କହିବା ବାହୁଲ୍ୟ ଯେ ବ୍ୟକ୍ତିମାନଙ୍କୁ ନେଇ ଗୋଷ୍ଠୀ, ଗୋଷ୍ଠୀକୁ ନେଇ ସମାଜ ଓ ସମାଜକୁ ନେଇ ଦେଶର ରୂପରେଖ । ସେଥିପାଇଁ ଦେଶ ଭିତରର ସମସ୍ୟା ଅସରନ୍ତି । ବହୁ ବର୍ଣ୍ଣ ଧର୍ମ ଓ ଜନସଂଖ୍ୟା ଦୃଷ୍ଟିରୁ ସମସ୍ୟାବହୁଳ ରାଷ୍ଟ୍ର ଭାବେ ଆମ ଦେଶର ପରିଚିତି । ଅସଂଖ୍ୟ ମନୋରମ ଯୋଜନା, ହିତାଧିକାରୀମାନଙ୍କ ଭିତରେ ବାସ୍ତବ ସମସ୍ୟାଗୁଡିକ କିନ୍ତୁ ଅପରିବର୍ତ୍ତିତ । ଯେତେ ଭାଇ ସେତେ ଭାଗ ପରି ଏଠି ଯେତେ ଦଳ ସେତେ ଯୋଜନା । ପୁଣି ସେତେ ଅଧିକ ଋଣଭାର ସହିତ ଛଡାଛଡି କଳିଗୋଳ, ହିଂସା ପ୍ରତିହିଂସା ଯାହା ଏବେ ରୋଗ ପରି ସମସ୍ତଙ୍କୁ ବ୍ୟାପିବାରେ ଲାଗିଛି । ପିଠାକଳି ପରି ସମସ୍ୟା ତୁଟୁନି କିନ୍ତୁ କାହାର ନା କାହାର ଲାଭ ହେଉଛି । ସେହି ଲାଭ ଲୋଭରେ ଦଳେ ମିଶି ଦଳ, ସଂଗଠନ କିମ୍ବା ଅନୁଷ୍ଠାନ ଗଢନ୍ତି । ଯେଉଁଥିରେ ସେମାନଙ୍କ ଲାଭ ଶହେରୁ ଶହେ । ଅର୍ଥ, ସମ୍ମାନ, ପ୍ରତିପତ୍ତି ନିମନ୍ତେ ଅନୁଷ୍ଠାନର ପ୍ରତ୍ୟେକ ବ୍ୟକ୍ତି ଗୋଟେ ଲେଖାଁ ନୈଷ୍ଠିକ ଚାଟୁକାର । କ୍ଷମତାର ଗୋଟେ ଲେଖାଁ ଆସନରେ ଚକା ପକେଇ ଅହଙ୍କାର ମିଶା ମୁଚୁକୁନ୍ଦ ହସରେ ନିଜ ପ୍ରଭୂତ୍ୱ ଦର୍ଶାଉଥାନ୍ତି । ପଛରେ ରହି “ଜୟ ହୋ” କହୁଥିବା ଚାଟୁକାରମାନେ ଅନେଇ ବସିଥାନ୍ତି କେତେବେଳେ କଣଟେ ମୁଣ୍ଡ ଉପରେ ଛିଣ୍ଡିବ, ସେ ଛୋଟ କ୍ଷମତାଟେ ହେଉ ବା ଆର୍ଥିକ ଅନୁଦାନ । ସେ ଲୋଭରେ ଦାନ୍ତ କାମୁଡି ପଡିଥାନ୍ତି ଯାବତୀୟ ଆବର୍ଜନା ମୁଣ୍ଡେଇ । କ୍ଷମତାଶାଳୀଙ୍କ ପଦଲେହନ ଏମାନଙ୍କ ଧର୍ମ ଓ କର୍ମ ।
କ୍ଷମତା ହାସଲ ଜରିଆରେ ଅନ୍ୟାନ୍ୟ ଭୋଗବିଳାସ ଏମାନଙ୍କ ଚରମ ଲକ୍ଷ୍ୟ । ଉପରକୁ ସମାଜର ମଙ୍ଗଳସାଧନ ଜୀବନର ମହାମନ୍ତ୍ର ବୋଲି କହିହେଉଥିବା କ୍ଷମତାଧାରୀ ପରୋକ୍ଷରେ ନିଜ ସହିତ ଚାରି ପାଞ୍ଚ ପିଢୀର ସୁଖସୁବିଧା ପାଇଁ ଜନତାଙ୍କୁ ହରିଲୁଟ୍ କରି ଅର୍ଥସଂଚୟର ସୁବନ୍ଦୋବସ୍ତ କରୁଥାନ୍ତି । ସମୂହ ସ୍ୱାର୍ଥସାଧନ ନିମନ୍ତେ ସମଧର୍ମାମାନଙ୍କୁ ନେଇ ଗଠନ କରାଯାଏ ଗୋଟେ ସମାଜ ଯାହା ଦ୍ୱାରା ସେମାନେ କ୍ଷମତା ଆଳରେ ଅନ୍ୟକୁ ପଦାନତ କରିପାରିବେ । ନିଜକୁ ଆଦର୍ଶବାଦୀ ପ୍ରମାଣିତ କରିବାକୁ ସତ୍କାର୍ଯ୍ୟ ପ୍ରଦର୍ଶିତ ହେଉଥିବ । ନଡିଆ ଭାଙ୍ଗି, ଠାକୁରଙ୍କ ଫଟୋ ନିକଟରେ ଦୀପଦାନ ପୂର୍ବକ ମନ୍ତ୍ର ଉଚ୍ଚାରଣ କରି ଜଗତକୁ ସାଧୁତା ଦେଖାଇ ଦେଇହେଉଥିବ । ପରକ୍ଷଣରେ ସ୍ୱାର୍ଥସଂପର୍କିତ ଖଳ କାରବାରର ଲୋକମାନେ ଜଳକା ହୋଇ ଚାହିଁଥିବେ । ସେମାନେ ବୁଝିଲେ ବି କୋଉ ଲାଭ! ସେମାନଙ୍କୁ ଭକୁଆ କହିହେବ । ଆମ ଦେଶରେ ଏମାନଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି । ହଁ ଏମାନେ ବୋକା ନୁହନ୍ତି, କୋଉ ବାଟେ ନିଜର ଛୋଟିଆ ସ୍ୱାର୍ଥଟେ ହାସଲକରି ମନକୁ ବୁଝେଇ ନେଉଛନ୍ତି ।
ଖଟିଖିଆ ସେଇ ଖଟିଖିଆ କାରଣ ସେମାନଙ୍କ ମୁଣ୍ଡକୁ କିଣିନେଇଥିବେ ବୁର୍ଜୁଆମାନେ ମାତ୍ର କିଛି ଅର୍ଥ ବିନିମୟରେ । ମଧ୍ୟବିତ୍ତମାନଙ୍କ ଜିଭକୁ କାଟି ଦିଆଯାଇଥିବ ବିଭିନ୍ନ ଆଳରେ ! ବୁର୍ଜୁଆ ଗୋଷ୍ଠୀ କଳେ ବଳେ କୌଶଳେ କ୍ଷମତାର ଡାଳକୁ ମୁଠେଇ ଧରି ଏ.ସି କୋଠରୀରେ ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତଙ୍କ ପାଇଁ ନିୟମାବଳୀ ତିଆରି କରୁଥିବେ । ସେମାନଙ୍କ ଥାଳିରୁ ଭାତ, ଡାଲି, ଭଜା କାଢୁଥିବେ ନହେଲେ ସ୍ୱାସ୍ଥ୍ୟକେନ୍ଦ୍ରରୁ ମାଗଣା ଔଷଧ ପାଇବାକୁ ଯୋଜନା ପ୍ରସ୍ତୁତ କରି ନିଶ ଫୁଲେଇ ବସିଥିବେ । ପ୍ରଶ୍ନ କରିବାକୁ କେହି ନଥିବେ ଯେ- ରୋଗର କାରଣ ବାହାର କରି ରୋଗକୁ ମାର । ଔଷଧ କମ୍ପାନୀଙ୍କଠୁ ଲାଂଚ ଦ୍ୱାରା ନିଜ ବ୍ୟାଙ୍କ ବାଲାନ୍ସ ବଢାଇ ଲୋକଙ୍କ ଆଖିରୁ କଜ୍ଜଳ ଚୋରି କରନା । ନିଶା କାରବାର ବନ୍ଦ କର ଦେଖିବ ଝିଅବୋହୂଙ୍କ ଧର୍ଷଣ କମିଯିବ । କେହି କହିବେନି ଏସବୁ । କାରଣ ଏସବୁ ଚାଲୁରହୁ ବୋଲି ଅନେକ ଚାହାନ୍ତି । କିଛି ଚାହାନ୍ତି ରୋଗ ଥାଉ, ରୋଗୀ ଥାଆନ୍ତୁ, ବଇଦ ଥାଆନ୍ତୁ, ସରକାରୀ ହାସ୍ପାତାଳ ବନୁଥାଉ । ସେମିତି ହିଂସା ପ୍ରତିହିଂସା ଚାଲୁ ରହୁ । ନହେଲେ ଥାନା, ଜେଲ୍, ପୋଲିସ୍, କୋର୍ଟ କଚେରି ଚାଲିବ କେମିତି ?
ଏସବୁର ବିରୋଧରେ ବା ସପକ୍ଷରେ ଗୋଟି ଚଲାଉଥିବା କ୍ଷମତାସୀନମାନେ ଯେକୌଣସି କ୍ଷମତାର ଦୁରୁପଯୋଗ କରି ଆକାଶକୁ ନିଶୁଣି ବାନ୍ଧୁଥିବେ । ପୃଥିବୀକୁ ଖଣ୍ଡ ଖଣ୍ଡ କରି ନିଲାମ କରିଦେବାର କ୍ଷମତା ଠୁଳ କରୁଥିବେ । ଏମାନେ ଜାଣନ୍ତି ଆକାଶର ଉଚ୍ଚତା, ନିଶୁଣିର ଠିକଣା । ଅନେକ ତ ନିଶୁଣି ବନିଯାଆନ୍ତି । ଆଉ ବୁଦ୍ଧିଜୀବୀ ! ସେମାନେ ତ ହଲପ କରିନେଇଛନ୍ତି- ନୀରବତା ହିଁ ସେମାନଙ୍କ ଉତ୍ତର । ଅଧିକାଂଶ ତ କୌଣସି କଥାରେ ମୁଣ୍ଡ ଖେଳାନ୍ତିନି । ନିଜକୁ ଶତ ପ୍ରତିଶତ ସଚ୍ଚୋଟ ଓ ନିରପେକ୍ଷ ସିଦ୍ଧ କରିବାକୁ ଏମାନେ ଚୁପ୍ ରହିବାକୁ ଠିକ୍ ଭାବିନିଅନ୍ତି । ପଡିଶା ଘରର ସ୍ୱାମୀ ସ୍ତ୍ରୀ କଳି ଏମାନଙ୍କ ପାଇଁ ଯେତିକି ଗୁରୁତ୍ୱ ରଖେ, ସେତିକି ଗୁରୁତ୍ୱ ରଖେ ନେତା ଚୟନ ଅବା ଆଖି ସାମ୍ନାରେ ଘଟୁଥିବା ଗୋଟେ ଝିଅର ଗଣଧର୍ଷଣ । ଏମାନେ ଗାନ୍ଧୀ ମହାତ୍ମାଙ୍କ ତିନି ମାଙ୍କଡ ପରି ଆଜ୍ଞା ପାଳୁଥାନ୍ତି ସିନା କିନ୍ତୁ ଗାନ୍ଧୀବାଦକୁ ନାକ ଟେକୁଥାନ୍ତି । ସୁବିଧା ଅନୁସାରେ ନିଜକୁ ଏଣ୍ଡୁଅ ପରି ବଦଳିବାରେ ଏମାନେ ମାହିର୍ । ତେଣୁ ଛତାଦଳ ପରି ଆଉ ଦଳେ ଅଛନ୍ତି ଯାହାଙ୍କୁ ଆମେ ଏଣ୍ଡୁଅ ଦଳ କହିପାରିବା । ଏମାନେ ସାଂଘାତିକ ପର୍ଯ୍ୟାୟର । ବିଶ୍ୱାସଯୋଗ୍ୟ ନୁହନ୍ତି କୌଣସି ପ୍ରକାରେ । ଏଣ୍ଡୁଅ ଦଳ ଛତା ବ୍ୟବହାର ନକରି ବି ଅନେକ ସମୟରେ ବିଲେଇ ଆଖିମୁଦି କ୍ଷୀର ଖାଇବା ଭଳି ନିରପେକ୍ଷ ବୋଲାଇ ସୁବିଧା ହାସଲ କରିଜାଣନ୍ତି ।
ବିଭିନ୍ନ ଆଳରେ ଅନ୍ୟ ଉପରେ ଅଧିକାର ବା ହୁକୁମ୍ ଜାହିର୍ କରୁଥିବା ଚାଲାକ୍ ଗୋଷ୍ଠୀ ସବୁବେଳେ ପିଠାର ବଳକା ଭାଗକୁ ଖାଇ ମସ୍ତ ଥାଆନ୍ତି । କାହାକୁ ଖାତିର୍ କରିବା ଏମାନଙ୍କ ସମ୍ବିଧାନରେ ନଥାଏ । ମଂଚ ଉପରେ ଅସାଧାରଣ ଭାଷଣ, ଯାହାକୁ ଶୁଣି ଶ୍ରୋତାମଣ୍ଡଳୀ ଖୁସିରେ ଆତ୍ମହରା! କିନ୍ତୁ ବାସ୍ତବତା ମନକୁ ଆମ୍ବିଳା କଲାପରି । ସବୁ ଏଠି ଉପରଠାଉରିଆ, ଲୋକଦେଖାଣିଆ, କୁମ୍ଭୀର କାନ୍ଦଣାଭରା ଭାଷଣବାଜି ! ତେବେ ବି ବାଜି ଜିତିବାକୁ ପଛ ଲୋକର ବି ଲୋଭ କମ୍ ନଥାଏ । ଏହା ହିଁ ଆମ ଗଣତାନ୍ତ୍ରିକ ରାଷ୍ଟ୍ରର ଅବ୍ୟବସ୍ଥା । ଏଠି ନିୟମ ପାଳୁଥିବା ଲୋକେ ଭକୁଆ । ନିୟମ ଭାଂଗୁଥିବା ଲୋକେ କ୍ଷମତାସୀନ, ବଳଶାଳୀ ଓ ବିତ୍ତଶାଳୀ ।
କାରଣ ଅନ୍ୟକୁ ଶାସନ କରିବା କିମ୍ବା ଭାଗ୍ୟବିଧାତା ବନିବାର ଲୋଭ ପ୍ରାୟ ଅନେଶତ ପ୍ରତିଶତ ଲୋକମାନଙ୍କ ଭିତରେ । ପ୍ରତ୍ୟେକ ମଣିଷ ଭିତରେ ଅନ୍ୟକୁ ଶାସନ କରିବାର ଲୋଭ ! ଏଠି କେହି ନା କେହି କାହା ଉପରେ ରାଜୁତି କରୁଛି । କେହି ନା କେହି ଅନ୍ୟକୁ ସହୁଛି, କାରଣ ତାକୁ ଅସହାୟ ହୋଇ ସହିବାକୁ ପଡୁଛି । ମଙ୍ଗଳସାଧନ ପ୍ରକ୍ରିୟାଟି କୌଣସି ହିସାବରେ ପରିଲକ୍ଷିତ ହେଉନାହିଁ । ପରନ୍ତୁ ଆର୍ଥିକ ଲାଭ ସହିତ ବ୍ୟକ୍ତିଗତ କ୍ଷମତାଟି ପରିଦୃଶ୍ୟ ହୁଏ । ଦେଶ ଭିତରେ ବି ଅନେକ ଗୋଷ୍ଠୀ, ଅନେକ ସମାଜ । ଫଳରେ ଆଦର୍ଶଭିତ୍ତିକ ତାରତମ୍ୟ ବା ଅସଂଖ୍ୟ ମତପାର୍ଥକ୍ୟ ପରିଲକ୍ଷିତ ହେବା ସାଧାରଣ କଥା । ଯେତେ ଗୋଷ୍ଠୀ ସେତେ ସମସ୍ୟା । ଯେତେ ସମସ୍ୟା ସେତେ ମତପାର୍ଥକ୍ୟ । ଯେତେ ମତପାର୍ଥକ୍ୟ ସେତେ ବିଫଳତା, ଅସହିଷ୍ଣୁତା ଓ ଦୁର୍ନୀତି । ତୃଣମୂଳ ସ୍ତରରୁ ଆରଂଭ ହୋଇ ପ୍ରଶାସନିକ ବ୍ୟବସ୍ଥାଯାଏଁ ଦୁର୍ନୀତିଗ୍ରସ୍ତ ଅଧିକାଂଶ । ଯାହାର ନିରାକରଣ ଅସଂଭବ ।
ଯେଉଁମାନେ ଏସବୁରେ ପୀଡିତ ସେମାନଙ୍କ ଭିତରୁ ଅଧିକାଂଶ ସ୍ୱାର୍ଥନ୍ୱେଷୀ । ନିଜ ଛଡା ଆନ ଚିନ୍ତା କରିପାରନ୍ତି ନାହିଁ । ଏପରିକି ନିଜେ ରହୁଥିବା କଲୋନୀ, ଗାଁ କିମ୍ବା ଅଂଚଳର ସୁବିଧା ଅସୁବିଧାର ଖିଆଲ ଏମାନଙ୍କର ନଥାଏ । ଏଇ ନିକଟରେ ସାମାଜିକ ଗଣମାଧ୍ୟମରେ ଗୋଟେ ସୁନ୍ଦର ଉଦାହରଣଟିଏ ଘୂରିବୁଲୁଥିଲା ଯାହା ସାବ୍ୟସ୍ତ କରିବାକୁ ଯଥେଷ୍ଟ ଥିଲା ଆମ ବ୍ୟବସ୍ଥା ରୁଗ୍ଣତାକୁ । ଗୋଟେ ଛାତ୍ରାବାସରେ ସକାଳ ଜଳଖିଆ ଭାବେ ଉପମା ଦିଆଯାଉଥିବାରୁ ଅନେକ ଏହାର ତୀବ୍ର ବିରୋଧ କଲେ । ଅବଶ୍ୟ ତିରିଶ ପ୍ରତିଶତ ପିଲାଙ୍କର ଏଇଟା ମନପସନ୍ଦ ଜଳଖିଆ ଥିଲା । ବାକି ସତୁରୀ ପ୍ରତିଶତ ପିଲାଙ୍କୁ କୁହାଗଲା- ସେମାନେ ଉପମା ଯାଗାରେ ଅନ୍ୟ କେଉଁ ଖାଦ୍ୟ ଚାହୁଁଛନ୍ତି ଜଣାନ୍ତୁ । ସେମାନେ ନିଜ ନିଜ ପସନ୍ଦାନୁସାରେ ମତ ଜଣାଇଲେ । ଦଶରୁ ପନ୍ଦର ପ୍ରତିଶତ ପିଲା ରୁଟି ଜାତୀୟ ଖାଦ୍ୟ ଦିଆଯାଉ ବୋଲି କହିଲେ ତ ଆଉ କିଛି ନୁଡୁଲ୍ସଜାତୀୟ ଖାଦ୍ୟ ଦିଆଯାଉ ବୋଲି କହିଲେ । କେହି କେହି ତେଲଭାଜି ଜିନିଷ ଦେବାକୁ ଅନୁରୋଧ କଲେ ତ ଆଉ କିଛି ପାଉରୁଟି, ସାଲାଡ୍ ପାଇଁ କହିଲେ ।
କିନ୍ତୁ ସେ ତିରିଶ ପ୍ରତିଶତ ପିଲା ଉପମା ଉପରେ ପସନ୍ଦ ଜାହିର୍ କଲେ । ସତୁରୀ ପ୍ରତିଶତ ପିଲାଙ୍କର ଭିନ୍ନ ଭିନ୍ନ ମତ ତିରିଶ ପ୍ରତିଶତ ପିଲାଙ୍କ ମତଠାରୁ କମ୍ ହେବାରୁ ଉପମା ହିଁ ଜଳଖିଆ ଭାବେ ତିଷ୍ଠି ରହିଲା । କାରଣ ସେ ତିରିଶ ଲୋକ ନିଜ ମତ ପରିବର୍ତ୍ତନ କଲେନାହିଁ । ଫଳତଃ ସତୁରୀ ପ୍ରତିଶତ ଲୋକ ବିଭିନ୍ନ ମତ ଦ୍ୱାରା କିଛି ହାସଲ କରିପାରିଲେନି ଯଦିଓ ଏମାନଙ୍କ ପାଖରେ ସଂଖ୍ୟା ଥିଲା । ଏ ଉଦାହରଣକୁ ବିଚାର କରି ଦେଖାଯାଉ- ଆମେ କେଉଁଠି ହାରୁଛେ । କେଉଁ ଯାଗାରେ ବ୍ୟବସ୍ଥାର ଦୁରୁପଯୋଗ ହେଉଛି ଓ ସେଥିପାଇଁ ଦାୟୀ କିଏ? ତାର ନିରାକରଣ କିପରି ହୋଇପାରିବ, କାରଣ ସବୁ ବ୍ୟବସ୍ଥାର ଗଳାବାଟଟିଏ ଥାଏ । ସେ ଗଳାବାଟରେ ହାତୀ ପଶିଯାଏ, ପିମ୍ପୁଡି ପାଇଁ କିନ୍ତୁ ବାଟ ନଥାଏ । ତେବେ ବି କଣ ଏ ଅବ୍ୟବସ୍ଥାକୁ ଆମେ ସମର୍ଥନ କରୁଥିବା? ୟାର ନିରାକରଣ କଣ ନାହିଁ? କ୍ୟାନସର୍ ପରି ଆମ ବ୍ୟବସ୍ଥାକୁ କ୍ଷତିଗ୍ରସ୍ତ କରୁଥିଲେ ମଧ୍ୟ ଆମେ କଣ ନୀରବ ହୋଇ ବସିରହିବା ?
ଏଭଳି ଅବ୍ୟବସ୍ଥାର ମୂଳ କାରଣ ଖୋଜାଯାଉ ଆବଶ୍ୟକ ସ୍ଥଳେ ସମ୍ବିଧାନ ସଂଶୋଧିତ ହେଉ । ନହେଲେ ବୁଦ୍ଧିଜୀବୀମାନେ ଏକବାରେ ନିଥର ପାଲଟିଯାଇଥିବେ । ନା କହିପାରୁଥିବେ ନା ସହିପାରୁଥିବେ । କାରଣ ଏମାନଙ୍କ ଜିଭକୁ କାଟି ଦିଆଯାଇଥିବ, ଆଖିରୁ ଡୋଳାଟିକୁ କାଢି ନିଆଯାଇଥିବ । କାନରେ ଠେଁସି ଦିଆଯାଇଥିବ କପଡା ବିଣ୍ଡା । ମୂର୍ଖମାନଙ୍କୁ ବନାଚାଲିଥିବ ସ୍ୱାର୍ଥ ପାଇଁ ! ବୁଦ୍ଧିଜୀବୀଙ୍କ ବାକ୍ସ୍ୱାଧୀନତାକୁ ହତ୍ୟା କରାଯାଉଥିବ । ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଧେଶ ସହଜ ନୁହେଁ କାରଣ କାହାର ନା କାହାର ଲାଭ ହେଉଥିବ । ବ୍ୟବସ୍ଥା ତିଆରି କରିଥିବା କ୍ଷମତାସୀନମାନେ ନିଜ ପଦବୀରେ ଥିବାଯାଏଁ କ୍ଷମତା ଉପଭୋଗ କରୁଥିବେ । ଏଠି ବ୍ୟକ୍ତି ଗୋଷ୍ଠୀ ମାଧ୍ୟମରେ ସୁବିଧା ଲୁଟୁଥିବାରୁ ନା ବ୍ୟକ୍ତି ନା ଗୋଷ୍ଠୀ କେହି ପ୍ରତିବାଦ କରିବେ ନାହିଁ । ଲାଭ ହାସଲ କରୁଥିବା ଲୋକେ କେବେ ବି ଏଭଳି ବ୍ୟବସ୍ଥାକୁ ବଦଳିବାକୁ ଦେବେନାହିଁ । ଏଥିପାଇଁ ବିଚାରବିମର୍ଷ ହେଉ । ନହେଲେ ଏ ଅବ୍ୟବସ୍ଥାର ଉତ୍ତର ଦାୟୀ ସମସ୍ତେ ରହିବେ ।