ଅନୁବାଦ ସାହିତ୍ୟ

ଗାନ୍ଧୀଜୀଙ୍କ ବଡ଼ ରାଜେନୈତିକ ଭୁଲ

Gandhijinka Bada Rajanaitika Bhul an odia translated version of Nathuram Vinayak Godse's book Maine Gandhi Vadh Kyon Kiya by Ritika Pattnaik

କଂଗ୍ରେସର ପୃଥକ ନିର୍ବାଚନ ସିଦ୍ଧାନ୍ତ ବିରୁଦ୍ଧରେ ଥିଲା ପରନ୍ତୁ ୧୯୧୬ରେ ଲକ୍ଷ୍ନୌ ପାକ୍ଟରେ ମୁସଲମାନଙ୍କ ଅନୁଚିତ ଦାବୀକୁ ସ୍ୱୀକାର କରିନେଲା ଏବଂ ପରେ ପ୍ରତ୍ୟେକ ଥର ବାରମ୍ବାର ସ୍ୱୀକାର କରିଚାଲିଲା । ଏହି ପ୍ରକାର କଂଗ୍ରେସ ନିଜ ଆଦର୍ଶରୁ ଦୂରେଇ ଚାଲିଲା ଏବଂ ପରେ ଭବିଷ୍ୟତରେ ଅସହନୀୟ ପୀଡ଼ାର କାରଣ ହେଲା ।

ଗାନ୍ଧୀଜୀଙ୍କ ବଡ଼ ରାଜେନୈତିକ ଭୁଲ

ଗାନ୍ଧୀଜୀଙ୍କ ବଡ଼ ରାଜେନୈତିକ ଭୁଲ

ଉପଭାଗ -୧

(୪୮) ୩୦ ଜାନୁଆରୀ, ୧୯୪୮ର ଘଟଣା କେବଳ ରାଜନୈତିକ ଏବଂ କେବଳ ରାଜନୈତିକ ହିଁ ଥିଲା । ମୁଁ ଏ ବାବଦରେ ସମସ୍ତ ବିଷୟର ବିସ୍ତୃତ ବର୍ଣ୍ଣନା କରିବି । ହିନ୍ଦୁ-ମୁସଲିମ ଏବଂ ଅନ୍ୟ ଧର୍ମର ପବିତ୍ର ପୁସ୍ତକ ପଢ଼ିବାର ଗାନ୍ଧୀଜୀ ରୁଚି ବିଷୟରେ ମୋର ଆପତ୍ତି ନାହିଁ । ସେ ତ ନିଜ ପ୍ରାର୍ଥନା ସଭାରେ ଗୀତା, ବାଇବେଲ, କୁରାନ ଆଦି ଧର୍ମଗ୍ରନ୍ଥରୁ ଶ୍ଲୋକର ଉଦ୍ଧୃତ ବି କରୁଥିଲେ । ସବୁ ଧର୍ମର ଗ୍ରନ୍ଥ ଅଧ୍ୟୟନରେ କୌଣସି କ୍ଷତି ନାହିଁ । ବିଭିନ୍ନ ଧର୍ମଗ୍ରନ୍ଥର ତୁଳନାତ୍ମକ ଅଧ୍ୟୟନ କରିବା ଏକ ବିଶେଷ ଗୁଣ ବୋଲି ମୋ ଅଭିମତ । ମୋର ମତଭେଦର କାରଣ ଭିନ୍ନ ଅଟେ ।

(୪୯) ଉତ୍ତରରେ ବ୍ୟାପ୍ତ ସୀମା ପ୍ରାନ୍ତରୁ ଦକ୍ଷିଣର କନ୍ୟା କୁମାରୀଯାଏ ଏବଂ କରାଚିରୁ ଆସାମ ପର୍ଯ୍ୟନ୍ତ, ଏ ସମସ୍ତ ଭୂମିଖଣ୍ଡ ଆମର ମାତୃଭୂମି ଅଟେ । ଏପରି ବିଶାଳ ଦେଶରେ ପ୍ରତ୍ୟେକ ଧର୍ମର ଲୋକ ବସବାସ କରନ୍ତି । ମୁଁ ଭାବୁଛି ସଭିଙ୍କ ସ୍ୱ ଧର୍ମର ସ୍ୱତନ୍ତ୍ରତା ପୂର୍ବକ ଅନୁସରଣର ଅଧିକାର ରହିବା ଆବଶ୍ୟକ । ଭାରତରେ ହିନ୍ଦୁ ସଂଖ୍ୟାଧିକ । ଏହି ଦେଶ ବାଦ୍ ଏପରି କୌଣସି ସ୍ଥାନ ନାହିଁ ଯାହାକୁ ଆମେ ନିଜର କହି ପାରିବା । ପ୍ରାଚୀନକାଳରୁ ହିଁ ଭାରତ ହିନ୍ଦୁଙ୍କ ମାତୃଭୂମି ଏବଂ ପୁଣ୍ୟସ୍ଥଳ ଭାବେ ନିଜ ମର୍ଯ୍ୟାଦା ଅକ୍ଷୁଣ୍ଣ ରଖିଛି । ହିନ୍ଦୁଙ୍କ ଯୋଗୁଁ ଏହି ଦେଶ ପ୍ରସିଦ୍ଧି ଲାଭ କରିଛି । କଳା, ବିଜ୍ଞାନ, ଧର୍ମ ଏବଂ ସଂସ୍କୃତିରେ ଏହି ଦେଶ ଯେଉଁ ସୁଖ୍ୟାତି ଅର୍ଜନ କରିଛି ତାହାର ଶ୍ରେୟ କେବଳ ହିନ୍ଦୁଙ୍କର ହିଁ । ହିନ୍ଦୁଙ୍କ ପଶ୍ଚାତ୍ ଏଠାରେ ମୁସଲମାନଙ୍କ ଜନସଂଖ୍ୟା ଅଧିକ । ଦଶମ ଶତାବ୍ଦୀରୁ ଏଠାରେ ମୁସଲମାନ ସମୂଦାୟଙ୍କ ପ୍ରବେଶ ଆରମ୍ଭ ହେଲା ଏବଂ ସେମାନେ ଭିନ୍ନ ଭିନ୍ନ ପ୍ରାନ୍ତରେ ଅନୁପ୍ରବେଶ କରି ଭାରତର ବୃହତ୍ ଭାଗରେ ନିଜ ଆଧିପତ୍ୟ ସ୍ଥାପିତ କଲେ ।

(୫୦) ଇଂରେଜଙ୍କ ଭାରତ ଆଗମନ ପୂର୍ବରୁ ହିନ୍ଦୁ ଏବଂ ଯବନ ଶାସନ କାଳଖଣ୍ଡ ପଶ୍ଚାତ୍ ଏହା ଜ୍ଞାତ ଥିଲା ଯେ ଏଠାରେ ମୁସଲମାନ ନିଜର ପତିଆରା ଆଉ ବଳବତ୍ତର ରଖିପାରିବେ ନାହିଁ କିନ୍ତୁ ଏହା ବି ସତ୍ୟ ଯେ ସେମାନଙ୍କୁ ଏଠାରୁ ବିତାଡ଼ିତ କରାଯାଇପାରିବ ନାହିଁ । ଉଭୟ ସମ୍ପ୍ରଦାୟ ଜାଣିଥିଲେ ଯେ ଉଭୟଙ୍କୁ ସ୍ଥାୟୀ ରୂପରେ ଏଇଠାରେ ହିଁ ବସବାସ କରିବାକୁ ପଡ଼ିବ । ମରାଠୀଙ୍କ ଉନ୍ନତି, ରାଜପୂତଙ୍କ ବିଦ୍ରୋହ ଏବଂ ଶିଖଙ୍କ ଶକ୍ତି ହେତୁ ମୁସଲମାନଙ୍କ ସ୍ଥିତି ବିଗିଡ଼ିବାରେ ଲାଗିଥିଲା । ଏପରି ପରିସ୍ଥିତିରେ ବି ମୁସଲମାନ ନିଜ ରାଜୁତି ବଳବତ୍ତର ରଖିବାକୁ ଚାହୁଁଥିଲେ କିନ୍ତୁ ଅନୁଭବୀ ଲୋକେ ଜାଣିସାରିଥିଲେ ଯେ ଏପରି ଆଶା କରିବା ନିରର୍ଥକ । ଅନ୍ୟ ପକ୍ଷେ, ଇଂରେଜ, ହିନ୍ଦୁ ଏବଂ ମୁସଲମାନଙ୍କଠୁ ଯୁଦ୍ଧରେ ଜିତୁଥିଲେ ଏବଂ ରଣନୀତିରେ ଉଭୟ ଦେଶୀୟ ଗୋଷ୍ଠୀଠାରୁ ଦକ୍ଷ ଥିଲେ । ସେମାନେ ନିଜ ଯୋଗ୍ୟତା ଏବଂ ପ୍ରଶାସନିକ ଦକ୍ଷତା ଦ୍ୱାରା ଜନତାଙ୍କ ଜୀବନ ଓ ସମ୍ମାନକୁ ସୁରକ୍ଷିତ କରିଥିଲେ । ହିନ୍ଦୁ ଏବଂ ମୁସଲମାନ ଉଭୟ ଇଂରେଜଙ୍କୁ ରାଜା ସ୍ୱୀକାର କଲେ । ହିନ୍ଦୁ ଏବଂ ମୁସଲମାନଙ୍କ ମଧ୍ୟରେ କଟୁତା ପୂର୍ବରୁ ଥିଲା । ଇଂରେଜ ଏହି ତିକ୍ତତାର ଲାଭ ଉଠାଇଲେ ଏବଂ ନିଜ ରାଜୁତି ଅଧିକ ସମୟ ପର୍ଯ୍ୟନ୍ତ ଚଳାଇ ରଖିବା ଲାଗି ହିନ୍ଦୁ ଏବଂ ମୁସଲମାନଙ୍କ ପାରସ୍ପରିକ ଶତ୍ରୁତାକୁ ଆହୁରି ତୀବ୍ର କରିବା ଉଦ୍ଧେଶ୍ୟରେ ଇନ୍ଧନ ଯୋଗାଇଲେ । କଂଗ୍ରେସ ଏହି ଯୋଗୁଁ ଗଠିତ ହୋଇଥିଲା ଯେ ଜନତା ସ୍ୱଅଧିକାର ପ୍ରାପ୍ତ ହୁଅନ୍ତୁ । ମୋ ମନରେ ପ୍ରାରମ୍ଭରୁ ହିଁ, ଯେବେଠାରୁ ମୁଁ କାର୍ଯ୍ୟ ଆରମ୍ଭ କଲି ଯେବେଠାରୁ ଏପରି ବିଚାର ଦୃଢ଼ୀଭୂତ ହେବାରେ ଲାଗିଥିଲା ଯେ ବିଦେଶୀ ଶାସନକୁ ସମାପ୍ତ କରି ସ୍ୱୀକୀୟ ଶାସନ ସ୍ଥାପିତ କରାଯିବା ଉଚିତ୍ ।

(୫୧) ମୁଁ ନିଜ ଲେଖା ଏବଂ ଭାଷଣରେ ସବୁବେଳେ ଏହା କହିଆସିଛି ଯେ ନିର୍ବାଚନ ହେଉ, ଅବା ମନ୍ତ୍ରୀମଣ୍ଡଳ ଗଠନ ଅଥବା ଏପରି ଅନ୍ୟ କାର୍ଯ୍ୟରେ ସମ୍ପ୍ରଦାୟଜନିତ ପ୍ରଶ୍ନ ଉଠାଇବା ଉଚିତ୍ ନୁହେଁ । ଏହା ସ୍ପଷ୍ଟ ରୂପେ ବୁଝିବା ପାଇଁ ଆପଣ ହିନ୍ଦୁ ମହାସଭାର ବିଲାସପୁର ଅଧିବେଶନ ପ୍ରସ୍ତାବକୁ ପଠନ କରିପାରିବେ । (ପ୍ରସ୍ତାବ ପଢ଼ାଗଲା, ପରିଶିଷ୍ଟ ଦେଖନ୍ତୁ) କଂଗ୍ରେସ ଏ ବିଚାର ମଜବୁତ ହେଇ ଚାଲିଥିଲା କିନ୍ତୁ ମୁସଲମାନ ଏଥିରେ ବିଶେଷ ଆଗ୍ରହୀ ନଥିଲେ ବରଂ ଇଂରେଜଙ୍କ କପଟ ଚାଲରେ ଫସିଗଲେ । ହିନ୍ଦୁ ଏବଂ ମୁସଲମାନଙ୍କ ମଧ୍ୟେ ବିଭେଦର ମଞ୍ଜି ବୁଣି ହିଁ ଏଠାରେ ରାଜ କରିପାରିବେ ବୋଲି ହୃଦ୍‌ବୋଧ କରିସାରିଥିଲେ ଇଂରେଜ ଶାସକ । ଇଂରେଜ ସେମାନଙ୍କ ସହାୟତା କଲେ ଏବଂ ପ୍ରୋତ୍ସାହିତ ହୋଇ ମୁସଲମାନ ଅଭିଳାଷା ପୋଷଣ କଲେ ଯେ ହିନ୍ଦୁଙ୍କ ଉପରେ ସେମାନଙ୍କ ନେତୃତ୍ୱ ପୁନଃ ସ୍ଥାପିତ ହୋଇପାରିବ । ଏପରି ଅଭିପ୍ସା ପ୍ରଥମଥର ୧୯୦୬ରେ ପ୍ରତ୍ୟକ୍ଷ ହେଲା ଯେବେ ଭାଇସ୍‌ ରଏ ଲର୍ଡ ମିଣ୍ଟୋଙ୍କ ସଙ୍କେତ ପାଇଁ ମୁସଲମାନ ହିନ୍ଦୁଙ୍କଠାରୁ ପୃଥକ ନିର୍ବାଚନର ଅଧିକାରର ଦାବୀ କଲେ ଏବଂ ଇଂରେଜ ଧୂର୍ତ୍ତତାପୂର୍ବକ ଏହା କହି ଏହି ଦାବୀ ସ୍ୱୀକାର କରିନେଲେ ଯେ ଏପରି କରିବା ଦ୍ୱାରା ଅଳ୍ପ ସଂଖ୍ୟକ ଅର୍ଥାତ୍ ମୁସଲମାନଙ୍କ ଅଧିକାର ସୁରକ୍ଷିତ ରହିବ । କଂଗ୍ରେସ ପ୍ରଥମେ ଏହାର ବିରୋଧ କଲେ ପରନ୍ତୁ ୧୯୩୪ରେ ସେମାନେ ଏହି ପ୍ରସ୍ତାବକୁ ପାରିତ କରିବା ପାଇଁ ଅପ୍ରତ୍ୟକ୍ଷ ସହାୟତା କଲେ । କଂଗ୍ରେସ କହିଲା, ଆମେ ଏହି ବିଷୟରେ ନା ‘ହଁ’ କହୁଛୁ ନା ‘ନା’ ।

(୫୨) ଏହି ପ୍ରକାରେ ଦେଶ ବିଭାଜନ ବିଚାର ମୂଳଦୁଆ ପଡ଼ିଲା ଏବଂ ଦାବୀ ମଧ୍ୟ ତୀବ୍ରତର ହେଲା । ଯାହା ପ୍ରାରମ୍ଭରେ ନଗଣ୍ୟ ବିଷୟ ଥିଲା, ତାହା ଅନ୍ତରେ ପାକିସ୍ତାନର ରୂପ ଧାରଣ କଲା । ବାସ୍ତବରେ ଭୁଲ ତ ଆମର ଥିଲା, ସମସ୍ତେ ଭାବିଥିଲୁ, ସମସ୍ତେ ମିଳିମିଶି ଯେକୌଣସି ପ୍ରକାରେ ଇଂରେଜଙ୍କ ଦେଶରୁ ବିତାଡ଼ିତ କରିଦେବା ଏବଂ ଆମ ମଧ୍ୟରେ ଥିବା ମତଭେଦ ସ୍ୱୟଂ ହିଁ ଧୋଇଯିବ ।

(୫୩)ସିଦ୍ଧାନ୍ତତଃ ମୁଁ ନିର୍ବାଚନ ବିଭାଜନର ବିରୁଦ୍ଧରେ ଥିଲି ପରନ୍ତୁ ପରିସ୍ଥିତି ବଶତଃ ସେହି ସମୟରେ ଆମକୁ ତାହା ସହିବାକୁ ପଡ଼ିଲା । ତଥାପି ମୁଁ ଜୋର ଦେଲି ଯେ ଦୁଇ ସମ୍ପ୍ରଦାୟଙ୍କ ସଂଖ୍ୟା ଭିତ୍ତିରେ ସଦସ୍ୟ ନିଆଯାଉ ।

(୫୪) ମୁସଲିମ ଲିଗକୁ ଇଂରେଜଙ୍କ ସହାୟତା ମିଳୁଥିଲା, ଏବଂ ଅନ୍ୟ ପଟେ ଗାନ୍ଧୀଜୀଙ୍କ ନେତୃତ୍ୱାଧିୀନ କଂଗ୍ରେସର ଆଶୀର୍ବାଦ ବି ପ୍ରାପ୍ତ ଥିଲା । ସେପଟେ ମୁସଲମାନ ସମୂଦାୟ ମୁସଲିମ ଲିଗକୁ ନିଜର ସଂପୂର୍ଣ୍ଣ ସମର୍ଥନ ଦେଲେ ଏବଂ ପ୍ରତିବର୍ଷ ଭିନ୍ନ ଭିନ୍ନ ଅଧିକାରର ଦାବୀର ସଂଖ୍ୟା ବଢ଼ି ଚାଲିଲା ।

(୫୫) ଯେମିତି ମୁଁ ପୂର୍ବରୁ କହିଛି, କଂଗ୍ରେସର ପୃଥକ ନିର୍ବାଚନ ସିଦ୍ଧାନ୍ତ ବିରୁଦ୍ଧରେ ଥିଲା ପରନ୍ତୁ ୧୯୧୬ରେ ଲକ୍ଷ୍ନୌ ପାକ୍ଟରେ ମୁସଲମାନଙ୍କ ଅନୁଚିତ ଦାବୀକୁ ସ୍ୱୀକାର କରିନେଲା ଏବଂ ପରେ ପ୍ରତ୍ୟେକ ଥର ବାରମ୍ବାର ସ୍ୱୀକାର କରିଚାଲିଲା । ଏହି ପ୍ରକାର କଂଗ୍ରେସ ନିଜ ଆଦର୍ଶରୁ ଦୂରେଇ ଚାଲିଲା ଏବଂ ପରେ ଭବିଷ୍ୟତରେ ଅସହନୀୟ ପୀଡ଼ାର କାରଣ ହେଲା ।

(୫୬) ୧୯୨୦ରୁ ଅର୍ଥାତ୍ ଲୋକମାନ୍ୟ ତିଳକଙ୍କ ପରେ ଗାନ୍ଧୀଜୀଙ୍କ ପ୍ରଭାବ କଂଗ୍ରେସରେ ବୃଦ୍ଧି ପାଇଲା ଓ ସଶକ୍ତ ମଧ୍ୟ ହେଲା । ଜନତାଙ୍କୁ ଜାଗ୍ରତ କରିବାକୁ ସେ ଯେଉଁ କାର୍ଯ୍ୟମାନ କଲେ ତାହାର ଅନେକ ପ୍ରଭାବ ଅନୁଭୂତ ହେଲା । ସେ ସତ୍ୟ ଓ ଅହିଂସାର ବାର୍ତ୍ତା ବୁଣିଚାଲିଲେ । କୌଣସି ପ୍ରଜ୍ଞାଶୀଳ ବ୍ୟକ୍ତି ଏହାକୁ ମନ୍ଦ ବୋଲି କହିବ ନାହିଁ । ବାସ୍ତବରେ ଗାନ୍ଧୀଜୀଙ୍କ ଉଦ୍ଘୋଷଣାରେ କିଛି ନବୀନ ନଥିଲା । ପ୍ରତ୍ୟେକ ଶାନ୍ତିିପୂର୍ଣ୍ଣ ଆନ୍ଦୋଳନରେ ଏଭଳି ବିଚାରଧାରା ନିହିତ ଥାଏ । କିନ୍ତୁ ସାଧାରଣ ଜନତା ନିଜ ସାଧାରଣ ଜୀବନରେ ବି ଏଭଳି ବିଚାର / ସିଦ୍ଧାନ୍ତ ଦ୍ୱାରା ପରିଚାଳିତ ହେବେ, ଏହା କେବଳ ସ୍ୱପ୍ନ ମାତ୍ର । ବାସ୍ତବିକତା ଦେଖିଲେ ନିଜ କର୍ତ୍ତବ୍ୟ ସମ୍ପାଦନରେ, ନିଜ ସମ୍ମାନର ରକ୍ଷା ଲାଗି ଆମର ଆଶ୍ରିତଙ୍କ ପାଇଁ ଏବଂ ଦେଶ ଉଦ୍ଧେଶ୍ୟରେ କିଛି କାର୍ଯ୍ୟ ପାଇଁ ଆମକୁ ଅହିଂସା ଛାଡ଼ି ହିଂସା ମାର୍ଗ ଆପଣେଇବାକୁ ପଡ଼ିବ । ମୋର ଅଟଳ ବିଶ୍ୱାସ ଯେ ଅତ୍ୟାଚାରୀର ସାମ୍ନା ଅସ୍ତ୍ର ଦ୍ୱାରା ହିଁ ସମ୍ଭବ । ଅତ୍ୟାଚାରୀ ଶତ୍ରୁକୁ ଶସ୍ତ୍ର ଦ୍ୱାରା ଦମନ କରିବା ହିଁ ମୁଁ ପବିତ୍ର କାର୍ଯ୍ୟ ବୋଲି ବିଚାର କରେ । ଶ୍ରୀରାମଚନ୍ଦ୍ରଜୀ ସୀତାଙ୍କ ମୁକ୍ତ କରିବାକୁ ରାବଣକୁ ବଧ କଲେ । ଶ୍ରୀକୃଷ୍ଣ କଂସର ଅତ୍ୟାଚାର ପରିସମାପ୍ତି ପାଇଁ କଂସର ବଧ କଲେ । ମହାଭାରତରେ ଅର୍ଜୁନଙ୍କ ଅନେକ ନିକଟ ସମ୍ବନ୍ଧୀୟ ବ୍ୟକ୍ତିଙ୍କ ବଧ କରିବାକୁ ପଡ଼ିଲା । ଯଦି କେହି ରାମ, କୃଷ୍ଣ ଏବଂ ଅର୍ଜୁନଙ୍କୁ ହିଂସ୍ରକ ପ୍ରବୃତ୍ତି ବୋଲି ବିବେଚନା କରେ ତାହେଲେ ତାକୁ ମାନବ ସିଦ୍ଧାନ୍ତର ଜ୍ଞାତା ବୋଲି କୁହାଯାଇପାରିବ ନାହିଁ । ବରଂ ତାକୁ ସଂସାରର କାର୍ଯ୍ୟପ୍ରଣାଳୀର ଜ୍ଞାନ ନାହିଁ ବୋଲି ମାନିନେବା । ଛତ୍ରପତି ଶିବାଜୀଙ୍କ ବୀରତା ଯୋଗୁଁ ଭାରତରେ ଯବନଙ୍କ ଅତ୍ୟାଚାରକୁ ପ୍ରତିହତ କରିବା ସମ୍ଭବ ହେଲା । ଅଫଜଲ ଖାନ୍‌କୁ ଶିବାଜୀ ଯେପରି ହତ୍ୟା କଲେ ତାହା ସମୁଚିତ ଥିଲା ଅନ୍ୟଥା ଅଫଜଲ ଖାନ୍ ଶିବାଜୀଙ୍କ ହତ୍ୟା କରିଥାଆନ୍ତା । ଗାନ୍ଧୀଜୀ, ଶିବାଜୀ, ପ୍ରତାପ ଏବଂ ଗୁରୁ ଗୋବିନ୍ଦ ସିଂହଙ୍କୁ ନିନ୍ଦା କରୁଥିଲେ ଏବଂ ସେମାନଙ୍କ ମାର୍ଗକୁ ଭୁଲ ରାସ୍ତା ବୋଲି କହୁଥିଲେ । ଏବଂ ଏହି ପ୍ରକାର ସେ ନିଜ ବୌଦ୍ଧିକ ଦେବାଳିୟାର ପ୍ରମାଣ ଦେଉଥିଲେ ।

(୫୭) ପ୍ରତ୍ୟେକ ଦେଶଭକ୍ତ ବୀର ନିଜ କାଳଖଣ୍ଡରେ ଅତ୍ୟାଚାରୀଙ୍କଠୁ ଦେଶର ରକ୍ଷା କରିବାକୁ ସଫଳ ହେଲେ ବା ପ୍ରଯତ୍ନଶୀଳ ଥିଲେ । ଶୂରତାପୂର୍ବକ ଦେଶକୁ ବାହ୍ୟ ଶତ୍ରୁଙ୍କଠୁ ରକ୍ଷା କଲେ ଓ ଦେଶକୁ ମୁକ୍ତ କଲେ । ଅନ୍ୟପଟେ ମହାତ୍ମା ଗାନ୍ଧୀଙ୍କ ୩୦ ବର୍ଷର ନେତୃତ୍ୱରେ ଏପରି କାର୍ଯ୍ୟମାନ ହେଲା ଯାହା ପୂର୍ବରୁ କେବେ ହୋଇନଥିଲା । ଅଧିକରୁ ଅଧିକ ମନ୍ଦିର ଅପବିତ୍ର ହୋଇଚାଲିଲା । ଅଧିକରୁ ଅଧିକ ଲୋକଙ୍କୁ ମୁସଲମାନ ଧର୍ମରେ ଦୀକ୍ଷିତ କରାଗଲା ଏବଂ ସେହିପରି ଅନେକ ସ୍ତ୍ରୀଙ୍କ ଅପମାନ ହେଲା ଏବଂ ଅନ୍ତରେ ଦେଶର ଏକ-ତୃତୀୟାଂଶ ହାତରୁ ଗଲା । ମୁଁ ଆଶ୍ଚର୍ଯ୍ୟ ହୁଏ ଯେ ଗାନ୍ଧୀଜୀଙ୍କ ଅନୁଗାମୀ ସେଇ ସୁସ୍ପଷ୍ଟ ବିଷୟକୁ ଦେଖି ପାରୁନଥିଲେ ଯାହାକୁ କେହି ଅନ୍ଧ ବି ଦେଖିପାରିବ । ଶିବାଜୀ, ପ୍ରତାବ ଏବଂ ଗୁରୁ ଗୋବିନ୍ଦ ସିଂହଙ୍କ ସମ୍ମୁଖରେ ଗାନ୍ଧୀଜୀ କିଛି ବି ନଥିଲେ । ସେ ସେଭଳି ବୀରଙ୍କ ନିନ୍ଦା କରୁଥିଲେ ଯାହା ଅନୁଚିତ ଥିଲା ଏବଂ ତାଙ୍କ ସୀମା ବର୍ହିଭୁତ ଥିଲା ।

(୫୮) କଂଗ୍ରେସ ଦଳ ଯାହାକୁ ଇଂରେଜ ଶକ୍ତିଶାଳୀ କରିଥିଲେ, ଯେଉଁ ଦଳ ମୁସଲମାନଙ୍କ ହିଂସ୍ରକ ପ୍ରବୃତ୍ତି ସାମ୍ନାରେ ମୁଣ୍ଡ ନୂଆଁଇ ଭାରତ ବିଭାଜନକୁ ସ୍ୱୀକାର କରିନେଲା, ଆଜି ଅନେକ ଓଲଟା-ସିଧା ଉପାୟ କରି ନିଜ ସ୍ୱାର୍ଥ୍ୟ ହାସଲ ଲାଗି ପ୍ରଯତ୍ନଶୀଳ ହେଲେ । ଗାନ୍ଧୀଜୀଙ୍କ ନିଧନ ମଧ୍ୟ ତାଙ୍କ ସ୍ୱାର୍ଥ୍ୟସିଦ୍ଧି ପାଇଁ ଉପଯୋଗ ସାବ୍ୟସ୍ତ ହୋଇପାରିଥାଆନ୍ତା କିନ୍ତୁ ଗାନ୍ଧୀଜୀଙ୍କ ସ୍ଥାନ କେଉଁଠାରେ ତାହା ଉଚିତ୍ ସମୟରେ ଇତିହାସ କହିବ । ମୋ ଉକ୍ତି ବିପରୀତ ଲାଗିପାରେ, କିନ୍ତୁ ବାସ୍ତବରେ ଗାନ୍ଧୀଜୀ ଏକ ହିଂସ୍ରକ ଶାନ୍ତିମୂର୍ତ୍ତି ଥିଲେ, ଯିଏ ଶାନ୍ତି-ଅହିଂସା ନାମରେ ଦେଶ ଉପରେ ଘୋର ବିପତ୍ତି ଟାଣିଆଣିଲେ । ମହାରାଣା ପ୍ରତାବ, ଶିବାଜୀ ଏବଂ ଗୁରୁ ଗୋବିନ୍ଦ ସିଂହ ଦେଶବାସୀଙ୍କ ହୃଦୟରେ ସଦା ଜୀବିତ ରହିବେ କାରଣ ସେମାନେ ଦେଶକୁ ରାବଣଠାରୁ ମୁକ୍ତ କରିଲେ ଏବଂ ରାଷ୍ଟ୍ରର ଚେହେରା ଉଜ୍ଜ୍ୱଳ କରିଥିଲେ ।

(୫୯) ଗାନ୍ଧୀଜୀ ୧୯୧୪ରେ ଇଂଲଣ୍ଡରୁ ଆସିଲେ ଏବଂ ସେବେଠାରୁ ଭାରତରେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ ହେଲା । ଗାନ୍ଧୀଜୀ ନିଜର ଗୁରୁ ବୋଲି କହୁଥିବା ଯେ ଶ୍ରୀ ଫିରୋଜଶାହ ମେହେତା ଏବଂ ଶ୍ରୀ ଗୋଖଲେଙ୍କର ଦୁର୍ଭାଗ୍ୟକୁ ସେତେବେଳକୁ ସ୍ୱର୍ଗଗମନ ହୋଇସାରିଥିଲା ।

ଅହମଦାବାଦଠାରେ ସାବରମତୀ ଆଶ୍ରମ କୂଳେ ଏକ ଆଶ୍ରମ ଖୋଲି ଗାନ୍ଧୀଜୀ ନିଜ କାର୍ଯ୍ୟ ପ୍ରାରମ୍ଭ କଲେ । ସତ୍ୟ ଏବଂ ଅଂହିସାର ଜୟଘୋଷ କଲେ । ସେ ମଧ୍ୟ ଅନେକ ଥର ସ୍ୱୀକାର କରଛନ୍ତି ଯେ ନିଜ ସିଦ୍ଧାନ୍ତ ବିରୁଦ୍ଧ କାର୍ଯ୍ୟ ମଧ୍ୟ କରିଛନ୍ତି । ମୁସଲମାନଙ୍କୁ ଖୁସି କରିବା ପାଇଁ ଯେବେ ନିଜ ସିଦ୍ଧାନ୍ତ ବି ଭାଙ୍ଗିବାକୁ ପଡ଼ୁଥିଲା ତା’ହେଲେ ସେ ସେଥିରୁ ବି ବିଚ୍ୟୁତ ହେଉନଥିଲେ । ସତ୍ୟ ଏବଂ ଅହିଂସା ତ ଏମିତି ବି ବହୁତ ଉତ୍ତମ ସିଦ୍ଧାନ୍ତ କିନ୍ତୁ ସେସବୁକୁ ନିଜ ଜୀବନରେ ଅବତରିତ କଲେ ହିଁ ତ ସେସବୁ ଉତ୍ତମ ସାବ୍ୟସ୍ତ ହେବ । ମୁଁ ଆହୁରି କହିବି, କେଉଁ ପ୍ରକାର ଗାନ୍ଧୀଜୀ ସ୍ୱୟଂ ନିଜ ସ୍ୱସିଦ୍ଧାନ୍ତ ବିପରୀତ କାର୍ଯ୍ୟ କରିଚାଲିଲେ ।

(୬୦) ଗାନ୍ଧୀଜୀଙ୍କ ରାଜନୈତିକ ଜୀବନକୁ ନିମ୍ନଲିଖିତ ତିନି ଭାଗରେ ବିଭକ୍ତ କରାଯାଇପାରିବ ।

  • କ) ୧୯୧୫- ୧୯୩୯-୪୦ ପର୍ଯ୍ୟନ୍ତ
  • (ଖ) ୧୯୩୯-୪୦ରୁ ୩ ଜୁନ ୧୯୪୭ ପର୍ଯ୍ୟନ୍ତ ଯେବେ କଂଗ୍ରେସ ଜିନ୍ନାଙ୍କ ସାମ୍ନାରେ ନଇଁଗଲେ ଏବଂ ଏହି ମହାତ୍ମାଜୀଙ୍କ ନେତୃତ୍ୱରେ ପାକିସ୍ତାନ ଦାବୀକୁ ସ୍ୱୀକାର କରିନେଲା ।
  • (ଘ) ତୃତୀୟରେ ଦେଶ ବିଭାଜନରୁ ପାକିସ୍ତାନକୁ ୫୫ କୋଟି ଟଙ୍କା ଦେବା ପର୍ଯ୍ୟନ୍ତ ଯେବେ ସେ ଆମରଣ ଅନଶନ କରିବା ପାଇଁ ନିଶ୍ଚୟ କଲେ ଏବଂ କିଛି ଦିନ ପରେ ତାଙ୍କର ମୃତ୍ୟୁ ହେଲା ।

(୬୧) ଯେବେ ଗାନ୍ଧୀଜୀ ୧୯୧୪ର ଶେଷାର୍ଦ୍ଧ୍ୟରେ ଭାରତ ଲେଉଟି ଆସିଲେ, ତେବେ ଦକ୍ଷିଣ ଆଫ୍ରିକାରେ ଭାରତବାସୀଙ୍କ ନେତୃତ୍ୱ କରିଥିବା ହେତୁ ଅନେକ ସୁନାମ ଅର୍ଜନ କରିଥିଲେ । ସେଠାରେ ସେ ଭାରତର ସମ୍ମାନ ଲାଗି ହିଁ ସଙ୍ଘର୍ଷ କରିଥିଲେ ଏବଂ ଇଂରେଜଙ୍କ ଅତ୍ୟାଚାର ବିରୁଦ୍ଧରେ ସେଠାରେ ରହୁଥିବା ଭାରତବାସୀଙ୍କ ନାଗରିକ ଅଧିକାର ପାଇଁ ଲଢେ଼ଇ କରିଥିଲେ । ସେଠାରେ ହିନ୍ଦୁ , ମୁସଲମାନ ଏବଂ ପାର୍ଶି ବିନା ମତଭେଦ ବା ଭେଦଭାବରେ ତାଙ୍କର ଆଜ୍ଞାର ପାଳନ କରିଥିଲେ । ଭାରତରେ ଆମେ ସବୁ ତାଙ୍କର ବହୁତ ଆଦର କଲୁ ।

(୬୨) ଯେବେ ସେ ଭାରତରେ ଭାରତବାସୀଙ୍କ ସହିତ ମିଶି ସ୍ୱତନ୍ତ୍ରତାର ସଙ୍ଘର୍ଷ କରିବା ପାଇଁ ଆସିଲେ ତାଙ୍କର ଏହି ଆଶା ଥିଲା ସେଠାରେ ବି ତାଙ୍କୁ ସବୁ ବର୍ଗଙ୍କଠାରୁ ପୂର୍ଣ୍ଣ ବିଶ୍ୱାସ ଏବଂ ସହଯୋଗ ପ୍ରାପ୍ତ ହେବ ପରନ୍ତୁ ତାଙ୍କୁ ନିରାଶ ହେବାକୁ ପଡ଼ିଲା । ଭାରତ ଦକ୍ଷିଣ ଆଫ୍ରିକା ନୁହେଁ । ଆଫ୍ରିକାର ଭାରତବାସୀଙ୍କ କେବଳ ଏକ ହିଁ ଦାବୀ ଥିଲା ଯେ ସେମାନଙ୍କୁ ବି ନାଗରିକ ଅଧିକାର ପ୍ରାପ୍ତ ହେଉ । ତେଣୁ ହିନ୍ଦୁ , ମୁସଲମାନ ଏବଂ ପାର୍ଶି ସଭିଁଏ ସଙ୍ଘଠିତ ହୋଇ ଶତ୍ରୁ ବିରୁଦ୍ଧରେ ଲଢ଼ିଲେ । ତାଙ୍କର ଦକ୍ଷିଣ ଆଫ୍ରିକାର ସରକାରଙ୍କ ସହିତ କୌଣସି ଅନ୍ୟ ଝଗଡ଼ା ବା ଅଭିଯୋଗ ନଥିଲା । କିନ୍ତୁ ଭାରତର ପରିସ୍ଥିତି ଭିନ୍ନ ଥିଲା । ଏଠାରେ ନିଜ ରାଜ୍ୟ, ନିଜ ସରକାର ଏବଂ ସର୍ବୋପରି ସ୍ୱତନ୍ତ୍ରତା ପାଇଁ ସଂଗ୍ରାମ ଚାଲିଥିଲା । ଏଠାରେ ଆମେ ଇଂରେଜଙ୍କ ପ୍ରଭୁତ୍ୱକୁ ସମାପ୍ତ କରିବାକୁ ଚାହୁଁଥିଲୁ । ଏଠାରେ ବର୍ଷ ବର୍ଷ ଶାସନ ଚଳାଇଥିବା ଇଂରେଜ ଛାଡ଼ିଯାଲିଟିବାକୁ ଇଚ୍ଛୁକ ନଥିଲେ ଏବଂ ଏଥିପାଇଁ ସମ୍ଭବ ସାଧନର ପ୍ରୟୋଗ କରିଚାଲିଥିଲେ । ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟେ ମତଭେଦର ମଞ୍ଜି ରୋପଣ କରାଯାଉଥିଲା, ଏହି ନୀତିରେ ଅନେକ ସ୍ଥାନରେ ସଫଳତା ମଧ୍ୟ ପ୍ରାପ୍ତ ହେଉଥିଲା । ସେଥିପାଇଁ ଭାରତରେ ଗାନ୍ଧୀଜୀଙ୍କ ପ୍ରାରମ୍ଭିକ କାର୍ଯ୍ୟକାଳରେ ଏପରି ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଲା ଯାହା ଦକ୍ଷିଣ ଆଫ୍ରିକାରେ ତାଙ୍କର ଅନୁଭବ ହୋଇନଥିଲା । ସେଠାରେ ତ ତାଙ୍କ କାମ ନିଦ୍ୱନ୍ଦରେ ଚାଳୁଥିଲା । ବିଭିନ୍ନ ଜାତି ଅର୍ଥାତ୍ ସମସ୍ତଙ୍କର ଏକ ହିଁ ସ୍ୱାର୍ଥ ଥିଲା ପରନ୍ତୁ ଭାରତରେ ତ ନିର୍ବାଚନ ବି ପୃଥକ ପୃଥକ ହେଉଥିଲା । ଗାନ୍ଧୀଜୀଙ୍କ ମନରେ ହିନ୍ଦୁ ଏବଂ ମୁସଲମାନ , ଦୁଇ ସମ୍ପ୍ରଦାୟର ନେତୃତ୍ୱ କରିବା ପାଇଁ ପ୍ରବଳ ମହାତ୍ତ୍ଵାକାଂକ୍ଷା ଥିଲା । ଏଥିରେ କୌଣସି ଅନୁଚିତ ନଥିଲା କିନ୍ତୁ ସେ ଏହା ଜାଣିନଥିଲେ ଯେ ଏପରି ସ୍ଥାନରେ କିପରି ନେତୃତ୍ୱ କରାଯିବ ଯେଉଁଠାରେ ଏପରି ଫାଟ ସୃଷ୍ଟିକାରୀ ତତ୍ତ୍ୱ ଅଛନ୍ତି । ଭୀଷଣ ମତଭେଦରେ ଆକ୍ରାନ୍ତ ସେନାର ଅଧିପତି ହେବା ପାଇଁ ଆଶାପୋଷଣ ମୁର୍ଖତା ନୁହେଁ ତ ଆଉ କ’ଣ ?

(୬୩) ଗାନ୍ଧିଜୀଙ୍କ ଭାରତ ଆଗମନ ପଶ୍ଚାତ୍ ଅନେକ ଦିନ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାରତର ରାଜନୀତିର ନେତୃତ୍ୱ କରିବା ପାଇଁ କେହି ନଥିଲେ । ନେତା ମିଳିବାର ସମ୍ଭାବନା ବି ନଥିଲା । ଦାଦାଭାଇ ନାରୌଜୀ, ସାର ଫିରୋଜଶାହ ମେହେତା, ଲୋକମାନ୍ୟ ତିଲକ ଏବଂ ଶ୍ରୀ ଗୋଖଲେଙ୍କ ଜୀବନକାଳରେ ଗାନ୍ଧୀଜୀ ଲୋକପ୍ରିୟ ତ ହେଇ ଗଲେ, ପରନ୍ତୁ ଏହି ନେତାଙ୍କଠାରୁ ସେ ବୟସରେ ଛୋଟ ଥିଲେ ଓ ଅନୁଭବରେ କମ୍ । ହଠାତ୍ ଗାନ୍ଧୀଜୀଙ୍କ ଭାଗ୍ୟ ଚମକିଲା ଏବଂ ଲୋକମାନ୍ୟ ତିଲକଙ୍କ ଦେହାନ୍ତ ହୋଇଗଲା । ତାଙ୍କ ମୃତ୍ୟୁ ଉପରାନ୍ତ ଅନ୍ୟ ପ୍ରମୁଖ ନେତାଙ୍କ ବି ତିରୋଧାନ ଗାନ୍ଧୀଙ୍କ ଲାଗି ରାସ୍ତା ପରିଷ୍କାର କରିଦେଲା । ରାଜନୀତିରେ ସେ ଆଗକୁ ବଢ଼ିଚାଲିଲେ ।

(୬୪) ସେ ଦେଖିଲେ ଯେ ବିଦେଶୀ ଇଂରେଜ ଭାରତବାସୀଙ୍କ ମଧ୍ୟେ ବିଭେଦର ମଞ୍ଜି ବୁଣୁଛନ୍ତି ଏବଂ ମୁସଲମାନଙ୍କ ମଧ୍ୟେ ବିଚିତ୍ର ପ୍ରକାରର ଇସଲାମ-ଭକ୍ତି ଭାବନା ପ୍ରଜ୍ଜ୍ୱଳିତ କରୁଥିଲେ । ଗାନ୍ଧୀଜୀ ବିଚାର କଲେ ଯେପର୍ଯ୍ୟନ୍ତ ଜନତାଙ୍କ ମଧ୍ୟରେ ଏକତା ଆସିବନି ଇଂରେଜଙ୍କ ବିରୁଦ୍ଧରେ ଲଢ଼ିବା କାଠିକର ପାଠ । ତେଣୁ ସେ ହିନ୍ଦୁ-ମୁସଲମାନଙ୍କ ଏକତା ଉପରେ ନିଜ ରାଜନୀତିର ମୂଳଦୁଆ ସୁଦୃଢ଼ କଲେ । ଇଂରେଜଙ୍କ କପଟର ପ୍ରତ୍ୟୁତ୍ତର ଦେବା ପାଇଁ ସେ ମୁସଲମାନଙ୍କ ସହିତ ସ୍ନେହଭାବ ବଢ଼ାଇଲେ ଏବଂ ସେମାନଙ୍କୁ ଅନେକ ପ୍ରତିଶୃତିମାନ ଦେଲେ । ଏହା ଦ୍ୱାରା ହିନ୍ଦୁଙ୍କ ସ୍ୱାର୍ଥହାନୀ ହେଲା । ଏଇ ପ୍ରକାର ସେ ମୁସଳମାନଙ୍କ ଶକ୍ତି ବଢ଼ାଇଲେ । ଏହି ଏକତା ଦୃଢ଼ୀଭୂତିକରଣ କାର୍ଯ୍ୟ ସେହି ସମୟ ପର୍ଯ୍ୟନ୍ତ ଠିକ୍ ଥିଲା ସେପର୍ଯ୍ୟନ୍ତ ଭାରତର ସ୍ୱତନ୍ତ୍ରତାକୁ ଅଗ୍ରାଧିକାର ଦିଆଯାଉଥିଲା । କିନ୍ତୁ କିଛି ସମୟ ପଶ୍ଚାତ୍ ଗାନ୍ଧୀଜୀଙ୍କ ଧ୍ୟେୟ ମୁସଲମାନଙ୍କ ସନ୍ତୁଷ୍ଟିକରଣ ହେଲା ଯାହାର ପରିଣାମ ଆମେ ଆଜି ଦେଖୁଛୁ ।

(୬୫) ୧୯୧୯ ପର୍ଯ୍ୟନ୍ତ ଗାନ୍ଧୀଜୀ ନିରାଶ ହେଲେ ଏବଂ ମୁସଲମାନଙ୍କ ବିଶ୍ୱାସ ଜିତି ପାରିବାରେ ସକ୍ଷମ ହୋଇନଥିଲେ । ସେ ପ୍ରତିଶୃତିମାନ ଦେଇ ଚାଲିଲେ । ଏପରିକି ମୁସଲମାନଙ୍କ ଇଚ୍ଛାନୁସାରେ ସବୁ କିଛି ସେମାନଙ୍କ ଦେଇଦେବାକୁ ବିଚାର କଲେ । ସେ ଦେଶରେ ଖିଲାପତ୍ ଆନ୍ଦୋଳନ ଲାଗି ସହାନୁଭୂତି ଉତ୍ପନ୍ନ କଲେ ଏଣୁ ଏହି କାରଣ ଯୋଗୁଁ କଂଗ୍ରେସକୁ ପୂରା ସହାୟତା ମିଲିଲା । କିଛି ସମୟ ପର୍ଯ୍ୟନ୍ତ ତ ପ୍ରତୀତ ହେଲା ଗାନ୍ଧୀଜୀ ସଫଳ ହୋଇଯିବେ କାରଣ ଭାରତ ପ୍ରସିଦ୍ଧ ମୁସଲମାନ ନେତା ତାଙ୍କ ଅନୁଗାମୀ ଭଳି ପ୍ରତୀତ ହେଉଥିଲେ । ୧୯୨୦-୨୧ରେ ଜିନ୍ନା ସାହେବଙ୍କ କିଛି ମହତ୍ୱ ନଥିଲା, ଅଲୀ ଭାଇ (ମହମ୍ମଦ ଅଲୀ ଏବଂ ଶୌକତ ଅଲୀ) ମୁସଲମାନଙ୍କ ନେତା ଥିଲେ । ଗାନ୍ଧୀଜୀ ଅଲୀ ଭାତ୍ରୁଦ୍ୱୟଙ୍କୁ ବହୁତ ପ୍ରୋତ୍ସାହିତ କଲେ, ମୁଣ୍ଡରେ ବସାଇଲେ, ବହୁତ ପ୍ରଶଂସା କଲେ । ତାଙ୍କୁ ସବୁ ପ୍ରକାରର ସୁବିଧା ଦେଲେ କିନ୍ତୁ ଯାହା ଗାନ୍ଧୀଜୀ କରିବାକୁ ଚାହୁଁଥିଲେ ତାହା ହେଲା ନାହିଁ । ମୁସଲମାନ ଖିଲାପତ୍ ଆନ୍ଦୋଳନରେ ଲାଗିପଡ଼ିଲେ କିନ୍ତୁ ଏହି ଆନ୍ଦୋଳନକୁ ସେମାନେ କଂଗ୍ରେସଠାରୁ ପୃଥକ ବୋଲି ମନେ କଲେ । ସେଇଦିନମାନଙ୍କରେ ମୋପଲା ବିଦ୍ରୋହ ବା ମାଲାବାର ବିଦ୍ରୋହ ଆରମ୍ଭ ହେଲା ଏବଂ ଏହି ବିଦ୍ରୋହ ସିଦ୍ଧ କଲା ଯେ ଯେଉଁ ଏକତା ଆଶାରେ ଗାନ୍ଧୀ ଅପେକ୍ଷା କରିଥିଲେ ତାହାର ଲେଶମାତ୍ର ପ୍ରଭାବ ମୁସଲମାନଙ୍କ ଉପରେ ପଡ଼ିଲାନି । ମୋପଲା ବିିଦ୍ରୋହରେ ହିନ୍ଦୁଙ୍କ ବହୁତ ସଂଖ୍ୟାରେ ସଂହାର ହେଲା । ବୋହୂଙ୍କୁ ମୁସଲମାନ କରାଗଲା, ବଳପୂର୍ବକ । ତାଙ୍କ ଘର ଜାଳିଦିଆଗଲା, ତାଙ୍କ ସ୍ତ୍ରୀଙ୍କ ଅପମାନ କରାଗଲା । ଇଂରେଜଙ୍କ ଉପରେ ଏହି ବିଦ୍ରୋହର କୌଣସି ପ୍ରଭାବ ପଡ଼ିଲାନି । କିଛି ମାସ ପରେ ଏହି ବିଦ୍ରୋହ ଚାପି ଦିଆଗଲା । ଗାନ୍ଧୀ ଜାଣିଗଲେ ତାଙ୍କ ହିନ୍ଦୁ-ମୁସଲମାନ ଏକତା ପ୍ରଚେଷ୍ଟା କେଉଁ ପର୍ଯ୍ୟନ୍ତ ସଫଳ ହେଲା ।

ଖିଲାପତ୍ ଆନ୍ଦୋଳନ ଅସଫଳ ହେଲା ଏବଂ ଗାନ୍ଧୀଜୀଙ୍କ ଆଉ ଗୁରୁତ୍ୱ ରହିଲାନି । ଇଂରେଜ ଆହୁରି ଅଧିକ ଶକ୍ତିଶାଳୀ ହେଲେ ଏବଂ ମୁସଲମାନ ହିନ୍ଦୁଙ୍କ ପକ୍କା ବିରୋଧି ହୋଇଗଲେ କିନ୍ତୁ ଗାନ୍ଧୀଜୀ ନିଜ ଏକତା ସୂତ୍ରକୁ ଜାବୁଡ଼ି ଧରିବସିଥିଲେ । ୧୯୧୯ରେ ନିର୍ବାଚନ ଅଧିକାର ଅଲଗା କରିଦିଆଗଲା ଏବଂ Legislature Board ଏବଂ କ୍ୟାବିନେଟରେ ବି ସଦସ୍ୟ ନିଆଯିବା ସମୟରେ ଜାତିକୁ ଗୁରୁତ୍ୱ ଦିଆଗଲା । ଚାକିରୀ ବି ମୁସଲମାନ ଏବଂ ହିନ୍ଦୁ ହିସାବରେ ଦିଆଯିବା ପ୍ରାରମ୍ଭ ହେଲା । ମୁସଲମାନଙ୍କୁ ଉଚ୍ଚା ପଦବୀର ଚାକରି ଇଂରେଜ କେବଳ ଏଇଥିପାଇଁ ଦେଲେ, କାରଣ ସେମାନେ ସ୍ୱତନ୍ତ୍ରତା ଆନ୍ଦୋଳନରେ ଭାଗ ନେଲେ ନାହିଁ ଏବଂ ଇଂରେଜଙ୍କ ପକ୍ଷ ନେଉଥିଲେ । ମୁସଲମାନ ଅଳ୍ପସଂଖ୍ୟକ ଜାତି ତେଣୁ ସେମାନଙ୍କ ସହାୟତା ସର୍ବୋପରି ବୋଲି ଇଂରେଜମାନେ ସଫେଇ ଦେଉଥିଲେ । ଏହା ଦ୍ୱାରା ପ୍ରତି ମୁସଲମାନର ମନରେ ହିନ୍ଦୁଙ୍କ ପ୍ରତି ଦ୍ୱେଷ ଭରିଗଲା ଏବଂ ଗାନ୍ଧୀଜୀଙ୍କ ହିନ୍ଦୁ ମୁସଲମାନ ଏକତା ନାରାବାଜ ନିରର୍ଥକ ହେଲା, ତଥାପି ଗାନ୍ଧୀଜୀଙ୍କ ଆଶା ଥିଲା ଯେ ସେ ହିନ୍ଦୁ ଓ ମୁସଳମାନ ଉଭୟଙ୍କ ନେତୃତ୍ୱ କରିବେ । ଯେତେଯେତେ ତାଙ୍କ ପ୍ରୟାସ ନିଷ୍ଫଳ ହେଉଥିଲା ସେ ଅଧିକରୁ ଅଧିକ ବଳିଦାନ କରିବାକୁ ଆଗଭର ହେଉଥିଲେ । ଦେଶର ଦଶା ବିଗିଡ଼ିଗଲା ଏବଂ ୧୯୨୪ରେ ସମସ୍ତେ ନିଶ୍ଚିତ ହୋଇଗଲେ କି ଇଂରେଜ ଅନେକ ପ୍ରକାର ସବଳ ହୋଇ ନିଜ ମୂଳଦୁଆ ମଜବୁତ କରିସାରିଛନ୍ତି । ସବୁ ପ୍ରକାରରେ ଇଂରେଜଙ୍କ ହିଁ ଜୟ ଥିଲା କିନ୍ତୁ ଯେଉଁ ପ୍ରକାର ହାରିଯାଇଥିଲା ଜୁଆ ଖେଳାଳୀ ବାଜି ପରେ ବାଜି ଲଗାଇବା ଆରମ୍ଭ କରିଦିଏ ଏବଂ ଥମିବାର ନା ନିଏନି, ସେଇପରି ଗାନ୍ଧୀଜୀ ମଧ୍ୟ ବାଜି ଲଗାଇ ଚାଲିଲେ । ସେ ସିନ୍ଧ ଓ ସୀମା ପ୍ରାନ୍ତକୁ ବି ପୃଥକ କରିବାକୁ ନିଜ ସହମତି ଦେଲେ । ସେ ମୁସଲିମ ଲିଗ୍‌ର ଦାବୀକୁ ପୂରା କରିବାରେ ଲାଗିପଡ଼ିଲେ, ତାହା ଉଚିତ୍ ହେଉ ବା ଅନୁଚିତ୍ । କେବଳ ଏହି ଆଶାରେ ଯେ ମୁସଲମାନ ସ୍ୱତନ୍ତ୍ରତା ଯୁଦ୍ଧରେ ତାଙ୍କ ନେତୃତ୍ୱକୁ ସ୍ୱୀକାର କରିବେ । କାଳାନ୍ତରରେ ଅଲ୍ଲୀ ଭାଇଙ୍କ ପ୍ରଭାବ ହ୍ରାସ ପାଇଲା ଏବଂ ଜିନ୍ନାଙ୍କ ନେତୃତ୍ୱ ବୃଦ୍ଧି ହେଉଥିଲା । କଂଗ୍ରେସ ଓ ଇଂରେଜଙ୍କଠୁ ପ୍ରାପ୍ତ ଅଧିକାରକୁ ସ୍ୱୀକାର କରି ଜିନ୍ନା ଭିନ୍ନ ଦାବୀ ଉପସ୍ଥାପିତ କଲେ, ତୀବ୍ର କଣ୍ଠରେ । ‘Round Table Conference’ ରେ ବମ୍ବେରୁ ସିନ୍ଧ ପ୍ରାନ୍ତ ପୃଥକ କରିଦିଆଗଲା । ମିଷ୍ଟର ଜିନ୍ନା ଫେଡେ଼ରେସନଠାରୁ ସେପର୍ଯ୍ୟନ୍ତ ଅଲଗା ରହିଲେ ଯେ ପର୍ଯ୍ୟନ୍ତ ଗାନ୍ଧୀଜୀ ସ୍ୱୟଂ ମିଃ ମ୍ୟାକ୍ଡୋନାଲଡ଼ (ବିଟି୍ରଶ ପ୍ରଧାନମନ୍ତ୍ରୀ)ଙ୍କ ଅଲଗା ଅଲଗା ନିର୍ବାଚନ ଅଧିକାର ଦେବା ପାଇଁ ନ କହିଲେ,ଏବଂ ଏହି ପ୍ରକାରରେ ବିଭାଜନର ମଞ୍ଜି ପୋତି ଦିଆଗଲା । ୧୯୩୫ର ଆକ୍ଟରେ ଏହି ଭେଦକୁ ଆହୁରି ବଢ଼ାଇଦିଆଗଲା, ଏବଂ ଜିନ୍ନା ସବୁ କଥାର ପୂରା ଲାଭ ଉଠାଇଲେ । କଂଗ୍ରେସ ପୃଥକ ପୃଥକ ନିର୍ବାଚନର ଅଧିକାରକୁ ମାନିନେଲା ଯଦିଓ ଉପରଠାଉରିଆ ଭାବେ କହିଲା, ଯେ ନା ସେ ଏହା ସ୍ୱୀକାର କରେ ନା ଅସ୍ୱୀକାର କରେ । ୧୯୩୯ରେ ମହାଯୁଦ୍ଧ ବେଳେ ଶ୍ରୀ ଜିନ୍ନା ଖୋଲାଖୋଲି କହିଲେ ଯେ ଯେବେ ମୁସଲମାନଙ୍କ ଅଧିକାରକୁ ମାନିନିଆଯିବ, ତାହେଲେ ମୁସଲମାନ ଯୁଦ୍ଧରେ ଇଂରେଜଙ୍କ ସହାୟତା କରିବେ । ଅପ୍ରିଲ, ୧୯୪୦ରେ ଅର୍ଥାତ୍ ଯୁଦ୍ଧ ଆରମ୍ଭ ହେବାର ଛ’ ମାସ ମଧ୍ୟରେ ଜିନ୍ନା ଦୁଇ ରାଷ୍ଟ୍ରର ସିଦ୍ଧାନ୍ତ ଆଧାରରେ ପାକିସ୍ତାନ ଦାବୀ କଲେ । ଜିନ୍ନା ବୋଧେ ଭୁଲିଯାଇଥିଲେ ଯେ ଭାରତବର୍ଷରେ ଅଧିକାଂଶ ହିନ୍ଦୁ ଏବଂ ମୁସଲମାନ ଏକାଠି ରୁହନ୍ତି । କୌଣସି ପ୍ରଦେଶରେ ହିନ୍ଦୁ ଅଥବା ମୁସଲମାନଙ୍କ ସଂଖ୍ୟା ଏତେ କମ୍ ବି ନଥିଲା ଯେ ଅଳ୍ପ ସଂଖ୍ୟକ ଜାତିର ସୁରକ୍ଷା ପ୍ରଶ୍ନ ବିଭାଜନ ଦ୍ୱାରା ସମାଧାନ କରାଯିବା ପାଇଁ ଚେଷ୍ଟା କରାଯିବ ।

(୬୬) ଇଂରେଜଙ୍କୁ ପାକିସ୍ତାନ ଯୋଜନା ବହୁତ ପସନ୍ଦ ହେଲା । କାରଣ ଏହି ଯୋଜନା ଯୋଗୁଁ ହିନ୍ଦୁ ଏବଂ ମୁସଲମାନ ମହାଯୁଦ୍ଧ କାଳରେ ମିଳିତ ହେବାର ସମ୍ଭାବନା ନଥିଲା । ଏହା ଇଂରେଜ ନିରାପଦ ଏବଂ ନିଶ୍ଚିତ କରିଥିଲା । ମୁସଲମାନ ଯୁଦ୍ଧରେ ସାହାଯ୍ୟ କରିଚାଲିଲେ ଏବଂ କଂଗ୍ରେସ କେବେ ଯୁଦ୍ଧରେ ସହାୟତାକୁ ବିରୋଧ କଲା ତ କେବେ ଉଦାସୀନ । ସେହି ସମୟରେ ହିନ୍ଦୁ ମହାସଭା ଅନୁଭବ କଲେ ଯେ ଏହି ଅବସରରେ ହିନ୍ଦୁ ନବଯୁବକଙ୍କୁ ସୈନିକ-ଶିକ୍ଷା ଦିଆଯାଇପାରିବ । ସେମାନେ ଏହା ମଧ୍ୟ ଉପଲବ୍ଧି କଲେ ଯେ ଇଂରେଜ ଜାଣିଶୁଣି ହିନ୍ଦୁଙ୍କୁ ସୈନିକ ଶିକ୍ଷାରୁ ବଞ୍ଚିତ କରୁଛନ୍ତି । ଯୁଦ୍ଧ ଯୋଗୁଁ ସବୁ ପ୍ରକାରର ସେନାରେ ଭର୍ତ୍ତି ହେବାର ଦ୍ୱାର ଖୋଲା ଥିଲା । ମହାସଭା ତେଣୁ ଜୋର ଦେଲେ ଯେ ହିନ୍ଦୁ ଯୁଦ୍ଧରେ ଭାଗ ନେଇ ସୈନିକ ଶିକ୍ଷା ପ୍ରାପ୍ତ କରନ୍ତୁ । ଏହାର ପରିଣାମ ସ୍ୱରୂପ ୧୫ ଲକ୍ଷ ହିନ୍ଦୁ ଆଧୁନିକ ସୈନିକ ଶିକ୍ଷା ପ୍ରାପ୍ତ ହେଲେ । ଆଜି କଂଗ୍ରେସ ହିନ୍ଦୁ ମହାସଭାର ଏହି ଦୂରଦର୍ଶିତାର ଲାଭ ଉଠାଉଛି କାରଣ ଯେଉଁ ସୈନିକଙ୍କୁ କଂଗ୍ରେସ କାଶ୍ମୀରକୁ ପଠାଉଛି ତାହା ହିନ୍ଦୁ ମହାସଭା ବିଚାରର ପରିଣାମ ଅଟେ । ୧୯୪୨ରେ କଂଗ୍ରେସ ଭାରତ ଛାଡ଼ ଆନ୍ଦୋଳନ କଲା । ସବୁ ପ୍ରାନ୍ତରେ କଂଗ୍ରେସ କର୍ମୀମାନେ ଭୟାନକ କାଣ୍ଡମାନ ଭିଆଇଲେ । ଉତ୍ତର ବିହାରର ଏପରି କୌଣସି ରେଳ ଷ୍ଟେସନ ନଥିଲା ଯାହା ଜାଳି ଦିଆଯାଇନଥିଲା ବା କ୍ଷତିଗ୍ରସ୍ତ ହୋଇନଥିବ । କଂଗ୍ରେସର ଉଗ୍ର ବିରୋଧ ସତ୍ତ୍ୱେ ଇଂରେଜ ବିଜୟୀ ହେଲେ । ଏପ୍ରିଲ ୧୯୪୫ରେ ଜର୍ମାନୀ ହାରିଲା ଏବଂ ୧୯୪୫ରେ ଜାପାନ । ୧୯୪୨ର ଭାରତ ଛାଡ଼ ଆନ୍ଦୋଳନ ଅସଫଳ ହେଲା । ଇଂରେଜ ଜିତିଲେ ଏବଂ କଂଗ୍ରେସ ଏହା ନିଶ୍ଚିତ କଲେ ଯେ ଇଂରେଜଙ୍କ ସହିତ ସନ୍ଧି କରାଯାଉ ଏବଂ ଅନ୍ତରେ କଂଗ୍ରେସ ହାତକୁ ସତ୍ତା ଆସୁ ବଦଳରେ ଯେକୌଣସି ମୂଲ୍ୟ ଦେବାକୁ ପଡ଼ୁ ପଛେ । ଶେଷରେ କଂଗ୍ରେସ ଇଂରେଜଙ୍କ ସହିତ ସନ୍ଧି କରିନେଲା ଏବଂ ସତ୍ତା ହାସଲ କଲା । କିନ୍ତୁ ଜିନ୍ନାଙ୍କ ଜିଦ୍ ଆଗରେ ନଇଁଗଲା ଏବଂ ଭାରତର ଏକ-ତୃତୀୟାଂଶ ଭାଗକୁ ପାକିସ୍ତାନ ରୂପରେ ତାଙ୍କୁ ହସ୍ତାନ୍ତର କରିଦେଲା । ପାକିସ୍ତାନକୁ ଇସଲାମ ଦେଶ ବୋଲି ମାନିନିଆଗଲା । ଏହି କାର୍ଯ୍ୟ ଯୋଗୁଁ ୨୦ ଲକ୍ଷ ଲୋକଙ୍କ ସଂହାର ହେଲା । ନେହେରୁ ଏବେ କହିଲେ ଯେ ଭାରତରେ ସବୁ ଜାତିଙ୍କ ସମାନ ଅଧିକାର ଅଛି ଏବଂ ଯେଉଁମାନେ ତାଙ୍କୁ ମନେ ପକାଇ ଦେଉଥିଲେ ଯେ ଗତବର୍ଷ ହିଁ ସେ ଧାର୍ମିକ ଆଧାରରେ ଜିନ୍ନାଙ୍କ ସହିତ ସନ୍ଧି କରିଥିଲେ, ସେମାନଙ୍କ ସହିତ ସେ କଠୋର ବ୍ୟବହାର କରୁଥିଲେ । ନେହେରୁ ଏବେ ବି ଭ୍ରମରେ ଅଛନ୍ତି ଯେ ସେ ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ଏକତା ସ୍ଥାପିତ କରିପାରିବେ । ଏହା ଏପରି ବ୍ୟକ୍ତିର ସ୍ଥିିତି ଯିଏ ଘର ବାହାରେ ସଂସାରକୁ ଭୟ କରିବ ଏବଂ ନିଜ ଘରେ ପତ୍ନୀକୁ । ନେହେରୁ ଏବେ ବି ମୁସଲମାନଙ୍କୁ ଭୟ କରୁଥିଲେ ।

(୬୭) ମୁଁ ମନେ ପକାଇ ଦେବାକୁ ଚାହିଁବି ଯେ ସିନ୍ଧରେ କଂଗ୍ରେସ ‘ଭାରତ ଛାଡ଼’ ଆନ୍ଦୋଳନକୁ ତ୍ୟାଗ କରିବାକୁ ପ୍ରତିଶୃତି ଦେଲା, ଇଂରେଜଙ୍କୁ ବିଶ୍ୱାସ ଦେଲା ଯେ କଂଗ୍ରେସ ଜାପାନ ବିରୁଦ୍ଧରେ ଇଂରେଜର ସହାୟତା କରିବ ଏବଂ ଭାଇସରୟ ଲର୍ଡ ୱେବଲଙ୍କୁ ଭାରତୀୟ ସରକାରଙ୍କ ପ୍ରମୁଖ ମାନିବ । କଂଗ୍ରେସ କନଫ୍ରେନ୍ସ ଚାମ୍ବରକୁ ଯିବା ପୂର୍ବରୁ ଏହି ତିନି ସର୍ତ୍ତକୁ ମାନିନେଲା ।

(୬୮) ଏବେ ମୁଁ ଭାରତ ବିଭାଜନ ଏବଂ ଗାନ୍ଧୀଜୀଙ୍କ ବଧର ଚର୍ଚ୍ଚା କରିବି । ମୋତେ ଏହି କଥାର ଚର୍ଚ୍ଚା କରି ପ୍ରସନ୍ନତା ମିିଳିବନି ପରନ୍ତୁ ଭାରତବାସୀଙ୍କୁ ଏବଂ ସାରା ବିଶ୍ୱକୁ ବିଗତ ତିନି ବର୍ଷର ଇତିହାସ ବିଷୟ ଜାଣିବା ଦରକାର ଯଦ୍ଧ୍ୱାରା ଭାରତର ଟୁକୁଡ଼ା କରିବା ସମ୍ଭବ ହେଲା ଏବଂ ହିନ୍ଦୁ-ମୁସଲମାନଙ୍କ ଏକତା ନାମରେ ଗାନ୍ଧୀଜୀ ମାର୍ଗଦର୍ଶନରେ କଂଗ୍ରେସ ନିଜ ବାସ୍ତବିକ ଧ୍ୟେୟ ହଜାଇ ଦେଲା । ୫ କୋଟି ମୁସଲମାନ ଆମ ଦେଶରୁ ଅଲଗା ହୋଇଗଲେ । ପଶ୍ଚିମ ପାକସ୍ତାନରେ ହିନ୍ଦୁଙ୍କୁ ହତ୍ୟା କରାଗଲା ବା ସେମାନଙ୍କ ସବୁକିଛି ନଷ୍ଟ ହେଇଯାଇଥିଲା । ପୂର୍ବ ପାକିସ୍ତାନରେ ବି ଏହି ସ୍ଥିତି ହେଇଥିଲା । ୧୫ କୋଟି, ୧୦ ଲକ୍ଷ ଲୋକ ଘରଦ୍ୱାରା ନିଶ୍ଚିନ୍ନ ହେଇଥିଲା ସେମାନଙ୍କ ମଧ୍ୟରେ ୪୦ ଲକ୍ଷ ମୁସଲମାନ ଥିଲେ ଏବଂ ଏପରି ଭୟାନକ ପରିଣାମ ପରେ ବି ଗାନ୍ଧୀଜୀ ତାଙ୍କ ସେଇ ନୀତିରେ ଅଟଳ ଥିଲେ । ଏପରି ଦଶା ଦେଖି ମୁଁ ଅତ୍ୟନ୍ତ କୋଧିତ ଥିଲି ଏବଂ ମୁଁ ଏହା ସହି ପାରିଲିନି ଯେ ଆଉ ଅନେକ ସମୟ ପର୍ଯ୍ୟନ୍ତ ଦେଶର ବିଧ୍ୱଂସ କରିଚାଲିବେ । ମୁଁ ବ୍ୟକ୍ତିଗତ ରୂପରେ ଗାନ୍ଧୀଜୀଙ୍କ ବିରୁଦ୍ଧରେ କଟୁଶବ୍ଦ ପ୍ରୟୋଗ କରିବାକୁ ଚାହୁଁନାହିଁ । ପରନ୍ତୁ ମୁଁ ଏହା ଅବଶ୍ୟ କହିବି ଯେ ମୁଁ ତାଙ୍କ କାର୍ଯ୍ୟପ୍ରଣାଳୀ ଏବଂ ନୀତିର ଘୋର ବିରୋଧି ଥିଲି ଏବଂ ସଦା ରହିବି । ବାସ୍ତବରେ ଗାନ୍ଧୀଜୀ ଏପରି କାର୍ଯ୍ୟ କରିଲେ ଯାହା ଦ୍ୱାରା ଇଂରେଜ ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ବିଭେଦ ବୁଣବାକୁ ଉପାୟ ପାଇଗଲେ । ସେ ଭାରତର ବିଭାଜନ କରିବା ପାଇଁ ଇଂରେଜର ସହାୟତା କଲେ ଏବଂ ମୋତେ ଏବେ ବି ବିଶ୍ୱାସ ହୁଏନାହିଁ ଯେ ଇଂରେଜ ଭାରତ ଛାଡ଼ିବା ପାଇଁ ଇଚ୍ଛୁକ ଥିଲେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top