନ କିନ୍ତୁ ସରକାରଙ୍କ ତରଫରୁ ଯେଉଁ ପ୍ରୋତ୍ସାହନ ମିଳିବା କଥା ସେସବୁ ବହୁତ ନଗନ୍ନ୍ୟ । ତେଣୁ ପର୍ଯ୍ୟଟକ ମାନଙ୍କ ପ୍ରାଥମିକତା ସୂଚିରେ ଏପର୍ଯ୍ୟନ୍ତ ହୁମା ବିମଳେଶ୍ୱରବାବାଙ୍କ ପୀଠ ଆସିନାହିଁ କିନ୍ତୁ ପର୍ଯ୍ୟଟନ ମାନରେ ଏହା କୌଣସି ଗୁଣରେ କମ୍ ନୁହେଁ ବୋଲି ପ୍ରାୟ ଲୋକଙ୍କ ମତ ।

ଲୋକପ୍ରିୟ ଲେଖା

To Top