ସମ୍ପାଦକୀୟ

ଈଶ୍ୱର, ପ୍ରକୃତି ଓ କୂପମଣ୍ଡୁକ

Dr Mousumi Parida's odia editorial article Ishwara, Prakruti O Koopamanduka

କୂପ ମଣ୍ଡୁକ ପରି ମଣିଷର ଅବସ୍ଥା ଆଜିକାଲି! ପ୍ରଜାପତି ପରି ସାଧନା କାହିଁ ତା ଭିତରେ! ସଂକୁଚିତ ପୃଥିବୀରେ ନିଜକୁ ହୀନମନା କରିଦେଲେ ଦୁର୍ଲ୍ଲଭ ଜୀବନଟି ନିରର୍ଥକ !

ଈଶ୍ୱର, ପ୍ରକୃତି ଓ କୂପମଣ୍ଡୁକ

ଶାସ୍ତ୍ରାନୁସାରେ-

ପରୋପକାରକାରାୟ ଫଳନ୍ତି ବୃକ୍ଷାଃ, ପରୋପକାରାୟ ବହନ୍ତି ନଦ୍ୟଃ ।
ପରୋପକାରାୟ ଦୁହନ୍ତି ଗାବଃ,ପରୋପକାରାର୍ଥମିଦଂ ଶରୀରମ୍ ।

ପରୋପକାର ପାଇଁ ଗଛମାନେ ଫଳନ୍ତି, ପରୋପକାର ପାଇଁ ନଦୀମାନେ ବହୁଥାନ୍ତି, ପରୋପକାର ପାଇଁ ଗାଈ କ୍ଷୀରଦାନ କରେ, ପରୋପକାର ପାଇଁ ଏ ଶରୀର । ପ୍ରକୃତି ସଂସାରର ସୁପରିଚାଳନା ପାଇଁ ସମସ୍ତଙ୍କୁ ଭିନ୍ନ ଭିନ୍ନ ଶରୀର ଓ ମନ ଦେଇଛି । ସିଂହ ବାଘ ପରି ପଶୁମାନଙ୍କ ସହିତ ହରିଣ, ସମ୍ବର, ଠେକୁଆମାନଙ୍କୁ ବି ଏକତ୍ର ଛାଡିଛି! ପୁଣି ଗଛପତ୍ର, ଲତାଗୁଳ୍ମରେ ଭରିଦେଇଛି ଜଙ୍ଗଲ । ଏହା ହିଁ ପ୍ରକୃତିର ମହାଶିକ୍ଷା ମାନବ ସମାଜକୁ । ତେଣୁ ପ୍ରକୃତି ହିଁ ବାସ୍ତବ ପାଠଶାଳା ଯିଏ ଆମକୁ ବଂଚିବା ଶିଖେଇଛି । ମରି ପୁଣି କଅଁଳିବାର ସୂକ୍ଷ୍ମ ଅବବୋଧଟିକୁ ନିଖୁଣଭାବେ ବୁଝାଇଦେଇଛି ।

ମରୁଭୂମିରେ ବି ଗଛ ବଞ୍ଚେ, ଫୁଲ ଫୁଟେ । ମରୂଦ୍ୟାନ ସୃଷ୍ଟି ହୋଇପାରେ । ବରଫାବୃତ ଅଂଚଳରେ ମଧ୍ୟ ଜୀବସତ୍ତା ଥାଏ । ପ୍ରକୃତି ଜୀବନମୟ ମୃତ୍ୟୁ ଓ ବିନାଶରେବି । ଯେ ଦେବା ଶିଖାଏ । ଦୟା, କ୍ଷମା, ତ୍ୟାଗ, କର୍ମମୁଖରତା, ଗତିଶୀଳତା ଆଦି ବହୁ ସଦଗୁଣ ସହିତ ପରିଚିତ କରାଏ । ପ୍ରକୃତିକୁ ଅନ୍ତର୍ମନ ସହିତ ଯୋଡିଦେଖିଲେ ଜୀବନର ଅସଲ ଉଦ୍ଧେଶ୍ୟକୁ ବୁଝିହେବ । ଜ୍ଞାନାଭାବ ବା ଅଳ୍ପଜ୍ଞାନ ହେତୁ ମଣିଷ ନିଜ ଗୁଣବତ୍ତା ବୁଝିବାକୁ ଅଯୋଗ୍ୟ ।

ପରୋପକାର ପାଇଁ ଯେଉଁଠି ପ୍ରକୃତି ନିଜକୁ ବାଢିଦେଇଛି ସେଠି ମଣିଷର ଅପରିମିତ ସ୍ୱାର୍ଥାନ୍ଧତା ହାସ୍ୟାସ୍ପଦ! ଯଦିଓ ସେ ଭଲଭାବେ ଜାଣେ ମଶାଣିରେ ସବୁତକ ଅହଙ୍କାର ନାଶଯିବ କେଇମୁଠା ପାଉଁଶରୂପରେ । ସ୍ୱେଚ୍ଛାଚାରୀ ମଣିଷ ସେସବୁକୁ ବୁଝିନପାରି ପ୍ରକୃତିକୁ ନଷ୍ଟ କରିବାରେ ବ୍ୟସ୍ତ! ସେଥିପାଇଁ ଯାବତୀୟ ପ୍ରାକୃତିକ ବିପର୍ଯ୍ୟୟ, ଧ୍ୱଂସମୁଖର ପୃଥିବୀରେ ଯୁଦ୍ଧଂ ଦେହିର ଡାକରା । ଜଳି ପାଉଁଶ ହେବାର ପରିଣତି ଜାଣି ସୁଦ୍ଧା ଅନ୍ୟକୁ କ୍ଷତିଗ୍ରସ୍ତ କରାଇବାର ହୀନଚକ୍ରାନ୍ତରେ ବହୁମୂଲ୍ୟ ସମୟ ଅତିବାହିତ । ଛଳନା ପ୍ରବଂଚନା ଦ୍ୱାରା କ୍ଷମତା ଉପଭୋଗ କରୁଥାନ୍ତି ଏଭଳି ଛଦ୍ମବେଶୀମାନେ ।

ସବୁଠାରେ ଷଡଯନ୍ତ୍ର, କୁଚକ୍ରୀ ଗୋଷ୍ଠୀଗୁଡିକର ନ୍ୟସ୍ତସ୍ୱାର୍ଥ ପାଇଁ ହୀନ ଚକ୍ରାନ୍ତ । ତା ଭିତରେ ପେଷି ହୁଅନ୍ତି ସରଳ ଲୋକମାନେ । ଅବିଶ୍ୱାସ ଓ ସ୍ୱାର୍ଥପରତାର ବୀଜ ବୁଣିବାକୁ ନୂଆ ଚରିତ୍ରଙ୍କ ସନ୍ଧାନରେ ଥାଆନ୍ତି ଷଡଯନ୍ତ୍ରକାରୀ । ଏ ପଶାପାଲି ଖେଳ ମହାଭାରତ ଯୁଦ୍ଧଠାରୁ ତ ଚାଲିଆସିଛି ଆଜିଯାଏଁ । ଯେଉଁଠି ବନ୍ଧା ପଡୁଛି ନୈତିକତା, ମାନବତା ଓ ବିବେକ । ସତ୍ୟ, ଶିବ, ସୁନ୍ଦରର ବାସ୍ତବତା ଏବେ ପରିତ୍ୟକ୍ତ ମଦବୋତଲ ତଳେ ଭୂଲୁଣ୍ଠିତ! ଯେଉଁଠି କିଛି ଟଙ୍କା ବଦଳରେ ମଣିଷପଣିଆ ବିକ୍ରୀ ହୋଇଯାଏ, ମୁଣ୍ଡ ପାଇଁ ଟଙ୍କା ବାଜି ଲାଗେ ସେଠି ବିବେକପଣିଆର ସଂଜ୍ଞା ବା କଣ ଥାଇପାରେ! ବଡ କଷ୍ଟରେ ମଣିଷ ଗଛ ଲଗାଇ ମାଳିଟି ଫଳ ଆଶା କରିବା ତ ଦୂରର କଥା, ମଣିଷଗଛଟି ଭସ୍ମାସୁର ପରି ଗୋଡାଏ ମାଳିକୁ! ସେଠି ଜନ୍ମଦାତା ବା ଜନ୍ମଦାତ୍ରୀର ତ୍ୟାଗ ଓ ବଳିଦାନକୁ କିଏ ବା ବୁଝିବ! କାରଣ କଳିଯୁଗରେ ଦଣ୍ଡ ଶୀଘ୍ର ମିଳେନାହିଁ । ସେଥିପାଇଁ ଏଠି ପାପ ପୂଣ୍ୟରେ ପରିଣତ ଓ ମିଛ ଶକ୍ତିଶାଳୀ ।

ବିଜ୍ଞାନର ଉଦ୍ଧ୍ୱର୍ରେ ବି କିଛି କଥା ଆଜିମଧ୍ୟ ଦୁର୍ବୋଧ୍ୟ । ବୈଜ୍ଞାନିକମାନେ ବିଜ୍ଞାନାଗାରରେ ପରୀକ୍ଷା ଚଳେଇଛନ୍ତି ଈଶ୍ୱରଙ୍କ ଅସ୍ତିତ୍ୱ ବିପକ୍ଷରେ । ପାପ, ବିଶ୍ୱାସଘାତକତା, ପ୍ରବଂଚନା, ଛଳନା, ଷଡଯନ୍ତ୍ର ବୃଦ୍ଧି ପାଇଚାଲିଛି । ଏସବୁର ମୂଳୋତ୍ପାଟନ ବିଜ୍ଞାନ ହାତରେ ନାହିଁ । ଈଶ୍ୱରଙ୍କ ହାତରେ ଥାଇପାରେ କାରଣ ଆଜି ମଧ୍ୟ କିଛି ସରଳବିଶ୍ୱାସୀ ଅନ୍ୟର କ୍ଷତିସାଧନ ନକରି ଅଚିନ୍ତନୀୟ ଅକଳ୍ପନୀୟ ଈଶ୍ୱରଙ୍କ ସେବାରେ ମଗ୍ନ ଥାଆନ୍ତି । ଈଶ୍ୱରବିଶ୍ୱାସ ସେମାନଙ୍କୁ ଅକର୍ମ କରିବାରୁ ରୋକେ । ତେଣୁ ଈଶ୍ୱରଙ୍କୁ ତର୍କର ବିଷୟବସ୍ତୁ ବନେଇ ପ୍ରକୃତ ତର୍କରୁ ଦୂରେଇଯିବା ବିଜ୍ଞତାର ପରିଚାୟକ ନୁହେଁ । ସେକଥା ଅଳ୍ପଜ୍ଞାନୀଟିଏ ବୁଝିବା ଅସଂଭବ ।

ଶାସ୍ତ୍ରରେ କୁହାଯାଇଛି- ଭାବକୁ ନିକଟ, ଅଭାବକୁ ଦୂର । ତେଣୁ ଅନ୍ତର୍ଚକ୍ଷୁର ଉନ୍ମୀଳନ ପାଇଁ ଜ୍ଞାନ ଆହରଣ ଆବଶ୍ୟକ । ଈଶ୍ୱରଙ୍କୁ ଅନୁଭବ କରିବା ପାଇଁ ତର୍କ ନୁହେଁ ଜ୍ଞାନାଲୋକ ସହିତ ସୂକ୍ଷ୍ମ ଅନୁଭବ ମଧ୍ୟ ଜରୁରୀ । ଯାହା ନିଆଁ କିମ୍ବା ବରଫପିଣ୍ଡ ପାଖରେ ବସି ଅନୁଭବ କରାଯାଇପାରେ । ଫୁଲ ବଗିଚା କିମ୍ବା କଂଟାବଣର ଅନୁଭବ ଯେପରି ପୃଥକ୍ ଈଶ୍ୱରଙ୍କ ସ୍ଥିତିର ଅନୁଭବ ମଧ୍ୟ ତଦନୁଯାୟୀ ଭିନ୍ନ । କୋଣସି ଜିନିଷ ଅଦରକାରୀ ନୁହେଁ । କିନ୍ତୁ ସେସବୁକୁ ବୁଝିବାକୁ ଅକ୍ଷମ ସମସ୍ତେ । ନାସ୍ତି ବିଦ୍ୟା ସମଂ ଚକ୍ଷୁଃ, ନାସ୍ତି ସତ୍ୟ ସମଂ ତପଃ । ନାସ୍ତି ରାଗ ସମଂ ଦୁଃଖଂ, ନାସ୍ତି ତ୍ୟାଗ ସମଂ ସୁଖଂ । ଅର୍ଥାତ୍ ବିଦ୍ୟା ପରି ଚକ୍ଷୁ ନାହିଁ (ବିଦ୍ୟା ବା ଜ୍ଞାନାଲୋକ ଦ୍ୱାରା ଭିତର ବାହାର ସବୁକିଛି ସ୍ପଷ୍ଟ ଦିଶେ) । ସତ୍ୟ ପରି ତପ ନାହିଁ (ସତ୍ୟାନୁସରଣ କରିବା), କ୍ରୋଧ ପରି ଦୁଃଖ ନାହିଁ (କ୍ରୋଧହେତୁକ କ୍ରିୟା, ପ୍ରତିକ୍ରିୟା ଶରାଘାତଠାରୁ କମ୍ ପୀଡାଦାୟକ ନୁହେଁ), ତ୍ୟାଗ ପରି ସୁଖ ନାହିଁ । ଏସବୁକୁ ବୁଝିବାକୁ ଜ୍ଞାନ ଦରକାର ଯାହାର ଆଦର ଏ ଯୁଗରେ ନାହିଁ । ଗୁଣ ଚିହ୍ନେ ଗୁଣିଆ । କିନ୍ତୁ ଗୁଣିଆମାନଙ୍କ ଅଭାବ ଏ ଯୁଗରେ ।

ବିଖ୍ୟାତ ଇଂରାଜୀ କବି ଜନ୍ ଡ୍ରାଇଡେନ୍‌ଙ୍କ ମତରେ- ଆମେ ପ୍ରଥମେ ନିିଜ ଅଭ୍ୟାସଗୁଡିକୁ ବନାଉ, ଏହି ଅଭ୍ୟାସଗୁଡିକ ପରେ ଆମକୁ ବନାନ୍ତି । ସରଳ ଭାଷାରେ କହିବାକୁ ଗଲେ ବର୍ତ୍ତମାନ ସମାଜ ଯେଉଁସବୁ ଅରାଜକତା, ସାମାଜିକ ମାନସିକ ଦୁଃଖଦୁର୍ଦ୍ଧଶା ଓ ଭୟଭ୍ରାନ୍ତି ଦ୍ୱାରା ଆକ୍ରାନ୍ତ ସେସବୁ ନିଜେ ନିଜପାଇଁ ବନେଇଛି । ଏବେ ଲୋକଙ୍କ ଅସ୍ଥିମଜ୍ଜାରେ ସେସବୁ ଅବିଗୁଣ ପ୍ରବାହିତ, ଯେଉଁଠାରୁ ନିସ୍ତାର ନାହିଁ ।

ଆଜିର ଏ ଅବିଶ୍ୱସ୍ତ ସମାଜରେ ଭାଇଚାରା କମ୍, ଗୋଟେ ମାଆପେଟର ଭାଇ ବି ଶତ୍ରୁ । ବାପାମାଆ ପିଲାଙ୍କ ପାଇଁ ଅଲୋଡା ଅଖୋଜା ତ ପୁଣି କେଉଁଠି କନ୍ୟାସନ୍ତାନକୁ ମାଆଟିଏ ଅଳିଆଗଦାରେ ଫିଙ୍ଗିଦିଏ । ଝିଅ ଜନ୍ମ ପରଘରକୁ ବୋଲି ବାପାମାଆ ପୁଅଝିଅଙ୍କ ଭିତରେ ତାରତମ୍ୟ ଦେଖନ୍ତି । ଏଭଳି ନାନା ପ୍ରକାରର ସାମାଜିକ ଓ ମାନସିକ ସମସ୍ୟା ଭିତର ଦେଇ ମାନବତା ଗତି କରୁଥିବାବେଳେ ନିଜକୁ ସମାଜର ଶ୍ରେଷ୍ଠ ଜୀବ ମଣିଷ କହିବାରେ କୁଣ୍ଠା ଆସୁଛି । ଅମାନବୀୟ ସମାଜର ଅଂଶବିଶେଷ ଭାବେ ମଣିଷମାନେ ଦୁର୍ମୂଲ୍ୟ ପାଲଟିଗଲେଣି ! କିଏ ଜାଣେ ଆଗକୁ ମଣିଷମାନଙ୍କୁ ନେଇ ଚିଡିଆଖାନାରେ ଭର୍ତ୍ତି କରାନଯିବ ବୋଲି !

ଛୋଟଛୋଟ କଥାରେ ପାଚେରୀ ଉଠୁଛି ପରିବାରରେ ! ଯଦିଓ ଧର୍ମିୟ ବିଭିନ୍ନତା ଭାଇଚାରାକୁ ପ୍ରଭାବିତ କରେ, ତେବେ ବି ଆମ ସମ୍ବିଧାନ ଉଦାରତାଭିତ୍ତିରେ ଗଳାବାଟଟିଏ ରଖିଥାଏ ଅନ୍ୟାୟ, ଅନୀତି ଓ ବିଶ୍ୱାସଘାତକତାକୁ ଆପଣେଇଥିବା ଲୋକମାନଙ୍କ ପ୍ରୀତ୍ୟାର୍ଥେ । କୌଣସି ନା କୌଣସି ବାଟରେ ଷଡଯନ୍ତ୍ରକାରୀମାନେ ଆତଙ୍କ ଘଟାଇ ଚାଲିଥାନ୍ତି ଅଥଚ ପ୍ରତିରୋଧ କରିବାକୁ ସମସ୍ତେ ପଛଘୁଞ୍ଚା ଦିଅନ୍ତି ଯେପର୍ଯ୍ୟନ୍ତ ନିଜେ କ୍ଷତାକ୍ତ ନହୋଇଛନ୍ତି ! ଆମ ଦେଶର ଲୋକମାନଙ୍କଠାରେ ସ୍ୱାର୍ଥସଂପର୍କିତ ସଚେତନତା ଅଧିକ କିନ୍ତୁ କର୍ତ୍ତବ୍ୟ ସଂପର୍କରେ ଉଦାସୀନ । ନୂଆ ସମସ୍ୟା ଭିତରେ ଲୋକମାନେ ଏତେ ପରିମାଣରେ ଆକ୍ରାନ୍ତ ଯେ ଗତକାଲିର ସମସ୍ୟା ଆଜି ପାଇଁ ଗୁରୁତ୍ୱହୀନ ! କାରଣ ଆଜି ପୁଣି ନୂଆ ସମସ୍ୟାର ଜଟିଳତା, ଯାହାର ସମାଧାନର ବାଟ ବେଳେବେଳେ ବିପଦସଂକୁଳ !

ସାମାଜିକ, ଦେଶୀୟ, ବୈଦେଶିକ ସମସ୍ୟାଗୁଡିକୁ ଅଣଦେଖା କରି ସ୍ୱାର୍ଥ ସଂବଳିତ ଜୀବନର ତନ୍ମୟତା ଭିତରେ ଆଚ୍ଛନ୍ନ ଲୋକମାନେ ସଂକୀର୍ଣ୍ଣମନା, ନୀଚାଭିଳାଷୀ । ଏଭଳି ସଚେତନତାକୁ ଏଡେଇଯାଇ କହନ୍ତି- ନିଜ ସମସ୍ୟା ତ ସମାଧାନ କରିବା ମୁସ୍କିଲ୍ । ଅନ୍ୟକଥା ପାଇଁ ବେଳ କାଇଁ ? ଏହି ମାନସିକତା ମଣିଷକୁ ଏକାକୀ ଓ ସମସ୍ୟାସର୍ବସ୍ୱ ବନେଇଦେଉଛି ।

ମଣିଷ ଏବେ କୂପ-ମଣ୍ଡୁକ ପ୍ରାୟ ! ନିଜ ସଂକୁଚିତ ପୃଥିବୀକୁ ହିଁ ନିଜ ସୀମାରେଖା ମଣି ସେଇଠି କେଁ କଟର କରିଚାଲିଛି । କୂଅର ମଇଳା ଜଳ ଉପରେ ଭାସୁଥିବା ପୋକଜୋକମାନଙ୍କ ଉପରେ ତାର ରାଜୁତି କାହିଁରେ କଣ! ସେଇଠି ସେ ରାଜା । ବାହାରକୁ ଆସିଲେ ତାର ପରାଜୟ ସୁନିଶ୍ଚିତ କାରଣ ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ସାମ୍ନା କରିବାର ଶକ୍ତି କି ସାମର୍ଥ୍ୟ ତାଠାରେ ନଥାଏ । ସେ ଜାଣେ ସେ ନିର୍ବଳ! ତେଣୁ କୂଅ ଭିତରେ ଛପିରହି ସିଂହ ପରି ଗର୍ଜନ କରେ ଅଥଚ ସେ ଯେ ବେଙ୍ଗ ସେ ଅଭାବ ତାକୁ କୋରିପକାଏ! ସେ ଜାଣେ ଅଳ୍ପ ଦିନ ତାର ଏ କ୍ଷମତା! କାଳସର୍ପ ଯେ କେବେ କୂଅ ଭିତରୁ ତାର ପ୍ରାଣ ଘେନିଯିବ ସେଥିପାଇଁ ଭୟଭୀତ ହୁଏ । ପାଣି ଉପରେ ପଡୁଥିବା ଛାଇକୁ ଦେଖି ବି ରଡେ । କିନ୍ତୁ ପ୍ରଜାପତି ତାର ଉଡୁଥାଏ, ସାରାବିଶ୍ୱର ମଧୁମୟତାକୁ ଅନୁଭବ କରିବାକୁ । ହେଉପଛେ ସୂକ୍ଷ୍ମ ଶରୀର, ହେଲେ ଫୁଲ ଉପରେ ତାର ପାଦ..ଯେଉଁ ଫୁଲ ଈଶ୍ୱରଙ୍କ ଗଳାରେ ଲାଗିହୁଏ । ତା ରୂପଗୁଣରେ ଆତ୍ମହରା ହୁଅନ୍ତି ସମସ୍ତେ । କୂପ ମଣ୍ଡୁକ ପରି ମଣିଷର ଅବସ୍ଥା ଆଜିକାଲି! ପ୍ରଜାପତି ପରି ସାଧନା କାହିଁ ତା ଭିତରେ! ସଂକୁଚିତ ପୃଥିବୀରେ ନିଜକୁ ହୀନମନା କରିଦେଲେ ଦୁର୍ଲ୍ଲଭ ଜୀବନଟି ନିରର୍ଥକ !

ଆପଣା ହସ୍ତେ ଜିହ୍ୱା ଛେଦି, କେ ଅଛି ତାର ପ୍ରତିବାଦୀ ପରି ଅବ୍ୟବସ୍ଥାର ସୁଯୋଗ ନେଇ ଆତଙ୍କବାଦୀମାନେ ଆମ ଗହଣରେ ନିର୍ଭୟରେ ଚଳପ୍ରଚଳ ହୁଅନ୍ତି, ନରହନ୍ତାମାନେ କାରାଗାରରେ ସଜା କାଟି ପୁନର୍ବାର ନରହତ୍ୟାର ମସୁଧା ଚଲେଇଥାଆନ୍ତି । ବିଶ୍ୱାସଘାତକମାନେ ବାରମ୍ବାର ଅନ୍ୟମାନଙ୍କର ବିଶ୍ୱାସକୁ ହତ୍ୟା କରି କ୍ଷମତାର ମଜା ଲୁଟୁଥାନ୍ତି! ସୀମା ହାଇଦର୍ ନାମ୍ନୀ ସ୍ତ୍ରୀଲୋକଟିଏ ବିଦେଶରୁ ଆସି ନିଜକୁ ଠିକ୍ ପ୍ରମାଣ କରି ଏହିଠାରେ ରହିଯାଏ । ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢେ । ସରକାରୀ ଜମି ସ୍ଥାୟୀ ଜମିପଟ୍ଟାରେ ପରିଣତ ହେଉଥାଏ ।

ନିଜମାଟିର ହତାଶ ଯୁବକମାନେ ଅନ୍ୟରାଜ୍ୟରେ ଦାଦନ ଖଟନ୍ତି! ସମାଜର ଏ ଦୁଃସ୍ଥଚିତ୍ରକୁ ସମସ୍ତେ ଦେଖନ୍ତି, ବୁଝନ୍ତି ଅଥଚ ପାଟି ଖୋଲିନ୍ତିନି । ଜନସାଧାରଣଙ୍କ କଷ୍ଟାର୍ଜିତ ଅର୍ଥକୁ ବିଭିନ୍ନ ଯୋଜନାରେ ଯୋଡି, କ୍ରେଡିଟ୍ ନିଅନ୍ତି ନେତାମାେନ । ଲୋକମାନେ କିନ୍ତୁ ଦଳ ନାଁରେ ହଣାକଟା ହୋଇ ନିଜ ନିଜ ଭିତରର ଫାଟ ଓ ଅସହିଷ୍ଣୁତାକୁ ପ୍ରଗାଢ କରୁଥାନ୍ତି । ଏସବୁ ଆମ ଅପାରଗତା, ସରଳତା ନା ସ୍ୱାର୍ଥାନ୍ଧତା ନିଜକୁ ପଚାରିବାର ସାହସ ଅଛି? ମଣିଷ ମଣିଷର ସର୍ବଶ୍ରେଷ୍ଠ ଶତ୍ରୁ ବୋଲି ସବୁ ବାଗରେ ପ୍ରମାଣିତ ହୋଇସାରିଲାଣି । କାରଣ ଈଶ୍ୱର ମଣିଷକୁ ଯଥେଷ୍ଟ ବୁଦ୍ଧି ବିବେକ ଦେଇଛନ୍ତି ଭଲ ମନ୍ଦ, ନ୍ୟାୟ ଅନ୍ୟାୟର ପ୍ରଭେଦ ଦର୍ଶାଇ । ତେଣିକି ସେ ଯାହାକୁ ବାଛିନେଉଛି ତାହା ହିଁ ତାର ଅସଲ ପରିଚୟ, ସେଥିରେ ମଣିଷପଣିଆ ଧ୍ୱଂସହେଉ ପଛେ କାହାର କିଛି ଯାଏ ଆସେନା । ପ୍ରକୃତରେ ମଣିଷ ପରି ଦେଖାଯାଉଥିବା ସବୁ ମଣିଷ, ମଣିଷ ପଦବାଚ୍ୟ ନୁହନ୍ତି । ଅନ୍ୟର ଅନିଷ୍ଟସାଧନ କରୁଥିବା ମଣିଷ, ନରଖାଦକ ପଶୁଙ୍କଠାରୁ ବି ଭୟଙ୍କର !

ମଣିଷର ଅନ୍ତର୍ମନକୁ ଭଲଭାବେ ବୁଝିଥିବା ଗ୍ରୀକ୍ ଦାର୍ଶନିକ ଏପିକ୍‌ଟେଟସ୍‌ଙ୍କ ମତରେ- କଠିନ ସମୟରେ ମଣିଷର ଗଭୀରତା ଜଣାପଡେ । ଆମ ଜୀବନର କଠିନ ସମୟ ନିଜ ସହିତ ଅନ୍ୟମାନଙ୍କୁ ମଧ୍ୟ ଚିହ୍ନାଇଦେଇଥାଏ । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ନିଜର ସଚ୍ଚୋଟତା ଓ ପରୋପକାର ହିଁ ମଣିଷର ସାରବତ୍ତା । ନହେଲେ କୂପମଣ୍ଡୁକ କିମ୍ବା ନରଖାଦକ ପରି ନିଜକୁ ଧ୍ୱଂସମୁଖୀ କରିବା ହିଁ ସାରହେବ । ପ୍ରକୃତି ଭଂଗାଡାଳରୁ କଅଁଳିବା ଶିଖେଇଛି । ପାଉଁଶଗଦାରୁ ସବୁଜିମା ସୃଷ୍ଟି କରିବା ସହିତ ପରୋପକାର ପାଇଁ ବାଟ ବତାଇଛି । ପ୍ରକୃତି ହିଁ ପୁନର୍ଗଠନର ତୀବ୍ର ଆହ୍ୱାନ, ଏକଥା ଭୁଲିବା ଅନୁଚିତ !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top