ପର୍ଯ୍ୟଟନ

ମାଆ ଭଟ୍ଟାରୀକା ପୀଠ, ବଡ଼ମ୍ବା-ଆଠଗଡ଼

Er Bidyadhar Panda's odia travelogue Maa Bhattaarika Peetha

ପ୍ରତିବର୍ଷ ଅକ୍ଷୟ ତୃତୀୟା, ଚୈତ୍ର ପୂର୍ଣ୍ଣିମା ଓ ପଣା ସଂକ୍ରାନ୍ତି ପରି ଅନେକ ପର୍ବ ପର୍ବାଣି ବହୁ ଆଡ଼ମ୍ବରରେ ପାଳନ କରାଯାଇଥାଏ

ମାଆ ଭଟ୍ଟାରୀକା ପୀଠ, ବଡ଼ମ୍ବା-ଆଠଗଡ଼

କଟକ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ ମା ଭଟ୍ଟାରୀକା । ଖଣ୍ଡମଣ୍ଡଳର ସମସ୍ତ ଲୋକଙ୍କ ହୃଦୟରେ ମା’ ପାଇଁ ଅଛି ଅନାବିଳ ଭକ୍ତି ଓ ପ୍ରଗାଢ଼ ବିଶ୍ୱାସ । ଆଠଗଡ଼ରୁ ବଡ଼ମ୍ବା ଦେଇ ନରସିଂଗ୍‌ପୁର ଆଡ଼କୁ ଯାଇଥିବା ମୂଖ୍ୟ ରାଜରାସ୍ତାରେ ବଡ଼ମ୍ବାରୁ ୧୧କି.ମି. ଅତିକ୍ରମ କରି ବାମ ପାଶ୍ୱର୍ରେ ୬ କି.ମି. ଗଲେ ପଡେ଼ ଶସାଙ୍ଗ ଗାଁ । ଗାଁ ଭିତର ଦେଇ ଗୋଟିଏ ଅଣ ଓସାରିଆ ରାସ୍ତା ମାହାନଦୀ କୂଳକୁ ଲମ୍ବିଯାଇଛି ଯାହାର ଶେଷରେ ଅଛି ମା’ଙ୍କର ଭବ୍ୟ ମନ୍ଦିର । ଗୋଟିଏ ପାଶ୍ୱର୍ରେ ରତ୍ନଗିରି ପାହାଡ଼ ଓ ଅନ୍ୟ ପାର୍ଶ୍ଵରେ ମହାନଦୀର କଳାଘୁମର ପାଣି ମନ୍ଦିର ପରିବେଶକୁ ବେଶ ମନୋରମ କରିଦେଉଛି । ମାଆ ଭଟ୍ଟାରୀକା ପ୍ରାଙ୍ଗଣରେ ସୂର୍ଯ୍ୟାସ୍ତ ବେଳେ ମହାନଦୀର ପାଣିରେ ସୂର୍ଯ୍ୟ ବୁଡ଼ିବା ଦୃର୍ଶ୍ୟ ସହ ପକ୍ଷୀଙ୍କର ଲେଉଟାଣି କଳରବ ଏବଂ ପାହାଡ଼ର ନିସ୍ତବତା ଭିତରେ ମା’ଙ୍କର ସନ୍ଧ୍ୟା ଆଳତୀର ଘଣ୍ଟଶଦ୍ଧ ଏକ ଅନୋଖା ଆଧ୍ୟାତ୍ମିକ ବାତାବରଣକୁ ନିତିଦିନ ପ୍ରସ୍ତୁତ କରିଥାଏ ।

ଏହା ଏକ ପ୍ରାଚିନତମ ମନ୍ଦିର । କିମ୍ବଦନ୍ତି ଅଛି ଯେ ପ୍ରାୟ ଷୋଡ଼ଶ ଶତାଦ୍ଧୀରୁ ଛଅ ଶତାଦ୍ଧୀ ଭିତରେ ରାଜରୂଷି ପରଶୁରାମ ଧନୂଶରମୂନରେ ମା’ ଭଟ୍ଟାରୀକାଙ୍କ ମୂର୍ତ୍ତିକୁ ନିଜ ହାତରେ ଖୋଳି, ଏହିଠାରେ ମା’ଙ୍କର ଆରଧନା କରି ଭାରତକୁ ନିକ୍ଷେତ୍ରୀୟ କରିବାପାଇଁ ବର ମାଗିଥିଲେ । ଓଡ଼ିଆ ରାମାୟଣ ପୁଷ୍ଟି କରେ କି ଭଗବାନ ରାମ, ଲକ୍ଷ୍ମଣ ଓ ମାତା ସୀତା ପଞ୍ଚବଟୀ ଯିବାବାଟରେ ଏହିଠାରେ ମା’ଙ୍କର ପୂଜା ଅର୍ଚ୍ଚନା କରିଥିଲେ । ପ୍ରତିବର୍ଷ ଅକ୍ଷୟ ତୃତୀୟା, ଚୈତ୍ର ପୂର୍ଣ୍ଣିମା ଓ ପଣା ସଂକ୍ରାନ୍ତି ପରି ଅନେକ ପର୍ବ ପର୍ବାଣି ବହୁ ଆଡ଼ମ୍ବରରେ ପାଳନ କରାଯାଇଥାଏ । ଏହି ଦିନ ମାନଙ୍କରେ ଅସଂଖ୍ୟ ଭକ୍ତଙ୍କ ସମାଗମ ହୋଇଥାଏ । ଏହାଛଡ଼ା ନୂତନ ବର୍ଷ କିମ୍ବା ବଡ଼ଦିନ ପରି ଭଲ ଦିନରେ ବଣଭୋଜି ପାଇଁ ହଜାର ହଜାର ଲୋକ ଏଠାକୁ ଆସିଥାନ୍ତି ।

ପୂଜାପୂଜି ସାରି ଆମେ ଭେଟିଥିଲୁ ଏକମାତ୍ର ଗର୍ଭପୂଜକ ଶିଶିର କୁମାର ମହାପାତ୍ରଙ୍କୁ । ଏହି ମୂଖ୍ୟ ପୂଜକଙ୍କୁ ବାଦଦେଲେ ଆଉ ଅଠର (୧୮) ଘର ମାଳୀ ଦୈନିକ ପୂଜାରୀ ହିସାବରେ ମା’ଙ୍କର ପୂଜାକାର୍ଯ୍ୟରେ ଲିପ୍ତ ଅଛନ୍ତି । ମା ଭଟ୍ଟାରୀକା ପ୍ରାଙ୍ଗଣରେ ମା’ଙ୍କ ସହଚରି ମହାଦେବ ମଧ୍ୟ ଭିନ୍ନଭିନ୍ନ ମନ୍ଦିରରେ ପୂଜା ପାଉଛନ୍ତି । ସେମାନେ ହେଲେ ସୋମନାଥ, କପିଳେଶ୍ୱର, ରାମେଶ୍ୱର ଓ ଧବଳେଶ୍ୱର । ମହାଦେବଙ୍କ ମନ୍ଦିରରେ ଅନ୍ନ ଖେଚୁଡ଼ି ପ୍ରଭୃତି ଭୋଗ ଲାଗି ହୁଏ । ମା’ଙ୍କ ପାଖରେ କିନ୍ତୁ ପ୍ରତିଦିନ ୭ଥର ପୂଜା ଲାଗି କରାଯାଇଥାଏ । ରାତ୍ର ୪ଟାରୁ ବାଳ ଭୋଗ (ଉଖୁଡ଼ା ଓ ବଲ୍ଲଭ)ରୁ ପ୍ରାରମ୍ଭ ହୁଏ । ତିନି ଚାରି ଘଣ୍ଟା ଅନ୍ତରରେ ବାକି ଚାରିଥର ପୂଜା ନିତି ସମ୍ପୁର୍ଣ୍ଣ କରାଯାଏ । ପୂଜାଦ୍ରବ୍ୟ ହିସାବରେ ମୂଖ୍ୟତଃ ଖେଚୁଡ଼ି, ଏଣ୍ଡୁରି ପୀଠା, ଖିରି ପାସ୍, ଘି ପିଠା, ମାଛ, ଦହି ପଖାଳ ଇତ୍ୟାଦି ଯୋଗାଡ଼ କରାଯାଏ । ରାତ୍ର ୯ଟା ପରେ ଶେଷପୂଜା ହିସାବରେ ମା’ଙ୍କୁ ଲାଗି କରାଯାଏ ବଡ଼ ସିଂଘାର ଖଜା ଏବଂ ପରିଶେଷରେ ଶାନ୍ତିପଣା ଅର୍ପଣ ସରିଲା ପରେ ପହଡ଼ ପଡେ଼ ।

ଯାଗାଟିର ଭୌଗଳିକ ଅବସ୍ଥିତି ଓ ପ୍ରାଚିନ ମହତ୍ୱକୁ ବିଶ୍ଲେଷଣ କଲେ ଦେଖାଯାଏ ଯେ ଯେତିକି ସହେଯାଗ ସହାନୂଭୁତି ସମାଜର ସବୁବର୍ଗର ଲୋକଙ୍କଠାରୁ ମିଳିବା କଥା ଏପର୍ଯ୍ୟନ୍ତ ଏହାକୁ ମିଳିପାରିନାହିଁ । ସରକାରଙ୍କଠାରୁ ଆଶାନୂରୁପ ଅନୁଗ୍ରହ ରାଶି ପାଇବାରୁ ଏ ପୀଠ ଅଦ୍ୟାବିଧି ବି ବଞ୍ଝିତ ଅଛି । ଯଦି ଏହି ପୂରାତନ ପର୍ଯ୍ୟଟନ ସ୍ଥଳିଟିକୁ ବିକଶିତ କରାଯାଇ ଏହାର ଉପଯୁକ୍ତ ସୌନ୍ଦର୍ଯ୍ୟ କରଣ ସମ୍ଭବ ହୁଅନ୍ତା ତେବେ ଆଖପାଖ ବହୁ ଗରିବ ଲୋକଙ୍କୁ କିଛି ରୋଜଗାର କରିବାର ଉପାୟ ସହଜରେ ମିଳିଯାଆନ୍ତା ଆଉ ଅନେକ ପର୍ଯ୍ୟଟକଙ୍କୁ ମାଆ ଭଟ୍ଟାରୀକାର ଆଶୀର୍ବାଦ ବି ସୁଲଭ ହୋଇ ପାରନ୍ତା ।

ଲୋକପ୍ରିୟ ଲେଖା

To Top