ମର୍ମକଥା

ପ୍ରେମର ମର୍ଯ୍ୟାଦା

Odia Writer Aparna Mohanty

ସେ ଗୋଟିଏ ପାଦ ଆଗକୁ ବଢ଼ାଇଲା ମାତ୍ରେ ନିକଟରେ ଥିବା ପ୍ରତ୍ୟେକ ପୁରୁଷ ତାଙ୍କୁ ପଛରୁ ଟାଣି ଧରିବାର, ତାଙ୍କ ଅଗ୍ରଗତିକୁ ପ୍ରତିହତ କରିବାର ପ୍ରୟାସ କରିଛନ୍ତି ।

ପ୍ରେମର ମର୍ଯ୍ୟାଦା

ଜଣେ ପୁରୁଷର ସଫଳତା ପଛରେ ଜଣେ ନାରୀର ଆନ୍ତରିକ ପ୍ରେମ ରହିଥାଏ – ଏଇଟି ଖୁବ୍ ପୁରୁଣା କଥା । କେହି କହନ୍ତି ନାହିଁ ଯେ, ଜଣେ ନାରୀର ସଫଳତା ପଛରେ ଜଣେ ପୁରୁଷର ପ୍ରେମ ଓ ପ୍ରେରଣା ରହିଥାଏ । ଥରେ ଓଡ଼ିଶାର ବରେଣ୍ୟା ନେତ୍ରୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତ୍ପଥୀଙ୍କ ବକ୍ତବ୍ୟ ଶୁଣିବାର ଅବସର ମିଳିଥିଲା । ସେ ସେଦିନ ଏକ ସାଧାରଣ ସଭାରେ ମୁକ୍ତ କଣ୍ଠରେ କହିଥିଲେ ଯେ, ବ୍ୟକ୍ତିଗତ କ୍ଷେତ୍ରରେ ହେଉ ବା ସାମାଜିକ କ୍ଷେତ୍ରରେ ହେଉ, ସେ ଗୋଟିଏ ପାଦ ଆଗକୁ ବଢ଼ାଇଲା ମାତ୍ରେ ନିକଟରେ ଥିବା ପ୍ରତ୍ୟେକ ପୁରୁଷ ତାଙ୍କୁ ପଛରୁ ଟାଣି ଧରିବାର, ତାଙ୍କ ଅଗ୍ରଗତିକୁ ପ୍ରତିହତ କରିବାର ପ୍ରୟାସ କରିଛନ୍ତି ।

ଏଥିରୁ ସ୍ପଷ୍ଟ ବୁଝାପଡୁଛି ଯେ, ନାରୀ ମନରେ ଥିବା ପୁରୁଷ ପାଇଁ ପ୍ରେମ ଓ ପୁରୁଷ ମନରେ ଥିବା ନାରୀ ପାଇଁ ପ୍ରେମରେ ଗୋଟିଏ ମୌଳିକ ପ୍ରଭେଦ ରହିଛି । ନାରୀ ମନର ପ୍ରେମ ପୁରୁଷ ପାଇଁ ଗଠନମୂଳକ, ପ୍ରେରଣାଦାୟକ ଓ ବିକାଶଶୀଳ ହୋଇଥିବା ବେଳେ ପୁରୁଷର ପ୍ରେମ ସାଧାରଣତଃ ଦେହକୈନ୍ଦ୍ରିକ, ଅଧିକାରକୈନ୍ଦ୍ରିକ, ସ୍ୱାର୍ଥସର୍ବସ୍ୱ ଓ ବିନାଶଶୀଳ ହୋଇଥାଏ । ପ୍ରେମରେ ନାରୀର ସାହଚର୍ଯ୍ୟ ଯୋଗୁଁ ପୁରୁଷଟି ବିକଶିତ ହେଉଥିବା ବେଳେ ପୁରୁଷର ଅଧିକାର ଲୋଲୁପତା ନାରୀଟିକୁ ସଙ୍କୁଚିତ କରିଦିଏ । ଏପରିକି ଦେଖାଯାଏ, ବିଦ୍ୟା, ନୃତ୍ୟ, ସଙ୍ଗୀତ କିମ୍ୱା ଅନ୍ୟାନ୍ୟ କ୍ଷେତ୍ରରେ ଦୁଇଟି ନରନାରୀ ପରସ୍ପରର ପ୍ରତିଭା ପ୍ରତିଆକୃଷ୍ଟ ହୁଅନ୍ତି, ପ୍ରେମରେ ପଡ଼ନ୍ତି ଓ ବିବାହ କରନ୍ତି ।

ଏହାପରେ ସ୍ତ୍ରୀଟି ସ୍ୱାମୀର ପ୍ରତିଭାର ବିକାଶରେ ଯେତିକି ଖୁସି ହୁଏ ଓ ସେଥିପାଇଁ ସହଯୋଗ କରେ, ସ୍ୱାମୀଟି ନାରୀର ପ୍ରତିଭାର ବିକାଶରେ ସେତିକି ହୀନ ମାନ୍ୟତାର ଶିକାର ହୁଏ ଏବଂ ତା’ର ଗତିରୋଧ କରିବାର ଚେଷ୍ଟା କରେ । ଯେଉଁ ଗୁଣ ଯୋଗୁଁ ଏକଦା ସେ ନାରୀକୁ ପ୍ରେମ କରୁଥିଲା, ସେଇ ଗୁଣ ଯୋଗୁଁ ହିଁ ସେ ତାକୁ ଘୃଣା କରିବାକୁ ଆରମ୍ଭ କରେ । ନିଜକୁ ଶ୍ରେଷ୍ଠ ଭାବିବାର ଏଇ ଯେଉଁ ଅହମିକା ପୁରୁଷକୁ ଚିରଦିନ କବଳିତ କରିରଖିଛି । ତାହା ହିଁ ଜଣେ ବିକାଶମୁଖୀ ମଣିଷ ଭାବେ ନାରୀକୁ ଭଲ ପାଇବାରେ ତା’ର ପ୍ରତିବନ୍ଧକ ସାଜିଛି ।

ଏଥିପାଇଁ ବ୍ୟକ୍ତିଗତ ଭାବେ କେଉଁ ନିର୍ଦ୍ଧିଷ୍ଟ ପୁରୁଷ ଅପେକ୍ଷା ଏକ ପିତୃକୈନ୍ଦ୍ରିକ ସମାଜ ବ୍ୟବସ୍ଥା ହିଁ ସମ୍ପୂର୍ଣ୍ଣ ଭାବରେ ଦାୟୀ । ନାରୀକୁ ନ୍ୟୁନ ଦୃଷ୍ଟିରେ ଦେଖିବାର ପରମ୍ପରା ପୁରୁଷର ଅହଙ୍କାରକୁ ଏତେ ପରିମାଣରେ ପାଳନ ପୋଷଣ କରିଛି ଯେ, କଦବା କେଉଁଠି ପତ୍ନୀକୁ ଆଗକୁ ଯିବାରେ ସହାୟକ ହେଉଥିବା ପୁରୁଷକୁ ସମାଜ ସ୍ତ୍ରୈଣ କହି ଉପହାସ କରେ, ନିନ୍ଦା ଓ ଅବଜ୍ଞାସୂଚକ ଚକ୍ଷୁରେ ଦେଖେ । ଅର୍ଥାତ୍ ନାରୀକୁ ନିଃସର୍ତ୍ତ ଓ ନିଃସ୍ୱାର୍ଥ ଭାବେ ପ୍ରେମ କଲେ ପୁରୁଷର ସାମାଜିକ ସ୍ଥିତି ଦୋହଲିଯାଏ । ପୁରୁଷ ନାରୀକୁ ପ୍ରେମ ନୁହେଁ, ଅଧିକାର କରିବାକୁ ହିଁ ସମାଜ ସୁନ୍ଦର ଓ ବିଧିସମ୍ମତ ବୋଲି କହେ ।

ମୋଟାମୋଟି ଭାବରେ ଦେଖିଲେ, ପ୍ରେମ ମୁଖ୍ୟତଃ ଏକ ନାରୀ ଭାବ । ପ୍ରେମରେ ମଣିଷ ପ୍ରେମାସ୍ପଦ ପ୍ରତି ସମ୍ୱେଦନଶୀଳ ହୁଏ, ସମର୍ପିତ ହୁଏ, ସୁଖରେ ସୁଖୀ, ଦୁଃଖରେ ଦୁଃଖୀ ହୁଏ । ସାରା ସଂସାରର ରୂପ-ଗୁଣ ପ୍ରେମାସ୍ପଦ ପାଖରେ ଠୁଳ ହେଲା ପରି ଲାଗେ । ପ୍ରେମ ଏପରି ଏକ ପ୍ରବୃତ୍ତି, ଯାହା ମଣିଷକୁ, ମଣିଷ ଭିତରେ ଥିବା ଈଶ୍ୱରଙ୍କୁ ଅନୁଭବ କରିବାର ସାମର୍ଥ୍ୟ ଆଣିଦିଏ । ତେଣୁ ବିଖ୍ୟାତ ଚିନ୍ତନାୟକ ଓଶୋ (ରଜନୀଶ) ପ୍ରେମରେ ପଡ଼ିବା ନ କହି ପ୍ରେମରେ ଉତ୍ତରଣ ବୋଲି କହନ୍ତି । ଏହି ପ୍ରବୃତ୍ତିଟି ନାରୀର ସହଜାତ । ନାରୀ ପ୍ରେମରେ ପୁରୁଷକୁ ଈଶ୍ୱର ସ୍ଥାନରେ ବସାଏ । ପୁରୁଷ ପରି ନାରୀମନର ପ୍ରେମ ତା’ ଜୀବନର ଏକ ସାମୟିକ ଅବସ୍ଥା ନୁହେଁ, ଏହା ତା’ର ସମଗ୍ରୀ ଜୀବନ । ପ୍ରସିଦ୍ଧ ଇଂରାଜୀ କବି ବାଇରନ୍ ତେଣୁ କହିଛନ୍ତି –

Man’s love is of man’s life a part; it is a woman’s whole existence.

ପ୍ରେମରେ ନାରୀ ପୁରୁଷକୁ ତା’ର ସର୍ବସ୍ୱ ଭାବେ କଳ୍ପନା କରେ । ତେଣୁ ପ୍ରେମିକା ନାରୀ ନିଜକୁ ବି ପୂର୍ଣ୍ଣତମା ବୋଲି ଭାବେ । ଆତ୍ମିକ ଓ ଦୈହିକ ଉଭୟ କ୍ଷେତ୍ରରେ ତା’ର ସ୍ୱେଚ୍ଛାକୃତି ଅକୁଣ୍ଠ ସହଯୋଗ ନାରୀ-ପୁରୁଷର ସମ୍ପର୍କକୁ ନିସର୍ଗ ପ୍ରକୃତି ପରି ପ୍ରାଣବନ୍ତ କରିଦିଏ । ନାରୀ ପାଇଁ ପ୍ରେମ ଜୀବନର ଚରମ ସାର୍ଥକତା । ଏଥିପାଇଁ ନାରୀ ସମସ୍ତ ସାମାଜିକ ବିଧିବିଧାନକୁ ଅନାୟାସରେ ଅଗ୍ରାହ୍ୟ କରିପାରେ ।

ପୁଣି ପ୍ରେମର ମର୍ଯ୍ୟାଦା ରକ୍ଷା କରିବା ନିମନ୍ତେ ନିଜକୁ ପ୍ରେମାସ୍ପଦ ଠାରୁ ଦୂରେଇ ରଖିବାର କ୍ଳିଷ୍ଟତମ ବ୍ରତ ପାଳନରେ ମଧ୍ୟ ନାରୀର ପ୍ରେମିକା-ମନର ତୁଳନା ନାହିଁ । ନାରୀ ମନରେ ପ୍ରେମ ଏପରି ଏକ ପ୍ରବୃତ୍ତି, ଯାହାକୁ ଅନୁସରଣ କରି ତା’ର କାୟ-ମନୋ-ବାକ୍ୟ ଏକ ପୂର୍ଣ୍ଣ ବିକାଶ ପଥରେ ଅଗ୍ରସର ହୋଇଥାଏ । ନାରୀ ମନର ଅପ୍ରତିଦ୍ୱନ୍ଦୀ ଶିଳ୍ପୀ ଶରତ ଚନ୍ଦ୍ର ତେଣୁ ତାଙ୍କ “ଶେଷ ପ୍ରଶ୍ନ” ଉପନ୍ୟାସରେ କହିଛନ୍ତି -“ଭଲ ପାଇବାର ଶୁଚିତାର ଇତିହାସ ହିଁ ମଣିଷ ସଭ୍ୟତାର ଇତିହାସ । ତାହା ହିଁ ବଡ଼ ହେବାର ଧାରାବାହିକ ବିବରଣ ।”

ନାରୀ ମନରେ ପ୍ରେମର ଶୁଦ୍ଧତା ସ୍ୱାଭାବିକ ଭାବେ ବିକାଶ ଲାଭ କରୁଥିବା ବେଳେ ପୁରୁଷ ଶାସିତ ସମାଜ ଏହାକୁ ପିତୃପ୍ରଧାନ ବ୍ୟବସ୍ଥାର ଅନୁକୂଳରେ ପରିଚାଳିତ କରିବାକୁ ଚେଷ୍ଟା କରେ । ପ୍ରେମକୁ ସାମାଜିକ ନୀତିନିୟମ ସହିତ ସଂଶ୍ଳିଷ୍ଟ କରି ତା’ର ଉଚ୍ଚତାକୁ ଖର୍ବ କରିଦିଏ । ଆଜି ମଧ୍ୟ ସମାଜରେ ପ୍ରେମ କିମ୍ୱା ପ୍ରେମିକାକୁ ଉଚିତ୍ ମର୍ଯ୍ୟାଦା ମିଳେନାହିଁ ।

ପିତୃକୈନ୍ଦ୍ରିକ ସମାଜର ଅହଙ୍କାର ସର୍ବସ୍ୱ ମାନସିକତା ନାରୀ ମନର ସ୍ୱତଃ ସ୍ଫୁର୍ତ୍ତ ପ୍ରେମ ଭାବନାକୁ ରୁଦ୍ଧ କରି ସେ ସ୍ଥାନରେ, ସମ୍ପତ୍ତି, ଦାୟିତ୍ୱ କର୍ତ୍ତବ୍ୟ, ଧର୍ମ ଇତ୍ୟାଦିର ଅଲଂଘ୍ୟ ପାହାଡ଼ ଲଦି ଦେଇଛି । ଯେଉଁ ନାରୀ ମନ ପ୍ରେମରେ କଳକଳ ନିନାଦିନୀ ସ୍ୱଚ୍ଛ ଝରଣାଟିଏ ହୋଇ ବହିଯାଇ ପାରନ୍ତା – ସରିତ ଓ ସାଗରରେ ରୂପାନ୍ତରିତ ହୋଇପାରନ୍ତା, ତାହା ଲୋଭ, ଈର୍ଷା, ଅସୂୟା, ପରଶ୍ରୀକାତରତା ଓ ସଂକୀର୍ଣ୍ଣତାର ଅନ୍ଧକୂପରେ ପରିଣତ ହୋଇଛି ।

କଦବା କେଉଁଠି ନାରୀ ମନର ନିର୍ମଳ ପ୍ରେମ ଲୋଡ଼ି ମଣିଷର ଆତ୍ମାର ବିମାନରେ ବସି ଓହ୍ଲାଇ ଆସୁଥିବା ଈଶ୍ୱର ବି ଏ ପରିସ୍ଥିତିରେ ହତାଶ ହୋଇପଡୁଛନ୍ତି । ପ୍ରେମର ଅମର୍ଯ୍ୟାଦା ଭୋଗି ଭୋଗି ନାରୀ-ମନ ଯଦି ସଂକୀର୍ଣ୍ଣ, ସ୍ୱାର୍ଥସର୍ବସ୍ୱ ଏକ ଭୟଙ୍କରୀ ସୁବିଧାବାଦୀ ଶକ୍ତିରେ ପରିଣତ ହୁଏ, ତେବେ ସେଥିପାଇଁ ନାରୀସମାଜ ଅପେକ୍ଷା ପ୍ରେମିକା-ନାରୀକୁ ସବୁବେଳେ ହୀନ/ଅସ୍ପୃଶ୍ୟ ଦୃଷ୍ଟିରେ ଦେଖୁଥିବା ପିତୃକୈନ୍ଦ୍ରିକ ସମାଜବ୍ୟବସ୍ଥା କ’ଣ ଅଧିକ ଦାୟୀ ନୁହେଁ ?

ବେଳେବେଳେ ଭାବିବାକୁ ଇଚ୍ଛା ହୁଏ ଯେ, ସ୍ୱର୍ଣ୍ଣମୃଗର ମାୟାରେ ପ୍ରଲୁବ୍ଧ ହୋଇପଡ଼ିଥିବା ଦେବୀ ସୀତାଙ୍କୁ କ’ଣ ସ୍ୱର୍ଣ୍ଣଲଙ୍କାର ଭବ୍ୟତା ସତରେ ପ୍ରଲୁବ୍ଧ କରି ନ ଥଲା ? ନାରୀ-ମନରେ ତ’ ପୁଣି ବିଷୟ-ବାସନା, ଧନସମ୍ପତ୍ତି, ଅହଙ୍କାର ପ୍ରତି ପ୍ରବଳ ଲୋଭ ବୋଲି ସମାଜ କହିଥାଏ । ରାବଣର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପଛରେ କ’ଣ ଆପଣା ସତୀତ୍ୱ -ରକ୍ଷାର ସଂକଳ୍ପ ତାଙ୍କ ପାଇଁ ଏକମାତ୍ର କାରଣ ଥିଲା ? ଏକ ପିତୃକୈନ୍ଦ୍ରିକ ସମାଜ ବ୍ୟବସ୍ଥାରେ ସୀତାଙ୍କର ଏହି ସତୀତ୍ୱ ରକ୍ଷା ବ୍ରତର ଭୁରି ଭୁରି ପ୍ରଶଂସା କରାଯାଏ । ସୀତାଙ୍କ ଭିତରେ ଥିବା ନାରୀ-ମନର ସୂକ୍ଷ୍ମ ପ୍ରେମିକା ସୁଲଭ ଭାବପ୍ରବଣତା ଓ ତା’ର ଉତ୍ଥାନ ପତନକୁ ତଳେଇ ଦେଖିବା ପାଇଁ କେହି ଆଗ୍ରହୀ ହୁଅନ୍ତି ନାହିଁ ।

ପୁରାଣରେ ଅଛି, ସୀତା ରାଜନନ୍ଦିନୀ ଭାବେ ପ୍ରତିପାଳିତା ହୋଇଥିଲେ ହେଁ ବାସ୍ତବରେ ରାଜା ଜନକ ତାଙ୍କୁ କୃଷିକ୍ଷେତ୍ରରୁ ହିଁ ପାଇଥିଲେ । ସେହି ସଦ୍ୟଜାତ କନ୍ୟାସନ୍ତାନଟି କେଉଁ ହତଭାଗିନୀ ମା’ର ବିଡ଼ମ୍ୱିତ ମାତୃତ୍ୱର ଫଳ ହୋଇଥିବା ଆଦୌ ଅସମ୍ଭବ ନୁହେଁ । ବାଲ୍ୟକାଳରୁ ସୀତା ନିଶ୍ଚୟ ନିଜର ବାସ୍ତବ ସ୍ଥିତି ପ୍ରତି ସଚେତନ ଥିବେ ଓ ରାଜନନ୍ଦିନୀର ଅହଙ୍କାର ସ୍ଥାନରେ ମାନବୀୟ ପ୍ରେମ ଓ ସ୍ନେହ ମମତାକୁ ଅଧିକ ଗୁରୁତ୍ୱ ଦେଇଥିବେ । ତେଣୁ ରାମଚନ୍ଦ୍ରଙ୍କ ବନବାସ ବେଳେ ରାଜରାଣୀ ହେବା ଅପେକ୍ଷା ପ୍ରିୟତମଙ୍କ ସଙ୍ଗିନୀ ହେବାକୁ ସୀତା ଶ୍ରେୟ ମଣିଥିବେ । ତା’ପରେ ବନବାସର ଅପୂର୍ବ ସୁଖ ସୀତାଙ୍କୁ ସବୁବେଳେ ଭାବମୁଗ୍ଧା କରି ରଖିଥିବ । ରାଣୀ ସୀତା ଓ ରାଜା ରାମଙ୍କ ଭିତରେ ଥିବା ରାଜକୀୟ ନୀତିନିୟମର ବ୍ୟବଧାନ ଅରଣ୍ୟରେ ନ ଥିବ । ଦୁଇଟି ନବବିବାହିତା ତରୁଣୀ ପରି ସେମାନେ ଦିନରାତି ପ୍ରଣୟଗଙ୍ଗାରେ ବୁଡ଼ି ରହୁଥିବେ । ବନବିଳାସିନୀ ସୀତାଙ୍କ ଚଟୁଳ ଅଭିମାନ ଭାଙ୍ଗିବା ପାଇଁ ରାମଚନ୍ଦ୍ର ତାଙ୍କୁ ନିଜ ହାତରେ ଫୁଲରେ ସଜାଉଥିବେ । ଦାସଦାସୀଙ୍କର ଅଯଥା ଆଡ଼ମ୍ୱର ଓ ରାଜଉଆସର ତଥାକଥିତ ମର୍ଯ୍ୟାଦାର ଅନୁପସ୍ଥିତିରେ ହୃଦୟଭରି ସୀତା ରାମଙ୍କର ଆଦରର ପ୍ରତିଦାନ ଦେଉଥିବେ । ଦୁହେଁ ଦୁହିଁଙ୍କୁ ଭୁଞ୍ଜାଇ ଦେଉଥିବେ ସୁସ୍ୱାଦୁ ଫଳମୂଳ । ପ୍ରାଣପ୍ରିୟାଙ୍କୁ ଲତାକୁଞ୍ଜରେ ରାମଚନ୍ଦ୍ର ଦୋଳି ଝୁଲାଉଥିବେ । ଚନ୍ଦ୍ରକିତ ନିଶିଥରେ ସୀତାଙ୍କର ଜହ୍ନଧୁଆ ମୁକୁଳା ମୁହଁଟିକୁ ଛାତିରେ ଧରି ପ୍ରୀତିଭରା ଚୁମ୍ୱନ ଆଙ୍କି ଦେଉଥିବେ । ରାତ୍ରି ଗଭୀର ହେଲେ ପ୍ରିୟତମଙ୍କ ଅଭୟବାହୁକୁ ଉପାଧାନ କରି ଅଙ୍କପଲଙ୍କରେ ନିଦ୍ରା ଯାଉଥିବେ କନ୍ୟାକୁମାରୀ, ରାଜପ୍ରାସାଦର ବୈଭବ ଓ ତଜ୍ଜନିତ ଦାୟିତ୍ୱ/କର୍ତ୍ତବ୍ୟର ଭାରାକ୍ରାନ୍ତ କୋଳାହଳଠାରୁ ବହୁଦୂରରେ ଦୁଇଟି ମୁକ୍ତ ନିଷ୍ପାପ କପୋତ-କପୋତୀ ପରି ପ୍ରକୃତି ହିଁ ତାଙ୍କର କେଳିସଦନ ହୋଇଉଠିଥିବ । ଚଉଦ ବର୍ଷ ବନବାସର ଅଭିଶାପ ତ’ ସୀତାଙ୍କ ପାଇଁ ଅବାରିତ ଅରଣ୍ୟ -ଅଭିସାରର ବରଦାନ ପାଲଟି ଯାଇଥିବ । କେଉଁ ନାରୀ ବା ଏପରି ସୁଖକୁ ମୂର୍ଚ୍ଛି ପାରିବ !

ସ୍ୱର୍ଣ୍ଣମୃଗର ସାମୟିକ ପ୍ରଲୋଭନରେ ସୀତାଙ୍କୁ ଯେତେବେଳେ ଏହି ନିଃସର୍ଗ ପ୍ରେମାଭିସାରରୁ ବଞ୍ଚିତ ହେବାକୁ ପଡ଼ିଥିବ, ସେତେବେଳେ ସ୍ୱର୍ଣ୍ଣପୁରୀ ଲଙ୍କା ପ୍ରତି କି ତୁଚ୍ଛତାରେ ତାଙ୍କ ପ୍ରାଣ ଭରିଯାଇ ନ ଥିବଟି ! ଏହି ପ୍ରସଙ୍ଗ ଅବତାରଣା କରିବାର ତାତ୍ପର୍ଯ୍ୟ ହେଲା – ସତୀତ୍ୱ ତଥା ଅନ୍ୟାନ୍ୟ ସମସ୍ତ ସଦ୍‌ଗୁଣ ପ୍ରେମ-ଘନ ନାରୀ-ମନର ଏକ ସ୍ୱାଭାବିକ ଅବସ୍ଥା, ପ୍ରେମରୁ ସମ୍ଭୁତ ଚରମ ବିକାଶର ଅନୁସଙ୍ଗ ମାତ୍ର । ନାରୀ ଯେତେବେଳେ ପୁରୁଷକୁ ତା’ର ଆଶ୍ରୟଦାତା, ପ୍ରଭୁ ବା ସ୍ୱାମୀ ନୁହେଁ ବରଂ ସଖା ଭାବରେ ପାଏ, ସେତେବେଳେ ତାକୁ କେନ୍ଦ୍ରକରି ନାରୀର ସୁଖ, ଦୁଃଖ, ଦାୟିତ୍ୱ, କର୍ତ୍ତବ୍ୟ, ସବୁକିଛି ଏକ ସ୍ୱତଃସ୍ଫୁର୍ତ୍ତ ଆବେଗରେ ରସାଣିତ ହୁଏ, ମଧୁରତର ହୁଏ । ଆତ୍ମିକ ହେଉ ବା ଦୈହିକ, ପ୍ରତି ସ୍ଥଳରେ ନାରୀର ସ୍ୱେଚ୍ଛାକୃତ ସହଯୋଗ ପୁରୁଷ – ନାରୀର ସମ୍ପର୍କକୁ ପ୍ରତିନିୟତ ପ୍ରାଣବନ୍ତ, ରସମୟ କରେ । କେବଳ ପ୍ରେମରେ ହିଁ ନାରୀ ସମଅନୁଭବ ସହ ପ୍ରେମିକ ଓ ନିଜକୁ ଅଭିନ୍ନ ଭାବେ କଳ୍ପନା କରିବାର ଆନନ୍ଦ ଅନୁଭବ କରେ ଏବଂ ନିଜକୁ ଉକ୍ତ ଯୁଗଳ ମୂର୍ତ୍ତିଠାରୁ ପୃଥକ୍ କରି ଭାବିବା ଦିଗରେ ସେ ଆଦୌ ଆଗ୍ରହୀ ହୋଇ ନ ଥାଏ । ଭାରତୀୟ ସଂସ୍କୃତିରେ ଆଦର୍ଶ ପ୍ରେମିକ ପ୍ରେମିକାର ପ୍ରତୀକ ରାଧାକୃଷ୍ଣଙ୍କୁ ସେଥିପାଇଁ ପ୍ରଣବ ଓଁକାର ଭିତରେ ଏକକ ଭାବେ କଳ୍ପନା କରାଯାଏ । ନାରୀମନର ଏହି ସମ୍ୱେଦନଶୀଳ ପ୍ରବୃତ୍ତିକୁ ଯେତେବେଳେ ସାମାଜିକ ଆଇନ୍‌କାନୁନ୍ ଓ ବିଧିନିଷେଧର ଶୃ

ମର୍ଯ୍ୟାଦା ପୁରୁଷୋତ୍ତମ ବୋଲାଉଥିବା ଶ୍ରୀ ରାମଚନ୍ଦ୍ର ଯେତେବେଳେ ରାକ୍ଷସପୁରୀରୁ ଫେରୁଥିବା ସ୍ପନ୍ଦିତ-ହୃଦୟା, ଆବେଗ ଆକୁଳା ସୀତାଙ୍କୁ ଅଗ୍ନିପରୀକ୍ଷାର ଆଦେଶ ଦେଇଥିବେ, ସେତେବେଳେ ସୀତାଙ୍କ ଭିତରେ ଥିବା ପ୍ରେମିକା ନାରୀମନଟି ଯେ କିପରି ହାହାକାର ହୋଇଉଠିଥିବ, ତାହା କଳ୍ପନା କରି ହୁଏନା । ସୀତାଙ୍କ ଆଗରେ ପ୍ରିୟତମ ନୁହେଁ, ସେତେବେଳେ ସ୍ୱାମୀ ରାମଚନ୍ଦ୍ର ଠିଆ ହୋଇଥିବେ । ପିତୃକୈନ୍ଦ୍ରିକ ସମାଜ ବ୍ୟବସ୍ଥାର ତଥାକଥିତ ଧର୍ମ ଓ ଦୈହିକ ପବିତ୍ରତାର ନିକିତିରେ “ପ୍ରେମ’ର ସ୍ଥିତି ମୂଲ୍ୟହୀନ ହୋଇପଡିÏଥିବ । ଅଭିମାନିନୀ ପ୍ରେମିକା-ମନଟି ଆଉ ନିଆଁକୁ ଡ଼େଇଁ ପଡିÏବାକୁ କି ପାତାଳରେ ପଶିଯିବାକୁ କୁଣ୍ଠିତା ହେବ କି ? ସୀତାଙ୍କୁ ବାରମ୍ୱାର ଅଗ୍ନିପରୀକ୍ଷା ଦେବାକୁ କହି ରାମଚନ୍ଦ୍ର ନିଜର ପୁରୁଷୋତ୍ତମ – ପଣକୁ ନୁ୍ୟନ କରିଦେଇଛନ୍ତି କହିଲେ ଭୁଲ୍ ହେବ ନାହିଁ । ସତୀତ୍ୱ ନିମନ୍ତେ ଅଗ୍ନିପରୀକ୍ଷା ଦେବା ନାରୀମନର ପ୍ରେମ ପାଇଁ ଯେତେ ବେଶୀ ମହତ୍ତ୍ୱପୂର୍ଣ୍ଣ ନୁହେଁ, ପୁରୁଷଶାସିତ ସମାଜର ସଂକୀର୍ଣ୍ଣମନ୍ୟତା ପାଇଁ ସେତିକି ବେଶୀ ତୁଚ୍ଛତାର ଉଦାହରଣ ସୃଷ୍ଟି କରେ ।

ସତୀ ସୀତା ହୁଅନ୍ତୁ ବା ଦୋଚାରୁଣୀ ରାଧା-ଦୁଇ ନାରୀଙ୍କ ମନରେ ପ୍ରେମରେ ଆବେଗର କୌଣସି ଭିନ୍ନତା ନାହିଁ । ପ୍ରେମରେ ସ୍ୱକୀୟା ପରକୀୟାର ଭେଦ ପିତୃକୈନ୍ଦ୍ରିକ ସମାଜ କରେ, ପୁରୁଷର ଅହଙ୍କାର କରେ । ନାରୀ ମନର ପ୍ରେମ ତ’ ଅକୁଣ୍ଠ ଆତ୍ମସମର୍ପଣର ପରମ ପ୍ରବାହ । ଏହି ଦିବ୍ୟ ପ୍ରବାହର ଗତିରୋଧ କରିବା ପରେ ହିଁ ସକଳ ଅମାନବୀୟ ପୀଡ଼ନର ଭିତ୍ତି ଭୂମି ମଣିଷ ପାଇଁ ନିର୍ମିତ ହେବାକୁ ଆରମ୍ଭ କରେ ।

ନାରୀ-ମନର ପ୍ରେମ କଥା କହିବି ଅଥଚ ପ୍ରେମପାଗଳିନୀ ମୀରାଙ୍କ କଥା କହିବି ନାହିଁ –ଏହା ହୋଇ ନ ପାରେ । ନାରୀ-ମନର ଭଲ ପାଇବା କେତେ ସୂକ୍ଷ୍ମ ଓ ସୁକୁମାର ଭାବେ ମହାବିଦ୍ରୋହର ରୂପ ନେଇପାରେ, ମୀରା ତା’ର ଏକ ଅନନ୍ଦ୍ୟ ଉପହାର । ପ୍ରେମମୟୀ ରାଧାଙ୍କର ସ୍ଥିତି ତ’ କଳ୍ପନାର କଥା । କିନ୍ତୁ ମୀରା ରକ୍ତମାଂସ ଶରୀରଧାରିଣୀ ବାସ୍ତବ ନାରୀ । ରାଜନନ୍ଦିନୀ, ରାଜବଧୂ-କଠୋର ରାଜକୀୟ ଅନୁଶାସନବଦ୍ଧ/ଅସୂର୍ଯ୍ୟଂପଶ୍ୟା ଅନ୍ତଃପୁରଚାରିଣୀ । ସେତେବେଳକୁ “ମନୁ’ ତାଙ୍କ ଗ୍ରନ୍ଥରେ ସ୍ତ୍ରୀଲୋକଙ୍କ ପାଇଁ ନୀତିନିୟମକୁ ଲେଖିସାରିଲେଣି ଯେ -“”ଜଣେ ସ୍ତ୍ରୀ ତା’ର ସ୍ୱାମୀ ବ୍ୟତୀତ ଆଉ କାହା ପାଇଁ ପ୍ରତିଜ୍ଞା ବା ଉପବାସ କରିବା ଅନୁଚିତ । ଜଣେ ସ୍ତ୍ରୀ ତା’ର ସ୍ୱାମୀକୁ କେବଳ ମାନ୍ୟ କଲେ, ସେ ସ୍ୱର୍ଗଲାଭ କରିପାରିବ ।

ଏପରି ସମୟରେ ରାଜବଧୂ ମୀରା କହି ଉଠିଲେ,””ଯାକେ ଶିର ମୋର ମୁକୁଟ ମୋରି ପତି ସୋଇ – ମେରୋ ତୋ ଗିରିଧର ଗୋପାଲ ଦୁସରୋ ନା କୋଇ” – ସେ ଏହା ଖାଲି କହିଲେ ନାହିଁ, ଏହି ଗୀତ ଗାଇ ଗାଇ ପାଦରେ ଘୁଙ୍ଗୁର ବାନ୍ଧି ନାଚିଲେ । ନାଚି ନାଚି ସହରର ଗଳି କନ୍ଦିରେ ଘୁରି ବୁଲିଲେ । ପ୍ରକାଶ୍ୟରେ ସାଧୁମାନଙ୍କ ମେଳରେ ଶାସ୍ତ୍ର ଆଲୋଚନା କଲେ । ପୁଣି ଅନ୍ୟ କିଛି ଶାସ୍ତ୍ର ନୁହେଁ, ପ୍ରେମଶାସ୍ତ୍ର । ସ୍ତ୍ରୀଲୋକଙ୍କର ଚାଲିଚଳନ ସମ୍ପର୍କରେ ଯେତେ ସାମାଜିକ ନୀତିନିୟମ ସବୁ ସେ ପାଣିକୁ ପକେଇଦେଲେ । ତାଙ୍କୁ ଭ୍ରଷ୍ଟା, କୁଳଟା, ଉନ୍ମାଦିନୀ ବୋଲି ଯିଏ ଯେତେ କହିଲେ ମଧ୍ୟ ମୀରା ନିଜର ଅଫୁରନ୍ତ ସୃଜନଶୀଳ ଆବେଗକୁ ରୁଦ୍ଧ କରିପାରିଲେ ନାହିଁ । ପ୍ରେମର ମହାପ୍ରବାହରେ ଅବିରତ ବହିବାକୁ ଲାଗିଲେ । ନଦୀର ଗତି-ସଙ୍ଗୀତର ମୂଚ୍ର୍ଛନା ଜଳପ୍ରପାତର ବେଗକୁ ଯେପରି ଶବ୍ଦ କିମ୍ୱା ରୂପରେ ବ୍ୟକ୍ତ କରିହୁଏନା, ମୀରା ସେହିପରି ନାରୀ-ମନର ପ୍ରେମ-ପ୍ରବାହର ଅବ୍ୟକ୍ତ ଉତ୍ତରଣ ହୋଇ ଝଲ ମଲ କରି ଉଠିଲେ । ଶେଷକୁ ମୀରାଙ୍କ ପାଖରେ ସବୁ ଶାସ୍ତ୍ରନିୟମ ହାର ମାନିଲା । ତାଙ୍କୁ ନିଃଶେଷ କରିଦେବାର ସବୁ ଷଡ଼ଯନ୍ତ୍ରକୁ ସେ ପ୍ରେମର ବିଶ୍ୱାସରେ ଅତିକ୍ରମ କରିଗଲେ । ଯୁଗ ଯୁଗର ସାଧନା ଓ ତପସ୍ୟା ପରେ ମଧ୍ୟ ଯେଉଁ ଈଶ୍ୱରପ୍ରାପ୍ତି ପୁରୁଷ ପାଇଁ ଅପହଞ୍ଚ ହୋଇ ରହିଯାଏ । ମୀରା ଅବଲୀଳାରେ ତା’ପାଖରେ ପହଞ୍ଚିଯାଇ ପାରିଲେ ।

ଯୁଗ ଯୁଗ ଧରି ସମାଜର ତଥାକଥିତ ଜ୍ଞାନୀ-ଗୁଣୀ-ପଣ୍ଡିତଗଣ ନାରୀମନର ଏହି ସହଜ ସାବଲୀଳ ପ୍ରେମଧାରାକୁ ନାନା ବାଗରେ ନଷ୍ଟ, ଭ୍ରଷ୍ଟ ସମାଜ ଓ ଶାସ୍ତ୍ରବିରୋଧୀ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି । ପରମାର୍ଥ ପଥରେ କାମିନୀ ପରି କୁସùିତ, ଘୃଣ୍ୟ ଅନ୍ତରାୟ ପୁରୁଷ ଦ୍ୱିତୀୟ ଖୋଜି ପାଇପାରେନା । ହେଲେ ମୀରାଙ୍କ ପରି ନାରୀ ପ୍ରମାଣ କରିଦେଲେ ଯେ, ସମାଜ ଆଖିରେ କୁଳନାଶୀର ଆଖ୍ୟା ପାଇଥିବା ରମଣୀ ମଧ୍ୟ ପ୍ରେମ ବଳରେ ସହଜରେ ପରମାର୍ଥର ଅଧିକାରିଣୀ ହୋଇଥାଏ । ବାସ୍ତବରେ ପୁରୁଷ ନାରୀମନର ପ୍ରେମକୁ ଖୁବ୍ ଭୟ କରେ ।

ନାରୀମନର ଯେଉଁ ଶକ୍ତିଶାଳୀ ପ୍ରବୃତ୍ତି ଈଶ୍ୱରଙ୍କୁ ଉପାୟଶୂନ୍ୟ କରିଦିଏ, ସେହି ପ୍ରବୃତ୍ତି ତା’ର ଅହଙ୍କାରପ୍ରମତ୍ତ ପ୍ରଭୂତ୍ୱକୁ ତୁଚ୍ଛ କରିଦେଇପାରେ । ନାରୀ ପ୍ରେମର ସ୍ୱଚ୍ଛନ୍ଦ ଗତିଧାରାରେ ତା’ର ଅସ୍ତିତ୍ୱ କୁଟାଖିଏ ପରି ଭାସିଯାଇପାରେ । ତେଣୁ ପୁରୁଷର ଅହଙ୍କାରପ୍ରବଣ ମନ ପରମାର୍ଥ ଆଗରେ ନାରୀକୁ ଦୂରେଇ ରଖିବାକୁ ଚେଷ୍ଟା କରେ । ନାନା ଭାବରେ ନାରୀସଙ୍ଗକୁ ନରକଗତି ବୋଲି ବର୍ଣ୍ଣନା କରେ । ନାରୀର ପ୍ରେମ ସମ୍ୱଦ୍ଧରେ ବାରମ୍ୱାର ସତର୍କବାଣୀ ଶୁଣାଏ – ସାବଧାନ……

ଦିନ୍‌ମେଁ ମୋହିନୀ ରାତ୍‌ମେଁ ଡାକିନୀ ପଲକ୍ ପଲକ୍ ଲହୁଚୁଷେ ।

ଯେଉଁ ସମାଜ, ଯେଉଁ ଶାସ୍ତ୍ର “ପ୍ରେମ’ ଶବ୍ଦ ଉଚ୍ଚାରିତ ହେଲା ମାତ୍ରେ ପତନ, ପାପ ବୋଲି ବୁଝେ, ଆତଙ୍କରେ ନାରୀ-ପ୍ରେମଠାରୁ ଦୂରେଇ ରହେ, ସେଠାରେ ଜଣେ ନାରୀ ସ୍ୱାମୀ ଭିନ୍ନ ଅନ୍ୟ କାହାପାଇଁ (ଈଶ୍ୱର ହୁଅନ୍ତୁ ପଛେ) ପ୍ରେମର ସଙ୍ଗୀତ ଗାଇ ପଥପ୍ରାନ୍ତେ ନାଚି ବୁଲିବା, ନିଜକୁ ପ୍ରୀତିପାଗଳିନୀ କହି ଆତ୍ମବିଭୋର ହୋଇଯିବା ଏକ ମହାବିଦ୍ରୋହ ନୁହେଁ ତ’ ଆଉ କ’ଣ ? ଦକ୍ଷିଣ ଭାରତର କେତେକ ଅଞ୍ଚଳରେ ଘରେ କୃଷ୍ଣମୂର୍ତ୍ତି ରଖିଲେ ମୂର୍ତ୍ତିଙ୍କ ହାତରୁ ବଂଶୀ କାଢିÏ ନିଅନ୍ତି । କାରଣ ସେଠାରେ ବିଶ୍ୱାସ ପ୍ରଚଳିତ ଅଛି ଯେ, କୃଷ୍ଣଙ୍କ ହାତରେ ବଂଶୀ ରହିଲେ ଘରର ଝିଅମାନେ ପ୍ରେମ କରିବେ ଓ ଚରିତ୍ରହୀନା ହୋଇଯିବେ । ଏଣେ ଈଶ୍ୱର ଈଶ୍ୱରୀ କହି ପୂଜା କରୁଥିବେ, ତେଣେ ଈଶ୍ୱରଙ୍କୁ ଲମ୍ପଟ, ଈଶ୍ୱରୀଙ୍କୁ ଦୋଚାରୁଣୀ କହୁଥିବେ । ସମାଜରେ ନାରୀକୁ ନେଇ ଏପରି ବିଚିତ୍ର, ଦୁର୍ବଳ ବିରୋଧାଭାସ ଲକ୍ଷ୍ୟ କଲେ, ବାସ୍ତବରେ ବିସ୍ମିତ ହେବାକୁ ହୁଏ ।

ନାରୀ ମନର ଦୁର୍ଦ୍ଦମନୀୟ ପ୍ରେମକୁ ଅସ୍ୱୀକାର କରିବାର ଶକ୍ତି ନାହିଁ, ତେଣେ ତାକୁ ଧାରଣ ଓ ଗ୍ରହଣ କରିବାର ସାହସ ବା ପୌରୁଷ ମଧ୍ୟ ହୀନପ୍ରଭ । ସମାଜର ଏହି କ୍ଳୀବତ୍ୱକୁ ନାରୀ-ମନ ଯେତେବେଳେ ବୁଝିପାରେ, ସେତେବେଳେ ସେ ଆଉ ପ୍ରେମକୁ ନୂ୍ୟନ ଦୃଷ୍ଟିରେ ଦେଖିପାରେ ନାହିଁ । ନାରୀମନରେ ଅଭାବର ଦୁଃଖ, ପୀଡ଼ାର ଭାରକୁ ସମାଜ ଅତ୍ୟନ୍ତ ଖୁସିରେ ସ୍ୱୀକୃତି ଦିଏ । ନାରୀ ସର୍ବଂସହା, ମହାନ୍ ବୋଲି ତା’ର ଭୁରି ଭୁରି ଗୁଣଗାନ କରେ । କିନ୍ତୁ ସେହି ନାରୀମନ ଯେତେବେଳେ ପ୍ରେମର, ଭାବର, ଆନନ୍ଦର, ପରିପୂର୍ଣ୍ଣତାର ଭାରରେ ପରିପକ୍ୱ ହୋଇଯାଏ, ସେତେବେଳେ ସମାଜ ତାକୁ ସହ୍ୟ କରିପାରେନା । ଏହି ଭାର ପାଖରେ ଯେ ଅହଙ୍କାର ଧୂଳିସାତ୍ ହୋଇଯାଏ । ଏହି ସୂକ୍ଷ୍ମ ସୁକୁମାର ଭାରକୁ କାନ୍ଧେଇବା ପାଇଁ ସେ “”ଦେହି ପଦପଲ୍ଲବ ମୁଦାରଂ” ବୋଲି ଅନୁନୟ କରିବାକୁ ହୁଏ । ସଭ୍ୟତାର ଆଦିକାଳରୁ ନିଜକୁ ନାରୀର ପ୍ରଭୁ ମନେକରି ଶାସ୍ତ୍ର ରଚନା କରୁଥିବା ପୁରୁଷପ୍ରଧାନ ସମାଜ ତେଣୁ ନାରୀ ମନର ପ୍ରେମଭାବନାକୁ ସହଜରେ ସମ୍ମାନ ବା ଆଦର କରେନାହିଁ ।

ନାରୀ-ମନରେ ପ୍ରେମକୁ ନେଇ ମୋର ଏହି ବିଚାର ନିତାନ୍ତ ଏକପାଖିଆ ବୋଲି କେହି କେହି ନିଶ୍ଚୟ ଭାବୁଥିବେ । ପୁରୁଷ ମନରେ କ’ଣ ପ୍ରେମ ନାହିଁ ? ଆବେଗ ନାହିଁ ? ଭାବପ୍ରବଣତା ନାହିଁ ? ହଁ ପୁରୁଷର ମନ ମଧ୍ୟ ପ୍ରେମରେ ଆକୁଳ ହୁଏ । କିନ୍ତୁ ଅଧିକାଂଶ ସ୍ଥଳେ ତା’ର ପ୍ରେମର ବ୍ୟାକୁଳତା ନାରୀର ଦୈହିକ ସ୍ଥିତି ପାଖରେ ହିଁ ଅଟକିଯାଏ । ଶରୀରକୁ ଅତିକ୍ରମ କରି ଆତ୍ମିକ ଉଚ୍ଚତାରେ ପହଞ୍ଚିବାଯାଏଁ ସେ ନାରୀ-ମନର ସମକକ୍ଷ ଶକ୍ତିର ଅଧିକାରୀ ହୋଇପାରେ ନାହିଁ । ନାରୀର ପ୍ରେମ ଆରମ୍ଭରୁ ହିଁ ଆତ୍ମିକ ଅନ୍ୱେଷଣର ସୋପାନରେ ପାଦଦେଇ ଶରୀରକୁ କେବଳ ମାଧ୍ୟମ ମଣିଥାଏ ।

ପୁରୁଷର ମନ ଖାସ୍ ସେଇଥି ପାଇଁ ଆପଣା ଅସ୍ତିତ୍ୱ ସମ୍ପର୍କରେ ଆଶଙ୍କିତ, ସନ୍ଦିହାନ ହୋଇପଡ଼େ କି ? ପ୍ରେମର ପ୍ରତିଯୋଗିତାରେ ପରାଜିତ ହେବାର ଭୟ ଯୋଗୁଁ ସେ ଆଧ୍ୟାତ୍ମ ମାର୍ଗର ଅନ୍ତରାୟ ଭାବୁଥାଏ କି ?

ଏ ସବୁ ପ୍ରଶ୍ନର ସୂକ୍ଷ୍ମାତିସୂକ୍ଷ୍ମ ବିଶ୍ଳେଷଣ ତଥାପି ବାକି ରହିଛି । କେବେ କେବେ କୌଣସି କବି କିମ୍ୱା ସାହିତ୍ୟସ୍ରଷ୍ଟା ଏ ପ୍ରଶ୍ନ ଉଠେଇଛନ୍ତି ସେମାନଙ୍କର କଳାସୃଷ୍ଟିରେ । ସୁରେନ୍ଦ୍ରଙ୍କର “ମହାନିର୍ବାଣ’, ଭଗବତୀ ଚରଣ ବର୍ମାଙ୍କର “ଚିତ୍ରଲେଖା’ ଆଦି ସାହିତ୍ୟ ରଚନାରେ ଏ ପ୍ରଶ୍ନର କିଞ୍ଚିତ୍ ଅନୁଶୀଳନ କରାଯାଇଛି । କିନ୍ତୁ ଆଜିଯାଏଁ ଜଳ-ପବନ-ମାଟି ଯାହା ପାଇଁ ବାସନ୍ଦ ହୋଇରହିଛି, ସେହି ନାରୀମନର ପ୍ରେମ ପ୍ରବଣତା ମୂଲ୍ୟାୟନ କରିବା ପାଇଁ ସହସ୍ର ସହସ୍ର ପ୍ରଶ୍ନର ଅବତାରଣା କରିବା ଯେ କ୍ରମଶଃ ଅପରିହାର୍ଯ୍ୟ ହୋଇପଡୁଛି ।

ଲୋକପ୍ରିୟ ଲେଖା

To Top