ସମ୍ପାଦକୀୟ

ପ୍ରକରଣ, ଅନୁକରଣ, ହନୁକରଣ

Dr Mousumi Parida's odia editorial article Prakarana, Anukarana, Hanukarana

ମାନବତାର ପରିଭାଷା କ’ଣ ଏତେ ପରିମାଣରେ ବଦଳିଯାଇଛି ଯେ ଆମେ କଂସେଇ ପାଲଟିଯାଇଛୁ ନିଜ ରକ୍ତ ମାଂସ ଝୁଣି ଖାଇବାକୁ

ପ୍ରକରଣ, ଅନୁକରଣ, ହନୁକରଣ

ସ୍ୱଚୟନ ଅନୁସାରେ ଆପଣେଇଥିବା ନିର୍ଦ୍ଧିଷ୍ଟ ପଦ୍ଧତିକୁ ଉଚିତ୍ ଓ ସର୍ବୋତ୍ତମ ମନେକରି ଆମେମାନେ ବିଭିନ୍ନ ବାଦ, ବିଶ୍ୱାସ ବା ଶୈଳୀକୁ ବିଶ୍ୱାସ କରୁ । ତାହାକୁ ହିଁ ଶତ ପ୍ରତିଶତ ଉଚିତ୍ ଏବଂ ସର୍ବୋକୃଷ୍ଟ ମନେକରିଥାଉ । ଫଳତଃ ନିଜ ଆଧାରିତ ନିୟମାନୁଯାୟୀ ଆମେ ଜୀବନଧାରଣ କରୁ । ସୁଯୋଗ ମିଳିବା ମାତ୍ରେ ଆମେ ଅନୁସରଣ କରୁଥିବା ପଦ୍ଧତି ସପକ୍ଷରେ ଯୁକ୍ତି ବାଢୁ, ଚିତ୍କାର କରୁ ଓ ସମର୍ଥନ କରିବାକୁ କିଛି ସପକ୍ଷବାଦୀଙ୍କୁ ଯୋଗାଡ କରୁ । ସେଥିପାଇଁ ହାତରୁ କିଛି ଖର୍ଚ୍ଚ ହେଉ ପଛେ କିନ୍ତୁ ନିଜ ଅହଙ୍କାରର ବିଜୟଲାଭ ପାଇଁ ଆପଣା ବ୍ୟକ୍ତିସତ୍ତାଟିକୁ ନିମ୍ନଗାମୀ କରିବାକୁ ଜୀବନଧାରଣର ସାଧାରଣ ନିୟମ ବୋଲି ଭାବିନେଉ । ସେଥିପାଇଁ କିଛିଲୋକ ପୁରାଣ, ଇତିହାସର ଅନୁଚିତ ଓ ଭୁଲ୍ ଘଟଣାର ତାର୍କିକ ଅନୁଶୀଳନ କରି ବିଭ୍ରାନ୍ତିର କଥା ଓ ତଥ୍ୟର ପ୍ରଚାର ପ୍ରସାର କରନ୍ତି । ସାଧାରଣ ଲୋକଟି ଉଚିତ୍ ଅନୁଚିତ୍ ବିଚାରରୁ ଉଦ୍ଧ୍ୱର୍ରେ ଥିବାରୁ ସେ ଠିକ୍ ପରିଦୃଶ୍ୟ ହେଉଥିବା ଭୁଲ୍ ବିଚାରଟିକୁ ଗ୍ରହଣ କରିନେବାକୁ ଚାଧ୍ୟ ହୁଏ କାରଣ ପ୍ରଥମତଃ ତା ପାଖରେ ମୌଳିକ ବା ବିଷୟଭିତ୍ତିକ ଜ୍ଞାନର ଅଭାବ ଥାଏ ଦ୍ୱିତୀୟତଃ ଆଜିକାଲି ସତ୍ୟ ପରି ମନେହେଉଥିବା ଗୁଡେ ବିଭ୍ରାନ୍ତିକର ତଥ୍ୟସମ୍ବଳିତ ମିଥ୍ୟାକୁ ଭାଙ୍ଗିରୁଜି ସତ୍ୟବୋଧ ହେବା ପରି ରୋଚକ ଓ ଆକର୍ଷଣୀୟ ଭାବେ ପରିବେଷଣ କରାଯାଉଥିବାରୁ ସାଧାରଣ ଲୋକଟି ସତ୍ୟ ସପକ୍ଷରେ ସନ୍ଦିହାନ ଥାଏ ।

ମଣିଷ ଭିତରର ହିଂସ୍ରତା, ସାଧୁତା, ଅନ୍ୱେଷା, ସ୍ୱାର୍ଥପରତା ଆଦିମ କାଳରୁ ରହିଆସିଛି । ଅଥଚ ଆତ୍ମପ୍ରଚାରର ଦୁରାରୋଗରେ ଆଗରୁ ଏଭଳି ଆକ୍ରାନ୍ତ ହୋଇଥିବାର କୌଣସି ଦୃଷ୍ଟାନ୍ତ ପରିଦୃଶ୍ୟ ହୁଏନାହିଁ । ମନୁଷ୍ୟ ଭିତରେ ବହୁ ବିଭାବନା ଓ ବ୍ୟକ୍ତିସତ୍ତାରେ ବହୁ ବିଡମ୍ବନା ପରିଲକ୍ଷିତ ହୋଇପାରେ ବୋଲି ପୁରାତନ ସାଧୁସନ୍ଥ ବା ବିଶିଷ୍ଟ ମନସ୍ତତ୍ତ୍ୱବିଦ୍ ଓ ଭବିଷ୍ୟଦ୍ରଷ୍ଟାମାନେ ଆକଳନ କରି ତାର ନିରାକରଣ ଉଲ୍ଲେଖ କରିଯାଇଛନ୍ତି ।

ନମନ୍ତି ଫଳିନୋ ବୃକ୍ଷାଃ, ନମନ୍ତି ଗୁଣିନୋ ଜନାଃ । ଶୁଷ୍କବୃକ୍ଷାଶ୍ଚ ମୂର୍ଖାଶ୍ଚ, ନ ନମନ୍ତି କଦାଚନ ।

ଅର୍ଥାତ୍ ଫଳରେ ଭରିଯାଇଥିବା ବୃକ୍ଷ ଧରିତ୍ରୀ ପ୍ରତି ସମ୍ମାନ ପ୍ରଦର୍ଶନ କରି ପ୍ରଣାମ କରୁଥାଏ ( କାରଣ ଫଳରେ ନଦି ହୋଇଥିବା ଗଛର ଡାଳଗୁଡିକ ଭାରି ହୋଇ ନଇଁପଡିଥାନ୍ତି), ଗୁଣୀଜନମାନେ ମଧ୍ୟ ନମ୍ର ଓ ବିନୟ ଥାଆନ୍ତି କିନ୍ତୁ ମୂର୍ଖ ମଣିଷ ଶୁଖିଲା କାଠ ପରି କାହା ସମ୍ମୁଖରେ କେବେ ମଧ୍ୟ ନମ୍ରତା ପ୍ରଦର୍ଶନ କରନ୍ତି ନାହିଁ । ତେଣୁ କେଉଁ ଚେତନାକୁ ନିଜ ଭିତରେ ପ୍ରତିଷ୍ଠା କରିବା ଉଚିତ୍ ଆମକୁ ହିଁ ଚୟନ କରିବାକୁ ହେବ । ପ୍ରକୃତି ବଡ ଅଦ୍ଭୂତ । ବିଷଠାରୁ ଆରମ୍ଭ କରି ଅମୃତ ପର୍ଯ୍ୟନ୍ତ ସେ ସକଳ ଜୀବ, ନିର୍ଜୀବ, ଜଡଙ୍କୁ ଆବୋରି ଧରିବା ସହିତ ସମସ୍ତ ପ୍ରଶ୍ନ ସହିତ ଉତ୍ତରମାନ ବି ଧାରଣ କରିଛି । ପ୍ରକୃତିକୁ ନୀରବରେ ନିରୀକ୍ଷଣ କଲେ ଜୀବନକୁ ସରଳ ଓ ସହଜ ବନେଇ ହୁଏ । କୌଣସି ଅତ୍ୟାଧୁନିକ ଜ୍ଞାନକୌଶଳ ବିନା ଆଗକାଳରେ ସାଧୁସନ୍ଥମାନେ ପ୍ରକୃତି ସହାୟତାରେ ନିଜ ଜୀବନଧାରଣ ପଦ୍ଧତିକୁ ସୁମାର୍ଗରେ ପରିଚାଳିତ କରିପାରିଥିଲେ ଓ ଭବିଷ୍ୟତର ସମସ୍ୟାଗୁଡିକୁ ତର୍ଜମା କରି ତାର ନିରାକରଣ ମଧ୍ୟ ଉଲ୍ଲେଖ କରିଯାଇଛନ୍ତି । ଅବଶ୍ୟ ସେସବୁ ପୁରାତନ ସମୟ ଓ ସ୍ଥିତିକୁ ନେଇ କୁହାଯାଇଛି ବୋଲି କହି ଆମେମାନେ ଟାଳିଦେଉଛେ, କିନ୍ତୁ ମନୁଷ୍ୟର ଚାଲିଚଳଣ ଓ ମାନସିକ ପରିବର୍ତ୍ତନ ଯେ ଯୁଗ ଅନୁଯାୟୀ ବଦଳିଯାଉଛି ତାହା ଅନସ୍ୱୀକାର୍ଯ୍ୟ ।

ଆମ ଭିତରେ ଆମାନବୀୟତାର ଅନୁପ୍ରବେଶ ତ ଥିଲା ଆଗରୁ କିନ୍ତୁ ଏହା ଯେ ତୀବ୍ରଗତିରେ ସୀମା ଲଂଘନ କରୁଛି ଦିନକୁ ଦିନ, କହିବା ବାହୂଲ୍ୟ । ମଣିପୁର ଅଘଟଣ, ରୁଷ୍ ୟୁକ୍ରେନ୍ ଯୁଦ୍ଧ, ଇଜ୍ରାଏଲ୍ ହମାସ୍ ଯୁଦ୍ଧ ବା ଆମ ସୀମାରେ ଯାହାସବୁ ଘଟିଛି ବା ଘଟୁଛି ଏସବୁ ମାତ୍ର କିଛି ଉଦାହରଣ । ଯେଉଁଠାରେ ଅବୋଧ ଶିଶୁଟିଏ ଲହୁଲୁହାଣ, ଖଣ୍ଡବିଖଣ୍ଡିତ ସେଠାରେ ବର୍ବରତା ଯେ କୋଉ ସୀମା ପାର କରିଗଲାଣି, ସେସବୁ ଅସହାୟତାରେ ଭରିଦେବାକୁ ଯଥେଷ୍ଟ । ସାତ ମାସର ଶିଶୁଠାରୁ ସତୁରୀ ବର୍ଷର ବୃଦ୍ଧାମାନେ ସୁରକ୍ଷିତ ନୁହନ୍ତି, ତେଣୁ ନାରୀ ସଶକ୍ତିକରଣ, ନାରୀ ସ୍ୱାଧୀନତା ବା ଅତ୍ୟାଧୁନିକତା ପରି କିଛି ଫମ୍ପା ଶବ୍ଦ କେବଳ ନାମକୁ ମାତ୍ର ଚମକ ସୃଷ୍ଟି କରନ୍ତି । ନାରୀକୁ ଆର୍ଥିକ ଲାଭ ଦେଖେଇ ତା ନାରୀତ୍ୱ ଲୁଣ୍ଠନକାରୀମାନଙ୍କୁ ନିୟମର ବିଭିନ୍ନ ଆଳରେ ବଂଚାଇବା ଆମ ବ୍ୟବସ୍ଥାର ବହୁମୁଖିତା ପ୍ରମାଣିତ କରେ । ଯେଉଁ ବର୍ବରତା ପାଇଁ ଆମେ ମୋଗଲମାନଙ୍କୁ ଧିକ୍କାର କରୁଥିଲୁ, ଯେଉଁ ନୃଶଂସତା ଓ ଏକଛତ୍ରବାଦୀ ଶାସକ ନେପୋଲିୟନ୍‌ଙ୍କୁ ଘୃଣା ଓ ଉପନିବେଶ ଜରିଆରେ ପ୍ରଭୂତ୍ୱ ବିସ୍ତାର କରି ନିରଙ୍କୁଶ ଶାସନ ଚଲେଇଥିବା ଇଂରେଜମାନଙ୍କୁ ତଡିବାକୁ ଜୀବନର ବାଜି ଲଗେଇ ଦେଇଥିଲୁ ସେ ବର୍ବରତା କିମ୍ବା ଚାଲାକୀ କଣ ଏବେ ନାହିଁ ?? ତେବେ ଇସ୍ରାଏଲ୍ ହମାସ୍ ଯୁଦ୍ଧ ମାନବତାର କେଉଁ ସଂଜ୍ଞା ଦ୍ୱାରା ଅବଧାରିତ ? ମାନବତାର ପରିଭାଷା କଣ ଏତେ ପରିମାଣରେ ବଦଳିଯାଇଛି ଯେ ଆମେ କଂସେଇ ପାଲଟିଯାଇଛୁ ନିଜ ରକ୍ତ ମାଂସ ଝୁଣି ଖାଇବାକୁ ? ମାନବତାର ଏ କି ବିକଳ ନିଦର୍ଶନ? କଣ ପାଇଁ ଏସବୁ ଯୁଦ୍ଧ ଓ କେଉଁ ପ୍ରକାରର ବିଜୟଲାଭ ଏମାନଙ୍କ କାମ୍ୟ ଓ କାହା ବିନିମୟରେ ?

ଏକଥା ଏବେ ସ୍ୱୀକାର କରିବାକୁ ହେବ ଯେ ସମାଜର ରୂପରେଖ ଏବେ ବି ବିଶେଷ ବଦଳିନାହିଁ ବରଂ ଅବନତି ହେବାରେ ଲାଗିଛି । ବିଶ୍ୱରେ ମାନବତା ଓ ମୂଲ୍ୟବୋଧର ଅବକ୍ଷୟ ହୋଇଚାଲିଛି । ଏବେ ବି ଆଗ ପରି ରାଜରାଜୁଡା ବେଳର ସୀମା-ଯୁଦ୍ଧ, ଜାତିଧର୍ମକୁ ନେଇ ପ୍ରଭେଦ, ଜନସାଧାରଣଙ୍କୁ ଭୁଆଁ ବୁଲେଇ ଏକଛତ୍ରବାଦ ଜାରି ରଖିବାର ପ୍ରୟାସ, ଝିଅବୋହୂ ଓ ଶିଶୁମାନଙ୍କ ଉପରେ ସୀମା ଅଲଂଘନୀୟ ବର୍ବରତା, ଏପରିକି ଗାଁଗଣ୍ଡାରେ ରାଜନୀତିକୁ ନେଇ ଗୋଷ୍ଠୀକନ୍ଦଳ, ସ୍ୱାର୍ଥପରତା ଓ ନିମ୍ନ ମାନସିକତା ଏତେ ତୀବ୍ର ଯେ ଅଣନିଶ୍ୱାସୀ ଲାଗୁଛି ଏଭଳି ପୃଥିବୀରେ! ମନେହେଉଛି ଗୋଟିଏ ଥାଳିରୁ କିଛି ଲୋକ ଛଡାଛଡି ହୋଇ ଖାଉଛନ୍ତି, ଭାଗ ଛିଡୁନାହିଁ । ତେବେ ବି କିଛି ଲୋକ ଅଳ୍ପରେ ବଂଚି ବି ପ୍ରତିବାଦ କରୁନାହାନ୍ତି । କିନ୍ତୁ ଅଧିକ ପାଇ ମଧ୍ୟ ପ୍ରତିବାଦର ନାରା ଲଗାଇଚାଲିଛନ୍ତି ଅପରପକ୍ଷର ସୁବିଧାବାଦୀମାନେ । ଫଳରେ ସେମାନଙ୍କ ପାଟି ଚୁପ୍ କରାଇ ଦିଆଯାଉଛି କିଛି ସୁବିଧା ଜରିଆରେ । କିନ୍ତୁ ନୀରବ ରହୁଥିବା ଲୋକମାନଙ୍କ ପାଇଁ ନା କିଛି ଚିନ୍ତା କରାଯାଉଛି ନା ସମର୍ଥନ କରାଯାଉଛି । ଗାଁ ଗହଳିରେ କଥାଟିଏ ଅଛି- ଛୁଆଟି କାନ୍ଦିଲେ ସିନା ମାଆ ବୁଝିପାରେ ତାର ଅସୁବିଧା, ନକାନ୍ଦିବାଯାଏଁ ମାଆ ବି ତା ପାଇଟିରେ ବ୍ୟସ୍ତ ଥାଏ । ଏଠି ପ୍ରଶ୍ନ ଆସେ- ମାଆକୁ ଯଦି ସବୁକଥା ତା ଛୁଆଟି କାନ୍ଦ ବା କଥା ଦ୍ୱାରା ଜଣେଇବାର ପ୍ରୟାସ କରେ ତେବେ ମାଆପଣର ଗୁରୁତ୍ୱ କଣ କେବଳ ଗର୍ଭଧାରଣ କରିବା ? ତାକୁ ଦେବୀ ଭାବରେ ଆରୋପିତ କରାଉଥିବା ମାତୃଶକ୍ତିର ଲାଳନପାଳନର ଗୁରୁତ୍ୱପୂର୍ଣ୍ଣ ଭୂମିକାଟିକୁ କଣ ବାଦ୍ ଦେଇହେବ! ସେଥିପାଇଁ ପ୍ରତିକ୍ଷେତ୍ରରେ ସଂପର୍କର ପରିଭାଷା ଓ ପରିବର୍ଣ୍ଣନା ଭିନ୍ନାଭିନ୍ନ ।

ବିଭିନ୍ନ ବିଭାଗ ରହିଛି ବିଭିନ୍ନ ବର୍ଗର ସମସ୍ୟାକୁ ଉତ୍ଥାପିତ କରିବାକୁ । ସେଥିପାଇଁ ଆନ୍ଦୋଳନର ଆବଶ୍ୟକତା କାହିଁକି ? ଯେଉଁଠାରେ ସମାନ ସ୍ଥିିତିରେ ଥିବା ଲୋକମାନଙ୍କ ଭିତରେ ଆର୍ଥିକ ତାରତମ୍ୟ ପରିଲକ୍ଷିତ ହୋଇଛି ସେଠାରେ ହିଁ ଆନ୍ଦୋଳନ ଓ ଆକ୍ରୋଶ ତୀବ୍ର ହୋଇଛି । ତେଣୁ ଏ ଯୁଗଟି ଆତ୍ମପ୍ରଚାରର ଯୁଗ ହୋଇପଡିଛି । ଯେଉଁଠାରେ କିଛି ଅଣଦେଖା ପ୍ରସଂଗ ବା ସମସ୍ୟାକୁ ଏଡାଇ ଦିଆଯାଉଛି, ସେହିଠାରେ ହିଁ ଆତ୍ମପ୍ରଚାରର ସୁଯୋଗଟିଏ ସୃଷ୍ଟି ହେଉଛି । ଜଣେ ଜଣେ ମିଶି ଗୋଟେ ସମୂହରେ ପରିଣତ ହୋଇ ନିଜକୁ ପ୍ରଚାର ପ୍ରସାର କରିବାରେ ଲାଗିପଡୁଛନ୍ତି । ନତୁବା କେହି ଜଣେ ପ୍ରତିଷ୍ଠା ପାଇଁ ସମୂହ ଭିତରୁ ବାହାରକୁ ଚାଲିଆସି ନିଜକୁ ସର୍ବୋତ୍ତମ ଦର୍ଶାଇବାକୁ ବିଜ୍ଞପିତ କରୁଛି । ଫଳରେ ଜୀବନର ଉଚ୍ଚତର ସୋପାନରୁ ଆମେ ଖସିଆସୁଛେ ନ୍ୟସ୍ତ ସ୍ୱାର୍ଥ ପାଇଁ ! ସେହି ସାମାନ୍ୟ ସ୍ୱାର୍ଥ ପାଇଁ ବିଭିନ୍ନ ଆଳରେ ଭୁଲ୍ ପାଖେ ନିଜ ମୁଣ୍ଡ ବିକିଦେଉଛେ ।

ଭୋକ କଣ ସବୁବେଳେ ପାପ କରାଏ ? ବରଂ ପ୍ରାସାଦରେ ରହୁଥିବା ଲୋକେ ବେଶି ପାପ କରନ୍ତି । ଭୋକିଲା ଲୋକଟେ ଲୋଭର ବଶବର୍ତ୍ତୀ ହୋଇ ବିବେକକୁ ମାରିଦେଉଛି କାରଣ ତା ସାମ୍ନାରେ ଲୋଭନୀୟ ଅଫର୍ । ଏହି ଅଫର୍‌କୁ ପ୍ରକାରାନ୍ତରେ ବିକ୍ରୀ କରୁଥିବା ଲୋକମାନେ ନିଜ ସ୍ୱାର୍ଥକୁ ସାକାରିତ କରିବାକୁ ଆତ୍ମପ୍ରଚାର କରୁଛନ୍ତି । ନିଜ ସ୍ୱଳ୍ପ ଜ୍ଞାନକୁ କିଛି ଅଳ୍ପ ଶିକ୍ଷିତଙ୍କ ଆଗରେ ପର୍ବତସମ ଉପସ୍ଥାପନ କରି ମୌଳିକତାବିହୀନ ଲୋକଙ୍କୁ କିଣି ଆପଣାର ଶକ୍ତି ଓ ସମର୍ଥନକୁ ପ୍ରମାଣିତ କରିବାକୁ ବେଶି ସମୟ ଲଗାଉନାହାନ୍ତି । ଫଳରେ ଜ୍ଞାନୀଗୁଣୀମାନେ ପଛରେ ପଡିଯାଉଛନ୍ତି । କାରଣ ତଥ୍ୟ କହେ ଆତ୍ମପ୍ରଚାରର ମୋହ ସେମାନଙ୍କଠାରେ ବିଶେଷ ଭାବେ ପରିଲକ୍ଷିତ ହୁଏ ନାହିଁ । କୌଣସି ଭିଡରେ ସାମିଲ୍ ହୋଇ ସମୟ ଅପଚୟ କରିବା ଅପେକ୍ଷା ନୀରବ ସାଧନାରେ ବୁଡିରହି ଜ୍ଞାନ ଆହରଣ କରିବା ହିଁ ସେମାନଙ୍କ ଈପ୍ସିତ ଲକ୍ଷ୍ୟ ପାଲଟିଯାଏ । ସେଥିପାଇଁ ଆତ୍ମପ୍ରଚାରଲିପ୍ତମାନେ ନିମିଷକ ଭିତରେ ଭିଡରେ ହିଁ ହଜିଯାଆନ୍ତି । କାରଣ ବାଣଟିଏ ମାତ୍ର କେଇ ସେକେଣ୍ଡ ପାଇଁ ଆଲୋକ ବିଚ୍ଛୁରିତ କରିପାରେ, କିନ୍ତୁ ଜ୍ଞାନ ରୂପକ ଘୃତରେ ନିଜକୁ ଜାଳୁଥିବା ସାଧକମାନେ ଦୀର୍ଘ ସମୟ ଧରି ଆଲୋକିତ ବିତରିତ କରୁପାରନ୍ତି ।

ଅବଶ୍ୟ ସମାଜରେ ନକାରତ୍ମକତାର ପ୍ରତ୍ୟକ୍ଷ ବା ପରୋକ୍ଷ ପ୍ରତିଫଳନ କ୍ରିୟାଟି ତୀବ୍ର ଗତିରେ ହୁଏ । ଆମେ ଯାହା କରୁ ବା କହୁ, ଯେଉଁ ଶୈଳୀକୁ ଜ୍ଞାତ ବା ଅଜ୍ଞାତରେ ଅନୁକରଣ ବା ଅନୁସରଣ କରୁ, ତାହା ଆମ ପାଖ ଲୋକମାନଙ୍କୁ କିଛି ପରିମାଣରେ ପ୍ରଭାବିତ କରିଥାଏ ସକାରାତ୍ମକ ଭାବେ ହେଉ ବା ନକାରାତ୍ମକ ଭାବେ । କେବେକେବେ ଅବଚେତନ ମନରେ ମଧ୍ୟ ଆମେ କାହାକୁ ନା କାହାକୁ ଅନୁକରଣ କରୁଥାଉ ଅଲକ୍ଷ୍ୟରେ । କାରଣ ଅନୁକରଣ ମଣିଷର ଜନ୍ମଜାତ ପ୍ରବୃତ୍ତି । ଅନୁକରଣ କରି ପିଲାଟିଏ ଚାଲି ଶିଖେ, କଥା କହି ଶିଖେ, ପଢିବା ସହିତ ଗୀତ ବୋଲିବା ବି ଶିଖେ । କହିବାକୁ ଗଲେ ମହାପୁରୁଷମାନଙ୍କ ଜୀବନ ଶୈଳୀରୁ ପ୍ରଭାବିତ ହୋଇ ସୁନାମ ଅର୍ଜନ କରିବାକୁ ପିଲାମାନଙ୍କୁ ସ୍କୁଲ୍ରୁ ହିଁ ଶିଖାଯାଏ । ଆଜିକାଲି ସାମାଜିକ ଗଣମାଧ୍ୟମ ଅନୁକରଣର ସୁପରିଚିତ ଓ ଲୋକପ୍ରିୟ ମାଧ୍ୟମ ଭାବେ ବେଶ୍ ପରିଚିତ । ଅନୁକରଣ ଆମ ରକ୍ତରେ ପ୍ରବାହିତ, ଯାହା ଅପ୍ରତିହତ ।

ଆରିଷ୍ଟଟଲ୍‌ଙ୍କ ମତରେ ମଣିଷ ସବୁଠାରୁ ଅଧିକ ଅନୁକରଣ କରୁଥିବା ପ୍ରାଣୀ ଯିଏ ପ୍ରଥମରୁ ଅନୁକରଣ ଦ୍ୱାରା ହିଁ ଶିକ୍ଷାଲାଭ କରେ । ଅବଶ୍ୟ ବ୍ୟକ୍ତି ଉପରେ ନିର୍ଭର କରେ ତାର ଚୟନ ପ୍ରକ୍ରିୟା ସେ କାହାକୁ ଗ୍ରହଣ କରିବ । ଜଣେ ବାସ୍ତବ ସାଧୁସନ୍ଥଙ୍କୁ ନା ଶଠ, ପ୍ରତାରକକୁ । ଜଣେ ରିଲ୍ ଲାଇଫ୍ ହିରୋକୁ ନା ରିଅଲ୍ ଲାଇଫ୍ ହିରୋକୁ । ଅମୁକଲୋକ ଯେଉଁ ଗାଡି କିଣିଲା, ସମୁକ ବି କିଣିବ ତାଠାରୁ ଅଧିକ ଦାମିକିଆ । ଅମୁକ ଯଦି ନୂଆ ଘର ତିଆରି କଲା ସମୁକ ବି ବ୍ୟାଙ୍କରୁ ଲୋନ୍ ନେଇ ଘରଟେ ନ ବନେଇଲେ ସାମାଜିକ ପ୍ରତିଷ୍ଠା କଣ ରହିବ !

ଏଭଳି ପ୍ରତିଦ୍ୱନ୍ଦ୍ୱିତାଜନିତ ଅନୁକରଣର ଅନ୍ତ ହେଉଛି ହନୁକରଣ ବା ବିକୃତିକରଣରେ । ଯାହାର ଦୃଷ୍ଟାନ୍ତ ସାମାଜିକ ଗଣମାଧ୍ୟମରେ ବହୁଳ ଭାବେ ପରିଲକ୍ଷିତ । କିଏ ଲୋନ୍ ଶୁଝି ନପାରି ଆତ୍ମହତ୍ୟାକୁ ବାଛିନେଉଛି ତ ଅବସାଦଗ୍ରସ୍ତ ହୋଇ ମାନସିକ ଭାରସାମ୍ୟ ହରାଉଛି । ମଣିଷ ନିଜ ମୌଳିକତା ନହରାଉ । ନିଜ ସହଜ ସରଳ ସ୍ୱଭାବକୁ ଅନ୍ୟର କୁପ୍ରଭାବରେ ମାରିନଦେଉ । ଅନୁକରଣ କରିବାକୁ ଅଛି ତ ଉଚ୍ଚବ୍ୟକ୍ତିତ୍ୱଧାରୀଙ୍କ ଜୀବନଚର୍ଯ୍ୟାକୁ ଅନୁକରଣ କରାଯାଉ । ଫଳରେ ମାନବତାର ବିକାଶ ହେବ । ଭୌତିକ ସୁଖଠାରୁ ଆତ୍ମିକ ସୁଖ ଯେ ମୂଲ୍ୟବାନ୍, ଏକଥା ଅନୁଭବ କରିବାକୁ ବେଶି ସମୟ ନଲାଗୁ, ଏତିକି ୨୦୨୪ ନୂଆବର୍ଷର ବାର୍ତ୍ତା । ପ୍ରତି ଲୋକ ପାଖେ କିଛି ସଦଗୁଣ ଓ ବଦଗୁଣ ରହିଥାଏ । ସେ ସଦଗୁଣର ଅନୁକରଣ ହେଉ, ବଦଗୁଣର ନୁହେଁ । ନହେଲେ ହନୁକରଣ (ବିକୃତ)ରେ ପରିଣତ ହେବାର ଯଥେଷ୍ଟ ସଂଭାବନା ରହିଛି ଯାହା ମାନବତା ସହ ସମାଜ ପ୍ରତି ବି ହାନିକାରକ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top