ଧର୍ମକୁ ନେଇ ସମସ୍ୟା ମୂଳରୁ ଚାଲିଆସିଛି ସେ ବିଭେଦ ସୃଷ୍ଟି ପାଇଁ ହେଉ ବା ନିଜ ମହନୀୟତା ପ୍ରତିପାଦିତ କରିବା ପାଇଁ । କିନ୍ତୁ କଳିର ମୂଳ ମଂଜି ହେଉଛି ଧର୍ମ, ଏକଥା ବୁଝିବାକୁ ଆଉ ବାକି ନାହିଁ । ଅବଶ୍ୟ ଭିନ୍ନ ଭିନ୍ନ ଧର୍ମର ସାଂସ୍କୃତିକ ଓ ପାରମ୍ପରିକ ସୌନ୍ଦର୍ଯ୍ୟ ସହିତ ନିଜସ୍ୱ ସ୍ୱତନ୍ତ୍ରତା ବଜାୟ ରହିଥାଏ । ଏଥିପାଇଁ କିଛି ବର୍ଗଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥାଏ ତ କିଛି ଲୋକଙ୍କୁ ସୁହାଇଲା ପରି ସମସ୍ୟାମାନ ତିଆରି କରାଯାଇଥାଏ । ଫଳରେ ଆଜି ମଣିଷ ଭିତରେ ନାନା ପ୍ରକାରର ବିଦ୍ୱେଷ! ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରତ୍ୟେକ ଧର୍ମକୁ ସମ୍ମାନ ଦେବା ସମ୍ବିଧାନିକ ନିୟମ । କାହାର ଧର୍ମୀୟ ଭାବନାକୁ କ୍ଷତାକ୍ତ କରିବା ଅନୁଚିତ ସେ ଯେଉଁ ବିଶ୍ୱାସରେ ଆଧାରିତ ହୋଇଥାଉ ନା କାହିଁକି ! ପ୍ରତ୍ୟେକ ଧର୍ମ ମାନବତାର ଭିତ୍ତି ଭୂମି ଉପରେ ପ୍ରତିଷ୍ଠିତ, ହିଂସା-ଆଧାରିତ ନୁହେଁ । କିନ୍ତୁ ଧର୍ମ ଆଜି ଧାର୍ମିକ ପରିହାସ ଓ ହିଂସାର ଶିକାର ହୋଇ ହୀନ ମଣିଷପଣିଆକୁ ପ୍ରମାଣିତ କରୁଛି । ସ୍ୱଧର୍ମକୁ କଳୁଷିତ କରିବାକୁ କିଛି ଭ୍ରଷ୍ଟାଚାରୀ ଆଗେଇ ଆସିଛନ୍ତି ।
ଧର୍ମର ଅବମାନନା କରିବା ସମସ୍ତଙ୍କ ଅଭ୍ୟାସରେ ପରିଣତ । ନିଜେ ନିଜ ଧର୍ମକୁ କଳୁଷିତ କରିବା ସହିତ ଅନ୍ୟ ଧର୍ମକୁ ଆରୋପ କରିବା ମଧ୍ୟ ବର୍ତ୍ତମାନ ମନ୍ଦ ଉଦ୍ଧେଶ୍ୟରେ ପରିଣତ ହେଲାଣି । ଯାହାଫଳରେ ଅଶାନ୍ତିକର ପରିବେଶ ଚାରିଆଡେ । ବାସ୍ତବରେ ଧର୍ମ କ୍ଷତି କରେନାହିଁ । ଭିନ୍ନ ଭିନ୍ନ ମାର୍ଗରେ ଈଶ୍ୱରାଭିମୁଖୀ କରାଏ । ସବୁର ଲକ୍ଷ୍ୟ ସମାନ । କେବଳ କ୍ରିୟା ଭିନ୍ନ । ବାସ୍ତବତାକୁ ନବୁଝି ଉଦ୍ଧେଶ୍ୟପ୍ରଣୋଦିତ ଭାବେ ନିଜ ଧର୍ମକୁ ସମାଲୋଚନା କରିବା ଓ ଅପମାନ କରିବା କେତେଦୂର ଯୁକ୍ତିଯୁକ୍ତ ତାହା ତର୍କର ବିଷୟ । ଯେଉଁ ଧର୍ମକୁ ବିଶ୍ୱବାସୀ ଗ୍ରହଣ କରିବାକୁ ଇଚ୍ଛୁକ ସେ ଧର୍ମରେ ହେଉଥିବା ବିଭ୍ରାଟ ବିଶ୍ୱବାସୀଙ୍କୁ ଚକିତ କରିବା ସ୍ୱାଭାବିକ । ସନ୍ଦେହ ଉପୁଜିଛି ଆମ ଧର୍ମକୁ ନେଇ ଯାହା ଅତୀତରେ ଉତ୍କୃଷ୍ଟ ପ୍ରତିପାଦିତ ହୋଇଆସିଛି ।
ନିମ୍ନରେ ଦିଆଯାଇଥିବା ମତରୁ ଜାଣିହେବ ହିନ୍ଦୁ ଧର୍ମର ଗ୍ରହଣୀୟତା କେତେ ! ସାରା ବିଶ୍ୱକୁ ଆଲୋକିତ କରିଥିବା ସନାତନ ଧର୍ମ ଆମ ଦୃଷ୍ଟିରେ କେଉଁଠି ! ପ୍ରକୃତରେ ଆମେ ଆମ ଧର୍ମକୁ ନେଇ କେତେ ଗର୍ବିତ ! ଯଦି ନା, କାହିଁକି ? ସେଥିପାଇଁ କିଏ ଦାୟୀ ? ତା ପୂର୍ବରୁ ଜାଣିବା ଉଚିତ୍ ହିନ୍ଦୁଧର୍ମର ମୂଲ୍ୟାୟନ କଣ ଆନ୍ତର୍ଜାତୀୟ ସ୍ତରରେ ?
ହିନ୍ଦୁଧର୍ମ ୟୁରୋପର ଶାସକ ଧର୍ମ ହେବ । ୟୁରୋପର ପ୍ରସିଦ୍ଧ ମହାନଗରରେ ହିନ୍ଦୁମାନେ ହିଁ ପ୍ରମୁଖ- ମାଇକେଲ୍ ନୋଷ୍ଟ୍ରାଡାମସ୍, ୧୫୦୩-୧୫୬୬ । ଆଜି ନହେଲେ ବି ଦିନେ ନା ଦିନେ ଆମକୁ ହିନ୍ଦୁଧର୍ମ ଗ୍ରହଣ କରିବାକୁ ହେବ କାରଣ ଏହା ହିଁ ପ୍ରକୃତ ଧର୍ମ- ଜୋହାନ କୈଥ, ୧୭୪୯-୧୮୩୨ । ହିନ୍ଦୁଧର୍ମ ଓ ହିନ୍ଦୁମାନେ ଦିନେ ନା ଦିନେ ସାରା ପୃଥିବୀକୁ ଶାସନ କରିବେ କାରଣ ଏହା ଜ୍ଞାନ ଓ ବୁଦ୍ଧିର ସମିଶ୍ରଣ- ଲିଓ ଟଲଷ୍ଟୟ, ୧୮୨୮-୧୯୧୦ । ହିନ୍ଦୁମାନେ କେବଳ ଶାନ୍ତି ଓ ସମନ୍ୱୟ ବିଷୟରେ କଥା ହୁଅନ୍ତି-କୋଷ୍ଟା ଲୋବନ୍ ୧୮୪୧-୧୯୩୧ । ହିନ୍ଦୁଧର୍ମକୁ ଭଲଭାବେ ବୁଝିବା ପର୍ଯ୍ୟନ୍ତ କେତେ ପିଢି ଅତ୍ୟାଚାର ଓ ହତ୍ୟାକାଣ୍ଡର ସମ୍ମୁଖୀନ ହେବାକୁ ଯାଉଛନ୍ତି ? କିନ୍ତୁ ଦିନେ ନା ଦିନେ ସାରା ପୃଥିବୀ ହିନ୍ଦୁଧର୍ମ ଦ୍ୱାରା ଅନୁପ୍ରାଣିତ ହେବ । ସେହିଦିନଠାରୁ ପୃଥିବୀ ମଣିଷମାନଙ୍କ ବସବାସ ଓ ବଂଚିବା ପାଇଁ ଉପଯୁକ୍ତ ସ୍ଥାନ ଭାବେ ପରିଗଣିତ ହେବ- ହର୍ବଟ ୱେଲ୍ସ, ୧୮୪୬-୧୯୪୬ ।
ଦିନେ ଏ ପୃଥିବୀ ହିନ୍ଦୁତ୍ୱକୁ ଗ୍ରହଣ କରିବ । ପାଶ୍ଚାତ୍ୟ ଦେଶଗୁଡିକ ନିଶ୍ଚିତ ଭାବେ ହିନ୍ଦୁତ୍ୱରେ ରୂପାନ୍ତରିତ ହେବେ । ଜ୍ଞାନୀମାନଙ୍କ ଧର୍ମ ହିନ୍ଦୁଧର୍ମ ସହିତ ସମାନ- ବର୍ଣ୍ଣାଡ ଶ’, ୧୮୫୬-୧୯୫୦ । ସେ(?) କରନ୍ତି ଯାହା ଇହୁଦୀମାନେ କରିପାରନ୍ତିନାହିଁ । ସେ ଜ୍ଞାନ ଓ ଶକ୍ତି ଦ୍ୱାରା ଏହାକୁ କଲେ । ଶାନ୍ତିରେ ଜୀବନଯାପନ କରିବାର ସାମର୍ଥ୍ୟ ଏକମାତ୍ର ହିନ୍ଦୁଧର୍ମର ଅଛି- ଆଲବର୍ଟ ଆଇନ୍ଷ୍ଟାଇନ୍, ୧୮୭୯-୧୯୫୫ । ମୁଁ ହିନ୍ଦୁଧର୍ମ ବିଷୟରେ ପଢିଛି । ମୁଁ ଅନୁଭବ କରିଛି ଯେ ଏହା ସମଗ୍ର ପୃଥିବୀର ମାନବଜାତିର ଧର୍ମ । ହିନ୍ଦୁଧର୍ମ ୟୁରୋପସାରା ବିସ୍ତୃତ ହେଉଛି । କିଛି ମେଧାବୀ ଛାତ୍ର ହିନ୍ଦୁଧର୍ମକୁ ନେଇ ଅଧ୍ୟୟନରତ । ଦିନ ଆସିବ ଯେବେ ହିନ୍ଦୁଧର୍ମ ସମଗ୍ର ପୃଥିବୀର ନେତୃତ୍ୱ ନେବ- ବର୍ଟ୍ରାଣ୍ଡ୍ ରସେଲ୍, ୧୮୭୨-୧୯୭୦ ।
ଏସବୁ ମତକୁ ଅନୁଧ୍ୟାନ କଲେ ଜଣାଯିବ ଦୀପତଳ ଅନ୍ଧାର । ଅନ୍ୟମାନେ ହିନ୍ଦୁଧର୍ମର ସାରକଥାକୁ ବୁଝିପାରୁଛନ୍ତି ଅଥଚ ଆମେମାନେ ନିଜ ମଥା ଉପରର ବିଶାଳ ଗଛ ଛାଇକୁ ବେଖାତିର୍ କରି ବାସ୍ତବତାର ପ୍ରଖର ଖରାରେ ଶିଝି ଆଧୁନିକତାର ଡିଣ୍ଡିମ ପିଟୁଛୁ । ଚଳିତ ୨୦୨୨ ନଭେମ୍ବର ସୁଦ୍ଧା ବିଶ୍ୱର ଜନସଂଖ୍ୟା ଆଠଶହ କୋଟି ଟପିବାକୁ ଅଛି । ସଂଖ୍ୟାନୁଯାୟୀ ହିନ୍ଦୁମାନେ ସମଗ୍ର ବିଶ୍ୱର ଚତୁର୍ଥ ସ୍ଥାନରେ । ହିନ୍ଦୁଧର୍ମକୁ ନେଇ ପାଶ୍ଚାତ୍ୟ ଛାତ୍ରମାନେ ଗବେଷଣା କରୁଛନ୍ତି । ଗ୍ରହଣ କରୁଛନ୍ତି ତା ଭିତରର ଶକ୍ତି, ଜ୍ଞାନ ଓ ସଂଭାବନମୟତାକୁ । ଅଥଚ ହିନ୍ଦୁମାନେ ନିଜ ଧର୍ମକୁ ବିକି ଭାଂଗି ଅପମାନିତ କରିବାର କୌଣସି ବାହାନା ଛାଡୁନାହାନ୍ତି । କିଛି ଘଟଣା ଲୁଚିଯାଉଛି, କିଛି ଘଟଣାକୁ ଚପାଇଦିଆଯାଉଛି । କାରଣ ସତ୍ୟ ସବୁବେଳେ ଭୟଙ୍କର । ରାଧାକ୍ରିଷ୍ଣନ୍ଙ୍କ ମତରେ -ସତ୍ୟ ହେଉଛି ଏମିତି ଜିନିଷ ଯାହାକୁ ଆମେ ଲୁଚାଉ ।
ବିଭିନ୍ନ ପର୍ବପର୍ବାଣୀ ପାଳନ କରିବା ଆଳରେ ଭଗବାନ୍ଙ୍କୁ ଜୋକର୍ ବନାଇବାର ସୁଯୋଗ ଛାଡନ୍ତି ନାହିଁ କିଛି ଭ୍ରଷ୍ଟ ଓ ଦୁର୍ଦ୍ଧାନ୍ତ ଭକ୍ତ । କେଉଁଠି ଗଣେଶଙ୍କୁ ହାଫ୍ ପ୍ୟାଂଟ୍ ପିନ୍ଧାଇ ଦିଆଯାଇ ସ୍କୁଲ୍ ପିଲା ବନେଇ ପୂଜା କରାଯାଏ ତ କେଉଁଠି ଦକ୍ଷିଣୀ ଫିଲ୍ମ ନାୟକ ଚନ୍ଦନ କାଠର ଚୋରା ବେପାରୀ ପୁଷ୍ପରାଜ ଷ୍ଟାଇଲ୍ରେ ମଣ୍ଡପରେ ବସାଇ ଦିଆଯାଏ । ପୋଲିସ୍ ପୋଷାକରେ ମୋବାଇଲ୍ ବି ଧରାଇ ଦିଆଯାଏ ବିଘ୍ନହର୍ତ୍ତାଙ୍କ ହାତରେ । ସେତିକି ନୁହେଁ ପ୍ରିୟ ନେତାଙ୍କ ବେଶରେ ବି ସଜ୍ଜିତ କରାଇ ଦର୍ଶକମାନଙ୍କୁ ଆକୃଷ୍ଟ କରାଯାଏ ପ୍ରତିଦ୍ୱନ୍ଦ୍ୱିତା ଭାବେ । କେବେକେବେ ବାଇକ୍ ଉପରେ ଶିବ, ପାର୍ବତୀ ଗଣେଶଙ୍କୁ ନେଇ ଯାଉଥିବାର ଉଦ୍ଭଟ ଚିତ୍ର ବି ଦେଖିବାକୁ ମିଳେ ପୁରପଲ୍ଲୀରେ । ସେଭଳି ମୁଣ୍ମୟୀ ପ୍ରତିମା ଦେଖି ମନରେ ଭକ୍ତି ଭାବ ଉପୁଜିବା ଅସଂଭବ ।
ପୁଣି ଠାକୁର ପୂଜା ଆଳରେ ଚାନ୍ଦାଭେଦା, ଖିଆପିଆ, ନିଶାସେବନ ଏସବୁ ସାଧାରଣ କଥା ଯାହା ଦ୍ୱାରା ଆମେ ହିଁ ଆମ ଭଗବାନ୍ଙ୍କୁ ବାରବାର ଅପମାନିତ କରୁଛେ । ଆଜିକାଲି ମୂର୍ତ୍ତିର ପୂଜାର ଲୋକପ୍ରିୟତା ବଢୁଛି । ମଣ୍ଡପରେ ଭାଲୁକୁଣୀଙ୍କଠାରୁ ଆରଂଭ କରି କାର୍ତ୍ତିକେୟ, ମାର୍ଗଶୀର ମାସରେ ଲକ୍ଷ୍ମୀଙ୍କ ମୂର୍ତ୍ତି ବନାଇ ଡିଜେର ତାଳେତାଳେ ହିନ୍ଦୀ ଫିଲ୍ମ ଗୀତରେ ଉଦ୍ଧଣ୍ଡ ନାଚିବା ଭିନ୍ନ ପରମ୍ପରା ସୃଷ୍ଟି କରୁଛି । ଆଗରୁ ଏତେସବୁ ମୂର୍ତ୍ତି ପୂଜା ନଥିଲା । ଭକ୍ତି ଆଳରେ ଉଦ୍ଭଟତା, କିନ୍ତୁ ପ୍ରତିବାଦ କାହାର ବି ନାହିଁ । ଭଗବାନ୍ଙ୍କ ଅସ୍ତିତ୍ୱକୁ ନେଇ ସନ୍ଦେହ ପ୍ରକଟ କରୁଛେ । ଭାବୁଛେ ନରସିଂହଙ୍କ ପରି ସେ ଖମ୍ବରୁ ବାହାରି ଦୁର୍ଦ୍ଧାନ୍ତମାନଙ୍କ ସଂହାର କରନ୍ତେ । ଯେଣୁ ସେ ଦଣ୍ଡିତ କରୁନାହାନ୍ତି ତେଣୁ ସେ ନାହାନ୍ତି । ତେଣୁ ତାଙ୍କୁ ନେଇ ଯେପରି ଖେଳିଲେ ବି ଭୟ ନାହିଁ । କିନ୍ତୁ ଧର୍ମ ଓ ଆସ୍ଥାକୁ ଏଭଳି ନିନ୍ଦିତ କରିବା ସାଂଘାତିକ ଅପରାଧ । ଏଥିପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ।
ଧର୍ମ ନିକୃଷ୍ଟତାକୁ ପ୍ରମାଣ କରେନାହିଁ କି କାହାକୁ ଅପମାନ କରିବା ଶିଖାଏ ନାହିଁ । ବାସ୍ତବତାକୁ ନବୁଝି ସତ୍ୟ ଓ ଜ୍ଞାନକୁ ଉପଲବ୍ଧି ନକରି ଅନ୍ୟମାନଙ୍କ ସହିତ ଭଗବାନ୍ଙ୍କୁ ଦୋଷାରୋପ କରିବା କେବଳ ମୂଢତା । ଯାହା ମାନବ ଧର୍ମ ପ୍ରତି ଭୟାବହ । ଆମ ଭକ୍ତି ଓ ମାନବତାର ନିକୃଷ୍ଟତମ ଉଦାହରଣ ଆହୁରି ଅନେକ । ଯେଉଁ ଧର୍ମ ମାଟି, ଆକାଶ, ଜଳ, ବାୟୁ, ଅଗ୍ନି, ସୂର୍ଯ୍ୟ, ଗଛ, ପଥରକୁ ପୂଜା କରିବାକୁ ଶିଖାଏ ସେ ଧର୍ମ ସାରା ବିଶ୍ୱକୁ ଏକତ୍ର ସୂତ୍ରରେ ବାନ୍ଧିବାକୁ ଯଥେଷ୍ଟ । ଯେ ଜଡ ଓ ଜୀବ ଭିତରେ ଈଶ୍ୱରଙ୍କୁ ଆରୋପିତ କରିପାରେ ସେ ମହନତା ଓ ଉଦାରତାର ଅଂଶବିଶେଷ । ସେ ବିଶାଳତାକୁ ହୃଦୟଙ୍ଗମ କରିବାକୁ ବି ହୃଦୟଟିଏ ଆବଶ୍ୟକ ।
କହିବା ବାହୁଲ୍ୟ ମୁଣ୍ମୟୀ ଦେବାଦେବୀଙ୍କର ବିସର୍ଜନ ବି ଭାବ ଓ ଭକ୍ତିହୀନ ଭାବେ ହେଉଛି । ମଣିଷ ନିଜ ସଂପର୍କୀୟର ଶବକୁ ମଧ୍ୟ ସମ୍ମାନର ସହିତ ସଂସ୍କାର କରେ । କିନ୍ତୁ ଯେଉଁ ଶରୀରରେ ସେ ଭଗବାନ୍ଙ୍କୁ ଆହ୍ୱାନ ପୂର୍ବକ ଷୋଡଶ ଉପଚାରରେ ପୂଜା ଅର୍ଚ୍ଚନା କରି ନୈବେଦ୍ୟ ବାଢେ ତାଙ୍କୁ କଣ ଏଭଳି ବିସର୍ଜନ କରିବା ଉଚିତ୍ ପୋଲରୁ ତଳକୁ ଟେକା ପଥର ଫିଙ୍ଗିବା ପରି ! ସାମାଜିକ ଗଣମାଧ୍ୟମରେ ଏସବୁର ଚିତ୍ର ଦେଖି ମନ ଆନ୍ଦୋଳିତ ହେବା ସ୍ୱାଭାବିକ ।
ଚଳିତ ବର୍ଷ ରଥଯାତ୍ରାକୁ ନେଇ ହୋଇଥିବା ଟଣାଓଟରା ଅଳ୍ପ ବହୁତେ ଅନେକଙ୍କର ଦୃଷ୍ଟି ଆକର୍ଷଣ କରିଛି । ଭକ୍ତି କଣ ପ୍ରତିଯୋଗିତା, ଅନେକଙ୍କ ମନରେ ପ୍ରଶ୍ନ ଆସିଛି । କୌଣସି ଯାଗାରେ ରଥଯାତ୍ରା ବେଳେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଚାରମାଳକୁ ଅଣାଯିବାବେଳେ ଦୁଇକଡରେ ଥିବା ପଣ୍ଡାଙ୍କ ସହ ଦାରୁବିଗ୍ରହ ତଳେ ପଡିଯାଇଛନ୍ତି ( ଇଷ୍ଟାଗ୍ରାମ୍)! ଅନ୍ୟ ଏକ ସ୍ଥାନରେ ଜଗନ୍ନାଥଙ୍କର ଏଭଳି ବିକୃତ ଭାବେ ପହଣ୍ଡି କରାଯାଉଛି ଯେପରି ସେ ଭଗବାନ୍ ନୁହନ୍ତି କାଠ କଣ୍ଢେଇ ! ଏସବୁ ସଂସ୍କୃତି ମାଧ୍ୟମରେ ଅପସଂସ୍କୃତି । ଏଥିପ୍ରତି ପ୍ରଶାସନର ଦୃଷ୍ଟି ଦେବା ଉଚିତ୍ । ବିହିତ ପଦକ୍ଷେପ ନନେଲେ ଏଭଳି କୁଭାବନା ବୃଦ୍ଧି ପାଇବ । ବିଶୃଙ୍ଖଳିତ ହେବେ ଲୋକମାନେ । ଧର୍ମ ଆମର ଅଭିମାନ, ଗୌରବ ବହନ କରୁ । କଳଙ୍କର ଦାଗ ନବସୁ ଆମ ସଂସ୍କୃତିରେ । ଏସବୁର ବିଭ୍ରାଟ ମଣିଷ ଭିତରର ଆସ୍ଥାକୁ ମାରି ନଦେଉ ।
କୌଣସି ଧର୍ମ ଏଭଳି ପ୍ରଶୟ ଦିଏନାହିଁ । କୌଣସି ବିଧ୍ୱଂସକାରୀ ଧର୍ମକୁ ମାନିବା ପାଇଁ କେହି ବାଧ୍ୟ ନୁହନ୍ତି । କିନ୍ତୁ କୌଣସି ଧର୍ମକୁ ଅସମ୍ମାନ କରିବାର ଅଧିକାର ବି କାହାର ନାହିଁ । ଏସବୁ ବାଦ୍ ମାନବତା ଆମର ଧର୍ମ ହେଉ ଯାହା ଇତର ପ୍ରାଣୀଙ୍କଠାରୁ ମଣିଷକୁ ଭିନ୍ନ ପ୍ରମାଣିତ କରେ । ପ୍ରତି ଧର୍ମ ମାନବତାର କଥା କହୁ । ପରସ୍ପର ଭିତରେ ଶାନ୍ତି, ପ୍ରୀତି, ଏକତା ଓ ଭାଇଚାରା ପ୍ରତିଷ୍ଠିତ ହେଉ । ତେବେ ସିନା ଧର୍ମ ଓ ଧାର୍ମିକମାନଙ୍କର ବିଜୟ ହେବ ! କିମଧିକମ୍ !