ସମ୍ପାଦକୀୟ

ଶୃଗାଳବାଦୀ ଓ ଛାଗଳବାଦୀ

Dr Mousumi Parida's odia editorial article Shrugaalbaadi o Chhagalabadi

ପଶୁମାନଙ୍କଠାରେ ମାନବିକତାର ପରିସ୍ଫୁଟନ ସାମାଜିକ ଗଣମାଧ୍ୟମରେ ଆଜିକାଲି ଚର୍ଚ୍ଚାର ବିଷୟ ପାଲଟିଛି! ମଣିଷ ନିଜ “ମଣିଷପଣିଆ” ପ୍ରମାଣିତ କରିବାରେ ପଶୁମାନଙ୍କଠାରୁ ପଛୁଆ ହୋଇ ନରହୁ

ଶୃଗାଳବାଦୀ ଓ ଛାଗଳବାଦୀ

ଠକ ଓ ସ୍ୱାର୍ଥନ୍ୱେଷୀ ଲୋକମାନେ ସାଧାରଣତଃ ଶୃଗାଳବାଦୀ କିମ୍ବା ଛାଗଳବାଦୀ ପର୍ଯ୍ୟାୟର । ଅନ୍ୟ ଅର୍ଥରେ କହିଲେ ଶୃଗାଳବାଦ ଓ ଛାଗଳବାଦ ସ୍ୱାର୍ଥପରତାର ଦୁଇ ଭିନ୍ନ ଧାରା । ଯେନତେନ ପ୍ରକାରରେ ସୁଖସୁବିଧା ହାସଲ କରି ନିଜକୁ ପ୍ରତିଷ୍ଠିତ କରାଇବା ଶୃଗାଳବାଦୀ/ଛାଗଳବାଦୀମାନଙ୍କ ଚରମ ଲକ୍ଷ୍ୟ । ନୀଳବର୍ଣ୍ଣ ଶୃଗାଳ ଚତୁରପଣରେ ନିଜକୁ ରାଜା ବନାଇବାର ଚକ୍ରାନ୍ତ ରଚିଥିଲା, ପଛରେ ସିନା ତା ମିଛ ଧରାପଡିଲା କିନ୍ତୁ ଧରାପଡିବାପର୍ଯ୍ୟନ୍ତ ସେ ତ ରାଜଭୋଗ କରି ଅନ୍ୟର ଅଧିକାରକୁ ଛଡେଇ ନେଇଥିଲା ! ଅନ୍ୟମାନଙ୍କୁ ଠକିବା ପାଇଁ ମିଛ କହିଥିଲା । ଏହା ହେଉଛି ଷଡଯନ୍ତ୍ର ବା ଚକ୍ରାନ୍ତର କୁଶକ୍ତି- ଅଳ୍ପ ସମୟ ପାଇଁ ହେଉ ପଛେ ନିଜକୁ ପ୍ରତିଷ୍ଠିତ କରିବା ! କାରଣ ସେମାନେ ଜାଣନ୍ତି ସତ୍ୟ ଦିନେ ନା ଦିନେ କୋଇଲା ଭିତରର ହୀରାଖଣ୍ଡ ପରି ଚମକିଉଠିବ ।

ସେ ଅନୁସାରେ ଠକ/ମିଥ୍ୟାବାଦୀ/ପ୍ରବଂଚକମାନେ ଧରାପଡିବା ଭୟରେ କିନ୍ତୁ ଠକିବା ଛାଡିପାରନ୍ତି ନାହିଁ । କାରଣ ସତ୍ୟ କହିବା ସେମାନଙ୍କୁ ଜଣା ନାହିଁ । ମିଥ୍ୟାର ଶକ୍ତି ଅଳ୍ପ ସମୟ ପାଇଁ ହେଲେ ବି ଖୁବ୍ ଶକ୍ତିଶାଳୀ । ସେଥିପାଇଁ ଶୃଗାଳବାଦୀମାନେ ମିଛ କହି ଠକିବା ବା ଅନ୍ୟକୁ ଭୁଆଁ ବୁଲେଇବା ଜରିଆରେ ରାଜଭୋଗ କରିଆସୁଛନ୍ତି । ସାଧାରଣ ବା ନିରୀହ ଲୋକମାନେ ସେମାନଙ୍କୁ ବିଶ୍ୱାସ କରି ଯେତେ ହଇରାଣ ହେଲେ ବି ନା ସେମାନେ ନିଜ ସରଳତା ଛାଡିପାରୁଛନ୍ତି ନା ଶୃଗାଳବାଦୀମାନେ ଠକାମି ପରିତ୍ୟାଗ କରିପାରୁଛନ୍ତି । ଅବଶ୍ୟ ସମୟ ଲାଗେ ନୀଳବର୍ଣ୍ଣ ଶୃଗାଳମାନଙ୍କୁ ଚିହ୍ନିବାରେ । ହୁଏତ ସେତେବେଳକୁ ବହୁ ବିଳମ୍ବ ହୋଇସାରିଥାଏ । ଏହା ହିଁ ସରଳ ଲୋକଙ୍କର ବିଡମ୍ବନା !

ସେହିପରି ଛାଗଳ ଅର୍ଥାତ୍ ଛେଳି । ଏଠାରେ ଛେଳି ବା ଛାଗଳ ପ୍ରତୀକାତ୍ମକ ଶବ୍ଦ, ଶୃଗାଳବାଦୀଙ୍କ ପରି । ଛାଗଳବାଦୀମାନେ ଛେଳିପରି ମେଁ ମେଁ ହେଉଥାନ୍ତି । ହିନ୍ଦୀଭାଷାରେ ଏହାର ଉଚ୍ଚାରଣଗତ ଅର୍ଥ ହେଉଛି- ମୁଁ । ଅର୍ଥାତ୍ ଛେଳିପରି ସଦାସର୍ବଦା ମେଁ ମେଁ ହେଉଥିବା ଲୋକଟି ପାଟି ଖୋଲିବା ମାତ୍ରେ ଖାଲି “ମୁଁ” ହିଁ ଉଚ୍ଚାରଣ କରିଥାଏ । ଯେହେତୁ ନିଜ ସଂପର୍କରେ କହିବା ବା ଚିନ୍ତା କରିବା ସେମାନଙ୍କ ଜନ୍ମଗତ ପ୍ରବୃତ୍ତି, ସେଥିରୁ ମୁକୁଳିବା କଷ୍ଟକର ସେମାନଙ୍କ ପାଇଁ । ଅବଶ୍ୟ ଏହାର ନକାରାତ୍ମକ ପ୍ରଭାବ ସାମ୍ନାଲୋକମାନଙ୍କ ଉପରେ ପଡିଥାଏ । ସେକଥା ଜାଣି ସୁଦ୍ଧା ଛାଗଳବାଦୀମାନେ ସ୍ୱାର୍ଥସର୍ବସ୍ୱ ହେବାରୁ ବିରତ ହୁଅନ୍ତି ନାହିଁ ।

ପ୍ରକାଶ ଥାଉ କି ଏଠାରେ ଛେଳି ହାଣମୁହଁକୁ ଯାଉଥିବା ଅସହାୟ ଜୀବ ନୁହେଁ, ସମୟାନୁସାରେ ନିଜକୁ ପ୍ରତିଷ୍ଠିତ ବା ପ୍ରତିପାଦିତ କରିବା ଲକ୍ଷ୍ୟରେ ଥିବା ଚତୁର ପ୍ରାଣୀ । କେବେକେବେ ପଶୁରାଜ ସିଂହ ବା ଚତୁର ମଣିଷ ଅସହାୟ ହୋଇଯାଆନ୍ତି! ସାମାନ୍ୟ ପିମ୍ପୁଡିଟିଏ ବି ଶକ୍ତିଶାଳୀ ଓ ଚତୁରମାନଙ୍କ ଉପରେ ଭାରି ପଡିପାରେ ! ତେଣୁ ସ୍ଥାନ, କାଳ ଓ ପାତ୍ର ଉପରେ ନିର୍ଭର କରେ ସୌଭାଗ୍ୟ ଅବା ଦୁର୍ଭାଗ୍ୟ ।

ପରିବେଶ ଓ ପରିସ୍ଥିତିକୁ ଗୁରୁତ୍ୱ ନଦେଇ ଯେକୌଣସି ସ୍ଥିତିରେ ନିଜ ସୁବିଧାନୁଯାୟୀ ପ୍ରତିଟି ଘଟଣାକୁ ଛାଗଳବାଦୀମାନେ ମୂଲ୍ୟାୟନ କରି ସୁବିଧା ହାସଲ କରିବାର ଖସଡା ପ୍ରସ୍ତୁତ କରୁଥାନ୍ତି । ନିଜ ବ୍ୟତିରେକ ଅନ୍ୟର ଗୁରୁତ୍ୱ ବା ମହତ୍ତ୍ୱକୁ ଅଣଦେଖା, ଅଣଶୁଣା କରିବା ସେମାନଙ୍କ ଚିରାଚରିତ ଅଭ୍ୟାସ । ଅନ୍ୟମାନଙ୍କ ଅସୁବିଧା, ଅସହାୟତାକୁ ତିଳେମାତ୍ର ଖାତିର୍ କରୁନଥିବା ସ୍ୱାର୍ଥପର ପ୍ରାଣୀ ହେଉଛନ୍ତି ଛାଗଳବାଦୀମାନେ । ଅତିଶୟ ସ୍ୱାର୍ଥପରତା ରୋଗ ପରି ସେମାନଙ୍କୁ କବଳିତ କରିରଖିଥାଏ ଆଜୀବନ, ଯାହା ଅମାନବୀୟ ।

ବେଶ୍ ସନ୍ତର୍ପଣରେ ସବୁ ପ୍ରକାରର ସୁବିଧା ହାସଲ କରିବା ସେମାନଙ୍କ ଅଭ୍ୟାସ ହୋଇଯାଇଥିବାରୁ ସାମାନ୍ୟତମ ହେଳା ବା ଉପେକ୍ଷାରେ ପ୍ରତିକ୍ରିୟାଶୀଳ ହୋଇ ଅନ୍ୟର କ୍ଷତିସାଧନ କରିବାକୁ ତିଳେମାତ୍ର ହେଳା କରନ୍ତି ନାହିଁ । ଅତିରିକ୍ତ ସ୍ୱାର୍ଥପରତା ନାମକ ରୋଗରୁ ଏମାନଙ୍କୁ ମୁକ୍ତି ମିଳେନାହିଁ, ମିଳେ ଅସହ୍ୟ ଅତୃପ୍ତି । ସେଥିପାଇଁ ନିଜ ଆବଶ୍ୟକତାକୁ ଅନ୍ୟ ଜରିଆରେ ହାସଲ କରିବାର କୌଶଳ ରଚୁୁଥାନ୍ତି । ଅନ୍ୟ କାନ୍ଧରେ ବନ୍ଧୁକ ରଖି ଅନ୍ୟକୁ ଗୁଳି କରିବାରେ ମାହିର୍ । ତଥାପି ଏମାନେ ଅସୁଖୀ । ଶାନ୍ତି ଭିତରେ ଏମାନେ ଅଶାନ୍ତି ଖୋଜୁଥାନ୍ତି ଅନ୍ୟମାନଙ୍କ ସହାନୁଭୂତି ଗୋଟାଇ ନିଜର କୌଣସି ନିର୍ଦ୍ଧଷ୍ଟ ଆଶାକୁ ଚରିତାର୍ଥ କରିବାକୁ । ଏହା ହିଁ ସେମାନଙ୍କ ଚତୁରତା, ନିର୍ମମତା ଓ ସ୍ୱାର୍ଥପରତା ଶୃଗାଳବାଦୀମାନଙ୍କ ପରି । ଅବଶ୍ୟ ଛାଗଳବାଦୀମାନେ ହିଂସାପରାୟଣ, କିନ୍ତୁ ଶୃଗାଳବାଦୀମାନେ କ୍ଷମତାଲୋଭୀ ।

ସୁଖ ସୁବିଧା ଯୋଗାଇ ଦେଉଥିବା ଲୋକମାନଙ୍କୁ ସାମାନ୍ୟତମ ବୁଝିବାର ବିବେକ ନଥାଏ ସେମାନଙ୍କଠାରେ । ଏହି ସ୍ୱାର୍ଥପରତା ହେତୁ ଲୋକମାନଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି ନାହିଁ । ସେମାନଙ୍କୁ ସାହାଯ୍ୟ ଯୋଗାଇଦେଇଥିବା ଲୋକଟି ବି ପରକ୍ଷଣରେ ଦୂରେଇଯାଏ । ଛାଗଳବାଦୀମାନଙ୍କୁ ସାହାଯ୍ୟ କଲେ ସାହାଯ୍ୟର ମୂଲ ତ ମିଳେନାହିଁ । ଓଲଟା ସବୁତକ ଶ୍ରେୟ ସେମାନେ ନିଜକୁ ଦେଇଥାନ୍ତି । କାଳକ୍ରମେ ସାହାଯ୍ୟକାରୀମାନେ ବୁଝିପାରନ୍ତି ଅସନ୍ତୁଷ୍ଟମାନଙ୍କୁ ସନ୍ତୁଷ୍ଟ କରିବା ଅସଂଭବ ।

ଅନ୍ୟର ସଫଳତାକୁ ନିଜ ସଫଳତାର ନାମ ଦେଇ ଆତ୍ମପ୍ରଶଂସାର ଡିଣ୍ଡିମ ପିଟୁଥିବା ସ୍ୱାର୍ଥପରମାନଙ୍କ ଗତି (ଛେଳିମାନଙ୍କ ପରି) କେଉଁଆଡକୁ ଜାଣିବା ମୁସ୍କିଲ୍ । କେବେକେବେ ଏମାନେ ଗୁଡେ ଚାଟୁକାର ପାଳିଥାନ୍ତି, ଯେଉଁମାନେ ସେମାନଙ୍କ ମନ ଅନୁଯାୟୀ ଗୁଣଗାନ କରି ନିୟମିତ କିଛି କିଛି ଅର୍ଥ ଆତ୍ମସାତ୍ କରୁଥାନ୍ତି । ପ୍ରଶଂସା କରିବାରେ ଅବହେଳା ହେଲେ ଛାଗଳବାଦୀମାନେ ଅସହ୍ୟ ହୋଇପଡନ୍ତି । ଅବଶ୍ୟ ନିଜର ତ୍ରୁଟି ସୁଧାରିବା ଏମାନଙ୍କ ଲକ୍ଷଣ ନୁହେଁ । ବରଂ ସାରା ସଂସାର ସେମାନଙ୍କ ପ୍ରୀତ୍ୟର୍ଥେ ବଦଳିବା ଉଚିତ୍ ବୋଲି ଯୁକ୍ତି ବାଢନ୍ତି ।

କହିବାର ତାତ୍ପର୍ଯ୍ୟ- ଆମମାନଙ୍କ ଭିତରୁ ଅନେକ ଅଛନ୍ତି ଯେଉଁମାନଙ୍କୁ ନିଜ ସମସ୍ୟା ବ୍ୟତିତ ଆନ କିଛି ଦିଶେ ନାହିଁ । ନା ସାମ୍ନା ଲୋକଟିର ଜୀବନଯନ୍ତ୍ରଣା ନା ଦୁଃସ୍ଥିତି । ନିଜକୁ ସମ୍ରାଟ୍ ମନେକରନ୍ତି ଏଭଳି ଲୋକେ, ସେଥିପାଇଁ ଅନ୍ୟମାନଙ୍କୁ ଇତର ମନେକରନ୍ତି । ଏହିଭଳି ଆଜିକାଲି ଜଡତ୍ୱ ଆବୋରି ନେଇଛନ୍ତି କିଛିଲୋକ । ପାଖଲୋକର ଦୁଃଖ, ଦୁର୍ଦ୍ଧଶା ଓ ଅସହାୟତାକୁ ବୁଝିପାରୁନାହାନ୍ତି କାରଣ ସେମାନେ ବୁଝିବାକୁ ଚେଷ୍ଟା କରୁନାହାନ୍ତି । ସହଜରେ ସବୁ ଅୟସଆରାମ ଉପଭୋଗ କରିବାର ମନୋବୃତ୍ତି ମାନସିକ ସ୍ତରରେ ଏଭଳି ଛାଗଳବାଦୀମାନଙ୍କୁ ମାନବେତର ପ୍ରାଣୀ ବନେଇଦେଇଛି । ପାନରୁ ଟିକେ ବି ଚୂନ ଖସିବା ଅପରାଧ ସେମାନଙ୍କ ନଜରରେ । ସେଥିପାଇଁ ସାମ୍ନାଲୋକର ସମାଲୋଚନା ବା କୁତ୍ସାରଟନା କରିବା ଅନିର୍ବାର୍ଯ୍ୟ ହୋଇଯାଏ ଏମାନଙ୍କ ପାଇଁ । ମାନସିକ ଶାନ୍ତି ପାଆନ୍ତି ଅନ୍ୟକୁ ବଦନାମ କରି । ସେମାନଙ୍କ ପୂର୍ବ ଉପକାରକୁ ଭୁଲିଯାଆନ୍ତି କ୍ଷଣକ ଭିତରେ । ଆତ୍ମପ୍ରଶଂସା ଏମାନଙ୍କ ଚରମ ଦୁର୍ବଳତା । ସାମାନ୍ୟକଥାଟି ପାଇଁ ନିଜେ ନିଜକୁ ପ୍ରଶଂସାରେ ପୋତି ପକାଇବା ପରି ଅଯଥା କାର୍ଯ୍ୟ କରୁଥିବା ଛାଗଳବାଦୀମାନେ ନିରାମିଷାଶୀ ହେଲେ ମଧ୍ୟ ଏମାନଙ୍କ କାର୍ଯ୍ୟକଳାପ ତାମସିକ । ରାଗ ହିଂସା ଦ୍ୱେଷରେ ପରିପୂର୍ଣ୍ଣ ଏମାନଙ୍କ ମନ । ନିଜେ କରିଥିବା ଅଳ୍ପ କାମଟି ଅନ୍ୟମାନଙ୍କ ଦ୍ୱାରା ଆଦୃତ ହେବା ଉଚିତ୍ । ନହେଲେ ପରିଣାମ ଶୁଭଙ୍କର ନୁହେଁ ।

ଥରେ ଜଣେ ଧନୀ ଓ ଦୟାଳୁ ବ୍ୟକ୍ତି ବୁଦ୍ଧଙ୍କ ପାଖକୁ ବହୁ ମୂଲ୍ୟବାନ୍ ଜିନିଷ ଉପହାର ନେଇ ଆସିଲେ । ସେଠାରେ ଉପସ୍ଥିତି ଥିବା ଜନତାମାନେ ଭୂରିଭୂରି ପ୍ରଶଂସା କଲେ । ଧନୀଲୋକଜଣକ ଖୁସିରେ ଗଦ୍‌ଗଦ୍ ହୋଇ କହିଲେ- ମୁଁ ଏ ସ୍ଥାନ ପାଇଁ ବହୁତ କିଛି କରିଛି । ଅନାଥାଳୟ, ଚିକିତ୍ସାଳୟ, ବିଦ୍ୟାଳୟ ଏମିତିକି ଆପଣ ବସିଥିବା ସିଂହାସନକୁ ମଧ୍ୟ ମୁଁ ବନେଇଛି । ବୁଦ୍ଧ କହିଲେ- ଯାହା କିଛି ସାଙ୍ଗରେ ଆଣିଛ, ସବୁ ଏଇଠି ଛାଡିଯାଅ । ଧନୀଜଣକ କହିଲେ- ସବୁ ତ ଅର୍ପଣ କରିସାରିଛି । ମୋ ପାଖରେ ଏବେ କିଛି ନାହିଁ । ବୁଦ୍ଧ କହିଲେ- ତମେ ଅହଙ୍କାର ନେଇଆସିଥିଲ, ସେହି ଅହଙ୍କାରତକ ମୋତେ ନଦେଇ ସାଙ୍ଗରେ ନେଇଯାଉଛ । ତାକୁ ହିଁ ଅର୍ପଣ କର, ମୋ ପାଇଁ ବଡ ଉପହାର ହେବ । ଏମିତିରେ ମୋର ଏ ପାର୍ଥିବ ବସ୍ତୁ କିଛି କାମରେ ଆସିବନି । ଧନୀଲୋକ ମନଭିତରେ ଥିବା ସମସ୍ତ ଅହଙ୍କାର ବୁଦ୍ଧଙ୍କ ପାଦପଦ୍ମରେ ଅଶ୍ରୁ ହୋଇ ନିଗିଡିଗଲା ।

ଅବଶ୍ୟ ଏଠାରେ ଧନୀ ଲୋକଟି ନିଜ ଭୁଲ୍ ବୁଝିପାରି ନିଜକୁ ସଂଶୋଧନ କରିନେଲା । ସମସ୍ତେ କଣ ନିଜ ତ୍ରୁଟିକୁ ସୁଧାରି ପାରିବେ ? ଯଦି ମାନବିକତା ବା ବିବେକ ଦୃଷ୍ଟିରୁ ଲୋକମାନେ ଅନ୍ୟର ଉପକାରକୁ ମନେରଖନ୍ତେ ବା ଅନ୍ୟର ଅସହାୟତା ସଂପର୍କରେ ସଚେତନ ହୁଅନ୍ତେ ସମ୍ବେଦନଶୀଳତା ବଜାୟ ରହନ୍ତା । କାରଣ ପ୍ରତ୍ୟେକ ବ୍ୟକ୍ତିର ସମାନ ଅଧିକାର ରହିଛି ସୁଖୀ ହେବାର । ଅନ୍ୟଠାରୁ ସବୁବେଳେ ସୁଖ ଆଶା ରଖିବା ଅନୁଚିତ୍ । ଆଉ ଗୋଟେ କଥା- ଆଜିକାଲି ସବୁ ଜିନିଷ ଅର୍ଥ ବିନିମୟରେ ହାସଲ ହୋଇପାରେନା । କାରଣ ସମସ୍ତେ ବିକ୍ରୀ ହୁଅନ୍ତି ନାହିଁ । ଏଭଳି ବ୍ୟକ୍ତିମାନେ ଅନ୍ୟକୁ ନିଜ ଅସୁବିଧା ସଂପର୍କରେ କହି ଭାରାକ୍ରାନ୍ତ କରନ୍ତି ନାହିଁ । ତା ଅର୍ଥ ନୁହେଁ ଯେ ସେ ଲୋକମାନେ ସୁଖୀ !

ତେଣୁ ଶୃଗାଳବାଦୀ ଓ ଛାଗଳବାଦୀମାନେ ବୁଝିରଖିବା ଉଚିତ୍ ଅନ୍ୟଲୋକର ବି ସମୟ ଅସମୟ, ସୁଖଦୁଃଖ, ଅସହାୟତା କିମ୍ବା ବିକଳତା ଥାଏ । ସେମାନଙ୍କୁ ମଧ୍ୟ ଗୁରୁତ୍ୱ ଦେବା ଦରକାର । ସେହିପରି ନୀଳବର୍ଣ୍ଣ ( ମିଛରୂପୀ) ଶୃଗାଳ ପରି ମିଛ ଓ ଠକାମି ଦ୍ୱାରା ଚିରକାଳ ରାଜଭୋଗ କରିବା ଅସଂଭବ । ଶୃଗାଳ କି ଛାଗଳ ସିନା ପ୍ରକୃତି ବଦଳାଇ ପାରିବେନି, ମଣିଷମାନେ କିନ୍ତୁ ଚେଷ୍ଟାକଲେ ପାରିବେ । ସେଥିପାଇଁ ମାନସିକତା ପରିବର୍ତ୍ତନର ଆବଶ୍ୟକତା । ଦେବତା ହେବାର ପ୍ରଚେଷ୍ଟା ନହେଉ କିନ୍ତୁ ମଣିଷପଣିଆ ବଜାୟ ରଖିବାରେ ଅସୁବିଧା କଣ ! ନଚେତ୍ ଇତରମାନଙ୍କଠାରୁ ନ୍ୟୁନ ହେବାକୁ ମୁହୂର୍ତ୍ତଟିଏ ବି ଲାଗିବ ନାହିଁ । ଏମିତିରେ ପଶୁମାନଙ୍କଠାରେ ମାନବିକତାର ପରିସ୍ଫୁଟନ ସାମାଜିକ ଗଣମାଧ୍ୟମରେ ଆଜିକାଲି ଚର୍ଚ୍ଚାର ବିଷୟ ପାଲଟିଛି! ମଣିଷ ନିଜ “ମଣିଷପଣିଆ” ପ୍ରମାଣିତ କରିବାରେ ପଶୁମାନଙ୍କଠାରୁ ପଛୁଆ ହୋଇ ନରହୁ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top