ଅନୁଭୂତି

ଆଧ୍ୟାତ୍ମିକତା, ସଙ୍ଗୀତ ଓ ଗୁରୁଚରଣ ଭାଇ

Dr Anita Panda

ମୁଁ ଯଦି ସରଳ ଭାଷା ଏବଂ ଅତି ସଂକ୍ଷିପ୍ତରେ କହିବି ତାହା ହେଲା- ବେଦ ଆଉ ଉପନିଷେଦ ସାଧାରଣ ମଣିଷମାନଙ୍କ ପାଇଁ ବୁଝିବା କଷ୍ଟକର । ସେଥିପାଇଁ ପୁରାଣର ଜନ୍ମ ।

ଆଧ୍ୟାତ୍ମିକତା, ସଙ୍ଗୀତ ଓ ଗୁରୁଚରଣ ଭାଇ

-: ପୂର୍ବରୁ :-

ଗାଁ ଘରେ ଆମେ ତିନି ଭଉଣୀ, ବାପା ଓ ପିଲାମାନଙ୍କର ତତ୍ତ୍ୱବଧାନ କରୁଥିବା ମା’ (ସମସ୍ତେ ତାଙ୍କୁ ନୀରା ମା’ ଡାକନ୍ତି, ଆମେ ପିଲାମାନେ ମା’ ସମ୍ୱୋଧନ କରୁ) । ଛୁଆନନା ତାଙ୍କ ଚାକିରୀ ଜାଗାରେ । ବଡ଼ନନା ମଧ୍ୟ ସହରରେ । ନାନୀ କହେ ଆମର ଆର୍ଥିକ ଅବସ୍ଥା ଖରାପ ହେବା ପରେ ପୂଝାରୀ, ଟହଲିଆମାନେ ହଟି ଯାଇଛନ୍ତି । ଠାକୁରଙ୍କ ପୂଜା କରୁଥିବା ପୂଜକ ମଧ୍ୟ ଆସୁ ନାହାନ୍ତି । ବେଳେ ବେଳେ ମୁଁ କୌତୂହଳରେ ପଚାରେ, “ଏ ଜମିଦାରୀ କ’ଣ ଏତେ ଧନର ଭଣ୍ଡାର । ମୁଁ କାହିଁକି ତାକୁ ଦେଖି ପାରିଲିନି ?” ନାନୀ ଉପରେ ଘର ଗୋଟାକର ଦାୟିତ୍ୱ ସେ ମୋ କଥାର ସଠିକ୍ ଜବାବ୍ ନ ଦେଇ ତା’ କାମରେ ଲାଗିଯାଏ ।

ମୁଁ ଆଉ ସୁଶୀ ନାନୀ ବଗିଚାରେ ବୁଲି ବୁଲି ଜାତି ଜାତିକା ଫୁଲ ତୋଳି ଡାଲା ଭର୍ତ୍ତି କରି । ଉପର ଫୁଲ ତୋଳିବା ପାଇଁ ହାତ ନ ପହଞ୍ଚିବ ବୋଲି ସୁଶୀନାନୀ କଣି ଆଙ୍କୁଡ଼ି ଖଣ୍ଡେ ଧରି ଗଛରୁ ଫୁଲ ଭାଙ୍ଗେ ହେଲେ କାଠଚମ୍ପା ଗଛ ପାଇଁ ଆଙ୍କୁଡ଼ି କାମ ଦିଏନା । ବାଧ୍ୟତଃ ମତେ ଗଛରେ ଚଢ଼ି ଫୁଲ ତୋଳିବାକୁ ହୁଏ । ସୁଶୀନାନୀର କାମ ହେଲା ରାସ୍ତା ଆଡ଼କୁ ନଜର ରଖିଥାଏ । ବାପା ଦେଖିବେ ତ କଥା ସରିଲା ।

ବଡ଼ି ସକାଳୁ ଉଠି ଆମେ ଦୁହେଁ ବଗିଚାକୁ ଯାଇଥାଉ । ତା’ର କାରଣ ହେଲା ବିଳମ୍ୱ ହେଲେ ଅନ୍ୟମାନେ ବଗିଚା ବାହାରକୁ ଲମ୍ୱି ଆସିଥିବା ଡାଳମାନଙ୍କର ହାତ ପାହାନ୍ତା ଫୁଲମାନଙ୍କୁ ତୋଳି ନିଅନ୍ତି । ନାନୀ (ବଡ଼ନାନୀ, ନୀତି ନାନୀ, ଜିଦି ନାନୀ, ମନୋଇ ନାନୀ) କହେ ଜମିଦାରୀ ଥିବା ସମୟରେ ଜିଭରେ ହାଡ଼ ଥିଲା ଆମ ଫୁଲ ଗଛରେ ହାତ ଦେବାକୁ ତୋଳିବା ତ ଦୂର କଥା । ଆଖି ଉଠେଇ ସେ ଆଡ଼େ ଦେଖିବାକୁ ବି ସାହସ କରୁ ନ ଥିଲେ ।

ନାନୀ, ଗାଁଟା ଯାକର ନାନୀ, ସଜନା, ଭିକାରୀ ତାକୁ ବଡ଼ନାନୀ ଡାକନ୍ତି । ତା’ର କାରଣ ହେଲା ସେ ଦୁହେଁ ସୁଶୀନାନୀକୁ ସାନନାନୀ ଆଉ ମତେ ଗେହ୍ଲୀ ନାନୀ ଡାକନ୍ତି । ନାନୀ ବହୁତ ନୀତି ନିୟମ ପାଳନ କରିବାର ପ୍ରୟାସ କରିଥାଏ । ତେଣୁ ତା’ ହାତରୁ ଠାକୁର ଭୋଗ ନେଲାବେଳେ, ଗାଁର କିଶୋର ପିଲାମାନେ ଏବଂ ଧୋବା ସାହି, ହରିଜନ ସାହିର ବୟସ୍କା ମା’ମାନେ ତାକୁ ନୀତି ନାନୀ ଉପାଧି ଦେଇଥାନ୍ତି । ଯୁବା ଗୋଷ୍ଠୀକୁ ନାନୀର ଏତେ ଭଲ ଗୁଣ, ସେମାନଙ୍କ ଆଖିକୁ କିଛି ଦେଖାଯାଏ ନାହିଁ, ଖାଲି ତା’ର ଜିଦିରେ ନାନୀ ସମ୍ୱୋଧନ କରିଥାନ୍ତି । ଏଇ କଥା ନେଇ ଗୋଲନା ସଙ୍ଗେ ମୋର ଥରେ ଝଗଡ଼ା ହୋଇ ଯାଇଥିଲା । ମାତ୍ର ଶେଷରେ ମୁଁ ହାର ମାନିଥିଲି । ଖୁଡ଼ୀ, ଜେଠେଇ, ପିଉସୀମାନେ ବେଳେ ବେଳେ ପରିହାସ କରି କହିଥାଆନ୍ତି ବସିଆଟା ଗୋଟେ ମନୋଇ । ତା’ ମନ ଯାହା ସିଏ କରିବ । ଆଉ କାହାର କ’ଣ ହେଲେ ତା’ର ଯାଏ ଆସ ନ ଥାଏ । ଗୋପୀଆ ମା’ ଆଈ ଏହାର ପ୍ରତିବାଦ କରେ । ସେଇଥି ପାଇଁ ତ ଝିଅଟା ଚାରି ଚାରିଟା ମା’ ଛେଉଣ୍ଡ ଭାଇ ଭଉଣୀକୁ ସମ୍ଭାଳିଛି । ତା’ ଭାଇ ଭଉଣୀମାନଙ୍କ ଗୁଣର ଆଉ ଗୋଟେ ପିଲା ଏ ଗାଁର ଦେଖେଇଲ ।

ସକାଳୁ ସକାଳୁ ପ୍ରତିଦିନ ବୁଲି ବୁଲି ଗଛମାନଙ୍କ ସଙ୍ଗେ ବନ୍ଧୁତା ଆଜି ମୋର ଗଛପତ୍ରମାନଙ୍କ ପାଇଁ ସ୍ନେହ ଓ ଆନ୍ତରିକତା ନିବିଡ଼ ଭାବେ ଜାରୀ ରଖିଛି ।

କେବଳ ଫୁଲ ତୋଳା ନୁହେଁ ପୂଜାର ସମସ୍ତ ବ୍ୟବସ୍ଥା ଆମ ଦୁଇଭଉଣୀଙ୍କୁ କରିବାକୁ ପଡ଼ିଥାଏ । ଏମିତିକି ଠାକୁର ବାସନ ମାଜିବା ମଧ୍ୟ ଆମ ଦୁଇଜଣଙ୍କ ଉପରେ ଥାଏ । ଠାକୁର ବାସନ ଗୁଡ଼ିକ ତମ୍ୱା (ତାମ୍ର) ଆଉ ପିତଳ । କୂଅ ମୂଳେ ଥିବା ଲେମ୍ବୁ ଗଛରୁ ଲେମ୍ବୁ ଛିଡ଼ାଇ ବାସନକୁ ଚକ୍ ଚକ୍ କରୁ । ସେଥିପାଇଁ ମଧ୍ୟ ନାନୀ ଠାରୁ ଗାଳି ଶୁଣିବାକୁ ପଡ଼ିଥିଲା । କାଗେଜୀ ଲେମ୍ବୁ କେତେ ମହର୍ଗ, ତେନ୍ତୁଳି ନେଇ ସଫା କର । ଏଇଥିରୁ ମଧ୍ୟ ମତେ କିଛି ଶିକ୍ଷା ଲାଭ ହୋଇଥିଲା । ତେନ୍ତୁଳି ଦ୍ୱାରା ସଫା କଲେ ବାସନ ଗୁଡ଼ିକ ଖୁବ୍ ଉଜ୍ଜ୍ୱଳ ଦେଖାଯାଉଥିଲା, ମାତ୍ର କିଛି ସମୟ ପରେ ଏହା କଳା ହୋଇ ଯାଉଥିଲା । ବହୁ ପ୍ରକାର ଚେଷ୍ଟା ଚଳାଇବା ପରେ ଦିନେ ଆମେ ଦୁହେଁ ଆବିଷ୍କାର କଲୁ ତେନ୍ତୁଳିରେ ସଫା କରି ପାଉଁଶ କିମ୍ୱା ମାଟିରେ ବାସନ ଗୁଡ଼ିକୁ ମାଜିଲେ, ଉଜ୍ଜ୍ୱଳତା ବଜାୟ ରହୁଛି । ଏଇ ଆବିଷ୍କାର ପାଇଁ ଆମକୁ ସାବାସୀ ମିଳିବା ତ ଦୂରକଥା, ନାନୀଠୁ ଶୁଣିବାକୁ ମିଳିଲା ଏହା ମତେ ଜଣାଥିଲା । ତୁମେ ଦି’ଟା ବୋକୀ, ତେଣୁ ତୁମକୁ ଜଣା ନଥିଲା ।

ଫୁଲ ପାଛିଆ (ଚାଙ୍ଗୁଡ଼ି) ଏବଂ ବାସନ ଠାକୁର ଘର ଦୁଆରେ ରଖି (ନ ଗାଧୋଇ ଠାକୁର ଘର ଭିତରକୁ ଯିବା ମନା) ଆମେ ଦୁହେଁ ଗାଧୋଇବାକୁ କୂଳ ପାଖକୁ ଯାଉ । ଗାଧୋଇ ସାରି ସୁଶୀନାନୀ ଗୋଟାଏ ବଡ଼ ପିତଳ କୁମ୍ଭ (ଲୋଟା)ରେ ପାଣି ଭର୍ତ୍ତି କରି ସିଂହାସନ ଉପରେ ରଖେ । ମୁଁ ବୁଲି ବୁଲି ବଗିଚାରୁ କୃଷ୍ଣ ତୁଳସୀ ସଂଗ୍ରହ କରେ । ସିଂହାସନ ପୋଛି ବାସନ ସଜାଇବା ଏବଂ ଚନ୍ଦନ ଘୋରି ରଖିବା ମୋ କାମ । ଠାକୁର ଘର ଓଳା ପୋଛା ସୁଶୀ ନାନୀର । ଛୁଆନନା ଘରେ ଥିଲେ ଠାକୁର ପୂଜା ତାଙ୍କ ପାଳି । ଅନ୍ୟ ଦିନମାନଙ୍କରେ ସକାଳ ପୂଜା, ସନ୍ଧ୍ୟା ଆରତୀ ବାପା ସମ୍ପୂର୍ଣ୍ଣ କରିଥାଆନ୍ତି ।

ପୂଜା ଶେଷରେ ମୁଁ ଘଣ୍ଟା ବଜାଏ । ସୁଶୀନାନୀ ଘଡ଼ି ଘଣ୍ଟା ବଜାଇବାକୁ ମତେ ଯେତିକି ଭଲ ନ ଲାଗେ । ତା’ପରର ପ୍ରାର୍ଥନା ଖୁବ୍ ବେଶୀ । ବାପାଙ୍କ ଠାରୁ ଶୁଣି ଶୁଣି ପରେ ପରେ ପାଳି ଧରି ଧରି ମୁଁ ସମ୍ପୂର୍ଣ୍ଣ ଭାବେ ଶ୍ଳୋକଟି ଶିଖି ଯାଇଥିଲି ।

“ତ୍ୱମୈବ ମାତା ଚ ପିତା ତ୍ୱମୈବ
ତ୍ୱମୈବ ବନ୍ଧୁଶ୍ଚ ସଖା ତ୍ୱମୈବ ।
ତ୍ୱମୈବ ବିଦ୍ୟା ଦ୍ରବୀଣଂ(ଜ୍ଞାନ) ତ୍ୱମୈବ
ତ୍ୱମୈବ ସର୍ବଂ ମମଦେବ ଦେବ ।”

ଶିଖିବା ପରେ ମୁଁ ଏଇ ଶ୍ଳୋକଟିର ପୁନରାବୃତ୍ତି କରୁଥିଲି । ବାପା ମୋ ଉପରେ ବହୁତ ଖୁସି ହେଉଥିଲେ ।

ସୁଶୀନାନୀ ଓ ମତେ ଏକାଠି ଦେଖିଲେ ଯେ କେହି ମନ୍ତବ୍ୟ ଦେଇ ଥାଆନ୍ତି । ଏମାନଙ୍କର ସମ୍ପର୍କ କ୍ଷୀର ନୀର ସଦୃଶ । ମୁଁ ଶ୍ଳୋକଟି ଶିଖିବା ପରେ ସୁଶୀନାନୀକୁ ବହୁବାର ଅନୁରୋଧ କରିଥିଲି ଏକାଠି ପାଳି ଧରିବାକୁ । ଏ ସଂସ୍କୃତ ଶବ୍ଦ ଗୁଡ଼ାକ ମୋ ଜିଭରେ ଲେଉଟିବନି । କହି ଭୋଗ ଥାଳିଆ ଉଠାଇ ଚାଲିଯାଇଥାଏ ।

ମୋ ଶିଖିବାର ସ୍ପୃହା ଦେଖି ସନ୍ଧ୍ୟା ଦୀପ ଜଳାଇବା ସମୟରେ ଉଚ୍ଚାରଣ କରିବାକୁ ବାପା ମତେ ଆଉ ଗୋଟିଏ ଶ୍ଳୋକ ଶିଖାଇ ଦେଇଥିଲେ ।

“ଦୀପଂ ଜ୍ୟୋତି ପରବ୍ରହ୍ମଂ
ଦୀପଂ ଜ୍ୟୋତି ଜନାର୍ଦ୍ଦନ
ଦୀପଂ ଜ୍ୟୋତି ହରେତ୍ ପାପଃ
ସନ୍ଧ୍ୟା ଦୀପଂ ନମୋଃସ୍ତୁତେ ।”

ଏଇ ଶ୍ଳୋକଟି ଦ୍ୱାରା ମୁଁ ଏତେ ବେଶୀ ପ୍ରଭାବିତ ଯେ ଆଜି ମଧ୍ୟ (୬୬ ବର୍ଷ ବୟସରେ) ଯେ କୌଣସି କାର୍ଯ୍ୟକ୍ରମ ପାଇଁ ପ୍ରଦୀପ ପ୍ରଜ୍ଜ୍ୱଳିତ ହେଲେ । ମୁଁ ଏଇ ଶ୍ଳୋକଟି ଉଚ୍ଚାରଣ କରିଥାଏ । କେଉଁ ଏକ କାର୍ଯ୍ୟକ୍ରମରେ ମୋର ଜଣେ ସହକର୍ମୀ ମନ୍ତବ୍ୟ ଦେଇଥିଲେ, “ତୁମେ ଆଜି ସଭାର ମଖ୍ୟ ଅତିଥି । ପ୍ରଦୀପ ପ୍ରଜ୍ଜ୍ୱଳନ ସମୟରେ ଶ୍ଳୋକ ଉଚ୍ଚାରଣ କରିବନି ।”

ମୁଁ ଖୁବ୍ ସହଜରେ ଉତ୍ତର ଦେଇଥିଲି “ଈଶ୍ୱରଙ୍କ ସାମ୍ନାରେ କେହି ମୁଖ୍ୟ ନୁହଁନ୍ତି । ଆମେ ଯେଉଁ ସ୍ଥାନରେ ଥିଲେ ମଧ୍ୟ ଭଗବାନଙ୍କୁ ସ୍ମରଣ କରିବା ଆମର କର୍ତ୍ତବ୍ୟ ।”

ଝିଅ ପିଲା ଗାଁ ବାହାରକୁ ସ୍କୁଲ୍‌ରେ ପଢ଼ିବାକୁ ଯିବା ସେ କାଳ ପାଇଁ ନୀତି ବିରୁଦ୍ଧ ଥିଲା । ମତେ ଛଅ ପୁରି ସାତ ଚାଲିଥିଲା । ପାଠ ପ୍ରତି ମୋର ବହୁ ଆଗ୍ରହ ଦେଖି ମଧ୍ୟ ବାପା ସମାଜ ବିରୁଦ୍ଧରେ ଯାଇ ଶିବ ପ୍ରସାଦ କିମ୍ୱା ରାମବାଗ ସ୍କୁଲ୍‌କୁ ପଢ଼ିବା ପାଇଁ ପଠାଇ ନ ଥିଲେ । ତା’ର କାରଣ ହେଲା ଦୁଇଟି ଯାକ ସ୍କୁଲ୍ ଆମ ଗାଁ ବାହାରେ ।

ମଝିରେ ମଝିରେ ମାମୁଁ ଆମ ଘରକୁ ଆସନ୍ତି । ମାମୁଁ ଆସିଲେ ଆମେ ପିଲାମାନେ ଭାରି ଖୁସି ହେଉଥିଲୁ । ତା’ର କାରଣ ହେଲା ଯେଉଁ ଯେଉଁ ବିଷୟ ଗୁଡ଼ିକ ଉପରେ କାୟଦା କଟକଣା, ମାମୁଁ ଥିଲେ ସେସବୁ ଲାଗୁ ହୁଏନା । ମାମୁଁ ଆମକୁ ବହୁଦୂର ଦୂରକୁ ବୁଲେଇ ନେଇଯାଆନ୍ତି । ଯାହା ଅଳି କରୁ ତାହା କିଣି ଖୁଆନ୍ତି ।

ମାମୁଁଙ୍କର ଏକମାତ୍ର ଝିଅ ଭାର୍ଗବୀ ନାନୀ । ମୋ ଠୁ ବୟସରେ ବେଶ୍ ବଡ଼ । ହେଲେ ତାଙ୍କୁ ମୁଁ କେବେ ଥରେ ମଧ୍ୟ ସ୍ୱଚକ୍ଷୁରେ ଦେଖି ନଥିଲି । ସନ୍ଧ୍ୟା ଆରତୀ ସରିବା ପରେ ବାପା ତାଙ୍କ ଚୋପାଡ଼ୀରେ ଆସର ଜମାନ୍ତି । ଆମେ ମାମୁଁଙ୍କ ପାଖରେ ଅଗଣାରେ ବସି କେତେ ଗପ ଶୁଣୁ । ସେଦିନ କଥା କଥାରେ ମୁଁ ମାମୁଁଙ୍କୁ କହିଲି “ଭାର୍ଗବୀ ନାନୀଙ୍କ ଭଳି ମୁଁ କାହିଁକି ସ୍କୁଲ୍ ଯାଉନି ?” ମାମୁଁ କାହିଁକି କେଜାଣି ଟିକିଏ ଚୁପ୍ ରହିଲେ । ତା’ପରେ ଆରମ୍ଭ କଲେ ନନା (ମୋ ବାପା) ଜନ ମନ୍ତବ୍ୟକୁ ଡରୁଛନ୍ତି । ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ । କୌଣସି କାରଣରୁ ବାପା ଅଗଣା ପାଖକୁ ଆସିଥିଲେ । ସାପ ଲାଙ୍ଗୁଳରେ ହାତ ଦେଲେ ଯାହା ହୋଇଥାଏ ସେଇୟା ହେଲା । ବାପା, ମାମୁଁଙ୍କ ମଧ୍ୟ ରୀତିମତ ଝଗଡ଼ା ପରିସ୍ଥିତି ଏତେ ଜଟିଳ ହୋଇଗଲା ଯେ ମାମୁଁ ରାତାରାତି ଘର ଛାଡ଼ି ଚାଲିଯିବାକୁ ବାହାରିଲେ । ବଡ଼ନାନୀ ତାଙ୍କ ବହୁ ବୁଝାଇଲେ । ମାତ୍ର ସେ କାହା କଥା ଶୁଣିବା ଉପରେ ନ ଥିଲେ । ବ୍ୟାଗ୍ ଖଣ୍ଡକରେ ତାଙ୍କ ଲୁଗାପଟା ସଜାଡ଼ି ବାହାରକୁ ଆସିଲେ । ଏତେ ରାତିରେ ମାମୁଁ ଏତେ ଦୂର ଚାଲି ଚାଲି ଯିବେ । ସେ ପୁଣି ବରମାରା(ମଶାଣି) ପଡ଼ିଆ ପାର ହୋଇ । ବଡ଼ନାନୀ କହେ, “ଭୂତମାନେ ସେଠି ଅଧରାତିରେ ବସି ମେଳା କରନ୍ତି । ତେବେ କ’ଣ ହେବ ? ସେମାନେ ମାମୁଁଙ୍କୁ ନିଶ୍ଚୟ ବାଣ୍ଟି କୁଣ୍ଟି ଖାଇଯିବେ ?”

ଆମଘର ବାହାରକୁ ଲାଗି ଗୋଟିଏ ଛତା ଜୋତା ରୁମ୍ ଥିଲା । ଘରକୁ ଅତିଥି ଆସିଲେ ସେଇଠି ଛତା ଜୋତା ରଖି ଗୋଡ଼ ଧୋଇ ଘର ଭିତରକୁ ପଶନ୍ତି । ମୁଁ ଲୁଚିଲୁଚି ଯାଇ ମାମୁଁଙ୍କ ଛତାଟି ନେଇ ଖଳାଘର ନଡ଼ା ଗଦା ଭିତରେ ଲୁଚାଇ ଦେଇ ଆସିଲି । ମୁଁ ଜାଣିଥିଲି, ମାମୁଁ ଜୋତା ବିନା ଖାଲି ପାଦରେ ଚାଲିଯିବେ । ମାତ୍ର ଛତା ଛାଡ଼ି କୁଆଡ଼େ ଯିବେନି । ଛତାଟିକୁ ଲୁଚାଇ ଦେଇ ଚୁପ୍ ଚାପ୍ ଯାଇ ନିର୍ଦ୍ଦୋଷ ପିଲାଟି ଭଳି ବିଛଣାରେ ପଡ଼ି ଗାଢ଼ ନିଦ୍ରାର ଅଭିନୟ କଲି ।

ମାମୁଁ, ନାନୀ ଘଣ୍ଟାକରୁ ଅଧିକ ସମୟ ଧରି ଛତା ଖୋଜା ଖୋଜି କଲେ । ସେତେବେଳକୁ ବାପାଙ୍କର ରାଗ ବୋଧେ ଥଣ୍ଡା ପଡ଼ି ଯାଇଥିଲା । କହିଲେ “ଏଇଟା ଲକ୍ଷ୍ମୀନାରାୟଣଙ୍କ ଆଶ୍ରମ । ତାଙ୍କ ଆଶ୍ରମ ଛାଡ଼ି ରାତିରେ କେହି ଯାଇ ପାରିବେନି ।” ପରେ ପରେ ସମସ୍ତଙ୍କ ପାଇଁ ରାତ୍ରି ଭୋଜନର ଆୟୋଜନ କରିବା ପାଇଁ ନାନୀକୁ କହିଲେ, ଗାଢ଼ ନିଦରୁ ଉଠିଲା ଭଳି ଆସି ବଡ଼ନାନୀକୁ କହିଲି, “ବହୁତ ଭୋକ ଲାଗୁଛି, ନିଦ ହେଉନି ।”

ଆଉ ଦୁଇଦିନ ରହି ମାମୁଁ ତାଙ୍କ ଘରକୁ ଲେଉଟି ଯାଇଥିଲେ । ରାତ୍ରି ଭୋଜନ ସମୟରେ ବାପା ଆମକୁ ଆଦେଶ ଦେଇଥିଲେ, ବଡ଼ ଭୋରୁ ଉଠି ନିତ୍ୟକର୍ମ ଶେଷ କରିଦେବ । କ’ଣ ପାଇଁ ନ ବୁଝିଥିଲେ ମଧ୍ୟ ଦୁଇ ଭଉଣୀ ଆଦେଶ ପାଳନ କରିଥିଲୁ ।

ଆମ ଦୁହିଁଙ୍କୁ ତାଙ୍କ ସହ ପ୍ରାର୍ଥନା କରିବାକୁ କହିଲେ, ଅପେକ୍ଷା କୃତ ଧୀରେ ଧୀରେ ଉଚ୍ଚାରଣ କରୁଥିଲେ-

“ଓଁ ସୂର୍ଯ୍ୟାୟ ନମଃ
ପ୍ରାତଃ ସ୍ମରାମି ଖଳୁ ତସ୍ମ ବିତୁର୍ବ ବରେଣ୍ୟମ୍. . . ।”

ସନ୍ଧ୍ୟାରେ ଚଉପାଡ଼ୀ ଘରେ ବସି ଉପସ୍ଥିତ ଅତିଥିମାନଙ୍କ ସାମ୍ନାରେ ଅଧ୍ୟାୟେ ପୁରାଣ ପାଠ । ସବୁଠୁ ଆଶ୍ଚର୍ଯ୍ୟ ମତେ ଲାଗିଲା, ଗୋଟିଏ ଗାର ପଡ଼ିଥିବା ଖାତାରେ ଦିନ ଯାକର ସୁଖ ଦୁଃଖ କାହାଣୀକୁ ଲିପିବଦ୍ଧ କରିବା ପାଇଁ ମଧ୍ୟ ଆଦେଶ ଦେଲେ ।

ଗୋଟିଏ ପୁରାଣ ଶେଷ ନ ହେବା ପର୍ଯ୍ୟନ୍ତ ଦ୍ୱିତୀୟଟି ଆରମ୍ଭ କରାଯାଏନା । ମୋର ଉତ୍କଣ୍ଠା ଖୁବ୍ ବଢ଼ିଯାଏ । ତେଣୁ ଯେତେ ଶୀଘ୍ର ପ୍ରଥମଟିକୁ ପଢ଼ି ଶେଷ କରିବାକୁ ଆପ୍ରାଣ ଚେଷ୍ଟା କରେ । କେବେ କେବେ ଏମିତି ହୁଏ, ଶ୍ରୋତାମାନେ ବନ୍ଦ କରିବାକୁ କହିଥାଆନ୍ତି । ଏଇ ପଦ୍ଧତି ଅବଲମ୍ୱନ କରୁ କରୁ ମୋର ଭାଷା ଉପରେ ଏତେଟା ଜ୍ଞାନ ବୃଦ୍ଧି ପାଇଯାଇଥିଲା । ତାହା ମୁଁ ପରବର୍ତ୍ତୀ ପର୍ଯ୍ୟାୟରେ ହୃଦୟଙ୍ଗମ କରି ପାରିଥିଲି ।

ସକାଳ ସନ୍ଧ୍ୟାର ଦୁଇବେଳା ପ୍ରାର୍ଥନା କେବଳ ମନକୁ ଯଥେଷ୍ଟ ଶାନ୍ତି ଦେଉଥିଲା ତାହା ନୁହେଁ, ଗଳା ଖୋଲି ବିଭିନ୍ନ ଧରଣର ଗୀତ ଗାଇବାରେ ମଧ୍ୟ ସାହାଯ୍ୟ କରୁଥିଲା । ସବୁଠାରୁ ବେଶୀ ଉଲ୍ଲେଖନୀୟ ଥିଲା ମୋର ଏକାଗ୍ରତା ଶକ୍ତିର ବୃଦ୍ଧି ।

ଦିନ ଗୋଟାକର ହୃଦୟସ୍ପର୍ଶୀ ବିଷୟ ଗୁଡ଼ିକୁ ବାପା ଦେଇଥିବା ଡାଏରୀରେ ଉଲ୍ଲେଖିତ କରିବା ପରେ ମତେ ବହୁତ ବେଶୀ ଶାନ୍ତି ଉପଲବ୍ଧି ହେଉଥିଲା । କେବଳ ସେତିକି ନୁହେଁ, ଲେଖିବା ପରେ ବିଷୟଟି ମୋର ଏତେ ବେଶୀ ମନେ ରହିଯାଉଥିଲା ଯେ ଅନ୍ୟମାଙ୍କ ସହ କେବଳ ସେଇ ବିଷୟରେ ଆଲୋଚନା ହେଲେ ମୋର ସ୍ମରଣ ଶକ୍ତି ଖୁବ୍ ବେଶୀ ବୋଲି ମନ୍ତବ୍ୟ ମିଳୁଥିଲା । ଏଇ ବିଷୟ ଗୁଡ଼ିକ ସତକୁ ସତ ମତେ ସ୍ୱାବଲମ୍ୱୀ କରି ଦେଇଛି ।

ଭାଗବତ ଘର –

ଆଜି ୧୬ ସେପ୍ଟେମ୍ୱର ବୁଧବାର । ଆସନ୍ତା କାଲି ଭାଦ୍ରପଦ ପୂର୍ଣ୍ଣିମା(ଭାଗବତ ଜନ୍ମ) ଏ ବର୍ଷ ପୂର୍ଣ୍ଣମୀଟି ଦୁଇଦିନ ଥିଲା । ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ଲାଗୁଥିବାରୁ ଆଜି ଭାଗବତ ପାଠର ସମୟ ନିର୍ଣ୍ଣୟ କରାଯାଇଥିଲା । ଯାଜପୁର ମଠର ବାବା ବାପାଙ୍କୁ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ । ପୁରୀରୁ କେତେଜଣ ମହନ୍ତ ଏବଂ ବ୍ରହ୍ମଚାରୀମାନେ ଆସିଛନ୍ତି । ଭାଗବତ ଜନ୍ମତିଥି ପାଳନ କରିବା ପାଇଁ ପୁରାଦିନ ଅଖଣ୍ଡ ଶ୍ରୀମଦ୍ ଭାଗବତ୍ ପାଠ କରାଯିବ । ସେଠାରେ ପହଞ୍ଚି ଆମେ ଦେଖିଲୁ ବହୁ ମହାନ୍ ମହାନ୍ ଜ୍ଞାନୀମାନେ ଭାଗବତ ପଢ଼ିବା ପାଇଁ ଏକତ୍ରିତ ହୋଇଛନ୍ତି । ସେମାନଙ୍କ ସାମ୍ନାରେ ମୁଁ କ’ଣ ବା ପଢ଼ିବି । ଟିକିଏ ଚିନ୍ତା କରି ବାପା କହିଲେ, “ତୁ ଭାଗବତ ନ ପଢ଼ି ଭାଗବତ ବିଷୟରେ ଦୁଇ ଲାଇନ୍ କହିପାରିବୁ ?”

ଘରେ ପୁରାଣ ପଢ଼ିବା ସମୟରେ ବହି ନ ଦେଖି ରଙ୍ଗିଆ, ଭିକାରୀ ପ୍ରଭୃତିଙ୍କୁ କିଛି କିଛି ବୁଝାଇଥାଏ । କାଳି ସେଠୀର ଭାରିଜା ଥରେ ସେମାନଙ୍କୁ ଭାଗବତ ବିଷୟରେ ବୁଝାଇବାକୁ କହିଥିଲା । ମୁଁ ପଢ଼ି ଶୁଣାଇଥିଲି । ମାତ୍ର ସେମାନେ କିଛି ବୁଝିପାରୁ ନାହାଁନ୍ତି । କଥାରେ କିଛି ବୁଝାଇବାକୁ ଅନୁରୋଧ କଲା । ତା’ କଥା ଅନୁସାରେ ମୁଁ କିଛି ଭାଗବତ ତତ୍ତ୍ୱ ସରଳରେ ଲେଖିଥିଲି । ମାତ୍ର ଏ ମହାଜ୍ଞାନୀମାନଙ୍କ ସାମ୍ନାରେ ତାହା ପଢ଼ିବା କ’ଣ ଉଚିତ୍ ହେବ ? କହିଲି, “ଭୟ ଲାଗୁଛି । ମୋ ପାଟି ଖନି ମାରିଯିବ । ସେମାନେ କେତେ ଜ୍ଞାନୀ !”

ବାପା ଅପେକ୍ଷାକୃତ ଚଢ଼ାଗଳାରେ କହିଲେ, “ମାନୁଛି ସେମାନେ ମହାଜ୍ଞାନୀ, ଭୟ ଲାଗୁଛି, ପାଟି ଖନି ମାରିଯିବ ଏ ସବୁ ଭୀରୁମାନଙ୍କର ଭାଷା”, ପୁଣି ନରମ ଗଳାରେ କହିଲେ, “କିଛି ବ୍ୟସ୍ତ ହେବାର ନାହିଁ । ତୁ ତ ସାନ ପିଲାଟି ନ କହି ପାରିଲେ କେହି ପ୍ରତିବାଦ କରିବେନି । ମାତ୍ର ମନେ ରଖିଥା ବରଂ ଚୁପ୍ ରହିବୁ ମାତ୍ର ବାହାଦୂରୀ ମାରି ଭୁଲ୍ ଭାଲ୍ କହିବୁନି ।”

ଭାଗବତ ପାଠ ଆରମ୍ଭ ଦଶଟାରେ । ତା’ ପୂର୍ବରୁ ପୂଜା, ହୋମ ପ୍ରଭୃତି ସମ୍ପୂର୍ଣ୍ଣ ହେବ । ମୁଁ ବୈତରଣୀ ନଦୀକୁ ଗାଧୋଇବା ବାହାନାରେ ଯାଇ ମୋ ଲେଖା କାଗଜରେ ଆଉ ଯାହା ଯାହା ମନକୁ ଆସିଲା ଯୋଡ଼ି ଦେଲି । ଗାଧୋଇ ଆସି ଆଦେଶ ଅପେକ୍ଷାରେ ବସି ରହିଲି ।

କେହି ଜଣେ ବୟସ୍କ ବ୍ୟକ୍ତି ଛିଡ଼ା ହୋଇ କହିଲେ, “ଆମ ଯାଜପୁର ସବ୍‌ଡିଭିଜନ୍‌ରେ ଏମିତି କୌଣସି ଗାଁ ନାହିଁ ଯେଉଁଠାରେ ଭାଗବତ ଘର ନାହିଁ । ଏମିତି କୌଣସି ଘର ନାହିଁ ଯେଉଁଠି ପ୍ରତିଦିନ ଗୋଟିଏ ଅଧ୍ୟାୟ ଶ୍ରୀମଦ୍ ଭାଗବତ ପଢ଼ା ନ ଯାଏ । ତେଣୁ ଏଠାରେ ଆବାଳ ବୃଦ୍ଧ ବନିତା ଭାଗବତ ସହ ସମ୍ପୂର୍ଣ୍ଣ ଭାବେ ସମ୍ପୃକ୍ତ । ଏହାର ପ୍ରମାଣ ଏଇ ଛୋଟିଆ ଝିଅଟି । ଶୁଣିବା ଭାଗବତ ବିଷୟରେ ତା’ର ମତାମତ ।”

ଭଙ୍ଗା ଭଙ୍ଗି କରି ରଖିଥିବା କାଗଜ ଖଣ୍ଡକ ମୋ ମାଳୀ ବ୍ୟାଗ୍ ଭିତରୁ ବାହାର କଲି । ପୂଜନୀୟ ବାବା ବ୍ରହ୍ମଚାରୀ ଶ୍ରୀ ନିତ୍ୟାନନ୍ଦ ଦାସ ମହାରାଜ, ଶ୍ରୀ କ୍ଷେତ୍ରରୁ ଆସିଥିବା ସ୍ୱାମୀ ଦୟାନନ୍ଦ ସରସ୍ୱତୀ, ମହନ୍ତ ନାରାୟଣ ଦାସ ମହାରାଜ, ଅନ୍ୟାନ୍ୟ ଅତିଥିମାନଙ୍କୁ ମୋର ସାଷ୍ଟାଙ୍ଗ ପ୍ରଣାମ । ଏତେ ସବୁ ବିଦ୍ୱାନମାନଙ୍କ ସମୀପରେ ମୋର ଉପସ୍ଥିତି ବକ ମଧ୍ୟେ କାକ ଯଥା । ତଥାପି ଯାହା ଜାଣିଛି ସବୁ କିଛି ବଖାଣିବି । ତ୍ରୁଟି ଥିଲେ କ୍ଷମା କରିବେ । ଅଜ୍ଞତାରୁ କିଛି ଭୁଲ୍ କଲେ ଗୁରୁଜନମାନେ ତା’ର ସଂଶୋଧନ କରିଦେବେ ବୋଲି ମୁଁ ହାତ ଯୋଡ଼ି ପ୍ରାର୍ଥନା କରୁଛି ।

ବିଦ୍ୟା ଭାଗ ବତାଧି

ଅତିବଡ଼ି ଜଗନ୍ନାଥଙ୍କୁ କିଏ ନ ଜାଣେ । ଶ୍ରୀମଦ୍ ଭାଗବତ ତାଙ୍କରି ଦ୍ୱାରା ଲିଖିତ ଆମର ଲୋକ ପ୍ରିୟ ପୁରାଣ ।

ପୁରାଣ. . . ଅର୍ଥାତ୍ ପୁରୁଣା ସମୟର ବର୍ଣ୍ଣନା ।

ବେଦ, ଉପନିଷେଦର ସାନିଧ୍ୟରେ ଏ ପୁରାଣମାନଙ୍କର କାହିଁକି ଉତ୍ପନ୍ନ ? ମୁଁ ଯଦି ସରଳ ଭାଷା ଏବଂ ଅତି ସଂକ୍ଷିପ୍ତରେ କହିବି ତାହା ହେଲା- ବେଦ ଆଉ ଉପନିଷେଦ ସାଧାରଣ ମଣିଷମାନଙ୍କ ପାଇଁ ବୁଝିବା କଷ୍ଟକର । ସେଥିପାଇଁ ପୁରାଣର ଜନ୍ମ । ଧୀରେ ଧୀରେ ଏଇ ପୁରାଣମାନଙ୍କର ସଂଖ୍ୟା ବଢ଼ି ଅଷ୍ଟାଦଶ ପୁରାଣ ହେବା ପରେ ଅନ୍ୟ ଏକ ସମସ୍ୟା ଦେଖାଗଲା । ଏଇ ଅଷ୍ଟାଦଶ ପୁରାଣରୁ କେଉଁ ପୁରାଣଟି ପଢ଼ିବା ଉଚିତ୍ ? କିଏ ବିଷ୍ଣୁ ପୁରାଣ ତ ଅନ୍ୟ କେହି ରାମାୟଣ ଅଥବା ଶିବ ପୁରାଣ, ଲକ୍ଷ୍ମୀ ପୁରାଣ ଇତ୍ୟାଦି ଇତ୍ୟାଦି ।

ଏଇ ସନ୍ତୁଳନ ଭିତରେ ହେଲା ଭାଗବତର ସୃଷ୍ଟି । କହିବାକୁ ଗଲେ ଭାଗବତ ହେଲା ସବୁ ପୁରାଣମାନଙ୍କର ସାରାଂଶ । ଏହାର ପ୍ରାରମ୍ଭ ଏହିପରି ହୋଇଥାଏ ।

“ନମଇଁ ନୃସିଂହ ଚରଣ, ଅନାଦି ପରମ କାରଣ
ଦୁଷ୍ଟ ନିବାରି ସନ୍ଥ ପାଳୁ, ତୁ ନାଥ ପରମ ଦୟାଳୁ ।”

ଭାଗବତ କେବଳ ଏକ ଆଧ୍ୟାତ୍ମିକ ପୁରାଣ ନୁହେଁ । ଏହା ଆମମାନଙ୍କୁ ଚଳିତ ଜୀବନ ସମ୍ୱନ୍ଧରେ ମଧ୍ୟ ଶିକ୍ଷା ଦେଇଥାଏ । ତେଣୁ କୁହାଯାଇଥାଏ-

“ସକଳ ତୀର୍ଥ ତୋ ଚରଣେ
ବଦ୍ରିକା ଯିବି କି କାରଣେ ।

ଇହ ସଂସାରେ ଜନ୍ମ ହୋଇ
ଦେବତା ହେଲେ ବି ମରଇ ।”

ଏଇମିତି ପଂକ୍ତି ଗୁଡ଼ିକ ବାସ୍ତବତାକୁ ପ୍ରତ୍ୟକ୍ଷ କିମ୍ୱା ପରୋକ୍ଷରେ ସ୍ପଷ୍ଟ କରିଥାଏ । ଉଦାହରଣ-

ଅଜ୍ଞାନ ଜନ ଏ ଜଗତେ
ବନ୍ଧନ କର୍ମର ଆୟତ୍ତେ
ସୁଖର ଲୋଭେ ଦୁଃଖେ ପଡ଼େ
ଯାବତ ଭକ୍ତି ମାର୍ଗ ହୁଡ଼େ ।
ତାବତ ସୁଖ କାହିଁ ତା’ର
ଲଭଇ ଦୁଃଖ ମହାଘୋର ।

ଏହି ଅବର୍ଣ୍ଣନୀୟ ଗୁଣ ଥିବା ଭାଗବତ ସର୍ବ ପ୍ରଥମେ ବ୍ୟାସ ଦେବଙ୍କ ଦ୍ୱାରା ସଂସ୍କୃତ ଲିପିରେ ଲେଖାଥିଲା । ପରେ ପରେ ପ୍ରାୟ ସମସ୍ତ ଭାରତୀୟ ଭାଷାରେ ଏହା ଉଲ୍ଲେଖିତ ।

ଏଇ ଦ୍ୱାଦଶ ସ୍କନ୍ଦ ଭାଗବତରେ ୩୩୨ଟି ଅଧ୍ୟାୟ ଏବଂ ୧୮,୦୦୦ ଟି ଶ୍ଳୋକ ନିହିତ ରହିଛି । ଅର୍ଥାତ୍ ଆମେ ଯଦି ସମସ୍ତ ଜନ୍ମ ଦିବସରେ ଏଇ ପୁରାଣଟି ଆରମ୍ଭ କରିବାକୁ ନିଶ୍ଚିତ କରିବା ତେବେ ତାହା ସମ୍ଭବ ହୋଇପାରିବ ।

ଭାଗବତରେ ସମସ୍ତ ପୁରାଣ ବିଷୟରେ ତତ୍କିଞ୍ଚିତ୍ ଉଲ୍ଲେଖନ ଥିଲେ ମଧ୍ୟ ବିଶେଷ କରି ବିଷ୍ଣୁ ଭଗବାନଙ୍କ ବିଷୟରେ ହିଁ ଆମେ ଅଧିକତର ଉପଲବ୍ଧି କରିଥାଉ । ସେଥିପାଇଁ ତା’ର ନାମ “ଭାଗବତ” । ଅର୍ଥାତ୍ “ଭଗବତ୍” ।

ମୁଁ ଏତିକି କହି ବିରତି ନେବାକୁ ଚାହୁଁଛି, ନା ଆମେ ଅତି ବଡ଼ି ଜଗନ୍ନାଥ ଦାସ ନାଁ ଶୁକଦେବଙ୍କ ଭଳି ଭାଗବତର ଜ୍ଞାନ ଶୁଣାଇ ପାରିବା ନାଁ ଚୈତନ୍ୟ ଦେବ କିମ୍ୱା ପରୀକ୍ଷିତ ରାଜାଙ୍କ ଭଳି ଶ୍ରୋତା ହୋଇ ମୋକ୍ଷ ପ୍ରାପ୍ତ କରିପାରିବା, ତଥାପି ଭାଗବତ ପଠନରୁ ଆମେ ପଛଘୁଞ୍ଚା ଦେବାନି ।

ଏତିକି କହି ସଦ୍ୟ ଯୋଡ଼ିଥିବା ଦୁଇଧାଡ଼ି ପାଠ କରିବାର ପ୍ରୟାସ କଲି । ଭଗବତ୍, ଭାଗବତା. . . ସଂସ୍କୃତରେ ଆଉ ଆଗକୁ ପଢ଼ି ପାରିଲିନି । ବାପା ପୂରଣ କଲେ ।

“ଭଗବତ୍ ଭାଗବତା ପାଞ୍ଚମୁଖ ସ୍ଖତିତମ୍ ଅକ୍ଷରମ୍
ତ୍ରୀ ଅକ୍ଷରଂ ମହାବୀଜଂ ଅନନ୍ତଂ ତଂ ନିଯୋଜୟେତ୍ ।।”

ବାପାଙ୍କ ମୁହଁକୁ ହାଁ କରି ଚାହିଁ ରହିଥିଲି । କେତେ ଅନାୟାସରେ ଗାଇ ଶୁଣାଇ ଦେଲେ । ଉଣେଇଶ ଛପନ ମସିହା ଜୁନ୍ ୧୯ ତରିଖ । ବର୍ତ୍ତମାନର ଦୁନିଆଁକୁ ଲକ୍ଷ୍ୟ କଲେ ମୋର ମନେହୁଏ ସେ କାଳରେ ଧର୍ମପୁତ୍ର, ଧର୍ମଝିଅ, ଧର୍ମ ଭାଇ, ଧର୍ମ ଭଉଣୀ ଇତ୍ୟାଦିର ପ୍ରଥା ବହୁଳ ଭାବେ ଚାଲୁଥିଲା । ତାହା କାହିଁକି ନା ସେଦିନ ମୋ ପକ୍ଷେ କହିବା ସମ୍ଭବ ଥିଲା ନା ଆଜି । ମାତ୍ର ସେ କାଳର ସେଇ ଗଢ଼ି ଉଠିଥିବା ସମ୍ପର୍କଟି ଯେ ବଜ୍ର ସଦୃଶ ଦୃଢ଼ ଆଉ ଅତୁଟ ସେଥିରେ କୌଣସି ସନ୍ଦେହ ନ ଥିଲା ।

ସେଦିନ ଆମ ଘରକୁ ବାପାଙ୍କର ଜଣେ ଧର୍ମପୁତ୍ର (ରାମ ସାହୁ) ଆମ ଘରକୁ ଆସିଥିଲେ । ଘରେ ସବୁବେଳେ ରାମଭାଇଙ୍କ ବିଷୟରେ ଚର୍ଚ୍ଚା ହେଉଥିଲେ ମଧ୍ୟ ପୂର୍ବରୁ ତାଙ୍କ ସହ ସାକ୍ଷାତ୍ ମିଳିବାର ସୁଯୋଗ ଆସିଥିଲା । ରଜପର୍ବ ଶେଷ ହୋଇ ତିନିଦିନ ହୋଇଯାଇଥିଲା । ଗଛରେ ବନ୍ଧା ହୋଇଥିବା ଦୋଳି ଖୋଲା ଯାଇ ନଥିଲା । ଦୃଢ଼ କଣ୍ଠରେ ସେଦିନ ଦୋଳିଟିକୁ ଖୋଲି ଦେବା ପାଇଁ ଆଦେଶ ଦେଉଥିଲା । ସଜନା ହାତରେ କିଛି ଠାକୁର ଭୋଗ ଲାଞ୍ଚ ରୂପେ ଧରାଇ ସନ୍ଧ୍ୟା ପର୍ଯ୍ୟନ୍ତ ଦୋଳିଟିକୁ ନ ଖୋଲିବା ପାଇଁ ନେହୁରା ହେଲି । ଲାଞ୍ଚ ପାଇଥିବା ହେତୁ କିମ୍ୱା ଦାୟ ଦେଖାଇ ଜବାବ୍ ଦେଲା, ସାଙ୍ଗସାଥିଙ୍କୁ ଡାକି ମନଭରି ଦୋଳି ଖେଳି ନିଅ । ସନ୍ଧ୍ୟା ବେଳକୁ ଦୋଳି ଖୋଳିବି । ଖୁସିର ସୀମା ରହିଲାନି । ସାଥିମାନଙ୍କ ସଙ୍ଗେ ଦୋଳି ଖେଳ । ରଜଦୋଳୀ ଗୀତ ବଦଳରେ ବହୁ ଧରଣର ଗୀତ, ଘର ଭିତରକୁ ପଶିଲା ବେଳକୁ ଦେଖିଲି ବାପା ଓ ରାମ ଭାଇ କ’ଣ କିଛି ଆଲୋଚନା ଜୋର୍‌ସୋର୍‌ରେ ଚଳାଇଛନ୍ତି । ମତେ ଦେଖି ଆଲୋଚନା ବନ୍ଦ କରି ରାମଭାଇ ମତେ ପାଖକୁ ଡାକି ଷ୍ଟୁଲ୍ ଉପରେ ବସାଇଲେ । କିଛି ନ ବୁଝିପାରି ମୁଁ ଆଡ଼େ ସାଡ଼େ ଚାହିଁଲି । ନାନୀ ବାପାଙ୍କ ପାଖରେ ଚାହା ଗ୍ଲାସ୍ ଆଉ ରାମଭାଇଙ୍କ ପାଖେ ଜଳଖିଆ ପ୍ଲେଟ୍ (ଥାଳିଆ) ରଖିଲା । ବାପା ଚାହା ପିଇବାରେ ମନ ଦେଲେ । ମୋ ହାତରେ ଗୋଟିଏ କାକରା ପିଠା ଧରାଇ ରାମ ଭାଇ କହିଲେ, “ଗୀତ କାହାଠୁ ଶିଖୁଛୁ ?”

କାହାଠୁ ନୁହେଁ ।

ଗୀତ ଶିଖିଲେ ତୁ ଆହୁରି ଭଲ ଗାଇବୁ । ପାଠ ପଢ଼ା ତ ଶେଷ ହେଲାଣି । ଗୀତରେ ସମୟ ଦେ । ଭବିଷ୍ୟତ ପାଇଁ ଝିଅଟିକୁ ସର୍ବଗୁଣ ସମ୍ପର୍ଣ୍ଣା ହେବା ଦରକାର ।

ସେଦିନ ମୁଁ ତାଙ୍କ କଥାର ଅର୍ଥ ବୁଝି ନଥିଲି । ଆଜି କିନ୍ତୁ ଖୁବ୍ ଭଲ ଭାବରେ ହୃଦୟଙ୍ଗମ କରି ପାରୁଛି କାହିଁକି ଝିଅଟି ପାଇଁ ସବୁ କିଛି ଶିଖିବା ଦରକାର । ମତେ ଚୁପ୍ ରହିବା ଦେଖି ରାମ ଭାଇ କହିଲେ, “ମୁଁ ତ ଦୋକାନ କାମ ନେଇ ଏତେ ବ୍ୟସ୍ତ ରହି ଯାଉଛି । ମୋ ପକ୍ଷେ ଆଉ କିଛି ଅଧିକା କରିବା ସମ୍ଭବପର ହେଉନି । ମୋ ହାରମୋନିୟମ୍‌ଟା ତତେ ଦେଇଦେବି । ଗୀତ ମାଷ୍ଟରଙ୍କୁ ମଧ୍ୟ ଏଠାକୁ ଆସି ତତେ ଶିଖାଇବାକୁ ରାଜି କରାଇ ଦେବି ।”

ସ୍ୱୀକୃତି ଅନୁସାରେ ତହିଁ ଆରଦିନ ହାରମୋନିୟମ୍‌ଟି ଆମ ଘରକୁ ପଠାଇ ଦେଇଥିଲେ । ପରେ ପରେ ଗୀତ ମାଷ୍ଟର ମଧ୍ୟ ଆସି ପହଞ୍ଚିଥିଲେ । ସେଇଦିନଠୁ ଆରମ୍ଭ ହୋଇଥିଲା ମୋର ସଙ୍ଗୀତ ଯାତ୍ରା ।

ପବିତ୍ର ବୈତରଣୀ କୂଳରେ ବାପା ଗଢ଼ାଇଥିବା ଗୋଟିଏ ଶିବ ମନ୍ଦିର । ପାର୍ବତୀ ମନ୍ଦିରଟି ବହୁ ଆଗରୁ ଥିଲା କହନ୍ତି ନନାଙ୍କ ଜନ୍ମ ରାତିରେ ବାପାଙ୍କୁ ସ୍ୱପ୍ନ ହୋଇଥିଲା, ଶିବ ଲିଙ୍ଗଙ୍କର ଆବିର୍ଭାବ । କେତେଜଣ ମତ ଦିଅନ୍ତି ପାର୍ବତୀଙ୍କ ମନ୍ଦିର ଶିବଙ୍କ ବିନା ପ୍ରତିଷ୍ଠିତ ନୁହେଁ । ତେଣୁ ଶ୍ରୀ ଶ୍ରୀ ମହାଦେବ ଶିବଲିଙ୍ଗ ରୂପେ ଆବିର୍ଭାବ ହୋଇଥିଲେ । ପୂଜା, ପାର୍ବଣ ବ୍ୟତୀତ ବାପା ପ୍ରତି ମାସରେ ଥରେ ଯାଇ ମନ୍ଦିରର ଖବର ଅନ୍ତର ବୁଝି ଆସନ୍ତି । ବାପାଙ୍କ ଆଦେଶ କ୍ରମେ ଆମେ ଦୁଇ ଉଭଣୀ ମନ୍ଦିରରେ ବସି ଶିବ ପୁରାଣ ପାଠ କରିଥାଉ । କ୍ରମେ କ୍ରମେ ଶ୍ରୋତାମାନଙ୍କର ଅନୁରୋଧ କ୍ରମେ ଭଜନ ଗାଇବା ମଧ୍ୟ ଆରମ୍ଭ କରିଥିଲି । ଏସବୁ ବାହାରେ ଗାଁରେ କିଛି ପୂଜା ପାଠର ମହୋତ୍ସବ ଆୟୋଜନ ହୁଏ । ମତେ ଭଜନ ଗାଇବା ପାଇଁ ଆମନ୍ତ୍ରଣ ଆସିଥାଏ ।

ତା’ପରେ

To Top