ମର୍ମକଥା

ଦେହ ଓ ମନର ସତୀତ୍ୱ

Odia Writer Aparna Mohanty

ନାରୀ ଦେହକୁ ଯାବତୀୟ ବିଳାସବ୍ୟସନର ସାମଗ୍ରୀ ରୂପେ ବ୍ୟବହାର କରୁଥିବା ଉପଭୋକ୍ତା ସମାଜ ଏବେ ବି ନାରୀର ଶାରୀରିକ ସତୀତ୍ୱକୁ ଖୁବ୍ ପ୍ରଶଂସା କରେ

ଦେହ ଓ ମନର ସତୀତ୍ୱ

ବିଖ୍ୟାତ ଔପନ୍ୟାସିକ ଶରତ ଚନ୍ଦ୍ର ତାଙ୍କର “ନାରୀର ମୂଲ୍ୟ” ଶୀର୍ଷକ ଗ୍ରନ୍ଥରେ କହିଛନ୍ତି-

ସତୀତ୍ୱରୁ ବଳି ଗୁଣ ନାରୀର ଅନ୍ୟ କିଛି ନାହିଁ । କାରଣ ନା ଏଇଟି ପୁରୁଷ ନିକଟରେ ସବୁଠାରୁ ଉପାଦେୟ ସାମଗ୍ରୀ ଏବଂ ସ୍ୱାମୀର ଅବାଧ୍ୟ ହେବା – ସେ ଅତି ପାଷାଣ୍ଡ ହେଲେ ବି ତାଙ୍କୁ ମନେ ମନେ ତୁଚ୍ଛ ତାଚ୍ଛଲ୍ୟ କରିବା ଭଳି ଦୋଷ ଆଉ ନାହିଁ । ଏହି ସତୀତ୍ୱ ଯେ ନାରୀର କେତେ ବଡ଼ ଧର୍ମ ହେବା ଉଚିତ୍, ରାମାୟଣ, ମହାଭାରତ ଓ ପୁରାଣାଦିରେ ପୁନଃ ପୁନଃ ସେ କଥା ଆଲୋଚିତ ହୋଇଯାଇଛି । ଏଠି ସ୍ୱୟଂ ଭଗବାନଙ୍କ ପର୍ଯ୍ୟନ୍ତ କେତେଥର ସତୀତ୍ୱର ପରାକ୍ରମରେ ଅସ୍ଥିର ହୋଇଯାଇଛନ୍ତି । କିନ୍ତୁ ସମସ୍ତ ତର୍କ ହିଁ ଏକ ତରଫା – କେବଳ ନାରୀମାନଙ୍କ ପାଇଁ । ପୁରୁଷ ମାନଙ୍କର ଏ କ୍ଷେତ୍ରରେ ଯେ ବିଶେଷ କିଛି ବାଧ୍ୟ ବାଧକତା ଥିଲା, ତାହା କେଉଁଠି ଖୋଜିଲେ ମିଳେନା । ଏବଂ ଏତେ ବଡ଼ ଏକ ପ୍ରାଚୀନ ଦେଶରେ ପୁରୁଷ ସମ୍ପର୍କରେ ଏ ନେଇ ଗୋଟିଏ ଶବ୍ଦ ପର୍ଯ୍ୟନ୍ତ ଯେ ନାହିଁ,ଏକଥା ଖୋଲି କହିଲେ ହାତାହାତି ବାଧିବ, ନହେଲେ କହିଥାନ୍ତି । ଶାସ୍ତ୍ରକାରମାନେ ବଣଜଙ୍ଗଲରେ ବାସ କରୁଥିଲେ ଠିକ୍ କିନ୍ତୁ ସେମାନେ ସମାଜକୁ ଚିହ୍ନିଥିଲେ । ସୁତରାଂ ଗୋଟିଏ ଶବ୍ଦ ରଚନା କରି ତାଙ୍କର ଜାତିଭାଇଙ୍କୁ ଅର୍ଥାତ୍ ପୁରୁଷକୁ ମୁସ୍କିଲ୍‌ରେ ପକେଇନାହାନ୍ତି । ନାରୀ ସମ୍ପର୍କରେ ସେମାନଙ୍କ ପ୍ରବୃତ୍ତି ଯେତେପ୍ରକାର ହାତଗୋଡ଼ ମେଲି କୁଦାକୁଦି କରିପାରେ, ତା’ର ବ୍ୟବସ୍ଥା କରିଦେଇ ଯାଇଛନ୍ତି । ପୈଶାଚ ବିବାହଟା ବି ବିବାହ ! ଏଭଳି ସହାନୁଭୂତି ! ଏତେ ଦୟା ! ଆଉ ଏତେ ଦୟା ନ ଥିଲେ ପୁରୁଷ କ’ଣ ଶାସ୍ତ୍ରକାରଙ୍କୁ ମାନନ୍ତା ! କେବେ କୋଉ ଯୁଗରୁ ସେଇ ସବୁ ପୋଥିପତ୍ର ଜରିଆରେ ଭସେଇ ଦେଇ ମନ ମୁତାବକ ଶାସ୍ତ୍ର ତିଆରି କରି ରଖିଥା’ନ୍ତା । ନାରୀ ପାଇଁ ସତୀତ୍ୱ ….ପୁରୁଷ ପାଇଁ ନୁହେଁ ।

ଏହି ଦୀର୍ଘ ଉଦ୍ଧୃତି ଦେବାର ତାତ୍ପର୍ଯ୍ୟ ହେଉଛି, ଶହେରୁ ଅଧିକ ବର୍ଷ ତଳର ଏହି ସମ୍ୱେଦନଶୀଳ ମତାମତଟିର ଗୁରୁତ୍ୱ ଆଜି ମଧ୍ୟ ହ୍ରାସ ପାଇନାହିଁ । ଏକବିଂଶ ଶତାବ୍ଦୀର ନାରୀ-ଜାଗରଣ ଯୁଗରେ ମଧ୍ୟ ସତୀତ୍ୱର ତଥା କଥିତ ମହତ୍ତ୍ୱ ସମାଜରେ ଊଣା ହୋଇନାହିଁ । ନାରୀ ଦେହକୁ ଯାବତୀୟ ବିଳାସବ୍ୟସନର ସାମଗ୍ରୀ ରୂପେ ବ୍ୟବହାର କରୁଥିବା ଉପଭୋକ୍ତା ସମାଜ ଏବେ ବି ନାରୀର ଶାରୀରିକ ସତୀତ୍ୱକୁ ଖୁବ୍ ପ୍ରଶଂସା କରେ । ଏହି ଆତ୍ମଘାତୀ ପ୍ରଶଂସାର ଶିକାର ହୋଇ ଆଜି ମଧ୍ୟ ରାଜସ୍ଥାନ, ହରିୟାନା, ଉତ୍ତରପ୍ରଦେଶ ପରି ରାଜ୍ୟରେ ସ୍ୱାମୀର ଚିତାରେ ପୋଡ଼ି ହୋଇ ମରୁଥିବା ସ୍ତ୍ରୀଲୋକଙ୍କୁ ଲୋକେ “ଦେବୀମାତା” କହି ଜୟ ଜୟକାର କରନ୍ତି । ଅଭିନେତ୍ରୀ ଖୁସ୍‌ବୁଙ୍କର ବିବାହ ପୂର୍ବରୁ ବା ବିବାହ ବ୍ୟତିରେକ ଯୌନ ସମ୍ପର୍କ ସମ୍ୱନ୍ଧରେ ମୁକ୍ତ ମତାମତ ବିରୋଧରେ ଦେଶସାରା ହୁଲ୍‌ସ୍ତୁଲ୍ ହୋଇଉଠେ । ସଭ୍ୟତାର ଆରମ୍ଭରୁ ନାରୀର ଶାରୀରିକ ସତୀତ୍ୱକୁ ନିଜ ପାଇଁ ଓ ନିଜର ସମାଜ ପାଇଁ ସବୁଠୁଁ ସୁଲଭ/ସୁସ୍ୱାଦୁ ଭାବି ଆସିଥିବା ପ୍ରଭୁ-ପୁରୁଷକୁ ଖୁସି କରିବାକୁ ନାରୀ ତେବେ କରେ କ’ଣ ? କାୟ-ମନୋ-ବାକ୍ୟରେ ସ୍ୱାମୀ ପଦଧାରୀ ପୁରୁଷ ପାଇଁ “ସତୀ” ହୋଇ ରହିବା ପାଇଁ ତା’ର ସାମାଜିକ ଦାୟିତ୍ୱ ହୋଇଥିବାରୁ ନାରୀ ମନ ଏ ତିନୋଟିର ସତୀତ୍ୱ ରକ୍ଷା କ୍ଷେତ୍ରରେ ସବୁବେଳେ ଦ୍ୱନ୍ଦ୍ୱରେ ପଡେ଼ । ପ୍ରଥମଟି ହେଲା – କାୟା । ନାରୀର ଏହି କାୟାଟି ସବୁରି ଆଖିରେ ପଡେ଼ । ସ୍ଥୂଳ ଶରୀରର ସତୀତ୍ୱ ରକ୍ଷା ଓ ପରୀକ୍ଷା କରିବାକୁ ନାରୀକୁ ଯେ କି କି ଅକଥନୀୟ ପୀଡ଼ା ଭିତର ଦେଇ ଗତି କରିବାକୁ ହୁଏ, ତାହା ନ କହିଲେ ଭଲ । ଆଜି ମଧ୍ୟ ପୃଥିବୀର ବହୁ ସ୍ଥାନରେ ବିବାହର ପ୍ରଥମ ରାତ୍ରୀରେ ସତୀଚ୍ଛଦ-ଚ୍ଛିନ୍ନ-ଜନିତ ରକ୍ତପାତକୁ ଆଖିରେ ନ ଦେଖିଲେ ପୁରୁଷ ନାରୀକୁ ସନ୍ଦେହ ଚକ୍ଷୁରେ ଦେଖିଥାଏ । ତେବେ ନାରୀ ମନ ଯଦି ଶରୀର ସ୍ଥିତିର ସ୍ଥୂଳତାକୁ ଆଦରି ନେଲା ଓ ସାଂସାରିକ ଧନସମ୍ପତ୍ତି – ବିଷୟ ବାସନା ଏବଂ ପିତୃକୈନ୍ଦ୍ରିକ ସମାଜ ବ୍ୟବସ୍ଥାର ଅନୁକୂଳରେ ମନକୁ ସ୍ଥୂଳ କରି ଶରୀର ସହିତ ଚଳେଇନେଲା, ତେବେ ଦୈହିକ ସତୀତ୍ୱ ରକ୍ଷା କରିବାରେ କିଛି ବିଶେଷ ଅସୁବିଧା ନାହିଁ । ଆଜି ମଧ୍ୟ ଭାରତବର୍ଷର ଅଧିକାଂଶ ସ୍ତ୍ରୀଲୋକ ଘରସଂସାର କରି ଏହିପରି ଖୁସିବାସିରେ ଅଛନ୍ତି । ମନର ସୁଖ -ଦୁଃଖ ପ୍ରତି ଉଦାସୀନ ରହି ପୁରୁଷର ଉତ୍ତରାଧିକାରୀ ସୃଷ୍ଟି କରିବାରେ ଏମାନଙ୍କର ନାରୀତ୍ୱ ସୀମିତ ରହିଛି ।

କିନ୍ତୁ ତା ପରଟି ହେଉଛି ମନ । ଏଇ ମନଟି ସବୁ ନାଟର ଗୋବର୍ଦ୍ଧନ । ମନ ଯଦି ପ୍ରଚଳିତ ସମାଜର ବ୍ୟବସ୍ଥାରେ ନ ମାନିଲା, ତା’ହେଲେ କଥା ସରିଲା । ମନକୁ ଗୋଟାଏ ବ୍ୟବସ୍ଥାରେ ଅକ୍ତିଆରରେ ରଖିବା ପ୍ରାୟ ଅସାଧ୍ୟ ବ୍ୟାପାର । ସ୍ୱାମୀ ବୋଲି ସମାଜ ହାତ ଧରେଇ ଦେଇଥିବା ପୁରୁଷକୁ ମନ ନ ମାନିଲେ ନାରୀ-ମନ ତା’ର ନିଜ ଦେହକୁ ପରିତ୍ୟାଗ କରେ । ସ୍ଥୂଳ ଦେହଟିକୁ ସ୍ୱାମୀର ଉପଭୋଗ ପାଇଁ ସମର୍ପି ଦେଲେ ମଧ୍ୟ ସୂକ୍ଷ୍ମ ମନଟି ଅନ୍ୟ କେଉଁ ରାଜ୍ୟରେ ବିଚରଣ କରେ । ଏଇଠି ସବୁ ଗଣ୍ଡଗୋଳର ସୂତ୍ରପାତ ହୁଏ । ନାରୀ ଯେତେବେଳେ ନିଜ ମନ ପ୍ରତି ସଚେତନ ହୁଏ । ସେତେବେଳେ ସେ ଆଉ ଦାସୀପଣରେ ପୁରୁଷର ସେବା କରିପାରେନା । ତା’ର ମନଟି ପୁରୁଷର ଅଧିକାର ବଦଳରେ ପ୍ରେମ ଖୋଜେ । ସେ ନାରୀରୁ ପ୍ରେମିକା ପାଲଟିଯାଏ । ଆମ ସମାଜରେ ତେଣୁ ନାରୀର ପତ୍ନୀ ଓ ପ୍ରେମିକା ରୂପ ସବୁବେଳେ ଅଲଗା । ଏପରିକି ପ୍ରେମିକା ପତ୍ନୀ ହେଲା ପରେ ଅନେକ କ୍ଷେତ୍ରରେ ପ୍ରେମିକରୁ ସ୍ୱାମୀ ପାଲଟିଥିବା ପୁରୁଷଟି ନାରୀର ପ୍ରେମିକା ମନର ରକ୍ଷଣାବେକ୍ଷଣା କରିପାରେନା । ତେଣୁ ନାରୀ ଯେତେବେଳେ ନିଜ ମନକୁ ଚହ୍ନିବା ଆରମ୍ଭ କରେ, ସେତେବେଳେ ମନରେ “ସତୀ” ହୋଇ ରହିବା ତା’ ପାଇଁ କାଠିକର ପାଟ ହୋଇପଡେ଼ । ବୈଜ୍ଞାନିକ ସମାଜବାଦର ପ୍ରବକ୍ତା କାର୍ଲମାକ୍ସ ତେଣୁ କହିଛନ୍ତି, ପିତୃକୈନ୍ଦ୍ରିକ ବୁର୍ଜୋୟା ସମାଜର ବିବାହ ବ୍ୟବସ୍ଥାରେ ପ୍ରକୃତରେ ଶଯ୍ୟାରେ ସ୍ୱାମୀ-ସ୍ତ୍ରୀ ଦୁଇଜଣଙ୍କର ସ୍ଥାନରେ ଚାରିଜଣ ହିଁ ଥାଆନ୍ତି । ଦୁଇଟି ନାରୀ ପୁରୁଷର ଶରୀର ଏବଂ ଆଉ ଦୁଇଟି ଉକ୍ତ ଶରୀରର ମାନସସଙ୍ଗୀ ବା ମାନସସଙ୍ଗିନୀ । ତେଣୁ ମନର ସତୀତ୍ୱ ଉପରେ ସମାଜ ପ୍ରାୟ ଗୁରୁତ୍ୱ ଦିଏ ନାହିଁ, କହିଲେ ଚଳେ । ନ ହେଲେ ମନରେ ସତୀତ୍ୱ ହରାଇ ନଥିଲେ ମଧ୍ୟ ଇନ୍ଦ୍ର ଓ ନାରାୟଣଙ୍କ ଛଳନାର ଶିକାର ହୋଇ ଅହଲ୍ୟା ଏବଂ ଜଳନ୍ଧର ପତ୍ନୀ ବୃନ୍ଦାବତୀଙ୍କ ଶରୀରର ସତୀତ୍ୱ ଲୁଣ୍ଠିତ ହେବାରୁ ସେମାନେ ଏତେ ଦଣ୍ଡ ପାଇ ନଥା’ନ୍ତେ । ଅନ୍ୟ କଥାରେ କହିଲେ କାୟାର ସତୀତ୍ୱକୁ ଜଗୁ ଜଗୁ ସମାଜ ନାରୀର ମନ କଥାକୁ ପୂରା ଏଡେ଼ଇ ଯାଇଥାଏ, ନହେଲେ ନାରୀର ମନଟି ମଧ୍ୟ କାୟା ଅନୁରୂପ ସ୍ଥୂଳତା ଓ ସୀମାବଦ୍ଧତାର ବେଷ୍ଟନୀ ଭିତରେ ପଡ଼ି କେବଳ ପୁରୁଷର ସ୍ୱାର୍ଥ-ଅନୁକୂଳରେ ହିଁ ପରିଚାଳିତ ହେଇଥାଏ । ତେଣୁ ମନର ନିର୍ମଳ ସତୀତ୍ୱ ଲୋଡ଼ିବା ଓ ତା’ ଉପରେ ଆସ୍ଥା ରଖିବା ସାମାଜିକ ଦୃଷ୍ଟିରୁ ଯେ କି ଆତ୍ମପ୍ରତାରଣାର କଥା, ତାହା ନ କହିଲେ ଭଲ ।

ବାକି ରହିଲା ବାକ୍ୟ । ଏଇଠି ସବୁଠୁଁ ଗହନ କଥା । କଥାରେ କହନ୍ତି-“ନ ଦେବ ଧନ, କହିବ ଦିବ୍ୟବଚନ ।” ତେଣୁ ଆଦୌ ସତ କଥା ନ କହି “ସତୀତ୍ୱ” କଥା କହିବାରେ ଯିଏ ଯେତେ ବାକ୍‌ଚାତୁରୀ ଦେଖାଇ ପାରଲା, ତା’ର ସେତେ ମଙ୍ଗଳ । “ସତୀତ୍ୱ” ସମ୍ପର୍କରେ ଅଧିକାଂଶ ନାରୀଙ୍କର ବାକ୍ୟ ନିଜର ମନର ଭାବ ପ୍ରକାଶ କରିବା ବଦଳରେ ମନର ଭାବକୁ ଆଚ୍ଛାଦିତ କରିବାରେ ଯେ ବ୍ୟବହୃତ ହୁଏ, ଏହା କହିବା ଆଦୌ ଅପ୍ରାସଙ୍ଗିକ ହେବନାହିଁ । ଝିଅଟିକୁ ପିଲାଦିନୁ ତେଣୁ ସବୁକଥାରେ ଚୁପ୍ ରହିବାକୁ, ଭାବି ବିଚାରି କଥା କହିବାକୁ ଓ ସବୁବେଳେ ସ୍ୱାମୀର ପ୍ରଶଂସା କରିବାକୁ ଗୁରୁଜନମାନେ ଉପଦେଶ ଦେଇଥା’ନ୍ତି । ସେଇଥିପାଇଁ ତ ବିଚାରୀ ଅଭିନେତ୍ରୀ ଖୁସ୍‌ବୁ ଏତେ ସମାଲୋଚନାର ଶରବ୍ୟ ହେଲେ ଏବଂ ନାରୀର ଯୌନସ୍ୱାଧୀନତା ଉପରେ ମୁକ୍ତ ମତ ପାଇଁ ତାଙ୍କୁ ଶେଷକୁ ସର୍ବସାଧାରଣରେ କ୍ଷମାପ୍ରାର୍ଥନା କରିବାକୁ ହେଲା । ଦେହ ମନରେ ଯେତେ ଯାହା ଲୁଚାଚୋରା ଥାଉ, ସେଥିରେ ପୁରୁଷ ଶାସିତ ସମାଜର କିଛି ଆପତ୍ତି ନାହିଁ । ନାରୀଟିଏ ଲୁଚାଚୋରାରେ ଦେହ-ମନର ଖେଳ ଖେଳିଲେ ପୁରୁଷଙ୍କର ଭାରି ଆନନ୍ଦ । ଚୋରାଚାହାଁଣୀ, ଚୋରାପୀରତିର ଦାୟିତ୍ୱଶୂନ୍ୟ ମଉଜ କେଉଁ ପୁରୁଷ ନ ଚାହେଁ ? କଳାସାହିତ୍ୟରେ ପୁରୁଷମାନେ ଦୋଚାରୁଣୀ-ଅସତୀର ଯେତେ ବନ୍ଦନା କରିଛନ୍ତି, ଭଗବାନଙ୍କର ବନ୍ଦନା ମଧ୍ୟ ସେତିକିଥର କରିନଥିବେ । ମଜାକୁ ମଜା ନେଇହେବ, ଧରା ପଡ଼ିଲେ ନାରୀଟିକୁ ପତିତା, ଚରିତ୍ରହୀନା, ବେଶ୍ୟା କହି ସଜା ବି ଦେଇହେବ । ଉଭୟ କ୍ଷେତ୍ରରେ ପୁରୁଷର ବିଳାସ ଓ ପ୍ରଭୁତ୍ୱ ଅକ୍ଷୁର୍ଣ୍ଣ ରହିଲା ନା ! କିନ୍ତୁ ନାରୀ ଯଦି ନିଜର କାୟ-ମନର ସତ୍ୟକୁ ବାକ୍ୟରେ ପ୍ରକାଶ କରିଦିଏ ? ନିଜକୁ ସାବ୍ୟସ୍ତ କରେ । ତା’ ହେଲେ ତ କଥା ଶେଷ । ପୁରୁଷର ସୁବିଧାବାଦ ଯେ ଧରାପଡ଼ିଯିବ । ତେଣୁ ନାରୀର ମୁକ୍ତ ମତପ୍ରକାଶକୁ ସମାଜ ସହ୍ୟ କରେନା । “ସତୀତ୍ୱ” ଉପରେ ବାକ୍ୟର ଆବରଣ ଟିକକ ଅନ୍ତତଃ ରଖିବାକୁ ଆଜିର ଉପଭୋକ୍ତା ସମାଜ ତେଣୁ ଏତେ ବ୍ୟାକୁଳ ହୋଇଉଠୁଛି ।

ତେଣୁ ପ୍ରତ୍ୟେକ ଆତ୍ମସଚେତନ ନାରୀ-ମନ ଜାଣିବା ଉଚିତ୍ ଯେ, “ସତୀତ୍ୱ” ସମ୍ପୂର୍ଣ୍ଣ ଭାବେ ଏକ ଏକଦେଶଦର୍ଶୀ ଶବ୍ଦ । ସାମାଜିକ ଓ ବ୍ୟକ୍ତିଗତ, ଉଭୟ ଦିଗରୁ ନିଜର ସାମଗ୍ରିକ ଅସ୍ତିତ୍ୱର ସତ୍ୟକୁ କାୟ-ମନୋ-ବାକ୍ୟରେ ପ୍ରକାଶ କରିବାର ଅଧିକାର ପ୍ରତ୍ୟେକ ନାରୀର ରହିବା କଥା । “ସତୀତ୍ୱ” ଶବ୍ଦଟିର ପୁନଃମୂଲ୍ୟାୟନ ଆଜି ତେଣୁ ଜରୁରୀ ହୋଇପଡ଼ିଛି । ନିଜେ ଅନୁଭବ କରୁଥିବା ସତ୍ୟକୁ ସାହସର ସହିତ ସ୍ୱୀକାର ଓ ପ୍ରକାଶ କରିପାରୁଥିବା ନାରୀ ପାଇଁ ଏ ସଂଜ୍ଞା ଲାଗୁ ହେବା ଉଚିତ୍, ସମାଜ ଓ ପୁରୁଷର ଦାୟରେ ସତ୍ୟକୁ ଢାଙ୍କିବାକୁ ବା ଫାଙ୍କିବାକୁ ଚେଷ୍ଟା କରୁଥିବା ନାରୀ ପାଇଁ ନୁହେଁ ।

ଲୋକପ୍ରିୟ ଲେଖା

To Top