
ବାପା ଥରେ କହିଥିଲେ “ଷ୍ଟ୍ରଗଲ୍ ଫର ଏକ୍ଜିଷ୍ଟାନ୍ସ” ଅର୍ଥାତ୍ ନିଜକୁ ଦୃଢ଼, ପ୍ରତିଷ୍ଠିତ, ସୁସ୍ଥ, ସବଳ ରଖିବା ପାଇଁ ନିରୀହମାନଙ୍କର ନିଧନ ।
ଅଭୁଲା ସ୍ମୃତି-: ପୂର୍ବରୁ :-
ଦୁର୍ଗାନନା କହୁଥିଲେ, “ହେଇଥିବ, ଏଇଟା ବାବୁଲା ଭାଇ ସାଇକେଲ୍ ସେ ସ୍କୁଲ୍ ବାହାରିବା ପୂର୍ବରୁ ମୁଁ ନେଇ ଚାଲିଆସେ ।” ଆଚ୍ଛା ଛାଡ଼ ସେ ସବୁ । ଦୁର୍ଗାନନା କହୁଥିଲେ ତୋର ଓଡ଼ିଆ ଭାଷା ଉପରେ ବହୁଜ୍ଞାନ । ମୋ ଯୋଗେ ହୁଏ ନା “ବନ୍ୟା” ଉପରେ ଗୋଟିଏ ପ୍ରବନ୍ଧ ପ୍ରତିଯୋଗୀତା ହେଉଛି । ମୁଁ ଭାଗ ନେଉଛି । ତୁ ୟା’ ଉପରେ ଥରେ ଆଖି ବୁଲାଇ ଦେଲୁ ।
ପ୍ରବନ୍ଧଟି ଉପରେ ଆଖି ବୁଲାଇ ଆଣି କହିଲି, “କେଡେ଼ ସୁନ୍ଦର ତ ଲେଖିଛ ପରୀନାନୀ ।” ଆରମ୍ଭରେ ଏଇ ଦୁଇ ଲାଇନ୍ ଲେଖିବ :-
“କୃଷକ ହସିଲେ ହସିବ ଦେଶ, ରାଜ୍ୟର ହେବ ବହୁ ବିକାଶ ।”
ତା’ପରେ ନଦୀମାନଙ୍କ ବିଷୟରେ ଟିକିଏ :-
ଓଡ଼ିଶା ନଦୀ ପୂର୍ଣ୍ଣ ପ୍ରଦେଶ । ତାହା ହେଲା ମହାନଦୀ, କାଠଯୋଡ଼ି, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ଖରସୁଆ, ଋଷିକୂଲ୍ୟା, ବୁଢ଼ାବଳଙ୍ଗ, ମହେନ୍ଦ୍ରତନେୟା ଆହୁରି କେତେ । ଏଇ ନଦୀଗୁଡ଼ିକ ବଙ୍ଗୋପସାଗରରେ ମିଳିତ ହେବା ପୂର୍ବରୁ ବହୁ ଦୂର ବହି ଥାଆନ୍ତି । ଏଇ ନଦୀଗୁଡ଼ିକ ବର୍ଷା ପାଣିରେ ଭର୍ତ୍ତି ହୋଇଥାଆନ୍ତି । ତେଣୁ ଅଧିକ ବର୍ଷା ହେଲେ ବନ୍ୟା ହେବାର ସମ୍ଭାବନା ଥାଏ । ଏଇ ନଦୀଗୁଡ଼ିକର ସୁଅକୁ ପ୍ରତିରୋଧ କରିବା ପାଇଁ ବହୁ ଗୁଡ଼ିଏ ବନ୍ଧ ବନ୍ଧା ଯାଇଛି । ଯାହାକୁ “ଘାଇ” କୁହାଯାଏ । ଏତଦ୍ ବ୍ୟତୀତ ସମ୍ୱଲପୁର ଏବଂ ବୁର୍ଲା ମଝିରେ ମହାନଦୀ ସ୍ରୋତର ପ୍ରତିବନ୍ଧକ ପାଇଁ ସରକାର ଗୋଟିଏ ବିସ୍ତୃତ ବନ୍ଧ ଗଢ଼ିଛନ୍ତି । ଯାହାକୁ “ହୀରାକୁଦ ଡ୍ୟାମ୍” କୁହାଯାଏ । ନିକଟରେ ଦଳେଇ ଘାଇ ଭାଙ୍ଗିବା ଦ୍ୱାରା ଆମ ରାଜ୍ୟର ବହୁ ସ୍ଥାନରେ ଅଧିକ ପରିମାଣରେ କ୍ଷତି ହୋଇଛି ।
ଓଡ଼ିଶାରେ ଏତେ ଗୁଡ଼ାଏ ନଦୀ ଅଛି । ମତେ ଜଣା ନଥିଲା ପ୍ରବନ୍ଧର ଶେଷଟା ଅତର୍କିତ ହୋଇଛି ପରୀନାନୀ । ଏଠାରେ ତୁମେ ସମାଜ ପାଇଁ କିଛି ବାର୍ତ୍ତା ଦେଲେ ଖୁବ୍ ଭଲ ହେବ । ଯେମିତିକି ବନ୍ୟା ପ୍ରତିରୋଧ ପାଇଁ ପ୍ରତିକାର, ବନ୍ୟା ପୀଡ଼ିତମାନଙ୍କ ପାଇଁ ରିଲିଫ୍, ବନ୍ୟା ପରେ ହଇଜା ହୁଏ ବୋଲି ବାପା କହନ୍ତି । ତେଣୁ ଡାକ୍ତରୀ ସାହାଯ୍ୟ. . . ଏସବୁ ବାହାରେ ନିଜ ନିଜ ଭିତରେ ଆଦାନ ପ୍ରଦାନ ।
ବହୁତ ବହୁତ ଭଲ କଥାମାନ କହିଲୁ । ପ୍ରତିଯୋଗୀତାରୁ ପ୍ରାଇଜ୍ ମିଳିଲେ ଅଧା ତୋର । ଏବେ ମୁଁ ଆସୁଛି । ସନ୍ଧ୍ୟା ହୋଇଯିବ । ତୁ ଦୁର୍ଗାନନାଙ୍କ ସଙ୍ଗେ ଆମ ଘରକୁ ଆସିବୁ । ତୋ “ନାନୀ” ଡାକ ମତେ ବହୁତ ଭଲ ଲାଗୁଛି । ଆମେ ଖଣ୍ଡାୟତ ଗାଁର । ତେଣୁ ଆମର “ଦେଈ” ଡାକ ଚଳେ । କାହାର ପିଉସୀ ସମ୍ପର୍କ ହେଲେ “ଅପା” ।
ନିଶ୍ଚୟ ଆସିବି କହି ପରୀନାନୀଙ୍କୁ ବିଦାୟ ଦେଲି ।
ପରୀନାନୀ ଯିବା ପରେ ମୁଁ ବହୁଦିନ ତାଙ୍କ ପ୍ରବନ୍ଧ ବିଷୟରେ ଚିନ୍ତା କରୁଥିଲି । ଡାକ୍ତରୀ ସାହାଯ୍ୟ କଥା ବାରମ୍ୱାର ମନକୁ ଆସିଥିଲା । ଥରେ ଆମ ଗାଁରେ ମହାମାରୀ ବ୍ୟାପି ଥିଲା । ବାପା ତାଙ୍କ କାମ ଭିତରେ କେବେ କେବେ ପୀଡ଼ିତ ମାନଙ୍କୁ ଔଷଧ, ଇେଞ୍ଜକ୍ସନ୍ ଦେଉଥିଲେ ବୋଲି ନାନୀ ଠାରୁ ଶୁଣିଥିଲି । ମାତ୍ର କୌଣସି ଏକ କାରଣରୁ ସେ ତାହା ଛାଡ଼ି ଦେଇଥିଲେ ।
ଜଗା କକେଇଙ୍କର କେହି ଜଣେ ଆତ୍ମୀୟ ମହାମାରୀରେ ପୀଡ଼ିତ ହୋଇଥିଲେ । ବାପା ଉପଦେଶ ଦେଇଥିଲେ ଇେଞ୍ଜକ୍ସନ୍ । ଜଗା କକେଇ ବାପାଙ୍କୁ ବାରମ୍ୱାର ନେହୁରା ହେଉଥିଲେ, “ତୁମେ ଇେଞ୍ଜକ୍ସନ୍ ଲଗାଇ ଦିଅ ନନା ପିଲାଟା ବଞ୍ଚିଯିବ । ମା’ ବାପାଙ୍କର ଏକୋଇର ବଳା ବିଶିକେଶନ୍ ।”
“ନା ଜଗୁ, ଥରେ ଯାହା ତ୍ୟାଗ କରିଛି । ଆଉ ଥରେ ତା’ର ପୁନରାବୃତ୍ତି କରି ପାରିବିନି । ଦେଖିବା, କ’ଣ ଗୋଟାଏ ବ୍ୟବସ୍ଥା କରୁଛି ।”
ଡରି ଡରି କହିଲି, “ଇେଞ୍ଜକ୍ସନ୍ ଦେବା ମୁଁ ଦେଖିଛି । ଜମା କଷ୍ଟ ନୁହେଁ, ମତେ ବତେଇ ଦେଲେ ମୁଁ ଲଗାଇ ଦେବି ।”
“ନା ନା. . . ଝିଅ ପିଲାଟା ଇେଞ୍ଜକ୍ସନ୍ ଲଗାଇବ ?” ତୁମେ କିଛି ଗୋଟାଏ ବ୍ୟବସ୍ଥା କର ନନା ।
ଜଗା କକେଇଙ୍କୁ ନେଇ ବାପା ବାହାରି ଯାଇଥିଲେ । ମୁଁ ବସି ୨ ରକ୍ତ ଚାଉଳ ଚୋବାଉ ଥିଲି । ଭଗବାନଙ୍କ ଉଦ୍ଦେଶ୍ୟରେ କହିଲି, “ମତେ କାହିଁକି ଝିଅ ପିଲା କଲ । କଥା କଥାକେ ଅପମାନ । ଝିଅ ପିଲା ପାଠ ପଢ଼ିବନି, ଝିଅ ପିଲା ସାଇକେଲ୍ ଚଲାଇବନି, ଝିଅପିଲା ଇେଞ୍ଜକ୍ସନ୍ ଦେବନି । ଏ ସବୁ ଅପମାନ ମତେ ନୁହେଁ ସବୁ ତୁମକୁ ।”
ସୁଶୀ ନାନୀ ଆସି ପାଖରେ ବସିଲା । ମୋ ରବେଇ ଖବେଇ ହେବା ଦେଖି କହିଲା, “ଥଣ୍ଡା ହେଇ ଯାଆ ।”
“ଥଣ୍ଡା କ’ଣ ହେବି, ଦେଖିବୁ ମୁଁ ଦିନେ ନା ଦିନେ ଜଗା କକେଇର ପେଟ କାଟିବି (ଅପରେସନ୍ କରିବି) । ଝିଅ ପିଲାଟା ଇେଞ୍ଜକ୍ସନ୍ ଲଗାଇବ ।”
ବାସ୍, ହେଲା । ଭିତରକୁ ଚାଲ୍, ନାନୀ କଖାରୁ ଫୁଲ ଭାଜୁଛି ।
ଏଃ. . . ଏଃ. . . କଖାରୁ ଫୁଲ, ମୋର ଦିଇଟା । ନାନୀ ତତେ ଦିଇଟା ଦେଲେ ତୋ ଭାଗରୁ ମତେ ଗୋଟେ ଦେଇ ଦେବୁ ।
ମର୍ମସ୍ପର୍ଶୀ ସମାଚାର :-
୧୯୫୬ ର ଗୋଟିଏ ଯନ୍ତ୍ରଣାଭରା ଘଟଣା । ବାପା ଘରକୁ ବହୁଗୁଡ଼ିଏ ଖବର କାଗଜ ମଗାନ୍ତି । ତାଙ୍କ ଆଦେଶ କ୍ରମେ ଏ ଗୁଡ଼ିକ ଆମୂଳ ଚୂଳ ପଢ଼ିବାକୁ ହୁଏ (ବୁଝକି ନ ବୁଝ) । ସେଦିନ ଖବର କାଗଜର ପ୍ରଥମ ପୃଷ୍ଠାରେ ବଡ଼ ବଡ଼ ଅକ୍ଷରରେ ଲେଖାଥିଲା, “ସୀମା ଆନ୍ଦୋଳନ” । ଏ “ସୀମା ଆନ୍ଦୋଳନ” କ’ଣ ହୋଇପାରେ ? ସୀମା ଅର୍ଥାତ୍ ପ୍ରାନ୍ତ ଭାଗ ଆନ୍ଦୋଳନର ଅର୍ଥ କମ୍ପନ । ପ୍ରାନ୍ତ ଭାଗର କମ୍ପନ । ଭୂମିକମ୍ପ ନୁହେଁ ତ ! ପଢ଼ିବା ଆରମ୍ଭ କଲି । ସଢେ଼ଇକଳା, ଖରସୁଆଁ ସମସ୍ୟାକୁ ନେଇ ସୀମା ଆନ୍ଦୋଳନ । ଏଇ ଦୁଇଟି ସ୍ଥାନ ଉପରେ ବିହାର ନିଜର ଆଧିପତ୍ୟ ବିସ୍ତାର କରିଛି । ଫଳତଃ ସୀମା ଆନ୍ଦୋଳନର ସୃଷ୍ଟି । ଏଇ ଆନ୍ଦୋଳନ ଓଡ଼ିଶା ନିମନ୍ତେ ପ୍ରଥମ । ତେଣୁ ସହର ତଥା ଗ୍ରାମମାନଙ୍କରେ ଚାଞ୍ଚଲ୍ୟ ଖେଳି ଯାଇଛି । ପୁରୀ ପୋଲିସ୍ ଫାୟାରିଂରେ ତିନିଜଣ ନିଧନ । ପୁରୀର ବାଳକ ବେଙ୍ଗପାଣିଆ ଏବଂ କଟକର ଯୁବକ ସୁନୀଲ ଦେ ଶହୀଦ୍ । ତେଣୁ ଛାତ୍ର ଆନ୍ଦୋଳନ । କେବଳ ସହର ନୁହେଁ । ପଲ୍ଲୀ ଗାଁମାନଙ୍କ ଛାତ୍ରମାନେ ମଧ୍ୟ ଶୋଭାଯାତ୍ରାରେ ଆଗେଇଛନ୍ତି । ଓଡ଼ିଶାର ସବୁ ସ୍କୁଲ୍ କଲେଜ୍ ବନ୍ଦ ।
ବିଷୟଟିକୁ ଆମୂଳ ଚୂଳ ପଢ଼ିଲି ସତ । କିନ୍ତୁ କିଛି ଗୋଟାଏ ସଠିକ୍ ଧାରଣା କରି ପାରିଲିନି । ବାପାଙ୍କ ଠାରୁ ଶୁଣିଥିବା ବାଜି ରାଉତ ଗପଟି ମନେ ପଡ଼ିଲା । ୧୨ ବର୍ଷର ବାଳକ ବାଜି ରାଉତ ତା’ର ସାଥି ହୃଷି, ନଟ, ରଘୁ, ଲକ୍ଷୀ ଏବଂ ଗୁରି ସହ ଦେଶ ପାଇଁ ପ୍ରାଣ ହାରିଥିଲା । ନବକୃଷ୍ଣ ଚୌଧୁରୀ (ବାପାଙ୍କର ଖୁବ୍ ନିକଟତମ) ଏଇ ବିଷୟଟିକୁ ଆଗେଇ ନେଇ । ବାଜି ରାଉତକୁ ଶହୀଦ୍ ଉପାଧିରେ ଆଚ୍ଛାଦିତ କରାଇ ପାରିଥିଲେ । ବାପା କହନ୍ତି, ନବବାବୁ କେବଳ ଜଣେ ବିପ୍ଳବୀ ପୁରୁଷ ନୁହଁନ୍ତି । ସେ ଜଣେ ସମାଜବାଦୀ ନେତା, କୃଷକ, ଆଦର୍ଶବାଦୀ ରାଜନୀତିଜ୍ଞ ଆନ୍ଦୋଳନର ନେତା, ସ୍ୱାଧୀନତା ସଂଗ୍ରାମୀ, ଆଦର୍ଶବାଦୀ ରାଜନୀତିଜ୍ଞ ଏବଂ ଭାରତ ଛାଡ଼ ଆନ୍ଦୋଳନର କର୍ମୀ । ଅର୍ଥାତ୍ ସେ ଭାରତକୁ ସ୍ୱାଧୀନ କରାଇବାରେ ଗାନ୍ଧିଜୀଙ୍କୁ ସାହାଯ୍ୟ କରିଛନ୍ତି । ଏତେ ବଡ଼ ଜଣେ ନେତା ବର୍ତ୍ତମାନ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ଓଡ଼ିଶା ହିତରେ ନିଶ୍ଚୟ କିଛି କରିବେ ।
୧୯୬୨ ମସିହା, ଏପ୍ରିଲ୍ ମାସ । ମ୍ୟାଟ୍ରିକୁଲେସନ୍ ପରୀକ୍ଷା ରେଜଲ୍ଟ ବାହାରିବା ସମୟରେ ମୁଁ ଆମ ଗାଁରେ ଥିଲି । ବାପାଙ୍କ ଆଦେଶ କ୍ରମେ ଦୁଇଜଣ ଢୋଲବାଲା ଜୋର୍ ଜୋର୍ରେ ଆମ ଠାକୁରଘର ପାଖେ ଛିଡ଼ା ହୋଇ ଢୋଲ ପିଟୁଥିଲେ । ଏଇ ମାଧ୍ୟମରେ ଭଗବାନଙ୍କୁ କୃତଜ୍ଞତା ଜ୍ଞାପନ କିମ୍ୱା ପୁରା ଇଲାକାଟିକୁ ମୋ ପାସ୍ ସମ୍ୱାଦଟି ଦେବାର ପ୍ରୟାସ କରୁଥିଲେ ତାହା ତାଙ୍କୁ ଜଣା । ପରିସର ମତେ ଠିକ୍ ନ ଲାଗୁଥିଲେ ମଧ୍ୟ ବାପାଙ୍କ ସାମ୍ନାରେ ମୁହଁ ଖୋଲି ପାରୁ ନଥିଲି ।
ବାପା ଓଡ଼ିଆ ଇଂରାଜୀ ଦୁଇ ଭାଷାର ନ୍ୟୁଜ୍ ପେପର୍ ମଗାନ୍ତି । ପୋଷ୍ଟ ଅଫିସ୍ରୁ ସେ ଗୁଡ଼ିକ ଆଣି ମୋ ହାତରେ ଦିଅନ୍ତି । କିଛିଟା ନିଜେ ପଢ଼ନ୍ତି । ସେଦିନ ପେପର୍ରେ ଭାରତ ଆଉ ଚୀନ୍ର ଯୁଦ୍ଧ ସମ୍ପର୍କରେ ପଢ଼ି ମୁଁ ଅସମ୍ଭବ ଭାବେ ଉଦାସ ହୋଇ ଯାଇଥିଲି । ସୁଶୀନାନୀ ବାହା ହୋଇ ତା’ ଶାଶୁ ଘରେ । ଛୁଆନା ତାଙ୍କ ଚାକିରୀ ଜାଗାରେ । ମନ କଥା କାହାକୁ କହିବି । ରାତିରେ ନ ଖାଇ ଶୋଇ ପଡ଼ିଲି । କଥାଟା ବାପାଙ୍କ କାନକୁ ଗଲା । ପରଦିନ ମୋଠାରୁ ସେ ମୋର ଉଦାସୀନତାର କାରଣଟି ସଂଗ୍ରହ କରିପାରିଥିଲେ । ଭାରତ ସୈନିକମାନେ ଥାଗ୍ଲା ରିଜ୍ର ଦକ୍ଷିଣ ଗଡ଼ାଣୀ “ଧୋଲା” ଠାରେ ଗୋଟିଏ ଆଉଟ୍ ପୋଷ୍ଟ ସ୍ଥାପନ କରିଛନ୍ତି । ଅର୍ଥାତ୍ ଯୁଦ୍ଧ ନିଶ୍ଚୟ । ବାପା ୟା’ ଉପରେ କିଛି ମନ୍ତବ୍ୟ ନ ଦେଇ କହିଲେ, “ଷ୍ଟ୍ରଗଲ୍ ଫର୍ ଏକ୍ଜିଷ୍ଟାନ୍ସ” । ତା’ପରେ ସେ ଅନର୍ଗଳ ଭାବେ ଭାଷଣ ଦେଇ ଚାଲିଲେ । ତୁ ତ ସେତେବେଳେ ଜନ୍ମ ବି ହୋଇ ନ ଥିଲୁ । ବହୁ ବର୍ଷ ବ୍ରିଟିଶରମାନଙ୍କ ଅଧୀନରେ ରହି ଆମ ଦେଶ ସେମାନଙ୍କ ବିରୁଦ୍ଧରେ ଆନ୍ଦୋଳନ ଚଳାଇ ଶେଷରେ ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ରାତି ବାରଟାରେ ସେମାନଙ୍କୁ ହଟାଇ ନିଜକୁ ସ୍ୱାଧୀନ ଦେଶ ରୂପେ ଘୋଷଣା କଲା । ପରାଧୀନର କ୍ଳେଶ ଖୁବ୍ ସହଜରେ ବୁଝିହୁଏନା । ୧୩ ବର୍ଷ ଝିଅଟି ମନରେ ଏହା କ’ଣ ପ୍ରଭାବ ପକାଇଥିଲା ମୁଁ କହି ପାରିବିନି । ମାତ୍ର ଆଜି ୬୬ ବର୍ଷ ବୟସରେ ମଧ୍ୟ ମୁଁ କାହାରି ଦୟାରେ ରହିବାକୁ ପସନ୍ଦ କରେ ନା ।
୧୯୬୫ ମସିହା ଅଗଷ୍ଟ ତେର ତାରିଖ । ମୋ ପାଇଁ ଏକ ଅଭୁଲା ସ୍ମୃତି । ସେଦିନ ଆମର ମେଡ଼ିକାଲ୍ କଲେଜ୍ରେ ପ୍ରଥମ କ୍ଲାସ ଆରମ୍ଭ ହେଲା । ମୁଁ ଗାଧୋଇ ହଷ୍ଟେଲ୍ ଆଲମାରୀରେ ରଖିଥିବା ଭଗବାନଙ୍କ ପାଖେ ପ୍ରାର୍ଥନା କରିଥିଲି । “ହେ ପ୍ରଭୁ, ପିଲାଦିନେ ମୋ ସିଲଟ ଉପରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ତିନୋଟି ୦ (ଶୂନ) ଲେଖା ନ ଯାଇଥିଲା ବୋଲି ମୋ ପଢ଼ାରେ ବହୁ ବ୍ୟାଘାତ ସୃଷ୍ଟି ହୋଇଥିଲା । ଆଜି ମୋର ପ୍ରଥମ ଫିଜିଓଲୋଜି କ୍ଲାସ୍ । ଫିଜିଓଲୋଜି ଅର୍ଥାତ୍ ମଣିଷ ଶରୀର ବିଷୟରେ ଜ୍ଞାନ ଅର୍ଜ୍ଜନ ।” ତୁମ ସାମ୍ନାରେ ଛିଡ଼ା ହୋଇ ସେଇ ଶରୀର ଉପରେ ଥରେ ହାତ ବୁଲାଇ ଦେଉଛି ଆସନ୍ତା ପାଠରେ କିଛି ବି ଅସୁବିଧା ନ ଆସୁ କହି ଗ୍ରେଜ୍ ଆନାଟୋମୀ ବହିରେ ଥିବା ଏକ ମଣିଷ ଚିତ୍ର ଉପରେ ହାତ ବୁଲାଇଲି ।
ଆନାଟୋମୀ ହଲ୍ରେ ଶବ ବ୍ୟବଚ୍ଛେଦ ୨୦୬ ମଣିଷର ହାଡ଼ ବିଷୟରେ ଜ୍ଞାନ, ଶରୀର କେମିତି ଭିନ୍ନ ଭିନ୍ନ ଯନ୍ତ୍ର ଦ୍ୱାରା ପରିଚାଲିତ ହୁଏ । ଏଇ ସମସ୍ତ ବିଷୟର ଜଡ଼ିତ ହୋଇ ଯାଇଥିଲି ଯେ ନିଜ ପରି ପାର୍ଶ୍ୱରେ, ଦେଶରେ, ଦୁନିଆଁରେ କ’ଣ ହେଉଛି ସେ ଖବର ରଖିବାକୁ ସମୟ ପାଉ ନ ଥିଲି । ଶୀତ ଛୁଟିରେ ସାଙ୍ଗମାନେ ନିଜ ନିଜ ଘରକୁ ଯାଇଛନ୍ତି । ବାସ୍ କେଇ ଜଣଙ୍କୁ ଛାଡ଼ି ଦେଲେ ହଷ୍ଟେଲ୍ ପୁରା ଖାଲି । ରିଡ଼ିଙ୍ଗ୍ ରୁମ୍ରେ ବସି ପୁରୁଣା ପେପର୍ ଗୁଡ଼ା ଘାଣ୍ଟୁଥିଲି । ସତ କଥା, ମଣିଷ ପରିସ୍ଥିତିର ଦାସ । ଏତେ ଛୋଟ ବେଳର ଅଭ୍ୟାସ ଖବର କାଗଜ ପଢ଼ା ଆଜି ଦୂରେଇ ଯାଇଛି । ପେପର୍ର ଗୋଟିଏ ଖବର ଉପରେ ଆଖି ପଡ଼ିଲା । ୟା ଭିତରେ ଭାରତ ପାକିସ୍ଥାନ ଯୁଦ୍ଧ ଶେଷ ହୋଇ ଯାଇଛି । ଛୋଟ ରିପୋର୍ଟଟିଏ ଛପିଥିଲା ।
ଭାରତ ୧୯୨୦ ସ୍କୋୟାର୍ କି.ମି. ଟେରିଟୋରୀ ଜିତିବା ସ୍ଥଳେ ପାକିସ୍ତାନ ୫୪୦ ।
– ପାକିସ୍ତାନର ୫୮୦୦ ସୈନିକ ନିଧନ, ଭାରତ ୨୮୬୨ ।
– ଭାରତ ୯୭ଟି ଏବଂ ପାକିସ୍ତାନ ୪୫୦ଟି ଟ୍ୟାଙ୍କ୍ ହରାଇଛି ।
ହାଜି ପିର ପାସ୍ ଯାହା ପାକିସ୍ତାନକୁ ପ୍ରବେଶ କରିବାର ଏକ ମହତ୍ତ୍ୱପୂର୍ଣ୍ଣ ରାସ୍ତା, ଭାରତ ତାକୁ ନିଜ କବଳରେ କରିପାରିଛି । ସିଆଲ୍ କୋଟ୍ ଅତିକ୍ରମ କରି ଲାହୋର ପର୍ଯ୍ୟନ୍ତ ମଧ୍ୟ ସେନା ପ୍ରବେଶ କରିପାରିଛନ୍ତି । ସିସ୍ ଫାୟାର୍ ଉପରକ୍ତୋ ଦୁଇଦେଶ ତାସ୍କେଣ୍ଟରେ ଏକାଠି ହୋଇ ଯୁଦ୍ଧ ବନ୍ଦ କରିବାକୁ ଏକମତ ହୋଇଛନ୍ତି ।
କାହିଁକି କେଜାଣି ଏ ସବୁ ପଢ଼ିବା ପରେ ମୋ ଆଖିରେ ପାଣି ଆସି ଯାଇଥିଲା । ବାପା ଥରେ କହିଥିଲେ “ଷ୍ଟ୍ରଗଲ୍ ଫର ଏକ୍ଜିଷ୍ଟାନ୍ସ” ଅର୍ଥାତ୍ ନିଜକୁ ଦୃଢ଼, ପ୍ରତିଷ୍ଠିତ, ସୁସ୍ଥ, ସବଳ ରଖିବା ପାଇଁ ନିରୀହମାନଙ୍କର ନିଧନ ।
ହଷ୍ଟେଲ୍ ସୁପରିଟେଣ୍ଡେଣ୍ଟ୍ ପ୍ରଫେସର୍ କୁଳମଣି ମିଶ୍ର ତାଙ୍କ ଟିମ୍ ମେମ୍ୱରମାନଙ୍କ ସହିତ ହଷ୍ଟେଲ୍ରେ ରାଉଣ୍ଡ୍ ନେଉଥିଲେ । ମୋ ଆଡ଼କୁ ଚାହିଁ ମୋ ଦୁଃଖର କାରଣ ପଚାରିଲେ । ସାର୍ଙ୍କୁ ଦେଖି ବହୁ ଭୟ ପାଇ ଯାଇଥିଲେ ମଧ୍ୟ ବସିବା ସ୍ଥାନରୁ ଉଠି ପଡ଼ି ମୁହଁ ତଳକୁ କରି କହିଲି, “ଝଗଡ଼ା ଝାଣ୍ଟି ନ କରି ମିଳିମିଶି ରହିଲେ କ’ଣ କ୍ଷତି ହୁଅନ୍ତା ?” ସାର୍ ବୋଧେ ୟା ଭିତରେ ମୋ ହାତରେ ଥିବା ଖବରର ହେଡ୍ ଲାଇନ୍ ଉପରେ ଆଖି ବୁଲାଇ ନେଇଥିଲେ କିମ୍ୱା ନିଜ ଅନୁଭୂତିରୁ କହିଲେ, “ତା’ହେଲେ ତ ରାମରାଜ୍ୟ ହୁଅନ୍ତା । ସମସ୍ତ ପରିବେଶ ସହିତ ଆମକୁ ତାଳ ଦେଇ ଚଳିବାକୁ ହେବ ।” କହି ସାର୍ ରୁମ୍ରୁ ନିଷ୍କ୍ରାନ୍ତ ହୋଇ ଯାଇଥିଲେ ।
– ତା’ପରେ –